Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମାଂସ
ମାଂସ
★★★★★

© Nandita Mohanty

Tragedy

8 Minutes   459    29


Content Ranking

ମାଂସ

ନନ୍ଦିତା ମହାନ୍ତି

ରବିବାର । ଆମିଷ ବାରି । ରବିବାର ସହିତ ଆମିଷର ଯେ କେତେ ଗଭୀର ସମ୍ପର୍କ ସେକଥା ଆମ ସମସ୍ତଙ୍କୁ ଜଣା । ଆଉ ରବିବାର ମାନେ ଘରେ ଖାସିମାଂସ ତରକାରୀ ହେବାଟା ଥୟ । ବାବା ଆମର ପୂଜାପଶା କିଛି ମାନନ୍ତିନି । ରବିବାର ମାନେ ଆଇଁଷ , ତେଣିକି ସେଦିନ ରଥଯାତ୍ରା ପଡୁ କି ଦୁର୍ଗାପୂଜା । ମାଆ ଟିକେ କେଟେ କେଟେ ହୁଏ । ହେଲେ ଶେଷରେ ବାଧ୍ୟ ହେଇ ରୋଷେଇ କରେ । ଖାସିମାଂସ , ସିଏ ପୁଣି ସେକ୍ଟର 18 ଡେଲିମାର୍କେଟ ଜମୀର ମିଆଁ ଦୋକାନର । ଡେଲିମାର୍କେଟର ପଛପଟକୁ ,ସିମେଣ୍ଟ ପିଣ୍ଡି ଉପରେ ଧାଡି ଧାଡି ହେଇ ଆମିଷ ଦୋକାନ । ବାବା କୁହନ୍ତି, ଏତେ ମାଂସ ଦୋକାନ ଭିତରେ ଜମୀରର ମାଂସ କୁଆଡେ ସବୁଠାରୁ ଭଲ । ସିଏ ମାଂସରେ ପାଣି ମାରେନା । ଆଉ ମନ ମାଫିକ ଫଡିଆ , କଲିଜା , କଣ୍ଟା, ସିନା ଯାହା ମାଗିବ ତାହା ବାଛି ବାଛି ଦିଏ । ଆଉ ଜମୀର ମିଆଁ ଦୋକାନର ମାଂସ ପାଇବାଟା ବି ଏଡେ ସହଜ ନୁହଁ ମ’ । ସେଥିପାଇଁ ବାବା, ଶନିବାର ଦିନ ରାତିରେ ଟେବୁଲ-ଘଣ୍ଟାର ଚାବି ମୋଡି ଆଲାର୍ମ ଦିଅନ୍ତି । ଆଉ ଭୋର ପାଞ୍ଚଟାରୁ ଉଠି , ସାଇକେଲ ହ୍ୟାଣ୍ଡେଲରେ ଛୋଟିଆ କନା-ବ୍ୟାଗଟିଏ ଝୁଲେଇ ବାହାରି ଯାଆନ୍ତି ଡେଲିମାର୍କେଟକୁ । ଜମୀର ମିଆଁ ଦୋକାନର ଖାସିମାଂସ ପାଇବାକୁ ହେଲେ ଭୋର ପାଞ୍ଚଟାରୁ ଲାଇନ ଦେବାକୁ ପଡେ ତା ଦୋକାନ ସାମ୍ନାରେ । ଅବଶ୍ୟ ସେଠି ପହଞ୍ଚି ଯାଇ ଥରେ ଲାଇନରେ ଛିଡା ହେଇପଡି , ‘ ହେଇଟି ମୋର ଲାଇନ ଏଇଠି ରହିଲା ମୁଁ ଟିକେ ମଣିଆ ପାଖରୁ ଚାହା ପିଇ ଆସେ ବୋଲି ‘ ଆଗରେ ଛିଡା ହେଇଥିବା କିମ୍ବା ପଛରେ ଛିଡା ହେଇଥିବା ଲୋକକୁ କହି ଚା’ ପିଇବାକୁ ଚାଲିଗଲେ ବି ଲାଇନଟା ରହିଥାଏ । କାରଣ ସମସ୍ତେ ସେଇ ଆଖପାଖର ଲୋକ , ମୁହଁ ଦେଖାଚାହାଁ ପରିଚୟ ସମସ୍ତଙ୍କ ସାଙ୍ଗେ ।

ଜମୀରମିଆଁ ଛେଳିକୁ ମାରି , ତାକୁ ସାଇକେଲ ରଡରେ ପକେଇ , ସାଇକେଲ ଠେଲି ଠେଲି ଆସେ ମାର୍କେଟକୁ । ସିମେଣ୍ଟ ପିଣ୍ଡି ଉପରେ ପକେଇ ତା ଦେହରୁ ଛାଲ ଉତାରେ । ତାପରେ ତାକୁ କଡିରୁ ଝୁଲୁଥିବା ଲୁହାଚେନରେ ବାନ୍ଧି ଝୁଲେଇ ଦିଏ । ସିଏ ଗୋଟେ ପଥରରେ ଘଷି ଘଷି ଛୁରି ଧାର କରିବା ଭିତରେ , ତା ସାଙ୍ଗେ ଆସିଥିବା ତାର ହେଲପର ଛୋଟୁମିଆଁ ଖାସିର ପେଟ ଚିରି ତାର ଅନ୍ତବୁଜୁଳା କାଢି , ପାଣିମାରି ଧୋଇଦିଏ । ଏବେ ଜମୀରମିଆଁ ଗରାଖଙ୍କର ଫରମାସି ମୁତାବକ ମାଂସ କାଟି , ଚାପଡରେ ଛୋଟ ଛୋଟ ଖଣ୍ଡ କରି ବଢେଇ ଦିଏ ସେମାନଙ୍କ ହାତକୁ ।

ସକାଳୁ ଉଠି ମାଆ କୋଇଲା ଆଞ୍ଚ ସଜାନ୍ତି । କୋଇଲାଚୁଲା ଭିତର ପଟ ରଡ ଉପରେ ଦୁଇ/ଚାରିଟି ଗୋବର ଘଷି ରଖି , ତା ଉପରେ ହାତୁଡିରେ ଛେଚି ଛୋଟ ଛୋଟ ଖଣ୍ଡ କରାଯାଇଥିବା କୋଇଲାକୁ ଚୁଲା ମୁହଁ ଯାଏଁ ଭରିଦିଅନ୍ତି ।ଚୁଲାର ତଳ ଖୋପରେ ଖଣ୍ଡେ କିରୋସିନିରେ ଭିଜା ଝୋଟ ଥୋଇ ସେଥିରେ ନିଆଁ ଲଗାନ୍ତି । କିଛି ସମୟ ପରେ ଘଷିରେ ନିଆଁ ଧରି ଧୂଆଁ ଉପରକୁ ଉଠେ । ଧୀରେ ଧୀରେ କୋଇଲାରେ ନିଆଁ ଲାଗେ ଓ ଦିକ ଦିକ ହେଇ ଜଳେ କୋଇଲା ।ଲାଲ ମିଶା ଗୋଲାପି ଆଭା ଫୁଟି ଉଠେ ସେଥିରୁ ।

ମାଆ ଖାସିମାଂସରେ ବଡ ବଡ ଖଣ୍ଡ ଆଳୁ ଆଉ ଅମୃତଭଣ୍ଡା ପକେଇ କୋଇଲା ଚୁଲାରେ ମାଂସ ତରକାରୀ ରାନ୍ଧନ୍ତି ।ମାଂସରେ ହଳଦୀ, ଲୁଣ ଗୋଳେଇ ସାରିଲା ପରେ ମାଆ ବସନ୍ତି ମସଲା ସଜେଇବାକୁ । ଆମକୁ ମିଳେ ରସୁଣ ଛଡେଇବା କାମ ।ମାଆ ଶିଖେଇ ଦିଅନ୍ତି , “ପ୍ରଥମେ ଗୋଟା ରସୁଣକୁ ଚାପି ସେଥିରୁ ରସୁଣର କୋଲା ବାହାର କର । ରସୁଣ କୋଲାର ମୁଣ୍ଡ ପଟକୁ ଚଟାଣରେ କେଞ୍ଚି ଦେଇ ତାର ମୁହଁକୁ ଟିକେ ଛେତେରା କର। ତାପରେ ଆଙ୍ଗୁଳି ନଖରେ ତେଡି ଚାରିପଟୁ ଚୋପା କାଢ ।“ ଶୁଣିଲା ବେଳକୁ ଲାଗେ ଭାରି କଷ୍ଟ କାମ । ହେଲେ ବଡ ସହଜରେ ଆମେ ଅକ୍ତିଆର କରି ନେଇଥିଲୁ ସେ କାମକୁ । ଏବେ ଘରକୁ ମାଂସ ଆସିଲା ପରେ , ମାଆଙ୍କୁ ଆଉ କିଛି କହିବାକୁ ପଡେନା । ଆମେ ରସୁଣ ଡାଲା ଟାଣି ଆଣି, ଆମ କାମ ଆରମ୍ଭ କରିଦେଉ ।ମାଆ ରସୁଣ ,ଅଦା,ପିଆଜ , ଜୀରା , ଧନିଆ , ଡାଲଚିନି , ଗୁଜୁରାତି ଆଉ ଶୁଖିଲା ଲଙ୍କାକୁ ଶିଳରେ ବାଟନ୍ତି ।

ମାଆ କୋଇଲାଚୁଲା ଉପରେ ସିଲଭର ଡେକଚି ଥୋଇ ସେଥିରେ ସୋରିଷ ତେଲ ଢାଳନ୍ତି । ମସଲା କଷି ମାଂସ ପକାନ୍ତି ଡେକଚିରେ । ସିଲଭର ଡେକଚିର ଘୋଡଣି ସନ୍ଧିରୁ କଷାମାଂସର ସୁନ୍ଦର ବାସ୍ନା ଘୁରି ବୁଲେ ଆମର ଟୁ-ରୁମବାଲା ଘରେ । ସେଇ ବାସ୍ନା ନାକ ପୁଡା ଡେଇଁ ପହଞ୍ଚିଯାଏ ଯାଇ ଦେହର ଭିତର ଅଳିନ୍ଦରେ ।ଜିଭ ତଳେ ଜକେଇ ଆସେ ଲାଳ । ଆମେ ନାକ ଦେଇ ଆହୁରି ଆହୁରି ଶୋଷାଡ଼ି ନେଉ ସେଇ ବାସ୍ନାକୁ ଦେହ ଭିତରକୁ । ଓହୋ ,କି ବାସ୍ନା । ବାସ୍ନା ବି ଏମିତି ଶିହରିତ କରେ ହୋ , ଏଇଟା ଆମ ଅଙ୍ଗେନିଭା କଥା ପା’ । ଆମେ ଭାଇଭଉଣୀ ଚୁଲି ପାଖରେ ଆସି ବସି ଯାଉ ଗୋଟେ ଗୋଟେ ଛୋଟିଆ ଷ୍ଟିଲଗିନା ଧରି , ମାଂସକଷା ଖାଇବା ପାଇଁ । ଆମ କର୍ତ୍ତୁତ୍ଵ ଚାଲିଥିଲେ ତ ଆମେ ବୋଧେ ସେଇ ଅଧା ସିଝା ମାଂସ ଖାଇ ଦେଇଥାନ୍ତୁ ଡେକଚିରୁ କାଢି । ହେଲେ ମାଆ ବାରମ୍ବାର ପିଠା ଖଡିକାରେ ମାଂସକୁ କେଞ୍ଚି , ମୁହଁକୁ ଆମ୍ବିଳେଇ କହୁଥାନ୍ତି ,’ ନା, ହେଇନି ଆହୁରି ଟିକେ ସିଝିବ ‘ । ମାଆଙ୍କ ମୁହଁରୁ ଏକଥା ବାହାରି କ୍ଷଣି ଆମ ମନରେ ଥିବା ଆଶାର ଦୀପଟା ଯେମିତି ଟିକେ ଅଧିକ ମଉଳି ଯାଉଥାଏ । ସେଇ ମୁହୂର୍ତ୍ତରେ ମାଆଙ୍କ ଉପରେ ପ୍ରବଳ ରାଗ ଆସେ । କେତେ ଆଉ ଶିଝିବ କି !

ଶେଷରେ ମାଆଙ୍କ ନୁହଁ ଟିକେ ଉଜ୍ଵଳ ଦିଶେ । ମାଂସକଷାର ବାସ୍ନା ଆହୁରି ମହକେ । ସମସ୍ତଙ୍କୁ ଖଣ୍ଡେ ଖଣ୍ଡେ କଷା ମାଂସ ମିଳେ ଚାଖିବା ପାଇଁ । ଆମ ପ୍ଳେଟରେ କଷା ମାଂସ ଦେଲା ପରେ ମାଆ ବାବାଙ୍କ ହାତକୁ ପ୍ଳେଟ ବଢେଇ ଦିଅନ୍ତି । ବାବା ସେଥିରୁ ଖଣ୍ଡେ କାଢି ମାଆଙ୍କୁ ଦେଇ କୁହନ୍ତି ,” ତୁମେ ବି ଖଣ୍ଡେ ନିଅ ।“

ରବିବାର ଦିନ ମାଆକୁ ଆମ ସାଙ୍ଗେ ଆଉ କେଚେରେ କେଚେରେ ହେବାକୁ ପଡ଼େନି, ପାଠ ପଢରେ , ଗାଧୁଆପାଧୁଆ ସାରରେ, କହି । ଆମେ ଶୀଘ୍ର ଶିଘ୍ର ପାଠ ପଢା ଶେଷ କରି , ରୋଷେଇ ସରିଲା ବେଳକୁ ଗାଧେଇପାଧେଇ ତୟାର ହେଇ ଯାଇଥାଉ । ଖାଲି ଥାଏ ଅପେକ୍ଷା ବାବାଙ୍କୁ । ବାବା ଆସିଲେ ଖିଆପିଆ ହେବ ।

ମାଂସ ତରକାରୀର ବାସ୍ନା ଅଥୟ କରୁଥାଏ ଆମକୁ। ବାବାଙ୍କର କିନ୍ତୁ ଆସିବା ଡେରି ହେଉଥାଏ ।ରବିବାର ଦିନ ବାବା ମାର୍କେଟିଙ୍ଗ ସାରି,ସାଙ୍ଗମାନଙ୍କ ସାଙ୍ଗେ ଟିକେ ଗପସପ କରିସାରି , ସେଲୁନରେ ଚୁଟି କାଟି , ଖିଅର ହେଇ ଘରକୁ ଆସନ୍ତି । ଆମେ ବାବାଙ୍କ ଅପେକ୍ଷାରେ ଘର ବାହାର ହେଉଥାଉ । ସାନ ଭାଇ ତ ଘର ସାମ୍ନାରେ ଥିବା କାଠଗେଟ ଉପରେ ଚଢି, ପଦାକୁ ଉହୁଙ୍କି ପଡି , ବାର ବାର ଚାହିଁ ଆସୁଥାଏ ଗଳିର ଶେଷ ମୁଣ୍ଡକୁ , ଯେଉଁ ରାସ୍ତା ଦେଇ ବାବା ଆମ ଗଳିରେ ପଶିବେ । ଶେଷରେ ବାବା ଆସି ପହଞ୍ଚନ୍ତି । ମାଆ ମାଂସ ହାଣ୍ଡି ଆଣି ଟେବୁଲ ମଝିରେ ଥୁଅନ୍ତି। ଏକା ମାପର ଗାତୁଆ,ଧଳା ଚୀନାମାଟି ଗିନାରେ ସମସ୍ତଙ୍କ ପାଇଁ ତରକାରୀ ବଢା ହୁଏ । ଧଳା ଗିନାରେ ଲାଲ ଲାଲ ଝୋଳ ଆମ ଭୋକକୁ ବହୁଗୁଣିତ କରି ପକାଏ । ମାଆଙ୍କ ହାତ ତିଆରି ମାଂସ ତରକାରୀର ପାଣିଆ ଝୋଳ ଥିଲା ମୋର ଅତି ପ୍ରିୟ । ମାଆ ମୋତେ ଯେତେ ଝୋଳ ଦେଲେ ବି ମୋତେ ଲାଗୁଥିଲା ମୋତେ କମ ଝୋଳ ମିଳିଛି ଭାଇ ଅପେକ୍ଷା । ଆଉ ମୁଁ ଝଗଡା କରେ , ସିଏ ପୁଅ ବୋଲି ମାଆ ତାକୁ ଅଧିକା ଦେଉଛନ୍ତି କହି ।ମାଆ ତାଙ୍କ ଗିନାର ଝୋଳ ତକ ଢାଳି ଦିଅନ୍ତି ମୋ ଗିନାରେ ।

ସେଦିନ ବି ମାଆ ଆଣି ମାଂସ ହାଣ୍ଡି ଥୋଇଲେ ଟେବୁଲ ମଝିରେ ।ତା ଚାରିପଟେ ଷ୍ଟିଲ ଥାଳି ଆଉ ସଫେଦ ଚୀନାମାଟି ଗିନା । ଆମେମାନେ ଅସ୍ଥିର ହେଇ ଅପେକ୍ଷା କରିଥାଉ ମାଂସ ତରକାରୀ ବଢା ହେବାକୁ ଏଇ ସମୟରେ ଦାଣ୍ଡପଟୁ ପାଟିତୁଣ୍ଡ ଶୁଭିଲା । ଆମ ସାମ୍ନା ଘରେ ଥିବା ସୁଷମାଆଣ୍ଟିଙ୍କ ଘର ଆଡୁ ଶବ୍ଦ ଆସୁଥାଏ । ମାଆବାବା ଦଉଡିଗଲେ ବାହାରକୁ , କଣ ହେଇଛି ଜାଣିବାକୁ । ତାଙ୍କ ପଛେ ପଛେ ଆମେ ବି ।

ସୁଷମାଆଣ୍ଟିଙ୍କ ଘର ସାମ୍ନାରେ ଅନେକ ଲୋକ ଗଦା ହେଇଥିଲେ । କଥା କଣ କି – ଆମ ଗଳିର ଶେଷମୁଣ୍ଡ କ୍ଵାର୍ଟରରେ ରହୁଥିବା ମହାପାତ୍ର ଅଙ୍କଲ-ଆଣ୍ଟି ,ଦୁହେଁ ଚାକିରିଆ ।ସେମାନେ ତାଙ୍କର ପିଲାଙ୍କର ଦେଖାଶୁଣା କରିବା ପାଇଁ ଗୋଟେ ବାର / ତେର ବର୍ଷର ଝିଅକୁ ଆଣି ତାଙ୍କ ଘରେ ରଖିଥିଲେ । ଝିଅଟି ସହର ଉପାନ୍ତରେ ଥିବା ଏକ ଆଦିବାସୀ ଗାଁର । ତାକୁ କୌଣସି କାରଣ ଯୋଗୁଁ ଆଣ୍ଟି ଟିକେ ଗାଳି ଦେବାରୁ ସିଏ ରୁଷି ଯାଇ ଘରୁ ପଳେଇ ଆସିଛି । ଅଙ୍କଲ- ଆଣ୍ଟି ତାକୁ ଗୋଡେଇ ଗୋଡେଇ ଧରିବା ପାଇଁ ଚେଷ୍ଟା କରିବାରୁ ସିଏ ଆସି ସୁଷମାଆଣ୍ଟିଙ୍କର ବାଡିପଟ ହତା ଭିତରେ ଥିବା ଗାଧୁଆଘରେ ପଶି ଭିତରୁ କବାଟ ବନ୍ଦ କରିଦେଇଛି । ଯେତେ ଡାକିଲେ କବାଟ ଖୋଲୁନି ।

ମହାପାତ୍ର ଆଣ୍ଟି କହୁଥିଲେ ଝିଅଟି ଓଲେଈଖାଇ । ଯେତେ ଖାଇବାକୁ ପିଇବାକୁ ଦେଲେ ବି ତାର ପେଟ ପୁରେନି । ଲୁଚେଇ ଚୋରେଇ ଖାଏ । ଫଳମୂଳ , କ୍ଷୀରଦହି, ମାଛମାଂସ କିଛି ବାଦ ଯାଏନି ତା ପାଟିରୁ ।ତାର ବାପମାଆଙ୍କୁ ବର୍ଷକର ପାଉଣା ଆଡଭାନ୍ସ ଆକାରରେ ଦେଇ ଦେଇଛୁ । ନହେଲେ କଉ କାଳୁ ୟାକୁ ବିଦା କରି ସାରନ୍ତୁଣି । ଯୁଗ ପରା ଖରାପ ଆଜ୍ଞା , ଏଇ କାଙ୍ଗାଳମାନଙ୍କର ପେଟ କିଛିରେ ପୁରେନି । ଏଗୁଡାଙ୍କର ଯେତେ କର , ଶେଷରେ ତୁମରି ମୁହଁରେ ମୁତିବେ । ଅଙ୍କଲ ଚୁପଚାପ ଛିଡା ହେଇଥାନ୍ତି ।ତାଙ୍କ ମୁହଁରୁ ମନର ଭାଷା ଜମାରୁ ପଢି ହେଉ ନଥିଲା ।

ଆଣ୍ଟି ବିରକ୍ତ ହେଇ କହୁଥାନ୍ତି ," ବାହାରୁ ସେ ଟୋକୀ । ଆଜି ଦଉଛି ତାକୁ ପାନେ । ଖାଇପିଇ ତାର ଚର୍ବି ବଢିଗଲାଣି । ଖାଇବାକୁ ନ ପାଇ ଚମ ଧୁଡୁଧୁଡୁ ହଉଥିଲା । ଏବେ ଚେର ଲାଗିଗଲାଣି । ନିଜ ପିଲାଙ୍କ ଠାରୁ ଅଧିକ ଭଲରେ ରଖିଥିଲି । ଆଜି ରବିବାର ପରାଟାରେ , ଆମକୁ କେମିତି ନାମ ଦଉଛି ଦେଖ ।କଥାରେ ଅଛି ପରା ମଣିଷ ଗଛ ଲଗେଇବା ପାପ । "

ସମସ୍ତେ ବାରି ବାରି କବାଟ ବାଡଉଥାନ୍ତି । ହେଲେ କବାଟ ସେପଟେ ଝିଅଟା ଯେମିତି ପଥରେଇ ଯାଇଥାଏ । ଶେଷରେ ମାଆ ସମସ୍ତଙ୍କୁ ଇସାରରେ ଚୁପ ହେବାକୁ କହି , କବାଟ ଉପରେ ମୃଦୁ ଆଘାତ କରି କହିଲେ , “ ଆରେ ମାଆ , କବାଟ ଖୋଲ । ଜମାରୁ ଡରେନା , ତୋତେ କେହି କିଛି କହିବେନି । ମୁଁ ଅଛି ନା’। ଖୋଲି ଦେ’ କବାଟ । “

ମୋ ମାଆର ସ୍ଵରରେ ଏମିତି କଣ ପଦ୍ମ ତୋଳା ଥିଲା କେଜାଣି , ପର ମୁହୂର୍ତ୍ତରେ ଖୋଲି ଯାଇଥିଲା କବାଟ । ଯେମିତି ଗୁଣ୍ଡିଚାଙ୍କର ଜିଦରେ ଖୋଲିଥିଲା ମନ୍ଦିର ଦୁଆର ଆଉ ଜଗା ଚିରଦିନ ପାଇଁ ଅଧା ଗଢା ହେଇ ରହି ଯାଇଥିଲେ । ପରେ ମାଆ ବି ପସ୍ତେଇଥିଲା ଗୁଣ୍ଡିଚାରାଣୀଙ୍କ ପରି କାହିଁକି କବାଟ ଖୋଲିବାକୁ ଜିଦ କଲା ବୋଲି ।

ଖୋଲା କବାଟ ସେପଟେ ଛିଡା ହେଇଥିଲା ଅରାଏ ନିର୍ମମତା । ସମସ୍ତଙ୍କର ଆଖି ଥିଲା ଝିଅଟି ଉପରେ । ବୟସ ବାର କି ତେର ହେବ , ହେଲେ ସିଏ ଦୁଶୁଥିଲା ସାତ/ଆଠ ବର୍ଷର ଛୁଆଟିଏ ପରି । ନଳୀ ନଳୀ ହାତ । ଚେହେରାରେ ଦୁଃଖର ଗାଢ ମାନଚିତ୍ର ।ମୁହଁସାରା ଲୁହ, ନାଳ , ସିଙ୍ଘାଣି ମିଶି ଏକକାର । କାଉ ଖୁମ୍ପିଲା ପରି କଟାଯାଇଥିବା ନୁଖୁରା ଚୁଟି । ଦେହରେ ଗୋଟେ ବଡ ମାପର ଜାମା । ବୋତାମ ନଥିବାରୁ ଜାମାର କାନ୍ଧ ଖସି ଆସି ପଡିଛି କହୁଣୀ ଉପରେ ।ଆଉ ଗୋଡରେ, ଠିକ ଆଣ୍ଠୁ ତଳକୁ ଗୋଟେ ବଡ ଘାଆ ।ପୁରୁଣା ପୋଡା ଘା’ ବୋଧେ । ଘା’ରୁ ଚୋପା ଓହଳି ପଡିଛି । ବିନା ଔଷଧରେ ବିଷେଇ ଯାଇ ନାଲିଚିଆ ନସି ପାଣି ବୋହୁଛି ସେଥିରୁ।ଘା’ ଚାରିପଟର ଚମଡା ନାଲିମିଶା କଳା ପଡିଯାଇଛି । ଝିଅଟା ଛୋଟେଇ ଛୋଟେଇ ଚାଲୁଛି । ଭଁଅର ଫୁଲ ପ୍ରତି ଆକର୍ଷିତ ହେଲାପରି ଦୁଇ , ତିନିଟି ମାଛି କେଉଁଠୁ ଉଡି ଆସି ବସି ପଡିଲେ ସେଇ ଘା’ ଉପରେ । ଫୁଲର ମହୁ ପରି ଘା’ର ସେଇ ନାଲିଚିଆ ନସିପାଣି ପ୍ରତି ଆକର୍ଷଣରୁ ହୁଏତ ମାଛିମାନେ ନିଜକୁ ପ୍ରତିହତ କରି ପାରୁନଥିଲେ । ଝିଅଟି ବାରମ୍ବାର ନଇଁ ପଡି ହୁରୁଡଉଥିଲା ମାଛିମାନଙ୍କୁ । ସବୁ କିଛି ମିଶି ଯେମିତି ଝିଅଟିକୁ କରି ଦେଇଥିଲେ ବିଷାଦେଶ୍ଵରୀ କେହି କିଛି କହିବା ପୂର୍ବରୁ ମହାପାତ୍ରଆଣ୍ଟି ଆଗେଇ ଆସି ତାର ନହନହକା ବାହାକୁ ଧରି ଟାଣିନେଲେ । “ ଆପଣମାନେ ସମସ୍ତେ ଆମ ପାଇଁ ଆଜି ହଇରାଣ ହେଲେ । ସମସ୍ତଙ୍କର ରବିବାରିଆ ଖାଇବା ଡେରି ହେଲା ଆମ ପାଇଁ । ଏବେ ଯାଅନ୍ତୁ ଆପଣମାନେ ... ଆମେ ବି ଯାଉଛୁ । “ କହିସାରି ସିଏ ଝିଅଟିର ଡେଣାକୁ ଧରି ଆଗେଇଗଲେ ତାଙ୍କ ଘର ଆଡେ ।ତାଙ୍କ ସ୍ଵରରେ ଆଦେଶ ଥିଲା କି ଅନୁରୋଧ ଥିଲା କେଜାଣି ସମସ୍ତେ ଯେ’ ଝା’ ଜାଗାରେ ସ୍ଥିର ହେଇ ଛିଡା ହେଇଥିଲେ । ଝିଅଟି ଘୋଷାଡ଼ି ହେଇ ଯାଉ ଯାଉ ପଛକୁ ଚାହୁଁଥିଲା ଲୁହ ଡବ ଡବ ଆଖିରେ । ତାର ଆଖିର ନୀରବ ଚାହାଣି ଯେମିତି କହୁଥିଲା , " ଖୋଲି ଦେଲ ତ କବାଟ , ରଖିଦେଲ ତ ଦିଅଁଙ୍କୁ ଅଧା ଗଢା କରି । ଆମେ ଫେରି ଆସିଲୁ ଘରକୁ । ଟେବୁଲ ଉପରେ ବଢା ହୋଇଥିଲା ଭାତ ଆଉ ଧଳା ଧଳା ଚାଇନାଗିନାରେ ମାଂସ ତରକାରୀ । ମୁଁ କିଛି ଭାତ ଥାଳି ଧାରକୁ ଟାଣି ଆଣି ସେଥିରେ ଝୋଳ ଗୋଳେଇବାକୁ ଗିନା ଭିତରେ ହାତ ବୁଡେଇଲି । ହଠାତ ମୋତେ ଲାଗିଲା ଝୋଳ ନୁହେଁ କିଛି ନସିପାଣି ଗୋଳେଇ ହେଇଗଲା ମୋ ହାତରେ । ଓଠ ପାଖକୁ ଯିବା ପୂର୍ବରୁ ହାତ ମୋର ଅଟକିଗଲା । ବାନ୍ତି ଉଠେଇଲା ମୋତେ । ‘କଣ ହେଲା, ନ ଖାଇ କାହିଁକି ଉଠିଗଲୁ’ ବୋଲି ମାଆ ପଚାରିଲା ବେଳକୁ ମୁଁ ଉଠି ଯାଇ ହାତ ଧୋଇ ସାରିଥିଲି । *******

ଭୁବନେଶ୍ଵର ପ୍ରଧାନ ଡାକଘର

ଭୁବନେଶ୍ଵର- ୭୫୧୦୦୧

ମୋବାଇଲ- 8249437276











"।

ଆମିଷ ଛୁରି ବିଷାଦେଶ୍ଵରୀ

Rate the content


Originality
Flow
Language
Cover design

Comments

Post

Some text some message..