Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ତଥାସ୍ତୁ
ତଥାସ୍ତୁ
★★★★★

© Prakash Ranjan Parida

Romance Tragedy

10 Minutes   7.5K    22


Content Ranking

ତଥାସ୍ତୁ

---

ପ୍ରକାଶ ରଂଜନ ପରିଡ଼ା

ରାତି ପାହିବ ପାହିବ ହୋଇ ପାହିନଥିଲା । ଆକାଶର ଅଗଣାରେ ଏବେ ବି ଦିଶୁଥିଲା କାଣିଚାଏ ପାଣ୍ଡୁର ଜହ୍ନଁର ମୁହଁ । ଛାଁ’କୁ ଛାଁ ଭାଙ୍ଗୁଥିଲା ନିଦ । ଗୋଟେ ଇପ୍‌ସିତ, ପରିଚିତ କଣ୍ଠସ୍ବର ମୋ ଛାତିତଳେ ତୋଳୁଥିଲା ତରଙ୍ଗ । ରୋଷେଇ ଘରର ପ୍ରତିଟି ଶବ୍ଦ ଶୁଣିବାକୁ ମୋ କାନ ଥିଲା ଉଦ୍‌ଗ୍ରୀବ । ସୁନୀତାର ପିଠା ତିଆରି ସରୁନଥିଲା କି ମଝିରେ ମଝିରେ ଖୁଁ ଖୁଁ ଖଣ୍ଡିକାଶ । ବାସ୍ନାରେ ମହକୁଥିଲା ପୂରା ଘର । ଆରିଶା, ମଣ୍ଡା ପରେ ଶେଷ ପର୍ଯାୟରେ ଚାଲିଥିଲା କାକରା ପ୍ରସ୍ତୁତି । ମିଠାବାସ୍ନା ସହ ଗୋଟେ ଅଜବ ପୁଲକ ମୋ ଆଖିରୁ ଛଡ଼ାଇ ନେଇଥିଲା ନିଦ ।

ସୁନୀତାକୁ କାମ କରିବାକୁ କେହି ଡାକିନଥିଲେ । ଆମ ଘରର ସବୁ କାମରେ ଯେମିତି ଆସେ ସେମିତି ଆସିଥିଲା । ଗୋଟିଏ ପରେ ଗୋଟିଏ କାମ ନିଜ ହାତକୁ ନେଇ ସୂଚାରୁ ରୂପେ ସମ୍ପାଦନ କରୁଥିଲା । କେହି କିଛି ଜାଣିବା ପୂର୍ବରୁ କାମର ପୂର୍ଣ୍ଣାଙ୍ଗ ବିବରଣୀ ଦେଉଥିଲା । ସୁନୀତାକୁ ଆମ ଘରକୁ ଆସିବାକୁ କାହାର ଅନୁମତି ହିଁ ଆବଶ୍ୟକ ନଥିଲା । ଆଜି ନୁହେଁ ପନ୍ଦର ବର୍ଷ ହେଲା ସେ ଆସୁଛି । କେତେବେଳେ ଆସିବ ସେ ନିଷ୍ପତ୍ତି ତା’ ନିଜର । ତଥାପି ତାକୁ ଖୋଜୁଥିବାବେଳେ ସେ ପହଞ୍ଚିଯାଏ । ଚାଷ କାମ ହେଉ କି ଘର କାମ ସବୁବେଳେ ସେ ପହଞ୍ଚୁଥିଲା । ସେ କାହିକିଁ ଆମ ଘରର କାମକୁ ଏତେ ଶ୍ରଦ୍ଧାର ସହ କରେ ତା’ର ରହସ୍ୟ କାହାକୁ ଜଣାନାହିଁ ।

ରହସ୍ୟମୟୀ, ମନୋଇ ଝିଅ ସୁନୀତା ବିଷୟରେ ମୁଁ ଗୋଟେ କଥା ଜାଣେ । ସେ ମତେ ଭଲପାଏ । ମୋ ହାତରୁ କିଛି ବି ନେବାକୁ ଖୁସି ପାଏ । ମୁଁ ଖୁସିହେଲେ ସେ ଖୁସିହୁଏ । ମୁଁ ଯଦି କେବେ କୌଣସି କାମରେ ବ୍ୟସ୍ତତା କାରଣରୁ ଚାପରେ ଥାଏ, ମୋ ମୁହଁ ସୁଖିଯାଇଥାଏ, ସେ ଉଦ୍‌ବିଘ୍ନ ହୁଏ । ‘‘ତୁ ସବୁବେଳେ ହସୁଥା, ମୁଁ ଏତିକି ଚାହେଁ’’- ଏକୁଟିଆ ପାଇଲେ ସୁନୀତା କହେ । ଯଦି କେବେ ମୋ ଦେହ ଖରାପ ହେବାର ଖବର ସେ ପାଇଯାଏ, ବାହାନା କରି ଦିନରେ ଦଶ ଥର ଆସେ । ପରିବାର ଲୋକଙ୍କ ସହ କଥା ହେବା ଛଳରେ ମୋ ଖବର ବୁଝେ ଓ ଚାଲିଯାଏ; ଯଦିଓ ମୋ ନିକଟକୁ ଆସିବାର ସାହସ ଜୁଟାଇ ପାରେ ନାହିଁ । କିନ୍ତୁ ମୋର ମନେ ହୁଏ ସୁନୀତା ପାଇଁ ମୁଁ ଖୁବ ଶୀଘ୍ର ଭଲହୋଇଯାଏ । ତା’ ଭଲପାଇବା ମତେ ଭଲକରିଦିଏ । ମତେ ଏମିତି ଲାଗେ ।

ସୁନୀତାକୁ ମୁଁ ଜାଣେ ପିଲାଦିନୁ । ଆମ ଗାଁ କ୍ଷେତ୍ରା ଦାଦିଙ୍କ ଝିଅ ସୁନୀତା । ମାଆ ନାହିଁ କି ଭାଇ ନାହିଁ । ସୁନୀତାର ବାପା କ୍ଷେତ୍ରା ଦାଦି ‘ଗାଈପାଳି’ କରନ୍ତି । ପ୍ରତିଦିନ ସକାଳୁ ଗାଁଲୋକଙ୍କ ଗାଈକୁ ଚରାଇବାକୁ ନିଅନ୍ତି ନଈ ସେପଟକୁ, ସଂଧ୍ୟାବେଳକୁ ଫେରନ୍ତି । ଛୋଟ ଦିନୁ ସୁନୀତା ମଧ୍ୟ ନଈ ସେପାରିକୁ ଯାଏ । ନଈ ସେପଟକୁ ଯିବାକୁ ତା’କୁ ବାରଣ କରାଯିବା ଯାଏ ସେ ଯାଉଥିଲା । ତା’ର ପ୍ରାୟ ଦିନ ଆମ ଘରେ ବିତେ । ଗୋଧୂଳିବେଳାରେ ଗାଈ ଗୋଠକୁ ଫେରିବା ପରେ କ୍ଷେତ୍ରା ଦାଦି ସଂଧ୍ୟାସ୍ନାନ ସାରି ଆମ ଘରକୁ ଆସୁଥିଲେ । ଜାଣିବାର ହେବା ପରେ ଧିରେ ଧିରେ ସୁନୀତା ଆମ ଘରର ଅନେକ କାମ କରିବାକୁ ଲାଗିଲା । ଅସନା ହୋଇ ପଡ଼ିଥିବା ବାସନ, ଧୂଳିଭର୍ତ୍ତି ଅଗଣା ତା’ ଆଖିରେ ଯାଏନା । ସେହି ସମୟରେ ସେ ମୋର ଖେଳସାଥି ଥିଲା । ଅନେକ ସମୟରେ ମୁଁ ତାକୁ ଚିଡ଼ାଉଥିଲି । କେବେ ତେଲ ବାଜୁ ନଥିବା ତା ଗୋରା ତକତକ ଦେହ ହାତରେ ଅଙ୍କାବଙ୍କା ଧଳା ଗାରକୁ ନେଇ ତ’ କେବେ ଝାମ୍ପୁରି କେଶକୁ ନେଇ । ମୁଁ ଯାହା ଭୁଲିପାରେନି ତାହା ହେଲା ଯେତେ ଚିଡ଼ାଇଲେ ବି, ହାତ ଉଠାଇ ମାରିଲେବି ସୁନୀତା କେବଳ ହସିଦେଉଥିଲା । ତା’ ହସ ମତେ ଭଲ ଲାଗୁଥିଲା । ମୋ ବଲ୍‌ପେନରୁ କାଳି ସରିଗଲେ ମୁଁ ତା ଉପରକୁ ଫିଙ୍ଗି ଦେଉଥିଲି, ସେ କିନ୍ତୁ ତା’କୁ ଉଠାଇ ଯତ୍ନରେ ସାଇତି ରଖୁଥିଲା ।

ତୁଳସୀ ଓ ମୁଁ ଆମ ଭାଇ ଭଉଣୀଙ୍କ ପାଇଁ ସେ ଥିଲା ହର୍ତ୍ତା- କର୍ତ୍ତା- ଦୈବ- ବିଧାତା । ଆମେ କଣ ପିନ୍ଧିବୁ, କଣ ଖାଇବୁ ସବୁକିଛି ସୁନୀତାର ନିଷ୍ପତ୍ତି ଉପରେ ନିର୍ଭର କରୁଥିଲା । ଏପରିକି ଆମ ଘରକୁ ପ୍ରଥମ ଥର ଆସୁଥିବା କୌଣସି ବନ୍ଧୁ ବାନ୍ଧବ ସୁନୀତାକୁ ମୋର ଭଉଣୀ ବୋଲି ଭାବୁଥିଲେ । ସେ ବି ଆମ ଘରର ଜଣେ ସଦସ୍ୟ ହୋଇଯାଇଥିଲା । ଘରର କେଉଁ ଜିନିଷ କେଉଁଠି ଅଛି ଭଲ ଭାବରେ ଜଣିଥିଲା । କୌଣସି ଜରୁୁରୀ ଜିନିଷ ନମିଳିବାବେଳେ ସୁନୀତାକୁ ପଚରା ଯାଉଥିଲା । ବିନା ପାରିଶ୍ରମିକରେ ଘର ସଫା କରୁଥିଲା, ବାସନ ମାଜୁଥିଲା, ରୋଷେଇ କରୁଥିଲା, ସମସ୍ତଙ୍କୁ ସାଧ୍ୟମତେ ସେବା ଯୋଗାଉଥିଲା । କିନ୍ତୁ ପ୍ରତିବଦଳରେ କିଛି ବି ଗ୍ରହଣ କରୁନଥିଲା । କେବଳ ମୁଁ ଯାହା ଦେଲେ ଖୁସି ମନରେ ଗ୍ରହଣ କରୁଥିଲା ।

ମନେ ଅଛି ଦଶମ ଶ୍ରେଣୀରେ ପଢ଼ିବାବେଳେ ମୁଁ ପ୍ରଥମ ଥର ପାଇଁ ଛୁଇଁଥିଲି ତାକୁ । ଖଳାରେ ସୁନୀତା ଶୁଖୁଥିବା ଧାନ ଏକାଠି କରି ବସ୍ତାରେ ଭର୍ତ୍ତି କରୁଥିବାବେଳେ ସାହସ କରି ତା’ ନିକଟକୁ ଯାଇଥିଲି । ବୁଡ଼ି ଯାଉଥିବା ସୂର୍ଯ୍ୟଙ୍କ ଶେଷ କିରଣ ପଡୁଥିଲା ତା’ ଉପରେ । ତା’ ଗୋରା ଦେହ ଚିକ୍‌ଚିକ୍‌ କରୁଥିଲା । ଗୋଟାପଣେ ଥରୁଥିଲି ମୁଁ । ସେଇ ମୁହୂର୍ତ୍ତରେ ଛାତିତଳର ଉତ୍ପୀଡନ ମତେ ତା’ ନିକଟକୁ ଟାଣି ନେଇଥିଲା । ତା’ ଅନୁଢ଼ା ହାତ ଦୁଇଟିକୁ ଛୁଇଁ ନପାରିଲେ ଯେମିତି ମୋ ଜୀବନ ନଷ୍ଟ ହୋଇଯିବ ସବୁଦିନ ପାଇଁ, ମତେ ସେମିତି ଲାଗିଥିଲା ସେଇ ମୁହୂର୍ତ୍ତରେ । ଧିରେ ଧିରେ ତା’ ପାଖରେ ଯାଇ ବସିଥିଲି । ଚୁପ୍‌କିନି ଛୁଇଁଥିଲି ତା’ ବାହୁକୁ । ହଠାତ୍‌ ଚମକି ପଡ଼ି ଠିଆ ହୋଇପଡ଼ିଥିଲା ସୁନୀତା, ମୁଁ ବି । କାମ ଛାଡ଼ି ଘରକୁ ଦୌଡ଼ି ପଳାଇ ଥିଲା । ଭୟରେ ଅନେକ ବିଳମ୍ବରେ ଫେରିଥିଲି ଘରକୁ । ସବୁ ସ୍ବଭାବିକ ଥିଲା । ସୁନୀତା ତାଙ୍କ ଘରକୁ ଫେରିଯାଇଥିଲା ।

ତା’ ପରଠୁ ମତେ ଦେଖିଲେ ସୁନୀତା ମୁର୍କି ହସୁଥିଲା, ତା’ ଆଖି ଦୁଇଟି ହସୁଥିଲା । ଏକୁଟିଆ ସମୟରେ କିଛି ନା କିଛି କଥା ହେଉଥିଲା। କଲେଜରେ ପଢ଼ିବାବେଳେ ଆଉଥରେ ଛୁଇଁଥିଲି ତାକୁ । ସୁନୀତା ପକ୍ଷରୁ କିଛି ବିରୋଧ ନଥିଲା, ଓଲଟି ମୋ ମନ କଥା ଜାଣିପାରିବା ପରି କାନ୍ଥରେ ଆଉଜି ଠିଆ ହୋଇଥିବା ବେଳେ ଛାତିରେ ଛାତି ଛୁଆଁଇ କହିଥିଲା ‘ମୁଁ ରାଜି’; ତ’ ଅନାୟସରେ ମୋ ଓଠ ଛୁଇଁଥିଲା ତା’ ଓଠକୁ । ଓଃ... କଡ୍ଡା ପାନ ଗନ୍ଧରେ ମୋ ନାକ ରୁଦ୍ଧି ହୋଇଯାଇଥିଲା । ତା’ ହଳଦୀ ମଖା ମୁହଁ ମତେ ଆଗକୁ ଯିବାକୁ ସିନା ଟାଣି ନେଇ ଥିଲା ତା’ ତେଲ ମଖା କେଶରାଶି ମତେ ଫେରିବାକୁ ଏକପ୍ରକାର ବାଧ୍ୟ କରିଥିଲା । ତା’ ପରଠାରୁ ସେ କେବେ ପାନ ଖାଇଥିବା ମୁଁ ଦେଖିନି । ମୁଣ୍ଡରେ ତେଲ ବଦଳରେ ଲଗାଉଥିଲା ସାମ୍ପୁ । ମତେ ଖୁସି କରିବା ପାଇଁ ସଜ ହେଇ ଆସୁଥିଲା ଆମ ଘରକୁ । ଏକୁଟିଆ ଥିବାବେଳେ ମୋ ଦେହକୁ ଲାଗି ଠିଆ ହେଉଥିଲା । କେବେକେବେ ରୁମାଲରେ ମୋ ନାଁ ଲେଖି ଉପହାର ଦେଉଥିଲା । ପ୍ରତି ସୋମବାର ମନ୍ଦିର ପ୍ରସାଦ ଲୁଚେଇ ଦେଉଥିଲା । ପ୍ରସାଦ ପାଇବା ପରେ ହାତକୁ ମୁଣ୍ଡରେ ଲଗାଇବାକୁ ଏକପ୍ରକାର ବାଧ୍ୟ କରୁଥିଲା । ମୋ ପାଇଁ ମନ୍ଦିରରେ ଦୀପ ଜାଳୁଥିଲା ।

ତା’ ଓଠର ମହୁ ପିଇବାକୁ ତୃଷାର୍ତ୍ତ ହୋଇ ପଡ଼ିଲି ଦିନକୁ ଦିନ । ତାକୁ ନଦେଖିଲେ ମତେ ପାଗଳ ପ୍ରାୟ ଲାଗୁଥିଲା । ପ୍ରଥମେ ପ୍ରଥମେ ତ’ ସୁନୀତା ଉପରେ ମୋର ସନ୍ଦେହ ହୋଇଥିଲା । ୟେ ଝିଅ ମତେ ବାହା ହେବାକୁ ଫିକର କରୁନି ତ ? ମୋ ସହ ଥିବା ସମ୍ପର୍କକୁ କେବେ ଆମ ଘର ଲୋକଙ୍କ ଆଗରେ କହି ମୋ ସଫେଦ ଚରିତ୍ରରେ କାଳି ଦାଗଟିଏ ଲଗାଇ ଦେବନି ତ ? ମୁଁ ଡରୁଥାଏ, ସେ ହସୁଥାଏ । ମୁଁ ଥରୁଥାଏ, ସେ ହସି ହସି ଗଡ଼ି ଯାଉଥାଏ । ମୁଁ ତାକୁ ଛୁଇଁବାକୁ ଚାହିଁ ବି ଛୁଇଁ ପାରୁନଥାଏ । ସେ ମତେ ନଛୁଇଁବି ଗୋଟାପଣେ ନିଜର କରିନେବାକୁ ହାତ ବଢ଼ାଉଥାଏ । ଏମିତି ଦିନେ ମୁଁ ପଚାରିଦେଲି - ଆମ ସମ୍ପର୍କ ବିଷୟରେ ତୁ କାହାକୁ କହିଛୁ କି ?

-ନାଁ….ଯେଉଁମାନେ ଜାଣିବା କଥା ଜାଣିଛନ୍ତି, କହିବା କଣ ଦରକାର ? ସିଧା ସିଧା ମୋ ପ୍ରଶ୍ନର ଉତ୍ତର ବଦଳରେ ପ୍ରତିପ୍ରଶ୍ନଟିଏ ଅଜାଡ଼ି ଦେଇଥିଲା ମୋ ଉପରେ । ଯେଉଁ ପ୍ରଶ୍ନ ଭାରରେ ମୁଁ ନଇଁ ପଡ଼ିଲି ଯେ ମୋ ମୁହଁ ଉପରେ ଘେରିଗଲା କଳା ବାଦଲର ଛାଇଟିଏ।

- କିଏ କିଏ ଜାଣିଛନ୍ତି ? ମୋ ସ୍ବରରେ ମିଶିଥିଲା ଭୟ ଓ ଆଶଙ୍କା ।

ଏଥର ମତେ ଆଶ୍ଚର୍ଯ୍ୟ ଚକିତ କରି ମୋ ଆଗରେ ହସି ହସି ଗଡିଗଲା ସୁନୀତା । ‘‘ଆରେ ଡରୁଆ, ତୁ କାହାକୁ ଏତେ ଡରୁଛୁ । ତୁ କଣ ଭାବୁଛୁ କେହି ଜାଣନ୍ତିନି । ଯେଉଁମାନଙ୍କର ଆମ କଥା ଜାଣିବାର ହକ୍ ଅଛି, ସେମାନେ ନଜାଣିବେ କେମିତି ?’’ ସୁନୀତା ମୁହଁରୁ ଏମିତି କଥା ଶୁଣି ଇଡି ଯାଇଥିବା କାଳି ପରି ଭିତରେ ଭିତରେ ମୁଁ ବିକ୍ଷିପ୍ତ ହୋଇପଡିଲି । ‘‘ସମସ୍ତେ ଜାଣିଛନ୍ତି ବାପା, ମାଆ, ତୁଳସୀ, ମୋ ବା …..ସେମାନେ ତ ଆମର ଶତ୍ରୁ ନୁହଁନ୍ତି, ଜାଣିଲେ କ୍ଷତି କଣ ?’’ ଏଥର ଘୁଣଖିଆ ମଝିଖୁଣ୍ଟ ପରି ଭାଙ୍ଗିପଡ଼ିଲି । ମୋ ଭିତରର ଦମ୍ଭ ଉଜୁଡି ଯାଇଥିଲା, ଅଜାଣତରେ ମୋ ଚରିତ୍ର ଉପରେ କଳଙ୍କର କାଳିମାକୁ ପ୍ରତ୍ୟକ୍ଷ କରିବା ପରେ ।

ମନୋଇ ଝିଅ ସୁନୀତା କେବଳ ସୁନ୍ଦରୀ ନଥିଲା, ଥିଲା ଚତୁରୀ । ମତେ ସବୁଥର ଉପଯୁକ୍ତ ନିରାପତ୍ତା ଯୋଗାଇବା ସହ ସେ ନିଜେ ସୁରକ୍ଷା କବଚ୍ଚ ହୋଇ ମୋ ଚାରି ପଟେ ବେଢ଼ି ରହିଥିଲା । ତା’କୁ ଅନେକ ସମୟରେ ମୁଁ ବୁଝିପାରୁନଥିଲି । କେବଳ ପଞ୍ଚମ ଶ୍ରେଣୀ ଯାଏ ପାଠ ପଢ଼ିଥିବା ସୁନୀତା ଏତେ କଥା କିପରି ଜାଣେ ମୁଁ ବୁଝି ପାରେନି । ମତେ ଆଶ୍ଚର୍ଯ୍ୟ କରି ସୁନୀତା ବେଳେ ବେଳେ ଇଂରାଜିରେ ମୋ ସହ କଥା କହେ । କେବଳ ଟିଭି ଦେଖି ସୁନୀତା ଅନେକ କଥା ଜାଣିଯାଇଛି । ବେଳେବେଳେ ତ’ ତାକୁ ମତେ ଖୁବ ଡର ଲାଗେ । ତା’ ଆଖି ଦୁଇଟି ରଡ ନିଆଁ ପରି ଲାଲ ଲାଲ ଦେଖାଯାଉଥାଏ । କଲେଜରେ ପଢ଼ିବାବେଳେ ମୁଁ ଅନ୍ୟ କେଉଁ ଝିଅ ସାଙ୍ଗ ସହ କଥା ହେଲେ ସେ ଲୁଚି ଲୁଚି କାନ୍ଦେ । ଦେଖି ବି ନଦେଖିବା ପରି ହୁଏ । କିନ୍ତୁ ମତେ କେବେ ମୁହଁ ଖୋଲି କିଛି କହେନାହିଁ । ମୁଁ ଜାଣିପାରେ ତା’ ରାଗିବାର କାରଣ । କିନ୍ତୁ ମୋର କିଛି ଚାରା ନଥାଏ । ସୁନୀତା ସହି ପାରେନି କିମ୍ବା ମୋ ଉପରେ ଅଧିକାର ଜାହିର କରିପାରେନି, ଅଧିକାର ଜାହିର କରିବାକୁ ସାହସ ଜୁଟାଇ ପାରେନାହିଁ ।

ପ୍ରେମରେ ପଡ଼ିଲେ ଝିଅ ମାନେ କେବଳ ସାହସୀ ନୁହେଁ ଦୁଃସାହସୀ ହୋଇଯାଆନ୍ତି, ଯିଏ ଏକଥା କହିଥିଲେ ଠିକ୍ ହିଁ କହିଥିଲେ। ପ୍ରେମରେ ପଡ଼ିବା ପରେ କେବଳ ଜଣଙ୍କ ପାଇଁ ସାରା ଦୁନିଆକୁ ପର କରିଦେବାକୁ ପଛଘୁଞ୍ଚା ଦିଅନ୍ତିନି । ଏହାର ପ୍ରମାଣ ହଜାର ଥର ମୁଁ ପାଇଛି । ମୋ ସାଥେ କଥା ହେଉଥିବ, ହଠାତ୍‌ ସେହି ସମୟରେ କେହି ଆସିଗଲେ ମିଛକୁ ସରଗରୁ ଛିଣ୍ଡାଇ ଅଗଣାରେ ବୁଣିଦେବ । କେମିତି ତା’ ମୁଣ୍ଡକୁ ଅକସ୍ମାତ ଏତେ ବୁଦ୍ଧି ଆସେ କେଜାଣି ! ଏମିତି କଥା କହିବ ଯେ ଶୁଣୁଥିବା ଲୋକ ଟିକେ ବି ସନ୍ଦେହ କରିପାରିବନି । ବିଭିନ୍ନ କାମର ବାହାନା କରି ମୋ ରୁମକୁ ଆସିବ, କଥାହେବ କିନ୍ତୁ ଫେରିଯିବାବେଳେ ପୁଣି ଥରେ ଆସିବା ପାଇଁ ନୂଆ ଫିକରଟେ ତିଆରି କରିଯିବ । ଯେମିତିକି ଜାଣିଜାଣି ଘର କୋଣରେ ଧୂଳି ଠୁଳ କରିବ, ଅନାବଶ୍ୟକ କାଗଜ ଚିରି ଟେବୁଲ ଉପରେ ପକାଇବ, ମୋ ସାର୍ଟ ପ୍ୟାଣ୍ଟରେ କାଳି ଲଗାଇବ ଇତ୍ୟାଦି ଇତ୍ୟାଦି । ପୁଣି ଏକଥା ବି କହିଥିବ ମୁଁ ତୁମ ରୁମରେ ଥିବାବେଳେ ବଡ଼ ପାଟିରେ କଥା ହେବ । ଥରେ ରାତିରେ ପ୍ରବଳ ବର୍ଷା କାଚୁଥିଲା । କାମ ସରିଥିଲେ ବି ଘରକୁ ଫେରିପାରିନଥିଲା ସୁନୀତା । ମୋ ରୁମ ଥିଲା ପୂରା ଅନ୍ଧାର । ଏମିତି ସମୟରେ ମତେ ଅନ୍ଧାର ହିଁ ଭଲଲାଗେ । ମୁଁ ଶୋଇଥିଲି ଚିତ୍‌ ହୋଇ, ଆଖି ଉପରେ ଡାହାଣ ହାତ ପକେଇ । ହଠାତ୍‌ ସୁନୀତା ଆସିଲା । ଅନ୍ଧାରରେ ମୋ ଉପସ୍ଥିତିକୁ କଳି ନେଇ ମୋ ଦେହ ଉପରେ ଲୋଟି ପଡ଼ିଲା । ମୁଁ ପାଟି କରିବା ପୂର୍ବରୁ ମୋ ମୁହଁରେ ହାତ ଦେଇ କହିଲା- ‘ଚୁପ୍‌’ । ମୁଁ କେବେ ଭାବିନଥିଲି ଅନ୍ଧାରରେ ଘର ଲୋକଙ୍କ ନଜର ଆଡେଇ ସୁନୀତା ମୋ ରୁମ୍‌ରେ ପହଞ୍ଚିଯିବ ବୋଲି । ତା’ ଦେହ ସ୍ପର୍ଶରୁ ଜାଣି ପାରିଥିଲି ସେ ଏବେ ଏକ ବସ୍ତ୍ର ପରିହିତା । ତା’ ଗ୍ରୀବାଠୁ ପାଦ ପର୍ଯ୍ୟନ୍ତ ଘୋଡେଇ ରଖୁଥିବା ବସ୍ତ୍ରଟିକୁ ଯଦି ଏବେ ଖୋଲିଦିଆଯାଏ, ସେ ସମ୍ପୁର୍ଣ୍ଣ ବିବସ୍ତ୍ର ହିଁ ହୋଇଯିବ । ହଠାତ୍‌ ମୋ ଦେହର ତାପମାତ୍ରା ଦ୍ରୁତ ଗତିରେ ବଢ଼ିବାକୁ ଲାଗିଲା । କଣ କରିବି ଭାବିବାକୁ ମତେ ସୁଯୋଗ ନଦେଇ ମୋ ସାରା ଦେହକୁ ଚୁମିବାକୁ ଲାଗିଲା ସୁନୀତା । ସେଦିନ ସୁନୀତା ସୁନୀତା ହୋଇ ରହି ନଥିଲା । ତା’ ଭିତରେ ଯେମିତି ସବାର ହୋଇଥିଲା ଅୟୁତ ଯୁଗର ତୃଷିତା କାମିନୀ ।

ପ୍ରେମରେ ପଡ଼ିଲେ ମଣିଷର ତୃତୀୟ ଚକ୍ଷୁ ଖୋଲିଯାଏ । ଆଜିଯାଏ ଦେଖିନଥିବା ପୃଥିବୀର ରଂଗୀନ ରୂପ ଆଖିରେ ପଡ଼େ । ପ୍ରେମ ମଣିଷ ଭିତରର ଅନ୍ଧାରକୁ ଦୂରେଇ ଦିଏ । କେବଳ ସେ ପ୍ରେମ ଅସଲ ପ୍ରେମ ହୋଇଥିବା ଆବଶ୍ୟକ ।’’ ମତେ ଏମିତି ବୁଝାଉଥିଲେ କ୍ଷେତ୍ରା ଦାଦି । ନଈକୂଳକୁ କେବେ କେମିତି ସାଙ୍ଗମେଳରେ ଯିବାବେଳେ କ୍ଷେତ୍ରା ଦାଦି ପିଲାଙ୍କ ସହ ପିଲା ପରି ମିଶନ୍ତି, ବୁଢ଼ାଙ୍କ ସହ ବୁଢ଼ା ପରି ଗପନ୍ତି। ସେତେବେଳେ ତାଙ୍କୁ କେବଳ ପ୍ରସଙ୍ଗଟିଏ ଲୋଡ଼ା । ଯେକୌଣସି ବିଷୟରେ ଅନର୍ଗଳ ଗପି ପାରନ୍ତି କ୍ଷେତ୍ରା ଦାଦି । ଛୋଟ ପିଲାଙ୍କଠାରି ଆରମ୍ଭ କରି ବଡ଼ ଯାଏ ସମସ୍ତଙ୍କ ସହ ଥଟ୍ଟା ମଜା କରନ୍ତି ।

ପ୍ରକୃତ ପ୍ରେମ ସୁନୀତାଠୁ ଜାଣିଲି । ଯାହା କିଛି ହାସଲ କରିବାକୁ ଚାହେଁନାହିଁ, ସବୁ କିଛି ତ୍ୟାଗ କରିବାକୁ ଚାହେଁ । ସୁନୀତା ସହ ସମ୍ପର୍କ ଆରମ୍ଭ ହେବା ପରଠୁ ଯେଉଁ ଭୟ ମତେ ସବୁବେଳେ ପଛକୁ ଟାଣୁଥିଲା, କଣ୍ଠରୋଧ କରୁଥିଲା ତାହା ଥିଲା ସମ୍ପର୍ଣ୍ଣ ଅମୂଳକ । ସୁନୀତା ମତେ ହାସଲ କରିବାକୁ ଚାହୁଁନଥିଲା ବରଂ ପ୍ରେମରେ ସବୁକିଛି ତ୍ୟାଗ କରିଦେଇ ମୋ ହୃଦୟରେ ରାଣୀ ହୋଇ ରହିବାକୁ ଚାହୁଁଥିଲା । ମୋର ସାମାନ୍ୟ ଅବଜ୍ଞା ତାକୁ ଗଭୀର ଆଘାତ ଦେଉଥିଲା । ଆମ ସମ୍ପର୍କକୁ ପଦାରେ ପକାଇ ସେ ମତେ କଳଙ୍କିତ କରିବାକୁ କେବେ ବି ଚାହୁଁନଥିଲା । ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ସେ ମୋ ପାଇଁ ଲୁହ ପିଉଥିଲା, ମୋ କଷ୍ଟକୁ ନିଜ କଷ୍ଟ ଭାବୁଥିଲା । ଦିନେ ଆମ ପରିବାରର ସମସ୍ତଙ୍କୁ ଚକିତ କରିଦେଇ ସୁନୀତା ହସି ହସି ବଡ଼ ପାଟିରେ ଘୋଷଣା କରିଥିଲା ତା’ ବାହାଘର ଖବର । ସେ ଖବର ଶୁଣିବା ପରେ ମୋ ପିଞ୍ଜରା ହାଡ଼ ଭାଙ୍ଗିବା ପରି କଷ୍ଟ ହୋଇଥିଲେ ବି ପଚାରିଥିଲି- ଯୌତୁକ କଣ ନେଉଛୁ?

ଘରକୁ ଯିବୁ, ଦେଖେଇ ଦେବି । ହସିହସି ଉତ୍ତର ଦେଇଥିଲା ସୁନୀତା

ମୋ ମୁଣ୍ଡରୁ ବିପଦ ଟଳିଯାଇଥିଲା । କିନ୍ତୁ ମତେ ଏତେ ଯନ୍ତ୍ରଣା ହେବ ଏକଥା ମୁଁ କେବେ ଭାବି ପାରିନଥିଲି । ପ୍ରକୃତରେ ଏହିପରି ଏକ ଖବର ଶୁଣିବା ପାଇଁ ମୁଁ କେବଳ ଅପେକ୍ଷା ହିଁ କରିଥିଲି । ସେଦିନ ସଂଧ୍ୟାରେ ସୁନୀତା ଘରକୁ ଯିବା ପରେ, ଯାହା ଦେଖିଲି, ମୋ ଯନ୍ତ୍ରଣା ଶତଗୁଣ ବଢ଼ିଗଲା । ଛୋଟ ଦିନରୁ ଆଜି ଯାଏ ତାକୁ ଦେଇଥିବା ସବୁ ଜିନିଷକୁ ଉପହାର ପରି ସଯତ୍ନରେ ସାଇତି ରଖିଥିଲା । ମତେ ଚା’ ପିଇବାକୁ ଦେଇସାରି କାଠ ସିନ୍ଦୁକରୁ ଖୋଲିଥିଲା ଗୁପ୍ତ ସମ୍ପତ୍ତି । ‘‘ପଚାରୁଥିଲୁ ନାଁ ଯୌତୁକ କଣ ନେବି ବୋଲି, ଏଇ ଦେଖ ମୋ ଯୌତୁକ, ଭାର । ଆଶ୍ଚର୍ଯ୍ୟ ହୋଇଥିଲି ଏସବୁ ଜିନିଷ ଦେଖି । ପିଲାଦିନର ଭଙ୍ଗା ସ୍ଲେଟ, ପେନ, ପେନସିଲ, ପାଉଁଜି, ରୁମାଲ, ଘଣ୍ଟା, ଡ୍ରେସ, ଶାଢ଼ୀ, ପ୍ଲେଟ, କାନଫୁଲ, ପାଉଡର ଆଦି ଦେଖି ମୁଁ ହସିବି କି କାନ୍ଦିବି ଭାବୁଭାବୁ ସୁନୀତା କାନ୍ଦିଥିଲା କଇଁ କଇଁ ହୋଇ । ତା’ ଆଖିର ଲୁହ ଧାର ସିକ୍ତ କରିଥିଲା ମୋ ଆଖିକୁ ।

‘‘ଏଇସବୁ ତୋ ପାଇଁ ମୂଲ୍ୟହୀନ ହୋଇପାରେ କିନ୍ତୁ ମୋ ପାଇଁ…. ଏଇ ବେକାର ଚିଜର ଗଣ୍ଠିଲି ମୋ ପାଖରେ ଥିଲେ, ଲାଗେ ତୁ ମୋ ପାଖରେ ଅଛୁ । ସତ କହୁଛି ମୁଁ ତତେ ଅନୁଭବ କରେ ଏଇ ନିର୍ଜୀବ ସତ୍ତାରେ। ମୁଁ ଯେବେ ମରିବି, ଏସବୁ ମୋ ସାଙ୍ଗରେ ନେଇ ଯିବି ।’’ ତା’ ପାଟିରେ ହାତ ଦେଇଥିଲି ସେଦିନ । ସୁନୀତା ପ୍ରତି ଥିବା ମୋର ପୂର୍ବ ଧାରଣା ବଦଳିଯାଇଥିଲା । ଏବେ ସେ ମୋ ଆଖିରେ ଦେବୀଟିଏ, ତ୍ୟାଗର ପ୍ରତୀମାଟିଏ ବନି ଯାଇଥିଲା । ଚାହୁଁଥିଲି ତା’ ପାଦ ଛୁଇଁ କ୍ଷମା ମାଗିନେବାକୁ କିନ୍ତୁ ସେ ଧରାଛୁଆଁ ଦେଇନଥିଲା ।

କେହି ଜାଣିଲେନି, ଭିତରେ ଭିତରେ ମୋ ମନ ପୋଡ଼ିଯିବାର ଖବର । ନିଆଁ ଧାସରେ ବେଶ୍‌ କେଇଦିନ ସନ୍ତୁଳି ହେଲି । ଦିନ ପରେ ଦିନ ବିତିଲା । ସୁନୀତା ବାହା ହୋଇ ଶାଶୁଘରକୁ ଚାଲିଗଲା । ଆମ ଘର ଖାଁ ଖାଁ ଲାଗିଲା । ଶୁଣିବାକୁ ନଚାହିଁଲେ ବି ପ୍ରତିଦିନ ଆମ ଘରେ କେହି ନା କେହି ମନେ ପକେଇ ଦେଉଥିଲେ- ସୁନୀତା ଥିଲେ ଏମିତି ହୋଇନଥାନ୍ତା....ସୁନୀତା ବାହା ହୋଇ ଗଲାନିଯେ ଆମ ଘରର ଆଲୁଅ ଲିଭିଗଲା…

କେହି ଖବର ଦେଇନଥିଲେ ସୁନୀତାକୁ । ତଥାପି ସେ ଆସିଥିଲା । ତୁଳସୀର ବାହାଘର ପ୍ରସ୍ତୁତିରେ ମୁଁ ଏତେ ବ୍ୟସ୍ତ ଥିଲି ଯେ ସେ ଘରକୁ ଆସିଛି ବୋଲି ଜାଣିପାରିନଥିଲି । ବିଳମ୍ବିତ ରାତିରେ ଘରେ ପହଞ୍ଚିବା ପରେ ଶୁଣିବାକୁ ପାଇଥିଲି ତା’ ମିଠା ସ୍ବର । ଖଣ୍ଡିକାଶ ମାଧ୍ୟମରେ ସୁନୀତା ତା’ ଉପସ୍ଥିତିର ପ୍ରମାଣ ଦେଉଥିଲା । ପୂର୍ବ ଅଭିଜ୍ଞତାରୁ ଏକଥା ଠଉରାଇ ନେଇଥିଲି । ସେ ବୋଧହୁଏ ଜାଣିପାରିଥିଲା ରୋଷେଇ ଘରର ଏରୁଣ୍ଡି ଛୁଇଁବାକୁ ସାରା ରାତି ଦୁଇଟି ପାଦର ବ୍ୟଗ୍ରତା ।

ପୁଣି ଥରେ ଫେରିବାର ପ୍ରତିଶ୍ରୁତି ଦେଇ ଆକାଶର ଅଗଣାରେ ଠିକଣା ହଜେଇ ଦେଉଥିଲା ଜହ୍ନ । ଲଜ୍ଜାନତ ଦୁଇଟି ଚକ୍ଷୁରେ ତଥାପି ଭରିରହିଥିଲା ପ୍ରତୀକ୍ଷାର ମ୍ରିୟମାଣତା । ପ୍ରତ୍ୟୁଷର ଶୀତଳତାରେ ସାଙ୍କୁଡ଼ି ଯାଇଥିବା ପାଦ ଘୋଷାଡ଼ି ହେଉଥିଲା ରୋଷେଇଘର ଆଡ଼କୁ । ଦେବୀ ଜଣେ ଦୂଆରବନ୍ଧକୁ ଆଉଜି ଠିଆ ହୋଇଥିଲେ ତଥାସ୍ତୁ ମୁଦ୍ରାରେ ।

------.......-----

‘ନିଶିପ୍ରଦୀପ’, କଏଳପାଳ, ବାତୋ, କେନ୍ଦୁଝର-୪୩

Mobile- 09438080583

Email: litp.ranjan@gmail.com

ତଥାସ୍ତୁ ବ୍ୟସ୍ତତା ଖରାପ

Rate the content


Originality
Flow
Language
Cover design

Comments

Post

Some text some message..