Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭୁଲ୍ ଠିକଣାର ପ୍ରେମିକା
ଭୁଲ୍ ଠିକଣାର ପ୍ରେମିକା
★★★★★

© T.Durga Prasad Rao

Drama Others

7 Minutes   81    3


Content Ranking


କଲେଜ୍.କୁ ଡେରି ହେଲାଣି। ଏଣେ ଠିକ୍ ଏକ ନିକାଞ୍ଚନ ସ୍ଥାନରେ ସମସ୍ତଙ୍କୁ ଆଶଙ୍କିତ କରି ବସ୍.ର ଟାୟାର୍.ଟା ଠୋକିନା ଫାଟିଗଲା। ଡ୍ରାଇଭର ଜଣକ କୌଣସିମତେ ଗାଡ଼ିଟିକୁ ବ୍ରେକ୍ କଷି ନିୟନ୍ତ୍ରଣକୁ ଆଣିଲେ। କଣ ହେଲା କହି ଅର୍ଦ୍ଧାଧିକ ଯାତ୍ରୀ ଗାଡ଼ିରୁ ଠେଲା ପେଲା ହୋଇ ଓହ୍ଲାଇ ପଡ଼ିଲେ। ମୁଁ ବି ଓହ୍ଲାଇଲି। ଡ୍ରାଇଭର ପରିସ୍ଥିତି ଅନୁଧ୍ୟାନ କରି ହେଲ୍ପରକୁ ନିର୍ଦ୍ଦେଶ ଦେଲେ ଷ୍ଟେପିନ୍ ଟାୟାର୍ ବସ୍.ର ଶିଖରରୁ ଓହ୍ଲାଇବା ଲାଗି। ପଛ ଟାୟାର୍ ଫାଟି ଯାଇଥିଲା। ମୁଁ ହିସାବ କଲି ନିହାତି ଅଧଘଣ୍ଟାଏରୁ ଉପରେ ଲାଗିବ ଟାୟାର୍ ଚେଞ୍ଜ୍ କରିବା ସକାଶେ। ଆଜି ଅରୁଣା ମ୍ୟାଡାମ୍.ଙ୍କ ମ୍ୟାଥ୍ କ୍ଳାସ୍ ନିଶ୍ଚିତ ମିସ୍ ହେବ। ମୁଁ ବିରକ୍ତ ଓ ବ୍ୟତିବ୍ୟସ୍ତ ହୋଇ ଉଠିଲି। କିନ୍ତୁ ଆଉ କିଛି ଉପାୟ ନ ଥିଲା।

ମୁଁ ରାସ୍ତା ତଳକୁ ଗଡ଼ିଲି। ଏ ଭିତରେ ଅନ୍ତତଃ ଟିକିଏ ହାଲୁକା ହୋଇଯାଏ। ଚାଲୁ ଚାଲୁ ରାସ୍ତାଠାରୁ ଖଣ୍ଡେ ଦୂରକୁ ବସ୍ ନ ଦିଶିଲା ପରି ଏକ ଖାଲୁଆ ଜାଗାକୁ ଚାଲିଗଲି। ପରିଶ୍ରା କରି ଫେରୁଛି, ଆଖିରେ ପଡ଼ିଲା ଆମ୍ବଗଛର ଗଣ୍ଡିରେ କେହି ଜଣେ ଧାରୁଆ ଅସ୍ତ୍ରରେ କାଟି ଗୋଲ୍ ଗୋଲ୍ କରି ଲେଖିଛି “ରାଣୀ”। ମୁଁ କୌତୁହଳ ଓ କିଶୋର ସୁଲଭ ଚପଳତା ନେଇ ମୁନିଆଁ ପଥରଟିଏ ଖୋଜି ତା ତଳେ ଲେଖିଦେଲି “ତୁମ ହୃଦୟର ରାଜା”।

ବସ୍ ହର୍ଣ୍ଣ ମାରିଲା। ମୁଁ ପଥରଟି ଧରି ଆମ୍ବଟିଏକୁ ଲକ୍ଷ୍ୟ କରି ମାରିଲି। ନା, ଫେଲ୍। “ଏ, ରହ ରହ” କହି ଦୌଡ଼ିଲି ବସ୍ ଆଡ଼କୁ।

ବିତିଯାଇଛି ବର୍ଷଟିଏ। ମୋର ଏବେ ଯୁକ୍ତ ତିନି ବିଜ୍ଞାନ ପ୍ରଥମ ବର୍ଷ। ଆଉ ଏବେ ବସ୍.ରେ ଧକ୍କା ଖାଇ କଲେଜ୍ ଯିବାକୁ ପଡୁନି। ବାପା କିଣି ଦେଇଛନ୍ତି ମଟର ସାଇକେଲ୍.ଟିଏ କଲେଜ୍ ଯିବା ଆସିବା ସକାଶେ। ସେଦିନ ନିଛାଟିଆ ଜାଗାରେ ବାଇକ୍.ଟି ବାଲି ଉପରେ ସ୍ଳିପ୍ କରୁ କରୁ ରହିଗଲା। ବୁଟୁ ଗାଡ଼ିରୁ ଓହ୍ଲାଇ କହିଲା, “ଶଃ, ଦେହରେ ବଳ ନାହିଁ, ବାଇକ୍ ଚଳୋଉଛି।” ମୁଁ କହିଲି, “ବଳ ନାହିଁ ଆଉ ଡ୍ରାଇଭିଂ ଲାଇସେନ୍ସ୍ ପାଇଲି କେମିତି?”

- ଡ୍ରାଇଭିଂ ଲାଇସେନ୍ସ୍ ପାଇବା ପାଇଁ ଆଜିକାଲି ଯୋଗ୍ୟତା ଦରକାର ପଡୁନି।

- ହଉ ତୋ କଥା ହେଉ, ମୁଁ ଟିକିଏ ହାଲୁକା ହୋଇ ଆସେ। ମୁଁ ତଳକୁ ଓହ୍ଲେଇଲି। ଆଖିରେ ପଡ଼ିଲା ସେଇ ଆମ୍ବଗଛ। ମୋ ଅଜାଣତରେ ମୋ ଗାଡ଼ି ଠିକ୍ ସେଇ ଜାଗାରେ ସ୍ଳିପ୍ କରିଛି। ମୋତେ ଆଶ୍ଚର୍ଯ୍ୟ କରି ମୋ ଲେଖା ତଳେ କିଛି ଗୋଟିଏ ଲେଖା ହୋଇଛି। ମୁଁ ପାଖକୁ ଯାଇ ପଢ଼ିବାକୁ ଚେଷ୍ଟା କଲି। ଛୋଟ ଛୋଟ ଅକ୍ଷରରେ ଲେଖା ହୋଇଛି, “ଯଦି ରାଜା, ପକ୍ଷୀରାଜ ଘୋଡ଼ାରେ ଆସି ମୋତେ ନେଇଯାଅ।” ମୁଁ ବିସ୍ମୟାଭିଭୁତ ହୋଇ କିଛି ସମୟ ଠିଆ ହୋଇ ପଡ଼ିଲି। ମୋର ଡେରି ଦେଖି ବୁଟୁ ମୋ ଆଡ଼କୁ ପାଦ ପକାଉଥିଲା। ସେତେବେଳକୁ ମୁଁ ପଥରଟିଏ ନେଇ ଲେଖିବା ଆରମ୍ଭ କରି ଦେଇଥିଲି, “ଦିନ ଧାର୍ଯ୍ୟକର। ମୁଁ ପହଞ୍ଚିଯିବି।” ବୁଟୁ ପାଖରେ ପହଞ୍ଚି କହିଲା, “କଣ ଚାଲିଛି?” ତାପରେ ଲେଖା ସବୁ ପଢ଼ି ନେଇ କହିଲା, “ହୁଁ, ସେଇଥିପାଇଁ ଗାଡ଼ି ସ୍ଳିପ୍ ହେଉଛି।” ମୁଁ କହିଲି, “ଆରେ, ନା ରେ। ମୁଁ ତାକୁ ଜାଣିନି କି ସେ ମୋତେ ଜାଣିନି। ସିଏ ମଜାରେ ମଜାରେ ଲେଖୁଛି ଆଉ ମୁଁ ମଧ୍ୟ କୌତୁହଳବଶତଃ ଉତ୍ତର ଦେଉଛି।”

ଚାରି ପାଞ୍ଚଦିନ ପରେ ମୁଁ ଜାଣିଶୁଣି ଗାଡ଼ି ଅଟକାଇଲି ସେଇ ଆମ୍ବଗଛ ପାଖରେ। ଦେଖି ଆସିଲି ଗଛଟିକୁ। ନା, ଆଉ କିଛି ଲେଖା ନାହିଁ। ତାପରଦିନ ପୁଣି ଗଲି ଗଛ ପାଖକୁ। ନା, ସେଇ ସେତିକି। ଏବେ ନିତି ଦିନ ଗଛ ପାଖକୁ ଯାଇ ଟିକେ ଦେଖି ଆସିବା ମୋର ଅଭ୍ୟାସରେ ପରିଣତ ହୋଇଗଲା। ଅଭ୍ୟାସ ନୁହେଁ ତ ନିଶା ପାଲଟିଗଲା। ହେଲେ, କିଛି ଦିନ ଲଗାତାର ବ୍ୟର୍ଥ ମନୋରଥରେ ଫେରିବା ପରେ ମୁଁ ଭୁଲିଗଲି ଗଛ କଥା।

ଦିନେ ବୁଟୁ କହିଲା, “ମୁଁ ଭାବୁଛି ଝିଅଟି ଏ ଆଖପାଖ ଗ୍ରାମର ହୋଇଥିବ। ଟିକିଏ ବୁଲି ଆସିଲେ କ୍ଷତି କଣ? ମୁଁ ଖବର ନେଇଛି ଏ ପାଖା ପାଖି ଗାଁଟିଏ ଅଛି। ଚାଲ, ଥରେ ଦେଖି ଆସିବା।” ତା କଥାରେ ମୁଁ ଟିକିଏ ଉତ୍ସାହିତ ହୋଇ ପଡ଼ିଲି। ବାଇକ୍ ନେଇ ଆମେ ପହଞ୍ଚିଲୁ ପାଖ ଗ୍ରାମରେ। ଗାଁ ଭିତରେ ଗୋଟିଏ କିରାନା ଦୋକାନ ଦେଖି ବିସ୍କୁଟ୍ ପ୍ୟାକେଟ୍.ଟିଏ କିଣିଲୁ। ସେଇ ବାହାନାରେ ବୁଟୁ ଦୋକାନୀକୁ ପଚାରିଲା, “ରାଣୀର ଘର କେଉଁଠି?” ଦୋକାନୀ ବାହାରକୁ ଆସି ହାତ ଦେଖାଇ କହିଲା, “ଏ ଲାଇନ୍.ର ସବା ଶେଷ ଘର ଦେଖୁଛ, ତାର ଦୁଇଘର ପୂର୍ବରୁ ଗଳିଟିଏ ଅଛି। ସେଇ ଗଳିରେ ଗଲେ ଛୋଟ କୂଅଟିଏ ପଡ଼ିବ। ତା ପର ଘରଟି ରାଣୀର। କିନ୍ତୁ ତା ପାଖରେ ତମର କାମ କଣ?” ଆମେ ତା ପ୍ରଶ୍ନ ନ ଶୁଣିଲା ପରି ଏଡ଼େଇ ଯାଇ ବାଇକ୍ ଷ୍ଟାର୍ଟ୍ ମାରିଲୁ। ଦୋକାନୀ କହିବା ମୁତାବକ ନିର୍ଦ୍ଦିଷ୍ଟ ଘର ସାମ୍ନାରେ ଗାଡ଼ି ରଖି ଇତସ୍ତତଃ ହେଲୁ। ବୁଟୁ କହିଲା, “ଯା ନା।” ମୁଁ କହିଲି, “ତୁ ପ୍ରଥମେ ଯାଇ ଦେଖି ଆସ।” କହିଲା, “ମୋର କଣ ଗରଜ ପଡ଼ିଛି। ଯିବୁ ଯଦି ଠିକ୍ ଅଛି, ନଚେତ୍ ଚାଲ୍ ଫେରିଯିବା।” ଅଗତ୍ୟା ଥାଥାମାମା ହୋଇ ମୁଁ ବାରଣ୍ଡା ପର୍ଯ୍ୟନ୍ତ ଉଠିଲି। ଘର ଭିତରୁ ବୁଢ଼ୀଟିଏ ବାହାରି ଆସି ପଚାରିଲା, “କଣ ହେଲା, କାହାକୁ ଖୋଜୁଛ?” ମୁଁ ଛେପ ଢ଼ୋକି କହିଲି, “ରା...ଣୀ...”

- ହଁ, ମୋ ନାଁ ରାଣୀ?

ମୋ ଆଖି ଦୁଇଟା ସ୍ୱତଃ ବଡ଼ ହେଇଗଲା। ମୁଁ ବାରଣ୍ଡା ପାହାଚ ଓହ୍ଲାଉ ଓହ୍ଲାଉ କହିଲି, “ଭୁଲ୍ ଠିକଣା।”

ସେଦିନ ବାଟଯାକ ବୁଟୁ ମୋତେ ଚିଡ଼େଇ ଚିଡ଼େଇ ହସୁଥିଲା।

- ସୁନ୍ଦରୀ ପ୍ରେମିକାଟିଏ ପାଇଥିଲୁ, ଛାଡ଼ି ଆସିଲୁ।

ମୁଁ ରାଗି ଉଠି କହିଲି, “ଆବେ, ତା ପାଟିରେ ଗୋଟିଏ ବି ଦାନ୍ତ ନାହିଁ। କହିଲା କଣ, ମୋ ନାଁ ରାଣୀ। କୋଉ ଏଙ୍ଗେଲ୍.ରୁ ସେ ରାଣୀ ପରି ଦିଶୁଛି?” ଅନେକ ଦିନ ପର୍ଯ୍ୟନ୍ତ ଆଉ ସେ ଗଛ ପାଖକୁ ଗଲି ନାହିଁ।

ଦିନେ ବାଇକ୍.ରେ କଲେଜ୍.ରୁ ଫେରୁ ଫେରୁ ସେଇ ନିର୍ଦ୍ଦିଷ୍ଟ ଜାଗାରେ ବୁଟୁର ଟୋପିଟା ଉଡ଼ିଗଲା। ମୁଁ ଗାଡ଼ି ରଖିଲି। ବୁଟୁ ଟୋପି ପାଇଁ ଦୌଡ଼ିଲା। ମୁଁ ଟିକିଏ ଏଣେ ତେଣେ ଚାହିଁ କୌତୁହଳରେ ଗଲି ଗଛ ପାଖକୁ। ଆଶ୍ଚର୍ଯ୍ୟ! ମୋ ଲେଖା ତଳକୁ ଲେଖା ହୋଇଛି, “ଫେବୃଆରୀ ୧୪”। ମନଟା ମୋର ଖୁସି ହେଇଗଲା। ମୁଁ ବୁଟୁକୁ ଡାକି ଦେଖେଇଲି। ସେ କହିଲା, “ଯାହା ହେଉ, ଏତେ ଦିନ ପରେ ଅନ୍ତତଃ ତୁ ତାକୁ ଦେଖି ପାରିବୁ। ଆରେ ଫେବୃଆରୀ ୧୪ ମାନେ ଭ୍ୟାଲେଣ୍ଟାଇନ୍ ଡେ। ଝିଅଟି ନିଶ୍ଚୟ ପଢ଼ୁଆ ଆଉ ଆଧୁନିକା। ତୋ ଭାଗ୍ୟ ଫିଟିଗଲା ଜାଣ।”

ଦିନଟି ଯେତେ ପାଖେଇ ଆସୁଥାଏ, ମୋ ମନର ଉତ୍କଣ୍ଠା ବଢ଼ି ବଢ଼ି ଚାଲିଥାଏ। ଫେବୃଆରୀ ୧୩ ତାରିଖ ରାତି ମୋତେ ଆଉ ନିଦ ହେଲାନାହିଁ। ଯେମିତି ସକାଳ ପାହିଛି, ରାଣୀକୁ ଦେଖିବାର ମୋହରେ ବ୍ୟଗ୍ର ହୋଇ ଏକା ପହଞ୍ଚିଲି ସେଇ ନିର୍ଦ୍ଦିଷ୍ଟ ସ୍ଥାନରେ। ସକାଳ ଯାଇ ସଞ୍ଜ ହେଲା, ହେଲେ ରାଣୀର ଦେଖା ନ ଥିଲା। ମୁଁ ଆଉ ଅପେକ୍ଷା କରିବା ବୃଥା ଭାବି ନିରାଶ ମନ ନେଇ ଫେରି ଆସିଲି ଘରକୁ। ବୁଟୁ ସହିତ ଦେଖା କରି ସବୁ କହିଲି। ସେ ବହୁତ ସମୟ ଗମ୍ଭୀର ଭାବରେ କଣ ଚିନ୍ତା କରି କହିଲା, “ତୁ ଗୋଟେ କଥା ଲକ୍ଷ୍ୟ କରିଛୁ?” ମୁଁ ପଚାରିଲି, “କଣ?”

- ତୁ ଯେତେବେଳେ ବି ସେ ଜାଗାରେ ନିଜ ଇଚ୍ଛାରେ ଅଟକିଛୁ, କିଛି ପରିବର୍ତ୍ତନ ଦେଖିନୁ। ଆଉ ଯେତେବେଳେ ସଂଯୋଗବଶତଃ କୌଣସି ଅସୁବିଧା ହେତୁ ଅଟକିଛୁ, ପରିବର୍ତ୍ତନ ଆଖିରେ ପଡ଼ିଛି।

- ତୋ କହିବାର ଅର୍ଥ କଣ?

- ମୋତେ କାହିଁକି କଥାଟା କିଛି ଠିକ୍ ଲାଗୁନି। ତୁ ସେ ଗଛ ପାଖକୁ ଆଉ ଯାଆନା।

ମୁଁ ହସିଲି ହୋ ହୋ ହୋଇ। ବୁଟୁ ମୁହଁ ବିକୃତ କଲା।

ଇତି ମଧ୍ୟରେ ମୋର ପଢ଼ାପଢ଼ି ସରି ଯାଇଛି। ମୁଁ ଏବେ ଏମ୍.ବି.ଏ ପରେ ଗୋଟିଏ ନାମୀ କମ୍ପାନୀରେ ମ୍ୟାନେଜର୍ ପୋଷ୍ଟରେ ଅଛି। ଦୁଇଦିନ ହେଲା ଫେରିଛି ଗାଁକୁ। ଘରେ ବାପା ମାଆ ମୋର ବିବାହ ନେଇ ବ୍ୟସ୍ତ। ପ୍ରତିଦିନ ମୋ ମୋବାଇଲ୍ ହ୍ୱାଟ୍.ସ୍ ଅପ୍.ରେ ଝିଅଙ୍କ ଫଟୋ। ତା ତଳେ ନାଁ, ବୟସ ଆଉ ଅନ୍ୟାନ୍ୟ କ୍ୱାଲିଫିକେସନ୍। ମୁଁ ଅତିଷ୍ଠ। ଏଣେ ରାଣୀର କିଛି ଖବର ନାହିଁ। ବାପା କହିଲେ, “ତୋର ଆଉ କୌଣସି କଥା ଶୁଣାଯିବ ନାହିଁ। ଆସନ୍ତା କାଲି ଝିଅ ଦେଖା। ତୁ ପ୍ରସ୍ତୁତ ହୋଇ ରହିବୁ।”

ଠିକ୍ ସମୟରେ ଆମ କାର୍.ଟି ଝିଅ ଘର ସାମ୍ନାରେ ଅଟକିଲା। ବାପା, ମାଆ, ବୁଟୁ, ସାନଭାଇ ଆଉ ମୁଁ ସମସ୍ତେ ଗାଡ଼ିରୁ ଓହ୍ଲାଇ ପହଞ୍ଚିଲୁ ଝିଅ ଘରେ। ଝିଅଟି ପ୍ରଥମ ଦେଖାରେ ହିଁ ମୋର ପସନ୍ଦ ହୋଇଗଲା। ଝିଅର ନାଁ ପ୍ରୀତିପଦ୍ମା। ଏମ୍.ବି.ବି.ଏସ୍ ଫାଇନାଲ୍ ଇୟର୍। ଦେଖିବାକୁ ବି ଖୁବ୍ ସୁନ୍ଦର। ହୁଏତ ରାଣୀଠାରୁ ବି ସୁନ୍ଦର। ମୁଁ ତ ମନେ ମନେ ଏମିତି ଝିଅଟିଏର କଳ୍ପନା କରୁଥିଲି। ରାଣୀଠାରେ ଏଇସବୁ ଗୁଣ ଖୋଜୁଥିଲି। ତେଣୁ ମୋର କୌଣସି ଆପତ୍ତି ନ ଥିଲା। ତଥାପି ମୋ ସ୍ୱୀକୃତି ପୂର୍ବରୁ ଝିଅର ମନ କଥା ଜାଣିବା ଜରୁରୀ। ମୁଁ ଏକାନ୍ତରେ ପ୍ରୀତି ସହ କଥା ହେବାକୁ ଇଚ୍ଛା ପ୍ରକାଶ କଲି। ସେ ମୋତେ ବାଟ କଢ଼ାଇ ନେଲା ବାଲ୍କୋନୀକୁ। ଅଳ୍ପ ସମୟ ଏଣୁ ତେଣୁ କଥାବାର୍ତ୍ତା ପରେ ପ୍ରୀତି କହିଲା ସେ ଜଣକୁ ଭଲପାଏ। ଏଣୁ ମୋତେ ସେ ବିବାହ କରିପାରିବ ନାହିଁ। ମୋ ଆଖିରେ ନୈରାଶ୍ୟ। ନିଜକୁ ସଂଯତ କରି ପଚାରିଲି, “କିଏ ସେ ଭାଗ୍ୟବାନ ଯୁବକ?” ପ୍ରୀତି ନିରୁତ୍ତର ରହିଲା। ଭାବିଲି ସେ ଜଣେଇବା ଉଚିତ୍ ମନେ କରୁନାହିଁ ଯେତେବେଳେ, ଥାଉ। କହିଲା, “ଆପଣ କହିଦେବେ ମୁଁ ଆପଣଙ୍କର ପସନ୍ଦ ହୋଇନି।” ମୁଁ କହିଲି, “ତୁମେ କହୁନ, ମୁଁ ତୁମର ପସନ୍ଦ ହୋଇନାହିଁ ବୋଲି।” ପ୍ରୀତି ଟିକିଏ ହସିଲା। କହିଲା, “କେଉଁ ମୁହଁରେ କହିବି ଆପଣଙ୍କ ପରି ଜଣେ ହ୍ୟାଣ୍ଡସମ୍, ଉଚ୍ଚଶିକ୍ଷିତ ଓ ମୋଟା ଅଙ୍କର ରୋଜଗାର କରୁଥିବା ଯୁବକ ମୋର ପସନ୍ଦ ହୋଇନି ବୋଲି।” ପ୍ରୀତି ମୁହଁରୁ ମୋର ପ୍ରଶଂସା ଶୁଣି ଛାତିଟା ଚଉଡ଼ା ହୋଇଗଲା। ହେଲେ ମୁଁ ମଧ୍ୟ ଦ୍ୱନ୍ଦ୍ୱରେ ଥିଲି। କେମିତି କହିବି ଏତେ ସୁନ୍ଦରୀ, ଡାକ୍ତରୀ ପଢ଼ୁଥିବା ଝିଅ ମୋର ପସନ୍ଦ ହୋଇନି ବୋଲି। ଧୀର ପଦକ୍ଷେପରେ ତଳକୁ ଓହ୍ଲାଇଲି। ପଛରେ ପଛରେ ପ୍ରୀତି। କହିଲି, “ମୋତେ ଟିକିଏ ସମୟ ଦରକାର। ଏତେ ଶୀଘ୍ର ମୁଁ ଡିସିସନ୍ ନେଇ ପାରୁନି।” ବାପା ମୋତେ ଗାଢ଼େଇକି ଅନେଇଲେ। ମୁଁ ମୁହଁ ତଳକୁ କଲି। ସମସ୍ତଙ୍କ ମୁହଁରେ ଅଳ୍ପ ବହୁତ ନିରାଶ। ଆମେ ଫେରିଲୁ।

ପରଦିନ ମୁଁ ବାହାରିଲି ମୋର କର୍ମସ୍ଥଳକୁ। ବୁଟୁ ମୋତେ କାର୍.ରେ ଭୁବନେଶ୍ୱର ଛାଡ଼ିବାକୁ ବାହାରିଲା। ସେଇଠୁ ଫ୍ଲାଇଟ୍ ମୁମ୍ବାଇ। ହଠାତ୍ ଆମ କାର ଆଗକୁ ଝିଅଟିଏ ଆସିଗଲା। ଗାଡ଼ି ମୁଁ ଚଳାଉଥାଏ। ଖୁବ୍ ଜୋର୍.ରେ ବ୍ରେକ୍.ଟି କଷିଦେଲି। ଚକ ଘୋଷାରି ହୋଇଗଲା ଦୁଇ ତିନି ହାତ। ଝିଅଟି କିନ୍ତୁ ବେପରାୟ। ଥରେ ଆମ ଆଡ଼କୁ ଚାହିଁ ଦେଇ ରାସ୍ତା ପାର ହୋଇଗଲା।

- ରାଣୀ... ରାଣୀ... ଡାକି ଝିଅଟି ରାସ୍ତା ତଳକୁ ଓହ୍ଲାଉଥିଲା।

ହଠାତ୍ ମୁଁ ସଚେତନ ହୋଇ ଚାରିଆଡ଼କୁ ଚାହିଁ ଦେଖିଲି ଇଏ ସେଇ ଜାଗା। ମୁଁ ଗାଡ଼ିର ଷ୍ଟାର୍ଟ୍ ବନ୍ଦ କରି ଓହ୍ଲାଇ ପଡ଼ିଲି। ବୁଟୁ କାର୍ ଭିତରୁ ପଚାରିଲା, “ଆବେ, କୁଆଡ଼େ ଯାଉଛୁ? ଡେରି ହେଲେ ଫ୍ଲାଇଟ୍ ମିସ୍ ହେବ।” ମୁଁ କୌଣସି ଉତ୍ତର ନ ଦେଇ ରାସ୍ତା ତଳକୁ ଓହ୍ଲେଇଲି। ଦେଖିଲି, ଆମ୍ବଗଛ ପାଖରେ ଆଣ୍ଠୁମାଡ଼ି ବସିଛି ଯୁବତୀଟିଏ। ପ୍ରଥମ ଝିଅଟି ତା ପାଖରେ ପହଞ୍ଚି ତାକୁ ଉଠିବାକୁ ଈଶାରା କରୁଛି। କିଛି କହିବାକୁ ଯାଉଥିଲା, ହେଲେ ମୋତେ ଦେଖି ଚୁପ୍ ହୋଇଗଲା। ମୁଁ ଯୁବତୀଟିର ନିକଟବର୍ତ୍ତୀ ହୋଇ ତା କାନ୍ଧରେ ହାତ ଥାପିଲି।

- ରାଣୀ?

ଯୁବତୀଟି ମୁହଁ ବୁଲେଇ ସଜଳ ନୟନରେ ଚାହିଁଲା ମୋ ଆଡ଼େ।

ମୁଁ ବିସ୍ମୟରେ ଚାହିଁଲି ଯୁବତୀ ଆଡ଼େ।

- ଆରେ ପ୍ରୀତିପଦ୍ମା! ତୁମେ! ତୁମେ ଏଇଠି? ପ୍ରୀତି କିଛି କହିବା ପୂର୍ବରୁ ମୁଁ ସଚେତନ ହୋଇ ଘଣ୍ଟାକୁ ଚାହିଁଲି। ଆରେ ଆଜି ତ ଫେବୃଆରୀ ୧୪! ମୁଁ ଉପରକୁ ମୁହଁ ତୋଳି ବହେ ହସିଲି। ବୁଟୁ ପହଞ୍ଚି ସାରିଥିଲା ପାଖରେ। ମୁଁ ତା ଆଡ଼େ ଲକ୍ଷ୍ୟ କରି କହିଲି, “ତୁ ଠିକ୍ କହିଥିଲୁ। ବିନା କୌଣସି ସଂଯୋଗରେ ମୁଁ ରାଣୀ ପାଖରେ ପହଞ୍ଚିବା ସମ୍ଭବ ନ ଥିଲା।”

ପ୍ରୀତି ଉଠିପଡ଼ି ଅବୁଝା ଆଖିରେ ଚାହିଁଥିଲା ମୋତେ। ମୁଁ କହିଲି, “ଯେଉଁ ଅପରିଚିତଙ୍କ ପାଇଁ ମୋ ବିବାହ ପ୍ରତ୍ୟାଖ୍ୟାନ କଲ ମୁଁ ସେଇ ଯୁବକ ରାଜା। ରାଜା ମୋର ଡାକ ନାମ। ଆଉ ବୋଧହୁଏ ରାଣୀ ତୁମର ଡାକ ନାମ?”

ପ୍ରୀତି ଏବେ ସବୁକିଛି ବୁଝି ପାରିଥିଲା। କହିଲା, “ହଁ ମୋ ଆଈଙ୍କ ନାଁ ରାଣୀ। ତାଙ୍କ ନାଁ ଅନୁସାରେ ମୋର ଡାକ ନାଁ ରାଣୀ। ସାତ ବର୍ଷ ବିତିଗଲା। ତୁମେ କିନ୍ତୁ କଥା ଦେଇ ଆସିନାହଁ କୌଣସିଟି ଫେବୃଆରୀ ୧୪ରେ।” ରାଣୀ ଅଭିମାନ କରୁଥିଲା। ମୁଁ ବୁଝେଇ ଚାଲିଥିଲି ଗୋଟିଏ ପରେ ଗୋଟିଏ ଅସୁବିଧା କଥା। ପଚାରିଲି, “ଧରିନିଅ, ଯଦି ମୁଁ ଟେରାଟିଏ, ଲେଙ୍ଗଡ଼ାଟିଏ ଅବା ଅସୁନ୍ଦର ଥାନ୍ତି, ତୁମେ ମୋତେ ବିବାହ କରିଥାନ୍ତ?” ରାଣୀ କିଛି ଉତ୍ତର ନ ଦେଇ ଓଲଟି ପ୍ରଶ୍ନ କଲା, “ଆଚ୍ଛା, ମୁଁ ଯଦି ଅସୁନ୍ଦରୀ ହୋଇଥାନ୍ତି, କାଳି ହୋଇଥାନ୍ତି, ତୁମେ କଣ କରିଥାନ୍ତ?” ମୁଁ ରାଣୀ ଆଡ଼େ ଟିକିଏ କଣେଇ ଚାହିଁ କହିଲି, “ରାସ୍ତା ଉପରୁ ତୁମକୁ ଦେଖି ଦେଇ ୟୁ ଟର୍ନ୍ ମାରି ଫେରି ଯାଇଥାନ୍ତି।” ରାଣୀ ମୋତେ ଗୋଡ଼େଇ ଆସିଲା ପିଟିବ ବୋଲି। ମୁଁ ଗୋଟିଏ ଡିଆଁରେ ରାସ୍ତା ଉପରେ ହାଜର୍। ବୁଟୁ କହିଲା, “ଆବେ ରାଜା, ଆଜି ଫ୍ଲାଇଟ୍ ମିସ୍ ହେବ ହିଁ ହେବ।” ମୁଁ କହିଲି, “ହେଉ, ନେଗୋସିଏସନ୍ ନ ହେଲା ପର୍ଯ୍ୟନ୍ତ ମୁମ୍ବାଇ ଯିବା ପୋଷ୍ଟ୍.ପୋନଡ୍।”


 (କିଛି କର୍ମ ଓ କିଛି ଈଶ୍ୱରୀୟ ସଂଯୋଗକୁ ନେଇ ରଚିତ ଗଳ୍ପ, ଆଶାକରେ ପସନ୍ଦ ଲାଗିବ।)

ଟି.ଦୁର୍ଗା ପ୍ରସାଦ ରାଓ

ପ୍ରୀତି ରାଣୀ ବସ୍ ରାଜା

Rate the content


Originality
Flow
Language
Cover design

Comments

Post

Some text some message..