Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଗ୍ନିସ୍ନାତା
ଅଗ୍ନିସ୍ନାତା
★★★★★

© sushama Parija

Inspirational Others

9 Minutes   132    2


Content Ranking

ରାଜସ୍ଥାନର ଜୟପୁର ସହର। ଗୋଟିଏ ସୁନ୍ଦର ମଞ୍ଚରେ ଚାଲିଥିଲା ସ୍ଥାନୀୟ ଏକ ମହିଳା ଅନୁଷ୍ଠାନର ନାରୀ ସଶକ୍ତିକରଣ ଉତ୍ସବ । ବହୁ ଜନ ସମାଗମ ମଧ୍ୟରେ ଚାଲିଥାଏ ଉତ୍ସବ ଟି । ଗୋଟିଏ ସମବେତ ସଙ୍ଗୀତ ପ୍ରଥମ ପର୍ଯ୍ୟାୟରେ ସରିବା ପରେ ପରଦା ପଡିଲା । ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନଙ୍କ ପାଇଁ ..ବୋଲି ଘୋଷଣା କଲେ ସଞ୍ଚାଳକ ।ଧିମା ଧିମା ଆଲୋକ ଭିତରେ ଗୁଞ୍ଜରି ଉଠିଲା ଗୋଟିଏ କୋମଳ ମଧୁର ସ୍ୱର ରୁ ପୁରୁଣା ସିନେମା ର ଦରଦୀ ସଙ୍ଗୀତ ଟିଏ “ ନାମ୍ ଗୁମ୍ ଯାଏଗା, ଚେହେରା ୟେ ବଦଲ୍ ଯାଏଗା, ମେରି ଆୱାଜ୍ ହି ପେହେଚାନ୍ ହୈ...”। କଣ୍ଠସ୍ବର ରେ ଭରି ରହିଥିବା ବିଷାଦ ଛୁଇଁ ଯାଉଥିଲା ଶ୍ରୋତା ମାନଙ୍କ ହୃଦୟକୁ, ସମସ୍ତଙ୍କ ଆଖି କୋଣରେ ଜକେଇ ଆସୁଥିଲା ଲୁହ । ସେଇ ଧୀମା ଧୀମା ଆଲୋକ ଭେଦକରି ହାତରେ ମାଇକ୍ରୋଫୋନ୍ ଧରି ମଞ୍ଚ ଉପରେ ଉଭା ହେଲେ ଜଣେ ତରୁଣୀ , ବୟସ ଖୁବ୍ ବେଶୀ ରେ ତିରିଶି ବର୍ଷ ଭିତରେ, ମୁହଁର ଅଧା ଭାଗ ଘୋଡେଇ ହୋଇ ରହିଛି ଆଗକୁ ଝୁଙ୍କି ପଡିଥିବା ଲମ୍ବା କେଶ ରେ , ଓଠରେ ଲାଖି ରହିଛି ଏକ କାରୁଣ୍ୟଭରା ହସ। ଚତୁର୍ଦ୍ଦିଗ ଆଲୋକିତ କରି ଜଳି ଉଠିଲା ଏଲ୍ ଇଡି ଲାଇଟ୍ ସବୁ। ମଞ୍ଚ ଉପରେ ଥିବା ତରୁଣୀ ଜଣକ କହି ଉଠିଲେ “ ନମସ୍କାର ଦର୍ଶକ ବନ୍ଧୁଗଣ ! ମୁଁ ଲକ୍ଷ୍ମୀ ଅଗର୍ୱାଲ୍ , ଆଜି ଆପଣମାନଙ୍କର ସମ୍ମୁଖରେ ଏଇଠି ଉପସ୍ଥିତ ହୋଇଛି ଆପଣମାନଙ୍କୁ ମୋର ଅଙ୍ଗେ ନିଭେଇଥିବା ଏକ ଦୁଃଖଦାୟକ ଘଟଣା ଶୁଣାଇବା ଲାଗି...।

ଆମ ଘର ଦିଲ୍ଲୀ ର ଏକ ସହରତଳି ଅଞ୍ଚଳ ରେ। ନିମ୍ନ ମଧ୍ୟବିତ୍ତ ପରିବାର ଆମର । ବାପାଙ୍କ ରୋଜଗାର ଉପରେ ନିର୍ଭର କରି ଆମାରରେ ସଂସାର ଚଳେ । ମୋର ଭାଇ ଭଉଣୀ ଆଉ ମୁଁ ସରକାରୀ ସ୍କୁଲରେ ପଢୁ । ମୁଁ ନବମ ଶ୍ରେଣୀରେ ପଢୁଥିବା ବେଳେ କଥା । ମୋର ସ୍କୁଲ୍ ର ଗୋଟିଏ ସାଙ୍ଗ ଥିଲା ମଧୁମତୀ, ମୋର ସବୁଠାରୁ ଭଲ ସାଙ୍ଗ ସିଏ । ଅନେକ ସମୟରେ ସେ ଆମ ଘରକୁ ଆସେ, ମୁଁ ମଧ୍ୟ ଅନେକ ସମୟରେ ତାଙ୍କ ଘରକୁ ଯିବା ଆସିବା କରେ । ସାଙ୍ଗ ହୋଇ ପଢାପଢି କରୁ, ବଜାରଘାଟ ଯାଉ, ଏମିତି ପାରିବାରିକ ସଂପର୍କ ଥିଲା ଆମ ଭିତରେ । ମଧୁମତୀ ର ଦୁଇ ଭାଇ , ସୁରେଶ ଆଉ ନରେଶ , ସେମାନଙ୍କୁ ମୁଁ ଭାଇ ବୋଲି ମାନେ । ସେମାନଙ୍କ ସାଥିରେ ପରିବାର ଭଳି ଚଳେ। କିନ୍ତୁ ମଧୁମତୀ ର ବଡଭାଇ ସୁରେଶ , ଯିଏ କି ମୋ ବୟସ ର ଦୁଇଗୁଣରୁ ବି ବଡ ହେବ , ସିଏ ମତେ ତା’ର ମନେ ମନେ ଭଲ ପାଉଥାଏ । ପନ୍ଦର ବର୍ଷ ର ଝିଅ ମୁଁ, ସେ ଭଲ ପାଇବା ବିଷୟରେ କିଛି ବି ଜଣା ନଥାଏ ମତେ । ସିଏ ମଝିରେ ମଝିରେ ଚକୋଲେଟ୍, ବିସ୍କୁଟ ଆଣି ଆମକୁ ଦିଏ, କେବେ କେମିତି ଆଇସ୍ କ୍ରୀମ ଖୁଆଇବା ପାଇଁ ଆମକୁ ମାର୍କେଟ ନିଏ, ଭାଇ ର ସ୍ନେହ ଭାବି ମୁଁ ସବୁ ଗ୍ରହଣ କରେ। ଏମିତି କିଛିଦିନ ଗଲା ପରେ ଦିନେ ସୁରେଶ ଭାଇ ମତେ ଏକୁଟିଆ ପାଇ ଏମିତି କିଛି ବ୍ୟବହାର କଲେ ଯାହା ମତେ ମୋଟେ ଭଲ ଲାଗିଲା ନାହିଁ, ଲାଜ ଆଉ ଦୁଃଖ ରେ ମୁଁ ସେଠାରୁ ପଳାଇ ଆସିଲି । ତା’ପରେ ତାଙ୍କ ଘରକୁ ଯିବା କମେଇ ଦେଲି, ମଧୁମତୀ କାରଣ ପଚାରିବାରୁ ମୁଁ ତା’କୁ ବାଆଁରେଇ ଦେଲି, କାରଣ କାଳେ ସତକଥା ଜାଣିଲେ ମଧୁ ମୋତେ ଖରାପ ଭାବିବ । ଆମ ଘରେ ବି ସତ କଥା କାହାରିକୁ କହି ପାରୁ ନଥାଏ କାରଣ ବାପା ଜାଣିଲେ ପାଠ ପଢା ବନ୍ଦ କରି ଘରେ ବସେଇଦେବେ ।

ସେତେବେଳେ ଆମ ସମାଜରେ ଝିଅ ଗୋଟିଏ ବୋଝ ବୋଲି ବିବେଚନା କରା ଯାଉଥିଲା, ଝିଅଟିଏ ଜନ୍ମ ହେବା କ୍ଷଣି ପରିବାରର ଲୋକେ ତା’ର ଶିକ୍ଷା ଦୀକ୍ଷା, କି ଭବିଷ୍ୟତ ଭାବିବା ଆଗରୁ ତା’ର ଯୌତୁକ କଥା ଚିନ୍ତା କରିବା ଆରମ୍ଭ କରିଦେଉଥିଲେ । ମୋର ଗୀତ ଶିଖିବାରେ ଖୁବ୍ ଆଗ୍ରହ, କୌଣସି ଭଲ ଗୁରୁ ଙ୍କ ପାଖରୂ ଗୀତ ଶିଖିବାକୁ ରିଆଲିଟି ସୋ ରେ ଗାଇବାକୁ ଖୁବ୍ ଇଚ୍ଛା ଥାଏ ମୋର। ସେଇକଥା ଭାବି ଥରେ ମାଆଙ୍କୁ କହିଥିଲି ସ୍ଥାନୀୟ କଳାକେନ୍ଦ୍ର ଯାଇ ଗୀତ ଶିଖିବି ବୋଲି ଯେ ମାଆ ସିଧା ସଳଖ ମନା କରିଦେଇଥିଲେ, କହିଥିଲେ, ଯେଉଁ ଘରେ ଦୁଇବେଳା ଦୁଇମୁଠା ଖାଇବାକୁ ତୋ’ ବାପ ର ରୋଜଗାର ନିଅଣ୍ଟ ହେଉଛି, ତୁ ସେଠାରେ ଗୀତ ଶିଖିବାକୁ ଯିବାକଥା କେମିତି କହୁଛୁ? ତୋ’ ମୁଣ୍ଡରେ କ’ଣ ବୁଦ୍ଧି ଶୁଦ୍ଧି କିଛି ନାହିଁ କି? ଚୁପ୍ ଚାପ୍ ଘରେ ବସ । ସେଇଦିନ ଠାରୁ ମନ କଥା ମନରେ ମାରି ରହିଲି , ରେଡିଓ, ଟିଭିରୁ ଗୀତ ଶୁଣି ମନେ ମନେ ଅଭ୍ୟାସ କଲି ପଛେ ଆଉ ଥରେ ଗୀତ ଶିଖିବାକୁ କଥା ଉଠାଇଲି ନାହିଁ ଘରେ।

ଏବେ ଯଦି ସୁରେଶ ଭାଇ କଥା କହିବି, ତେବେ ପୋଥିରେ ଡୋରି ବାନ୍ଧି ଦେଇ ଘରେ ବସିବାକୁ ପଡିବ , ସେଇ ଭୟରେ ଚୁପ୍ ହୋଇ ରହିଲି ମୁଁ । ଏପଟେ କିନ୍ତୁ ମୋର ନୀରବତା ସୁରେଶଭାଇ ର ସାହସ ବଢେଇ ଦେଇଥିଲା, ଏବେ ସେ ରାସ୍ତା ଘାଟ ଯେଉଁଠି ପାରେ ସେଠି ଆସି ମୋ ଆଗରେ ଠିଆ ହୋଇ “ ମୁଁ ତତେ ଖୁବ୍ ଭଲ ପାଏ , ତତେ ବାହା ହେବାକୁ ଚାହେଁ “ ବୋଲି କହୁଥିଲା, ମୁଁ ମନା କଲେ ସେ ଉତ୍ କ୍ଷିପ୍ତ ହୋଇ ଯାଚ୍ଛାତା ବ୍ୟବହାର କରୁଥିଲା ମତେ , କେବେ କେବେ ହାତ ଉଠେଇବାକୁ ମଧ୍ୟ ପଛାଉ ନଥିଲା । ମୁଁ ତା’କୁ ବାରମ୍ବାର ନେହୁରା ହୋଇ କହୁଥିଲି “ ମୋ ଆଗରେ ଲମ୍ବା ଭବିଷ୍ୟତ ଅଛି , ମୁଁ ପାଠଶାଠ ପଢି ମଣିଷ ହୋଇ ମୋ ବାପା ମାଆ ଆଉ ମୋ ଭାଇର ଦାୟିତ୍ଵ ନେବାକୁ ଚାହେଁ, ତମକୁ ଆହୁରି ଅନେକ ଭଲ ଝିଅ ମିଳିବେ , ତମେ ଦୟାକରି ମୋର ପିଛା ଛାଡିଦିଅ” । ସେ କିନ୍ତୁ ତା’ର ଜିଦ୍ ରେ ଅଟଳ ଥିଲା । ବାହାହେବ ତ କେବଳ ମତେ , ଆଉ ଅନ୍ୟ କାହାକୁ ନୁହେଁ, ଏଇ ପଣ କରିଛି ବୋଲି କହୁଥିଲା । ଏଇ ଭିତରେ ଆର୍ଥିକ ଅସୁବିଧା ଯୋଗୁଁ ମୁଁ ଗୋଟିଏ ବହି ଦୋକାନରେ ସେଲ୍ ସ ଗାର୍ଲ ଭାବରେ ଚାକିରୀ ଆରମ୍ଭ କରି ଥିଲି । କିଛି ପଇସା ମଧ୍ୟ ସଞ୍ଚୟ କରି ଗୀତ ଶିଖିବାକୁ ଆରମ୍ଭ କରିଥିଲି । ସୁରେଶ ଭାଇ କିନ୍ତୁ ତା’ର ଅଭ୍ୟାସ ଛାଡୁ ନଥାଏ । କାମକୁ ଯିବା ବେଳେ, କାମରୁ ଫେରିବା ବେଳେ ବାଟ ଜଗି ହଇରାଣ ହରକତ କରୁଥାଏ। ମୋର ମୋବାଇଲ୍ ଫୋନ୍ ରେ ବାରମ୍ବାର କଲ୍ କରି ଅଶ୍ଲୀଳ ଫଟୋ ସହିତ ଅଶ୍ଲୀଳ ମେସେଜ୍ ସବୁ ପଠାଉଥାଏ । ଘରେ ଏ ବିଷୟରେ ମୁଁ କାହାରିକୁ କିଛି କହି ପାରୁ ନଥାଏ କାରଣ ମୁଁ ଭଲ ଭାବରେ ଜାଣିଥାଏ ଯେ ଯେଉଁଦିନ ଘରେ ଏ ସବୁ ଜାଣିବେ, ସେଇଦିନ ମତେ ଚାକିରୀ ବାକିରି ଛଡେଇ ଦେଇ ଘରେ ବନ୍ଦ କରି ରଖିବେ ଆଉ ପରଦିନ କୋଉଠି ଗୋଟାଏ ବରଘର ଖୋଜି ମତେ ବାହାଘର କରିଦେବେ । ମୋର ଭବିଷ୍ୟତ, ମୋର ସ୍ୱପ୍ନ ସବୁ ସେଇଠି ସରିଯିବ। ତେଣୁ ମୁଁ ଯେତେ କଷ୍ଟ ହେଉ ପଛେ ପାଟି ଚୁପ୍ କରି ରହିଲି ।

ସେଦିନ ଥିଲା ଦୁଇହଜାର ପାଞ୍ଚ ମସିହା ଏପ୍ରିଲ ମାସର ଉଣେଇଶି ତାରିଖ । ସକାଳୁ ସକାଳୁ ମେସେଜ୍ ଆସିଲା ସେଇ ସୁରେଶର ( ଆଉ ତା’କୁ ଭାଇ ବୋଲି ସମ୍ବୋଧନ କରିବାପାଇଁ ମୋତେ ଘୃଣା ଲାଗୁଥିଲା) । “ ଲକ୍ଷ୍ମୀ ! ମୁଁ ତତେ ବହୁତ ଭଲ ପାଏ , ତତେ ବାହା ହେବାକୁ ଚାହେଁ “ । କୌଣସି ଉତ୍ତର ନଦେଇ ଚୁପ୍ ରହିଲି । ପୁଣିଥରେ ମେସେଜ୍ ଆସିଲା “ ମୋର ଜବାବ ଦରକାର ଲକ୍ଷ୍ମୀ ! ଏଇ ସାଙ୍ଗେ ସାଙ୍ଗେ ଜବାବ ଦେ ଲକ୍ଷ୍ମୀ, ବର୍ତ୍ତମାନ ଉତ୍ତର ଦେ ମୋତେ, ନହେଲେ ଭଲ ହେବନି, କହି ଦେଉଛି “ । ମୁଁ ବିରକ୍ତ ହୋଇ ଫୋନ୍ ସୁଇଚ୍ ଅଫ୍ କରିଦେଲି । ସେ ଦିନ ସାରା ଫୋନ୍ ସୁଇଚ୍ ଅଫ୍ କରି ରଖିଲି , ଆଉ ଖୋଲିଲିନି, କାମରୁ ଫେରି ଥିର୍ ହୋଇ ଶୋଇ ପଡିଲି ଘରେ । ପରଦିନ ସକାଳୁ ଟିକିଏ ହାଲୁକା ଲାଗିଲା ଆଉ ମୁଁ ନିତ୍ୟକର୍ମ ସାରି କାମକୁ ଯିବାକୁ ବାହାରିଲି । ପ୍ରବଳ ଖରା ହେଉଥିଲା ସେଦିନ। ପ୍ରାୟ ଦିନ ଦଶଟା ବାଜି ପଇଁଚାଳିଶି ମିନିଟ୍ ହେବ, ଛତାଟିଏ ଧରି ଘରୁ ବାହାରି ମୁଁ ରାସ୍ତା ଉପରକୁ ଆସିଲି । ଆଉ ଅଳ୍ପ କିଛି ଦୂରରେ ଅଛି ବସ୍ ଷ୍ଟପ୍, ଦେଖିଲି ଗୋଟାଏ ମୋଟର ସାଇକେଲ୍ ଧରି ଛିଡା ହୋଇଛି ସୁରେଶ, ତା ପଛରେ ବସିଛି ତା’ ସାନଭାଇ ର ପ୍ରେମିକା ଶାଳିନୀ, ଶାଳିନୀ ର ହାତରେ ଗୋଟାଏ ବିୟର ବୋତଲ୍, ଘୃଣା ରେ ମୁହଁ ଫେରେଇ ନେଇ ମୁଁ ଆଗକୁ ପାଦ ବଢେଇଲି । ବସ୍ ଧରିବାକୁ ଯାଉଛି, ଶାଳିନୀ ଧାଇଁ ଆସି ମୋ ପଛରୁ ଶକ୍ତ ଧକ୍କା ଟିଏ ମାରିଲା, ମୁଁ ସେଇ ଅତର୍କିତ ଆକ୍ରମଣ ରେ ମୁହଁ ମାଡି ତଳେ ପଡିଗଲି । ଉଠିବାକୁ ଚେଷ୍ଟା କରୁଛି ମୋ ମୁହଁକୁ ସେମାନେ ସେଇ ବିୟର ବୋତଲ୍ ରେ ଥିବା ଏସିଡ୍ ଫିଙ୍ଗିଦେଲେ । ଚାରିଆଡ ଅନ୍ଧକାରମୟ ଦିଶିଲା ମତେ , ଅସହ୍ୟ ଯନ୍ତ୍ରଣା ରେ ଅଚେତ୍ ହୋଇ ପଡିଗଲି ମୁଁ । ମତେ ସବୁ ସ୍ୱପ୍ନ ଭଳି ଲାଗୁଥିଲା । ସମସ୍ତେ ଦେଖୁଥାଆନ୍ତି ହେଲେ ପୋଲିସ୍ କେଶ୍ ଭୟରେ କେହି ମତେ ସାହାଯ୍ୟ କରୁ ନଥାନ୍ତି । ସେମିତି ନିଆଁ ର ସମୁଦ୍ର ରେ ଜଳି ଜଳି ପଡିରହିଥାଏ ମୁଁ । କିଛି ସମୟ ପରେ ଗୋଟିଏ ଲୋକ ର ମୋ ଉପରେ ଦୟା ହେଲା ବୋଧହୁଏ, ସେ ଆଗେଇ ଆସି ମୋ ମୁଣ୍ଡ ଆଉ ମୁହଁ ଉପରେ ବାଲଟିଏ ପାଣି ଅଜାଡି ଦେଲା ଏବଂ ପୋଲିସ୍ କୁ ଖବର ଦେଲା। ପି ସି ଆର୍ ଭ୍ୟାନ୍ ପହଞ୍ଚିଲା ବେଳକୁ ମୋର ମୁହଁ ର ଚମଡା ସବୁ ଖଣ୍ଡ ଖଣ୍ଡ ହୋଇ ଗଳି ପଢୁଥାଏ ମୋ ହାତ ଉପରେ।ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହେଉଥାଏ ମୁଁ । ମୁହଁ ରୁ ଖଣ୍ଡ ଖଣ୍ଡ ହୋଇ ଚମଡା ସହିତ ମାଂସ ଖସି ପଡୁଥାଏ।

ତରତର ହୋଇ ମତେ ନେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଆଉ ସେଠାରେ ସାଙ୍ଗେ ସାଙ୍ଗେ ସେମାନେ ମୋ ଉପରେ ପ୍ରାୟ ତିରିଶି ବାଲଟି ହେବ ପାଣି ଢାଳି ପକାଇଲେ, ସେତକ ପାଣି ପଡିଲା ପରେ ମୋର ଡହଡହ ହୋଇ ଜଳୁଥିବା ଶରୀର ଟା ଟିକିଏ ଶାନ୍ତ ହେଲା । ତା’ ପରେ ଆରମ୍ଭ ହେଲା ପରବର୍ତ୍ତୀ ଚିକିତ୍ସା ।ଘାଆ ଶୁଖିବା ପରେ ଚମଡା ସବୁ ଲୋଚାକୋଚା ହୋଇ ଯାଇଥିଲା।

ସେଇ ସବୁକୁ ସଫା ସୁତୁରା କରି ମୋର ମୁହଁ କୁ ପ୍ଲାଷ୍ଟିକ୍ ସର୍ଜରୀ କରିବାକୁ ଡାକ୍ତର ମାନେ ଯୋଜନା କଲେ। ଏଇ ଦୁର୍ଘଟଣା ପୂର୍ବରୁ ମୋର ନାକ ଉପରେ ଦାଗଟିଏ ଥିଲା । ସେମାନେ ମୋ ମୁହଁ ରେ ପ୍ଲାଷ୍ଟିକ୍ ସର୍ଜରୀ କରିବାକୁ ସ୍ଥିର କରିବା ବେଳକୁ ସେଇ ଦାଗଟିକୁ ଲିଭାଇ ଦେବାଲାଗି ମୁଁ ଡାକ୍ତର ମାନଙ୍କୁ ଅନୁରୋଧ କଲି । ପ୍ରଥମ ଦୁଇଟି ସର୍ଜରୀ ହେଲା ପରେ ମୁଁ ଭାବିଲି ମୁଁ ବୋଧହୁଏ ପୂର୍ବାପେକ୍ଷା ସୁନ୍ଦର ଦିଶୁଥିବି।ତେଣୁ ନିଜକୁ ଦର୍ପଣ ରେ ଦେଖିବାକୁ ଭାବି ପ୍ରଥମ କରି ଯେଉଁ ଦିନ ଦର୍ପଣ ଆଗରେ ଠିଆ ହେଲି ସେଦିନ ନିଜର ଭୟଙ୍କର ଚେହେରା ଦେଖି ଭୟରେ ଚିତ୍କାର କରି ଉଠିଲି ମୁଁ । ଗୋଟାଏ ପିଶାଚୁଣୀ ପରି ବିଭତ୍ସ ଦିଶୁଥିଲା ମୋ ମୁହଁ ।ନିଜ ଉପରେ ଘୃଣା ଆସୁଥିଲା ମୋର , କେମିତି ଏଇ ଚେହେରା ନେଇ ଦୁନିଆଁ ଆଗରେ ଛିଡ଼ା ହେବି? ଭାବିପାରୁନଥିଲି ମୁଁ। ମନକୁ ଆସୁଥିଲା ଆତ୍ମହତ୍ୟା କରିବା ହିଁ ଶେଷ ବାଟ । ସାଇ ପଡିଶାଏ ଦେଖିଲେ ମତେ, ଆହା କଲେ, କହିଲେ ଆଉ କୋଉଠି ହେଲେ ଏସିଡ ପକାଇ ଥାଆନ୍ତା , ମୁହଁ ଟାରେ ପକାଇଲା , ମୋ ମାଆଙ୍କୁ କହିଲେ “ ଏମିତି ଚେହେରା ର ଝିଅ କୁ କିଏ ବାହା ହେବ ? ସାରା ଜୀବନ ତମ ଉପରେ ବୋଝ ହୋଇ ବସିବ, ବରଂ ଏଇଠି ଡାକ୍ତରଖାନାରେ କହି ତା’କୁ ବିଷ ଇଞେକ୍ସନ ଦେଇ ମାରି ପକାଅ । ଜଞାଳ ତୁଟିବ । ସବୁ ଶୁଣୁ ଥାଏ ମୁଁ, କାଠ ପଥର ହୋଇ ପଡିଥାଏ ।ମନରେ ଭୀଷଣ ରାଗ ଆସୁଥାଏ ସୁରେଶ ଉପରେ, କ’ଣ କଲା ସିଏ? ମୋ ଜୀବନ ଟାକୁ ନର୍କ ବନେଇ ଦେଲା? କି ଦୋଷ କରିଥିଲି ତା’ର ମୁଁ ? କାହିଁକି ସେ ଏମିତି ଦଣ୍ଡ ଦେଲା ମତେ? ମନ ଭିତରୁ ଭାବନା ଆସୁଥିଲା “ ଯିଏ ତତେ ଏତେ ବଡ ଦଣ୍ଡ ଦେଇଛି, ତା’କୁ ସେମିତି ଛାଡି ଦେଇ ଚାଲିଯିବୁ ତୁ? କୌଣସି ପ୍ରତିଶୋଧ ନନେଇ, ସମାଜ ଆଗରେ ତୋର ନିର୍ଦ୍ଦୋଷ ପଣିଆ ସାବ୍ୟସ୍ତ କରିବୁନି ତୁ? ସୁରେଶ କୁ ତା’ ଦୋଷ ର ଦଣ୍ଡ ମିଳିବା ପାଇଁ ଚେଷ୍ଟା କରିବୁନି? ମୋ ମନ ଭିତରେ ବଞ୍ଚି ରହିବା ର ମୋହ ଜାଗି ଉଠୁଥିଲା । ସୁରେଶ ଆଉ ତା’ଭଳିଆ ପଶୁ ମାନଙ୍କୁ ଦଣ୍ଡ ମିଳିବା ଲାଗି ମୁଁ ବଞ୍ଚି ରହିଲି। ମୋ ବାପା ମାଆ ମୋର ମାନସିକ ବଳ ବଢାଇଲେ ।

ମୁଁ ଧୀରେ ଧୀରେ ସୁସ୍ଥ ହୋଇ ଘରକୁ ଫେରିବା ପରେ ବହୁତ ଚିନ୍ତା କଲି। କେମିତି ମୋ ଉପରେ ହୋଇଥିବା ଆକ୍ରମଣ ର ମୁକାବିଲା କରିବି, କେମିତି ନିଜେ ସମ୍ମାନ ର ସହିତ ବଞ୍ଚିବି ଏବଂ ମୋ ବାପା ମାଆଙ୍କୁ ଦାୟିତ୍ଵ ନେବି। ମୋ ପାଇଁ ସମାଜ ରେ ସେମାନେ ଅସମାହିତ ହେବେ ନାହିଁ । ମୁଁ ସେମାନଙ୍କ ପାଇଁ ବୋଝ ହେବି ନାହିଁ ବରଂ ତାଙ୍କର ଆଶ୍ରାବାଡି ହେବି। ସେଥିପାଇଁ ଦୁଇ ହଜାର ଛଅ ମସିହା ରେ ପ୍ରଥମେ ଖୋଲା ବଜାରରେ ରେ ଏମିତି ପ୍ରାଣ ଘାତକ ଏସିଡ୍ ର ଅବାଧ ବିକ୍ରୟ କୁ ବନ୍ଦ କରିବାକୁ କୋର୍ଟ ରେ କେଶ୍ କଲି । ସେତେବେଳକୁ ସୁରେଶ କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରି ଦେଇଥିଲା ଏବଂ ତା’କୁ ଦଣ୍ଡାଦେଶ ହୋଇ ସାରିଥିଲା । ନ୍ୟାୟ ପାଳିକା ଉପରେ ମୋର ଭରସା ଥିଲା । ଦୁଇ ହଜାର ତେର ମସିହା ରେ ମାନ୍ୟବର ସୁପ୍ରିମକୋର୍ଟ ତାଙ୍କର ରାୟ ଦେଲେ, ଅଧ୍ୟାଦେଶ ଜାରି ହେଲା ଏସିଡ୍ ର ଅବାଧ ବିକ୍ରୟ ନକରିବା ଲାଗି । ମୁଁ ପୁଣି ମୋର ପୁରୁଣା ସ୍ୱପ୍ନ କୁ ସାକାର କରିବା ପାଇଁ ସଙ୍ଗୀତ ଶିକ୍ଷା ଆରମ୍ଭ କଲି । ଏବେ ମୁଁ ସ୍ତରରେ ର ଅପରେସନ୍ ପରେ ଆପଣମାନଙ୍କର ସମ୍ମୁଖରେ ଗୋଟିଏ ନୂଆ ଚେହେରା ନେଇ ଛିଡା ହୋଇଛି ।

ଜୀବନରେ ମୋ ଭଳି ନିର୍ଯ୍ୟାତିତ ହୋଇଥିବା ଝିଅ ମାନଙ୍କ ନିମନ୍ତେ ମାନସିକ, ଆର୍ଥିକ ସହାୟତା ଦେଇ ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଅନେକ ସହାୟତା କେନ୍ଦ୍ର ସବୁ ଖୋଲାଯାଇଛି ମୋହରି ପ୍ରଚେଷ୍ଟା ରେ। ମୋର ଜୀବିଷା ଦେଖି ଅନ୍ୟ ମାନେ ପ୍ରେରିତ ହେଉଛନ୍ତି ଏହା ମୋର ସୌଭାଗ୍ୟ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁରେଶ କୁ ଦଣ୍ଡ ମିଳିବା ପରେ ଲୋକ ମାନଙ୍କ ମନରେ ଭୟ ଜାଗିଛି ଏସିଡ୍ ମାଡ ଭଳି ଅପରାଧ ନ କରିବା ଲାଗି ।

ଆଉ ଦୁଇ ମାସପରେ ହୁଏତ ସୁରେଶ ଫେରିବ ଜେଲ୍ ରୁ ତା’ର ସଜା କାଟି । ହେଲ ଆଉ ମୁଁ ବିଚଳିତ ହେଉନାହିଁ । ଜୀବନ ମତେ ଜିଇଁବାକୁ ଶିଖାଇଛି । ମୁଁ ଡରିବିନି ସୁରେଶ କୁ ,ଏଣିକି ସେ ଡରିବ ମତେ । ମୋ ଭିତରେ ଗଢି ଉଠିଥିଲା ବଳିଷ୍ଠ ନାରୀତ୍ୱ କୁ। ନାରୀଟିଏ ନିଜର ଦୃଢ ମନୋବଳ ରଖିଲେ ଯେ କୌଣସି ଅସାଧ୍ୟ ସାଧନ କରିପାରେ । ଏଇ ଦେଖନ୍ତୁ ନା ଆଜି ସବୁ ବାଧାବିଘ୍ନ ଅତିକ୍ରମ କରି ମୁଁ ଆପଣମାନଙ୍କ ଆଗରେ ଠିଆ ହୋଇଛି। ଆହୁରି ଗୋଟିଏ କଥା ଜାଣନ୍ତି,! ପ୍ରତିଷ୍ଠିତ ଚଳଚ୍ଚିତ୍ର ନିର୍ଦ୍ଦେଶିକା ମେଘନା ଗୁଲ୍ ଜାର୍ ମାଡାମ୍ ମୋର ଜୀବନ କାହାଣୀ କୁ ନେଇ ଗୋଟିଏ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି । ସ୍କୁଲ୍ ରେ ପାଠ ପଢିଲା ବେଳେ ସାମାନ୍ୟ ମେଡାଲ୍ ଟିଏ ମଧ୍ୟ ପାଇନଥିବା ଏକ ଅନାମଧ୍ୟେୟ ବାଳିକା ଜୀବନୀକୁ ନେଇ ଦିନେ ଏକ ଚଳଚ୍ଚିତ୍ର ହେବ ଏକଥା କିଏ ଜାଣିଥିଲା? ମୁଁ ଆଜି ବି ବିଶ୍ୱାସ କରି ପାରୁନି ଯେ ଗୋଟାଏ ଏସିଡ୍ ପିଡିତା ର ଚେହେରା ର ମେକ ଅପ୍ କରି ଶହେ ଜଣ ମଡେଲ୍ ଆସିଥିଲେ ମତେ ଦେଖେଇବାକୁ ଲାଗି, କାରଣ ସେଇ ଚଳଚ୍ଚିତ୍ର ରେ ପ୍ରଖ୍ୟାତ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଯାଉଛନ୍ତି ମୋର ଚରିତ୍ର ରେ ଅଭିନୟ କରିବା ଲାଗି । କେଡେ ଭାଗ୍ୟ ମୋର ଏପରି ଜଣେ ପ୍ରକ୍ରିୟାର ନାୟିକା ମୋ ଜୀବନର ସବୁଠାରୁ କଠିନତମ ଅଧ୍ୟାୟ କୁ ଲୋକଲୋଚନ କୁ ଆଣି ମୋର ହୃଦୟ ର ବ୍ୟଥା ବଖାଣିବେ ସାରା ସଂସାର ଆଗରେ । ମୋର ଦୁଃଖ, ତିଳତିଳ ହୋଇ ମରି ମରି ବଞ୍ଚିଥିବା ଜୀବନ ସମସ୍ତେ ଜାଣିବେ। ଶେଷରେ ଈଶ୍ବରଙ୍କୁ ପ୍ରାର୍ଥନା କରୁଛି ଯେ ସେ ମୋ ଭଳି କଷ୍ଟ ଆଉ କାହାକୁ ନଦିଅନ୍ତୁ ।

ସମସ୍ତଙ୍କୁ ଧନ୍ୟବାଦ ଆଉ ନମସ୍କାର ଜଣାଇ ତରୁଣୀ ଜଣକ ଅପସରି ଗଲେ ମନ୍ଚରୁ । ସଞ୍ଚାଳକଙ୍କ ସମେତ ସମସ୍ତ ଅଡିରୋରିୟମ ଉଛୁଳି ପଡୁଥିଲା କରତାଳିରେ । କେହି କେହି ରୁମାଲ୍ ରେ ଆଖି ପୋଛୁଥିବାର ଲକ୍ଷ୍ୟ କରା ଯାଉଥିଲା ।।

ରାଜସ୍ଥାନ ଜୟପୁର ସହର

Rate the content


Originality
Flow
Language
Cover design

Comments

Post

Some text some message..