Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନନ୍ତ ପ୍ରତୀକ୍ଷା
ଅନନ୍ତ ପ୍ରତୀକ୍ଷା
★★★★★

© Binay Mohapatra

Others

4 Minutes   1.5K    15


Content Ranking

ପ୍ରତିବର୍ଷ କ୍ୟାଲେଣ୍ଡର ବଦଳୁଛି, ମାସ ଶେଷରେ କ୍ୟାଲେଣ୍ଡରର ପୃଷ୍ଠା ବଦଳି ଯାଉଛି । ବହୁତ କିଛି ବଦଳି ଯାଉଛି ଗୋଟିଏ ଗୋଟିଏ ଦିନରେ । କିନ୍ତୁ ତୁମର ଫଟୋଟି ଯୋଉଁଠି ଲାଗିଥିଲା ଠିକ୍ ସେଇଠି ସେମିତି ଲାଗିଛି । ଫୁଲମାଳଟି ସୁଖି ସୁଖି ଦିନେ ଛିଣ୍ଡି ଆପଣାଛାଏଁ ଖସିପଡିଲା । ତା'ପରେ ଆଉ ସାହାସ ଜୁଟେଇ ପାରୁନି ନୂଆ ମାଳଟିଏ ଲଗାଇବି ବୋଲି । ତୁମେ ମଲ୍ଲୀ ଫୁଲକୁ ବହୁତ ପସନ୍ଦ କରୁଥିଲ, ଗଭାରେ ଖୋସିଦେଲେ ବହୁତ ଖୁସି ହୋଇ ଯାଉଥିଲ । । ଆଜିବି ମନେ ଅଛି, ତୁମ ଜନ୍ମଦିନରେ ଥରେ ଗୋଲାପ ତୋଡାଟିଏ ଆଣି ଦେଇଥିଲି । ତୁମେତ ଖୁସି ହୋଇଯାଇଥିଲ, ହେଲେ ଉତ୍ସୁକ ଆଖିରେ ଅନେଇ ରହିଗଲ ମୋତେ, ଯେମିତି ଆଉକିଛି ଖୋଜୁଥିଲ ! ମୁଁ ପଚାରିଲି ଭଲ ଲାଗିଲାନି ଗୋଲାପ ଫୁଲର ତୋଡାଟା ? ତୁମେ ଟିକେ ହସିଦେଇ କହିଲ, ଖୁବ୍ ସୁନ୍ଦର ହୋଇଛି ଗୋଲାପ ଗୁଡିକ, ହେଲେ ମୁଁ ଭାବିଥିଲି ତୁମେ ମଲ୍ଲୀ ମାଳଟିଏ ଆଣିବ, ତୁମ ନିଜ ହାତରେ ମୋ ଗଭାରେ ବାନ୍ଧିଦେବ ବୋଲି । ସେଇଦିନ ମୁଁ ଜାଣିଗଲି ମଲ୍ଲୀଫୁଲ ପ୍ରତି ତୁମର ଦୁର୍ବଳତା । ଏବେବି କେବେ ବଜାର ଗଲେ କିଣି ଆଣୁଚି ମଲ୍ଲୀମାଳ ତୁମ ଜୁଡାପାଇଁ । ହେଲେ ତୁମ ଫଟୋରେ ତୁମ ଜୁଡାଟା ତ ଦିଶୁନି, କେମିତି ବାନ୍ଧିଦେବି ? ଏଇ ଟେବୁଲ ଉପରେ ଏମିତି ପଡିପଡି ମାଳସବୁ ସୁଖି ଯାଉଛି ସିନା ତୁମ ଫଟୋରେ ମାଳାଟିଏ ଚଢେଇବାର ସାହାସ ଏକାଠି କରି ପାରୁନି । ବିଶ୍ୱାସ ହୁଏନି ତୁମେ ଆଉ ନାହଁ ବୋଲି ।

ନିଇତି ସକାଳେ ଉଠିଲେ ବାଆଁପଟ ଶେଜ ଆଡକୁ ଦେଖେ, ତୁମକଥା ଭାବେ। ଲାଗେ ତୁମ ଯେପରି ସକାଳୁ ଉଠି ରୋଷେଇଘରେ ମୋ ପାଇଁ ଚାହା ତିଆରି କରୁଛ । ଏବେ ଗରମ ଗରମ ଚାହା କପ୍ ଟେ ନେଇ ଆସିବ । ପାଖ ଟେବୁଲରେ ରଖି ମୋ ଚାଦର ଉଠେଇ ନେବ ଆଉ କହିବ, ଆରେ ଉଠମ, ସକାଳ ହୋଇ ସାରିଲାଣି କେତେବେଳୁ । ହେଲେ ଆଜିକାଲି କେହି ଉଠାଏନି ମୋତେ । ଏବେ ସକାଳୁ ସକାଳୁ ଆପେ ଆପେ ନିଦ ଭାଙ୍ଗିଯାଉଛି । ସକାଳୁ କେହି ଚାହାକପେ ବେଡପାଖକୁ ନେଇଆସୁନି । ସକାଳୁ ଉଠି ଡାଇନିଂ ଟେବ୍ଲ ପାଖରେ ଯାଇ ଦେଖୁଚି, ପିଲାଏ ଉଠିଲେଣି କି ନାହିଁ । ପିଲାଏ ତ ଡେରିରେ ଉଠନ୍ତି । ନିଜେ ରୋଷେଇ ଘରେ ପଶି ଚାହା କରିବାକୁ ଇଚ୍ଛାବି ହେଉନି । ତୁମେ ଥିଲାବେଳେ କେତେଥର ତୁମ ସାଙ୍ଗରେ ଟିକେ ସମୟ ବିତେଇବାକୁ ମୁଁ ଚାହା କରିବା ବାହାନାରେ ରୋଷେଇଘରକୁ ଯାଉଥିଲି, ଚାହା ତିଆରି କରିବାକୁ ଚେଷ୍ଟା ବି କରୁଥିଲି, ହେଲେ ସବୁଥର ତୁମେ ମୋତେ ଅଟକେଇ ଦିଅ, କୁହ, ରୁହ ମୁଁ ତିଆରି କରିଦେଉଛି । ହେଲେ ଆଜିକାଲି ରେଷେଇଘରର ସେ ଆକର୍ଷଣ ମୋ ପାଇଁ ଆଉ ନାହିଁ । ରାତିରେ ସେମିତି ଶେଜକୁ ଗଲେ, ଶେଜରେ ପଡିପଡି ତୁମକୁ ଅପେକ୍ଷାକରେ । ଲୁଗାକାନିରେ ହାତ ପୋଛୁ ପୋଛୁ ତୁମେ ଏବେ ଆସିବ, ଏବେ ଆସିବ ଭାବୁଥାଏ, ହେଲେ ତୁମେ ଆଉ କେବେବି ଆସନା । ଏମିତି ଅପେକ୍ଷା କରୁ କରୁ କେତେବେଳେ ଆଖି ନଇଁଆସେ ଜାଣି ପାରେନି । ତୁମେ ନାହଁ, ଏକଥା ବିଶ୍ୱାସ ହୁଏନା । କେମିତି ଭୂଲିଯିବି ସେଇ ପଚିଷବର୍ଷକୁ, ସାଥିହୋଇ ବିତେଇଥିବା ଜୀବନର ପ୍ରତିଟି ମୁହୁର୍ତ୍ତକୁ । କେତେ ଦୁଃଖ ସୁଖ ହସ କାନ୍ଦର ମୁହୁର୍ତ୍ତ ସବୁକୁ । ତୁମେ କେବଳ ମୋର ଆବଶ୍ୟକତା ନଥିଲ, ତୁମେତ ମୋର ଅଭ୍ୟାସ ହୋଇଯାଇଥିଲ । ତୁମେ ମୋର ଅଧା ଅଙ୍ଗ, ଅଧାପ୍ରାଣ ଥିଲ । ଏକାତ୍ମ, ଅନ୍ତରଙ୍ଗ ଥିଲ । ତୁମେ ଆଜିବି ମୋ ସାଙ୍ଗରେ ସେମିତି ଅଛ, ଟିକେ କଣ ଅଭିମାନ କରି ତୁମ ଭାଇଙ୍କ ପାଖକୁ ଯାଇଛ ଯେପରି । ତୁମେ ଫେରିଆସିବ, ନିଶ୍ଚୟ ଆସିବ ଦିନେ । ତୁମପାଇଁ ମୁଁ ସବୁଦିନ ସବୁ ମୁହୁର୍ତ୍ତରେ ଏମିତି ଅପେକ୍ଷା କରିଥିବି ।

ତୁମେ ଆସିବବୋଲି କେବେ ସିନା କଥା ଦେଇନଥିଲ, ହେଲେ ମୁଁ ମୋ ଅଭ୍ୟାସକୁ ଆଜିଯାଏ ବଦଳେଇ ଦେଇ ପାରୁନି । ତୁମେ ଫଗୁଣକୁ ଭଲପାଅ, ହୋଲିର ରଙ୍ଗକୁ ଭଲପାଅ ସେଥିପାଇଁ ଭାବିଥିଲି ତୁମ ଫଗୁଣରେ ନିଶ୍ଚୟ ଆସିବ । ତୁମେ ଆସିବ ବୋଲି, ପ୍ରତିଥର ପରି ଏଥରକ ବି ବସନ୍ତକୁ ଡାକିଥିଲି, ମଳୟକୁ ଆଉ କୋଇଲିକୁ ବି ଡାକିଥିଲି । ହେଲେ ତୁମେ ଆସିଲନି । କିଛି କଥାନାହିଁ, ତୁମେ ଆସିଲନି ବୋଲି କିଛି ଦୁଃଖ ବି ନାହିଁ । ତୁମେ ଆସିଲନି ତ ଆସିଲନି, କଣ ବା ବିଗିଡିଗଲା !

ବସନ୍ତ ତା ସମୟରେ ଆସିଗଲା, ସବୁଦିଗରେ ତାର ରଙ୍ଗ ବିଛାଡି ଦେଲା । ମୋ ଅଗଣାର ଗୋଲାପ ଗଛରେ ଆାଉ ରାସ୍ତାକଡ କୃଷ୍ଣଚୁଡା ଗଛକୁ ବି ନାଲି ଓଢଣୀ ଦେଇଗଲା ଏବଂ ଶୋରିଷ ଖେତକୁ ହଳଦିଆ ଶାଢୀରେ ଢାଙ୍କିଦେଲା । ଆଉ ତ ଆଉ, ଆମ୍ବ ଗଛରେ ବଉଳ ଆସିଲା, ମହୁଲ ଫୁଲ ଫୁଟିଲା, ମଳୟରେ ତାର ବାସ ମହକି ଗଲା । କୋଇଲି କୁହୁ କୁହୁ ଗାଇଲା, ପ୍ରେମୀମାନଙ୍କର ହୃଦୟକୁ ରୋମାଞ୍ଚିତ କରିଗଲା । ବନ, ଉପବନ, ତରୁ, ଲତା ଆଉ ପବନ ସବୁ କିଛି ପ୍ରେମର ରଙ୍ଗରେ ସତେ ଯେମିତି ଜୁଡୁ ବୁଡୁ ହୋଇଗଲା ।

ତୁମେ ଆସିଥିଲେ ମୋତେ ଭଲ ଲାଗିଥାନ୍ତା । ପାର୍କର କଣରେ, ତୁମର ସେଇ ପ୍ରିୟ ପୁରୁଣା କୃଷ୍ଣଚୁଡା ଗଛତଳେ, ସିମେଣ୍ଟ ବେଞ୍ଚରେ ସାଥିହୋଇ ଦେହକୁ ଦେହ ଲଗାଇ ବସିଥାଆନ୍ତେ । ଯେମିତି କେବେ ଅତିତରେ ବସୁଥିଲେ । ମୁଁ ତୁମ ହାତକୁ ମୋ ହାତରେ ଜାବୁଡି ଧରିଥାଆନ୍ତି । ଆମେ କିଛି ଗପ୍ ସପ୍ କରି ଥାଆନ୍ତେ, ପୁରୁଣା ଦିନର ସ୍ମୃତିସବୁ ମନେ ପକେଇ ଥାଆନ୍ତେ ଆଉ କିଛି ଭବିଷ୍ୟତର ଯୋଜନା ବି କରିଥାଆନ୍ତେ । ତୁମେ କିଛି କହିଥାଆନ୍ତ ମୁଁ ଶୁଣିଥାଆନ୍ତି, ଆଉ ମୁଁ କିଛି କହିଥାଆନ୍ତି, ତୁମେ ଶୁଣିଥାଆନ୍ତ । ଛୋଟ ଛୋଟ କଥାରେ ତୁମେ କେବେ ରୁଷି ଯାଇ ଥାଆନ୍ତ, ଯେମିତି ଆଗରୁ ରୁଷି ଯାଉଥିଲ ! ଆଉ ମୁଁ ଟିକେ ଗେହ୍ଲେଇ ଦେଲେ କୁନି ଝିଅଟିଏ ପରି ତୁମେ ଖିଲିଖଲି ହସିଦେଇ ଥାଆନ୍ତ ଆଉ ମୋ ଦେହକୁ ଆଉଜି ପଡିଥାଆନ୍ତ । ହେଲେ ତୁମେ ଆସିଲନି । ମୋ ସ୍ୱପ୍ନସବୁ କଳ୍ପନାରେ ହିଁ ରହିଗଲା । କେବେ ମନେ ମନେ ଭାବେ, ସେଠିକି ଯିଏ ଯାଏ ସେ କଣ ଆଉ କେବେ ଫେରେ? ସେଇ ଅଜଣା ଦେଶରେ ତାର ମନ ଲାଗିଯାଏ ବୋଧେ । ହେଲେ ମନକୁ ବୁଝେଇ ପାରୁନି ।

କିଛି କଥା ନାହିଁ, ଦୁଃଖ ବି ନାହିଁ ତୁମେ ଆସିଲନି ବୋଲି । ତୁମେ ସିନା ଆଖିବୁଜିଦେଲ, ନିଶ୍ଚିନ୍ତରେ ଚିରନିଦ୍ରା ଶୋଇଗଲ ! କିନ୍ତୁ ଫଗୁଣ ଆସିଲା, ସମସ୍ତଙ୍କୁ ହୋଲିର ରଙ୍ଗରେ ରଙ୍ଗେଇ ଦେଲା । ପୋଷାକ ତ ପୋଷାକ, ଗଛର ପତ୍ର, ଘରର କାନ୍ଥରେ ବି ହୋଲିର ଛିଟା ଲାଗିଗଲା । ହେଲେ ମୋ ମନରେ ଟୋପିଏ ବି ରଙ୍ଗ ଲାଗିଲାନି । କେମିତି ଲାଗିଥାଆନ୍ତା କୁହନି, ଅପରାହ୍ନ ସୂର୍ଯ୍ୟର କିରଣ ମୋ ଦେହ ମନ ଆଉ ହୃଦୟରେତ କ୍ଳାନ୍ତିର ନାଲିମା ବୋଳି ସାରିଲାଣି, ହୋଲିର ରଙ୍ଗ ପାଇଁ ଜାଗା କାଇଁ ! ତୁମେ ମୋତେ ଏକୁଟିଆ କରି ଆଗ ଚାଲିଗଲ, ଟିକିଏ ଅପେକ୍ଷା କରିବାକୁ ତୁମର ମନ ହେଲାନି । ଏମିତି କଣ କିଏ ଯାଏ ? ଯାହାକୁ ଏତେ ନିଜର ଭାବୁଥିଲ ଶେଷରେ ତାକୁଇ ଏକୁଟିଆ ଛାଡିଦେଲ ! ତୁମେ କଣ ବୁଝି ପାରୁଛ ତୁମ ବିନା ମୁଁ କେମିତି ବଞ୍ଚିଛି ! ଏବେ ସଂଜ ଘୋଟି ଆସିଲାଣି, ରାତ୍ରି ହେବାକୁ ଆଉବା କେତେବା ଡେରି ? ହୋଇପାରେ ପୁଣି ଥରେ ଦେଖା ହୋଇଯିବ ! ଆର ପୁରରେ ଅବା ଆର ଜନ୍ମରେ, ଦେଖା ହେଲେ ଦୁହିଙ୍କୁ ବହୁତ ଖୁସି ଲାଗିବ, ଦେଖା ନହେଲେ ବି କିଛି କଥା ନାହିଁ, ଜୀବନର ଏଇ ନିଃସଙ୍ଗତା ଏବେ ମୋର ଦେହସୁହା ହୋଇ ସାରିଲାଣି । (ଗଳ୍ପଟି ମୋ କବିତା-"ତୁମେ ଆସିବ ବୋଲି"ର ଛାୟାରେ ଲିଖିତ) ।

***$***

କ୍ୟାଲେଣ୍ଡର ଚାଦର ରୋଷେଇ

Rate the content


Originality
Flow
Language
Cover design

Comments

Post

Some text some message..