ଅସ୍ତିତ୍ଵ
ଅସ୍ତିତ୍ଵ
ଫୋଟୋଗ୍ରାଫର୍ କୁ ଅନେକ ସମୟ ଅପେକ୍ଷା କଲାପରେ ସୁବୋଧ କହିଲା-ଆଉ କେତେ ସମୟ ରହିବା, ଫୋଟୋ ନୋହିଲେ ନାହିଁ ଚାଲ ବାହାରିଯିବା ।
ସଞ୍ଜିତ୍ ର କିନ୍ତୁ ଉଠିବାକୁ ଇଛା ନଥାଏ । ତା'ର ବିଶ୍ଵାସ ସେ ଫଟୋଗ୍ରାଫର ନିଶ୍ଚୟ ଆସିବ ।
ସୁଜୟ ମୁରୁକି ହସିଲା-ଆର ଜନ୍ମରେ ତୋର ସେ ପ୍ରେମିକା ଥିଲା କି ?
-ତୁ କେମିତି ବୁଝିବୁ, ସମୁଦ୍ରରେ ଗାଧୋଇବା ବେଳର ସବୁ ଫଟୋ ତା'ରି ପାଖରେ ।ଏତେଦିନ ପରେ ସଭିଏଁ ଏକାଠି ହୋଇଥିଲେ ତା ପୁଣି ପୁରୀରେ...ବେଳାଭୂମିର ସେଇ ମନୋରମ ମୁହୂର୍ତ୍ତ ଗୁଡାକ ଏବେ ସେଇ ଫଟୋଗ୍ରାଫରର ଲେନ୍ସରେ ବନ୍ଦ ହୋଇ ରହିଛି । ପାଣି ପଶିବ ବୋଲି ତ ତୁମେ କେହି ଭିତରକୁ ମୋବାଇଲ ନେଲନି!!
ସଞ୍ଜିତ୍ ଠିକ୍ କହୁଥିଲା । ସେମାନେ ଗୋଟିଏ ହେଲେ ଗାଧୁଆ ଫୋଟୋ ଉଠାଇପାରି ନାହାନ୍ତି । ବେଶ୍ ସ୍ମରଣୀୟ ଓ ମଜାଦାର ମୁହୂର୍ତ୍ତ ଗୁଡାକର ସ୍ଥିର ଚିତ୍ର । କିଏ ଜାଣେ ପୁଣି ଏମିତି ମୁହୂର୍ତ୍ତ ଫେରିବ କି ନାହିଁ !!
ଏଣେ ସମୟ ବି ବିତି ଚାଲିଛି । ଏତେ ବଡ଼ ବେଳାଭୂମିରେ ଅଗଣିତ ଲୋକ ତା'ଭିତରେ ଅନେକ ଫୋଟୋଗ୍ରାଫର୍, ଏକା ପ୍ରକାରର ପୋଷାକ । ସେଇ ନିର୍ଦ୍ଧିଷ୍ଟ ଲୋକଟିକୁ ଖୋଜି ପାଇବା ନିଶ୍ଚୟ ମୁସ୍କିଲ ।
ଫୋଟୋ ପାଇଁ ପ୍ରତୀକ୍ଷା ଚାଲୁ ରହିଲା । କିନ୍ତୁ ସେଇ ଫୋଟୋଗ୍ରାଫର୍ ଆସିଲା ନାହିଁ ।
ସଞ୍ଜିତ୍ ର ଆଶା ବ୍ୟର୍ଥ ଗଲା ଓ ଅନ୍ୟମାନଙ୍କ ଆଶଙ୍କା ସତ୍ୟ ପ୍ରମାଣିତ ହେଲା । ଅନ୍ୟମାନେ ସଞ୍ଜିତ୍ କୁ ବହୁତ ଶୁଣାଇଲେ , ଏହି ଦୁଇଘଣ୍ଟା ଭିତରେ ସେମାନେ ହୁଏତ ସାତପଡ଼ାରେ ପହଞ୍ଚି ସାରିଥାନ୍ତେ ।
xxx xxx xxx xxx xxx
ଏ'ଭିତରେ ଗୋଟେ ବର୍ଷ ବିତିଗଲାଣି ।
ସମୟ ଯେମିତି ଗୋଟେ ପାଣିର ସୁଅ ।
ନିଜ ନିଜ ଦୁନିଆର ଜଞ୍ଜାଳ ଭିତରେ ବୁଡିରହି ଦିନ ଦିନର ହିସାବ ରଖିବା ସମ୍ଭବ ହୋଇନି । ନୂଆ ବର୍ଷର ପ୍ରଥମ ସପ୍ତାହରେ ନିଜ ନିଜର ଆପଣାର ମାନଙ୍କ ସହିତ ଘେରାଏ ବୁଲି ନଆସିଲେ ବର୍ଷ ଯାକର କ୍ଳାନ୍ତି ଯେମିତି ଦୂର ହୁଏନି । ସେଥିପାଇଁ ନୂଆ ଜାଗା, ନୂଆ ପରିବେଶ ଖୋଜା ପଡେ ।
ଏଥର ବି, ସୁବୋଧ କଥାଟି ଆରମ୍ଭ କଲା । କେଉଁ ମାନେ ସବୁ ଯିବେ, ସ୍ଥାନ, ରହିବାର ବ୍ୟବସ୍ଥା, ଖାଇବା ପିଇବା, ଗାଡିଭଡା ଇତ୍ୟାଦି ସହିତ କେତେ ଟଙ୍କା ଲେଖାଏଁ ମୁଣ୍ଡ ପିଛା ପଡିବ ସବୁ କିଛିର ଆଲୋଚନା ହେଲା।
ସମୟ ଓ ସୁବିଧାକୁ ଆଖି ଆଗରେ ରଖି ପୁରୀ ପାଇଁ ମୋହର ମାରିଲେ ସମସ୍ତେ ।
ଆଉ ସେତେବେଳେ ମନେ ପଡୁଥିଲା ସଞ୍ଜିତ୍ ,ଆର ବର୍ଷ ଠିକ୍ ଏତିକି ବେଳକୁ ଥିଲା, ଏବେ ନାହିଁ । ଫୋଟୋ ଖଣ୍ଡିଏ ପାଇଁ କେତେ କହୁଥିଲା । ସ୍ମୃତିବିଜଡ଼ିତ ସେଇ ସମୟଟା ସମସ୍ତଙ୍କୁ ଭାବଗମ୍ଭୀର କରିଦେଲା କିଛି ସମୟ ।
xxx xxx xxx xxx xxx
ହୋଟେଲ ରିଚି ପ୍ୟାଲେସ ।
କେବଳ ଆଉ କେବଳ ସଞ୍ଜିତ୍ ର ଅସ୍ତିତ୍ଵକୁ ଉପଲବ୍ଧି କରିବା ପାଇଁ ସେଇ ଏକ୍ ହୋଟେଲ, ସମାନ କୋଠରୀ।
ସମସ୍ତେ ପରସ୍ପରକୁ ଚାହୁଁଥିଲେ , ଓଠରେ ଭାଷା ନଥିଲା କଥା ହେବା ପାଇଁ । ଲାଗୁଥିଲା ଏଇଠି ହିଁ ଅଛି, ସେମାନଙ୍କ ଉପସ୍ଥିତିକୁ ଅନୁଭବ କରୁଛି ସଞ୍ଜିତ୍।
ଭାରି ପଡୁଥିଲା ସମୟ ।
xxx xxx xxx xxx xxx
ସାମୁଦ୍ରିକ ବେଳାଭୂମି ।
ପୁଣିଥରେ ମହୋଦଧି ସ୍ନାନ । ଆଉଥରେ ସଞ୍ଜିତ୍ କୁ ଅନୁଭବ କରିବାର ଅବସର ।
ସୁଜୟ କହିଲା-ନା ଏଥର ମୋବାଇଲ ନେବା । କାହାକୁ ଜଣଙ୍କୁ ଫୋଟୋ ଟିଏ ଉଠେଇବାକୁ କହିବା ।
-ନା ରେ ପାଣି ପଶିଯିବ । ହେଇ ସେଇ ଫୋଟୋ ବାଲାକୁ କହ । ଏଇଠି ଉଠେଇବ ଆଉ ଏଇଠି ହିଁ, ଦେଇକି ଯିବ ।
-ଭାଇ ଆମ ଫୋଟୋ ଉଠେଇବ ?
ଫୋଟୋଗ୍ରାଫରଟି ବୁଲି ଚାହିଁଲା,ସୁଜୟ ଚମକି ପଡ଼ିଲା । ଏ'ସେଇ ଫୋଟୋ ବାଲା କି ?
-ହଁ ନିଶ୍ଚୟ । ଆମେ ତ ସେଇଥିପାଇଁ ଅଛୁ !
ସୁଜୟ ସୁବୋଧ ଆଡକୁ ଚାହିଁଲା । ପରେଶ, ପଦ୍ମଜ୍, ବିପୁଲ... ସଭିଏଁ ଚମକିଲେ ।
ହଁ ଭୁଲିବାର ନୁହେଁ । ଇଏ ସେଇ ଲୋକ ।
-ତମେ ଆମକୁ ଚିହ୍ନି ପାରୁଛ ?
-ନା ତ ! ଏଠିକି ଅନେକ ଲୋକ ଆସନ୍ତି, ଚାଲିବି ଯା'ନ୍ତି । ଆମ କ୍ୟାମେରାରେ କିଛି ସମୟ ଧରିରଖି, ସେଇମାନଙ୍କୁ ସେମାନଙ୍କର ସ୍ମୃତିବୋଳା ମୁହୂର୍ତ୍ତମାନ ଧରାଇଦେଲା ପରେ ଆମ କାମ ଶେଷ୍। ଉଭୟ ଲେନ୍ସ ଓ ମନରୁ ଲିଭି ଯାଏ ମୁହଁ ।
-ମନେ ପକାଅ । ପ୍ଲିଜ୍ ...!!
ସୁବୋଧ ଏକରକମ ଅନୁନୟ ହୋଇ କହିଲା ।
ନିରେଖି ଦେଖିଲା ଲୋକଟି । ତା'ଦିଲ୍, ଦୀମାଗ୍ ରେ ଚାପ ଦେଲା । ନିରେଖି ପରଖି ବହୁ କଷ୍ଟରେ କହିଲା-ହଁ ହଁ ଆପଣ ମାନଙ୍କୁ କୋଉଠି ଗୋଟେ ଦେଖିଲା ପରିଲାଗୁଛି ।
-ଗତ ବର୍ଷ ହୋଟେଲ ରିଚି ପ୍ୟାଲେସ । ଫୋଟୋ ଆଣିବ ବୋଲି ଆସିଲ ନାହିଁ .......ମନେ ପଡ଼ିଲା !!
-ହଁ ହଁ ମନେ ପଡ଼ିଲା । ମୋ କ୍ୟାମେରାରେ ପାଣି ପଶିଯାଇଥିଲା । ମୁଁ କ୍ୟାମେରାକୁ ଠିକ୍ କରି ହୋଟେଲରେ ଫଟୋ ପହଞ୍ଚାଇବା କଥା କିନ୍ତୁ ଠିକରେ ଶୁଣି ପାରିନଥିଲି | ରିଚି ପ୍ୟାଲେସ ପ୍ରତିବଦଳରେ ରିଷି ପ୍ୟାଲେସ ଯାଇଥିଲି। ସେଠାରେ କାହାକୁ ନପାଇ ଫେରିବା ବାଟରେ ରିଚି ପ୍ୟାଲେସ ଗଲି ,ସେତେବେଳକୁ ଆପଣମାନେ ଯାଇ ସାରିଥାନ୍ତି । ଆମେ କେହି କାହାର ନମ୍ବର ରଖିନଥିଲେ ।ରିସେପସନରୁ ନମ୍ବର ଖୋଜି ହୋଟେଲ ବାଲା ଫୋନ୍ କଲା ଫୋନ୍ ଲାଗିଲା ନାହିଁ । ସାମାନ୍ୟ ଫୋଟୋ ପାଇଁ, କିଏ କାହିଁକି ଫେରିବ ବୋଲି ସେଇଠି ହିଁ କଥା ସରିଥିଲା ।
ଉତ୍ସୁକତା ବଢ଼ୁଥିଲା -ସେଇ ଫୋଟୋ ସବୁ ?
-ସବୁ ଫୋଟୋର ଗୋଟେ ଗୋଟେ କପି ରିଚି ପ୍ୟାଲେସ ରିସେପସନରେ....!!
ଖୁସିରେ ନାଚି ଉଠୁଥିଲା ମନ ।
ସଞ୍ଜିତ୍ ର ସ୍ମୃତି ସମ୍ବଳିତ ସ୍ଥିର ଚିତ୍ର ପାଇଁ ସମୁଦ୍ରରୁ ଏକାମୁହାଁ ହୋଇ ହୋଟେଲ ଆଡକୁ ସଭିଏଁ ଦୌଡ଼ୁଥିବା ବେଳେ, ସୁବୋଧ ପୂର୍ବ ଭୁଲ୍ ର ପୁନରାବୃତ୍ତି ନକରି ଫୋଟୋଗ୍ରାଫରର ନାଆଁ ଓ ମୋବାଇଲ ନମ୍ବର ନେଉଥିଲା ଆଉ ତାଙ୍କ ସହିତ ହୋଟେଲ ଯାଏଁ ଆସିବାକୁ ଅନୁରୋଧ କରୁଥିଲା
-ଯଦି ନଥିବ ?
-ଆଉ ଗୋଟେ କପି ଖୋଜିଲେ ମୋ ପାଖେ ମିଳି ଯାଇପାରେ ।
ଫୋଟୋଗ୍ରାଫର୍ ଓଠ ଫାଙ୍କରେ ହସ ଆଉ ସେହି ହସରେ ସୁବୋଧ ଅନୁଭବ କରୁଥିଲା ସଞ୍ଜିତ୍ ର ଅସ୍ତିତ୍ଵ ଓ ବିଶ୍ୱାସ ।
🌺🌺🌺🌺🌺🌺🌺🌺
ରାଜୀବ ଗୋପାଳ ସ୍ବାଇଁ
ମାତୃକୁଟୀର, କୁରୁଣ୍ଟି, ମେରାମଣ୍ଡଳୀ,ଢେଙ୍କାନାଳ-୭୫୯୧୨୧