Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bismita Sahoo

Tragedy Inspirational

4.7  

Bismita Sahoo

Tragedy Inspirational

ମୁନାଭାଇ

ମୁନାଭାଇ

6 mins
626


ସିଏ ଚାଲୁଥିଲା ଏକ ଲକ୍ଷ୍ୟସ୍ଥଳହୀନ ମାଲଗାଡ଼ି ଭାବରେ। ମାଲଗାଡ଼ି ସହିତ ତାକୁ ତୁଳନା କରିବାର କାରଣ ଥିଲା ଯେ ସେ ଅତି ବେପରୁଆ ଭଙ୍ଗୀରେ ଧୀରେ ଧୀରେ ଆଗକୁ ମାଡ଼ି ଚାଲୁଥିଲା। ମନରେ ଥିଲା ଆଶା ନା ଉତ୍ସାହ। ରାସ୍ତାରେ ସମସ୍ତେ ଚାଲୁଥିଲେ ତେଣୁ ସେ ବି ବିନା କାରଣରେ ସେମାନଙ୍କ ପାଦ ସହିତ ପାଦ ମିଳାଇ ଚାଲିବାକୁ ଚେଷ୍ଟା କରୁଥିଲା, ହେଲେ ପାରୁନଥିଲା। କିଏ କେତେବେଳେ, କୋଉ ମୋଡ଼ ଦେଇ ଚାଲି ଯାଉଥିଲା ତା ପକ୍ଷେ ଜାଣିବା ସମ୍ଭବପର ନଥିଲା। ସେଥିପାଇଁ ସେ ଖାଲି ଚାଲୁଥିଲା ଓ ଚାଲୁଥିଲା। 


   ତିନି ବର୍ଷ ହେଲା ତାର ବି. ଏଡ଼ ସରିଲାଣି। ଓ.ଟି.ଇ.ଟି ଓ ଏସ.ଟି.ଇ.ଟି ବି କ୍ୱାଲିଫାଏ କରିଛି। କ୍ୟାରିଅର ଫାଷ୍ଟ କ୍ଳାସ। ତଥାପି ହାତରେ ଚାକିରୀ ନାହିଁ। ଚାତକ ପରି ଅନେଇ ବସିଛି କେବେ ଚାକିରୀ ପାଇଁ ବିଜ୍ଞାପନ ବାହାରିବ। ଯେତେବେଳେ ତାର ବି. ଏଡ଼ ରେ ଆଡ଼ମିଶନ ହେଇଗଲା ଖାଲି ବାପା କଣ ସବୁ ବନ୍ଧୁ ବାନ୍ଧବ ବି ଖୁସି ହେଇ ଯାଇଥିଲେ। ହେଲେ ସେ ଖୁସି ବେଶୀ ଦିନ ରହିଲାନି। 


ଚାକିରୀ ପାଇଁ ଅନେଇ ଅନେଇ ଆଖିରୁ ପାଣି ମଲାଣି। ସେ ଯେ ଖାଲି ସରକାରୀ ଚାକିରୀ ପାଇଁ ଅନେଇ ରହିଛି ତାହା ନୁହେଁ। କିଛି ମାସ ଗୋଟିଏ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଥିଲା କିନ୍ତୁ ଡଗ ଡଗ ହେଇ ଇଂରାଜୀରେ କଥା କହି ପାରିଲାନି ବୋଲି ସବୁ ତାକୁ ସେଠି ଥଟ୍ଟା କଲେ। 


ଆରେ ଗାଁ, ପାଣି , ପବନରେ ସେ ପାଠ ପଢ଼ିଛି। ଇଂରାଜୀ କହିବାକୁ ତ ଟିକିଏ ସମୟ ଲାଗିବ ନା? ତା ବୋଲି ପ୍ରତିଟି କଥାରେ ଗାଁୱା, ଗୱାର୍ କହି ଆକ୍ଷେପ କରିଲେ ତାକୁ କିପରି ଲାଗିବ? ସେଥିପାଇଁ ସେ କାହାକୁ କିଛି ନ କହି ଚୁପଚାପ ଚାଲି ଆସିଥିଲା। 


ଗାଁ ରେ ସବୁ ଶିକ୍ଷିତ ବେକାରୀ ପିଲାମାନେ ମିଶି ଗୋଟେ କ୍ଲବ କରିଲେ। କ୍ଲବ ଘରେ ସେମାନେ କେମିତି ଚାକିରୀ ପାଇବେ ପ୍ରତିଦିନ ଦୁଇଘଣ୍ଟା ଏହା ଉପରେ ଚର୍ଚ୍ଚା କରାଗଲା। ଶେଷରେ ବିଧାନସଭା ଆଗରେ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନିଆଗଲା। ବର୍ଷା, ଶୀତ କାକରରେ ତିନି ମାସ କାଳ ଅନଶନ ଚାଲୁ ରହିଲା। ଯେତେବେଳେ ସେମାନଙ୍କୁ ଚାକିରୀ ମିଳିବ ବୋଲି ଶତ ପ୍ରତିଶତ ଆଶ୍ୱାସନା ମିଳିଲା, ସେମାନେ ଅନଶନରୁ ଓହରିଲେ।


ସେ ଦିନ ଠାରୁ ଆଜିଯାଏ ଖାଲି ଅପେକ୍ଷା ଆଉ ଅପେକ୍ଷା। ସତେ ଯେମିତି ସେ ଓ ଚାକିରୀ ଦୁଇଟି ସମାନ୍ତରାଳ ରେଖା। କେହି କେବେ କାହାକୁ ଛୁଇଁ ପାରିବେନି। 


ତା ଚାକିରୀକୁ ସମସ୍ତେ ଅନେଇ ରହିଛନ୍ତି। ବାପା ତାର ରାଜ ମିସ୍ତ୍ରୀ। ବୁଢ଼ା ହେଲେଣି। ଆଖିକୁ ଭଲରେ ଦିଶୁନି। ବଡ଼ ଭଉଣୀକୁ ଅଠେଇଶି ପୁରି ଅଣତିରିଶି ଚାଲିଲା। ବାହାଘର ଏଯାଏଁ ଠିକ୍ ହେଇ ପାରୁନି। ମା ର ଏକା ଜିଦ୍। ଏବର୍ଷ ଯେମିତି ହେଲେ ତାର ବାହାଘର ହେବ। ହେଲେ ତା ଯାନୀ ଯୌତୁକ ପାଇଁ ଘରେ ପଇସା କାହିଁ? ଜୀବନ କାଳରେ ବାପା ଯାହା ପଇସା ସଞ୍ଚି ଥିଲେ ତାରି ପାଠପଢ଼ା ଚୁଲିରେ ସବୁ ସ୍ୱାହା ହେଇ ଯାଇଛି।


ଏମିତି ତ ହାତ ଉପରେ ହାତ ଦେଇ ବସି ରହିଲେ ସବୁ ସମାଧାନ ହେବନି। ତେଣୁ ସେ ଆଜି ଘରୁ ନିଜ ସହିତ ବାଜି ମାରି ଆସିଛି ଯେ ଯେମିତି ହେଲେ ବି ସେ ଚାକିରୀ କରିବ।


ଏମିତି ଚାଲୁଚାଲୁ ତାର ଗତିପଥ ବଦଳିଥିଲା। ଦିଜଣ ଦେବଦୂତ ସାଜି ତାକୁ ଚାକିରୀ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ। ସେମାନେ ତାର ସୁଠାମ ଓ ବଳିଷ୍ଠ ଚେହେରା ଦେଖି ବିମୋହିତ ହେଇଯାଇଥଲେ। 

ତାକୁ ଅତି ସହଜ କାମ କରିବାକୁ କୁହାଗଲା। ତା ବଦଳରେ ମାସକୁ ଦଶ ହଜାର ଟଙ୍କା। ସୁନ୍ଦରୀ ଝିଅମାନଙ୍କୁ ନିଜ ପ୍ରେମ ଫାଶରେ ଛନ୍ଦି, ସେମାନଙ୍କ ଦୁର୍ବଳତାର ସୁଯୋଗ ନେଇ ସେମାନଙ୍କ ସହିତ ସମ୍ପର୍କ ରଖିବା ଓ ସେଇ ସବୁ ମୁହୂର୍ତ୍ତଗୁଡ଼ିକୁ ନିଜ ମୋବାଇଲରେ ସଜେଇ ରଖିବା। ଫୋଟୋ ବଦଳରେ ବ୍ଲୁ ଫିଲ୍ମରେ ଅଭିନୟ କରିବା ପାଇଁ ଏକ ରକମ ବାଧ୍ୟ କରିବା। ଯିଏ ରାଜି ନହେଲା ତା ଫୋଟୋଗୁଡିକୁ ଭାଇରାଲ କରିବା ପାଇଁ ଧମକ ଦେବା। 


ଆଉ ଯେଉଁମାନେ ଅତି ସହଜରେ ଫସି ଯାଆନ୍ତି ସେମାନଙ୍କୁ ବିବାହ କରିବା ବାହାନାରେ ସହରକୁ ଆଣି ଦଲାଲ ମାନଙ୍କ ସହାୟତାରେ ବମ୍ବେ, କଲିକତା ପରି ମହାନଗରୀରେ ବିକ୍ରୀ କରିଦେବା। ପ୍ରଥମେ ପ୍ରଥମେ ତା ବିବେକ ତାକୁ ଏ କାମ କରିବାକୁ ବାଧା ଦେଇଥିଲା, କିନ୍ତୁ ଟଙ୍କାର ମହକ ତା ବିବେକକୁ କବଳିତ କରିବାକୁ ବେଶୀ ସମୟ ଲାଗିଲାନି। ତା ମନ ତାକୁ ବୁଝେଇ ଦେଇଥିଲା ଯେ ସେ ଯାହା ବି କରୁଛି ତା ପରିବାରର ପେଟ ପୋଷିବା ପାଇଁ କରୁଛି। ତା ଭଉଣୀର ବାହାଘର ପାଇଁ କରୁଛି। ତା ବୁଢା ବାପର ନଇଁ ଯାଇଥିବା ମେରୁଦଣ୍ଡକୁ ସିଧା କରିବା ପାଇଁ କରୁଛି। ତା ମା ଅଧରର ଛୋଟିଆ ହସ ପାଇଁ କରୁଛି। ସର୍ବୋପରି ସେ ପୁଅର କର୍ତ୍ତବ୍ୟ କରୁଛି। ତେଣୁ ଏଥିରେ ଭୁଲ ତାର କେଉଁଠି? ଏମିତି ବି ସେ ତ ନିଜ ପାଇଁ କରୁନି ନା? ପାପ ଯଦି ହେବ ତେବେ ତାର କାହିଁକି ହେବ? ଯେଉଁମାନେ ତାକୁ ଚାକିରୀ ଦେଇଛନ୍ତି ସେମାନେ ସେ ପାପ ପଙ୍କରେ ଛଟପଟ ହେବେ। ସେ ତ ଖାଲି ତା କର୍ତ୍ତବ୍ୟ କରୁଛି।


    ମାଲିକ ତା କାମରେ ପୁରା ଖୁସି। ସେ କୁଆଡ଼େ ଯେଉଁ ଝିଅମାନଙ୍କୁ ଆଣୁଛି ସେମାନଙ୍କର ମହାନଗରୀ ମାନଙ୍କରେ ଆକାଶ ଛୁଆଁ ଦର। ମାତ୍ର ପାଞ୍ଚ ମାସରେ ତାର ଦରମା ଚାଳିଶ ହଜାର ହେଲାଣି। ମାଲିକ ତାକୁ ରହିବା ପାଇଁ ଦି ମହଲା ଘର ଯୋଗାଇଛନ୍ତି। ସେ ଯଦି ଚାହିଁବ ତେବେ ସେ ଆଣୁଥିବା ଝିଅମାନଙ୍କୁ ନିଜେ ଉପଭୋଗ କରି ପରେ ମାଲିକଙ୍କୁ ଦେଇ ପାରିବ, କିନ୍ତୁ କାହିଁକି କେଜାଣି ସେ ନିରୀହ ଝିଅମାନଙ୍କ ଆଖିରେ ସେ ତା ଅପାକୁ ଦେଖିପାରେ।


   ତା ପରି ପାଞ୍ଚ ଜଣ ଯୁବକ ଏପରି କାମରେ ନିଯୋଗ ହେଇଛନ୍ତି। ହେଲେ ତା କଥା ନିଆରା। ସମସ୍ତେ ତା ପରି ପାରିବାର ପିଲା ନୁହଁନ୍ତି। କର୍ମ ତା ପାଇଁ ଭଗବାନ। ତେଣୁ ସେ ମନଦେଇ କାମ କରି ଚାଲିଛି।


ଆର ମାସକୁ ତାର କାମ କରିବା ଦି ବର୍ଷ ପୁରି ଯିବ। ପାଖାପାଖି ସାତ ଲକ୍ଷ ଟଙ୍କା ସେ ସଞ୍ଚୟ କଲାଣି। ଆଉ ବେଶୀ ଲୋଭ କରି ଲାଭ ନାହିଁ। ଅପାକୁ ଏକତିରିଶ ଟପିବା ପୂର୍ବରୁ ସେ ତାର ବାହାଘର କରିଦେବ। ବାପା, ବୋଉକୁ କହି ଦେଇଛି ଅପା ବାହାଘର ଠିକ କରିବା ପାଇଁ। ସେପଟେ ଠିକ ହେଇଗଲେ ଏପଟୁ ସେ ଚାକିରୀ ଛାଡ଼ି ଗାଁରେ ଖଣ୍ଡେ କିରାଣୀ ଦୋକାନ ଦେଇ ବସିବ। 


    ଆଜି କାହିଁକି ମନଟା ଖାଲି ରାମ୍ପୁଡ଼ି ବିଦାରି ହେଉଛି। ଅପା କଥାଟା ଭାରି ମନେ ପଡ଼ୁଛି। ଦେହରେ ନାଲି ପାଟ, ହାତରେ ନାଲି ଚୁଡି, ପାଦରେ ନାଲି ଅଳତା ଓ ମଥାରେ ନାଲି ସିନ୍ଦୁର ନାଇଲେ ତା ଅପା ଟା ସ୍ୱର୍ଗର ଅପ୍ସରୀ ପରି ଲାଗିବ। ସେ ତା ଭିଣୋଇ ବାବୁଙ୍କୁ ଆଗରୁ କହିଦେବ ଯେ ତା ଅପାକୁ କାଚ କଣ୍ଢେଇ ପରି ସଜେଇ ରଖିବେ। ବିଚାରି ପିଲାଦିନୁ ସୁଖ କଣ ଜାଣିନି। ସେ ତା ଅପା ପାଦ ତଳେ ଦୁନିଆର ସବୁ ଖୁସି ଅଜାଡ଼ି ଦେବ। ବୋଉ ଦଶ ଦିନ ହେଲା ଫୋନ କରି କହିଲାଣି ଅପା ବାହାଘର ଠିକ ହେଇଯାଇଛି। ସେ ଟଙ୍କା ନେଇ ଆସିଲେ ଗାଁରୁ ବାହାଘର ପାଇଁ ସବୁ କିଣିନେବେ। ତାକୁ ଖାଲି ଏ ସହରରୁ ନାଲି ବମକେଇ ପାଟ ଖଣ୍ଡେ ନେବାକୁ କହିଛି।


ମନ ତାର ଜମା ମାନୁନି। ଅପାକୁ ଦେଖିବାକୁ ମନଟା କାଲିଠୁ ଛଟ ପଟ ହେଉଛି। ରାକ୍ଷୀ ବି ପାଖେଇ ଆସିଲାଣି। ସେ ବୋଉ କହିବା ମୁତାବକ ଅପା ପାଇଁ ପାଟ ବି କିଣି ଆଣି ରଖିଛି। ଆଉ ଡେରି ନ କରି ପାଟ ଖଣ୍ଡକ ଧରି ତା ମାଲିକ ପାଖକୁ ଗଲା। ବାବୁ ତା କଥାରେ ଅରାଜି ହେଲେନି। ଖାଲି ତାକୁ କହିଲେ ଗୋଟେ ମାଲ କୁ ଠିକଣାରେ ଲଗେଇ ଦେଇ ଯିବା ପାଇଁ। ଆଗରୁ ଏପରି କାମ ବହୁତ ଥର ସେ କରିଛି। ବେଳେବେଳେ ଝିଅମାନେ ମାଲିକଙ୍କ କଥାରେ ରାଜି ହୁଅନ୍ତିନି। ଅତି ବାଧ୍ୟ କଲେ ନିଜ ଓଢଣୀରେ ଆତ୍ମହତ୍ୟା କରନ୍ତି। ସେ ନିଜ ଜୀବନକୁ ବାଜି ଲଗାଇ ଏପରି କେସ ଗୁଡ଼ିକୁ ରଫା ଦଫା କରେ।


    ବ୍ୟାଗରେ ପାଟ ଶାଢ଼ୀଟି ପୁରେଇଲା ସେ। ସେ ଝିଅଟିର ଲାସ୍ ଟିକୁ ଅତି ସନ୍ତର୍ପଣରେ ଗାଡ଼ିରେ ଭର୍ତ୍ତି କଲା। ତାକୁ ଜଲଦି ସବୁ କାମ କରିବାକୁ ପଡ଼ିବ। ସକାଳ ଛ ଟା ରେ ତାଙ୍କ ଗାଁକୁ ବସ୍ ଧରିବାକୁ ପଡ଼ିବ। ଯଦି ଡେରିହେଲା ତେବେ ଯାଇ ସନ୍ଧ୍ୟା ୫ ଟାରେ ପରବର୍ତ୍ତୀ ଗାଡ଼ି ଆସିବ। 


କୋଉଠିଥିଲା ଏ ବଦମାସିଆମେଘ , କୁଆ ପଥର ସହିତ ବହେ ଛେଚିଲାଣି। ଏ ପୋଡାମୁହାଁ ମେଘକୁ ଡରିଲେ ଚଳିବନି। ଡିକିରୁ ଝିଅଟିର ଶବକୁ ବାହାର କଲା। କାଠ ଉପରେ ରଖି ନିଆଁ ଲଗେଇଲା। ବର୍ଷା ଲାଗି କାଠରେ ଜମା ନିଆଁ ଲାଗିଲାନି। ସେ ଭଲରେ ସବୁ ପ୍ରସ୍ତୁତି କରି ଆସିଛି। କିରାସିନି ଡବାଟା ଆଣି ଅଧ ଡବା କିରାସିନି ସେ ଶବ ମୁହଁରେ ଢାଳିଦେଲା। ଠିକ୍ ଦିଆସିଲି ମାରୁଛି , ଦିଆସିଲି ଟା ତଳେ ପଡ଼ିଗଲା। ଅନ୍ଧାରରେ କିଛି ଦିଶୁନି। ସେ ମୋବାଇଲ ଆଲୁଅରେ ଦିଆସିଲି ଖୋଜିଲା। ତାରି ଗୋଡ଼ ତଳେ ପଡିଥିଲା। କାଳେ କିଛି ଅଘଟଣ ପୁଣି ଘଟିବ ସେଥିପାଇଁ ଗାଡ଼ିର ଲାଇଟ ଲଗେଇ ଆସିଲା। 


  ହଁ ଏଥର ଠିକ ଦିଶୁଛି। ସେ ଶବର ଠିକ୍ ମୁହଁ ପାଖକୁ ଦିଆସିଲି କାଠିଟି ଜଳେଇ ପକେଇବାକୁ ଯାଉଛି ହଠାତ୍ ବିଜୁଳି ଚମକିଲା। ପବନରେ ଝିଅଟିର ଓଢଣୀଟି ଉଡ଼ିଗଲା। ତା ଆଖି ଶବର ମୁହଁ ଉପରକୁ ପଡ଼ିଗଲା। ହେଲେ ଏ କଣ??


ସତେ ଯେମିତି ତା ଅପା ଉଠିପଡ଼ି କହୁଥିଲା "ମୁନା ଅଟକି ଗଲୁ କଣ ପାଇଁ? ସେ ଜଳନ୍ତା କାଠି ଟି ମୋ ମୁହଁରେ ପକେଇଦେ। ତୁ ତ ଆଗରୁ କେତେ ଏମିତି କରିଛୁ ନା? ହେଲେ ଆଜି କାହିଁକି ତୋ ହାତ ଥରୁଛି? କଣ ମୁଁ ତୋ ଅପା ବୋଲି? ଆରେ ଯେଉଁ ଝିଅମାନଙ୍କ ଜୀବନ ସହିତ ତୁ ଖେଳୁଥିଲୁ ସେମାନେ ବି ତ କାହାର ଭଉଣୀ ଥିବେ? ନେ ଜଳେଇଦେ ମୋତେ। ବିବାହର ହୋମ ନିଆଁ ତ ମୋ ଭାଗ୍ୟରେ ନାହିଁ , ହେଲେ ଏ ଚିତା ନିଆଁ ତ ଅଛି।


ମୁନା ଆଉ ସମ୍ଭାଳି ପାରିଲାନି। ତାକୁ ନିଜ ଉପରକୁ ଘୃଣା ଆସିଲା। ସେ କିରାସିନି ଡବାଟା ଟାଣି ଆଣି ତା ଉପରେ ଢାଳି ପକେଇଲା। ତା ପରି ନରରୂପୀ ରାକ୍ଷସର ବଞ୍ଚିବାର ଅଧିକାର ନାହିଁ। ସେ ନିଜକୁ ଜାଳିବାକୁ ଉଦ୍ୟତ ହେଲା ବେଳେ କେହିଜଣେ ସତେ ଯେମିତି ତା ହାତକୁ ରୋକି ଦେଲା। ସେ ଭୀରୁ ନୁହେଁ। ସେ ମରିଗଲେ ଏ କଥାର ସମାଧାନ ହେବନି। ତାକୁ ତା ଅପା ପରି ନିରୀହ ଝିଅମାନଙ୍କ ଜୀବନ ବଞ୍ଚେଇବାକୁ ପଡ଼ିବ। 


କାଳ ବିଳମ୍ବ ନକରି ସେ ପୋଲିସ ଷ୍ଟେସନରେ ପହଁଚିଲା। ପୋଲିସ ଆଗରେ ନିଜ ଅପରାଧ ଦୁନିଆର ବହିଟି ମେଲେଇଦେଲା। ପୋଲିସ ଚଢ଼ାଉ କରି ତା ମାଲିକ ସହିତ ଏ କୁକର୍ମରେ ଲିପ୍ତ ଥିବା ଅନ୍ୟ ଯୁବକ ମାନଙ୍କୁ ଧରିଲା। ମହାନଗରୀରେ ଝିଅମାନଙ୍କୁ ଠାବ କରି ସେମାନଙ୍କୁ ନିଜ ପରିବାରକୁ ସମର୍ପି ଦେଲା। ଯେଉଁ ଝିଅମାନେ ଦୁନିଆକୁ ଡରି ଘରକୁ ଫେରିବାକୁ ଚାହିଁଲେନି କିମ୍ବା ତାଙ୍କ ପରିବାର ସେମାନଙ୍କୁ ଗ୍ରହଣ କରିବାକୁ ରାଜି ହେଲେନି ସେମାନଙ୍କୁ ନାରୀ ନିକେତନରେ ଥଇଥାନ କରିବାର ବ୍ୟବସ୍ଥା କରାଗଲା। ମୁନା ପୋଲିସର ମୁଖବୀର ସାଜି ଥିବାରୁ ତାକୁ ଛଅ ମାସ ଦଣ୍ଡ ଦେଇ ଛାଡ଼ି ଦିଆଗଲା।


ମୁନା କିନ୍ତୁ ଆଉ ଘରକୁ ଫେରିଲାନି। ସେ ଅବହେଳିତ, ନିଷ୍ପେସିତ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଦେଲା। ଘର ଘର ବୁଲି ଟିୟୁସନ କରିଲା। ସେଥିରୁ ଯାହା ପଇସା ପାଇଲା ସେଥିରେ ପାଖ ବସ୍ତିରେ ଗୋଟିଏ ମୁକ୍ତ ବିଦ୍ୟାଳୟ ଖୋଲିଲା। ସେଠି ପିଲା ଠାରୁ ଆରମ୍ଭ କରି ବୁଢ଼ା ଯାଏଁ ସଭିଙ୍କୁ ବିନା ପଇସାରେ ଶିକ୍ଷା ଦାନ କଲା। ତା ବୋଉ ବାପାଙ୍କୁ ପାଖକୁ ନେଇ ଆସିଲା। ତା ବୋଉ ବସ୍ତିର ମହିଳା ମାନଙ୍କୁ ବଡ଼ି, ପାମ୍ପଡ଼, ଆଚାର ବନେଇବା ଶିଖେଇଲେ। ମୁନା ନିଜେ ସାଇକେଲରେ ସେସବୁ ବିକ୍ରୀ କଲା। ସବୁ ନାରୀମାନଙ୍କୁ ସେ ନିଜ ମା, ଭଉଣୀର ସମ୍ମାନ ଦେବା ସହ ଆଜୀବନ ବ୍ରହ୍ମଚର୍ଯ୍ୟର ବ୍ରତ ପାଳନ କଲା।


ଉପରୁ ଥାଇ ତା ଅପା ତାକୁ ଆଶୀର୍ବାଦ କଲା କି ନାହିଁ ମୁନା ଜାଣିନି କିନ୍ତୁ ମୁନା ଛୋଟ ବଡ଼ ସଭିଙ୍କ ଭାଇ ପାଲଟି ଯାଇଥିଲା।



Rate this content
Log in

Similar oriya story from Tragedy