Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Inspirational

3  

Sisir Panda

Inspirational

କାଲୁ ହାତୀ

କାଲୁ ହାତୀ

4 mins
7.1K


ଢମଣା ଜଙ୍ଗଲରରେ ହାତୀ,ବାଘ,ଭାଲୁ,ସିଂହ,ହରିଣ,ହେଟା,ବିଲୁଆ ଆଦି ସବୁ ପଶୁ ଆନନ୍ଦରେ ରହୁଥିଲେ । ଜଙ୍ଗଲର ଚାରିପାଖରେ ପାହାଡ଼ ଓ ତା' ମଝିରେ ଏକ ସୁନ୍ଦର ଝରଣା ନାଚି ନାଚି ବହିଯାଉଛି ଦୂରକୁ । ଦିନେ କାଲୁ ହାତୀ ତା' ମା' ସହ ପାହାଡ଼ରେ ବୁଲୁଥିଲା । ସେ ମା'ଠାରୁ ଦୂରେଇ ଯାଇ ପାଣି ପିଉଥିଲା । ସେଠି ଗୁରୁଆ ଏକ ଛୋଟ ପିଲା ତାକୁ ଦେଖି ଦୌଡ଼ି ପଳଉଥିଲା । କାଲୁ ତାକୁ କହିଲା,"ମୋତେ କାହିଁକି ଡରୁଛ,ମୁଁ ତୁମର କିଛି କରିବି ନାହିଁ । " ତା'ର କଥା ଶୁଣି ଗୁରୁଆ କହିଲା,"ତୁମେ ମୋ ସାଙ୍ଗ ହେବ,ମୋ ନାଁ ଗୁରୁଆ,ମୁଁ ମୋ ମା'ବାପାଙ୍କ ସହ ଝରଣା, ପାହାଡ଼ ଦେଖିବାକୁ ଆସିଛି,ସେମାନେ ସେପଟେ ମନ୍ଦିର ପାଖରେ ଛିଡ଼ା ହୋଇଛନ୍ତି । "କାଲୁ କହିଲା,-"ହଁ ମୁଁ ତୋ ସାଙ୍ଗ ହେବି,ଆମେ ଆଜିଠୁ ସାଙ୍ଗ ହୋଇ ଖେଳିବା,ମୋ ମା' ମୋତେ ଖୋଜୁଥିବ,ଆ ମୋ ମା' ପାଖକୁ ଯିବା । "ଗୁରୁଆ କହିଲା,-"ଆ ଆଗ ମୋ ମା' ବାପାଙ୍କ ପାଖକୁ ଯିବା,ସେମାନେ ତୋତେ ଦେଖିଲେ ବହୁତ ଖୁସି ହେବେ । ଦୁହେଁ ସାଙ୍ଗ ହୋଇ ସେମାନଙ୍କ ପାଖକୁ ଗଲେ । ସେମାନେ କାଲୁକୁ ଗେଲ କରି ବିସ୍କୁଟ ଦେଲେ ଖାଇବାକୁ । ସମସ୍ତେ ମିଶି କାଲୁ ମା'କୁ ଖୋଜିବାକୁ ଗଲେ । କାଲୁ ମା' ଭାଲେଇ ସିଆଡ଼େ ବ୍ୟସ୍ତ ହୋଇ କାଲୁକୁ ଡାକି ଡାକି ଆସୁଥାଏ । କାଲୁ ତା'ର ମା'କୁ ଦେଖି ମା' ପାଖକୁ ଦୌଡ଼ିଲା । ମା'କୁ କହିଲା,"ମା' ଇଏ ହେଲା ଗୁରୁଆ । ଏମାନେ ଅଙ୍କଲ,ଆଣ୍ଟି ଗୁରୁଆର ମା' ବାପା । ଏମାନେ ନ ଥିଲେ ମୁଁ ଆଜି ତୋତେ ପାଇ ନ ଥାନ୍ତି । " ତା' ମା' କାଲୁକୁ ବହୁତ ବିଗିଡ଼ିଲା,କାହିଁକି ସେ ତା' ପାଖରୁ ଦୂରକୁ ଯାଇଥିଲା ବୋଲି । ତା'ପରେ ଗୁରୁଆ ମା' ବାପାଙ୍କୁ ନମସ୍କାର କରି ଧନ୍ୟବାଦ ଦେଲା ।

ଭାଲେଇ ପାଚିଲା ଆମ୍ବ ରଖିଥିଲା ଗୁରୁଆକୁ ଦେଲା । କିଛି ସମୟ କଥାବାର୍ତ୍ତା ହୋଇ ବିଦାୟ ବେଳକୁ ଗୁରୁଆ ଭାଲେଇକୁ ଅନୁରୋଧ କରି କହିଲା କି କାଲୁକୁ ସେମାନଙ୍କ ସାଙ୍ଗରେ ଛାଡ଼ିବାକୁ ତାଙ୍କ ଘରକୁ । ତା'ର ବାପା ଓ ସେ କାଲୁକୁ ଆଣି ସନ୍ଧ୍ୟାବେଳେ ଛାଡ଼ି ଦେଇଯିବେ । ପ୍ରଥମେ ଭାଲେଇ ରାଜି ହେଲାନି,ଗୁରୁଆର ମା' ବାପା କହିବାରୁ କାଲୁକୁ ସେମାନଙ୍କ ସାଙ୍ଗରେ ଛାଡ଼ିଲା । କାଲୁ ଗୁରୁଆକୁ ପିଠିରେ ବସାଇ ବାଟରେ ଗଲାବେଳେ ଗୁରୁଆର ସାଙ୍ଗ ଓ ଅନ୍ୟମାନେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ବହୁତ ମଜା କଲେ । ସେମାନଙ୍କୁ ଚକୋଲେଟ୍,ବିସ୍କୁଟ ଆଦି ଖାଇବାକୁ ଦେଲେ ।

ଗୁରୁଆର ମା' ରୋଷେଇ କରି ଦୁଇ ଜଣଙ୍କୁ ଖାଇବାକୁ ଦେଇ କହିଲେ,- "ଯାଅ,ପଡ଼ିଆରେ ଖେଳିବ । " ଗୁରୁଆ ସାଙ୍ଗରେ କାଲୁକୁ ଦେଖି ସାଙ୍ଗମାନେ ବହୁତ ଖୁସି ହେଲେ ଓ ସମସ୍ତେ ଫୁଟବଲ ଖେଳିଲେ । ସନ୍ଧ୍ୟାବେଳେ ଗୁରୁଆ,ତା' ବାପା କାଲୁକୁ ନେଇ ତା' ଘରେ ଛାଡ଼ିକି ଆସିଲେ । କାଲୁ ଏଣିକି ସବୁଦିନ ଆସି ଗୁରୁଆ ଓ ଅନ୍ୟ ସାଙ୍ଗମାନଙ୍କ ସହ ଖେଳି ମଜା କରେ । ସନ୍ଧ୍ୟା ବେଳକୁ ଏକା ଘରକୁ ଯାଏ । ଦିନେ କାଲୁ ଘରକୁ ଫେରିବା ବେଳେ ଜଙ୍ଗଲରେ ବାଘଛୁଆ ଶେରୁ ଓ ତା'ର ସାଙ୍ଗ ସାମୁ ଭାଲୁ ତାକୁ ଅଟକାଇଲେ । ସେମାନଙ୍କୁ କାଲୁ ପଚାରିଲା,-"ମୋତେ କାହିଁକି ରୋକୁଛ,ମୁଁ ତୁମର କ'ଣ କଲି?"ଶେରୁ କହିଲା,"ତୁ ମୋର ପାଠ କାହିଁକି ଲେଖି ଦେଲୁନି?ମୁଁ ସାରଙ୍କ ଠାରୁ ମାଡ଼ ଖାଇଲି । ତେଣୁ ଆଜି ଆମେ ଦୁଇ ଜଣ ମିଶି ତୋତେ ମାରିବୁ । ଶେରୁ କଥା ଶୁଣି କାଲୁ ବହୁତ ରାଗି ଯାଇ କହିଲା,-"ଆରେ ଶେରୁ, ସାମୁ ମୋ ଦିହରେ ହାତ ମାରିକି ଦେଖ ତ ଦମ୍ ଅଛି ଯଦି । ତୁମେ ଦିଜଣ ଜାଣିଛ ମୁଁ କୁଆଡ଼େ ଯାଇଥିଲି । ମୋର ସାଙ୍ଗ ଗୁରୁଆ ଓ ଆଉ ବହୁତ ଜଣ ଅଛନ୍ତି । ତାଙ୍କୁ କହିବି ସେମାନେ ଆସି ତୁମ ଦୁଇ ଜଣ ଓ ତୁମ ଘର ଲୋକଙ୍କୁ ଢମଣା ଜଙ୍ଗଲରୁ ତଡ଼ିଦେବେ । "

କାଲୁ କଥା ଶୁଣି ସାମୁ ଭାଲୁ ଶେରୁ କାନରେ ଚୁପକରି କହିଲା,-"ହଁ,ଠିକ୍ କଥା । ମଣିଷମାନେ ଆସିଲେ ଆମେ ତାଙ୍କୁ ପାରିବାନି,ସେମାନେ ଜଙ୍ଗଲକୁ ଆସି ଆମ ପଶୁମାନଙ୍କୁ ଶିକାର କରି ମାରି ଦେଉଛନ୍ତି । " ସାମୁ କଥା ଶୁଣି ଶେରୁ କାଲୁକୁ କହିଲା,-"ହଉ ଛାଡ଼,ତୁ ଆମକୁ ନେଇ ତୋ ସାଙ୍ଗମାନଙ୍କ ସହ ମିଶାଇବୁ,ଆମେ ସବୁଦିନ ଯିବୁ ଖେଳିବା ପାଇଁ । " ତା'ର କଥା ଶୁଣି କାଲୁ କହିଲା,-"ହଁ,ଏ କଥା କହିଲୁ ମୋତେ ଭଲ ଲାଗିଲା,ଆମେ ମଣିଷଙ୍କ ସଙ୍ଗେ ମିଶି କରି ରହିଲେ ସେମାନେ ଆମର କିଛି କ୍ଷତି କରିବେନି । ତୁ ମନ ଦେଇ ପାଠ ପଡ଼ିଲେ,ସବୁ ପାଠ ତୋତେ ଆସିବ । ମୋତେ କେବେ କହିବୁନି ଲେଖିବାକୁ । "

ସାମୁ କହିଲା, "ନାଇଁ, ସେ ଆଉ କେବେ କହିବନି,ଚାଲ ଆଜି ଘରକୁ ଯିବା । କାଲି ଆମେ ଗୁରୁଆ ପାଖକୁ ଯିବା । " ତା'ପରେ ସମସ୍ତେ ଘରକୁ ଗଲେ । ତହିଁ ଆର ଦିନ କାଲୁ,ଶେରୁ,ସାମୁ,ଗୁରୁଆ ଓ ଅନ୍ୟମାନେ ବହୁତ ଖେଳିଲେ । ଦେଖୁ ଦେଖୁ ଢମଣା ଜଙ୍ଗଲରୁ ହେଟା,ବିଲୁଆ,କୋକିଶିଆଳି ଆଦି ଅନେକ ପଶୁ ଆସି ପିଲାଙ୍କ ମିଶି ଖେଳନ୍ତି,ମଜା କରନ୍ତି ।

ଦିନେ କାଲୁକୁ ଜ୍ବର ହେଲା,ସେ ସେଦିନ ଖେଳିବାକୁ ଆସି ପାରିଲାନି । ଏ କଥା ଶୁଣି ଗୁରୁଆ ଓ ଅନ୍ୟ ସାଙ୍ଗମାନେ ସମସ୍ତ ପଶୁଙ୍କ ସହ ମିଶି କାଲୁକୁ ଦେଖିବାକୁ ଗଲେ । ତା ପାଇଁ ଫଳ,ଔଷଧ ନେଇକି ଯାଇଥିଲେ । ସମସ୍ତ ପିଲା ଆସିଛନ୍ତି କାଲକୁ ଦେଖିବାକୁ ଶୁଣି ଜଙ୍ଗଲର ସବୁ ପଶୁପକ୍ଷୀ କାଲୁ ଘର ପାଖରେ ଜମା ହୋଇଗଲେ । ପିଲାମାନଙ୍କୁ ସ୍ବାଗତ କରି ଧନ୍ୟବାଦ ଦେଇ ଜଙ୍ଗଲର ସର୍ଦ୍ଦାର ସିଂହ ଗୁରୁଆକୁ କହିଲେ କି ଆମେ ଆଉ ଏ ଜଙ୍ଗଲରେ ରହିପାରିବୁ ନାହିଁ । ଆଖପାଖ ଗାଁରୁ ଲୋକମାନେ ଆସି ଗଛ କାଟି ଆମ ଘର ଭାଙ୍ଗି ଦେଉଛନ୍ତି । ଜଙ୍ଗଲ ଆମ ଘର,ଜଙ୍ଗଲ ନ ରହିଲେ ଆମେ କେମିତି ରହିବୁ । "

ଏହି କଥା ଶୁଣି ଗୁରୁଆ ଓ ତା'ର ସାଙ୍ଗମାନେ ମନ ଦୁଃଖ କଲେ ଏବଂ ସର୍ଦ୍ଦାର ସିଂହକୁ କହିଲେ,-"ଏଣିକି ଆଉ ଜଙ୍ଗଲ କଟା ହେବନି କି ଆପଣମାନଙ୍କ ଘର ଆଉ ଭଙ୍ଗା ହେବନି । "

ଏକଥା ଶୁଣି ଗୋଲୁ ହରିଣ,ପେଟୁ ଠେକୁଆ,ଗୁନି ମୟୂର ଆଦି ଖୁସିରେ ନାଚିଲେ ଓ ପିଲାମାନଙ୍କୁ କହିଲେ କି ଏ ବର୍ଷ ଶୀତ ଦିନେ ଢମଣା ଜଙ୍ଗଲରେ ବଣଭୋଜି କରିବା ।

ଗୁରୁଆ ଓ ତା'ର ସାଥୀମାନେ ଗାଁକୁ ଆସି ସେମାନଙ୍କ ମା' ବାପାଙ୍କୁ ସବୁକଥା କହିଲେ ଓ ଜିଦ୍ଦି କଲେ ଢମଣା ଜଙ୍ଗଲକୁ ରକ୍ଷା କରିବାକୁ । ଗାଁର ମୂଖିଆମାନେ କହିଲେ ପିଲାମାନେ ଭଲ କଥା କହୁଛନ୍ତି । ଆମେ ଯଦି ମଣିଷ ହୋଇ ଜଙ୍ଗଲ ଓ ତା'ର ପଶୁପକ୍ଷୀଙ୍କୁ ରକ୍ଷା କରିବାନି ତ କିଏ କରିବ?ଗାଁର ସଭାରେ ବିଚାର ହେଲା କି ଆସନ୍ତା କାଲିଠାରୁ ଗାଁ ଲୋକମାନେ ଅନ୍ୟ ଗାଁର ସମସ୍ତଙ୍କୁ ମନା କରିବେ ଜଙ୍ଗଲରୁ ଗଛ କାଟିବାକୁ,ପଶୁ ଶିକାର କରିବାକୁ । ତା' ପରଦିନ ଗୁରୁଆ ଓ ତା'ର ସାଙ୍ଗମାନେ ଢମଣା ଜଙ୍ଗଲକୁ ଯାଇ ଜଗିଲେ ଯିଏ ଆସିଲେ ସେମାନଙ୍କୁ ମନା କଲେ ଗଛ କାଟିବାକୁ । ଲୋକମାନେ ସେମାନଙ୍କ ଘରକୁ ଫେରିଗଲେ । କାଲୁ,ଶେରୁ,ସାମୁ ଆଦି ଆସି ପିଲାମାନଙ୍କ ସହ ସମସ୍ତେ ମିଶିଗଲେ । କାଲୁ ସେମାନଙ୍କୁ କହିଲା,-"ଶୁଣ ସମସ୍ତେ ଆମ ଜଙ୍ଗଲ ପାଖରେ ଯେଉଁ ଖାଲି ଜାଗା ଅଛି ଯଦି ଆମେ ସମସ୍ତେ ମିଶି ସେଠି ଗଛ ଲଗାଇବା ତ ଆମର ଏବଂ ସମସ୍ତ ମଣିଷଙ୍କ ଭଲ ହେବ । ବର୍ଷା ମଧ୍ୟ ଠିକ୍ ଭାବରେ ହେବ । ଅଧିକ ଗରମ ବି ଆଉ ହେବନି । " କାଲୁ କଥା ଶୁଣି ଗୁରୁଆ କହିଲା,-"ହଁ,ମୁଁ ମଧ୍ୟ ସେକଥା ଭାବିଛି ଓ ମୋ ବାପାଙ୍କୁ କହିଛି ଚାରା ଗଛ କାଲି ଆଣିବାକୁ । ଆମେ ସମସ୍ତେ ମିଶି ଗଛ ଲଗାଇବା । ତା' ପରଦିନ ପିଲାମାନେ କାଲୁ,ଶେରୁ,ସାମୁ,ଗୋଲୁ,ପେଟୁ ଆଦି ପଶୁପକ୍ଷୀ ମିଶି ବଣ ଦେବୀ ପାଖରେ ପୂଜା କରି ଗଛ ଲଗାଇଲେ ।

ଦେଖୁ ଦେଖୁ କିଛି ମାସ ମଧ୍ୟରେ ଗାଁ,ଜଙ୍ଗଲ ଚାରିପାଖରେ ଥିବା ଖାଲି ଜାଗା ଗଛଲତାରେ ଭରି ଗଲା । ପିଲା,ବଡ଼ଲୋକ ଓ ପଶୁପକ୍ଷୀମାନେ ସେଠାରେ ବସନ୍ତି,ଖେଳନ୍ତି । ମଣିଷ ଏବଂ ପଶୁପକ୍ଷୀ ମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢ଼ି ଉଠିଲା,ମିଳିମିଶି ରହିଲେ । ଏହା ଦେଖି ଆଖପାଖ ତଥା ଦୂରଦୂରାନ୍ତରେ ଲୋକମାନେ ପଶୁପକ୍ଷୀମାନଙ୍କୁ ଭଲ ପାଇଲେ,ଗଛ ଲଗାଇଲେ । ଏ ବିଷୟରେ ଶୁଣି ପ୍ରଧାନ ମନ୍ତ୍ରୀ,ମୂଖ୍ୟମନ୍ତ୍ରୀ ପରେ ରାଷ୍ଟ୍ରପତି ସେହି 'ସର୍ବମଙ୍ଗଳ' ଗାଁକୁ ବୁଲି ଦେଖିବାକୁ ଆସିଲେ । ଗୁରୁଆ, କାଲୁ ସେମାନଙ୍କ ସାଙ୍ଗମାନଙ୍କୁ ପ୍ରଶଂସା କରି ଗେଲ କଲେ ଏବଂ ମିଠା,ଚକୋଲେଟ୍,ବିସ୍କୁଟ ଖାଇବାକୁ ଦେଲେ । ଖେଳ ସାମଗ୍ରୀ ମଧ୍ୟ ବହୁତ ଦେଲେ । ସେମାନଙ୍କ ସହ ମିଶି ଫଟୋ ଉଠାଇଲେ । ଶେଷରେ ପ୍ରଧାନ ମନ୍ତ୍ରୀ ଘୋଷଣା କଲେ,-"କାଲୁ ଓ ଗୁରୁଆ ଏଇ ଢମଣା ଜଙ୍ଗଲର ଦାୟିତ୍ବ ନେବେ ଓ ଅନ୍ୟମାନେ ସେମାନଙ୍କୁ ସାହାଯ୍ୟ କରିବେ । ପିଲାମାାନେ ଆନନ୍ଦରେ ରାଜି ହୋଇଗଲେ । ନୂଆ ଜଙ୍ଗଲର ନାଁ 'କାଲୁ ଜଙ୍ଗଲ' ରଖାଗଲା । ସେବେଠାରୁ ସମସ୍ତେ ସେଠି ଭଲରେ ରହିଲେ ।

ଶିଶିର କୁମାର ପଣ୍ଡା,କଟକ


Rate this content
Log in

Similar oriya story from Inspirational