Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lopamudra Mishra

Tragedy

3  

Lopamudra Mishra

Tragedy

ବୋଉର ବାହାଶାଢ଼ୀ

ବୋଉର ବାହାଶାଢ଼ୀ

10 mins
7.7K


🌷ବୋଉର ବାହାଶାଢ଼ୀ 🌷

ଲୋପାମୁଦ୍ରା ମିଶ୍ର

--ବୋଉ ଦେଖା ଦେଖା ସେ ଶାଢ଼ୀ ଟା l

ବୋଉ ତୁ କାହିଁକି ଏଇଟା କେବେ ବି ପିନ୍ଧୁନୁ? କେତେ ସୁନ୍ଦର ହେଇଛି !!

--ଏଇଟା ପା ମୋ ବାହାଘର ଶାଢ଼ୀ l ଏକୁ କଣ ଏମିତି ସବୁବେଳେ ପିନ୍ଧନ୍ତି? ଯେତେବେଳେ ତୋ କକା, ମାମୁଁ ,କି ମାଉସୀ କାହାର ବାହାଘର ହେବ ସେତେବେଳେ ପିନ୍ଧିବି l

--ମୋ ବାହାଘର ହେଲେ ପିନ୍ଧିବୁନି?

--ହା ହା... ଆଲୋ ତୋ ବାହାଘର ବେଳକୁ ପା ମୁଁ ବୁଢୀ ହେଇଯାଇଥିବି l ବୁଢୀଲୋକ ଏ ଶାଢ଼ୀ ପିନ୍ଧିଲେ ଲୋକେ ହସିବେନି ?

--ତୁ ସତରେ ବୁଢୀ ହେଇଯିବୁ?ଜେଜେମାଆ ଭଳିଆ?

ମୁଁ ତାହେଲେ ମୋ ବାହାଘର ରେ ଏଇ ଶାଢ଼ୀ ଟା ପିନ୍ଧିଦେବି?

--ହା ହା.. ମୋ ଝିଅ ତା ବାହାଘରରେ ପୁରୁଣା ଶାଢ଼ୀଟେ କାହିଁକି ପିନ୍ଧିବ?

--ଏଟା ତ ପୁରା ନୂଆ ଅଛି l ମୋତେ ଏଟା ବହୁତ ଭଲ ଲାଗୁଛି l ଏଇ ଓଢଣୀଟା ବି ମୁଁ ମୁଣ୍ଡରେ ପକେଇବି l

--ନାଁ ନାଁ ପୁରା ନୂଆ ଟେ ତୋ ପାଇଁ କିଣା ହେବ l

--ସତରେ ?? ନୂଆ ଓଢ଼ଣୀ ବି କିଣାହେବ?

--ହଁ ମୋ ଗେଲ୍ଲୀ ଝିଅ ପାଇଁ ସବୁ ନୂଆ କିଣା ହେବ l

--ଏଇଭଳି ସୁନ୍ଦରଟେ କିଣିବୁ?

--ଇଆଠୁ ଆହୁରି ଭଲ ଟେ କିଣିବି ତୋ ପାଇଁ l

ବାହାଘର କଣ ଜାଣିନଥିବା କୁନି ଝିଅ ରୁବି ଖୁସୀରେ ଡେଇଁ ପଡିଲା ବୋଉ କଥା ଶୁଣି l ବୋଉ ର ସେହି ନାଲି ଶାଢ଼ୀ ଟାକୁ ଦେହରେ ଗୁଡେଇ ହେଇ ନାଚୁଥିଲା l ତା ବୋଉ ପ୍ରଭାଦେବୀ ଟିକେ ଚଞ୍ଚଳ ହେଉଥିଲେ ଟିଣ ବାକ୍ସ ଟା ବନ୍ଦ କରିବାକୁ l

ରୁବି କୁ ପୁଣି କହିଲେ, "ଦେଲୁ ମାଆ ଶାଢ଼ୀ ଟା l ମୁଁ ରଖିଦିଏ l ବହୁତ କାମ ଅଛି ପା l"

ରୁବି ଜିଦ୍ଦି କଲାପରି କହିଲା, "ନାଁ ବୋଉ ମୁଁ ଆଉ ଟିକେ ଖେଳିବି ଏଇଟା ପିନ୍ଧି l ଏବେ ଦେବିନି "l

ପ୍ରଭାଦେବୀ ରୁବିକୁ ବୁଝା ସୁଝା କରି ଶାଢ଼ୀଟା ତା ପାଖରୁ ନେଇ ଆସିଲେ l ସୁନ୍ଦର କରି ଚାରି ଚଉତ କରି ଭାଙ୍ଗି, ଗନ୍ଧ କର୍ପୁର ଦେଇ ଶାଢ଼ୀ ଆଉ ଉତ୍ତରୀୟ କୁ ଯତ୍ନ ରେ ଗୋଟେ ଖୋଳରେ ଭର୍ତ୍ତି କରି ଟିଣ ବାକ୍ସ ରେ ରଖିଦେଲେ l

ସେହି ଟିଣ ବାକ୍ସଟା ପ୍ରଭାଙ୍କର ସର୍ବସ୍ୱ l ପୁରା ପରିବାର ର କିଛି ପୁରୁଣା ଫୋଟୋ ଓ ନିଜ ବାହାଘର ର କଳାଧଳା ଫୋଟୋ ଥିବା ଗୋଟିଏ ଆଲବମ, ନୂଆ ନୂଆ ଶାଢ଼ୀ କେହି ଖଣ୍ଡ, ପାଞ୍ଚ ଛଅ ଟି କାଚ ଆଉ ଚିନାମାଟି ର ପ୍ଲେଟ, କେତୋଟି ରୁପା ମୁଣ୍ଡ କଣ୍ଟା ରହିଥିବା ସୁନ୍ଦର ଗୋଟେ ସୁନେଲି ରଙ୍ଗ ର ଡବା, ନାଲି ନେଳି ଚୁଡ଼ି ଦୁଇଚାରି ମୁଠା,ନୂଆ ପୁରୁଣା ନକଲି ମୁଣ୍ଡ ଖୋସା କେଇଟି ଏମିତି ଆହୁରି କେତେ କଣ ଚିଜ ସେହି ଟ୍ରଙ୍କ ଭିତରେ ସାଇତି ରଖିଥାନ୍ତି ପ୍ରଭା l ସବୁଠୁ ବେଶୀ ଯତ୍ନ ରେ ଟ୍ରଙ୍କର ଗୋଟେ କଡ କୁ ନିଜ ବାହାଘର ଶାଢ଼ୀ ଆଉ ଓଢ଼ଣୀ ସଜାଡି ରଖିଥାନ୍ତି l ଏ ଘରେ ତାଙ୍କର ଏକାନ୍ତ ନିଜସ୍ୱ ସମ୍ପତି ବୋଲି କିଛି କହିଲେ ଏଇ ଟିଣ ବାକ୍ସ ଟିକୁ ହିଁ ବୁଝାଏ l

ପ୍ରଭା ଯେତେବେଳେ ଏଇ ବାକ୍ସଟି ଖୋଲନ୍ତି ରୁବି ଦୌଡି ଆସି ପାଖରେ ବସି ପଡେ l ତାକୁ ଲାଗେ ଯେମିତି ପରୀକାହାଣୀ ର କୁହୁକ ପେଡି ଖୋଲାଯାଉଛି l 'ଏଟା କଣ ସେଟାରେ କଣ ହୁଏ' ପଚାରି ପଚାରି ବୋଉ କୁ ପୁରା ବିରକ୍ତ କରିଦିଏ l ପୁଣି ପ୍ରଭା ଯେତେବେଳେ ଟ୍ରଙ୍କ ଟା ବନ୍ଦକରି ତାଲା ପକାନ୍ତି ଖୁବ ରାଗିଯାଏ ରୁବି l ରୁବି ର ବିଶେଷ ଆକର୍ଷଣ ବୋଉର ସେହି ନାଲିରଙ୍ଗର ଚୁମୁକି ବସା ବାହାଶାଢ଼ୀଟା l

ସବୁଥର ସେ ଶାଢ଼ୀ ଟିକୁ ଖୋଲିପକାଈ ଦେହରେ ଗୁଡେଇ ହେଇପଡ଼େ l ପ୍ରଭା ବି ରୁବି ର କୁନି ବୋହୂବେଶ ଦେଖି ହସିଦିଅନ୍ତି l ଶାଢ଼ୀଟି କାଳେ ଖରାପ ହେଇଯିବ ପୁଣି ଭଙ୍ଗା ଭଙ୍ଗୀ କରି ସାଇତି ଦିଅନ୍ତି l

କୁନି ରୁବି ବଡ ହେଇ ହାଇସ୍କୁଲ ପଢିଲା , ପୁଣି ସ୍କୁଲ ଛାଡ଼ି କଲେଜ ରେ ପାଦ ଦେଲା କିନ୍ତୁ ବୋଉ କୁ ତାର ସେହି ନାଲି ବାହାଶାଢ଼ୀ ଟାରେ ଥରେ ମଧ୍ୟ କେବେ ଦେଖିପାରିଲାନି l ବୋଉ ସବୁବେଳେ ସୂତା ଶାଢ଼ୀ ଖଣ୍ଡେ ପିନ୍ଧି ଘରର ଯାବତୀୟ କାମରେ ଲାଗିଥାଏ l ମାମୁଁ ଘରକୁ କେବେ କେମିତି ବାହାରିଲେ ଟିଣ ବାକ୍ସ ରେ ଥିବା ଦୁଇ ତିନି ଖଣ୍ଡ ନୂଆଶାଢ଼ୀରୁ ଗୋଟେ କାଢି ପିନ୍ଧିପକାଏ l

ରୁବି ଏବେ ଅନେକ ସୁନ୍ଦର ଡିଜାଇନର ଶାଢ଼ୀ ଦେଖିଲାଣି ତଥାପି ତାର ବୋଉ ବାହାଶାଢ଼ୀ ପ୍ରତି ଥିବା ପୂର୍ବର ଅଦ୍ଭୁତ ଆକର୍ଷଣଟା ଟିକେ ହେଲେ ଫିକା ପଡିନି l ଥରେ କଲେଜ ର ଗୋଟେ ଫଙ୍କସନ ରେ ରୁବି ଶାଢ଼ୀପିନ୍ଧି ଡ୍ରାମା ରେ ଅଭିନୟ କରିଥିଲା l ବୋଉ କୁ କହି ତା ବାହାଶାଢ଼ୀ ଟା ନେଇଯାଇଥିଲା l ସେହି ନାଲି ସୁନେଲି ଚୁମୁକି ବସା ପୁରୁଣାକାଳିଆ ଶାଢ଼ୀଟାରେ ରୁବି ଅପୂର୍ବ ସୁନ୍ଦରୀ ଦିଶୁଥିଲା l ବୋଉ ଶାଢ଼ୀ ଟା ଦେବା ଆଗରୁ ରୁବି କୁ ବାରବାର କରି କହିଥିଲା, "ବୁଢୀଲୋ ଶାଢ଼ୀ ଟାକୁ ଟିକେ ଯତ୍ନ ରେ ନେବୁ ଆଣିବୁ l ଡ୍ରାମା ରେ ତୋ ପାର୍ଟ ସରିଗଲେ ଆଗ ଆଇତି କରିଦେବୁ l ଅସନା କରିବୁନି ବେଶୀ l ବୁଝିଲୁ? "

ରୁବି ବି ତରତର ହେଇ ଶାଢ଼ୀ ରଖୁଥିଲାବେଳେ କହୁଥିଲା , "ଓହୋ !ତୁ କାହିଁକି ଏମିତି ହେଉ କହିଲୁ? ଥରେ ତ ପିନ୍ଧିବୁନି, ମୁଁ ଟିକେ ନେବାକୁ ମାଗିଲେ ଏତେ କଥା କହିବୁ l ଭାରି ତ ଗୋଟେ ଦାମୀ ଶାଢ଼ୀ ଟା ଆଉ !!"

ରୁବି ସେଦିନ ଫଙ୍କସନ ରେ ଖୁବ ସୁନ୍ଦର ଦେଖାଯାଉଛି କହି ତାର ଝିଅ ସାଙ୍ଗମାନେ ଓ କିଛି ଜଣ ପୁଅପିଲା ମଧ୍ୟ ଅନେକ ପ୍ରଶଂସା କରିଥିଲେ l ଶାଢ଼ୀ ଟା ଡ୍ରାମା ପରେ ସଙ୍ଗେ ସଙ୍ଗେ ବଦଳେଇ ଦେଲେ କାଳେ ତା ସୌନ୍ଦର୍ଯ୍ୟ ଫିକା ହେଇଯିବ ସେଥିପାଇଁ ସେ ସେଇଟିକୁ ଭୋଜି ଖାଇଲା ପର୍ଯ୍ୟନ୍ତ ପିନ୍ଧିକି ରହିଲା l ଘରକୁ ଆସି ବୋଉ କୁ ଶାଢ଼ୀଟା ହସ୍ତାନ୍ତର କଲାବେଳେ ବୋଉ ଦେଖିଲା ସେଥିରେ ଗୋଟେ ଦୁଇଟି ଜାଗାରେ ଡାଲି ଆଉ ଖଟା ଲାଗି ଚିହ୍ନ ହେଇଯାଇଛି l ବୋଉ ଟିକେ ନରମ ସ୍ୱର ରେ ଅଭିମାନ କଲାପରି ରୁବିକୁ କହିଲା, " ଶାଢ଼ୀ ଟାକୁ ମୁଁ ଏତେ ଯତ୍ନ ରେ ସାଇତି ରଖିଥିଲି ଯେ ଏତେଦିନ ହେଇଗଲାଣି ମତେ ଥରେ ବି ସଫା କରିବାକୁ ପଡ଼ିନଥିଲା l ତତେ ଏତେ କରି କହିଲାପରେ ବି ତୁ ଦାଗମାଗ କରି ନେଇଆସିଲୁ "l ରୁବି କିନ୍ତୁ ବୋଉର ଏମିତି ମୁହଁ ଶୁଖା କଥା ଶୁଣି ଭାରି ଗୋଟେ ଚିଡି ଉଠି କହିଲା, "ଓହୋ ବୋଉ ! ଏଇ ପୁରୁଣା କାଳିଆ ଶାଢ଼ୀଟା ପାଇଁ କଣ ଏମିତି ଗୋଟେ ହୋଉଛୁ ମ ! ଏଇଥିରେ ଯେମିତି ତୋ ଜୀବନ ଅଟକି ଯାଇଛି ଆଉ ! ବାକ୍ସ ରେ ସାଇତି ସାଇତି ତ ବୁଢୀ ହେଲୁ, ସଫା ଆଉ କରନ୍ତୁ କେମିତି ? ତୁ ପିନ୍ଧିଥିଲେ ତ ଅସନା ହେଇଥାନ୍ତା ନା l ନେଇଯା ସଫା କରି ଥୋଇଦେ ସେ ଜୀବନ ପେଡି ଭିତରେ "l

ପ୍ରଭା ଶାଢ଼ୀଟାକୁ ନେଲାବେଳକୁ ଛାତିପାଖରେ ଆଉଜେଇ ଧୀରେ ଧୀରେ କହିହେଉଥିଲେ, "ହଁ ଭଲ ହେଲା ଯା ଏଇଥିରେ ମୋ ଜୀବନ ଅଟକିଛି l ପୁରୁଣାକାଳିଆ ତ ନେବାକୁ କିଏ କହୁଥିଲା କି ? ମୁଁ ଏବେ ନପିନ୍ଧିଲି ନାଇଁ ମୁଁ ମଲା ପରେ ନେଇ ମୋ ମରହଟିଆ ଶାଢ଼ୀକୁ ମୋ ଜୁଇ ରେ ଥୋଇଦେବ "l

ସେଦିନ ବୋଉ ର ମରିବା କଥା ଶୁଣି ରୁବି ଡରିଯାଇ ବୋଉ କୁ କୁଣ୍ଢେଇ ପକାଇ କହିଥିଲା, "ବୋଉ ତୁ ଏମିତି କାହିଁକି ମରିଯିଵା କଥା କହୁ? ଏଟା ପୁରୁଣାକାଳିଆ ନୁହେଁ ଜମା l ମୁଁ ପା ଏଇଟା ମୋ ଶାଶୁଘର କୁ ନେଇକି ଯିଵି "l

ମାଆ ଝିଅଙ୍କର ସେହି ଶାଢ଼ୀଟିକୁ ନେଇ ମାନଅଭିମାନ ଓ କେତେ ଖଟା ମିଠା କଥା ଏମିତି ଚାଲିଥାଏ l ବାହାଶାଢ଼ୀ ଟି ସିନା ଟ୍ରଙ୍କ ଭିତରେ ସାଇତାହୋଇ ସବୁଦିନ ପାଇଁ ନୂଆପରି ଝଲମଲ କରୁଥାଏ, ମାତ୍ର ସମୟ କୁ କେହି ସାଇତି ରଖିପାରେନା l ସମୟ ଆଗକୁ ଗଡିଚାଲେ l ରୁବିବୋଉ ଙ୍କର ବାହାଶାଢ଼ୀ ଟିରୁ ଗୋଟେ ବି ଚୁମକି ନଖସୁଣୁ ରୁବି ର ବାହାଘର ଠିକ ହୋଇଯାଏ l

ଖୁବ ଦାମୀ ଝିଲମିଲ ଲେହେଙ୍ଗା ପିନ୍ଧି, ମୁଣ୍ଡରେ ଓଢଣୀ ପକାଇ, ନାନା ଅଳଙ୍କାର ରେ ଭୂଷିତା ହୋଇ ରୁବି ଆପଣର ଘର ଆଉ ନିଜ ଅତିଆପଣାର ବାପାବୋଉ ଓ ଟୁନାଭାଈନା, ମୁନାଭାଇନା ଙ୍କୁ ଛାଡି ଶାଶୁଘରକୁ ଚାଲିଗଲା l ପୁଣି କିଛି ଦିନ ଉତ୍ତାରେ ସ୍ୱାମୀଙ୍କ କର୍ମସ୍ଥଳୀ ଦିଲ୍ଲୀ ସହରରେ ଯାଇ ରହିଲା l ଦିଲ୍ଲୀ ଯିବାପରେ ବାପଘରକୁ ଆସିବା ରୁବି ର ଅନେକଟା କମିଗଲା l ସ୍ୱାମୀ ଯତୀନଙ୍କ ଅଫିସ ଓ ପୁଅଝିଅଙ୍କ ସ୍କୁଲ ପଢା ପଢ଼ି ରୁ ସେମାନଙ୍କୁ ଫୁରସତ ମିଳିଲେ ତ ଯାଇ ରୁବି ଓଡିଶା ଆସିବ ! ବୋଉ ସହ ଫୋନ ରେ କଥା ହୁଏ l ବୋଉ କହୁଥାଏ, "ବାୟାଣୀ !କୋଉଦିନ ଆସିବୁ ଲୋ ? ତୁମମାନଙ୍କୁ ନଦେଖି ମୋ ଆଖି ତରସି ଗଲାଣି l ଟିକେ ଆସି ବୁଲିଯାଉନ l ବାପା ଙ୍କ ଦେହ ଭଲ ରହୁନି l ନାତିନାତୁଣୀ ଙ୍କୁ ଦେଖିବାକୁ ଭାରି ମନ ତାଙ୍କର l" ବୋଉ ର ଫୋନ ଆସିଲେ ରୁବିର ଘର କଥା, ତା ପିଲାଦିନ କଥା ଓ ବୋଉର ସେହି ନାଲିଶାଢ଼ୀ ଟା ଖୁବ ମନେ ପଡ଼ିଯାଏ l ଶାଢ଼ୀରୁ ନିର୍ଗତ ହେଉଥିବା ଗନ୍ଧକର୍ପୁର ବାସ୍ନା ଏବେ ଯାଏଁ ମଧ୍ୟ ତାକୁ ଆଚ୍ଛାଦିତ କରି ରଖିଛି l

ଟୁନାଭାଈନା ଫୋନ କରି କହିଲା, " ରୁବି !କାଲି ରାତିରେ ବାପା ଷ୍ଟ୍ରୋକରେ ଚାଲିଗଲେ l "

ଭାଈ ଆହୁରି କଣ କହୁଥିଲା କିନ୍ତୁ ରୁବି ଆଉ କିଛି ଶୁଣିପାରୁନଥିଲା l ବାପା ଅନ୍ତିମବେଳା ରେ ତାଙ୍କ ଗେଲ୍ହାଝିଅ କୁ ଟିକେ ଦେଖିପାରିଲେନି l ବୋଉ ପୁରା ଏକା ହେଇଯାଉଥିବ l ଆଉ କଣ ସେ ତା ଟିଣବାକ୍ସ ଟା ଖୋଲି ନାଲିଶାଢ଼ୀ ଟା ଦେଖୁଥିବ? ବାପା ନଥିବା ବାପଘର କୁ ଆସି ରୁବି ବୋଉ କୁ କୁଣ୍ଢେଇ ଖୁବ କାନ୍ଦିଲା l ବୋଉ ଶ୍ରୀହୀନ ସେଥୁଆ ଦିଶୁଥିଲା l

ବାପାଙ୍କ ଅଚାନକ ଚାଲିଯିବାଟା ସେ ବରଦାସ୍ତ କରିପାରିଲାନି l ସବୁବେଳେ ଶରୀର ଅସୁସ୍ଥ ରହିଲା l ଦିଲ୍ଲୀ କୁ ଆଉ ଆଗପରି ବୋଉର ଫୋନ ଆସୁନଥିଲା l ରୁବି ଫୋନ କଲେ ବୋଉ ବେଶୀ କଥା ହୁଏନା କି ଆସିବାକୁ ବିକଳ ହେଇ ଡ଼ାକେନି l

ବାପା ଯିବାର ବର୍ଷେ ନପୂରୁଣୁ ବୋଉ ବି ଆରପାରିକୁ ଚାଲିଗଲା l ଏବେ ଆଉ ବାପଘର ପ୍ରତି ରୁବିର ପୂର୍ବର ସେହି ଆକର୍ଷଣ ନାହିଁ l ଦୁଇଭାଈ ଯାକ ସେମାନଙ୍କ ଛୋଟ ଛୋଟ ସଂସାର ରେ ବ୍ୟସ୍ତ l ଭାଉଜ ଦୁହିଁଙ୍କୁ ଖୁବ କମ ଜାଣେ ସେ l ଦୁଇଭାଇ ଙ୍କ ବାହାଘର ଢେର ଆଗରୁ ରୁବି ବାହାହେଇ ସେ ଘରୁ ବିଦାୟ ନେଇସାରିଥିଲା l ଭାଉଜମାନଙ୍କ ସହ ସମ୍ପର୍କ ବେଶୀ ନିବିଡ ହେଇପାରିନି l ଯାହା ଖାଲି ଫେସବୁକ ଓ ହ୍ଵାଟ୍ସଆପ ରେ ଫୋଟୋ ଦେଖା ଦେଖି, କେବେ କେମିତି ପୁଣି ଭିଡ଼ିଓ କଲ ରେ କଥାବାର୍ତ୍ତା l ବାପାବୋଉ ଙ୍କ ଅନ୍ତେ ଯେ ଭାଈଭାଉଜ ରୁବିକୁ ଡା଼କନ୍ତିନି, ସେକଥା ନୁହେଁ l ଭାଈ ଭାଉଜ ଙ୍କ ନିମନ୍ତ୍ରଣ ରେ ସେ ତା ବୋଉ ପରି ଏତେଟା ଆକୁଳତା ଥିଲାପରି ଅନୁଭବ କରିପାରେନି l

ଚାହୁଁ ଚାହୁଁ ବାପାବୋଉ ଙ୍କ ଯିବାକୁ ତିନି ଚାରିବର୍ଷ ହେଇଗଲାଣି l ଏହି କିଛି ବର୍ଷ ଭିତରେ ରୁବି ମାତ୍ର ଦୁଇଥର ଓଡିଶା ଆସିଛି l ଶାଶୁଘରେ ଦୁଇଦିନ ରହି ରାତିଟିଏ ପାଇଁ ଵାପଘରକୁ ଆସେ l ପୁଣି ସକାଳୁ ଉଠି ଦିଲ୍ଲୀ ଅଭିମୁଖେ ଯାତ୍ରା l ବୋଉ ବୋଉ ଲାଗୁଥିବା ଘରଟି ଭିତରେ ବୋଉବାପାଙ୍କ ଅସ୍ତିତ୍ୱ କୁ ଖୋଜିବାକୁ ବି ବେଳ ମିଳେନି ତାକୁ l ଆଜି ଅନେକ ଦିନ ପରେ ସାନଭାଇନା ର ବଡ ପୁଅ ଟୁକୁ ର ବ୍ରତଘର ପାଇଁ ରୁବି ପିଲାମାନଙ୍କ ସହ ଆସିଛି l ବ୍ରତଘର ଚାରିଦିନ ଆଗରୁ ତାକୁ ମିକୁ,ପିଙ୍କିଙ୍କ ସହ ଯତୀନ ଟିକେଟ କରି ପଠେଇଦେଇଛନ୍ତି l ପିଲାଦିଓଟି ଙ୍କର ପରୀକ୍ଷା ବି ସରିଯାଇଛି l ହାତରେ ବେଶ କିଛି ଦିନ ସମୟ ଅଛି l

ଭାଈ ଦୁହେଁ ଆଉ ସାଙ୍ଗରେ ନାହାଁନ୍ତି l ବଡଭାଈନା ବଜାର ଉପରେ ନିଜର ଘରଟିଏ କରି ସେଠିକୁ ଉଠିଯାଇଛି l ସାନଭାଇନା ର ସ୍କୁଲ ଘର ପାଖରେ l ସେ ହିଁ କେବଳ ପୁରୁଣା ଘରେ ତା ପରିବାର ସହ ରହୁଛି l ବ୍ରତଘର ପାଇଁ ଘରେ ନୂଆକରି ରଙ୍ଗ ଦିଆଯାଇଛି l ସାନଭାଇନା ଉପରେ ଆଉ ତିନି ବଖରା ଘର କରି ଛାତ ପକେଇଦେଇଛି l ଘରଟା ରେ ଅନେକ ପରିବର୍ତ୍ତନ l ବାପାବୋଉ ଙ୍କ ରୁମଟା ଏବେ ସାନଭାଇନା ର ଝିଅ ପିହୁ ର l ବଡଭାଇନା ର ରୁମ ରେ ତାଲା ପଡିଛି l ସେ ଆସିଲେ ଖୋଲା ଖୋଲି କରି ରହେ l ପୁରା ଘରଟାରେ ବୋଉ ର କି ବାପାଙ୍କର କିଛି ଚିହ୍ନ ବର୍ଣ ନାହିଁ l ଖାଲି ଯାହା ଡ୍ରଇଂରୁମ କାନ୍ଥ ରେ ସେମାନଙ୍କର ଦୁଇଟି ଫୋଟୋ ଝୁଲୁଛି l

ରୁବି ଦେଖିଲା ବୋଉର ପୁରୁଣା ଖଟ ଟା କୋଉଠି ନାହିଁ l ସାନଭାଉଜଙ୍କୁ ପଚାରିଲାରୁ ସେ କହିଲେ ସେଇଟା ବଡଭାଈନାଙ୍କ ଭାଗରେ ପଡିଲା, ସେ ନେଇଯାଇଛନ୍ତି ତାଙ୍କ ନୂଆ ଘରକୁ l

ଉପର ଘର ଗୁଡାକ କେମିତି ହେଇଛି ଦେଖିବାକୁ ଉପରକୁ ଗଲା ରୁବି l ଛାତ ଉପରେ ଏମିତି ଅନ୍ୟମନସ୍କ ହୋଇ ବୁଲୁଛି ତ ଦେଖିଲା ଗୋଟେ କୋଣରେ ବୋଉ ର ସେହି ଅତି ପ୍ରିୟ ଟିଣବାକ୍ସଟି ଖୋଲା ହୋଇ ଆଁ କରି ପଡିଛି l ବର୍ଷା ପାଣି ଖାଇ କଳଙ୍କି ଲାଗିଗଲାଣି l ଆହାଃ ! କେଡେ ଶ୍ରଦ୍ଧା ରେ କେତେ ଯତ୍ନ ରେ ବୋଉ ଏଇଟିକୁ ରଖିନଥିଲା ! ବୋଉ ପାଇଁ ଯାହାକିଛି ମୂଲ୍ୟବାନ ଥିଲା ସେସବୁକୁ ସେ ବଡ ସରାଗ ରେ ଏଇଥିରେ ସାଇତି ଦେଉଥିଲା l ଟ୍ରଙ୍କଟି ର ଏପରି ଅବସ୍ଥା ଦେଖି ରୁବି କୁ ଲାଗିଲା ଯେମିତି ତା ବୋଉ ଅବହେଳିତ ହୋଇ ଘର ବାହାରେ ଲୋଟି ପଡିଛି l ପାଖକୁ ଯାଇ ବାକ୍ସଟାକୁ ସିଧା କରି ଥୋଇଦେଲା l ବାକ୍ସ ର ଦେହରେ ହାତ ବୁଲେଇ ଆଣି ବୋଉ କୁ ଅନୁଭବ କଲା l ଆଉ ଘର ନଦେଖି ପାହାଚ ପରେ ପାହାଚ ଓଲ୍ହାଇଆସି ଭାଉଜ ଙ୍କୁ ଡାକିଲା, "ଭାଉଜ ବୋଉ ର ବାହାଶାଢ଼ୀ ଟା କଣ ହେଲା? ଯୋଉଟା ତା ଟିଣବାକ୍ସ ରେ ଥିଲା l"

ଶିଖା ଭାଉଜ କିଚେନ ରେ ପରିବା କାଟୁ କାଟୁ କହିଲେ, "କୋଉ ଶାଢ଼ୀ କଥା କହୁଛ ରୁବି?ସେମିତି ଗୋଟେ ଶାଢ଼ୀ ଥିଲା କି?ବୋଉ ଙ୍କର ତ ଜମା ତିନି ଚାରିଖଣ୍ଡ ଭଲ ଶାଢ଼ୀ ଥିଲା l ଗୋଟେ ବିନୁବୋଉ ନେଇଗଲା ଆଉ ଖଣ୍ଡେ ଅଧେ ଯାହାଥିଲା ବୋଉଙ୍କ ସତ୍କାର ଦିନ ସେଇଠି ନେଇ ପକେଇଦିଆ ଗଲା l ଆଉ ପୁଣି କୋଉ ବାହାଶାଢ଼ୀ ରହିଲା ଯେ କହୁଛ? "

--ଭାଉଜ! ବୋଉ ର ବାହାଘର ଶାଢ଼ୀଟା ଥିଲା l ସେ ତାକୁ ଖୁବ ଯତ୍ନ ରେ ତା ଟିଣବାକ୍ସ ରେ ସାଇତି ରଖିଥିଲା l ନାଲିରଙ୍ଗ ର ଶାଢ଼ୀ ରେ ସୁନେଲି ଧଡ଼ି l ଶାଢ଼ୀ ସାରା ଚୁମକି ଲାଗିଥିଲା l ଆଉ ଗୋଟେ ଖଇରୀ ରଙ୍ଗର ଓଢଣୀ ବି ଥିଲା ତା ସହ l

ଶିଖାଭାଉଜ ହସି ହସି କହିଲେ, "ଓଃ ସେଇ ଶାଢ଼ୀ ଟା କଥା କହୁଛ? ସେଇଟା ଗୋଟେ ବାହାଘର ଶାଢ଼ୀ ହେଇପାରେ ବୋଲି ମୁଁ ଆଦୌ ବୁଝିନଥିଲି l ହଁ ସେଇଟି ଅଛି ପରା l ଟୁକୁ ପିହୁ ଙ୍କର ପିଲାବେଳ ଝୁଲା ଆଉ ଗାଡି ଗୁଡାକ ଉପରେ ଧୂଳିଜମି ସେସବୁ ନଷ୍ଟ ହେଇଯାଉଥିଲା ତ ମୁଁ ସେହି ଶାଢ଼ୀ ଟାକୁ ଷ୍ଟୋରରୁମ ରେ ପିଲାଙ୍କ ଗାଡି ଉପରେ ଢାଙ୍କି ଦେଇଛି l ଓଢଣୀ ଟା ପିହୁ ନେଇଯାଇଥିଲା ଖେଳିବାକୁ l ଖେଳୁ ଖେଳୁ କୋଉଠି ହଜେଇ ଆସିଛି l"

ଭାଉଜଙ୍କ କଥା ସରିବାକୁ ଅପେକ୍ଷା ନକରି ରୁବି ଷ୍ଟୋରରୁମ କୁ ଧାଇଁ ଗଲା l ଲାଇଟ ଅନ କରି ଦେଖିଲା ବୋଉ ର ବାହାଶାଢ଼ୀ ଲମ୍ବ ହୋଇ ଗାଡି ଆଉ ଝୁଲା ଉପରେ ଶୋଇରହିଛି l ରୁବି ଓଟାରି ଆଣିଲା ଶାଢ଼ୀଟିକୁ l ବହଳ ମୋଟା ର ଧୂଳି ଜମିଯାଇଛି l ଠାଏ ଠାଏ କଣା ବି ହେଇଯାଇଛି l ଖୁବ ଜୋରରେ ଦୁଇଥର ଝାଡିଦେଲା l ଧୂଳି ଖସି ଚୁମକିଗୁଡାକ ରୁ ଅପୂର୍ବ ଆଭା ଫୁଟି ଉଠିଲା l ଶାଢ଼ୀ ଟାକୁ ଛାତିରେ ଜାକି ଧରି ରୁବି କାନ୍ଦ କାନ୍ଦ ହୋଇଗଲା l ବୋଉ ର ସେହି କଥା ତାର କାନ ପାଖରେ ଜୋର ଜୋର ରେ ଧକ୍କା ଖାଇଲା ପରି ଲାଗିଲା l ବୋଉ କହୁଥିଲା, "ହଁ ଏଇଥିରେ ମୋ ଜୀବନ ଅଟକିଛି l ହେଇଥିଲେ ହେଇଥାଉ ଏଇଟା ମୋର ପୁରୁଣାକାଳିଆ ଶାଢ଼ୀ l "

ସତରେ କଣ ଏଇଥିରେ ବୋଉ ର ଜୀବନ ଅଟକି ଯାଇଛି? ଶାଢ଼ୀ ଟାକୁ ମୁହଁ ପାଖରେ ଟେକି ଧରିଲା ରୁବି l ବୋଉ ର ସଦାପ୍ରସନ୍ନ ମୁହଁ ଟି ତାକୁ ଉଜ୍ଜ୍ୱଳ ଦେଖାଗଲା ସେହି ମସିଆ ଶାଢ଼ୀଟି ଭିତରେ l ଗନ୍ଧକର୍ପୁର ର ବାସ୍ନା ଆଉ ଥିଲା କି ନାହିଁ ଜଣା ନାହିଁ କିନ୍ତୁ ନାକ ପାଖେ ରଖି ଖୁବ ଜୋରରେ ସବୁଯାକ ବାସ୍ନା ଶୋସିନେଲା l ଅନେକ ଦିନରୁ ସଫା ହେଇନଥିବା ଶାଢ଼ୀ ଟି ରେ ମୁହଁ କୁ ତାର ପୋଛି ପକେଇଲା l ପୁଣି ପିଲାଦିନ ପରି ସେଇଟି ଦେହରେ ଗୁଡେଇ ହେଇପଡ଼ି, "ବୋଉ ବୋଉ ତୁ କୋଉଠି ବୋଉ? ଦେଖିଲୁ ମୁଁ କେମିତି ଦିଶୁଛି? " କହି ରୁବି କାନ୍ଦି ଉଠିଲା l

ଶାଢ଼ୀ ଟା ଗୁଡେଇ ହେଇ ଆଗକୁ ଯାଉ ଯାଉ ରୁବି ଗୋଡ଼ରେ କଣ ଗୋଟେ ବାଜି ଝୁଣ୍ଟି ପଡିଲା l ନଇଁ ପଡି ଦେଖିଲା ଗୋଟେ ବଡ ପେଟି ଖୋଳ l ଖୋଳ ଉପରେ ଅଳନ୍ଧୁ ଜମାଟ ବାନ୍ଧିଛି l ଭିତରକୁ କଣ ଗୋଟେ ପରିଚିତ ସାମଗ୍ରୀ ଥିବା ପରି ଲାଗୁଛି l ଅଳନ୍ଧୁ ହଟେଇ ହାତ ପସେଇଲା l ଏଇଟି ରୁବି ର ସ୍କୁଲ ଜ୍ୟାମିତି ବାକ୍ସ ଏବଂ ଗୋଟେ ପୁରୁଣା ଆଲବମ l ତା ତଳକୁ ସେମାନଙ୍କର କିଛି ସ୍କୁଲବେଳର ପୁରୁଣା ବହି ,ଭାଈମାନଙ୍କ ର ବଡବଡ ଦୁଇଟି ନଟୁ ଆଉ ଦୁଇଟା ଭଙ୍ଗା ପ୍ଲାଷ୍ଟିକ କଣ୍ଢେଇ l ପୁଣି ଭିତରକୁ ଭିତରକୁ ରୁବି ହାତପଶେଇ ଅଣ୍ଡାଳି ପକେଇଲା l କାହିଁ ସେ ନାଲିନେଳି ପାଣିଚୁଡ଼ି? କାହିଁ ବୋଉର ମୁଣ୍ଡକଣ୍ଟା ଓ ନକଲିଖୋସା? କୋଉଠି ତ ଦେଖାଯାଉନି ! ପୁଣି ରୁବିର ନଜର କୁ ଆସିଲା ପଟି ଖୋଳଟା ର ଗୋଟେ କଡ଼କୁ ଡେରାହେଇଛି ତାଙ୍କ ପିଲାବେଳ ର ତିନିଚକିଆ କାଠ ଗାଡି ଟା l ଏଇଠି ତାହେଲେ ଏମିତି ଅଦରକାରୀ ହୋଇ ପଡ଼ିରହିଛି ତାଙ୍କ ତମାମ ପିଲାଦିନ l ବୋଉ ବି ତା ନାଲି ଶାଢ଼ୀ ର ପଣତ ବେଢ଼େଇ ଜଗିରହିଛି ତା କୁନିପିଲାଙ୍କର ନିରୀହ ପିଲାବେଳକୁ l ଆଲବମ ରୁ କେତୋଟି ଫୋଟୋ ପୁରା ନଷ୍ଟ ହେଇଗଲାଣି ଆଉ କିଛି ଠିକ ଠାକ ଅଛି l ଗୋଟେ ଫୋଟୋ ରେ ବୋଉ ରୁବି ଆଉ ସାନଭାଇନା କୁ ଧରି ବସିଛି ବାପା ବଡଭାଇନା କୁ କାଖେଇ ଠିଆହୋଇଛନ୍ତି l ଆଲବମ ରୁ ଧୂଳି ଝାଡ଼ି ରୁବି ହାତରେ ଧରିଲା l ବୋଉ ର ଶାଢ଼ୀଟା ତାକୁ ଜଡେଇ ଧରିଛି l ଆଜି ସେ ସେହି କୁନି ରୁବି l ଲାଗୁଛି ଏଇ ଯେମିତି ବୋଉ ବସିଛି ଆଉ ତାକୁ କହୁଛି, "ବୁଢ଼ୀଲୋ ! ଦେ ଶାଢ଼ୀଟା ରଖିଦିଏ "l

ଅନେକ ବେଳଯାଏଁ ରୁବି କୁ ନପାଇ ଝିଅ ମିକି ମାମା କୁ ଖୋଜି ଖୋଜି ଆସି ଷ୍ଟୋରରୁମ ରେ ପହଞ୍ଚିଗଲା l

--ହା ହା.. ମାମା ଏଇଟା ଗୋଟେ କଣ ପିନ୍ଧିଛ?

ରୁବି ଭାବନା ରାଜ୍ୟ ରୁ ଫେରି ଆସି ଆଖିରୁ ଲୁହ ପୋଛୁ ପୋଛୁ କହିଲା, " ମୋ ବୋଉର ବାହାଶାଢ଼ୀ " l

********ଲୋପାମୁଦ୍ରା ମିଶ୍ର**********


Rate this content
Log in

Similar oriya story from Tragedy