Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ରେବତୀ – ଭାଗ ୪

ରେବତୀ – ଭାଗ ୪

4 mins
7.7K


ଶ୍ୟାମବନ୍ଧୁ ମରିବାର ଆଜିକୁ ହାତଗଣତିରେ ପାଞ୍ଚ ମାସ, ଜ୍ୟେଷ୍ଠମାସିଆ ଦିନ, ଠିକ୍ ଦିନ ଦୁଇ ପ୍ରହର ବେଳେ ବାସୁ ଦୁଆରେ ଡାକିଲା । ଏତେବେଳେ ସେ କୌଣସି ଦିନ ଆସେ ନାହିଁ । ବୁଢ଼ୀ କୁନ୍ଥେଇ କୁନ୍ଥେଇ ଯାଇ ଦୁଆର ଫିଟାଇ ଦେଲା । ବାସୁ କହିଲା – “ଜେଜୀମା’, (ବାସୁ ବୁଢ଼ୀକୁ ଜେଜୀମା’ ବୋଲି ବରାବର ଡାକେ) ଦିପୋଟି ଇନ୍‌ସ୍ପେକ୍ଟର ହରିହରପୁର ଥାନାରେ ବସି ପାଠଶାଳା ପିଲାମାନଙ୍କୁ ପାଠ ପଚାରିବେ, ସବୁ ସ୍କୁଲର ପିଲାମାନେ ଯିବେ, ମୋ’ ପାଖକୁ ଚିଠି ଆସିଛି, ମୁଁ ପିଲାମାନଙ୍କୁ ନେଇ କାଲି ସକାଳେ ଯିବି, ପାଞ୍ଚଦିନ ଲାଗିବ ।” ରେବତୀ କବାଟକଣରେ ଛିଡ଼ା ହୋଇ ଶୁଣୁଥିଲା, ଲଠ୍‌କରି ବସି ପଡ଼ିଲା, ଭାଗ୍ୟେ କବାଟ ଧରିଥିଲା, ନୋହିଲେ ପଡ଼ି ଯାଇଥାନ୍ତା । ବାସୁ ପାଞ୍ଚଦିନ ସକାଶେ ଚାଉଳ, ଲୁଣ,ତେଲ, ବାଇଗଣ କିଣି ଆଣି ଅଗଣାରେ ଥୋଇ ଦେଇ ବୁଢ଼ୀକୁ ଜୁହାରଟାଏ ହୋଇ ଶନିବାର ମୁହଁ ସଞ୍ଜବେଳେ ବାହାରିଲା । ବୁଢ଼ୀ କହିଲା, “ବାପା, ଖରାରେ ବୁଲିବୁ ନାହିଁ, ଦେହପାଆକୁ ଚାହିଁବୁ, ବେଳରେ ଦି’ଟା ତୁଣ୍ଡରେ ଦେବୁ।” ଏହା କହି ନିଶ୍ୱାସଟାଏ ପକାଇଲା । ରେବତୀ ଏକଧ୍ୟାନରେ ବାସୁକୁ ଚାହିଁଥାଏ, ଆଜିକା ଚାହାଁଣି ଅନ୍ୟ ରକମ । ଆଗେ ବାସୁ ଚାହିଁଲେ ମୁଣ୍ଡ ତଳକୁ ପୋତି ଦେଉଥିଲା, ଆଜି ସେ ଭାବ ନାହିଁ, ଏକଧ୍ୟାନରେ ବାସୁକୁ ଚାହିଁ ରହିଛି । ବାସୁର ଯେମନ୍ତ ଖୁବ୍ ଇଚ୍ଛା – ରେବତୀକୁ ଭଲକରି ଦେଖିବ; କିନ୍ତୁ ଅନାଇପାରେ ନାହିଁ । ଆଜି ଚାରି ଚକ୍ଷୁର ମିଳନ, ଆଖି ଫେରାଇବାକୁ କାହାରି ଆୟତ୍ତ ନାହିଁ। ବାସୁ ଚାଲି ଗଲାଣି, ଆଉ ଦିନ ନାହିଁ, ଘର ବାହାର ଅନ୍ଧାର ପୂରି ଗଲାଣି । ରେବତୀ ଯେପରି ଚାହିଁଥିଲା, ସେହିପରି ଚାହିଁଅଛି । ବୁଢ଼ୀ ଡାକିବାରୁ ତାହାର ଚେତନା ହେଲା, ଘର ବାହାର ସମସ୍ତ ଅନ୍ଧକାରମୟ ।

ରେବତୀ ବସି ଦିନ ଗଣୁଛି, ଆଜି ଛ ଦିନ। ବାପ ମା’ ଗଲା ଦିନୁ ଦାଣ୍ଡ ଦୁଆର ଦେଖି ନଥିଲା, ଆଜି ସକାଳୁ ଦାଣ୍ଡଦୁଆରେ ଦୁଇ ଥର ମୁହଁମାରି ଗଲାଣି । ବେଳ ଅନ୍ଦାଜ ଛ ଘଡ଼ି, ହରିହରପୁରରୁ ସ୍କୁଲ ପିଲାମାନେ ଫେରି ଆସିବାମାତ୍ରେ ଲୋକେ ବୋଲା ବୋଲି ହେଲେ – ହରିହରପୁରରୁ ଫେରି ଆସିବା ସମୟରେ ଗୋପାଳପୁରର ବରଗଛ ମୂଳରେ ପଣ୍ଡିତଙ୍କୁ ବାଡ଼ି ଧଇଲା, ଚାରିଥର ପୋଖରୀପାଣି ହେଲା, ଅଧରାତି ବେଳେ ଚାଲିଗଲେ । ଗ୍ରାମଲୋକମାନେ ହାୟ ହାୟ କଲେ, ପୁଅ ଝିଅ ମା’ ମାଇକିନିଆମାନେ ପାଟିକରି କାନ୍ଦି ପକାଇଲେ। କେହି କହିଲା – ଆହା କି ରୂପ ରେ ! କେହି କହିଲା – କି ଧୀର ରେ ! କେହି କହିଲା – ଦାଣ୍ଡରେ ଚାଲି ଯାଉଥିବ ଯେ ମାଛିଟିକି ମର କହିବ ନାହିଁ।

ରେବତୀ ଶୁଣିଲା, ବୁଢ଼ୀ ଶୁଣିଲା । ବୁଢ଼ୀ କାନ୍ଦି କାନ୍ଦି ତାହା କଣ୍ଠ ରୁଦ୍ଧ ହୋଇଗଲା, ଆଉ କାନ୍ଦି ପାରିଲା ନାହିଁ, ଶେଷରେ ଉଠି କହିଲା – “ଆହା ବାପା, ବିଦେଶକୁ ଆସି ଆପଣା ବୁଦ୍ଧିରେ ପ୍ରାଣ ହରେଇଲୁ ରେ !” ଅର୍ଥାତ୍ ସେ ଦୁର୍ବୁଦ୍ଧି କରି ରେବତୀକୁ ପାଠ ପଢ଼େଇବାରୁ ମରିଗଲା, ନୋହିଲେ କେଭେ ମରି ନଥା’ନ୍ତା । ଶୁଣିଲା ବେଳୁ ରେବତୀ ଘରେ ଯାଇ ପଡ଼ିଛି, ସୋର ଶବ୍ଦ ନାହିଁ । ସେ ଦିନଟା ଗଲା, ତହିଁ ଆରଦିନ ସକାଳେ ବୁଢ଼ୀ ରେବତୀକୁ ପାଖରେ ନଦେଖି ପାଟି କରି ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି।” ବୁଢ଼ୀ ବାୟାଣୀ ପରି ହୋଇ ଗଲାଣି, କାନ୍ଦ ବୋବାଳି ନାହିଁ; କେବଳ ରାଗରେ ଦିନ ରାତି ରେବତୀକୁ ଗାଳି । ପଡ଼ିଶା ଲୋକେ, ଦାଣ୍ଡ ଗଲା ଲୋକେ ଯେତେବେଳେ ଇଚ୍ଛା ସେତେବେଳେ

ଶୁଣୁଛନ୍ତି, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି!” ବୁଢ଼ୀ ଆଖିକୁ ଦିଶୁ ନାହିଁ, ଅଣ୍ଡାଳି ଅଣ୍ଡାଳି ଯାଇ ରେବତୀକୁ ପାଇଲା, ଡାକିଲା, ଜବାବ ନ ପାଇ ତା’ ଦେହରେ ହାତ ବୁଲାଇ ଦେଖିଲା, ଭାରି ଜର, ଦେହରୁ ନିଆଁ ବାହାରୁଛି, ଜ୍ଞାନ ନାହିଁ । ବୁଢ଼ୀ ଢେର ବେଳ ଯାଇ ବସି କ’ଣ ପାଞ୍ଚିଲା । କ’ଣ କରିବ, କାହାକୁ ଡାକିବ। ମନ ମଧ୍ୟରେ ଜଗତ ସଂସାର ଖୋଜିଲା, ପାଖରେ କାହାକୁ ଦେଖିଲା ନାହିଁ । କିଛି ସ୍ଥିର କରି ନପାରି ଖପା ହୋଇ କହିଲା, “ଯାହା ଆପଣାକିଆ ତହିଁକି ଇଲାଜ କିଆଁ ?” ଅର୍ଥାତ୍ ତୁ ପାଠ ପଢ଼ିବାରୁ ଜର ହେଲା, ମୁଁ କ’ଣ କରିବି ?

ଦିନେ ଗଲା, ଦୁଇ ଦିନ ଗଲା, ତିନି ଦିନ ଗଲା, ଚାରି ଦିନ ଗଲା, ପାଞ୍ଚ ଦିନ ମଧ୍ୟ ଗଲା, ରେବତୀ ମାଟିରେ ଲାଗି ଯାଇଅଛି, ଆଖି ଫିଟାଉ ନାହିଁ, ଡାକିଲେ ଉତ୍ତର ନାହିଁ, ଉଁ ଚୁଁ ହେବାକୁ ମଧ୍ୟ ନାହିଁ । ଆଜି ଛ ଦିନ, ରେବତୀ ସକାଳୁ ଦୁଇ ଚାରି ଥର ପାଟି କଲାଣି, ବୁଢ଼ୀ ପାଟି ଶୁଣି ପାଖକୁ ଗଲା, ଦେହରେ ହାତ ବୁଲାଇ ଦେଖିଲା, ଗୋଡ଼ ହାତ ଶୀତଳ, ଡାକିଲେ ହୁଁ ହୁଁ ଜବାବ ଦେଲା । କଟମଟ କରି ମୁହଁକୁ ଚାହୁଁଅଛି, କିଛି ନ ପଚାରିଲେ ମଧ୍ୟ କେତେ କଥା କହି ପକାଉଛି । କୌଣସି କବିରାଜ ଦେଖିଲେ “ତୃଷ୍ଣା ଦାହଃ ପ୍ରଳାପଶ୍ଚ-” ଇତ୍ୟାଦି ଶ୍ଳୋକ ପଢ଼ି କହନ୍ତେ, “ସନ୍ନିପାତସ୍ୟ ଲକ୍ଷଣଂ ।” ମାତ୍ର ବୁଢ଼ୀ କିଛି ଖୁସି ହେଲା । ଦେହରେ ତାତି ନାହିଁ; କଥା କହୁ ନଥିଲା, ପାଟି ଫିଟାଇଲାଣି, ଚାହୁଁ ନଥିଲା, ଆଖି ଫିଟାଇଲାଣି; ପାଣି ପିଇବାକୁ ମାଗିଲାଣି, ଛ ଦିନ ହେଲା ଜିଭରେ ପାଣି ଟୋପାଏ ବାଜି ନାହିଁ, ଚାରିଟା ପଥି ପେଟରେ ପଡ଼ିଲେ ଝିଅଟା ଉଠି ବସିବ । “ତୁ ଶୋଇଥା’, ମୁଁ ଚାରିଟା ପଥି ରାନ୍ଧି ଆଣେଁ,” ଏହା କହି ବୁଢ଼ୀ ବାହାରକୁ ବାହାରି ଆସିଲା । ପଥି ରାନ୍ଧିବ କ’ଣ ? ଘରେ ପାଛିଆ କୁଣ୍ଢେଇ ହାଣ୍ଡି ଆଟିକା ସବୁ ଖୋଜିଲା; ମୁଠାଏ ଚାଉଳ ନାହିଁ । ନିଶ୍ୱାସଟାଏ ପକାଇ ଘଡ଼ିଏ ବସିଲା । ବାସୁ ପାଞ୍ଚ ଦିନକୁ ଚାଉଳ ଡାଲି କିଣି ଦେଇ ଯାଇଥିଲା, ସେଥିରେ ଦଶଦିନ କିଆଁ ଚଳିଗଲା, ବୁଢ଼ୀର ଦୃଷ୍ଟିଶକ୍ତି ଥିଲେ ବୁଝି ପାରିଥା’ନ୍ତା । ବସି ବିଚାର କଲେ ବୁଦ୍ଧି ଦିଶେ । ଘରେ କଂସାବାସନ କିଛି ନାହିଁ; ହାତରେ ଗୋଟାଏ କଣା ଢାଳ ପଡ଼ିଲା, ସେହିଟା ଧରି ହରି ସା ଦୋକାନକୁ ବାହାରିଲା। ହରି ସା ଘର ଗ୍ରାମ ମଝିରେ, ତାହାର ରୀତିମତ ଦୋକାନ ନାହିଁ, ଚାଉଳ, ଡାଲି, ଲୁଣ, ତେଲ ରଖିଥାଏ; କୌଣସି ଦିନ ବିଦେଶୀ ଲୋକ ପହଞ୍ଚି ଗଲେ କିଣନ୍ତି, କେବେ ହେଲେ ଗ୍ରାମ ଲୋକଙ୍କର କିଛି ଦରକାର ହେଲେ କିଣନ୍ତି। ବୁଢ଼ୀ ଢାଳଟି ଧରି ହରି ସା ଦୁଆରେ ପହଞ୍ଚିଲା । ହରି ସା ବୁଢ଼ୀ ହାତରେ ଢାଳଟି ଦେଖି ଅର୍ଥଟା ବେଶ ବୁଝିଗଲା । ବୁଢ଼ୀ ଆପଣାର ଅଭିପ୍ରାୟ ଜଣାଇବାରୁ ହରି ଢାଳଟ ହାତରେ ଧରି ଚାରି ପାଖ ଦେଖି କହିଲା, “ନାହିଁ ନାହିଁ ମୋ’ ଘରେ ଚାଉଳ ନାହିଁ; ଆଉ ଏହି କଣା ଢାଳଟା ରଖି କିଏ ଚାଉଳ ଦେବ ?” ହରି ଘରେ ଯେ ଚାଉଳ ନ ଥିଲା ତା’ ନୁହେଁ, ଦେବାକୁ ମଧ୍ୟ ଇଚ୍ଛା; ତେବେ ଶସ୍ତାରେ ନେବାର କଥା । ଚାଉଳ ନ ଥିବାର ଶୁଣି ବୁଢ଼ୀ ମୁଣ୍ଡରେ ତ ବଜ୍ର ପଡ଼ିଲା । କ’ଣ କରିବି, ଝିଅଟା ଜରରୁ ଉଠିଛି, ତା’ ମୁହଁରେ କ’ଣ ଦେବି ? ଘଡ଼ିଏ ବସିଗଲା; ବେଳ ବୁଡ଼ି ଆସିଲାଣି; ହରିକୁ ଦୁଇ ଥର ଅନାଇଲା । ଯାଏଁ ଝିଅଟା କ’ଣ କରୁଛି ଦେଖେଁ । ଢାଳଟି ଧରି ଉଠୁଛି, ହରି କହିଲା, “ଦିଅ ଦିଅ, ଢାଳଟା ଦିଅ, ଦେଖେଁ ଘରେ କ’ଣ ଅଛି ।” ହରି ଢାଳଟା ରଖି ଚାରିମାଣ ଚାଉଳ, ଅଧମାଣେ ଜାଇ, କିଛି ଲୁଣ ଦେଲା । ବୁଢ଼ୀ ଚାରି ଛ ଜାଗା ବସି ଉଠି ଘରେ ଆସି ପହଞ୍ଚିଲା । ଏ ପର୍ଯ୍ୟନ୍ତ ବୁଢ଼ୀ ଦାନ୍ତରେ ଦାନ୍ତକାଠି ବାଜି ନାହିଁ, ଦେହ ମନ କଥା କ’ଣ କହିବୁଁ ? ଘରେ ପହଞ୍ଚି ରେବତୀକୁ ଡାକିଲା । ତାହାର ବିଶ୍ୱାସ, ରେବତୀ ଭଲ ହୋଇଗଲାଣି, ପାଣି କାଢ଼ି ଦେବ, ସେ ଭାତ ରାନ୍ଧିବ । ରେବତୀ ଜବାବ ନ ଦେବାରୁ ସେ ଭାରି ଖପା ହୋଇ ଯାଇ ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି!” ଜବାବ ନାହିଁ ।


Rate this content
Log in

Similar oriya story from Classics