ବିକ୍ରମ ବେତାଳ - ୩୪
ବିକ୍ରମ ବେତାଳ - ୩୪
ଉତ୍ତରାଧିକାରୀର ଅଧିକାର
“ଶୁଣ ରାଜା ବିକ୍ରମ! ବାତୀ ଦ୍ୱୀପରେ ମଦନ ଏବଂ ରତନ ନାମକ ଦୁଇଜଣ ଯୁବକ ବାସ କରୁଥିଲେ । ଦୁଇଜଣ ଯାକ ବହୁତ ସାଂଗ ଥିଲେ । ଦୁଇଜଣଯାକ ମଧ୍ୟ ଯୋଗ୍ୟ, ଜ୍ଞାନୀ ଥିଲେ । ଦୁଇଜଣଯାକ ସାଂଗ ହୋଇ ବ୍ୟବସାୟ ମଧ୍ୟ କରୁଥାଆନ୍ତି । ବେପାରରେ ମଧ୍ୟ ସେମାନଙ୍କର ବହୁତ ଲାଭ ହେଉଥିଲା । ଦିନେ ସେମାନେ ଗୋଟିଏ ବୃକ୍ଷ ମୂଳରେ ବସି ବେପାରରୁ ବଳିଥିବା ଜିନିଷକୁ ହିସାବ କରିବାକୁ ଲାଗିଲେ । ସେମାନେ ସେମାନଙ୍କର କାମରେ ମଜ୍ଜିଥିବା ସମୟରେ ଜଣେ ରୂପସୀ ନାରୀ ସେଠାରେ ଆସି ପହଁଚିଲା । ସାମ୍ନାରେ ଏତେ ସୁନ୍ଦରୀ ନାରୀକୁ ଦେଖି ଦୁଇଜଣଯାକ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ।
ମଦନ କହିଲା, “ତୁମେ କିଏ ସୁନ୍ଦରୀ?” ଯୁବତୀ ନାରୀ ମଦନକୁ କହିଲା, “ମୁଁ ମୋର ସ୍ୱାମୀଙ୍କ ସହିତ ଯାତ୍ରା କରୁଥିବା ସମୟରେ ଚୋର ମାନଙ୍କ ହାବୁଡରେ ପଡିବାରୁ ସେମାନେ ମୋର ସ୍ୱାମୀଙ୍କୁ ମାରି ମୋର ସର୍ବସ୍ୱ ଅପହରଣ କରିନେଇଛନ୍ତି । ଏହା କହି ଯୁବତୀଟି କାନ୍ଦିବାକୁ ଲାଗିଲା । ସେ କହିଲା ମୋର ତ’ ସ୍ୱାମୀ ଚାଲିଗଲେ । ମୋତେ ବର୍ତ୍ତମାନ କିଏ ସାହାରା ଦେବ? ବାପା-ମା’ଙ୍କ ପାଖକୁ ଯାଇ କ’ଣ କରିବି । ମୋ ପାଇଁ ଆତ୍ମହତ୍ୟା ହେଉଛି ଏକମାତ୍ର ପନ୍ଥା । ଯୁବତୀଟିର ଏପରି କଥା ଶୁଣି ରତନ ଏବଂ ମଦନ ତାଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଲେ, “ହେ ଯୁବତୀ! ତୁମେ ଆଦୌ ବ୍ୟସ୍ତ ହୁଅ ନାହିଁ । ଆମେ ତୁମକୁ ସବୁ ପ୍ରକାର ସହାୟତା କରିବୁ । ତୁମେ ଆଦୌ ଅଧୈର୍ଯ୍ୟ ହୁଅ ନାହିଁ ।” ମଦନ କହିଲା, “ଯୁବତୀ ନାରୀକୁ ବିବାହ କରାଇଦେବା ଠିକ୍ ହେବ ।” ରତନ କହିଲା, “ଆମ ଦୁଇଜଣଙ୍କ ମଧ୍ୟରୁ ଜଣେ କିଏ ତାଙ୍କୁ ବିଭା ହୋଇଗଲେ ଭଲ ହୁଅନ୍ତା ।” ସେମାନେ ଦୁଇଜଣ ଯେତେବେଳେ ଯୁବତୀକୁ ଏକଥା ପଚାରିଲେ ସେ କହିଲା, “ମୋତେ ତୁମେ ଦୁଇଜଣଯାକ ଭଲ ଲାଗୁଛ ।” ମଦନ ଏବଂ ରତନ କୌଣସି ନିର୍ଣ୍ଣୟ କରିପାରିଲେ ନାହିଁ । ଯୁବତୀ ମଧ୍ୟ ସେମାନଙ୍କ ସହିତ ଥାଏ ।
ଦୁଇଜଣଯାକ ଏକ କାଗଜରେ ଲେଖି ପକାଇଲେ, ଯାହାର ନାଁ ଉଠିବ ସେ ଯୁବତୀକୁ ବିବାହ କରିବ । ଏହି କାର୍ଯ୍ୟ କରିବା ପରେ ମଦନର ନାଁ ଉଠିଲା । ମଦନ ସେହି ଯୁବତୀକୁ ବିବାହ କଲା । ସମୟର ଖେଳ କେମିତି ଦେଖ ବିକ୍ରମ! ଯୁବତୀ ନାରୀର ଗୋଟିଏ ସନ୍ତାନ ଜନ୍ମ ହେବାପରେ ମଦନ ଦୁର୍ଘଟଣାରେ ମୃତ୍ୟୁବରଣ କଲା । ମଦନର ମୃତ୍ୟୁ ପରେ ତା’ର ସ୍ତ୍ରୀ ରତନର ବ୍ୟବସାୟରୁ ତା’ର ଭାଗ ମାଗିଲା । ମଦନର କୌଣସି ଭାଗୀଦାରୀ ରତନ ସହିତ ନଥିଲେ । ତା’ହେଲେ ରାଜା ବିକ୍ରମ ତା’ର ଏପରି ମାଗିବା କ’ଣ ଠିକ୍? ଶେଷକୁ କଥା ଯାଇ ରାଜାଙ୍କ କାନରେ ପଡିଲା । ରାଜା ମଦନ ସ୍ତ୍ରୀର କଥାକୁ ଅସ୍ୱୀକାର କରିଦେଲେ । ହେଲେ ରାଜା ତୁମର ଏଥିରେ ମତାମତ କ’ଣ? ରାଜା କହିଲେ, “ମୁଁ ସେ ସ୍ଥାନରେ ଥିଲେ କହିଥାଆନ୍ତି ସେହି ମହିଳାଙ୍କୁ ତାଙ୍କର ଅଧିକାର ମିଳିବା ଉଚିତ୍ । କାରଣ ବ୍ୟବସାୟ ଦୁଇଜଣଙ୍କର ଥିଲା । ତା’ପରେ ମଦନର ଉତ୍ତରାଧିକାରୀ ଅଛି । ତେଣୁ ତାକୁ ତା’ର ଅଧିକାର ମିଳିବା ଉଚିତ୍ ଥିଲା ।
ବେତାଳର କାହାଣୀ ସରିବା ବେଳକୁ ରାଜା ଶ୍ମଶାନରେ ତପସ୍ୟା କରୁଥିବା ସନ୍ନ୍ୟାସୀଙ୍କ ପାଖାପାଖି ହୋଇଯାଇଥିଲେ । ଏହାପରେ ବେତାଳ କହିଲା, ରାଜା ମୁଁ କିନ୍ତୁ ବର୍ତ୍ତମାନ ଆଉ ପଳାଇବି ନାହିଁ । ତୁମର ପ୍ରତିଜ୍ଞା ପୂରଣ ହୋଇଯିବ । ମୁଁ ମଧ୍ୟ ଏଥିପାଇଁ ତୁମର ସହାୟତା କରିବି ।” ବେତାଳର କଥା ଶୁଣିବାପରେ ବିକ୍ରମ ମନେ ମନେ ଆଶ୍ଚର୍ଯ୍ୟ ହେଲେ । ଏହାପରେ ବେତାଳ କହିଲା, “ରାଜା ବିକ୍ରମ! ସେହି ସାଧୁ ମହାଧୂର୍ତ ଅଟେ । ସେ ତୁମକୁ ହତ୍ୟା କରିବାକୁ ଯୋଜନା କରିଛି । ସେ ତୁମକୁ ସାଷ୍ଟାଙ୍ଗ ପ୍ରଣାମ କରିବାକୁ କହିବ । ତୁମେ ଯେମିତି ପ୍ରଣାମ କରିବ ସେ ତୁମର ଶିରଚ୍ଛେଦ କରିବ । ତେଣୁ ତୁମେ ସାବଧାନ ରହିଥିବ । ସତକୁ ସତ, ସନ୍ନ୍ୟାସୀ ରାଜାଙ୍କୁ ପ୍ରଣାମ କରିବାକୁ କହିଲେ, କିନ୍ତୁ ରାଜା ବିକ୍ରମଙ୍କୁ ମାରିବେ କ’ଣ ରାଜା ବିକ୍ରମ ସନ୍ନ୍ୟାସୀର ମୁଣ୍ଡକୁ କାଟିଦେଲେ । ଏହି ସମୟରେ ଶ୍ମଶାନରୁ ଏକ ଭୟାନକ ଅଟ୍ଟହାସ୍ୟ ଶୁଭିଲା । ବିକ୍ରମ କିନ୍ତୁ ଏଥିପ୍ରତି ସାବଧାନ ଥିଲେ । ସେ ଆଦୌ ଭୟଭୀତ ହେଉନଥାନ୍ତି । କାରଣ ସେହି ଅଟ୍ଟହାସ୍ୟ ବେତାଳର ଅଟ୍ଟହାସ୍ୟ ଥିଲା ।
ଏହାପରେ ବେତାଳ ବିକ୍ରମଙ୍କ ସାମ୍ନାକୁ ଚାଲି ଆସିଲା । ସେହି ସମୟରେ ବେତାଳ ଏକ ସୁନ୍ଦର ଯୁବକରେ ରୂପାନ୍ତରିତ ହୋଇଯାଇଥିଲା । ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଯାଇ ବେତାଳକୁ ଏ ସଂପର୍କରେ ପଚାରିଲେ । ବେତାଳ କହିଲା, “ତୁମେ ସନ୍ନ୍ୟାସୀଙ୍କର ବଳୀ ଚଢାଇ ମୋତେ ଜୀବନ ଦାନ ଦେଲ । ତୁମେ ତାକୁ ମାରିନଥିଲେ ମୁଁ ଜୀବନ ଦାନ ପାଇନଥାନ୍ତି । ମୁଁ ତୁମ ନିକଟରେ ଚିରଋଣୀ ରାଜା । ରାଜା କହିଲେ, “ତା’ହେଲେ ଏବେ ତୁମେ କ’ଣ କରିବ?” ବେତାଳ କହିଲା, “ରାଜା ଆପଣ ମୋତେ ଜୀବନଦାନ ଦେଇଥିବାରୁ ଆପଣ ଯାହା କହିବେ ମୁଁ ତାହା କରିବି ।” ବେତାଳର କଥା ଶୁଣି ରାଜା କହିଲେ, “ତୁମେ ମୋ ସହିତ ରହିବ ବେତାଳ? ମୁଁ ତୁମକୁ ମୋର ମନ୍ତ୍ରୀ ପଦରେ ଅଭିଷିକ୍ତ କରିବି ।” ରାଜାଙ୍କ କଥା ଶୁଣି ବେତାଳ ଖୁସି ହୋଇଗଲା । ରାଜାଙ୍କୁ କହିଲା, “ମହାରାଜ! ସେହି ସନ୍ନ୍ୟାସୀ ମୋର ବଡଭାଇ । ତନ୍ତ୍ର ସାଧନା ବଳରେ ସେ ମୋତେ ବେତାଳ କରି ରଖିଥିଲା । ମୋର ସ୍ତ୍ରୀକୁ ସେ ଅପହରଣ କରିନେଇଗଲା । ସେ ବର୍ତ୍ତମାନ ତୁମର ରାଜ୍ୟ ଅପହରଣ କରିବାକୁ ଚାହୁଁଥିଲା । କିନ୍ତୁ ସୌଭାଗ୍ୟର ବିଷୟ ତୁମେ ତାକୁ ମାରିଦେଲ । ତୁମର ଖ୍ୟାତି ଦୁନିଆରେ ବ୍ୟାପିବ । ରାଜା ସମସ୍ତେ ତୁମକୁ ପୂଜା କରିବେ । ଏହାପରେ ବେତାଳ ରାଜାଙ୍କ ସହିତ ରାଜଧାନୀକୁ ଗଲା । ସେତେବେଳକୁ ସୁର୍ଯ୍ୟୋଦୟ ହୋଇସାରିଥିଲା ।