Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rakesh Mishra

Comedy

3  

Rakesh Mishra

Comedy

ପତ୍ନୀ ପୁରାଣ

ପତ୍ନୀ ପୁରାଣ

7 mins
7.2K


ଭାଇ, ବାହା ହୋଇ ଜୀବନର ସବୁଠାରୁ ମାରାତ୍ମକ ଭୁଲ କରି ଦେଇଛି । ଆଫ୍ରିକା ଜଙ୍ଗଲରେ ହିଂସ୍ର ଜାନୁଆରଙ୍କ ସାଙ୍ଗରେ ରହିବା ବରଂ ଅନେକ ଭଲ ।

- ଦେଖ ମନୁଆ, ତତେ ଟୋଟାଲ ନିଶା ହେଇଗଲାଣି, ୟାଡ଼ୁ ସ୍ୟାଡ଼ୁ ଗପୁଚୁ। ମାତଲାମୀ ନକରି ତୁ ଏଥର ଘରକୁ ଯା । କହିଲା ଜିତୁ..

- ଆବେ ଚୁପ୍.. ଶଳା ନିଜେ ଓଥରା ଅଛୁ ନା ! ସେଥି ପାଇଁ ବଡ଼ ବଡ଼ କଥା ବାହାରୁଚି । ତୋତେ ଲାଗୁଚି ମୁଁ ନିଶାରେ ବକୁଛି ? ଶୁଣ ଗୋଟେ ଜ୍ଞାନର କଥା କହୁଛି, ମଣିଷ କେବଳ ଦୁଇଟି ଅବସ୍ଥାରେ ସତ କୁହେ, ମଲା ବେଳେ, ନହେଲେ ମାଲ୍ ବେଳେ, ମାନେ ମଦ ପିଇଲେ । ଛାଡ଼, ବିବାହିତ ପୁରୁଷର ଦୁଃଖ ଯନ୍ତ୍ରଣା ତୁମେ ଓଥରା ଗୁଡ଼ା ବୁଝି ପାରିବିନି.. ଥରେ କାନ୍ଧରେ ଜୁଆଳି ପଡ଼ୁ ତାପରେ ବୁଝିବ ।

- ଆବେ, ଖୋଲି କହିଲେ ସିନା ବୁଝିବୁ ! ବାହା ହେଲା ଆଗରୁ ତ ବେଶ ଗୁଣଗାନ କରୁ ଥିଲୁ । ନିତା ନିତା କହି ପାଣି ପିଉ ନଥିଲୁ, ଏବେ କଣ ହେଲା ?? ତୁ ହିଁ ତ କହୁଥିଲୁ, ସୁନିତା ହିଁ ସାରା ଦୁନିଆରେ ଗୋଟିଏ ମାତ୍ର ଝିଅ ଯିଏ ମୋ ଜୀବନକୁ ସ୍ୱର୍ଗ କରି ଦେବ । କହିଲା ରଘୁ..

- ହଁ, ଆଉ ମୋତେ ସ୍ୱର୍ଗବାସୀ..। ସ୍ୱର୍ଗ ନୁହେଁରେ କୁଳାଙ୍ଗାରଦଳ ନର୍କ। ମୋ ଜୀବନ ଏବେ ନର୍କର କୀଟ ଠାରୁ ବି ହୀନ । ଗୁଣିଜନେ କଣ ତୁଛାକୁ କହିଛନ୍ତି, ନାରୀକା ମାୟା କୋଇ ନେହି ପାୟା, ଯୋ ପାୟା ୱ ପଛତାୟା । ଦେଖ ନାରୀ ମାନଙ୍କର ଦୁଇଟି ରୂପ ଥାଏ । ଗୋଟେ ବାହାଘର ପୂର୍ବରୁ ଆଉ ଗୋଟେ ବାହାଘର ପରେ ।

- କି ରୂପ, ଟିକେ ଡିଟେଲସରେ କହିଲେ ସିନା ବୁଝିବୁ.. କହିଲା ପିଣ୍ଟୁ।

କହୁଛି ଶୁଣ ତେବେ..

ବିବାହ ଉପରାନ୍ତେ, ସମୟକ୍ରମେ ପତ୍ନୀଙ୍କ ବ୍ୟବହାରିକ ଗୁଣାଗୁଣ ଅନୁଯାୟୀ ଦାମ୍ପତ୍ୟ ଜୀବନ ଚାରିଟି ପର୍ଯ୍ୟାୟ ଦେଇ ଗତି କରେ ।

୧. ଚନ୍ଦ୍ରମୁଖୀ

୨. ସୂର୍ଯ୍ୟମୁଖୀ

୩. ଜ୍ୱାଳାମୁଖୀ

୪. ବଗଳାମୁଖୀ

ଚନ୍ଦ୍ରମୁଖୀ ଠିକ କଇଁଫୁଲ ଆଉ ଚନ୍ଦ୍ରଙ୍କ ସମ୍ପର୍କ ପରି ଯାହା ଅତି ବେଶିରେ ବିବାହର ପ୍ରଥମ ଗୋଟେ ଦି ବର୍ଷ ଯାଏ ବଳବତ୍ତର ରହିଥାଏ । ଠିକ୍ ଯେମିତି ସଞ୍ଜ ନଇଁଲେ, କଇଁଫୁଲ ଚନ୍ଦ୍ରଙ୍କ ପାଇଁ ଅପେକ୍ଷା କରି ରହିଥାଏ, ଆଉ ଜହ୍ନ ଉଇଁଲେ ଠିକ୍ ଯେମିତି କଇଁଫୁଲ ପୂର୍ଣ୍ଣ ପ୍ରଷ୍ଫୁଟିତ ହୋଇ ମୃଦୁମୃଦୁ ପବନରେ ଦୋହଲୁ ଥାଏ, ଠିକ୍ ସେମିତି ପ୍ରଥମ କେଇ ବର୍ଷ, ସଞ୍ଜ ହେଲେ ପତ୍ନୀ ତୁମ ଅଫିସରୁ ଫେରିବାକୁ ଅପେକ୍ଷା କରି ବସିଥିବେ, ସଜେଇ ହୋଇ। ସଦ୍ୟ ପ୍ରଷ୍ଫୁଟିତ ଛନଛନିଆ କଇଁଫୁଲ ପରି ହଲି ଦୋହଲି ଫୁଲେଇ ହେଇ ଗେହ୍ଲେଇ ହୋଇ କଥା ହେବେ । ମୋ ସୁନା, ମୋ ଧନ, ମୋ ଗେଲୁ। ଏତେ ଗେହ୍ଲ ପିଲାବେଳେ ତୁମ ମା ବି ତୁମକୁ କରି ନଥିବେ ଯେତିକି ତୁମ ଧର୍ମପତ୍ନୀ କରିବେ ।

ତା ପରେ କେଇବର୍ଷ ସୂର୍ଯ୍ୟମୁଖୀ । ସୂର୍ଯ୍ୟମୁଖୀ ଯେମିତି ସୂର୍ଯ୍ୟଙ୍କୁ ଫଲୋ କରେ ଠିକ୍ ସେମିତି । ତୁମେ ଯେଉଁଆଡ଼େ ପତ୍ନୀ ସେଇଆଡ଼େ । ଯେତକ ସମୟ ସାମ୍ନାରେ ନରହିବ, ମାନେ ଘର ବାହାରେ ରହିବ ସେତକ ସମୟ ବି ଯାହା କରୁଥିବ, ସବୁକିଛିର ଟିକିନିଖି ଧାରା ବିବରଣୀ ଦେବାକୁ ପଡ଼ିବ । ଭାଇ ସବୁଠାରୁ ବେଶି ରାଗ ହେଉଛି ମୁକେଶ ଅମ୍ବାନୀ ଉପରେ । ଫ୍ରି ଜିଓ ଯେବେଠାରୁ ଆସିଛି ସବୁ ବିବାହିତ ପୁରୁଷଙ୍କ ଜୀନା ହାରାମ । ସାରା ଦିନରେ ୧୫୪ ଥର ଫୋନ.. ଅଗଣିତ ମେସେଜ.. ସବୁ ଫୋନକଲ ଆଉ ମେସେଜର ଉତ୍ତର ଦେବାକୁ ତୁମେ ବାଧ୍ୟ । ଯଦି କୌଣସି ମେସେଜ୍ ର ଉତ୍ତର ନଦେଇ ଖାଲି ରିଡ୍ କରି ଛାଡି ଦେଇଛ ତେବେ ସଞ୍ଜହେଲେ ଯେମିତି ସୂର୍ଯ୍ୟମୁଖୀ ଝାଉଁଳେଇ ଥାଏ, ତୁମେ ସଞ୍ଜବେଳକୁ ଅଫିସରୁ ଫେରିଲା ବେଳକୁ ଦେଖିବ ଠିକ ତଦ୍ରୁପ ଅବସ୍ଥା । ତା ପରେ ହଜାରେ ମାନ ଅଭିମାନ, ହଜାରେ ଡାଇଲଗ- ତୁମେ ଆଉ ମତେ ଆଗପରି ଭଲ ପାଉନା... ତୁମେ ବହୁତ ବଦଳି ଗଲଣି.. ମୁଁ କଣ ଏତେ ଖରାପ, ମୋ ସହ ଦି ପଦ କଥା ହେବାକୁ ତୁମର ସମୟ ହେଉନି ଇତ୍ୟାଦି ଇତ୍ୟାଦି..

ତେଣୁ ଅଫିସରେ ତୁମର ଯେତେ ଜରୁରୀ କାମ ଥାଉ ତୁମ ଧର୍ମପତ୍ନୀଙ୍କ ବାଲ୍ୟ ବାନ୍ଧବୀ ନେହାର ନିଜ ବୟଫ୍ରେଣ୍ଡ ସହ ହେଉଥିବା ଝଗଡାର ସବୁ ଇତିହାସ ତୁମେ ଶୁଣିବାକୁ ବାଧ୍ୟ ଯଦିଓ ନେହା କିଏ ତୁମକୁ ଜଣା ଥାଉ କି ନଥାଉ । ସେ ସବୁ ଗପ ମନ ପ୍ରାଣ ଦେଇ ତୁମକୁ ଶୁଣିବାକୁ ପଡିବ, ଆବଶ୍ୟକ ସ୍ଥଳେ ନିଜ ମତାମତ ଦେବାକୁ ପଡିବ । ଖାଲି ହୁଁ ହୁଁ ମାରିଲେ ଚଳିବ ନାହିଁ । ନହେଲେ କହିବେ ମୁଁ କଣ ରେଡ଼ିଓ.. ମୁଁ ଖାଲି ଗପୁଥିବି ତୁମେ ଶୁଣୁଥିବ, ତୁମେ କିଛି କହୁନ । ପୁଣି ମଝିରେ ମଝିରେ ହାଡ଼ଜଳା ପ୍ରଶ୍ନ - ଆଛା, ମୁଁ ତମକୁ ବୋର୍ କରୁଛି କି.. ପୃଥିବୀର କୋଉ ପୁରୁଷ ଜିଭରେ ହାଡ଼ ଅଛି ସେ କହିବ, ହଁ ?

ୟା ପରେ ଆରମ୍ଭ ହୁଏ ଜ୍ୱାଳାମୁଖୀ ପର୍ଯ୍ୟାୟ.

ଏଇ ପର୍ଯ୍ୟାୟରେ ପତ୍ନୀଙ୍କ ମନରେ ସ୍ୱାମୀଙ୍କ ପ୍ରତି ଥିବା ସନ୍ଦେହ ଗ୍ରାଫ ସର୍ବୋଚ୍ଚ ସ୍ଥାନରେ ଅବସ୍ଥାନ କରେ । ପଡୋଶୀର ସୁନ୍ଦର ଭାଉଜ, କି ପାଖ ଫ୍ଲାଟ୍ ର କଲେଜ ପଢୁଆ ଝିଅ କଥା ବାଦ୍ ଦିଅ, ଯଦି ଫୁଲବାଲି ଠାରୁ ଫୁଲ ନେବାକୁ ଯାଇ କିମ୍ବା ପରିବାବାଲି ଠାରୁ ପରିବା କିଣିବାକୁ ଯାଇ ଟିକେ ବେଶି ଟାଇମ ଲାଗିଲା ତେବେ ତୁମକୁ ସଂଗେ ସଂଗେ HID (ହୋମ ଇନଭେସ୍ଟିଗେସନ ଡିପାର୍ଟମେଣ୍ଟ)ର ଜେରାର ସମ୍ମୁଖୀନ ହେବାକୁ ପଡ଼ିବ ।

ତୁମକୁ ଫୋନ୍ କରି ଯଦି ଫୋନ୍ ବିଜି ଦେଖାଇଲା, ତା ପାଇଁ ବି ହଜାରେ କୈଫିୟତ । ଯଦି ଫେସବୁକରେ ବା ହ୍ୱାଟ୍ସଆପରେ ତୁମକୁ ଅନଲାଇନ୍ ଦେଖିଦେଲେ, ତ କଥା ସରିଲା..। କାହା ସହ ଚାଟିଂ କରୁଛ.. ଅନଲାଇନ୍ ଅଛ, କାହିଁକି ମୋତେ ତ କିଛି ମେସେଜ କରିନା..

ଯଦି ଭୁଲରେ ବି ଫୋନ ଉଠେଇ ପଚାରିବ କିଛି ଜରୁରୀ କଥା ଥିଲା କି ନାଇଁ, ବୁଝି ଯିବ ତୁମ ମୁଣ୍ଡ ଉପରେ ଶନି ନାଚୁଛନ୍ତି ସେଦିନ.. ତୁମର ଆଉ ନିସ୍ତାର ନାହିଁ..

"ଏବେ କଣ ଖାଲି ଦରକାର ଥିଲେ ହିଁ ଫୋନ କରିବାକୁ ପଡିବ!"

"ତୁମର ତ ମୋ ପାଇଁ ଟାଇମ ନାଇଁ, ମୋ ସହିତ କାହିଁକି କଥା ହେବ ! କଥା ହେବା ପାଇଁ ଆଉ କେହି ମିଳି ଯାଇଛନ୍ତି ବୋଧେ..!! "

" ତୁମେ ଲାଷ୍ଟ ମୋତେ କେବେ ଆଇ ଲଭ ଇଉ କହିଥିଲ ତୁମର ମନେ ଅଛିନା.. ଇତ୍ୟାଦି ଇତ୍ୟାଦି.."

ସବୁଠାରୁ ଜରୁରୀ କଥା, ପତ୍ନୀ ଫୋନରେ ଦରକାରୀ ବା ଅଦରକାରୀ ବକର୍ ବକର୍ କରୁଥିବା ବେଳେ ଭୁଲରେ ବି କର୍ମବ୍ୟସ୍ତତା ଦେଖେଇ ଫୋନ୍ ରଖିବାକୁ କହିବନି, ସଂଗେ ସଂଗେ ସେପଟରୁ ଉତ୍ତର ଆସିବ - ଜରୁରୀ କାମ ଅଛି ନା ଆଉ କେହି କଲୱେଟିଂରେ ଅଛନ୍ତି.. ହଁ ମୋ କଥା ତ ଏବେ ସବୁ ବିଷ.. ମୁଁ ତ ପୁରୁଣା ହୋଇ ଗଲିଣି.. ତୁମର ତ ଡେଲି ଡେଲି ନୂଆ ନୂଆ ଦରକାର.. ଜଣକରେ ମନ ଭରୁନି ।

କଥା ସେତିକିରେ ସରିବନି, ସେ କଥା ଯାଇ ସରିବ ଫେସବୁକ ଆଉ ହ୍ୱାଟସ୍ ଆପରେ ।

"ଆଛା, ସେ ପୂଜା ମିଶ୍ର କିଏ ?? ସେ କାହିଁକି ତୁମ ଫଟରେ ଲଭ ରିଆକ୍ସନ ଦେଇଛି ?"

"ଆଛା, ତୁମେ ସକାଳେ ଭାରି ବ୍ୟସ୍ତତା ଦେଖେଇ ମୋ ଫୋନ୍ ରଖିଦେଲ, ତା ପରେ ତୁମକୁ ହ୍ୱାଟସ୍ ଅପରେ ଅନଲାଇନ ଦେଖାଉଥିଲା.. କାହା ସହ ଚାଟିଂ କରୁଥିଲ" ଇତ୍ୟାଦି ଇତ୍ୟାଦି ।

ପତ୍ନୀ ମାନଙ୍କର ସବୁଠାରୁ ବେଶି ମୁଣ୍ଡ ଖରାପ କରି ରଖିଛି, ଡେଲି ସୋପ ମାନେ ଟେଲି ସିରିଏଲ.. ଅଧିକାଂଶ ସିରିଏଲରେ ମୁଖ୍ୟ ଉପାଦାନ ହେଲା ପରକୀୟା ପ୍ରୀତି ଏବଂ ବହୁବିବାହ.. ହିରୋ ହିରୋଇନକୁ ଭଲ ପାଇ ବାହା ହେଉଛି, କିଛି ଦିନ ପରେ ଛାଡପତ୍ର ଦେଇ ହିରୋଇନର ଭଉଣୀକୁ ଭଲ ପାଉଛି, ବାହା ହେଉଛି.. ପୁଣି ତାକୁ ଛାଡପତ୍ର ଦେଇ, ଫେରି ଆସୁଛି ନିଜ ପୁରୁଣା ସ୍ତ୍ରୀ ପାଖକୁ.. ମାନେ ଚାଲିଛି କଣ ??? ୨୦ ବର୍ଷ ପରେ ଜଣେ ଫେରି ଆସୁଛି କେବଳ ତା ପୁରୁଣା ପ୍ରେମକୁ ଫେରି ପାଇବାକୁ.. କାହା ସ୍ୱାମୀର ପୁରୁଣା ପ୍ରେମିକାର ଗୋଟେ ପିଲା ଅଛି, ଆଉ କାକତାଳିୟ ଭାବେ ସେଇ ପିଲା ୟା ପିଲା ସହ ଗୋଟେ କଲେଜରେ ପଢୁଛି.. କେଉଁଠି ନାୟକ ନାୟିକାଙ୍କ ପୁନର୍ଜନ୍ମ, ନହେଲେ ମଲା ମଣିଷ ହଠାତ ବଂଚି ଉଠିବା.. କ୍ୟୁ କି ଶାଶ ଭି କଭୀ ବହୁ ଥି ର ନାୟକ ମିହିର ତିନି ଥର ମରିବା ପରେ ପୁଣି ବଂଚି ଫେରି ଆସୁଛି.. ଏଇ ସବୁ ଅବିଶ୍ବାସ୍ୟ ବିଷୟବସ୍ତୁକୁ କିଏ ବିଶ୍ୱାସ କରୁ ନ କରୁ, ଅର୍ଦ୍ଧାଙ୍ଗିନୀ କିନ୍ତୁ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି.. ସେ କେବଳ ବିଶ୍ୱାସ କରନ୍ତିନି, ବରଂ ଦୃଢ ନିଶ୍ଚିତ ଏ ସବୁ କପୋଳ କଳ୍ପିତ ଚରିତ୍ର ମାନେ ତାଙ୍କ ପରିବାରର ସଦସ୍ୟ ମାନଙ୍କ ପରି ତାଙ୍କ ଆଖ ପାଖରେ ଚାଲବୁଲ କରନ୍ତି..

ୟେ ରିସ୍ତା କ୍ୟା କେହଲତାର ନାୟିକା ଅକ୍ଷରା ମୋ ଅର୍ଧାଙ୍ଗିନୀଙ୍କ ଉପରେ ଏତେ ମାତ୍ରାରେ ପ୍ରଭାବ ପକେଇଛି ଆଜି କାଲି ପରିବା କଣ ଆଣିବି ପଚାରିଲେ ବି ସେ ହଠାତ କାନ୍ଦି ଉଠନ୍ତି.. ଆଉ ଯଦି ତୁମ ଅର୍ଦ୍ଧାଙ୍ଗିନୀ ତୁମକୁ ହଠାତ ସନ୍ଦେହ କରି ତୁମ ପଛରେ ଶେରଲାକ ହୋମ ଷ୍ଟାଇଲରେ ଗୋଇନ୍ଦା ଗିରି କରିବା ଆରମ୍ଭ କରି ଦେଲେ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ.. ୟେ ହେଲା ହିନ୍ଦୀ ସିରିଏଲର ପ୍ରଭାବ..

ୟା ପରେ ଆରମ୍ଭ ହୁଏ ବଗଳାମୁଖୀ ପର୍ଯ୍ୟାୟ. ତୁମେ ଯାହା ବି କର ସେଇଟା ତୁମର ଭୁଲ ଆଉ ତା ପାଇଁ ତୁମକୁ କ୍ଷମା ମାଗିବାକୁ ହିଁ ପଡିବ । ନହେଲେ କେଉଁ ମୁହୂର୍ତ୍ତରେ କେଉଁ କଥାକୁ ନେଇ, ମୁଣ୍ଡବାଳ ଖୋଲି ଅଂଟାରେ ଲୁଗା ଭିଡି ହାତରେ ଝାଡୁ, ବେଲଣା ବାଡ଼ି ବା ଅନ୍ୟ ଯେ କୌଣସି ଡୋମେଷ୍ଟିକ ହତିଆର ଧରି ରଣଚଣ୍ଡୀ ରୂପ ଧରି ତୁମ ଆଡକୁ ମାଡ଼ି ଆସିବେ ବୁଝିବା ମୁସ୍କିଲ । କୌଣସି କଥାର ଦୋଷତୃଟି ବାହାର କରିବା କଥା ସ୍ୱପ୍ନରେ ବି ଭାବନା ବରଂ ଯଦି ବେଶି ପ୍ରଶଂସା କଲ, ତ ମଲ। ତେଣୁ ଏ ପର୍ଯ୍ୟାୟରେ ଆଜି ଯାଏ କୌଣସି ପୁରୁଷ ଜିତି ନାହାଁନ୍ତି । ତେଣୁ ଅଧିକାଂଶ ବିବାହିତ ପୁରୁଷ ଦାମ୍ପତ୍ୟ ଖେଳର ଏଇ ଲେବେଲକୁ ଆସିଲେ ମୌନ ବ୍ରତ ପାଳନ କରିବା ଶ୍ରେୟସ୍କର ମନେ କରନ୍ତି ।

ଧରାଯାଉ, ପତ୍ନୀ ଫୁଲେଇ ହେଇ ପଚାରିଲେ ଆଜି ରୋଷେଇ କେମିତି ହେଇଚି ?

ଯଦି କହିଲ, ଭଲ ହୋଇଛି , କିନ୍ତୁ ତେଲ ମସଲା ଟିକେ କମ୍ ଦେଇ ଥିଲେ ଭଲ ହେଇ ଥାନ୍ତା, ବୁଝିବ, ତୁମ ସମୟ ଖରାପ ପଡ଼ିଗଲା । ତୁମ କୋଷ୍ଠିରେ ଶନି, ରାହୁ, କେତୁ ଗ୍ରୁପ୍ ଡ୍ଯାନ୍ସ କରିବାକୁ ଯାଉଛନ୍ତି । ଡାଇନିଂ ଟେବୁଲରୁ ତୁମ ଖାଇବା ଥାଳି ଟାଣି ନେବେ ଆଉ କହିବେ - ଥାଉ, ଖାଇବା ଦରକାର ନାହିଁ. କାଲିଠୁ ତୁମେ ନିଜେ ରୋଷେଇ କର ।

ଯଦି ବେଶୀ ପ୍ରଶଂସା କରି କହିଲ - ଉଃ, କଣ ରାନ୍ଧିଛ.. ଫାଇଭ୍ ଷ୍ଟାର ହୋଟେଲର ଖାଇବାକୁ କାଟିଦେବ.. ସଞ୍ଜୀବ କପୁର ତୁମ ପାଖରେ ଟିଉସନ ନବ..।

କହିବେ- ଶୁଣ ବେକାରିଆ କଥା କୁହନି.. ଗୋଟେ ଚାମଚ ଖାଇ ଏତେ କିଛି ବୁଝି ଗଲ..! ପ୍ରକୃତ କମ୍ପ୍ଲିମେଣ୍ଟ ଦେଇ ଶିଖ..। ସବୁ କଥାରେ ଗୋଟେ ଇୟେ..

ଧରାଯାଉ ପତ୍ନୀ ପଚାରିଲେ ଶାଢ଼ୀଟା କେମିତି ହୋଇଛି ?

ମୋଟେ ଓସ୍ତାଦୀ କରି ଅନ୍ୟ କିଛି ସଜେଷ୍ଟ କରିବନି, ଯଦି କହିଲ - ଗ୍ରୀନ ଶାଢ଼ୀଟା ବେଶୀ ଭଲ ..।

ଉତ୍ତର ଆସିବ - କାଇଁ ? ଗ୍ରୀନ୍ ଶାଢ଼ୀ କଣ ତୁମ ex Girl Friendର ପସନ୍ଦ କି ? ମୁଁ ଯାହାବି ପିନ୍ଧେ ତୁମେ କେବେ appreciate କରିଛ ?? ଶାଢ଼ୀ ବାବଦ ରେ ତୁମର କଣ knowledge ଅଛି.. ତୁମକୁ ପଚାରିବାଟା ହିଁ ମୋର ଭୁଲ..

ଯଦି କହିଲ -ଉଫଫ କଣ ଲାଗୁଚ, ପୁରା ଡେଣାକଟା ପରୀ.. ରମ୍ଭା ଉର୍ବଶୀ ମେନକା ବି ତୁମ ପାଖରେ କିଛି ନୁହଁ..

କହିବେ - ଥାଉ ଥାଉ ଖୋସାମତିଆ କଥା ମୋତେ ବିଲକୁଲ୍ ପସନ୍ଦ ନୁହେଁ । ସତ କଥା କହି ଶିଖ.. ବିରକ୍ତକର !!

ଶେଷରେ ଗୋଟେ କଥା କହିବି, ସମସ୍ତେ କୁହନ୍ତି, Behind every successful man, there is a woman.. ଯାହାର ପ୍ରକୃତ ଅର୍ଥ ହେଲା ତୁମେ ଯଦି ଉନ୍ନତି କରିବାକୁ ଚାହୁଁଚ ନାରୀ ମାନଙ୍କୁ ପଛରେ ଛାଡି ଆଗେଇ ଚାଲ । ନାରୀ ମାନଙ୍କୁ ସାଙ୍ଗରେ ନେଲେ ଜୀବନରେ କେବେ ଉନ୍ନତି କରି ପାରିବନି । ଯାହାର ସବୁଠାରୁ ବଡ଼ ଉଦାହରଣ ମହାଭାରତର ସ୍ୱର୍ଗ ପର୍ବ । ଯୁଧିଷ୍ଠିର ଯଦି ଦ୍ରୌପଦୀକୁ ସାଙ୍ଗରେ ନେଇ ଯାଇ ଥାନ୍ତେ ସାତ ଜନ୍ମରେ ବି ସ୍ୱର୍ଗକୁ ଯାଇ ପାରି ନ ଥାନ୍ତେ ।ସେ ପୁରାଣ କଥା ଛାଡ ଆମ ଭାରତର ସମ୍ମାନୀୟ ମୁଖ୍ୟ ସେବକ ମହୋଦୟଙ୍କୁ ଉଦାହରଣ ହିସାବରେ ନେଇପାର । ଆଜି ମୁଁ ବୁଝୁଚି, ଏ ପି ଜେ ଅବଦୁଲ କାଲାମ, ଅଟଳ ବିହାରୀ ବାଜପାୟୀ, ରତନ ଟାଟା, ବାବା ରାମଦେବ, ଯୋଗୀ ଆଦିତ୍ୟନାଥ, ନବୀନ ପଟ୍ଟନାୟକ ଇତ୍ୟାଦିଙ୍କ ଉନ୍ନତିର ଅସଲ ଭିତିରି ରହସ୍ୟ..।

ତେଣୁ ଆଜିର ଗୁରୁମନ୍ତ୍ର ଓଥରା ରୁହ, ଉନ୍ନତି କର.


Rate this content
Log in

Similar oriya story from Comedy