Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bismita Sahoo

Inspirational

5.0  

Bismita Sahoo

Inspirational

ଦୁଦୁରା ଫୁଲ

ଦୁଦୁରା ଫୁଲ

4 mins
782


ଘର ବଗିଚାରେ ଗୋଲାପ, ଡାଲିଆ,ଗେଣ୍ଡୁ,ରଜନୀଗନ୍ଧା ଆଦି ନାନା ପ୍ରକାର ଫୁଲ ଫୁଟି ଚାରିଆଡ଼ ମହକି ଯାଉଛି। ବଗିଚାଟି ସ୍ଵର୍ଗର ନନ୍ଦନକାନନ ପରି ଦୂରରୁ ଦୃଶ୍ୟମାନ ହେଉଛି। ଯିଏ ବି ଏପଟେ ଯାଉଛି ଲୋଭିଲା ଆଖିରେ ଥରେ ଫୁଲ ଗୁଡିକୁ ନ ଅନେଇ ରହି ପାରୁନି। ବଗିଚାର ଗୋଟିଏ କଣରେ କଳା ଦୁଦୁରା ଫୁଲ ଟିଏ ଫୁଟିଛି। କେହିବି ଦିନେ ତା ପାଖକୁ ଯିବା କି ତା ଆଡ଼େ କଣେଇକି ଅନେଇବା ସୁମି ଦେଖିନି। ସବୁ ଫୁଲ ପରି ଦୁଦୁରା ବି ତ ଫୁଲଟିଏ। ତାର ରଙ୍ଗ ଅଛି। ଚେହେରାରେ ମାଦକତା ଅଛି। ଦେଖିବାକୁ ସେମିତି ଅସୁନ୍ଦର ବି ନାହିଁ। ତେବେ କଣ ପାଇଁ ସେ ଫୁଲର କେହି ଆଦର କରୁ ନାହାନ୍ତି।

ସୁମି କିଛି ବୁଝି ପାରେନି ଲୋକମାନଙ୍କ ରଙ୍ଗ ଢଙ୍ଗକୁ। ଯେତେବେଳେ ଯିଏ ବଗିଚାର ଫୁଲ ବିଷୟରେ କଥା ହେବେ ତେବେ ଖାଲି ଗୋଲାପ, ଡାଲିଆ ନ ହେଲେ ସେବତୀ ବିଷୟରେ କଥା ହେବେ। ମାଳି କାକା ସବୁ ଗଛରେ ପାଣି ଦିଅନ୍ତି, ସାର ଦିଅନ୍ତି, ସେସବୁର କେତେ ଯତ୍ନ ନିଅନ୍ତି କିନ୍ତୁ ଦୁଦୁରା ଗଛ ଆଡ଼େ ଟିକିଏ ବି ଅନାନ୍ତିନି। ସେ ଦୁଦୁରା ଗଛର କେତେ ମନ ଦୁଃଖ ହେଉଥିବ? ତାକୁ ବି ଇଚ୍ଛା ହେଉଥିବ ଲୋକ ମାନଙ୍କ ମୁହଁରୁ ତା ସୌନ୍ଦର୍ଯ୍ୟର ପ୍ରଶଂସା ଶୁଣିବା ପାଇଁ। କଳା ବୋଲି କଣ ସେତିକି ତାର ଅଧିକାର ନାହିଁ?

ସେ ଦୁଦୁରା ଫୁଲ ଓ ନିଜ ଭିତରେ ସୁମି କୌଣସି ପାର୍ଥକ୍ୟ ଦେଖୁନଥିଲା। ସେ କଳା ବୋଲି କେତେ ଟାହି ଟାପର ତାକୁ ଶୁଣିବାକୁ ପଡୁଛି। କିଏ କାଳୀ ବିଲେଇ କହି ଚିଡ଼େଇଲାଣି ତ ଆଉ କିଏ ମାତା କାଳୀ କହି ତା ମନ ଭିତରକୁ ରାମ୍ପି ବିଦାରି ପକାଉଛନ୍ତି। କଣ ନାହିଁ ତାର? ଵିଜ୍ଞାନ ରେ ସେ ସ୍ନାତକୋତ୍ତର। ଭଲ ଗୀତ ଗାଏ। ଓଡିଶୀ ନୃତ୍ୟରେ ଦକ୍ଷତା ଅଛି। ଖାଲି କଳା ରଙ୍ଗ ବୋଲି ଯେତେସବୁ ପ୍ରସ୍ତାବ ଆସୁଛି ସବୁ ଭାଙ୍ଗି ଯାଉଛି।

ରଙ୍ଗ କଳା ବୋଲି କଣ ତାର ଜୀବନଟା ଏମିତି କଳା ହେଇ ରହିବ? ସେଥିରେ କଣ ଇନ୍ଦ୍ରଧନୁର ସପ୍ତ ରଙ୍ଗ ଫୁଟି ଉଠିବନି? ମହାପ୍ରଭୁ ଜଗନ୍ନାଥ ତ କଳା? କାହିଁ ତାଙ୍କୁ ତ କେହି ବାହୁନୁ ନାହାନ୍ତି? ହେଲେ ତା ପାଇଁ ଏପରି ବେନିୟମ କାହିଁକି?

ସେଦିନ ଅର୍ଦ୍ଧଶିକ୍ଷିତ ସାମାନ୍ୟ ଚପରାସୀ ଟା ତା ବାପାଙ୍କ ମୁହଁରେ ଜବାବ ଦେଇ ଚାଲିଗଲା ଆମର ଏ କାଳୀ ବୋହୂ ଦରକାର ନାହିଁ।

ସତରେ କଣ ତା ଜୀବନର କୌଣସି ମୂଲ୍ୟ ନାହିଁ? ମା କୁହନ୍ତି ସମସ୍ତଙ୍କ ପାଇଁ ଦୁନିଆରେ କିଏ ନ କେହି ଜଣେ ଅଛନ୍ତି। କିନ୍ତୁ କାଇଁ କିଏ? କୋଉଠି ସିଏ?

ସୁମି ନିଜକୁ ବାରମ୍ବାର ଏ ପ୍ରଶ୍ନ ପଚାରି ଥକି ଗଲାଣି। ଆଇନରେ ଅନେକ ଥର ନିଜ ମୁହଁ ଦେଖଗିଲାଣି।କାଇଁ? କୋଉଠି କିଛି ଅସୁବିଧା ତ ନାହିଁ? ଆଖି ଜାଗାରେ ଆଖି ଅଛି। ନାକ ଜାଗାରେ ନାକ ଅଛି। ସବୁ ତ ଠିକ ଅଛି। ତେବେ ଖାଲି ରଙ୍ଗ ନାହିଁ ବୋଲି ତାକୁ ସଭିଏଁ ଏତେ ହତାଦର କରୁଛନ୍ତି ଆଜି ପୁଣି ତାକୁ ଜଣେ ସ୍କୁଲ ଶିକ୍ଷକ ଦେଖିବାକୁ ଆସିବେ। ସେ ଜାଣିଛି ସବୁଥର ପରି ଏଥର ବି ତାକୁ ନା ଶୁଣିବାକୁ ପଡ଼ିବ। ଯେତେ ମନା କଲେବି ମା ତାର ପ୍ରତିଥର କଣ୍ଢେଇଟିଏ ପରି ସଜେଇ ବଜାରରେ ବିକ୍ରି ପାଇଁ ଛିଡା କରୁଛନ୍ତି ଆଉ ପ୍ରତି ଟି ଥର ତା ମନ ଭାଙ୍ଗି ଚୁର୍ ମାର ହେଇ ଯାଉଛି। ମା ବୁଝୁ ନାହାନ୍ତି ତାର ଦିନକୁ ଦିନ ସହିବା ଶକ୍ତି ସରି ଗଲାଣି। ସେ ବି ସ୍ୱପ୍ନ ଦେଖିବା ବନ୍ଦ କରି ଦେଇଛି ଏ ଦୁଦୁରା ଫୁଲ ପରି।

ଦୁଦୁରା ଫୁଲ ଯେପରି କାହାର ବୈଠକଖାନାରେ ପହଞ୍ଚି ପାରିବନି ଠିକ ସେପରି ସୁମି ଓ ବିବାହ ସମାନ୍ତରାଳ ରେଖା। କେହି କେବେ କାହାକୁ ଛୁଇଁ ପରିବେନି। ସୁମି ଯାହା ଭାବୁଥିଲା ଠିକ ସେହି କଥା ଘଟିଗଲା। ସ୍କୁଲ ଶିକ୍ଷକଙ୍କ ବାପା ରୋକଠୋକ ମନା କରି ଦେଇଗଲେ ବାପାଙ୍କ ମୁହଁ ଉପରେ। ଝିଅ ଗୁଣର ହେଇଥିଲେ କଣ ହେବ ରଙ୍ଗ ତ ନାହିଁ।

ଦୁନିଆ କେଡେ ବିଚିତ୍ର ସତେ। କଳିହୁଡ଼ି, ଚଣ୍ଡୀ ଝିଅ ଚଳିବ ଯଦି ଗୋରା ଅଛି କିନ୍ତୁ କଳା ରଙ୍ଗ ଆଗରେ ଯେତେ ଗୁଣର ଝିଅ ହେଇଥିଲେ ମଧ୍ୟ ସବୁ ଫିକା ପଡ଼ିଯାଏ। ସୁମି ଦୁଦୁରା ଗଛଟିକୁ ଦେଖିଲା। ଗଛରେ ଫୁଲ ଭର୍ତ୍ତି ହେଇଛି। ସେ ଜାଣିଛି ଏ ଦୁନିଆରେ ଦୁଦୁରା ଫୁଲ ହିଁ ତାର ସାଥୀ। ସିଏ ଖାଲି ତା ଦୁଃଖ ବୁଝେ। ଗୋଟିଏ ଦୁଦୁରା ଫୁଲ ଧୀରେ ଛିଣ୍ଡେଇ ଆଣି ତା ହାତରେ ଧରିଲା ଓ ତାକୁ ଅତି ଯତ୍ନ ରେ ଆଉଁସି ଆଉଁସି ଘରକୁ ପଶି ଆସିଲା। ଆଜି ଶିବରାତ୍ରୀ। ମା ଶିବ ପୂଜା ପାଇଁ ବ୍ୟସ୍ତ ଅଛନ୍ତି। ସାନଭାଇ ବୁନୁ ଝୁଡ଼ିଏ ଗୋଲାପ ଫୁଲ ଆଣି ମା ଙ୍କ ପାଖରେ ରଖିଲା। ମା ଝୁଡ଼ି ଟିକୁ ଘାଣ୍ଟିବାକୁ ଲାଗିଲେ। ବ୍ୟସ୍ତ ହୋଇ କହିଲେ ଏସବୁ ମୋର କଣ ହେବ? ଆଜି ପରା ଶିବ ପୂଜା। ଦୁଦୁରା ଫୁଲ କାହିଁ? ବିନା ଦୁଦୁରା ଫୁଲରେ ଶିବ ପୂଜା ଅସମ୍ଭବ।

ସୁମି ଦୁଦୁରା ଫୁଲ ନାଁ ଶୁଣି ଚମକି ପଡିଲା। ନାଲି ନାଲି ସଦ୍ୟ ପ୍ରସ୍ଫୁଟିତ ଗୋଲାପ ଗୁଡ଼ିକ ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଛି। ସୁମି କହିଲା- ଏତେ ସୁନ୍ଦର ଗୋଲାପ ଫୁଲରେ ଠାକୁର ପୂଜା ନ କରି ତୁ ଏଇ କାଳିଆ ଦୁଦୁରା ଫୁଲକୁ ଖୋଜୁଛୁ ମା।

ମା ତା ହାତରୁ ଦୁଦୁରା ଫୁଲ ଟିକୁ ନେଇକହିଲେ- ତୁ କଣ ବୁଝିବୁରେ ପାଗଳୀ। ଗୋଲାପ ଫୁଲ ଯେତେ ସୁନ୍ଦର ଯେତେ ବାସ୍ନାଯୁକ୍ତ ହେଲେ କଣ ହେଲା ଶିବ ମସ୍ତକରେ ଦୁଦୁରା ଫୁଲ ହିଁ ଶୋଭା ପାଏ।

ସୁମି ମନେ ମନେ ଖୁସି ହେଉଥିଲା- ଯାହାହେଉ ଏତେ ଦିନପରେ ଦୁଦୁରା ଫୁଲର ଦୁଃଖ ଘୁଂଚିଲା। ହେଲେ ସେ ବି ତ ଗୋଟେ ଦୁଦୁରା ଫୁଲ। ସେ କଣ କାହା ମସ୍ତକରେ ଶୋଭା ପାଇବ? କେହି କଣ ତାକୁ ଏତେ ଯତ୍ନରେ ସାଉଁଟି ନେବ?

ଚିଠି.......ଚିଠି.....

ପୋଷ୍ଟମ୍ୟାନର ଡାକ ଶୁଣି ମା ଦଉଡ଼ି ଗଲେ। ଚିଠି ପଢ଼ି ସୁମି ସୁମି କହି ଚିତ୍କାର କରିବାକୁ ଲାଗିଲେ। ଚିଠିଟି ତା ବାପାଙ୍କ ପାଖକୁ ଲେଖା ହେଇଥିଲା।

"ପଟ୍ଟନାୟକ ବାବୁ,

ଜାଣିକରି ଖୁସି ହେବେ ଆପଣଙ୍କ ଝିଅ ମୋ ପୁଅର ପସନ୍ଦ ହେଇଛି। ମୁଁ ଝିଅର କଳା ରଙ୍ଗ ପାଇଁ ବୋହୂ କରିବାକୁ ମନା କରୁଥିଲି କିନ୍ତୁ ମୋ ପୁଅ ଆଜି ମୋ ଆଖି ଖୋଲି ଦେଇଛି। ସେ କହିଲା ରଙ୍ଗରୁ ବାପା କଣ ମିଳିବ? ଆଜି ଅଛି କାଲି କି ନାହିଁ। କିନ୍ତୁ ଗୁଣ ସଦା ସର୍ବଦା ପାଖରେ ରହିଥିବ। ଆପଣଙ୍କ ଗୁଣବତୀ ଝିଅର ହାତ ମୋ ପୁଅ ପାଇଁ ମାଗୁଛି। ମୋର କିଛି ଯୌତୁକ ଦରକାର ନାହିଁ ଖାଲି ଆପଣଙ୍କ ଝିଅ ଦରକାର। ଝିଅର ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତୁ।

ମାଙ୍କ ଆଖିରୁ ଧାର ଧାର ଲୁହ ଝରୁଥିଲା। ସେ ସ୍ନେହରେ ସୁମିକୁ କୋଳେଇ ନେଇ କହିଲେ -

ସୁମି ଦେଖିଲୁ ତ ଏ ଦୁଦୁରା ଫୁଲ ଯେପରି ଶିବ ମସ୍ତକରେ ଶୋଭା ପାଇବ ଠିକ ତୁ ବି ସେପରି ତାଙ୍କ ଘରର ଗୃହଲକ୍ଷ୍ମୀ ହେବୁ। ସୁମି ଖୁସିରେ ଝୁମି ଉଠିଲା।

(ବିସ୍ମିତା)


Rate this content
Log in

Similar oriya story from Inspirational