ମାନପତ୍ର
ମାନପତ୍ର
ଅବେଳରେ କଲିଂ ବେଲ୍ ଶବ୍ଦ ଶୁଣି କବାଟ ଖୋଲିଲେ ସନ୍ତୋଷ ବାବୁ ।
ସାମ୍ନାରେ ଠିଆ ହୋଇଥିବା ଯୁବକ ଜଣକ ନମସ୍କାର କରି କହିଲା, "ସାର୍, ମୁଁ ଅରୁଣାଭ ନନ୍ଦ । ଗପ ଲେଖେ । ଗତ ସପ୍ତାହରେ ରାଜ୍ୟ ଅଭିଲେଖାଗାରରେ ଆପଣଙ୍କୁ ମୋ ବହି "ନଦୀର ନାମ ମହାନଦୀ" ଦେଇଥିଲି । ହୁଏତ ମନେ ନ ଥିବ ଆପଣଙ୍କର । ମୁଁ, ଆପଣଙ୍କର ବହୁତ ବଡ଼ ପ୍ରଶଂସକ ।"
ଟିକେ ଦୋଦୋ ଚିହ୍ନା ହେଉଥିଲେ ସନ୍ତୋଷ ବାବୁ।
"ସ୍ଵାଭିମାନ ସାହିତ୍ୟ ସଂସଦ " ଫଙ୍କସନରେ ଆପଣ ମୋତେ ପୁରସ୍କୃତ କରିଥିଲେ। ମୋ ବହିଟା ଗତବର୍ଷ ଏକାଡେମୀ ସିଲେକ୍ସନକୁ ଯାଇ ଫାଇନାଲ ରାଉଣ୍ଡରେ କଟିଯାଇଥିଲା।" ଉତ୍ସାହିତ ହୋଇ କହୁଥିଲା ଅରୁଣାଭ।
ଟିକିଏ ହସି ,ସନ୍ତୋଷ ବାବୁ ତାକୁ ଡାକିନେଲେ ଲନକୁ।
"କୁହ କଣ ପାଇଁ ଆସିଛ। ତେବେ ତୁମେ ଦେଇଥିବା ବହି ବିଷୟରେ ମୁଁ ତୁମକୁ କିଛି ସତ କଥା କହିବି । ଦୃଷ୍ଟିଶକ୍ତି କମିଗଲାଣି ବୋଲି ଅକ୍ଷର କିଛି ଭଲ କରି ଦିଶୁନି । ତେଣୁ ପଢିପାରୁନି । ଅନ୍ୟମାନଙ୍କ ଭଳି ତୁମକୁ ବି ସେଦିନ ମନା କରିପାରିଲି ନାହିଁ । ବହି ଫେରାଇଦେଲେ ଲେଖକ,କବି ଅପମାନିତ ବୋଧ କରନ୍ତି । ତେଣୁ ତୁମ ବହି ବିଷୟରେ ମିଥ୍ୟା ଟିପ୍ପଣୀ ଦେବିନି ".
"ସାର୍, ଆପଣଙ୍କ ଭଳି ଲୋକ ହିଁ ଏଭଳି ଅପ୍ରିୟ ସତ୍ୟ କହିପାରନ୍ତି । ପ୍ରଣାମ ଆପଣଙ୍କୁ। କିନ୍ତୁ ମୁଁ ଆସିଥିଲି କିଛି ଉପଦେଶ ପାଇଁ।"
ଲନରେ ବସି ଅନେକ ଆଲୋଚନା ଚାଲିଲା।
ହଠାତ୍ ଟିକେ ଦୋଦୋପାଞ୍ଚ ହୋଇ ଅରୁଣାଭ ପଚାରିଲା, " ସାର୍ ,ସତରେ କଣ ପୁରସ୍କାର ,ମାନପତ୍ର ଗୋଟେ ଲେଖକ ପାଇଁ ଅଧିକ ମହତ୍ତ୍ଵ ରଖେ ? ଅନେକ ଲୋକ ମୋତେ ପଚାରୁଛନ୍ତି କି କେଉଁ କେଉଁ ଅନୁଷ୍ଠାନ ମୋତେ ପୁରସ୍କୃତ ବା ସମ୍ବର୍ଦ୍ଧିତ କରିଛନ୍ତି ? ଆପଣ ଏତେ ପୁରସ୍କାର ପାଇଛନ୍ତି । ଆପଣଙ୍କ ମତରେ କେଉଁ ମାନପତ୍ର .....
ଅରୁଣାଭ ନିଜ କଥା ସମ୍ପୂର୍ଣ୍ଣ କରିବା ପର୍ବରୁ ସନ୍ତୋଷ ବାବୁ ତାକୁ ଇସାରାରେ ଡାକିନେଲେ ଡ୍ରଇଂ ରୁମକୁ ।
" ଦେଖୁଛ ଏଇ ବହି , ପୁରସ୍କାର ,ମାନପତ୍ର ସବୁକୁ ? ଏକଥା ସତ୍ୟ ଯେ ପୁରସ୍କାର,ମାନପତ୍ର ସମସ୍ତଙ୍କୁ ଆନନ୍ଦ/ଖୁସି ଦିଏ, ଯାହା କିଛି ଲୋକ ସ୍ଵୀକାର କରନ୍ତି ,କିନ୍ତୁ ଅନେକ ମାନନ୍ତି ନାହିଁ। ଅନେକ ଭାବନ୍ତି ଏହା ଯେତେ ଅଧିକ ହେବ, ନିଜ ଗୌରବ ସେତେ ଅଧିକ ହେବ । ତେଣୁ ମାନପତ୍ର ପାଇଁ ମୋହ ଗ୍ରସ୍ତ ହୁଅନ୍ତ୍ତି ,ତା ପଛରେ ଗୋଡାନ୍ତି । ଅନେକ ବୁଦ୍ଧିମାନ ଅତିଶୀଘ୍ର ଏହାର ବାସ୍ତବତା ଉପଲବ୍ଧି କରି ଏସବୁ ଠାରୁ ନିଜକୁ ଦୁରେଇ ରଖନ୍ତି।"
ଅରୁଣାଭ କହିଲା,"ସାର୍ ,ଏସବୁ ସମସ୍ତେ କହନ୍ତି, ଭାଷଣ ଦିଅନ୍ତି, ସାକ୍ଷାତକାର ରେ ବି କୁହନ୍ତି । ଆପଣ କିଛି ଅଲଗା କଥା କହିପାରିବେ କି ?"
ମୃଦୁ ହସି ସନ୍ତୋଷ ବାବୁ କହିଲେ, "ମୋ ନିଜ କଥା କହୁଛି । ମୋ ଘରେ ଏବେ ଏସବୁ ମାନପତ୍ର, ଫଳକ,ପୁରସ୍କାର କେବଳ ଅଳିଆ । ସତେ ଯେମିତି ବର୍ଜ୍ୟବସ୍ତୁ । ଅନେକ ମାନପତ୍ର ଏବେ କାନ୍ଥ , କପବୋର୍ଡ଼ରୁ ବାହାରି ଷ୍ଟୋର ଘରେ କିମ୍ବା ଅଳିଆ ଖାତା,ବହି ଥାକରେ ପଡିଛି । ବୟସ ହୋଇଗଲା ପରେ ନିଜର କର୍ତ୍ତୃତ୍ବ ଆମେ ହରାଇବସୁ । ନିଜ ଘରେ ନିଜେ ଅତିଥି ଭଳି ରହିବାକୁ ପଡ଼ୁଥିଲା ବେଳେ ,ଏ ପୁରୁଣା ମାନପତ୍ରକୁ କିଏ ପଚାରେ ?
ଟିକିଏ ନିଶ୍ଵାସ ନେଇ ସନ୍ତୋଷ ବାବୁ କହିଲେ, " ଏଇ ପୁରସ୍କାର,ମାନପତ୍ର ପାଇଁ କେତେ ରାଜନୀତି,ମାନ ଅଭିମାନ,ଈର୍ଷା ।ଚିନ୍ତା କଲେ ନିଜକୁ ଲାଜ ଲାଗୁଛି । ଏସବୁର ଉର୍ଦ୍ଧ୍ଵରେ ରହି ,ନିରୋଳା ସାହିତ୍ୟରେ ମଗ୍ନ ହୁଅ । ଦେଖିବ କେତେ ଶାନ୍ତି ମିଳିବ।"
ଅରୁଣାଭ ପାଟିରୁ ବାହାରି ପଡ଼ିଲା," ଆପଣ ତ ସେଇ ଏକା କଥା କହୁଛନ୍ତି । ଉପନୀତ ବୟସରେ ଜଣେ ସାହିତ୍ୟିକ ପାଇଁ ଏସବୁ ଜିନିଷର ମାନେ କିଛି ନଥାଏ ; କିନ୍ତୁ ମୋ ଭଳି ନୂଆ ପିଢ଼ିର ସାହିତ୍ୟିକ ପାଇଁ ଏହା କେତେବେଳେ ପ୍ରେରଣାର ସ୍ରୋତ ତ କେବେ ସୃଜନଶୀଳତାର ଟନିକ ତ କେବେ ଲେଖାକୀୟତା ଗୁଣବତ୍ତାର ମାପଦଣ୍ଡ ହିସାବରେ ଗଣା ହୁଏ । ଯୁବ ସାହିତ୍ୟିକ ବି ଜାଣେ ଏସବୁ ମୋହ,ମରୀଚିକା ପଛରେ ଗୋଡାଇବା ଉଚିତ ନୁହେଁ । ହେଲେ ସାର୍ ସବୁ ଜାଣି ସୁଦ୍ଧା ଆମେ ଏ ଦୌଡ଼ରେ ଭାଗ ନେଉ । ଘୋଡା ଚଢା ବା ଆକାଶରେ ଉଡିବା ସମସ୍ତଙ୍କ ଦ୍ବାରା ହୋଇପାରିବନି ଅଥବା ସମସ୍ତଙ୍କ କ୍ଷମତା ଭିତରେ ନଥାଇ ସୁଦ୍ଧା, ଘୋଡା ଚଢ଼ିବାର/ଆକାଶରେ ଉଡିବାର ସଉକ କାହାର ନଥାଏ ?ତେଣୁ ଦ୍ଵନ୍ଦରେ ଆମେ।"
ଅରୁଣାଭର ପିଠିରେ ହାତ ରଖି ସନ୍ତୋଷ ବାବୁ କହିଲେ, "ତୁମେ ବୋଧେ ଠିକ୍ କହିଛ । ଦିଲ୍ଲୀ କା ଲଡ୍ଡୁ ଯୋ ଖାୟା ୱହ ପସ୍ତାୟା,ଯୋ ନେହିଁ ଖାୟା, ୱହ ଭି ପସ୍ତାୟା। ବୟସ ଥିଲାବେଳେ ତୁମ ପରି, ମୋ ମନରେ ବି ଏ ଅଦମ୍ୟ ଇଛା ଥିଲା । ପ୍ରାପ୍ତିରେ କିଛି ତ ଆନନ୍ଦ ଥାଏ । ଯୁବ ଅବସ୍ଥାରେ କିଏ ବା ବାନପ୍ରସ୍ଥ ନିଏ ? ତେବେ ମୋ ଅନୁଭବରୁ କହୁଛି ,ଏ ମାନପତ୍ରର ଦାସ ହୁଅନା କି ତା ପଛରେ ଗୋଡାଅନା । ତୁମ ସାହିତ୍ୟିକ ପ୍ରତିଭା ଦେଖି ଯଦି ଏ ମାନପତ୍ର ଆପେ ଆପେ ତୁମ ପାଖକୁ ଆସେ,ତେବେ ଶ୍ରଦ୍ଧା ରେ ଗ୍ରହଣ କର । ଯଦି ଅନ୍ୟ କାହା ହାତକୁ ଗଲା ,ତେବେ ଅଧିକ ଖୁସି ହୁଅ।"
" ସାର୍, ମୁଁ ଅଧିକ ଚେଷ୍ଟା ନକରି, ଏ ପୁରସ୍କାର ,ମାନପତ୍ର ଅନ୍ୟ କାହା ପାଖକୁ ଗଲେ ଖୁସି କାହିଁକି ହେବି ?"
ହୋ,ହୋ ହୋଇ ହସିଲେ ସନ୍ତୋଷ ବାବୁ । "ଏସବୁ ଏକ ମାୟାଜାଲ । ସମୟ ବିତିଗଲା ପରେ ଏହାର ମୂଲ୍ୟ କିଛି ନଥାଏ । ଆଜି ମୋତେ ଦେଖ। ମୋ ସ୍ତ୍ରୀ ବଂଚିଥିଲା ପର୍ଯ୍ୟନ୍ତ କଥା ଟିକେ ଭିନ୍ନ ଥିଲା । ଏବେ ମୋ ବହି ପତ୍ର, ମାନପତ୍ର ବଦଳରେ ଡ୍ରଇଂ ରୁମରେ, ଶୋ ପିସ୍,ମଡ଼ର୍ଣ୍ଣ ଆର୍ଟ ,ପିଲାଙ୍କ ଫଟ, ନାତି ନାତୁଣୀଙ୍କ ପୁରସ୍କାର ଇତ୍ୟାଦି ସଜାହୋଇ ରହୁଛି।}
ସ୍ତ୍ରୀ ର ମୃତ୍ୟୁ ପରେ, ମୋ ସାହିତ୍ୟିକ ସତ୍ତା ର ନିଦର୍ଶନ ସ୍ୱରୂପ ଗୋଟେ ,ଦୁଇଟା ମାନପତ୍ର ରଖା ଯାଇଛି । ହୁଏତ ମୁଁ ମରିଗଲେ ସେମାନଙ୍କ ଅବସ୍ଥା ଏମିତି ହେବ କହି, ଗୋଟେ ଛୋଟ ରୁମ ଖୋଲି କିଛି ଦେଖାଇଲେ ଅରୁଣାଭକୁ।
ସ୍ତମ୍ଭୀଭୁତ ହୋଇଗଲା ଅରୁଣାଭ।
ବିଦାୟ ନେଇ ଆସିଲା ବେଳେ ଅରୁଣାଭ ଆଖି ଆଗରେ ଭାସିଯାଉଥିଲା ,କିଛି କାର୍ଡ ବୋର୍ଡ ପେଟି ଭିତରେ ଅଳନ୍ଧୁ ଲଗା ଗୁଡ଼ାଏ ପୁରୁଣା ମାନପତ୍ର ଅଯତ୍ନରେ ଗଦା ହୋଇଥିବାର କରୁଣ ଦୃଶ୍ୟ।
(ଅରବିନ୍ଦ ଦାସ)