ପ୍ରେମ ପରି କିଛିକିଛି
ପ୍ରେମ ପରି କିଛିକିଛି
(୧)
'ନିଶି' ଆଉ 'ଅରୁ' । ଅଫିସ୍ ର ଗୋଟାଏ ପ୍ରୋଜେକ୍ଟ ରେ କାମ। ଫିଲ୍ଡ୍ ଜବ୍। ନିଶି' ଟ୍ରେଣ୍ଡ୍ ଟିମ୍ ଲିଡର୍ । ସାଙ୍ଗରେ ଯିବାଆସିବା। ମିଶାମିଶି।
ଦୁଇଖଣ୍ଡ ଅଧିକା ପରଟା , ତିନିଥାକିଆ ମିଲଟନ୍ ଭିତରେ ଜାକିଜୁକି ପୁରାଇଆଣେ ନିଶି' ! ଅରୁ' ସବୁଦିନ ମନାକରି କୁହେ -
- ଥାଉ । କେଉ ଶସ୍ତା ହୋଟେଲରେ ଖାଇନେବି।
ଆଃ ! ଅରୁ ବିଚରାଟା କେଡେ ସରଳ !
ପରଟା ଖଣ୍ଡେ ଖଣ୍ଡେ ଛିଡାଇ , ଅରୁର ମୁହଁରେ ଖୋଇଦେବାକୁ ମନହୁଏ ନିଶିର । ପାରେନି।
ଏଠି ଶ୍ରଦ୍ଧାକୁ ବି ସମାଜ ବେଳେବେଳେ ଭୁଲ୍ ବୁଝେ।
- ଅଧିକା ଆଣିଛି। ହେଇଯିବ ଦି'ଜଣକୁ।
କୃତକୃତ ହୋଇପଡେ ଅରୁ' ! ଛଳଛଳ ହୋଇଯାଏ ନିଶି' ! ସରିଗଲେ ଆଙ୍ଗୁଠି ଚାଟିଚାଟି , ବାହାରିପଡନ୍ତି ଆଉଗୋଟେ ପଞ୍ଚାୟତକୁ।
ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରାଇବାର ଟ୍ରେନିଂ ପ୍ରୋଗ୍ରାମ ଗାଁ ଗାଁ ବୁଲି। ଅରୁର ହିରୋହୁଣ୍ଡା ପାଇଁ ପେଟ୍ରୋଲ ଆଲାଉସେନ୍ସ୍ ମିଳେ ଅଫିସ୍ ରୁ। ନିଶି' କାକୁସ୍ଥ ହୋଇ ପଛରେ ବସେ , ମଝିରେ ହ୍ୟାଣ୍ଡବ୍ୟାଗ୍ କୁ ଥୋଇ। ଦେହରେ ଦେହ ଲାଗିଗଲେ , ସମାଜ ବସିଛି ଆଖି ମେଲାଇ ! ଆଗକୁ ଝୁଙ୍କିହୋଇ ଅରୁ' ଗାଡି ମୋଡେ ।ଫାଙ୍କା ଜାଗା ଦେଖି ପଚାରେ -
- କି ସାମ୍ପୁ ?
- ଡୋଭ୍ ।
- ଓଃ!
- କାଇଁ? କଣ ହେଲାକି ?
- ବାସୁଛି ଭଲ ।
- ଆଗକୁ ଦେଖ ।
ଏଇମିତି ଚାଲେ ନିତିଦିନିଆ ଜୀବନ।
ମଣିଷ ବୁଦ୍ଧିମାନ ପଶୁ। ଡାକ୍ତର ଜଣେ ଡାକ୍ତରାଣୀକୁ , ଶିକ୍ଷକ ଶିକ୍ଷିକାକୁ , ସାହେବ ସାହେବାଣୀକୁ ଆଗ ପସନ୍ଦ କରେ ! ଏମିତିରେ ଟିକେ ସହଜ ଗଡେ ସଂସାର ରଥ। ଅରୁ ବି ପସନ୍ଦ କରେ ନିଶିକୁ । ଆଉ ନିଶି ??
ତା' ମନ ରାଇଜରେ ଆଉକିଏ ଅବା ବସା ବାନ୍ଧି ଥାଇ ପାରେ । ସେ ଅନାଥ , ତାକୁ ବି କାଇଁ ପସନ୍ଦ ହେବ ନିଶିର ? ଭାବପ୍ରବଣତା ବିଚଳିତ କରାଏ। ଅରୁ ଥରେ ପଚାରିଦେଲା ।
- ଆମେ ଦୁହେଁ ବୋଧେ ଭଲପାନ୍ତି ?
- ପା'ନ୍ତି ତ । ବୋଧେ ପୁଣି କଣ ?
- ଆଉ ପ୍ରେମ ?
- ନାଃ! ଅରୁ ।
- ଅଡୁଆ ଅଛି କିଛି ?
- ବହୁତ ଅଛି। ଜାକଜକମରେ , ଜଣେ ଅଜଣା ହାତରୁ ଧାରେ ସିନ୍ଦୁର ନାଈ ସ୍ତ୍ରୀ ହୋଇଯିବାଟା ସହଜ ଅରୁ । କିନ୍ତୁ ଏ ବିଶ୍ୱାସ ଅବିଶ୍ୱାସ ର ପ୍ରେମଖେଳ ଆଉ ମୋଦେଇ ହେବନି ।
- ପ୍ରେମପ୍ରତି ଏତେଯାକ ଘୃଣା ?
- ତୁମେ ପୁଅମାନେ, ତୁଳସୀ ଆଉ ପ୍ରେମିକା , ଦୁହିଙ୍କଠୁ
ଏକା ଆଶାଟିଏ ରଖ। ପଵିତ୍ରତା । ସେ ସିନା ଔଷଧୀୟ ଗଛ ବୋଲି ଗୁଣ ହରାଏନି । ପ୍ରେମିକା ତ ଦେହମାଂସଧାରୀ ମଣିଷ। ରାସ୍ତାକାଦୁଅରେ ଚାଲିଲେ ଛିଟା ପଡିବ ଈ' ! ତୁମେସବୁ କିନ୍ତୁ ରାସ୍ତା ର ଦୋଷ ଧରନି। ଦେହ ଭିତରେ କାଦୁଅ ଛିଟା ଖୋଜିବୁଲ ।
- ମାନେ ?
- ମୁଁ ପ୍ରେମକୁ ଆପଣେଇ , ଭୋଗିଭାଗି , ଭାଙ୍ଗିଭୂଙ୍ଗି, ଦେହରୁ କାଦୁଅ ଛିଟାବି ପୋଛିସାରିଛି। ହୁଏତ ତୁମେ ବ୍ୟସ୍ତ ହୋଇ ମୋଠେଇଁ ଯା' ଖୋଜିବ , ତା' ଦେବାରେ ମୁଁ ଅସମର୍ଥ ହେଉଥିବି। ତୁମର ଏ ତଥାକଥିତ ପ୍ରେମପାଇଁ ମୁଁ ଅଗ୍ରହଣୀୟ।
★★★
ନିଶି' ସବୁବେଳେ ଏମିତି ରୋକଠୋକ୍ । ହେବନି କାହିଁକି? ଦେହଟା କଣ ଗୋଟେ ମାଗିନେବା ପରି ନା ଦାନ କଲାପରି ବସ୍ତୁ ଟିଏ ? ସେ ପ୍ରେମରେ ସମର୍ପିତା ଥିଲା। ବଦଳରେ ପ୍ରୀୟାଂଶୁ' ଦେଲାକଣ ? ନିରୋଳା ପ୍ରତାରଣା ମେଞ୍ଚାଏ !
ଦେହ ଭୂଗୋଳ ତ ଭ୍ରମ । ସେଇ ଭ୍ରମରେ ପ୍ରୀୟାଂଶୁ ଥିଲା , ଏବେ ଅରୁ' !! ପ୍ରୀୟାଂଶୁ କଷ୍ଟ ସବୁ ଧୋଇସାରିଲାଣି। କିନ୍ତୁ ଅରୁ ? ଆହା ବିଚରା ! ପ୍ରେମରେ ପଡିସାରିବା ପରେ ମାଗିବ ହିସାବ !
ପୁରୁଷ ର କଣ କୁମାରୀତ୍ୱ ପରି କିଛି ନଥାଏ ?
କାହିଁ ନାରୀଟିଏ ତାକୁ ଖୋଜେନିତ କେବେ ?
ଅରୁ କୁ ଭଲକି ଜାଣେ ନିଶି' । ଖୁବ୍ ସଂକୁଚିତ ସେ। ଖୁବ୍ ଲାଜକୁଳା ବି । ପ୍ରେମକୁ ତପସ୍ୟା ପରି ମନେକରେ ଅରୁ ।
ନିଶି ଏତେସବୁ ବୁଝେନି। ତା'ପାଇଁ ସାମାଜିକତାର ବାଡ ଉଲଙ୍ଘନ ନକରିପାରିଲେ , ପ୍ରେମ କରିହୁଏନି। ବୁଝାମଣା ହିଁ ପ୍ରେମର ଆଉଏକ ନାମ ।ଯେଉଁଠି ଆରଜଣକୁ ବୁଝିବାରେ ଅକ୍ଷମତା ଥାଏ, ସେଇଠି ପ୍ରେମପରି କିଛିହୋଇନପାରେ!!
ନିଶି' କୌଣସି ସତକୁ ଲୁଚାଇ , ଅରୁ ସହ ମିଛ ସମ୍ପର୍କଟେ ତିଆରିବାକୁ ଚାହେଁ ନାହିଁ। ଅରୁ ପୁରୁଷ।
ପୁରୁଷ ସବୁବେଳେ ନାରୀଠାରେ ଅଧିକାର ନମାଗୁ , ତା' ଯନ୍ତ୍ରଣା କୁ ବି ସମ୍ମାନ ଦେଉ। ପୁରୁଷ ର ମର୍ଯ୍ୟାଦା ରଖିବାକୁ ଯାଇ ନାରୀ ଟିଏ ଯୁଗେଯୁଗେ ଅସତ୍ୟ କାହିଁକି ହେଉଥିବ ?
★★★
ଶୋଇ ପାରେନି ଅରୁ । ନିଶି' ଆଖିରେ ତା'ପାଇଁ ପ୍ରେମ ଅଛି। ପ୍ରେମ କଣ ଦୃଶ୍ୟମାନ ?
ଖୁବ୍ ବେଖାପ୍ ନିଶି' । ଚାହିଁଥିଲେ ନିଜ ଅତୀତ କୁ ଲୁଚାଇ , ପ୍ରେମକରିପାରିବନି ବୋଲି ଏକ ସହଜ ପ୍ରତ୍ୟାଖ୍ୟାନ ବି କରିପାରିଥାନ୍ତା ସେ ।
ସଂପର୍କର ଆରମ୍ଭ ରୁ ଯେ , ମୁକ୍ତ , ସଂକୋଚହୀନ ହୋଇ ନିଜକୁ ଉନ୍ମୁକ୍ତ କରିପାରୁଛି , ସେ ଆଦୌ ଅବିଶ୍ୱାସୀ ହୋଇନପାରେ। ବିଶ୍ୱାସଯୋଗ୍ୟ ମଣିଷ ସବୁବେଳେ ପବିତ୍ର।
ଇନବକ୍ସ ରେ ନିଶିର ମେସେଜ୍ !
- ଶୋଇନ ଏଯାଏଁ ?
- ନିଦନାହିଁ ଆଖିରେ।
- କାଇଁ?
- ପ୍ରେମପରି ଏକ ଅବୋଧ୍ୟ ଶବ୍ଦ କୁ ନେଇ ଢେର୍ ଘାଣ୍ଟି ହେଲିଣି ନିଶି' !
- ଓଃ! ତାହେଲେ ଶୁଣ !
- ହୁଁ ।
- ଅଣ୍ଟା ତଳକୁ ପ୍ରେମ ନଥାଏ ଅରୁ । ଭ୍ରମ ଥାଏ। ପ୍ରେମ ଥାଏ ପୁରୁଷ ର ପ୍ରଶସ୍ତ ଛାତିରେ ମୁହଁଗୁଞ୍ଜି ଲୁହ ଗଡାଇବାରେ । ଆଉ ପ୍ରେମିକାର ସେଇ ଲୁହରେ ଓଦାହୋଇ , ପୁରୁଷ ଛାତିତଳର ସବୁଯାକ କୋହ ଧୋଇଯିବାରେ ।
ଶୋଇପଡ ଅରୁ । କାଲିପାଇଁ ଅଫିସ୍ ଡେରି ହୋଇଯିବ।
- ଗୁଡ୍ ନାଈଟ୍ ନିଶି'।
★★★
ମହାନଦୀ ତା' ଅଙ୍କାବଙ୍କା ପଥନେଇ ସର୍ବଦା ରହସ୍ୟମୟ। ସରେଇ ପଞ୍ଚାୟତ କୁ ଯିବାବେଳେ ବାଟରେ ପଡେ ମହାନଦୀ ର ସୁଦୀର୍ଘ ପଠା ।
- ରୁହ ଟିକିଏ ଅରୁ ।
- କଣହେଲା ଯେ ?
- ସେପଟର ପାହାଡକୁ ଦେଖ। କି ସୁନ୍ଦର। ଫଟୋଟିଏ ନେବା।
- ଦୃଷ୍ପାପ୍ୟ ସବୁବେଳେ ସୁନ୍ଦର। ବର୍ଷା ଆସିଲାଣି ।
- ଆସୁ।
- ଅଦିନିଆ ମେଘ। ଭୟଙ୍କର ହେବ। ପହଂଚି ହେବନି।
- ମେଘ ତ ଆମପାଇଁ ଅରୁ ।
- ଭିଜିଲେ ଅସୁସ୍ଥ ହେବାର ଭୟ ଅଛି।
- ଭୟ ନୁହେଁ , ସୁଯୋଗ ଟେ ଅଛି!
- ମାନେ ?
- ଏବେ ତୁମସହ ଭିଜିବାରେ , ପରେ ତୁମସାଙ୍ଗେ ଅସୁସ୍ଥ ହେବାରେ।
- ସତକୁହ । ପ୍ରସ୍ତୁତ ଅଛ ?
- ମୁଁ କେବେ ଅପ୍ରସ୍ତୁତ ନୁହେଁ ଅରୁ । ମୋ ନା' ଭିତରେ ହଁ' ଟିକୁ ତୁମେ ଖୋଜିପାଉନ ଯାହା । ଥରୁଟିଏ ମନଭରି ଭିଜାଇ ପ୍ରମାଣ ନେଇଯାଅ।
- ନିଶି' ! ଆଉ ପ୍ରେମ ??
- ନାଃ ! ପ୍ରେମପରି କିଛିକିଛି।
ବର୍ଷା ତା' ଆକାର ନେଇସାରିଥିଲା। ମୋଟାମୋଟା ପାଣିଟୋପାର ଦାନା ସବୁ ଧିରେଧିରେ ନିଷ୍ଠୁର ସାଜୁଥିଲେ। ନିଶି' ତା' ଖୋଲାବାଳ ସବୁକୁ ଏକାଠିକରି , ପ୍ରତିଶ୍ରୁତିର ଏକ ବଡ ଗଣ୍ଠିଟିଏ ବାନ୍ଧି ଦେଲା। କାମିଜ୍ ର ଉପର ବୋତାମ ଦୁଇଟିକୁ ଖୋଲିଦେଇ କହିଲା -
- ଏତେ ଘୋଡାଘୋଡି ହେଲେ , ବର୍ଷାର ଆଦରକୁ ଅସମ୍ମାନ କଲାପରି ପାପ ଲାଗିଯିବ ଅରୁ' !!!!
■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■