Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୁଁ ହଜି ଯାଇଛି
ମୁଁ ହଜି ଯାଇଛି
★★★★★

© Pratibha Priyadarshini

Inspirational

3 Minutes   6.9K    1


Content Ranking

ମୁଁ ହଜି ଯାଇଛି
***********
ଖୁବ୍ ଅନ୍ୟମନସ୍କ ସୁରୁଚି। ହାତରେ ତିନି ତିନିଟା ବଡ ବଡ ପଲିଥିନ୍ ବ୍ୟାଗ। ଫଳ, ପରିବା ଆଉ କିଛି ନିତିଦିନିଆ ଘରକରଣା ବସ୍ତୁ। ଟାଉନ୍ ବସ୍ ରେ ବିପରୀତ ଦିଗରେ ଯାଉଥିବା କେହିଜଣେ ତାଙ୍କ ବ୍ୟାଗ୍ ଚେନ୍ ରେ ୟା ଓଢଣୀଟାକୁ ଟାଣି ନେବାରୁ ସେ ମନସ୍କ ହେଲା, ଗଳା ରୁଦ୍ଧ ହୋଇଯିବାରୁ। ଏପଟେ ଓଢଣୀକୁ ମୁକ୍ତ କରିବାକୁ ଚ୍ୟେଷ୍ଟା କରୁ କରୁ, କିଛି ଫଳ ଓ ପରିବା ପାଖରେ ବସିଥିବା ଭଦ୍ର ବ୍ୟକ୍ତିଙ୍କ ଉପରେ ପଡିଗଲାଣି। ତାଙ୍କ କଟାକ୍ଷ ଏମିତି ଥିଲାଯେ, ସତେବା ଫଳ ନୁହେଁ ବରଂ ଛୋଟ ବୋମା କେତେଟା ଅଜାଡି ଦେଇଛି ସୁରୁଚି। ବେଶ ପରିପାଟୀ ରୁ ଜଣେ ଜଣେ ଉଚ୍ଚ ପଦସ୍ଥ କର୍ମଜିବୀ ଲାଗୁଥିବା ସେହି ମହାଶୟ ବିରକ୍ତ ହୋଇ କହିଲେ,"ମାଡାମ୍, ଏଗୁଡା ଉଠାନ୍ତୁ'। ସୁରୁଚି ତଳକୁ ନଇଁ ଫଳ ଓ ପରିବା ଗୁଡିକୁ ପୁନରୁଦ୍ଧାର କଲାବେଳେ ଭାବୁଥିଲା,ଭଲ ହେଲା ପୁଅ ଅଜାଘରକୁ ପଳେଇଛି ଛୁଟି କାଟିବାକୁ। ନହେଲେ ତାକୁ ସମ୍ଭାଳିବାକୁ ଆଉଗୋଟେ ହାତ କୋଉଠୁ ଆଣନ୍ତା! ହେଲେ, ସେ ଏତେ ଅନ୍ୟମନସ୍କ ହେବାର କାରଣ? ମିତୁ, ମିତା ମହାନ୍ତି। ତା କଲେଜ ଦିନର ସାଙ୍ଗ। ହଷ୍ଟେଲ୍ ରେ ଗୋଟିଏ ରୁମ୍ ରେ ରହୁଥିଲେ। ସୁରୁଚି ସମାଜ ବିଜ୍ଞାନ ଓ ମିତା ସୂଚନାପ୍ରଯୁକ୍ତି ବିଜ୍ଞାନ ର ଛାତ୍ରୀ ଥିଲେ। ମିତା ସେବେଠୁ ଥିଲା ଖୁବ୍ ସ୍ମାର୍ଟ ଓ ସ୍ବାବଲମ୍ବୀ। ସୁରୁଚି ଖୁବ୍ ଦକ୍ଷ କିନ୍ତୁ ରକ୍ଷଣଶୀଳତା ରେ ବନ୍ଧା। ପି.ଜି. ସରୁ ସରୁ ବାପା ଭଲ ପାତ୍ରଟିଏ ଖୋଜି ତା'କୁ ବାହା କରେଇଦେଲେ। ୨୩ ବର୍ଷ ବୟସରେ ସୁରୁଚି ସୁଗୃହିଣୀ ଆଉ ପୁତ୍ର ସନ୍ତାନର ଜନନୀ ହେଇସାରିଥିଲା। ୫ ବର୍ଷ ଭିତରେ ସେ ସବୁ ଭୂମିକାରେ ସଫଳତା ର ସହ ନିଜକୁ ଢାଳି ନେଇଚି। ଆଜି ସୁପରମାର୍କେଟ୍ ରେ ଫଳ ବାଛୁ ବାଛୁ ଜଣେ କେହି ହଠାତ୍ ଧକ୍କା ହେଇଗଲେ। ଭଦ୍ର ମହିଳା ଜଣଙ୍କ ଅବିଳମ୍ବେ "ଓଃ, ଆଇ ଆମ୍ ସୋ ସରି ଦିଦି' କହିପକାଇଲେ। ସୁରୁଚି କିନ୍ତୁ ତାଙ୍କୁ ଜାବୁଡି ଧରିଲା। "ମିତୁ, ଏଠି କେମିତି'? ଓଃ ରୁଚି! ଚିହ୍ନି ହେଲାନି, ତୁ ଯେ ଏକାବେଳେ ବୟସ୍କ ସ୍ତ୍ରୀ ଲୋକଟେ ଭଳି ଲାଗିଲୁ, ତେଣୁ ଦିଦି କହିଦେଲି। ମାଇଣ୍ଡ୍ କରିବୁନି। ସୁରୁଚି ହସିଦେଇ କହିଲା, ବାହାଘର ପୂର୍ବଦିନ ଯାଏଁ ଯେଉଁ ପିଲାମାନେ ଦିଦି ବୋଲି ଡାକୁଥିଲେ, ବାହାଘର ପରଦିନଠୁ ଆଣ୍ଟି ବୋଲି ଡାକିଲେ। କଥାବାର୍ତ୍ତାରୁ ଜାଣିଲା, ମିତୁ ଏବେ ଭଲ ଚାକିରିଟିଏ କରୁଛି। ଏବେବି ସିଙ୍ଗିଲ୍। ପର୍ଫେକ୍ଟ ମ୍ୟାଚ ମିଳୁନି ତା'କୁ କାଳେ। ହେଲେ ସୁରୁଚି! ସେ ଏବେ କୋଉଠି? ଏଇ ଯିଏ ତିନିଟା କ୍ୟାରିବ୍ୟାଗ୍, ଭ୍ୟାନିଟି ଓ ଓଢଣୀକୁ ଆୟତ୍ତରେ ରଖି ଟାଉନ୍ ବସ୍ ର ଗହଳି ଭିତରେ ନିଜସହ ସଂଗ୍ରାମ କରୁଛି, ସେ କ'ଣ ସୁରୁଚି? ନା, ଇଏତ ମିସେସ୍ ମହାପାତ୍ର, ଶଶାଙ୍କ ମହାପାତ୍ରଙ୍କ ସ୍ତ୍ରୀ, ମନୋଜ ମହାପାତ୍ରଙ୍କ ବୋହୁ। ନଣନ୍ଦ ଓ ଦିଅରଙ୍କ ସାଙ୍ଗ ମାନଙ୍କ ପାଖରେ ସେମାନଙ୍କ ଭାଉଜ ଓ ସବୁଠୁ ଉର୍ଦ୍ଧରେ ପୁତୁଲ୍ ର ମାମା। ଘରେ ପହଞ୍ଚିବା ବେଳକୁ ଏସବୁ ଭାବନା ସେ ଭୁଲିଯାଇଥିଲା, କିନ୍ତୁ ଶୋଇବାର ଉପକ୍ରମରେ ପୁଣିଥରେ ସେ ସବୁ ମୁଣ୍ଡ ଉଠେଇ ସୁରୁଚିକୁ ବ୍ୟତିବ୍ୟସ୍ତ କରି ପକାଇଲେ। ହଠାତ୍ ତା ମନକୁ ଅଜବ ଗୋଟେ ଖିଆଲ ଜୁଟିଲା। ପରଦିନ ସକାଳୁ ମନ୍ଦିର ଯାଉଛି କହି ବାହାରିଗଲା। ସହରଠାରୁ ଅନତି ଦୂରରେ ଛୋଟ ଏକ ବୃଦ୍ଧାଶ୍ରମ। ସେ ବେଳେବେଳେ ସେଠିକୁ ଯାଏ। ଘରେ ଅବଶ୍ୟ କେହି ଜାଣନ୍ତିନି। ମୋବାଇଲ୍ ବନ୍ଦ କରି ସେଠିକା ବୟସ୍କ ସାଙ୍ଗ ମାନଙ୍କ ଗହଣରେ ୩-୪ ଦିନ ରହିବ ବୋଲି ଘୋଷଣା କରିଦେଲା। ମୂଖ୍ୟ ଉଦ୍ଦେଶ୍ୟ ଥିଲା, ଯେଉଁ ମାନଙ୍କ ଲାଗି ସେ ନିଜକୁ ହଜାଇ ତାଙ୍କ ପରିଚୟ ଆପଣେଇଛି, ସେମାନେ ତା ଲାଗି କେତେ ତତ୍ପର ଓ ଚିନ୍ତାଶୀଳ ଜାଣିବା ଲାଗି ସେ ଏମିତି ଗୋଟାଏ ଅଦ୍ଭୁତ ଯୋଜନା କରିଛି। ଆଶ୍ରମର ଅଲଗା ପରିବେଶରେ ୩ ଦିନ କେମିତି ବିତିଲା ଜାଣି ହେଲାନି। ରାତିରେ ନିଦ ହୁଏନି ଭଲରେ। ତେବେ ଶଶାଙ୍କ କ'ଣ ଏକା ଏକା ଆରାମରେ ଶୋଇପାରୁଥିବେ ତା'ର ଏମିତି ଅଚାନକ ଆତ୍ମଗୋପନର ଯନ୍ତ୍ରଣାରେ? ଶାଶୁ, ଶ୍ବଶୁର, ନଣନ୍ଦ, ଦିଅର, ଏତେବେଶୀ ନିର୍ଭରଶୀଳ ତା ଉପରେ, ସେମାନେ ନିଶ୍ଚୟ ଖୁବ୍ ବ୍ୟସ୍ତ ହେଉଥିବେ। ତିନିଦିନ ପରେ ଘରକୁ ଫେରିଲା। ବାଟସାରା ଭାବୁଥିଲା ତାକୁ ଦେଖି ସମସ୍ତେ ପ୍ରଥମେ ଖୁସିହେବେ ନା ନଜଣେଇ ଚାଲିଯିବା ଯୋଗୁ ବିବ୍ରତ ହେବେ? ହଜିଲା ସମ୍ପଦଟେ ଫେରି ପାଇବାର ଚମକ ଦେଖିବ ସମସ୍ତଙ୍କ ଆଖିରେ। ପହଞ୍ଚିବା ପର ବାସ୍ତବିକ ପରିସ୍ଥିତି ସମ୍ପୂର୍ଣ ଭିନ୍ନ ଥିଲା। ଅସରନ୍ତି ପ୍ରଶ୍ନବାଣରେ, ଲାଞ୍ଛନା ଓ ଦୋଷିସାବ୍ୟସ୍ତ କରିବା ଭିତରେ କ୍ଷତାକ୍ତ ହେଲା ମନ, ତୁଟିଗଲା ସବୁ ଆଶା। ଦାୟିତ୍ବହୀନ, ସ୍ବେଚ୍ଛାଚରିଣୀ ଭଳି ଗୁଡାଏ ବିଶେଷଣ ରେ ମଣ୍ଡିଦେଲାବେଳେ କେହି ଥରେ ପଚାରିଲେନି ସେ କୋଉଠିଥିଲା, କେମିତି ଥିଲା, କାହିଁକି ଗଲା? ତଥାପି କୌତୁହଳ ଥାଏ ତା ମନରେ। ନିରୋଳା ବେଳଦେଖି ତା ସହାୟିକା କମଳା (ଯାହାକୁ ଘରଲୋକ ଚାକରାଣୀ କୁହନ୍ତି) କୁ ପଚାରିଲା। ତା'ଠୁ ଜାଣିଲା ଯେ ସେ ଅନୁପସ୍ଥିତ ଥିବାର ସେମିତି କୌଣସି ପ୍ରଭାବ ନଥିଲା ଘରେ। କେହି ସୁରୁଚି ବୋଲି ମଣିଷଟିକୁ ଖୋଜୁନଥିଲେ,ବଂର ତା ଦ୍ବାରା ସମ୍ପାଦିତ ଦାୟିତ୍ବ ଗୁଡାକ ବାଟବଣା ହେବାଯୋଗୁ ବିରକ୍ତ ହେଉଥିଲେ। ଆଉ କେହି ନହେବା ଯେତିକି ବାଧିନଥିଲା, ସବୁଠୁ ବେଶୀ କଷ୍ଟ ପାଇଥିଲା ଏକଥା ଜାଣି ଯେ, ଯାହାକୁ ସେ ନିଜର ମନ ଓ ଶରୀର ନୈବେଦ୍ୟ କରି ସମର୍ପିଛି, ତା ସ୍ବାମୀ,ଶଶାଙ୍କ ଦୁଃଖୀ ହୋଇନଥିଲେ। ବଂର ବିରକ୍ତ ହେଉଥିଲେ ଏତେ କାମଭିତରେ ସ୍ତ୍ରୀ କୁ ଖୋଜିବାର ଅତିରିକ୍ତ ଦାୟିତ୍ବବି ତାଙ୍କ ଉପରେ ଥିବାରୁ। ରାତି ଦିନ ଅଭିସମ୍ପାତ ଢାଳୁଥିଲେ ତା ଲାଗି। ସତ୍ୟସହ ସାମ୍ନାସାମ୍ନି ହେବାପରେ ଅଜବ ଗୋଟେ ହାଲୁକା ଅନୁଭବ କରୁଥିଲା ସେ। କାହାଠୁ ଆତ୍ମୀୟତାର ଛଦ୍ମ ଅନୁଭବର ଅପେକ୍ଷା ନଥିଲା ଆଉ। କେବଳ କର୍ତ୍ତବ୍ୟ ଓ ଦାୟିତ୍ବପ୍ରତି ସମର୍ପଣର ଭାବ ବାକି ରହିଥିଲା ତା ଭିତରେ। ଏତିକିବେଳେ ଫୋନ୍ ଟା ବାଜି ଉଠିଲା। ମିତା ଫୋନ୍ କରିଥିଲା। ସେ ଯେବେ ପଚାରିଲା, "ରୁଚି,କୋଉଠି ଅଛୁ'? ସୁରୁଚି ହସି ହସି ପ୍ରତ୍ୟୁତ୍ତର ରେ ନିରୋଳା ସତ୍ୟଟିଏ କହି ପକାଇଲା, "ମିତୁ! ମୁଁ ହଜି ଯାଇଛି'.....

ପ୍ରତିଭା ପ୍ରିୟଦର୍ଶିନୀ

 

 

ସୁରୁଚି ଶଶାଙ୍କ ପୁତୁଲ୍ ମିତା ଟଉନ୍ ବସ୍ ବୃଦ୍ଧାଶ୍ରମ କମଳା ଶାଶୁ ଶ୍ବଶୁର ନଣନ୍ଦ ଦିଅର

Rate the content


Originality
Flow
Language
Cover design

Comments

Post

Some text some message..