Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ତାଳଦଣ୍ଡା ଫୁଲ
ତାଳଦଣ୍ଡା ଫୁଲ
★★★★★

© Pratima Das

Tragedy

6 Minutes   459    14


Content Ranking

ପ୍ରତିମା ଦାସଙ୍କ ନୂଆ ବର୍ଷର ଗଳ୍ପ

*****ତାଳଦଣ୍ଡା ଫୁଲ *****

ଫୁଲ ଉଠିପାରୁ ନ ଥିଲା ପରାଶେଯରୁ। ଦେହଟା ଆଉ କାହା ଦେହ ପରି ମନେ ହେଉଥିଲା ତା ନିଜକୁ। ଗମୁରା ଫୁରୁକୁଟିଆ ମଦ ବାସ୍ନା ଯେମିତି ତା ମୁହଁ,ଛାତି,ପେଟ,ପେଟତଳିରେ କିଏ ନେସି ଦେଇଛି। ସାବୁନ ଦେଇ ଘଷିମାଜି ଆଜି ଏ ଦେହଟାକୁ, ତାଳଦଣ୍ଡା କେନାଲ ତୁଠରେ ରଗଡ଼ି ପକାଇବ।ହେଲେ ମନଟା ,କେଉଁ ସ୍ଥାନରେ ଶରୀରରେ ରୁହେ ଜାଣିନି, ନଚେତ୍ ଶିବରାତ୍ରିଯାଗରର ପୋଡା ପିତ୍ତଳ ଡାଲଡାଘିଅ ଦୀପଭଳି, ଆଜି ତାକୁ ବାଲି ଲେମ୍ବୁ ଦେଇ ରଗଡ଼ି ରାଗଡ଼ି ସ୍ବରୂପ ବଦଳାଇ ଦିଅନ୍ତା।

ବଡ କଷ୍ଟରେ ପବିତ୍ରତା ହରାଇଥିବା ଶରୀରକୁ ଉଠାଇଲା, ଯାହାକୁ ପୂଜାଫୁଲ ପରି ଧୁଆ ଫୁଲ ଚାଙ୍ଗୁଡାରେ ରଖିଥିଲା, ଅଜଣା ମନର ମଣିଷପାଇଁ।

ଶେଯ ଛାଡିବା ଦରକାର କାରଣ ମା'ତାର ରାଜଯକ୍ଷ୍ମା ରୋଗୀ,ମା'ରଜ୍ବର ଛାଡୁନି ଦେହରୁ, ତେଣୁ ଗରମ ଦିଟା ଫୁଟାଇ ମାକୁ ଦେବ।

ଶରୀର ଘଷାମଜା କଥା ଯାହା..ଭାବିଥିଲା ବେଳ ଉଛୁର ହେବା ଦେଖି ମୁହଁର ଲେସା ଲିପଷ୍ଟିକ ଛଡାଇ ଦେଇ, ତାଳଦଣ୍ଡା ତୁଠରୁ ତରବର ହୋଇ ଉଠିଆସିଲା। ଚଉରା ମୂଳେ ପାଣିଢାଳେ ଢାଳିଦେଇ ଧୂପକାଠି ଟି ପୋତି ଦେଲା ।ମା'ର ଏହି ଭୟଙ୍କର ରୋଗ ପରେ ଦିଁଅଦେବତା ଏବଂ ପୂଜା ପୂଜିରେ ରୁଚି ରହିଲାନି ଫୁଲର କାରଣ ବିଶ୍ୱାସ ଥିଲା ଠାକୁରେ ସଚ୍ଚୋଟିଆ ଲୋକଙ୍କୁ ହଇରାଣ କରନ୍ତିନି। ଠାକୁର ବିଶ୍ୱାସ ଆଜି କାଠ ଗଡାରେ ବିଚାରଧୀନ। ଚୂଲି ଲଗାଇ ମା ପାଇଁ କପେ ନାଲି ଚା ବିସ୍କୁଟ ଦିଖଣ୍ଡ ଦେଲା। ନିଜେ ବିସ୍କୁଟ ଖଣ୍ଡେ ପାଟିରେ ପକାଇ ନାଲି ଚା ଢୋକେ ପିଇଲା। ଚୁଲିରେ ଭାତ ଡେକଚିଟା ବସାଇ ଦେଲା। ଚୁଲିରେ ବହେ ଜାଳ ଖଂଜି ଦେଲା, ଅତୀତକୁ ଟିକେ ଘାଣ୍ଟିବ ବୋଲି ଆନମନା ରହିଲା । ମା ବାଧିକିରେ ପଡିବା ପରଠୁ ଏ ଦୁଃଖ ତାର ଆରମ୍ଭ।

ପଛକଥା ଜଳ ଜଳ ଦିଶୁଛି। କେମିତି ଏ ତାଳଦଣ୍ଡା ବସ୍ତି ତା ଜୀବନଯାତ୍ରାର ନାଆକୁ ଆଗକୁ ନ ନେଇ ଖାଲି ଆଗପଛ କରୁଛି, କୁଳକିନାରା ଦେଉନି। ବାପାର ଅତ୍ୟାଚାର ମାଡଗାଳି ସହି ନପାରି,ମା ତାର ଛଦିନର ନାହିନାଡ ପଡି ନଥିବା ଛୁଆଟିକୁ କୋଳରେ ଜାକି ଥନଖିର ବାଟସାରା ପିଆଇ ,ପାହଡପର୍ବତ ଘେରା ଶାଳବଣି ଗାଁ ଛାଡି, ଦେଢଶହ ମାଇଲି ଯେନତେନ ପ୍ରକାରେ ଅତିକ୍ରମ କରି ଜଣାଶୁଣା ଭଉଣୀ

ରହୁଥିବା ଏ ବସ୍ତିରେ ଆସି ପଂହଚିଥିଲା। ମା'ର ଏଇ ଭଉଣୀଟି ସ୍ନେହ ପରବଶ ହୋଇ ୨/୩ଥର ତାକୁ କଟକ ବାଲିଯାତ୍ରା, ଦଶହରା ଦେଖାଇ ଆଣିଛି,ଫଳତଃ ମାକୁ ସହଜ ହୋଇଥିଲା ଏଠି ପଂହଚି ବାକୁ। ଏତେ ବଡ ଦୁନିଆଁରେ ସାହାରା ବୋଲେ ମା'ର ଏଇ ଭଉଣୀଟି ମାତ୍ର। ଭ ଉଣୀଟି ଆଶ୍ରା ଦେବା ସଂଗେ ସଂଗେ କାମଧନ୍ଦା ବି ବୁଝି ଦେଇଥିଲା।

ମା ଖଟି ଖଟି ଯେଉଁ ଦିପଇସା ଆଣେ ମାଝିଅଙ୍କ ଗୁଜୁରାଣ ହୋଇଯାଏ। ମା ମୁହଁରୁ ଶୁଣିଛି ତା ସୁନ୍ଦର ମୁହଁଟି ଦେଖି ମାଉସୀ ତା ନାଁ ଫୁଲ ରଖିଥିଲା। ସେହିଦିନୁ ଫୁଲ ତାଳଦଣ୍ଡା ବସ୍ତିର ସୁନ୍ଦରିଆ ଫୁଲ ରୂପେ ପରିଚିତ।

ସମସ୍ତଙ୍କ ବୋଲହାକ କରି, ଭଲ ବ୍ୟବହାର ଦେଖାଇ

ସମସ୍ତଙ୍କ ପ୍ରିୟପାତ୍ର ଫୁଲର ଗୁଣର ବାସ୍ନା ମଧ୍ୟ ବହୁତ, ଠିକ୍ ସଜ ସଜ ଦୟଣା ତୁଳସୀ ପରି।

ଫୁଲ ବଡ ହୋଇ ଚାଲିଲା। ୧୪/୧୫ ବର୍ଷର ଫୁଲ ଦେହରେ ଫଗୁଣ ଥରକୁ ଥର ବର୍ଷକୁ ବର୍ଷ ଆସି ପଳାଶଫୁଲର କାମୁକ ରଂଗ ଓଠରେ, କୃଷ୍ଣଚୂଡ଼ାର ଶୃଙ୍ଗାର

ଅଙ୍ଗ ଅଙ୍ଗରେ ଭରି ଦେଲାଣି। ଫୁଲ ବେଳେ ବେଳେ ଶରୀରର

ଗଢଣରେ ନିଜେ ଲାଜେଇ ଯାଉଛି। ଲୁଚି ଲୁଚି ଶରୀରର ଏ ପରିବର୍ତ୍ତନକୁ ଖୁବ୍ ଭଲ ପାଉଛି।

ଲୋଭି କୋକଶିଆଳ ମାଂସ ଗନ୍ଧରେ ଛୁଟି ଆସିଲା ପରି, ଭେଣ୍ଡିଆ ,ଦରବୁଢା, ଟୋକା ସବୁ ବସ୍ତିରେ ପଁଇନ୍ତରା ମାରିଲେଣିଛ, ଫୁଲକୁ ଟିକେ ପାଇବା ପାଇଁ।

ଫୁଲ କିନ୍ତୁ ଭାରୀ ହୁସିଆର। ମାଉସୀ, ମା ନଥିଲେ

ଜଳାପଟେ ଚାହେଁ ସିନା, ଜମା ଦୁଆରମୁହଁକୁ ଯାଏନି।

ଫୁଲଦେଖେ ବସ୍ତିର ଝିଅମାନଙ୍କ ରଂଗଢଗଂ, ଦାମୀଲୁଗାପଟା, ବେଶପାଟି ,ସାଜଶୃନ୍ଗାର, ଛାଂଟକାଂଟ। ଝିଅ ମାନେ ବସ୍ତି ଦାଣ୍ଡରେ ଟହଲ ମାରି ହେଁ ହେଁ ଫେଁ ଫେଁ କିପରି ଏପରି ହୁଅନ୍ତି ଦେଖି ଫୁଲ ମାକୁ ପଚାରେ, ମା ଏମାନେ ଏତେ ପଇସା ପାଉଛନ୍ତି କେଉଁଠୁ?? ଫୁଲର ମା କୁହେ କ'ଣ ମିଳିବ ମା ସେଥିରୁ ଆମକୁ ତୁ ମୋର ସୁନା ଝିଅଟେ ହୋଇ ଥାଆ। ଯାନିଯାତ୍ରାଟେ ହେଲେ ବଡ କଷ୍ଟ ଲାଗେ ଫୁଲକୁ, ନିଜ ପାଇଁ ନୁହେଁ, ମାର ଶୁଖିଲା ମୁହଁ ଏବଂ କଥା ଶୁଣି। ମା କହେ ତୋ

ଭଳି ପାରିଜାତ ଫୁଲକୁ ଭଗବାନ ମୋ ଭଳି କାଗାଂଳୀ କୋଳରେ କାହିଁକି ଦେଲେ??କେଉଁ ରାଜାଘରେ କି ଧନୀଘରେ ଜନମ ହେବା କଥା ତୁ। ତୋ ପାଇଁ କେଉଁ ରାଜକୁମାର ଆସୁ। ମୋ ଫୁଲ ମୋ ପରି ହୀନକପାଳି ନ ହେଉ ହେ ....ମା ...କଟକଚଣ୍ଡୀ କହି ସଂଜ ସକାଳେ ମୁଣ୍ଡିଆ ମାରେ।


ଯେ କୌଣସି ଅସହାୟର ଅଦୃଶ୍ୟ ରୂପକ ଶକ୍ତି ହିଁ ଇଶ୍ବର।


ଫୁଲର ମା ,ଝିଅ ମନକୁ ବୁଝାଇବା ପାଇଁ କହେ ଗଣ୍ଡେ ଖାଇତ ଆମେ ଶାନ୍ତିରେ ଅଛେ, ଆଉ କଣ ଦରକାର। ଫୁଲର ସାଂଗ ମୀନା, ବେଳ ଅବେଳରେ ଫୁଲ ପାଖକୁ ଚାଲିଆସେ।

ମୀନାର ଢଗଂଢାଗଂକୁ ଯଦିଓ ଫୁଲ ପସନ୍ଦ କରେନି ତଥାପି ସମୟ

କାଟିବାକୁ କଥାବାର୍ତ୍ତା ହୁଏ। ମୀନାର କଥାକଥାକେ ସେଇ ନଗ୍ନ

କଥାଗୁଡା ଖାଲି। ଦିନେ ଫୁଲର ମା ଘରେ ନ ଥିଲା ବେଳେ, ମୀନା କିଛି ଫଟୋ ଧରି ପଂହଚି ଗଲା। ସେହି ନଗ୍ନ ଫଟୋ

ଗୁଡିକ ଦେଖି ଫୁଲର ଦେହ କରେଣ୍ଟ ଖାଇଲା ପରି ଝିମ୍ ଝିମ୍

ହେଲା। ନିଜ ଶରୀରର କମ୍ପନ, ତାତି, ଛାତି ଧଡଧଡ ସେ ବାରି

ପାରୁଥିଲା। ଅଠା ଅଠା ପାଟିରେ ରାଗି ପଚାରିଲା, ଏସବୁ ବାଜ୍ୟେ ଫଟୋ ତୋତେ କେଉଁଠୁ ମିଳିଲା??ହୋଟେଲ ପାରିଜାତର ମାଲିକ ଖାନ ବାବୁ ଦେଇଛି। ହୋଟେଲ ପାରିଜାତର ନୀଳ ଆଲୋକର ରଂଗୀନ କୋଠରୀ କଥା ଯେଉଁ ମୁଁ କୁହେ, ଚାଲ ଥରେ କେମିତି ଠଣ୍ ଠଣ୍ ଗୋପାଳ, କଂଚା

ପଇସା ସେଇଠି ଉଡୁଛି। ଛି କହି ତାକୁ ଠେଲି ଦେଇ କହିଲା, ଆଉ ଦିନେ ତୁ ମୋ ସାଙ୍ଗରେ କଥା ହେବୁନି କି ଆମ ଘରକୁ ଆସିବୁନି। ହଉ ହେଲା ଏତେ ସତୀ ଦେଖାନା କହି, ମୀନା ଦୁମ ଦୁମ ହୋଇ

ଚାଲିଗଲା।

କବାଟ ଝରକା ଦେଇ ଝାଂଝିକୁ ସିନା ବନ୍ଦ କରିହେବ

କିନ୍ତୁ ଏପରି ମାନସିକ ଦୁଃଶ୍ଚିନ୍ତାକୁ ଦୂରେଇ ହେବନି।

ଦିନେ ମା କାମରୁ ଆସି କାଶି କାଶି ଜ୍ବରରେ ଶୋଇ

ପଡିଲା। ଲହରା କାଶ ଛାଡୁ ନ ଥାଏ, ପୁଣି ଉଠି କାଶିଲା, କାଶି କାଶି ବେ-ଦମ ହୋଇ ଯାଇ ପୁଳାଏ ରକ୍ତ ବାନ୍ତି କରି ପକାଇଲା।ଫୁଲ ରକ୍ତ ବାନ୍ତି ଦେଖି ଛାନିଆ ହୋଇଗଲା। ମାଉସୀ ସାଇପଡିସାଙ୍କୁ ଡାକି ଆଣିଲା।

ସମସ୍ତେ ସାଂଗେ ସାଂଗେ ଗୋଟିଏ ଗୋଟିଏ ଡାକ୍ତର ହୋଇଗଲେ। କିଏ କହିଲା

ଏ ରାଜଯକ୍ଷ୍ମା ପ୍ରାଣ ନେଇ ଯାଇ ଯିବ, କିଏ କହିଲା କିଛି ହେବନି ହୋ, ବୋଦା ଛେଳି ମୂତ ତିନି ମାସ ପିଇ ଦେଲେ

ଭଲ ହୋଇଯିବ। ଆଉ କିଏ କହୁଥାଏ ଟୁକୁନୁ ମିଆଁ ପାଖରେ

ଫୁଙ୍କାଇ ଆଣିଲେ, ପନ୍ଦର ଦିନରେ ଭଲ ହୋଇଯିବ।

ସବୁଶୁଣି ସାରି ମାଉସୀ ବଡ ମେଡିକାଲକୁ ନେଇ ଗଲା। ଛମାସର ରାଜଯକ୍ଷ୍ମା ଔଷଧ ଡାକ୍ତର ଦେଲେ। କିଛି ଦାମୀ ଭିଟାମିନ, ଖିର, ଅଣ୍ଡା ଖାଇବାକୁ କହିଛନ୍ତି। ସେପରି

ଗଛିତ ସମ୍ପତ୍ତି କିଛି ବି ନାହିଁ। ମାଉସୀ ସାହି ପଡିସା ସବୁତ ଖଟିଖିଆ, କିଏ କାହାକୁ ଦେବ? ମା ଉଠି କାମକୁ ଯାଇ ପାରୁନି। ଦିନେ ଘୋଷାରି ହୋଇ ବସି ଉଠି ଗଲାଯେ, ବାବୁ

ଘର ମାନେ ଘରେ ପୁରାଇଲେନି, ମୁହେଁ ମୁହଁରେ ମନା କରିଦେଲେ, ରୋଗ ବିଷୟରେ କହି। ଗଚ୍ଛିତ ସମ୍ପତ୍ତି ବୋଲେ

କିଛି ନାହିଁ,।କ'ଣ କରିବ ଫୁଲ??????

ମୁଣ୍ଡ ଖାଲି ଘିଁ ଘିଁ ହୋଇ ବୁଲାଇ ହୋଇଯାଉଥାଏ।। ଆଉ କେତେ ଦିନ ଶୂନ୍ୟକୁ ଅନାଇ ବସିବ। ଛାତିରେ ମୋଟା ଓଢଣୀ

ଚାରି ପରସ୍ତ ପକାଇ କାମକୁ ବାହାରିଲା, ମା କାନ୍ଦି କାନ୍ଦି ଧକାଉଥାଏ, ହେଲେ କାମକୁ ନ ଯିବା ବି ନାହିଁ କରି ପାରୁ ନଥାଏ।

ସବୁବେଳେ ଝଡଝଂଜା ପବନ ବାଜିଥିବା ମରୁଭୂମିର ଫୁଲଗଛଟି ଖୁବ୍ ଶକ୍ତ, ଥୋବରା କିନ୍ତୁ ଘର ଭିତରେ ସାଇତା

ଫୁଲକୁଣ୍ଡଟି ହାଲୁକା ଖରାରେବି ଝାଉଁଳି ପଡେ। ବାବୁ ମାନଙ୍କ

କାମୁକ ଚାହାଣୀ ଫୁଲକୁ ଜୈଷ୍ଠ ମାସ ଖରାପରି ଲାଗୁଥାଏ।

ଲହ ଲହ ଲାଳୁଆ ଜିଭ କାଢି ତା ଦେହର ମହୁ ଚାଟିବା ପାଇଁ ଯେପରି ତା ଚାରିପଟେ କାମାତୁର ଅମଣିଷ ଗୁଡା ଘୁରି ବୁଲୁଛନ୍ତି । ମା'ର ଅବସ୍ଥା ଦେଖି ମନ ଟାଣକଲା ।ଅତି ଖରାପ ଲାଗିଲେବି ,ତେଲୁଗୁ ବାବୁଙ୍କୁ କିଛି ଅଗ୍ରୀମ ଟଙ୍କା

ମାଗିବାକୁ ଗଲା। ନିତାନ୍ତ ଜରୁରୀ ।ମା'ର ଔଷଧ ସରିଯାଇଛି। ବାବୁଆଣୀ ମା ଗାଧୁଆ ଘରେ ଥିଲେ, ଏ ଖଂଜ ପାଇ, ତେଲୁଗୁ ବାବୁଟି ଫୁଲ ଉପରକୁ ଝପଟି ପଡିଲା, ତାର କଳା ମଚମଚ ଥନ୍ତଲ ପେଟ ଶରୀରଟା ଫୁଲକୁ ମେଂଚେ

ଡ୍ରେନରୁ କଢା ମଇଳା କାଦ ପରି ମନେ ହେଲା, ଝାଡୁ ଫୋପାଡି ଦେଇ ଏକାମୁହାଁ ହୋଇ ଘରେ ପଁହଚିଲା। ଭାଗ୍ୟ ଭଲ ମା ଶୋଇପଡିଥିଲା, ନଚେତ୍ ଫୁଲ ନିଜ ଦୁର୍ଦ୍ଦଶା ଆଉ କଥା ମାନୁନଥିବା କୋହସଂଗେ ଲୁହକୁ ମା ପାଖରୁ ଲୁଚାଇ ପାରି ନ ଥାନ୍ତା। କିଛି ସମୟ ପାଇଁ ତାଳଦଣ୍ଡା କେନାଲ ପାଣିରେ ବୁଡିଲା

ମନ ଶାନ୍ତ ହେବା ପର୍ଯ୍ୟନ୍ତ।

ସତରେ ଏ ସଂସାର କଣ କେବଳ କ୍ଷୁଧାର ସଂସାର ? ଶରୀରର ପାଶବିକ ଦୈହିକ କ୍ଷୁଧା ଏବଂ ପାପୀ ପେଟର ଖାଦ୍ୟ କ୍ଷୁଧା , ଧନୀର ସମ୍ପତ୍ତି କ୍ଷୁଧା, ମାନୀର ମାନସନମାନ ପ୍ରତିଷ୍ଠା କ୍ଷୁଧା ଆହୁରି କେତେ କଣ।

ଫୁଲ ଠିକ୍ କରି ପାରୁନଥିଲା କଣ କରିବ?ଘରୁକୁ ଘର ବୁଲି କାମପାଇଟି କଲେ ବି, ଭଲ ହୁଅନ୍ତା କିନ୍ତୁ ବାବୁ ଘର

ମାନଙ୍କରେ ତାଙ୍କ ବାବୁ, ପୁଅ, ଭାଇ ଆଉ ଘରର ଲେଖାଯୋଖା

ପୁରୁଷ ବିଲେଇ ମାଛକୁ ଛକିଲା ଭଳି ଛକୁଛନ୍ତି। ତା ସହିତ ମାସ ଶେଷକୁବି ଦରମା ମିଳେ। ସେ ପୁଣି କମ ପଇସା ।ଫୁଲ ଓ ଫୁଲର ମା ଦୁହେଁ ଦୁହିଁଙ୍କର ପ୍ରଥମ ଓ ଅନ୍ତିମ ଆଶା। ଜଣେ

ଜଣଙ୍କ ବିନା ତିଷ୍ଠିବା ନିହାତି ଅସମ୍ଭବ। କଣ ଭାବି ମୀନାକୁ

ଡକାଇ ପଠାଇଲା।

ମୀନା, ମୋର ବି ଠଣ୍ ଠଣ୍ ପଇସା ଦରକାର।

ବୈଶ୍ୟାର ମୋହର ନଲାଗି ବାବୁମାଘରମାନଙ୍କରେ ତାଙ୍କ

ସ୍ବାମୀ, ପୁଅ, ଭାଇ, ଶଳା ଇତ୍ୟାଦିଙ୍କ ଦ୍ବାରା ଶୋଷିତ ହେବା

ଅପେକ୍ଷା, ଦେହଜିବୀର ମୋହର ଲାଗୁ ପଛେ, ମୁଁ ଯିବି ହୋଟେଲ ପାରିଜାତ, ମୋ ଶେଷ ଆଶା ସାହାରା, ମୋ ଖୁସି ମୋ ମାକୁ ବଂଚାଇବାକୁ। ମା ଯେମିତି ନ ଜାଣିବ, ଏତିକି ଧ୍ୟାନ

ରଖିବା।

ଏତିକି କହି ଫୁଲ ଭୋ ଭୋ କାନ୍ଦି ଉଠିଲା। ମୀନା କହୁଥିଲା, କାନ୍ଦିନାଲୋ ଫୁଲ, ଆମ ଭାଗ୍ୟରେ ଅକଡ଼

ଦେଖାଇବା ନାହିଁ। ସହଜେତ ବଦନାମ ବସ୍ତିର ବାସିନ୍ଦା। ବଡ ବଡ ଘରର ଝିଅ ବୋହୁତଲକ୍ଷ ଲକ୍ଷ ଟଙ୍କାରେ ଚାଲିବି ଆହୁରି

ଆହୁରି ଧନ ଲୋଭରେ କଣ ନା କଣ କରୁଛନ୍ତି, ଆଉ ଆମେ

ଆମ ପେଟକୁ ଦାନା, ପିନ୍ଧିବାକୁ ଦେହକୁ କନା, ମାକୁ ବଂଚାଇବାକୁ ଔଷଧ ପାଇଁ ଦେହ ନବିକି କଣ କରିବା??

ତାଳଦଣ୍ଡାର ସ୍ବଛ ପବିତ୍ର ଫୁଲ ଦେବ ପୂଜନ ପାଇଁ

ନିଜକୁ ନ ରଖି, ଚଉରା ମୂଳେ ସଂଜବତୀ ବସାଇ, ମାକୁ ଲୁଚି

ନିଜକୁ ପ୍ରସ୍ତୁତ କରୁଥିଲା, ହୋଟେଲ ପାରିଜାତର ନୀଳରଂଗୀନ ରୁମରେ କାହାର ଶଯ୍ୟା ସଂଗୀନି ହେବାକୁ।

ଭାତ ହୋଇଯାଇଥିଲା, ଅତୀତର ପୃଷ୍ଠା ସେଇଠି ବନ୍ଦ

କରି, ଶଯ୍ୟା ସଂଗୀନି ହେବାର କଷ୍ଟକୁ ଚୁପ କରାଇ, ଭାତ ହାଣ୍ଡି

ଓଲ୍ହାଇ ଦେଇ ଚୂଲିରେ ନଗେଇ ଖିଆ ଅଣ୍ଡା ତରକାରୀ ପାଇଁ

କଡେଇ ବସାଉଥିଲା ଫୁଲ। କାଲି ନଗଦ ଟଙ୍କା ପାଇଛି ଯେହେତୁ।। 🙏🙏

ତାଳଦଣ୍ଡା ଶରୀର ବସ୍ତି

Rate the content


Originality
Flow
Language
Cover design

Comments

Post

Some text some message..