Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦହନର ଅନ୍ୟ ନାଁ
ଦହନର ଅନ୍ୟ ନାଁ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

9 Minutes   7.3K    14


Content Ranking

ଶ୍ରୀ ରାଜେଶ ପୂଜାରୀ

କେହି ଜାଣନ୍ତିନି ପ୍ରାଚୀ ପାଗଳୀ କାହିଁକି ହୋଇଗଲା ! ତା’ର ରହସ୍ୟ କ’ଣ? ସେ ତ ଆଗ ଠିକଠାକ୍ ଥିଲା, ସରଳ ଥିଲା, ହଠାତ୍ ଏମିତି ! କିଏ ରାଜ ! ତା’ ସହ ପ୍ରାଚୀର କି ସଂପର୍କ ! ସେ ରାଜ୍ ରାଜ୍ ବୋଲି ଚିଲ୍ଲାଉଛି କାହିଁକି ? ସବୁବେଳେ ଅଚଳ ମୋବାଇଲ୍ ଟିଏ ଧରି କ’ଣ ସବୁ ପୁଟୁପୁଟୁ ହେଉଥାଏ । ଏମିତି ଅନେକ ପ୍ରଶ୍ନ ଫିଙ୍ଗି ହୋଇଯାଏ ଅନେକ ମନରୁ । ଉତ୍ତର ପାଆନ୍ତିନି କେହି । ସେ ସବୁର ଉତ୍ତର ଅଭି ପାଖରେ । ଯେଉଁ ରାଜକୁ ସମସ୍ତେ ଦିନରାତି ଏକ କରି ଖୋଜିବାର ବ୍ୟସ୍ତ ସେ ହେଉଛି ଅଭି ନିଜେ । କାହାକୁ କିଛି କହିପାରେନି କି’ ପ୍ରାଚୀର ଦୁଃଖ ଦେଖି ସହି ପାରେନି । ତା’ ଅସହାୟତାକୁ ଦେଖିବା, ଯୋଖିବା ଛଡ଼ା ଦ୍ୱିତୀୟ ବିକଳ୍ପ ନାହିଁ କିଛି ତା’ ପାଖରେ । ବେଳେବେଳେ ଚିନ୍ତା କରେ ସଂପର୍କ, ସମାଜ ଆଦିକୁ ଖାତିର ନକରି ସଭିଙ୍କୁ ସବୁ କହିଦିଅନ୍ତା କି ! ଅତନ୍ତଃ ପ୍ରାଚୀ ପାଇଁ କଥାଟା ଖୁବ୍ ଅପ୍ରିୟ ଓ ଅଗ୍ରହଣୀୟ ହେଲେ ହେଁ ସ୍ୱାଭାବିକ ଅବସ୍ଥାକୁ ହୁଏତ ସେ ଫେରି ଆସନ୍ତା । କିନ୍ତୁ ପାରେନି ତାକୁ ତା’ ବିବେକ ବାଧା ଦିଏ । ନଜିକୁ ନିଜେ ନିଜ ସହ ସାଲିସ କରିବାକୁ ପଡ଼େ । ସବୁ ଦେଖୁଥ।ଏ । ଶୁଣୁଥ।ଏ । କିଂକର୍ତ୍ତବ୍ୟବିମୂଢ଼ ପଣରେ ଦଶରା ଧାନ ବିହୁଡ଼ା ପରି କସ୍ତୁରୀ ମୃଗର ବାସ୍ନା ଅନ୍ୱେଷଣ ପରି, ଜହ୍ନର ଜ୍ୟୋତ୍ସ୍ନା ଖୋଜା ପରି ବାକିମାନଙ୍କ ସହ ମିଶି ‘ରାଜ’କୁ ଖୋଜିବାର ଅଭିନୟ କରେ । ବଲିଉଡ୍ ଷ୍ଟାର୍ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଆକ୍ସନ୍ ରିପ୍ଲେ’ ଭଳି ବାସ୍ତବତାରେ ଯଦି କୌଣସି ମେସିନ୍ ରେ ଅତୀତକୁ ଫେରି ହେଉଥାନ୍ତା ସେ ସବୁକିଛି ଠିକଠାକ୍ କରି ପୁଣି ଲେଉଟି ଆସନ୍ତା ବର୍ତ୍ତମାନକୁ । ଅଭିର ସ୍ୱପ୍ନଜୀବି ମନ ଶିହରି ଯାଏ ଯେବେ ତାକୁ କବଳିତ କରନ୍ତି ଏମିତିକା ଅନିଶ୍ଚିତ ଭାବନାମାନେ । କିନ୍ତୁ ସମୟ ପାଖରେ ଫେରାଦୀ ହେବାକୁ କାର ଯୁ’ ବା ଅବକାଶ କାହିଁ ! ତାକୁ ଲାଗେ କିଏ ଜଣେ ତାକୁ ମହାକାଶକୁ ନେଇ ଟିପକିନା ଛାଡ଼ିଦେଲା ଯେମିତି । ତା’ପାଖ ଛାଡ଼ିବାକୁ ନାରାଜ ହେଉଥିବା ସେ ବିଷାଦ ସ୍ମୃତି ସବୁର ତୀକ୍ଷ୍ଣ ଚେଙ୍କ ପାଇ । ଯାହା ତାକୁ ଅଣନିଶ୍ୱାସୀ କରିପକାଏ ।

ଅଭି ଗୋଟିଏ ମଧ୍ୟବିତ୍ତ ପରିବାରର ପିଲା । ସେତେବେଳେ ତାଙ୍କର ଅର୍ଥାବସ୍ଥା ସେତେଟା ମାତ୍ରାରେ ସ୍ୱଚ୍ଛଳ ନଥିଲା । ବାପା ଗାଁ ସ୍କୁଲରେ ସହକାରୀ ଶିକ୍ଷକ ଥିଲେ । ଅଭି ଭଲ ପଢୁଥିଲା ମୂଳରୁ । ତା’ ବାପାଙ୍କ ସ୍ୱପ୍ନ ଥିଲା ଅଭି ଗାଁ ପାଖ ହାଇସ୍କୁଲକୁ ପ୍ରଧାନଶିକ୍ଷକ ହୋଇକି ଆସୁ । ସେଥିପାଇଁ ତାକୁ ଗ୍ରାଜୁଏସନ୍ ପରେ ବି.ଏଡ୍. କରିବାକୁ ପଠେଇଥିଲେ ଭୁବନେଶ୍ୱରକୁ । ଅଭି ତା’ ବାପାକୁ ଖୁବ୍ ସମ୍ମାନ ଦିଏ । ତାଙ୍କ କଥା ଅମାନ୍ୟ କରେନି । ବାପାଙ୍କ ଖର୍ଚ୍ଚ ବୋଝ କମେଇବାକୁ କେତୋଟି ଇଂରାଜୀ ମିଡିୟମ୍ ସ୍କୁଲ୍ ଛୁଆଙ୍କୁ ଟିଉସନ୍ କରୁଥିଲା । ମାପି ଯୋଖି ଚଳୁଥିଲା । ହେଲେ ହଠାତ୍ ଏମିତି କିଛି ତା ସାଙ୍ଗରେ ଘଟିଲା ଯେ ସେ ଖୁବ୍ ଅସାଧାରଣ ହୋଇ ପଡି଼ଲା । ସେ ସବୁ ଜାଣିବାକୁ ପାଇଲା ଯାହା ସେ ଜାଣିନଥିଲା । ସେ ସବୁ କରି ବସିଲା ଯାହା ସେ କରୁନଥିଲା ।

ସେଦିନ ସକାଳୁ ଘରକଥା ଖୁବ୍ ମନେ ପଡୁଥିଲା ତା’ର । ସେଇଥି ପାଇଁ ଘର ଆଡ଼କୁ ଟିକେ ଫୋନ୍ ଲଗେଇବାକୁ ୬୦ ଟଙ୍କାର ରିଚାର୍ଜ କରେଇଥିଲ। । କିନ୍ତୁ ରାତି ହେବାକୁ ବସିଥିଲ। ଜାଣି ରିଚାର୍ଜ ହୋଇନଥିଲା । ଅଲଗା ଥର ତ ସଡନ୍ ରିଚାର୍ଜ ମେସେଜ୍ ଚାଲିଆସେ । ଦୋକାନୀ ରିର୍ଚାଜ କରିବାକୁ ଭୁଲି ଗଲାକି ! ନା... ନା... ତା’ ସାମ୍ନାରେ ତ ରିଚାର୍ଜ କରିଦେଲା । ସେ ରୁମ୍ ରେ ମୋବାଇଲ୍ ଛାଡ଼ି ଯାଇଥିଲା । ନହେଲେ ସେଇକ୍ଷଣି ଦେଖି ନେଇଥାଆନ୍ତା । କାଲି ଟେଷ୍ଟ ଏକ୍ଜାମ । ଗୁଡ଼ାଏ ରିଭିଜନ୍ ବାକି ଅଛି । ରନ୍ଧାବଢ଼ା ଏଯାଏଁ ସରିନି । ଏମିତି ଅନେକ କିଛି ଭାବୁ ଭାବୁ ବ୍ୟସ୍ତ ହୋଇ ପଡୁଥାଏ । ତା’ ମୋବାଇଲ୍ ରିଙ୍ଗଟୋନ୍ ଶବ୍ଦରେ ସେ ପ୍ରକୃତିସ୍ଥ ହେଲା । ତା’ ଘରୁ ଫୋନ । ତା’ ମୁହଁରେ ଭିନ୍ନ ଏକ ଉଜ୍ଜ୍ୱଳତାରେ ଝଲସି ଗଲା । ଅଭି ଅଧଘଣ୍ଟା ଧରି ମାଆବାପା ଓ ଭଉଣୀମାନଙ୍କ ସହ କଥାବାର୍ତ୍ତା ହେବା ପରେ ଟିକିଏ ଆଶ୍ୱସ୍ତି ହେଲା । କିଛି ସମୟ ପାଇଁ ରିଚାର୍ଜ ବିଷୟକୁ ଏଡ଼ାଇ ଦେଇ ରୋଷେଇରେ ବ୍ୟସ୍ତ ରହିଲା । ଖାଇସାରି କିଛି ସମୟପରେ ପଢ଼ାପଢ଼ି କରି ଘରକଥା ଭାବୁଭାବୁ ଶୋଇପଡ଼ିଲା ।

ଆରଦିନ ପରୀକ୍ଷା ଭଲରେ ଗଲା । ମଧ୍ୟାହ୍ନରେ ଘରକୁ ଫେରି ଖାଇସାରି ପିଲାଙ୍କୁ ପଢ଼ାଇବାକୁ ବସିଗଲା । ତା’ ମନ ମୁଣ୍ଡ ପୁଣି ରିଚାର୍ଜ ବିଷୟରେ ଘାଣ୍ଟି ଚକଟି ହେଲେ । ତା’ ଅନ୍ୟମନସ୍କତା ଯୋଗୁଁ ପିଲ।ଙ୍କୁ ଟିକିଏ ଜଲଦି ଛାଡ଼ିଦେଲା, ଦେହ ଭଲ ନଥିବା ବାହାନା କରି । ଭାବୁଥାଏ କଷ୍ଟମର କେୟାରଠୁ ବୁଝାବୁଝି କରିବା କିନ୍ତୁ ସିମଟା ବିନା ଡକ୍ୟୁମେଣ୍ଟରେ କିଣା ହୋଇଥିଲା । କମ୍ ବାଲାନ୍ସ କଟୁଥିଲା । ଏ ନମ୍ବର ସେ କାହାକୁ ଦେଇନି, ଏମିତି କିଣୁକିଣୁ କିଣିଆଣି ରଖିଦେଇଥିଲା ଖାଲି । ତା’ ସିମର ବାଲାନ୍ସ ବେଶୀବେଶୀ କଟୁଥିଲା । ସେଇଥି ପାଇଁ ତା ବିନା ଡକ୍ୟୁମେଣ୍ଟ ସିମକୁ ଚଲେଇବାକୁ ସ୍ଥିର କରିଥିଲା । ସିମଟା ବ୍ଲକ୍ ହୋଇଯିବା ଭୟରେ କଷ୍ଟମର କେୟାରକୁ ଫୋନ୍ କଲାନି । ଦୋକାନୀ ପାଖକୁ ଯାଇ ଜାଣିଲା ସେ ନିଜ ଭୁଲରେ ତା’ ନମ୍ବର ଶେଷ ଡିଜିଟ୍ ‘ଛଅ’ ଜାଗାରେ ‘ପାଞ୍ଚ’ ଟିପି ଦେଇଛି । ସେଇଥିପାଇଁ ରିଚ।ର୍ଜ ଅନ୍ୟ ନମ୍ବରରେ ହୋଇଯାଇଛି । ଡକ୍ୟୁମେଣ୍ଟ ବାଲା ସିମରେ ପାୱାର୍ ପ୍ଲସ୍ ଓ ଆଉ ଗୋଟିକରେ ରିଚାର୍ଜ କରି ରୁମକୁ ଫେରି ଆସିଲା ।

ସେ ଗୁମସୁମ୍ ହୋଇ ବସିଥାଏ । ୬୦ ଟଙ୍କା ବିଷୟରେ ଭାବିଲା ବେଳକୁ ତା’ ମୁଣ୍ଡ ଫ୍ୟୁଜ୍ ହୋଇଯାଉଥାଏ । ସେତିକିରେ ସେ ସପ୍ତାହେ ଖଣ୍ଡେ ଚଳିଯାଇଥାନ୍ତା । ରୋଷେଇ କରିବାକୁ ଇଚ୍ଛା ହେଉନଥିଲା ତା’ର । ପରେ ତା’ ମନକୁ ଗୋଟିଏ ଉପାୟ ଜୁଟିଲା । ଯାହା ନମ୍ବରରେ ରିଚାର୍ଜ ହୋଇଯାଇଛି ତାକୁ ଅନୁରୋଧ କଲେ ହୁଏତ ଫେରେଇ ଦେବ, ଯଦି ଭଲ ଲୋକ ହୋଇଥିବ । ଆଉ ଯଦି କ୍ରେକ୍ ମାଇଣ୍ଡଟଏି ହେଲେ...! ଯେ ଚେଷ୍ଟା କରିବ।ରେ କ’ଣ ଯାଉଛି । ଅନ୍ତତଃ ତାକୁ ଟିକିଏ ଫ୍ରି ତ ଲାଗିବ ।

ସେ’ ବାଥରୁମକୁ ପଶି ଆଂଶିକ ଭୟ ଆଉ ଆଶଙ୍କାରେ ମୁହଁରେ ଗାମୁଛା ଘୋଡ଼ାଇ ନମ୍ବର ଡାଏଲ୍ କଲା ।

- ହେଲୋ .. !! କିଏ କହୁଥିଲେ, କାହାକୁ ଖୋଜୁଛନ୍ତି, କ’ଣ କିଛି କାମ ଥିଲା କି ?

ଅଭି ଭାବିଲା, ଟୋକିଟିଏ । ପୁଣି ଚଢ଼ା ମିଜାଜିଆ ଜଣା ପଡୁଛି । ଲଗେଇବା ଠିକ୍ ହେଲାନି କି ! ଯେମିତି ହେଲେ କଥା ଲାଗିବାକୁ ପଡ଼ିବ । ଝିଅଟିକୁ ଅସଲ ପରିଚୟ ଜଣେଇବା ନିରାପଦ ନୁହେଁ ଭାବିକି ବୁଲେଇ ଦେବାକୁ ସ୍ଥିର କଲା ।

- ହାଏ, ମୁଁ ରାଜ । ଭବାନୀପାଟଣାରେ ଏମ୍.ଏ.କରୁଛି । ଆଉ ଆପଣ ?

ଝିଅଟି ମନେ ମନେ ଭାବିଲା, ହୁଏତ ପିଲାଟା ଟାଇମପାସ୍ କରିବାକୁ ଫୋନ୍ କରିଛି । କାରଣ ଆଜିକାଲି ଅନେକ ଦୁଷ୍ଟ ପିଲା ଏମିତି କରିଥାନ୍ତି । ଯାହାକୁ ଯେମିତି ରୁଢ଼ିର ପ୍ରାଧାନ୍ୟ ଦେଇ ଏମିତି ଅଚିହ୍ନା ଅଜଣା ଯୁବକ ଜଣକୁ ଆପଣା ଅସଲ ନାଁ ଓ ଠିକଣା ଜଣେଇବା ଉଚିତ୍ ନଭାବି ମିଛ ପରିଚୟ ଦେବାକୁ ମନସ୍ଥ କଲା ।

- ମୁଁ ସମିରନ୍ କେନ୍ଦ୍ରାପଡା଼ ଓମେନସ କଲେଜରେ +୨ କରୁଛି କିଛି ସମୟ ଔପଚାରିକତା ପୂର୍ଣ୍ଣ କଥାବାର୍ତ୍ତା ପରେ ଅଭି ବିନମ୍ର ହୋଇ କହିଲା, ‘କାଲି ସଞ୍ଜ ବେଳେ ମୁଁ ଭୁଲରେ ଆପଣଙ୍କ ନମ୍ବରରେ ୬୦ ଟଙ୍କା ରିଚାର୍ଜ କରିଦେଇଛି । ମୋ ନମ୍ବରକୁ କରୁଥିଲି ଆପଣଙ୍କ ନମ୍ବରରେ ହୋଇଗଲା । ଆପଣଙ୍କ ନମ୍ବରର ଶେଷ ଡିଜିଟ୍ ‘ପାଞ୍ଚ’ ଆଉ ମୋର ‘ଛଅ’ । ଆପଣ ଯଦି ସେ ବାଲାନ୍ସ ତକ ଫେରେଇ ଦିଅନ୍ତେ ମୁଁ ଆପଣଙ୍କ ପାଖରେ ଚିରକାଳ କୃତଜ୍ଞ ହୋଇ ରହନ୍ତି ?

ଝିଅଟି ଅଭିର ସ୍ନେହବୋଳା କଥାରେ ଟିକିଏ ଆନ୍ଦୋଳିତ ହୋଇ ଉଠୁଥିଲା । ତାକୁ ଲାଗିଲା, ପିଲାଟି ମୁହଁରୁ ନୁହଁ ହୃଦୟରୁ କହୁଛି ଯେମିତି ! ସେ ମନକୁ ମନ ଭାବିଲା ପିଲାଟା ଜମାରୁ ସେମିତି ନୁହଁ ଯାହା ସେ ଆଶଙ୍କା କରୁଥିଲା । ସେ ଟିକେ ନରମେଇ କହିଲା

- କିନ୍ତୁ ମୁଁ ଟ୍ରାନ୍ସଫର୍ କରି ଜାଣେନି ।

- ମୁଁ ପ୍ରୋସେସ୍ ମେସେଜ୍ କରିଦେଉଛି ।

- ତା’ହେଲେ ମୁଁ ଟ୍ରାନ୍ସଫର୍ କରିଦେବି ।

ଏହା ଶୁଣି ଅଭିର ଚିନ୍ତା କୁଆଡ଼େ ରଫୁଚକ୍କର ହୋଇଗଲା । ଆପଣଙ୍କ ଭଏସ୍ ବହୁତ ମିଠା, ଥ୍ୟାଙ୍କ ୟୁ, ଆପଣଙ୍କ ସହ କଥା ହୋଇ ଭଲ ଲାଗିଲା । ଗୁଡ୍ ନାଇଟ୍, ସୁଇଟ୍ ଡ୍ରିମ୍ ପରି ବାକ୍ୟ କେଇଟାର ସହାୟତାରେ ତାକୁ ପଶ୍ରଂସାର ଫୁଲ ମାଳଟିଏ ପିନ୍ଧେଇ ଦେବାକୁ ପଛେଇଲାନି । ଝିଅଟି ସେପଟୁ ‘ସେମ୍ ଟୁ ୟୁ’ କହି ଫୋନ୍ କାଟିଦେଲା ।

ସେଦିନ ରାତିରେ ବହୁତ୍ ବର୍ଷା ହେଲା । କେଜାଣି କେମିତି ଅଭିକୁ ଭିଜିବାକୁ ମନ ହେଲା । ସେ ମନଭରି ଭିଜିଲା ବର୍ଷା ପାଣିରେ । ତାକୁ ଲାଗିଲା ଏ ବର୍ଷା ତା’ଦେହ ଛୁଇଁ ଛୁଇଁ ଯାଉଛି ମନକୁ । ଗୋଟିଏ ନିଆରା ଅନୁରାଗରେ ପୋତି ପକାଉଛି ତାକୁ । ଆଗରୁ ତ କେବେ ଏମିତି ହୋଇନଥିଲା । ଅଚିହ୍ନା ଅଜଣା ଦେଖି ନଥିବା ଝିଅଟିର ମଧୁର କଣ୍ଠସ୍ୱର ତା’ କର୍ଣ୍ଣ ପଟଳରେ ମଝିରେ ମଝିରେ ଝଙ୍କୃତ ହୋଇ ତାକୁ ନୂଆଁ ଏକ ଶିହରଣରେ ଆଚ୍ଛନ୍ନ କରି ପକାଉଥିଲା । ଯାହା ମନେ ହେଉଥିଲା - ଗୋଟିଏ ଅବୁଝା ସଂଗୀତ ପରି, ଦୂର ଆମ୍ବବଣରୁ ଭାସି ଆସୁଥିବା ପତଳା କୁହୁତାନ ପରି ।

ସେ ଆଗରୁ ବିଶ୍ୱାସ କରୁନଥିଲା ପ୍ରେମ ବୋଲି କିଛି ଗୋଟାଏ ଥାଏ ବୋଲି । ଜଣଙ୍କ ପାଇଁ ଅନ୍ୟ ଜଣେ ଏତେ ଦୁର୍ବଳ ହୋଇଯାଏ ବୋଲି । ହେଲେ ଧିରେଧିରେ ସେ ଅନୁଭବ କରିପାରିଲା ସେ ଯେଉ ପରିସ୍ଥିତିର ଉପଭୋକ୍ତା ତାହା ହୁଏତ ପ୍ରେମ ନହେଲେ ପ୍ରେମର ସାଦୃଶ୍ୟ ଆଉ କିଛି ବୋଲି । ତା’ପରେ ରିଚାର୍ଜ ବାହାନାରେ ପରସ୍ପର କଥା ବାର୍ତ୍ତା ହେବାର ସୁଯୋଗ ଉଣ୍ଡୁଥିଲେ । ଝିଅ ଟ୍ରାନ୍ସଫର କରେନି, କି ଅଭି ବି କିଛି କହେନି । ଯଉଦିନ କଥା ହୁଅନ୍ତିନି ତାଙ୍କ ମନ ଜମାରୁ ଭଲ ଲାଗେନି । ଭୋକ, ଶୋଷ ମରିଯାଏ । ଉଜାଗରରେ ରାତି କଟେ । ଜମା କିଛି କରିବାକୁ ଇଚ୍ଛା ବି ହୁଏନି । ଅଭି ଅନ୍ଦାଜରେ କଳ୍ପନାର ତୂଳୀରେ ଆଙ୍କି ସାରିଥିଲା ଝିଅର ପ୍ରତିମୂର୍ତ୍ତି । ଅପର ପଟରେ ଝିଅଟି ବି ସ୍ୱ-ମାନସ ଆଳୟରେ ସାଇତି ସାରିଥିଲା ଅଭିର କଳ୍ପିତ ଛବି ରାଜ ରୂପରେ । ଅଭି ଖାଉ ନଥିଲା ଭଲରେ ପଛକେ ରିଚାର୍ଜ କରୁଥିଲା କଥା ହେବା ପାଇଁ । ଝିଅଟିର ଅବସ୍ଥା ବି ସେଇୟା । ତାଙ୍କ ସଂପର୍କ ପ୍ରଥମେ ପ୍ରଥମେ ବନ୍ଧୁତା, ତା’ପରେ ଘନିଷ୍ଠତାର ବାଡ଼ବନ୍ଧା ଡେଇଁଗଲା ଚଗଳି ଝରଣାଟିଏ ପରି । ସବୁବେଳେ କଥା ବାର୍ତ୍ତା ଫୋନରେ । ଚାଟିଙ୍ଗ୍, ମେସେଜିଂ, ହସଖୁସି, ଥଟ୍ଟାମଜା । ଆଉ କିଛିରେ ମନ ଲାଗୁନଥିଲା । ଉଭୟ ଭାସଯି।ଇଥିଲେ ସଖୁଦାନୁଭୂତିରେ । ଶୟନେ, ସପନେ, ଭୋଜନେ, ଗମନେ ଅବା ଜାଗରଣେ ଦୁହେଁ ଦୁହିଁଙ୍କୁ ଭାବୁଥିଲେ । ଦୁହେଁ ମିଶି ଫୁଲର ସହରେ ରୂପା ବଗିଚ।ରେ ସ୍ୱପ୍ନର କୁଡ଼ିଅ।ଟିଏ ତୋଳିଥିଲେ । ସେଠି ବାକି ଆଉ କେହି ନଥିଲେ । ଥିଲେ ସେ ଦୁହେଁ ଆଉ ପ୍ରେମ ହିଁ ପ୍ରେମ । ଭୂଇଁରୁ ଆକାଶଯାଏ । ପାଣିରୁ ପବନ ଯାଏ । ମିଛର ମଳୂ ଦୁଆରେ ଗଢି଼ ଉଠିଥିବ। ବାଲିଘରଟା ଯେ ଗୋଟିଏ ସୁନ୍ଦର ତାଜଟିଏ ପାଲଟିଯିବ ତାହା ଦୁହିଁଙ୍କ କଳ୍ପନା ବାହାରେ ଥିଲା । କିନ୍ତୁ କହିଦେଲେ କାଳେ ସଂପର୍କ ତୁଟିଯିବ, ଭୁଲ୍ ବୁଝାମଣା ହେବ ବୋଲି କେହି କାହାକୁ ନିଜର ଅସଲ ପରିଚୟ ବିଷୟରେ କହୁନଥିଲେ । ସେମିତି ଚାଲିଥିଲା । ଫୋନଫୋନରେ ଉଭୟ ଜୀବନ ସାଥୀ ହେବାର ସ୍ୱପ୍ନରେ ବିଭୋର । ଫୋନଫୋନରେ ଚଉଠି, ପିଲା ଛୁଆ ଜନ୍ମ । ତାଙ୍କ ନାଁ ଦିଆ ପାଠ ପଢ଼ା କ୍ୟାରିୟର । ସେମାନଙ୍କ ବୃଦ୍ଧାବସ୍ଥା ପରି ଗୁଡାଏ ଅକୁହା କଥା । ସେତେବେଳେ ଦୁହେଁ ଦୁହିଁଙ୍କୁ ଭେଟିନଥିଲେ । ଦୁହେଁ ସ୍ଥରି କଲେ ସମ୍ବଲପୁରରେ ଭେଟ ହେବାକୁ । ଭେଲେନଟାଇନ୍ ଡେ’ କୁ ଅପେକ୍ଷା କରିଥିଲେ ଚାତକ ପରି । କ୍ୟାଲେଣ୍ଡରରେ ଦିନ ଗଣିଗଣି ।

ଭେଲେନଟାଇନ୍ ଡେ’ ଆଗଦିନ ରାତିରେ ଅଭି ତପସ୍ୱିନୀ ଏକ୍ସପ୍ରେସ୍ ଧରିବାକୁ ବାହାରୁଥାଏ । ତା’ ପିଉସୀ ଝିଅ ପ୍ରାଚୀ ଫୋନ୍ କରିଥିଲା । ସେମାନେ ଦୁହେଁ କିଛି ସମୟ ସାଧାରଣ କଥାବାର୍ତ୍ତା ପରେ ପ୍ରାଚୀ ଯାହା ସବୁ କହିଲା ତାର ହଂସା ଉଡ଼ିଗଲା ।

ଭାଇ, ଗୋଟିଏ ବିନା ଡକୁମେଣ୍ଟ ସିମର ସଂପର୍କକୁ ନେଇ ମୁଁ ଚିନ୍ତାରେ ଅଛି । ଏବେ ଅବଶ୍ୟ ବାପାଙ୍କ ସିମରୁ କରୁଛି । ସେ’ କାଲି ଭେଟିବାକୁ ଆସୁଛନ୍ତି । ଭାବୁଛି ତାଙ୍କୁ ସବୁ ସତକଥା କହିଦେବି । ମୁଁ ତାଙ୍କୁ ଜୀବନଠୁଁ ଅଧତ୍କ ଭଲପାଏ । କହୁନ କ’ଣ କରିବି ? ତମେ ତ ଜାଣ ମୁଁ ତମ ସହିତ ସବୁ ସୁଖଦୁଃଖ ସେୟାର କରେ । ଏଥର ଖାଲି ଭୟରେ କହୁନଥିଲି । ହେଲେ ତୁମକୁ ନକହି ଆଉ କଉ ଉପାୟ ଅଛି ଭାଇ । ତମଛଡ଼ା ମୋ କଥା କିଏ ବା ବୁଝିବ ! ବାପାଙ୍କୁ ଟିକେ ବୁଝେଇବ ଭାଇ । ମୁଁ ଯେତେ ଯାହା ହେଉ ତାଙ୍କୁ ଛାଡ଼ି ବଂଚି ପାରିବିନି । ଏମିତି ଅନେକ କିଛି କହିଗଲା ପ୍ରାଚୀ....

ଅଭିର ଶୁଣିବାର ଧୈର୍ଯ୍ୟ ଆଉ ନଥିଲା । ସ୍ଥାଣୁ ପାଲଟିଗଲା କ୍ଷଣିକ ପାଇଁ । ମୋବାଇଲ୍ କଚାଡି଼ ଦେଲା । ସିମ୍ ଡଷ୍ଟବନିକୁ ଫିଙ୍ଗି ଦେଲା । ସେ ପାଗଳ ପରି ରୁମ୍ ସାରା ଗଡୁଥାଏ, କାନ୍ଦୁଥାଏ । ସେ ଭାବୁଥାଏ ଛି... ଛି... ଶେଷରେ ପିଉସୀ ଝିଅ (ଭଉଣୀ) ସାଙ୍ଗରେ । ତାକୁ ଚଉଦିଗ ଅନ୍ଧାର ଲାଗୁଥାଏ । ତା’ ମନର କାନଭାସରୁ ଝରି ପଡୁଥାଏ ମଳା ସ୍ୱପ୍ନ ଗୁଡିକର ରକ୍ତ କଣିକା ଥପଥପ୍ ହୋଇ । ସୁଖ ଶାନ୍ତିର ପୁଷ୍ପଦ୍ୟାନକୁ କଳା ବଉଦ ଗ୍ରାସି ଦେବା କଥାଟା ତାକୁ ଆଦୌ ଜଣାନଥିଲା । କ’ଣ କରିବ କ’ଣ ହେବ କିଛି ଭାବିବାକୁ ତା’ ପକ୍ଷେ ଖୁବ୍ ଜଟିଳ ପାଲଟିଯାଏ । ତା’ ହୃଦୟର କାନ୍ଦଣା କିଏ ବା ଶୁଣିବ । ଶ୍ରୋତା ବି ସେ ଉପଭୋକ୍ତା ବି ସେ । ସେ ପ୍ରାଚୀର କଥା ଭାବିଲା ବେଳକୁ ମୁଣ୍ଡରେ ଭୟଙ୍କର ରାକ୍ଷସଟିଏ ମାଡ଼ିବସିବା ପରି ମନେ ହେଉଥାଏ । ପ୍ରାଚୀ ଯେଉଁ ଧୋକାର ନିଆଁରେ ଜଳିବ, ତା’ ଫୋନ୍ ଫ୍ରେଣ୍ଡକୁ ନପାଇ ଛଟପଟ ହେବ । ସେ ସବୁ ପାଇଁ ନିଜକୁ ଦୋଷୀ ମଣୁଥିଲା ।

ଅଭି ବି.ଏଡ୍. ସାରି ଘରକୁ ଫେରି ପ୍ରଧାନଶିକ୍ଷକ ହେଲା ପାଖ ଗାଁ ସ୍କୁଲରେ । ବାପା, ମାଆ, ଭଉଣୀମାନେ ଖୁବ୍ ଖୁସି । ତାଙ୍କ ଚିର ଇପସିତ ସ୍ୱପ୍ନ ଚରିତାର୍ଥ ହେଲା । ସେ ଆଗରୁ ସଂପର୍ଣ୍ଣ ବଦଳିଯ।ଇଥିଲ। । ତାର ହସ, ଚେହେରାର ସତେଜତା ସବୁ ମରି ସାରିଥିଲ। । ସେ ପ୍ରାଚୀର ଦୟନୀୟ ଅବସ୍ଥା ଦେଖି ଭିତରେ ଭିତରେ ଜଳୁଥ।ଏ । ଚୁପଚାପ୍ କାନ୍ଦୁଥାଏ ।

ପ୍ରାଚୀକୁ ବହୁବାର ବୁଝେଇବାକୁ ଯାଇ ବିଫଳ ହୋଇଛି ଅଭି । କିନ୍ତୁ ସତକଥା କେମିତି କହନ୍ତା ? ଏ ସବୁ କଥା ପ୍ରାଚୀକୁ କହିଦେଲେ ଆଉ ଜୀବନ ସାରା ତା’ ମୁହାଁମୁହିଁ ହୋଇପାରିବନି । ସେ ସଂକୋଚରେ ଅଟକି ଯାଏ । ତା’ ସହ ସେ ଫୋନରେ ସ୍ୱର ବଦଳାଇ, ନାମ ବଦଳାଇ ବହୁତ ଆଗକୁ ବଢ଼ି ଯାଇଛି । ଏବେ ଫେରିବାକୁ ଚେଷ୍ଟା କରୁଛି । କାରଣ ତାକୁ ସତ ଜଣା । କିନ୍ତୁ ପ୍ରାଚୀ... ! ପ୍ରାଚୀ ଏବେ ରାଜର ପ୍ରେମରେ ବାଉଳି । ସବୁବେଳେ ତା’ ନାମ ଘୋଷିହୁଏ । କ’ଣ କ’ଣ ସବୁ ନିଦ ବାଉଲାରେ ବୋବାଏ । ଥରେ ଦି’ ଥରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିସାରିଲାଣି । କ’ଣ ହୋଇଗଲା ବିଚାରୀର ! ଖୁବ୍ ସୁନ୍ଦରୀ ଥିଲା । ଭଲ ବି ପଢୁଥିଲା । କିନ୍ତୁ ସେ ରାଜ୍ ପଛରେ... ଯିଏ ତା’ ପାଖରେ ଥାଇ ଅଛି ବହୁତ ଦୂରରେ । ଅଭି ରାଜକୁ ସେଇ ଦିନରୁ ମାରି ଦେଇଛି ଯେଉଁ ଦିନରୁ ଜାଣିଲା ଯେ, ପ୍ରାଚୀ ସିମରନ୍ ବୋଲି । ତା’ ଭଲ ପାଇବା, ପ୍ରେମ, ଅଦେଖା ଆକର୍ଷଣ ସବୁ ଫିକା ପଡିଗଲା । ନିଜ ଭିତରେ ନିଜେ ସ୍ୱାର୍ଥପର ପାଲଟିଗଲା ଅଭି ।

ସ୍ୱରୂପ କ୍ରିୟାକଳାପରେ ଧାବମାନ ସମୟଚକ୍ର । ପ୍ରାଚୀର ଅବସ୍ଥାରେ ଆଦୌ ସୁଧାର ନାହିଁ । ଏପଟେ ଅଭି ବାହା ହେଉନାହିଁ । ଘର ଲୋକଙ୍କୁ ଏହା ବ୍ୟାହତ କରି ପକାଉଛି । ଆଉ ମୋବାଇଲ୍ ଧରେନା ଅଭି । ସେ ଭାବେ ଏ ମୋବାଇଲ ହିଁ ଏ ସବୁର ଦାୟୀ । ତା’ ମନକୁ ହାଲକା କରିବାକୁ କେବେ କେମିତି... । କିନ୍ତୁ ଦୋଷ ଦେବାରେ ନିଜକୁ ପଛାଏନି ଜମା । ପୁଣିଥରେ ଆଉ ଜଣକୁ ନେଇ ସ୍ୱପ୍ନ ଦେଖିବାର ସାମର୍ଥ୍ୟ ନାହିଁ । ସେ ନିଜର ବେଶୀ ସମୟ ବିତାଉଛି ପ୍ରାଚୀ ସାଙ୍ଗରେ । ତାର ସେବା କରିବାରେ ।

ଛାତି ପଥର କରି ସବୁ ସହିଯାଏ । ଖାଲି ପୀଡ଼ିତ ହେଉଥାଏ ଅପାଶୋରା ଗ୍ଳାନିର ଚାପରେ । ଅଭି ନିଜେ ନିଜକୁ ମନେ କରେ ଦହନର ଗୋଟିଏ ଅନ୍ୟ ନାଁ ଭାବରେ ଯାହା ବର୍ଣ୍ଣିତ ନୁହେଁ ଏ ଦୁନିଆଁର କୌଣସି ଶବ୍ଦକୋଷରେ ।

ପ୍ରାଚୀ ପାଗଳୀ ସଂପର୍କ

Rate the content


Originality
Flow
Language
Cover design

Comments

Post

Some text some message..