Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କେବେଠୁ ସକାଳ ହେଲାଣି
କେବେଠୁ ସକାଳ ହେଲାଣି
★★★★★

© Rajabala Tripathy

Inspirational

6 Minutes   285    8


Content Ranking

ଦିନେ ସକାଳୁ ସକାଳୁ ନିରୁଦ୍ଧିଷ୍ଟ ହୋଇଗଲା ସେ । ଏଇ ସେ ଟି ହେଲା ମୀରା । 21 ଟି ବସନ୍ତକୁ ମନଭରି ଉପଭୋଗ କରି 22ରେ ପଦ ଥାପି ଥିବା ଏକ ସୁସ୍ଥ ଶରୀର ଓ ମନର ଅଧିକରିଣୀ । ଏଇ ମାତ୍ର କଲେଜ ପଢ଼ା ସରିଛି । ଘର ଲୋକ ଖୋଜି ଖୋଜି ନୟାନ୍ତ । ଫୋନ ପରେ ଫୋନ, ମାମୁଁ ଘର, ମଉସୀ ଘର, ପିଉସୀ ଘର, ଦିଦି ଘର ଆଉ ମୀରାର ସାଙ୍ଗ ସବୁ । ସବୁ ଆଡୁ ସେଇ ଏକା ଗୋଟିଏ ଉତ୍ତର, ନା ମୀରା ଆସିନି । ତାହେଲେ ଗଲା କୁଆଡେ ସେ । ପୋଲିସ ରେ ଖବର ଦେଲେ ଇଜ୍ଜତ ଆଉ ରହିବ ତ । ଚିନ୍ତାଗ୍ରସ୍ତ ବାପା ପ୍ୟାକେଟ ପରେ ପ୍ୟାକେଟ ସିଗାରେଟ ରେ ନିଆଁ ଲାଗେଇବାରେ ଆଉ ମା ଠାକୁର ଘରେ ଲୁହ ଗଡେଇ ମାନସିକ କରିବାରେ ବ୍ୟସ୍ତ । ହେ ପ୍ରଭୁ ମୋ ଝିଅ ଭଲରେ ଫେରି ଆସୁ, ହେ ତାରିଣୀ ତୁମକୁ ନଡ଼ିଆ ଦେବି ।

"ଆହା, ଆଉ ଶିରି ଧରି ଫେରିବତ'..ଜେଜେମାର ବଡ଼ ଚିନ୍ତା । କିଏ ବାହା ହେବ ଆଉ ତାକୁ...ଚଟାଣରେ ଢୋ ଢୋ କରି ମୁଣ୍ଡ ପିଟିଦେଲା ଜେଜେମା । ଗଲା କୁଆଡେ ସେ ସଦା ଚଳ ଚଞ୍ଚଳ ଖୁସି ବାସିର ଝିଅଟା । କିଏ କଣ କିଡନାପ କଲା କି । ନା ନା ଏହି କାଳତୁଣ୍ଡ କଥା ଜମା ସତ ନହେଉ । ପୁରା ମିଛ ହେଇ ଯାଉ ଏହି ଭାବନାଟି ।

****

ସତେ ଯେପରି ବହୁତ ସମୟ ଧରି ଶୋଇପଡିଥିଲା ସେ । ଏଇ ଏବେ ତ ନିଦ ଭାଙ୍ଗିଛି । ଅଳସରେ ଭରା ଦେହ ।ଆଖି ଖୋଲିଲା ମୀରା । ମୁଁ କେଉଁଠି । କେଉଁ ଜାଗା ଏଇ । ଚିହ୍ନା ଚିହ୍ନା ତ ଲାଗୁନି । ମନେ ପକେଇବାକୁ ଚେଷ୍ଟା କଲା କାଲି ରାତିର ଘଟଣା । ତା ଶୋଇବା ଘର ଭିତରୁ ଜହ୍ନ ଦେଖୁ ଦେଖୁ ବିଭୋର ହୋଇପଡିଥିଲା ସେ । ନିଜକୁ ଭୁଲି କେତେ ବେଳେ ଯେ ବିଚ ରାସ୍ତାରେ ଚାଲିବା ଆରମ୍ଭ କରିଦେଇଥିଲା ଜହ୍ନର ଅକର୍ଷଣରେ । ଆଉ ତାପରେ ଏକ ଶକ୍ତ ହାତ... ଆଃ ..ଯନ୍ତ୍ରଣାରେ ଶିର ଶିର ହେଇ ଉଠିଲା ତା ଦୁଇ ଜଙ୍ଘର ସନ୍ଧିଟି । ହଠାତ ତାର ଖିଆଲ ଆସିଲା ସେ ଯେ ସମ୍ପୂର୍ଣ୍ଣ ନିରସ୍ତ୍ର । ତାହେଲେ ସେ କଣ ଶିକାର ହୋଇଛି ଦୁଷ୍କର୍ମ ର..ନା...ନାନା ।

******

ଘର ଆଉ ନିଜର ପରି ଲାଗେନାହିଁ । କେମିତି ଏକ ଖାଁ ଖାଁ ପରିବେଶ । ଗେଲ୍ଲୀ ଜେଜେମା ଆଖିରେ କେବେ ଦୟା କେବେ ଦୁଃଖ ତ କେବେ ରାଗ । ବାପା ସତେକି କାଠ କଣ୍ଢେଇଟେ । ମହାନଦୀ ର ପାଣି ଶୁଖିଯାଏ, ହେଲେ ଶୁଖେନା ମା ଆଖିର ଲୁହ । ଆଉ ସେ । ତାର ଅବସ୍ଥା କଣ । ଭବିଷ୍ୟତ କଣ । ଆଉ ବର୍ତ୍ତମାନ? ଗୋଟି ଗୋଟି କରି ମନେ ପଡେ ସେଇ ଦିନ ସବୁର ଘଟଣା ସବୁ । ଦୁଇ ମାସ ପୂର୍ବରୁ ଯେବେ ପୋଲିସ ତାକୁ ଉଦ୍ଧାର କରି ଛାଡିଦେଇଥିଲା ଘରେ । ଚାରି ଆଡ଼େ ଥିଲା ଗୋଟେ ଚାପା ଚାପା ପରିବେଶ । ପଡିଶା ଘର ଆଣ୍ଟି ମାନଂକର ଦୟା ଭରା ଆଖି ତ କେତେବେଳେ କଟାକ୍ଷ ।ସତେ ଯେପରି ସେ ଜଣେ ଅପରାଧୀ । ପାପୀଙ୍କ ପରି ମୁହଁ ପୋତି ପୋତି ବାରମ୍ବାର ପୋଲିସ ଷ୍ଟେସନ ଯିବା, କେତେ କେତେ ବ୍ୟକ୍ତିଙ୍କ ଅତି ଅଦ୍ଭୁତ ପ୍ରଶ୍ନ ସବୁକୁ ଉତ୍ତର ଦେବାରେ ଆଉ ଘଟି ଯାଇଥିବା ସେହି ଘଟଣା ଟିକୁ ବିଭିନ୍ନ ଢ଼ଙ୍ଗରେ ଏକାଧିକ ଥର ବର୍ଣ୍ଣନା କରିବାରେ ବିତିଗଲା ଏତେ ଗୁଡ଼େ ସମୟ । କିନ୍ତୁ ଅପରାଧୀ ର କୌଣସି ସନ୍ଧାନ ନାହିଁ । କେବେ କେବେ ତାକୁ ଲାଗେ ସତେ ଯେପରି ସେହିଁ ଅସଲ ଅପରାଧୀ । ହେଲେ ତାର ଅପରାଧ କ’ଣ । ହତ୍ୟା କରିଥିବା ବ୍ୟକ୍ତିଟି ଅପରାଧୀ ହେଲାନି ହତ୍ୟାର ଶିକାର ବ୍ୟକ୍ତିଟି ଅପରାଧୀ କିପରି ।ମନରେ ଭୂକମ୍ପ କରୁଥିବା ଅନେକ ପ୍ରଶ୍ନର ଉତ୍ତର ମିଳେନା ।ଇଜ୍ଜତ ଲୁଟି ଯାଇଛି, ସବୁ ସରିଯାଇଛି, ଜୀବନ ନଷ୍ଟ ହୋଇଗଲା, ଏହି ପରି କଥା ସବୁ ଶୁଣି ଶୁଣି ବଧିର ହୋଇଗଲାଣି କାନ । ସତେ ଯେପରି ଆଉ ବଂଚିରହିବା ତା ପାଇଁ ଶ୍ରେୟସ୍କର ନୁହେଁ, ଏକ ମାତ୍ର ବାଟ ମୃତ୍ୟୁ କୁ ବରି ନେବା, ସତେ ଯେପରି ସମାଜ ତାକୁ ପରୋକ୍ଷରେ ଏହା କହିବାକୁ ଚାହେଁ । ତାହେଲେ କଣ ସେ ଆତ୍ମହତ୍ୟା କରିଦେବ । ନା ... ଆଉ ଆଗକୁ ଭାବିଲେ ମୁଣ୍ଡ କାମ କରିବା ବନ୍ଦ କରିଦିଏ । ମା ଙ୍କର ଚୁପି ଚୁପି କଥା"ଲୋକେ କହିବେ କଣ'ତା ଅନ୍ତରରେ ବର୍ଚ୍ଛା ପରି ବିନ୍ଧି ହୁଏ । ହେଲେ ଲୋକେ ମୋତେ କହିବେ ବା କଣ ପାଇଁ । ମୋ ଅପରାଧ କଣ ।

******

ଆଜି କାଲି ରାଗ ଲାଗେ ଦେଖିବାକୁ ସେ ଠାକୁର ଦେବତାଙ୍କ ମୁହଁକୁ । କେତେ କରି ଡାକିଥିଲି, କାହିଁ ଥରୁଟେ ତ ଆସିଲେଣି ମୋତେ ସୁରକ୍ଷା ଦେବାକୁ ସେ ଦୁର୍ବୁତ୍ତ ମାନଙ୍କ କବଳରୁ, କେହି ଜଣେ ବି ନୁହେଁ ତେତିଶ କୋଟି ଦେବ ଦେବୀ ଭିତରୁ । ଯାହାଙ୍କ ପାଦରେ ମୁଣ୍ଡିଆ ମାରି ମାରି ବିତି ଯାଇଛି ତାର 22 ବର୍ଷ ବୟସର ଜୀବନ । ତୁମେ ପରା କୁଆଡେ ବସ୍ତ୍ର ଦେଇ ମାନ ରଖିଥିଲ ଦ୍ରୌପଦୀର । ତୁମେ କୁଆଡେ ଡାକ ଶୁଣିଥିଲ ଗଜର, ମୃଗୁଣୀର । ତୁମେ କୁଆଡେ ବିପଦହାରୀ, ତ୍ରାଣକର୍ତ୍ତା, ସର୍ବଶକ୍ତିମାନ, ସର୍ଵବ୍ୟାପୀ । ନା ସବୁମିଛ । ସବୁ ତୁଚ୍ଛ କଳ୍ପନା । ଆଜି ଖୋଲି ଯାଇଛି ସବୁ ମିଥ୍ୟାର ରଜ୍ଜୁ । ଖୋଲି ଯାଇଚି ଆଖିରୁ ସବୁ ତକ ଅନ୍ଧପୁଟୁଳି । ଏତେ ବଡ଼ ଦୁର୍ଘଟଣା ଭିତରେ ବି ଲାଗୁଚି ଯେପରି ସେ ପ୍ରଥମ ଥର କରି ମୁକ୍ତ ହୋଇ ଯାଇଛି ।

ଭୋକ ..ବହୁତ ଭୋକ ଲାଗୁଛି । ସତେ ଯେପରି ଦୁନିଆ ଯାକର ଭୋକ ତା ପେଟରେ । ଏଇ ଦୁଇ ମାସ ଧରି ସେ ଭଲରେ ଗଣ୍ଡେ ଖାଇନି, ପିନ୍ଧିନି, ହସିନି, ବୁଲିନି, ଖାଲି ବସି ରହିଛି ଘରର ଚାରି କାନ୍ଥ ଭିତରେ ବନ୍ଦୀ ଏକ ଅପରାଧିନିଟିଏ ପରି, ସେଇ ଅପରାଧ ପାଇଁ ଯାହା ସେ କେବେ କରିନି ।ହଠାତ ବହୁତ ଶକ୍ତିଶାଳୀ ଅନୁଭବ କଲା ମୀରା ଆଉ ଖୁବ ହାଲ୍କା ବି । ଇଛା ହେଲା ଉଡି ଯାଆନ୍ତା କି କେଉଁ ଅଜଣା ଦେଶକୁ ।

****

ଫ୍ରିଜ ଖୋଲିଲା  । ଭିତରେ ତା ଫେବରାଇଟ ଚିକେନ୍ କଷା । ବା..କାଲି ଚିକେନ୍ ଭଲରେ ଖାଇପାରିନଥିଲା ସେ । ଓଭନରେ ଗରମ କରିବାକୁ ଥୋଇ ଡାଇନିଂ ଟେବୁଲରେ ବସିପଡ଼ିଲା । ଚିକେନ୍ ରୁ ଗୋଟେ ପିସ ପାଟିକୁ ନେଉଛି, ପଛରୁ ଶୁଭିଲା, "ଆରେ କଣ କରୁଛୁ । ଆଜି ପରା ଗୁରୁବାର । ଗୁରୁବାରରେ ଆଇଁସ । ତୋ ମୁଣ୍ଡ ଠିକ ଅଛି ତ ।"

"ମୋ ମୁଣ୍ଡ ଆଜିଠୁ ଠିକ ହୋଇଗଲା ମା । ଆଜି ଯାଏଁ ଖରାପ ଥିଲା  । କେଉଁ ଆବହମାନ କାଳରୁ ବହି ଚାଲିଛି ସମୟ । ଆମେ ଆମ ସୁବିଧା ପାଇଁ ତାକୁ ତିଥି ବାର ନକ୍ଷତ୍ର ମାସ ଆଉ ବର୍ଷର ନାଁ ଦେଇଛୁ । ସମୟକୁ ଶୁଭ ଅଶୁଭ ବାର ଅବାର ଭିତରେ ବାନ୍ଧି ରଖିବାର ଆସ୍ପର୍ଦ୍ଧା ମୋର ବା କାହିଁ । ମୋ ପାଇଁ ବର୍ଷର 365 ଦିନ, ଦିନର 24 ଘଣ୍ଟା ସବୁ ସମାନ । ସବୁ ଶୁଭ ସବୁ ଭଲ"  । ମାଙ୍କ ପ୍ରତିକ୍ରିୟାକୁ ତିଳେ ମାତ୍ର ଭୃକ୍ଷେପ ନକରି ଖାଇବାରେ ମନଦେଲା ମୀରା । ହଁ ଭୃକ୍ଷେପ । ଏହା ହିଁ ତ ଆଜିଠୁ ଶିଖିବାକୁ ହେବ । ଭୃକ୍ଷେପ ଯେତେସବୁ କୁତ୍ସା କଟାକ୍ଷକୁ । ଚାରିତ୍ରିକ ଆକ୍ଷେପକୁ । ଯାବତୀୟ ଅହେତୁକ କଟକଣାକୁ ।

****

ଭାରି ରୁନ୍ଧିଲା ରୁନ୍ଧିଲା ଲାଗୁଛି ଦିନ ଯାକ । ଘେରାଏ ବାହାରେ ବୁଲି ଆସିଲେ ଭଲ ଲାଗିବ ବୋଧହୁଏ । ଖୁବ ସୁନ୍ଦର ଭାବେ ସଜେଇ ହେଲା ମୀରା । ତା ପସନ୍ଦ ର ନୀଳ ରଙ୍ଗର ଡ୍ରେସ, ଯାହା ବାପା ତାକୁ ଜନ୍ମଦିନରେ ଉପହାର ଦେଇଥିଲେ । ବାଃ ସତରେ କେତେ ଭଲ ଲାଗୁଛି ।ଡ୍ରେସିଂ ଟେବୁଲ ମିରର ଆଗରେ ଛିଡା ହୋଇ ନିଜକୁ ମନଭରି ଦେଖିଲା ସେ । ଏ ତ ମୁଁ, ସମ୍ପୂର୍ଣ୍ଣ ଜୀବନ୍ତ । ତାହେଲେ ଏଇ ଦୁଇ ମାସ ଧରି କୁଆଡେ ହଜି ଯାଇଥିଲି କି ।କଣ କରୁଥିଲି ।ଜୀବିତ ନା ମୃତ । କେଉଁ କାରଣ ପାଇଁ । ନା ଆଉ ପଛକୁ ଫେରିବି ନାହିଁ । ଆଗରେ ଅପେକ୍ଷା କରିଛି ଏକ ସୁନ୍ଦର ଜୀବନ ।

'କୁଆଡେ ବାହାରିଲୁ । ସେ ଘଟଣା ଯେ ଏ ଯାଏଁ ଲିଭିନି ଲୋକ ମାନଙ୍କ ମନରୁ ।ଏଭଳି ବାହାରକୁ ବାହାରିଲେ ଲୋକେ କହିବେ କଣ । " ପଛରୁ ଶୁଭିଲା ମାଙ୍କ କଣ୍ଠ ସ୍ୱର ।"କେଉଁ ଘଟଣା କଥା କହୁଛ  । କଣ ହୋଇ ଥିଲା କି ମୋର । କେଉଁ ଅପରାଧର ସଜ୍ଜା ଭୋଗୁଛି ମୁଁ । ଇଜ୍ଜତ ...କେଉଁ ଇଜ୍ଜତ କଥା କହୁଛ ତୁମେ । ଅପରାଧୀ ର ଇଜ୍ଜତ ଯାଏନି, ପିଡ଼ିତାର ଇଜ୍ଜତ ଚାଲି ଯାଏ । ଏଇ କି ପ୍ରକାରର ସମାଜ ଗଢିଛ ତୁମେ ମୋ ପାଇଁ ମା ।ମୋର, ତୁମର ପରିବାରର ,ସମାଜର , ସବୁତକ ଇଜ୍ଜତ କଣ କେବଳ ମୋ ଶରୀରରେ । ମୋ ଯୋନିରେ ରଖିଲା କିଏ, ତୁମେ ମୁଁ ନା ସମାଜ । ପୁଣି ତାକୁ ମୋ ନିୟନ୍ତ୍ରଣରୁ ମୁକ୍ତ କଲା କିଏ । କୁହ  । ଜବାବ ଦିଅ । ନା ମୁଁ ଏହା ମାନି ନେବି ନାହିଁ । ଅତୀତକୁ ଛାଡ଼ିଦେଇ ବର୍ତ୍ତମାନରେ ପାଦ ରଖି ଭବିଷ୍ୟତକୁ ଲମ୍ଫ ଦେବା ଯଦି ଜୀବନ ହୁଏ । ଦୁଷ୍କର୍ମ ପିଡ଼ିତା ପାଇଁ କାହିଁ ବର୍ତ୍ତମାନ ନା ଅଛି ଭବିଷ୍ୟତ । ଖାଲି ଯାହା ଏକ ଯନ୍ତ୍ରଣା ଜର୍ଜରିତ ଅତୀତ  । ସେହି ଅତୀତକୁ ପାଥେୟ କରି ଯନ୍ତ୍ରଣାରେ ଜଳି ଜଳି ତାକୁ ବଞ୍ଚିବାକୁ ବିବଶ କରାଯାଏ । କ୍ଷଣେ ମାତ୍ର ତାକୁ ଭୁଲିବାକୁ ଦିଆ ଯାଏନା ସେଇ କଳଙ୍କିତ ଅତୀତକୁ । ଏପରି କାହିଁକି ମା । ମୋ ପାଇଁ ଚିନ୍ତା କରନାହିଁ । ବିବାହ ମୋ ପାଇଁ ଏକ ନିହାତି ଆବଶ୍ୟକୀୟ ବ୍ୟବସ୍ଥା ହୋଇନପାରେ । କେହି ଯଦି ମୋ ଶରୀର ପାଇଁ ନୁହେଁ, ମୋ ମନ ପାଇଁ ମୋ ବ୍ୟକ୍ତିତ୍ବ ପାଇଁ ମୋତେ ଜୀବନସାଥୀ କରିବାକୁ ଚାହେଁ, ତେବେ ମୁଁ ବିବାହ ସମ୍ବନ୍ଧରେ ଚିନ୍ତା କରିପାରେ । ଵ୍ୟସ୍ତ ହୁଅନା । ତୁମ ଉପରେ ମୁଁ ଜୀବନ ଯାକ ନିର୍ଭର କରିବି ନାହିଁ । ମୁଁ ସ୍ୱାବଲମ୍ବୀ ହେବି ନିଜେ ଖାଲି ନିଜର ନୁହଁ ତୁମ ମାନଙ୍କ ର ଦାୟିତ୍ବ ନେବି ।ପାରୁଛ ଯଦି ଫିଙ୍ଗି ଦିଅ ସେଇ ସବୁ କୁଢ଼ କୁଢ଼ ଦୁର୍ବଳତା ଯାହା ଠାକୁର ଘରେ କାଠ ପଥର ରୂପରେ ପୂଜା ପାଉଛନ୍ତି । ଶାନ୍ତି ପାଇବ, ମୁକ୍ତି ପାଇବ । ଫିଙ୍ଗିଦିଅ.. ଖାଲି ଘରୁ ନୁହେଁ ମନରୁ ମଧ୍ୟ । ଆଉ କଳ୍ପନାରେ ଭାସିଯାଅନାହିଁ ମା । ଏବେ ଆଉ ରାତି ନାହିଁ । କେବେଠୁ ସକାଳ ହେଲାଣି ।ମୁଁ ମୋ ଭବିଷ୍ୟତ ପିଢ଼ି ପାଇଁ । ଏକ ଡରକୁଳା କଳ୍ପନାବିଳସୀ ପୃଥିବୀ ଚାହେଁ ନାହିଁ । ମୁଁ ଚାହେଁ ଏକ ଭୟମୁକ୍ତ ବାସ୍ତବିକ ଜୀବନ । ସବୁ ଦ୍ଵନ୍ଦରୁ ମୁକ୍ତ ଏକ ମୁକ୍ତ ମନ । ମୋତେ ଡେଣା ଝାଡ଼ି ଉଡିବାକୁ ଦିଅ । ।"

ଉଡିବାର ଉଚ୍ଚାଟ ଆକାଂକ୍ଷା ନେଇ, ପଛକୁ ଥରେ ମାତ୍ର ନ ଚାହିଁ ଏରୁଣ୍ଡି ଡେଇଁଲା ମୀରା । ପଛରେ ରହିଗଲା ଯେତେ ସବୁ ସାମାଜିକ ବନ୍ଧନ, ଅନ୍ଧବିଶ୍ଵାସ, କୁସଂସ୍କାର , କୁତ୍ସା, ଇଜ୍ଜତ ର ଭୟ ଆଉ ପରମ୍ପରାର ଜଞ୍ଜିର  ।

ନିରୁଦ୍ଧିଷ୍ଟ ବସନ୍ତ ଉପଭୋଗ

Rate the content


Originality
Flow
Language
Cover design

Comments

Post

Some text some message..