Rajabala Tripathy

Tragedy


3  

Rajabala Tripathy

Tragedy


ପରମ୍ପରାର ଦୁଇ ରୂପ

ପରମ୍ପରାର ଦୁଇ ରୂପ

4 mins 431 4 mins 431

ଦୃଶ୍ୟ-ଏକ

ଆଗକୁ ପଛକୁ ଚାହିଁ ବେଶ ସତର୍କତାରେ ସାମ୍ନାରେ ସଜା ହୋଇ ଚିକ ଚିକ କରୁଥିବା ନାଲି ନେଳି ଚୁଡିଗୁଡିକୁ ଧିରେ କିନା ଆଉଁସିଦେଲା ସୁନନ୍ଦା। ତା ଆଖିରେ ଫୁଟି ଉଠିଲା ଗୋଟେ ମିଠା ମିଠା ଭାବ ଯାହା ମୁହୂର୍ତ୍ତକ ପାଇଁ ଓଲହେଇଗଲା ଓଠଧାରକୁ ମିଠା ହସଟେ ହୋଇ। ଏଇ ନାଲି ନେଳି ଚୁଡ଼ିର ମୋହରେ ତ ଦିନେ ବାପାଙ୍କ କଥାରେ ହଁ ମାରି ପାଠ ପଢ଼ାରେ ଡୋରୀ ବାନ୍ଧି ବୋହୁ ବେଶରେ ବେଦୀରେ ବସିଥିଲା । ବିବାହ କାହାପାଇଁ କେତେ ସ୍ବପ୍ନ ନେଇ ଆସିଥିଲା ବେଳେ ତା ପାଇଁ କେବଳ ଥିଲା ହାତ ଭର୍ତ୍ତି ମୁଠା ମୁଠା ରଙ୍ଗୀନ ଚୁଡି।ଚୁଡିର ରୁଣୁ ଝୁଣୁ ତା କାନ ପାଇଁ ଥିଲା ଦୁନିଆର ସବୁଠୁ ମିଠା ଶବ୍ଦ। ଚୁଡିର ସ୍ୱପ୍ନରେ ବିଭୋର ସୁନନ୍ଦାର ନୂଆ ଜୀବନର ମଧୁର ସ୍ବପ୍ନସବୁ ଟୁକ କିନା ଭାଙ୍ଗି ଯାଇଥିଲେ ଠିକ କାଚ ଚୁଡ଼ିଟିଏ ଚଟ କିନା ଭାଙ୍ଗିଗଲା ପରି। ପାପୁଲିରୁ ମେହେନ୍ଦିର ରଙ୍ଗ ଲିଭିନଥିଲା, ଲିଭିଗଲା ତା ମଥାରୁ ସିନ୍ଦୁର। ସଡ଼କ ଦୁର୍ଘଟଣାରେ ଦୁନିଆ ଛାଡି ଚାଲି ଯାଇଥିଲେ ରବି, ତା ସ୍ବାମୀ। ଯାହା ସହ ସମ୍ପର୍କ ଖୁବ ଅଳ୍ପ ଦିନର । କଣ ଯେ ଘଟିଗଲା ତା ଜୀବନରେ କଥାଟିକୁ ଭଲରେ ବୁଝିବା ଆଗରୁ ଲୁହର ଦରିଆରେ ଭାସୁଥିବା ସୁନନ୍ଦା ହାତରୁ ଭାଙ୍ଗି ଦିଆଯାଇଥିଲା ତାର ଅତି ପ୍ରିୟ ନାଲି ନେଳି ଚୁଡି ପୁଞ୍ଜାକ। ଖଣ୍ଡ ଖଣ୍ଡ ହୋଇ ମାଟିରେ ଏଣେ ତେଣେ ବୁଣି ହେଇ ଯାଉଥିଲେ ଚୁଡି ଖଣ୍ଡ ସବୁ, ଲୁହ ଡବ ଡବ ଆଖିରେ ଶେଷ ଥର ପାଇଁ ଯାହା ଦେଖିଥିଲା ସେ।ବାସ, ତା ପରେ ଜୀବନରୁ ହଜିଯାଇଥିଲେ ସବୁତକ ରଙ୍ଗ। ଏକ ବିକଟ ଧଳା ରଙ୍ଗକୁ ପାଥେୟ କରି ବଞ୍ଚିବାକୁ ଛାଡି ଦିଆ ଯାଇଥିଲା ତାକୁ। ଅନେକ ରାତିର ସ୍ବପ୍ନରେ ତାର ଉଙ୍କିମାରେ ମୁଠା ମୁଠା ରଙ୍ଗୀନ ଚୁଡି ଯାହାକୁ ଛୁଇଁବାକୁ ଚେଷ୍ଟା କରୁ କରୁ ନିଦ ଭାଙ୍ଗି ଯାଏ । ଆଖ ପାଖର ବିବାହିତା ମହିଳାମାନଂକର ହାତରେ ରୁଣୁଝୁଣୁ କରୁଥିବା ନାଲି ଚୁଡି ଖୁବ ଆକର୍ଷିତ କରେ ତାକୁ। ଇଚ୍ଛା ହୁଏ ସମୟ ଓଲଟି ଯାଆନ୍ତା କି, ପୁଣିଥରେ ରଙ୍ଗିନ ଚୁଡିରେ ପୁରି ଉଠନ୍ତା ତାର ଶୂନ୍ୟ ହାତ। ହେଲେ ତାର ସେହି ଇପ୍ସିତ ବସ୍ତୁ ଯେ ତା ପାଇଁ ଏକ ନିଷିଦ୍ଧ ଆକାଂକ୍ଷା। ସେହି ରଙ୍ଗୀନ ଚୁଡି ପିନ୍ଧି ନୂତନ ଜୀବନର ଆରମ୍ଭର ଉତ୍ସବ, ବିବାହରେ ଯୋଗଦେବା ଆଜିକାଲି ତା ପାଇଁ ମନା, ସେ ଯେ ଅଶୁଭ।

ବେଶ କିଛି ମାସର ଗୃହ ବନ୍ଦୀ ଜୀବନ ପରେ, ଘରର ଚାରି କାଂଥ ଭିତରୁ ପ୍ରଥମ କରି ଖୋଲା ଆକାଶ ତଳକୁ ବାହାରିଛି ସୁନନ୍ଦା। କଲେଜ ପଢୁଆ ମାଉସୀ ଝିଅ ରୁଚି ଜୋର କରି ନେଇ ଆସିଛି ତାକୁ ଦୂର ଏକ ଗାଁରେ ଲାଗିଥିବା ମେଳାକୁ। ସେ ତ ଆଗକୁ ଆଗେଇ ଗଲାଣି କିନ୍ତୁ ଏଇ କାଚ ଚୁଡିର ଦୋକାନ ଆଗରେ ଅଟକି ଯାଇଛି ସୁନନ୍ଦାର ପାଦ। ସୁନ୍ଦର ଚିକଚିକ କରୁଥିବା ସୁନେଲି ଧାରବାଲା ନାଲି ଚୁଡି ମୁଠାକ ହାତରେ ମୁଠେଇ ଧରିଲା ସେ। ସତେ ଯେମିତି ଖାଲି ହାତ ତାର ତାକୁ ଆହ୍ୱାନ ହେଉଛି, ଦେ ପିନ୍ଧିଦେ ସେ ନାଲି ଚୁଡି। ପୂର୍ଣ୍ଣ କରିଦେ ଶୂନ୍ୟ ହାତ, ରଙ୍ଗୀନ କରିଦେ ତୋର ରଂଗହୀନ ଜୀବନ।

ନିଜ ଉପରେ ନିୟନ୍ତ୍ରଣ ହରେଇ ଚୁଡି ମୁଠାକ ହାତରେ ପଶାଉ ପଶାଉ କାନରେ ପଡିଲା ଶବ୍ଦ କେତୋଟି "ତୁ ପରା ବିଧବା" । ଚମକି ପଡିଲା ସୁନନ୍ଦା। କିଏ କହିଲା ଏ କଥା। ଚାରିପାଖେ ଆଖି ବୁଲେଇ ଦେଖିଲା ଚୁଡ଼ିବାଲା ଅନ୍ୟ ଏକ ଗ୍ରାହକ ସହ ବ୍ୟସ୍ତ। ତେବେ କିଏ କହିଲା ତାକୁ ଏ କଥା ପଦକ। କଣ ସେ ନିଜେ। ତା ନିଜ ମନରେ ଥିବା ଦ୍ବନ୍ଦର ଏ ପ୍ରତିଫଳନ ନୁହେଁ ତ। ତା ମୁଣ୍ଡରେ ଯୁଗ ଯୁଗରୁ ପ୍ରଥା ପରମ୍ପରା ନାମରେ ଭର୍ତ୍ତି କରାଯାଇଥିବା କଥା ସବୁର ଏ ସ୍ୱର ନୁହେଁ ତ। ଇଛା ହେଉ ବା ଅନିଚ୍ଛା ଏ ଜୀବନରେ ରଙ୍ଗୀନ ଚୁଡ଼ି ଉପରେ ତା ଅଧିକାର ହରେଇ ସାରିଛି ସେ, ଏହି ଅଲିଖିତ ସାମାଜିକ ନିୟମକୁ ବଦଲେଇବାର ସାମର୍ଥ୍ୟ ତାର କାହିଁ, ଏବେ ତା ଭାଗ୍ୟରେ କେବଳ ଏକ ସଫେଦ ଦୁନିଆ। ଚୁଡିତକ ଥାକରେ ଥୋଇଦେଇ ଓଦା ଆଖିରେ ଆଗକୁ ବଢିଗଲା ସୁନନ୍ଦା।

ଦୃଶ୍ୟ- ଦୁଇ

ହାତ ସାରା ଭାରି ଯନ୍ତ୍ରଣା। କେବଳ ହାତ ନୁହେଁ, ବେକ, କାନ ନାକ ସବୁରେ ବ୍ୟଥା। କଚଟିରୁ କହୁଣୀ ଯାଏଁ ପୂରି ଯାଇଛି ଭଳିକି ଭଳି ଚୁଡି, ଶଙ୍ଖା, ସୁନା ବଳା ଏମିତି କେତେ କଣ। ହାତର ଚୁଡିକୁ ଟିକେ ଆଡେଇ ଦେଖିଲା ରିନି, ହାତ ଯାକ ଭର୍ତି ହେଇଯାଇଛି ନାଲି ନାଲି ଫୋଟକାରେ ।ଜୁନ ମାସର ଭୀଷଣ ଗରମକୁ ଗୁଳୁଗୁଳି ଯୋଗୁ ଝାଳ ବାହାରି ଚୁଡି ଯୋଗୁ ରିଏକ୍ସନ ହେଇଯାଇଛି ବୋଧେ। ହାର ଭର୍ତି ବେକ ଝାଳ ଯୋଗୁ କୁଣ୍ଡେଇ କୁଣ୍ଡେଇ ନାଲି ପଡ଼ିଗଲାଣି। ଓଜନିଆ କାନ ଫୁଲ ଯୋଗୁ କାନର କଣାଟି ଟାଣି ହେଇ ହେଇ ଭାରି ବଥା କରୁଛି। ନୂଆ କରି ପିନ୍ଧିଥିବା ପାଦର ମୋଟା ମୋଟା ପାଉଁଜି ଆଉ ଝୁଣ୍ଟିଆ, କେତେ ଥର ଯେ ଝୁଣ୍ଟି ଝୁଣ୍ଟି ଖଣ୍ଡିଆ ଖବରା ହେଲାଣି। ତା ସହ ଅଭ୍ୟସ୍ତ ନଥିବା ବାନ୍ଧିଦେଲା ଭଳି ଶାଢ଼ୀ। ରୋଷେଇ ଘରର ଗରମ ପରିବେଶରେ ଝାଳରେ ଆକ୍ତା ମାକ୍ତା ହେଇ ରୋଷେଇ କରୁ କରୁ ପ୍ରାୟତଃ କାନ୍ଦି ପକେଇଲା ରିନି। ନିଜ ଦୁଃଖ କାହାକୁ କହିବ ସେ। କାହିଁ ହଜି ଗଲା ତାର ସୁଖର ଦିନ ସବୁ।ଜିନ୍ସ ପିନ୍ଧା ପ୍ରଜାପତି ପରି ବିନ୍ଦାସ ଜୀବନ। କେବଳ ଗୋଟିଏ ରାତି।ସେଇ ଗୋଟିଏ ରାତି ପରେ ସମ୍ପୂର୍ଣ୍ଣ ଭାବେ ଓଲଟି ଗଲା ତାର ପୃଥିବୀ। ଘରଦ୍ୱାର, ପରିବାର, ପରିଧାନ ସବୁ ବଦଳି ଗଲା। ବିବାହର ଅର୍ଥ କଣ ଏଇଆ। ଝିଅଟିକୁ ବାନ୍ଧି ପକେଇବା। କାହିଁ କିଛି ପରିବର୍ତ୍ତିତ ହେବାକୁ ପଡିନି ତ ସୁରଜଙ୍କୁ । ସବୁ କିଛି ଆଗଭଳି ତାଙ୍କ ଜୀବନରେ।ତେବେ ବିବାହ କଣ କେବଳ ତାର ହିଁ ହେଲା। ସେଦିନ କାନରୁ କାନ ଫୁଲଟି ବାହାର କରିଦେଇ କିଛି ସମୟ ପାଇଁ ଆଶ୍ୱସ୍ତ ହୋଇଥିଲା ସେ, " ଭାଉଜ, କାନ ଖାଲି ରଖନା, କିଏ ଦେଖିଲେ କଣ ଭାବିବ" ଟୋକି ଦେଇ ଥିଲେ ନଣନ୍ଦ ନିତୁ।" ବାହାଘରର ଛଅ ମାସ ଯାଏଁ ନୂଆ ବୋହୁ ହାତରୁ ପଟେ ବି ଚୁଡି କାଢି଼ବା ଜମା ଭଲ ନୁହେଁ" କଥା ଛଳରେ କହିଦେଇଥିଲେ ଶାଶୁ। ସାଲ୍ୱାର କି ଆଉ କଣ ପିନ୍ଧିବା ତ ଛାଡ଼ ଶ୍ୱଶୁର ଆଗରୁ ଓଢଣା ଖସିଗଲେ ଶାଶୁଙ୍କର ଅସନ୍ତୋଷର ନଜରର ଶିକାର ହେଉଥିଲା ସେ। " ଟିକେ କିଛି ଦିନ ଆଡ଼ଜଷ୍ଟ କରିଯାଅ, ପରେ ଘରେ କଥା ହେବି" ତାର ଲୁହଭର୍ତି ଆଖିକୁ ନ ଚାହିଁ ଉତ୍ତର ଦେଇଥିଲେ ସୁରଜ।

ଧୀରେ ଧୀରେ ମଉଳି ଯାଉଥିଲା ରିନିର ମନ। ତା କୁ ଲାଗୁଥିଲା ଯେପରି ପ୍ରଥା ପରମ୍ପରା ନାମରେ ଡେଣା କାଟି ପିଞ୍ଜରାରେ ପଶେଇ ଦେଇଥିବା ଚଢେଇଟିଏ ସିଏ। ବିବାହ ନୁହେଁ ତ ଯେମିତି ଜଞ୍ଜିରଟିଏ ବାନ୍ଧି ହୋଇଯାଇଛି ତାର ପାଦରେ। ଆଜି ଯାଏଁ କେବେ ଏ ଭଳି ଅସହାୟ ଅନୁଭବ କରି ନଥିଲା ସେ।ଆଖିବୁଜି ସହିବା ବ୍ୟତୀତ, ତକିଆରେ ମୁହଁମାଡି ବା ବାଥରୁମରେ ଲୁଚି ଲୁଚି କାନ୍ଦିବା ବ୍ୟତୀତ ଆଉ କିଛି ଉପାୟ ଅଛିକି। ଏ ଯନ୍ତ୍ରଣାରୁ ଆଉ ମୁକ୍ତି କାହିଁ ଯେ। " ରିନି, ଭଜାଟା ପୋଡି ଗଲାନା କଣ" ଠାକୁର ଘରୁ ଡାକ ଛାଡିଲେ ଶାଶୁ। ଭାବନାରୁ ବାହାରି ଝାଳ ଲୁହ ଏକାକାର ମୁହଁକୁ ପଣତରେ ପୋଛି ଆଣି ରୋଷେଇରେ ମନ ଦେଲା ରିନି।......

ସତରେ କଣ ପରମ୍ପରା ବଦଳେନି । କଣ ସିଧା ସଳଖ ଉଚ୍ଚାରିତ ହେଇଚି ଭଗବାନଙ୍କ ମୁହଁରୁ, ମଣିଷ ପାଇଁ ନିର୍ଦ୍ଦେଶ ରୂପରେ।ନାଁ ପ୍ରଥା ପରମ୍ପରାକୁ କେବଳ ଅଟକେଇ ଦିଆଯାଇଛି ଶହ ଶହ ରିନି ଆଉ ସୁନନ୍ଦାମାନଙ୍କ ପାଖରେ, ସେମାନଙ୍କର ସ୍ୱାଧୀନତାର ଅନ୍ତରାୟ ରୂପେ। କିଏ ଦେବ ଉତ୍ତର । ସମାଜ? ନାଁ କେବେ ନୁହେଁ। ଉତ୍ତର ସେବେ ମିଳିବ ଯେବେ ଉତ୍ତର ଖୋଜିବେ ସେଇମାନେ ଯେଉଁମାନେ ପ୍ରଥା ପରମ୍ପରା ନାମରେ ନିର୍ଯ୍ୟାତିତ ନିଷ୍ପେସିତ, ସେଇ ରିନି ଆଉ ସୁନନ୍ଦାମାନେ।

ରାଜବାଳା...


Rate this content
Originality
Flow
Language
Cover Design