Satyabrata Ojha

Inspirational


4.0  

Satyabrata Ojha

Inspirational


ତୀର୍ଥ

ତୀର୍ଥ

6 mins 2.0K 6 mins 2.0K

"ଆରେ ଜଲଦି କର, ଟ୍ରେନ ଟାଇମକୁ ଲେଟ ହେଇଯିବା ଯେ।"

"ହଁ ସରିଲା, ଯାଉଛି।"

"ସବୁ ଜିନିଷ ଆସିଲା ତ?"

"ହଁ, ତିନିଟା ତ ବ୍ୟାଗ। ଗୋଟେରେ ବାପାଙ୍କର ଓ ତମର ଡ୍ରେସ୍, ଆଉ ଗୋଟେରେ ମୋର ଗୁଡୁଲୁର ଡ୍ରେସ୍, ଓ ଗୋଟେ ଖାଇବା, ପାଣି ବୋତଲ ବ୍ୟାଗ। କଥାରେ ଅଛି ପରା, 'ଯାତ୍ରା ସମୟରେ କମ୍ ଜିନିଷ, ଯାତ୍ରାକୁ କରେ ଉଲ୍ଲାସ ଉଶ୍ୱାସ।" ଢଗଟି କହି ନିଜ କଥା ସମାପ୍ତ କଲା ରଶ୍ମୀ।

"ହଉ ହଉ ଆସ, ବାପା ତମେ ଅଟୋରେ ବସ, ଗୁଡୁଲୁ ତୁ ମାମା ପାଖରେ ବସେ।" ନିଜ ଦାୟିତ୍ୱ ତୁଲାଇଲା ବିମଳ।

ଯଥା ସମୟରେ ଷ୍ଟେସନରେ ପହଞ୍ଚି, ନିର୍ଦ୍ଧାରିତ ଟ୍ରେନ ଧରି, ୨୪ଘଣ୍ଟାର ଦୀର୍ଘ ଯାତ୍ରାପରେ, ସେମାନେ ପହଁଞ୍ଚିଲେ ସେମାନଙ୍କର ବହୁ ଇପ୍ସିତ ତୀର୍ଥକ୍ଷେତ୍ର ଶିରିଡ଼ିରେ। ହୋଟେଲରେ ଗାଧୁଆ ପାଧୁଆ ସାରି ସପରିବାର ବାହାରିଲେ ବାବାଙ୍କ ଦର୍ଶନାର୍ଥେ। ଦୀର୍ଘ ଏକ ଘଣ୍ଟା ଲାଇନ ରେ ଠିଆ ହେଲାପରେ ବାବାଙ୍କ ଦର୍ଶନ ସୁଯୋଗ ମିଳିଲା। ବାବାଙ୍କ ଦର୍ଶନୋପରାନ୍ତେ ବାହାରକୁ ଆସିଲା ପରେ ବିମଳ କହିଲା, "ବିବାହର ଦଶବର୍ଷ ପରେ ହେଉ ପଛେ,ଶିରିଡି ରେ ବାବାଙ୍କୁ ଦର୍ଶନ କରିବାର ତୁମ ଇଛାଟା ଆଜି ପୁରଣ ହୋଇଗଲା।"

"ଖାଲି ବାବାଙ୍କୁ ଦର୍ଶନର ଇଛା ନୁହେଁ,ତୁମ ସହ ଶିରିଡିରେ ବାବାଙ୍କୁ ଦର୍ଶନର ଇଛା।" ଭ୍ରମ ସଂଶୋଧନ କଲା ରଶ୍ମୀ।

"ହଁ ତମେ ଠିକ କହିଲ, ତମେ ତ ବିବାହ ଆଗରୁ ବି ଶିରିଡ଼ି ଆସି ସାରିଛ, ତୁମ ପରିବାର ସହ।" "ଭାଇ ଉଠ ତୁମ ଷ୍ଟପେଜ ଆସିଗଲା।" କଣ୍ଡକ୍ଟର୍ ର ଡାକରେ ନିଦ ଭାଙ୍ଗିଲା ବିମଳର। ତଳକୁ ଓହ୍ଲାଇ ଦେଖିଲା ଅଦିନିଆ ବର୍ଷାରେ ରାସ୍ତାସାରା କାଦୁଅ। ଗୋଟିଏ ବି ରିକ୍ସା କେଉଁଠି ଦେଖା ଯାଉନି। ଦେଢ଼କିଲୋମିଟର ରାସ୍ତା ଚାଲି ଚାଲି ଆସି ପହଞ୍ଚିଲା ଘରେ।

ଘର ଭିତରେ ପଶି କବାଟ ଦେଇଦେଲା ଭିତରୁ। କିନ୍ତୁ ଭିତରେ ସ୍ଥିର ହୋଇ ବସି ପାରିଲାନି। ଝର୍କା ଖୋଲି ବାହାରକୁ ଚାହିଁଲା। ଝର୍କାପାଖ ବଉଳ ଗଛପତ୍ରରୁ ସେ ଯାଏଁ ପାଣି ପଡୁଥିଲା ଟପ୍ ଟପ୍। ଶୀତଦିନେ ପୁଣି ବର୍ଷା କଣ....!!! ବିମଳ ଭାବିଲା। ଏମିତି କେତେ ଯେ ଅଦିନିଆ ଶ୍ରାବଣର ଝଡ଼ିରୁ ସେମାନଙ୍କୁ ରକ୍ଷାକରିଥିବା ନିହାତି ଆତ୍ମୀୟ ଜଣଙ୍କ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସୁଦୂର ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ।, ପ୍ରାଣନାଶକ କର୍କଟ ରୋଗରେ ଆକ୍ରାନ୍ତ ହୋଇ। ଗଛପତ୍ରରୁ ଟପ୍ ଟପ୍ ଝରି ପଡୁଥିବା ପାଣିକୁ ଦେଖି ତାକୁ ଲାଗୁଥିଲା ସତେ ଯେମିତି ତା ବୋଉ ଆଖିରୁ ଲୁହ ଝରେଇ କହୁଛି, "ବାପା ବିମୁରେ ବଞ୍ଚେଇଦେ ତୋ ବାପାଙ୍କୁ।" କାଲିଭଳି ଲାଗୁଛି, ସେଦିନ ଶ୍ରୀଗୁଣ୍ଡିଚା ଥାଏ। ଝିପିଝିପି ବର୍ଷାରେ ବାପାବୋଉ ଏ ବଉଳ ଗଛଟିକୁ ଲଗାଇଥିଲେ। ବାପାବୋଉ ଦୁହେଁ ମିଶି ସେ ଗଛଟିର ଜତ୍ନ ନେଉଥିଲେ। ଗଛଟି ବଡ଼ ହେଲା ପରେ ବାପା ରାଜମିସ୍ତ୍ରୀକୁ ଡାକି ତା ଚାରିପଟେ ଏକ ଚଉପାଡି ତିଆରି କଲେ। ସନ୍ଧ୍ୟାରେ ବାପାବୋଉ ଘଡ଼ିଏ ସେହି ଚଉପାଡିରେ ବସୁଥିଲେ। ବାପାବୋଉଙ୍କର ସୁଖଦୁଃଖ ର ସାଥି ଓ ସାକ୍ଷୀ ଏଇ ବଉଳ ଗଛ। ଆମ ଘରେ ଗୋଟେ ଗାଈ ଥିଲା ତା ନାଁ ଥିଲା ବଉଳା। ଠିକ 'ବଉଳା ଓ ବାଘ' ଗପର ବଉଳା ପରି। ନିହାତି ନିରୀହ ଓ ଶାନ୍ତ। ବଉଳ ଗଛ ଓ ବଉଳା ଗାଈ ପାଇଁ ଆମ ଘରକୁ ସମସ୍ତେ 'ବଉଳ ବଉଳା' ଘର ବୋଲି ସମ୍ବୋଧନ କରିଥିଲେ। ବାପା ବୋଉଥିଲେ ପରସ୍ପରର ପରିପୁରକ। ବାପଥିଲେ ସାହସୀ କିନ୍ତୁ ବୋଉ ଥିଲା ତାଙ୍କ ସାହସ। ବାପାଥିଲେ ଧର୍ଯ୍ୟବାନ ବୋଉଥିଲା ତାଙ୍କ ଧୈର୍ଯ୍ୟ। ଘରର ସମସ୍ତ କାମରେ ବାପାଙ୍କ ସହ ବୋଉ ଅଣ୍ଟା ଭିଡ଼ି ଛିଡ଼ା ହେଉଥିଲା। ବୋଉ ଚାଲିଗଲା ପରେ ବାପା ଏକ ପ୍ରକାର ଭାଙ୍ଗିପଡିଲେ। ସନ୍ଧ୍ୟାରେ ସେଇ ଚଉପାଡି ଉପରେ ବାପା ଆଜିବି ବସନ୍ତି ଏକୁଟିଆ ଦୀର୍ଘ ସମୟ ଧରି। ପଚାରିଲେ କୁହନ୍ତି ଏକୁଟିଆ କେଉଁଠି ବସିଥିଲି; ତୋ ବୋଉ ପରା ବସିଥିଲା ମୋ ସହ। ବୋଉ ସେ ବଉଳ ଗଛରେ ରହେ ବୋଲି ବାପା ବିଶ୍ୱାସ କରନ୍ତି।

ବାପା ଟାଟା ମେମୋରିଆଲ ରେ ଭର୍ତ୍ତି ଅଛନ୍ତି। ସେ ଗାଁ କୁ ଆସିଛି ପଇସା ଯୋଗାଡ କରି ନେବାକୁ। ଯାହା କିଛି ନେଇଥିଲା ତାହା ଅଳ୍ପ ଦିନରେ ସରିଗଲା। ସବୁବେଳେ ଆର୍ଥିକ ଅନଟନ ଭିତରେ ଗତିକରୁଥିବା ନିମ୍ନ ମଧ୍ୟବିତ୍ତ ପରିବାରର ମୁଖିଆ ଟିଏ ଅବା ଏକକାଳୀନ ଏତେ ପଇସା କେଉଁଠୁ ଯୋଗାଡ କରିବ। କିଂକର୍ତବ୍ୟବିମୁଢ ହୋଇଯାଉଥିଲା ତାର ଭାବନା। ପୈତୃକ ସମ୍ପତ୍ତି କଥା ଚିନ୍ତା କଲାବେଳକୁ ଭାବୁଥିଲା, ଜମି ବୋଇଲେ ଦେଢ଼ ଏକର ତାକୁ ଯଦି ବିକ୍ରି ତେବେ ସଂସାର ଚଳିବ କେମିତି? ବିମଳ ନା କିଛି ଭାବି ପାରୁଥିଲା ନା କିଛି ସ୍ଥିର କରିପାରୁଥିଲା। ଖୋଜୁଥିଲା ରଶ୍ମୀର ସାହଚର୍ଯ୍ୟ। କିନ୍ତୁ ରଶ୍ମୀ ଥିଲା ବାପାଙ୍କ ପାଖେ ହସ୍ପିଟାଲରେ।

ରଶ୍ମୀ ବିମଳର ସ୍ତ୍ରୀ। ସାଇବାବାଙ୍କର ପରମ ଭକ୍ତ। ବିବାହର ଦଶବର୍ଷ ପରେ ରଶ୍ମୀର ଏକମାତ୍ର ଇଛା ପୁରଣ କରିବାକୁ ଅତି କଷ୍ଟରେ ୧୦,୦୦୦ଟଙ୍କା ଯୋଗାଡ କରିଥିଲା ବିମଳ, ସପରିବାର ଶିରିଡି ଯିବେ ବୋଲି। କିନ୍ତୁ ବାବାଙ୍କର ଇଛା କଣ ଥିଲା କେଜାଣି ସେତେକ ପଇସା ଗଲା ବାପାଙ୍କ ଚିକିତ୍ସାରେ। ଏମିତି ନୁହେଁ କି ରଶ୍ମୀ ଅଗରୁ ଶିରିଡି ଯାଇନି, କିନ୍ତୁ ବିବାହ ପରେ ସପରିବାର ଯିବ ବୋଲି ସେ ଇଛା କରିଥିଲା। କିନ୍ତୁ ଗତ ଦଶବର୍ଷରେ ସେମିତି ସୁଯୋଗ ସୃଷ୍ଟି ହୋଇପାରିଲାନି।

ରଶ୍ମୀ ଓ ବିମଳର ବିବାହ ଏକ ନାଟକୀୟ ପରିସ୍ଥିତିରେ ହୋଇଥିଲା।। ରଶ୍ମୀ, ବିମଳର ବାପାଙ୍କର ଜଣେ ଧନୀକ ବାଲ୍ୟ ବନ୍ଧୁଙ୍କ କନ୍ୟା। ରଶ୍ମୀର ବିବାହୋତ୍ସବ ରେ ଯୋଗଦେବାକୁ ନିମନ୍ତ୍ରିତ ହୋଇ ଉପସ୍ଥିତ ଥିଲେ ବିମକ ଓ ତା ବାପା। ବିବାହ ବେଦୀ ଉପରେ ବରଘର ତାରଫରୁ ଅଧିକ ଯୌତୁକ ଦାବିକୁ ବିରୋଧ କରି ରଶ୍ମୀ ମନା କରିଦେଲା ସେଠି ଵିଵାହ କରିବାକୁ। ବର ସିନା ଶିଶୁପାଳ ହୋଇ ଫେରିଗଲା କିନ୍ତୁ ମଙ୍ଗୁଳା କନ୍ୟାର ବିବାହକୁ ନେଇ ଢେର ଚିନ୍ତିତ ହୋଇପଡିଲେ ରଶ୍ମୀର ପିତା। ହେଲେ ଅପରପକ୍ଷେ ରଶ୍ମୀର ଏତାଦୃଶ ପଦକ୍ଷେପରେ ଅତ୍ୟନ୍ତ ପ୍ରଭାବିତ ହେଲେ ବିମଳର ବାପା। ସେ ତାଙ୍କ ବାଲ୍ୟବନ୍ଧୁଙ୍କୁ ପାଖକୁ ଡାକି କହିଲେ, " ମୋର ଗୋଟେ କଥା ରଖିବୁ?" ବନ୍ଧୁ ଅତ୍ୟନ୍ତ ମ୍ରିୟମାଣ ହୋଇ କହିଲେ, " ତୁ ତ ଦେଖୁଛୁ ମୋ ମାନସିକ ସ୍ଥିତି ଏବେ କଣ, ଏ ପରିସ୍ଥିତିରେ ମୁଁ ତୋର ଅବା କେଉଁ କଥା ରଖିପାରିବି?

"ତୋ ଝିଅକୁ ମୋ ଘରକୁ ବୋହୁ କରି ପଠେଇ ପାରିବୁ?"

ଏ କଥା ପଦିକ ଶୁଣିଲା ପରେ, ବନ୍ଧୁଙ୍କ ଆଖିରୁ ଝରିଆସୁଥିବା ଦୁଃଖ ଓ ହତାଶାଶ୍ରୁ କେତେବେକେ ଯେ ଆନନ୍ଦାଶ୍ରୁରେ ପରିଣତ ହୋଇସାରିଥିଲା ସେ ନିଜେ ବି ଜାଣି ପାରି ନଥିଲେ। ଏକ ଦୃଢ ଆବେଶପୁର୍ଣ୍ଣ ଆଳିଙ୍ଗନରେ ସେ ବିମଳର ପିତାଙ୍କୁ ବାନ୍ଧି ଧରିଲେ।

"ହେଲେ ମୋର ଏକ ସର୍ତ୍ତ ଅଛି!" ବିମଳ ପିତା ସମାପ୍ତ କଲେ ନିଜ ଅଧା କଥା।

"ସର୍ତ୍ତ ଏଇଆ ଯେ ମୋ ଝିଅ ଯାହା ପିନ୍ଧିଛି ସେତିକି ରେ ଯିବ ତୋ ଘରକୁ, ଆରେ ମୁଁ କଣ ତତେ ଚିହ୍ନିନି! ଯୌତୁକ ବିରୋଧୀ ପ୍ରବାଦ ପୁରୁଷ ପରା ତୁ। ସେଇଆ ହିଁ ହେବ ସମୁଦୀ।" ଆଲିଙ୍ଗନ ହେଲା ଦୃଢ଼ତ୍ତର। ସେଇ ବେଦୀରେ ଵିଵାହ ବନ୍ଧନରେ ଆବଦ୍ଧ ହେଲେ ରଶ୍ମୀ ଓ ବିମଳ।

ମିଳନର ପ୍ରଥମ ରାତିରେ ବିମଳ ପଚାରିଲା, " ରଶ୍ମୀ ମୋର ଗୋଟେ ପ୍ରଶ୍ନର ଉତ୍ତର ଦେବ?"

ଅବଗୁଣ୍ଠିତ ସୀମନ୍ତିନୀ ରଶ୍ମୀ ମୁଣ୍ଡ ଟୁଙ୍ଗାରି ନିଜର ସମ୍ମତି ପ୍ରକାଶ କଲା।

" ତୁମ ପାଖକୁ ଆସିବାକୁ ତୁମର ଛୋଟ ପିଲାଟି କାନ୍ଦି କାନ୍ଦି ଅବାଧ୍ୟ ହେଉଛି, ସେହି ସମୟରେ ତୁମ ଶାଶୁ କି ଶଶୁର କିଛି ଗୋଟେ କାମ କହିଲେ କରିବାକୁ, ତୁମେ ପ୍ରଥମେ କାହାକୁ ଧ୍ୟାନ ଦେବା?"

" ମୁଁ ପ୍ରଥମେ ଶାଶୁ ଶଶୁରଙ୍କ କାମ ପ୍ରତି ଧ୍ୟାନ ଦେବି, କାରଣ ପିଲାଟି ଯେତେ କାନ୍ଦିଲେବି ମା' ତାକୁ ଯେତେବେକେ ହାତ ବଢ଼େଇବ ସେ ଡେଇଁ ପଡିବ ମା" କୋଳକୁ, କିନ୍ତୁ ଶାଶୁ ଶଶୁର ଥରେ ଅଭିମାନ କରିନେଲେ ମୋ ପିଲା ଅପେକ୍ଷା ଯଥେଷ୍ଟ ଅଧିକ ପରିଶ୍ରମ କରିବାକୁ ପଡିବ ସେମାନଙ୍କୁ ମନେଇବାକୁ।" ସଂଭ୍ରମତାର ସହ ଉତ୍ତର ରଖିଲା ରଶ୍ମୀ।

ଏପରି ଏକ ଚମତ୍କାର ଉତ୍ତରରେ ଛାତି ଫୁଲି ଉଠିଲା ବିମଳ ର। ଆଉ ରଶ୍ମୀ ସେହି ନିୟମରେ ଚଳାଇ ଆସିଛି ସଂସାରକୁ। ଏତିକି ବେଳେ ରଶ୍ମୀର ଫୋନ ଆସିଲା। ଭାବନାରୁ ଫେରି ରଶ୍ମୀର ଫୋନ ଉଠାଇ ବିମଳ କହିଲା, "ହଁ କୁହ।"

"ଘରେ ପହଞ୍ଚିଗଲ?"

"ହଁ"

" ପଇସା କଥା କଣ ଚିନ୍ତା କଲ?"

ନିରବ ରହିଲା ବିମଳ। ଆଗରୁ ଅନେକ ଥର ବିମଳର ନୀରବତାକୁ ପଢ଼ିଛି ରଶ୍ମୀ। ଆଜିବି କାଳ ବିଳମ୍ବ ନକରି ବିମଳର ନୀରବତାକୁ ପଢ଼ିଲା ପରି ରଶ୍ମୀ କହିଲା, "ଆଲମାରୀ ରେ ମୋର ଗହଣା ଯେତେକ ଅଛି ବିକିଦେଇ ପଇସା ନେଇ ଶୀଘ୍ର ଆସି ପହଞ୍ଚ। ବାପାଙ୍କର ଟେଷ୍ଟ ରିପୋର୍ଟ ଆସିଯାଇଛି। ଡାକ୍ତର କହୁଥିଲେ ରୋଗଟା ପ୍ରଥମ ଷ୍ଟେଜରେ ଅଛି, ଯଥା ଶୀଘ୍ର ଚିକିତ୍ସା ଆରମ୍ଭ କରିଦେଲେ ସମୂର୍ଣ୍ଣ ଆରୋଗ୍ୟ ହେବାର ଯଥେଷ୍ଟ ସମ୍ଭାବନା ଅଛି। ତେଣୁ ତୁମେ ଆଉ କାଳ ବିଳମ୍ବ ନକରି ମୁଁ ଯାହା କହିଲି ସେୟା କର ଆଉ ଜଲଦି ଆସି ପହଞ୍ଚ। ବାପାଙ୍କର ଚିକିତ୍ସାରେ କିଛି ଅବହେଳା ହେବା ଅନୁଚିତ।" ନିଜ କଥା ସମ୍ପୂର୍ଣ କରି ଫୋନ କାଟିଲା ରଶ୍ମୀ।

ବିମଳ ଭାବୁଥିଲା, ଯେଉଁଦିନ ବୋଉ ଚାଲିଗଲା, ସେଦିନ ତାର ଶେଷ କଥା ଥିଲା, ଏ ସଂସାର ତତେ ଲାଗିଲା ଲୋ ମା', ତୋର ଗୋଟେ ନୁହେଁ ଦୁଇଟି ପୁଅ। ଗୋଟେ ପୁଅ ତୋର ଗୁଡୁଲୁ ଆଉ ଗୋଟେ ପୁଅ ତୋ ଶଶୁର। ସେହିଦିନଠୁଁ ସାରା ସଂସାର ଗୋଟେ ପଟେ ବୋଉ କହିଥିବା କଥା ଗୋଟେ ପଟେ। ଧନୀ ଘର ଝିଅ ରଶ୍ମୀ ଏ ଅଭାବୀ ତେଲ ଲୁଣ ସଂସାରରେ ଏମିତି ମିଶିଗଲା ଯେମିତି ତେଲଲୁଣ ସହ ଘାଣ୍ଟି ହେବା ସେ ଜନ୍ମରୁ ଶିଖିଛି। ବାହାଘର ଦଶବର୍ଷ ପରେ ମଧ୍ୟ ଶିରିଡି କୁ ତୀର୍ଥ କରିଯିବାର ଏକ ମାତ୍ର ଇଛା ପୁରଣ କରିପାରିଲାନି, ଜାଣେନା କେବେ କରି ପାରିବ କି ନା। ସେ ତାକୁ କିଛି ବି ଦେଇ ପାରିଲାନି, କିନ୍ତୁ ବାପାଙ୍କ ଚିକିତ୍ସା ଲାଗି ରଶ୍ମୀ କେମିତି ନିର୍ବିକାର ମନରେ ତାର ସମସ୍ତ ଗହଣା ଟେକିଦେଲା ତା ହାତରେ। ଏମିତି ଭାବୁ ଭାବୁ ଆଖି ଲାଗିଗଲା ବିମଳର।

"ଏତେ କଣ ଚିନ୍ତା କରୁଛ ଯେ! ତୀର୍ଥ ଯିବା ମୋର ଦରକାର ଥିଲା କିନ୍ତୁ ବାପାଙ୍କ ସେବା ବି କୌଣସି ତୀର୍ଥଠୁ କମ୍ ନୁହେଁ ମୋ ପାଇଁ। ମନ ଉଣା କରନି। ଏବେ ବାପାଙ୍କୁ ଆରୋଗ୍ୟ କରିବା ଆମର ଏକ ମାତ୍ର ଲକ୍ଷ୍ୟ ହେବା ଉଚିତ। ସେ ହିଁ ଆମର ସକଳ ତୀର୍ଥ। ସାଇବାବଙ୍କୁ ଡାକ ବାପା ଶୀଘ୍ର ଆରୋଗ୍ୟ ହୋଇଯାନ୍ତୁ। ହଁ ଆସିଲା ବେଳେ ଠାକୁର ଘରୁ ବାବାଙ୍କ ବିଭୁତି ଟିକେ ନେଇ ଆସିବ।" ଚାଉଁ କରି ନିଦ ଭାଙ୍ଗିଗଲା ବିମଳର। କାନ୍ଥକୁ ଅନାଇଲା, କାନ୍ଥରେ ସାଇବାବାଙ୍କ ଫଟ ଟା ହଳୁଥିଲା ବୋଧହୁଏ ପବନ ବାଜି। ସେଦିନ ସନ୍ଧ୍ୟାରେ ସବୁ କାମ ସାରି, ପରଦିନ ସକାଳେ ସେଇ ବଉଳ ଗଛ ପାଖେ ମୁଣ୍ଡିଆଟେ ମାରି ବିମଳ ବାହାରିଗଲା ଦୁନିଆଁର ସବୁଠୁ ବଡ ତୀର୍ଥ କରିବାକୁ।


Rate this content
Originality
Flow
Language
Cover Design