Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakas Tripathy

Others

3  

Prakas Tripathy

Others

ବାଁ ହାତ

ବାଁ ହାତ

4 mins
7.0K


ଆଜି ମିଲିକୁ ବସ ଷ୍ଟାଣ୍ଡ ଛାଡିବାକୁ ଗଲାବେଳେ ଘରେ ତାଲା ପକେଇ ମିଲି ମୋତେ ଚାବି ଦେଲା ଆଉ ମୁଁ ତାକୁ ବାଁ ହାତରେ ନେବାରୁ ସେ କହିଲା, ବାଁ ହାତରେ ନେଉଛ, ଠିକ୍ ଜାଗାରେ ରଖ,ନହେଲେ ମନେ ପଡିବନି । ଯେତେବେଳେ ବି ମୁଁ କୌଣସି ଜିନିଷ ବାଁ ହାତରେ ନେଲେ ମିଲି ସେଇ ଗୋଟିଏ କଥା କହେ, ବାଁ ହାତର ନେଉଛ, ମନେ ପଡିବନି। ମୋର ଭୁଲିଯିବାଟା ଗୋଟେ ସାଧାରଣ କଥା ଆଉ ସେ ଖୋଜି ଦେବଟା ବି ଏବେ ଚିରାଚରିତ ହୋଇଗଲାଣି। ଏଇ ମୋର ମନେ ନପଡିବା ଓ ତାକୁ ଖୋଜିଦେବାକୁ କହିବାକୁ ନେଇ ବେଳେବେଳେ ଆମ ଭିତରେ ଝଗଡା ବି ହୋଇଯାଏ। ସେ ଯାହାହେଉ, ଆଜି ଯେତେବେଳେ ବାଁ ହାତରେ ଚାବି ନେଲି ଓ ମିଲି ପୁଣି ସେଇ ବାଁ ହାତ କଥା ମନେ ପକାଇଦେଲା, ମୋର ମନେ ପଡିଗଲା ନେହା କଥା।

ସେଦିନ ଥାଏ ରବିବାର। ସନ୍ଧ୍ୟାରେ ନେହା ଘରେ ପହଂଚିଲି ।ଦେଖିଲି, ଅନେକ କୁଣିଆ ନେହା ଘରେ ଅଛନ୍ତି। ମୁଁ ଫେରି ଆସୁଥିଲି, ନେହା ପଛରୁ ଡାକିଲା । ହେ ଡରପୋକ, କୁଆଡେ ପଳାଉଛ। ଆମକୁ ଟିକେ ହେଲ୍ପ କଲେ ହୁଅନ୍ତାନି। ମନେମନେ ଭାବିଲି, ନେହା ଘରେ ଏତେ କୁଣିଆ । ମୁଁ କାହାକୁ ଚିନ୍ହିନି । ମୁଁ କଣ ସାହାଯ୍ୟ କରିବି ? । ମୋ ଭାବନାକୁ ନେହା ବୁଝିପାରିଲା। ସେ ମୋତେ ସବୁବେଳେ ବୁଝିପାରେ, କିନ୍ତୁ ବୁଝିନପାରିବାର ଅଭିନୟ କରେ। ମୋ କାନରେ ଚୁପ୍ ଚୁପ୍ କରି କହିଲା, ଅପାକୁ ଦେଖିବାକୁ ଆସିଛନ୍ତି। ତୁମେ ଟିକେ ରୁହ । ମୁଁ ମୁଣ୍ଡ ହଲେଇ କହିଲି ହଉ, ରହିବି ଯେ କଣ କରିବି । ନେହା ମୋତେ ତାର ବଡବଡ ଆଖି ଦେଖାଇ କହିଲା, ଅପାକୁ ସେମାନେ ଦେଖିବେ, ତୁମେ ମୋତେ ଦେଖିବ। ମୋତେ ନେହାର କଥା ଶୁଣି ଜୋରରେ ହସ ମାଡି ଆସୁଥିଲା, ପାଟିରେ ହାତ ରଖି ଚାପିଦେଲି।

ସୋହା ଅପାର ଦେଖାଚାହାଁ ପର୍ବ ସରିଲା । କୁଣିଆ ବିଦା ହେଲେ। କୁଣିଆ ମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସୁସ୍ୱାଦୁ ବ୍ୟଞ୍ଜନର ସ୍ୱାଦ ମୋତେ ବି କିଛି ପ୍ରାପ୍ତ ହେଲା । ସୋହା ଅପାର ଭାବି ଶାଶୁ ଘର କଥା ଓ ବର ବିଷୟରେ ଅନେକ ସମୟ ପର୍ଯ୍ୟନ୍ତ ଆମେ କଥା ହେଲୁ। ପ୍ରସ୍ତାବଟି ସବୁ ଦୃଷ୍ଟିରୁ ଭଲ ଥିବାରୁ ନେହା ଘରର ସମସ୍ତେ ଏଥିରେ ରାଜି ଥିଲେ। ପୁଅ ଘରର ନିଷ୍ପତି ଉପରେ ସବୁ ନିର୍ଭର କରୁଥିଲା। ମଉସା କହିଥିଲେ, ଯଦି ପ୍ରଭୁ ଜଗନ୍ନାଥଙ୍କ କୃପା ଥିବ, ସୋହାର ବାହାଘର ଏଇଠି ହେଇଯିବ । ସେତବେଳକୁ ରାତି ନଅ। ମୁଁ ଘରକୁ ଫେରିବାକୁ ଉଠିଲି। ନେହା ସବୁଥର ପରି ମୋତେ ଛାଡିବାକୁ ଗେଟ ପର୍ଯ୍ୟନ୍ତ ଆସିଲା। ମୋତେ ପଚାରିଲା, ତୁମ ମନକୁ କେମିତି ଆସିଲା। ମୁଁ ଚଟାପଟ ଉତ୍ତର ଦେଲି, ମୁଁ ତ ପୁରା ରାଜି। ତୁମେ ହଁ କହିଲେ ହେଲା । ମୁଁ କଣ ରାଜି ହେବି? ନେହା ପ୍ରଶ୍ନିଳ ଦୃଷ୍ଟିରେ ପଚାରିଲା । ମୁଁ ତାକୁ ଏଥର ସ୍ପଷ୍ଟ ଭାବେ ବୁଝାଇଦେଲି । କହିଲି, ତୁମେ ମୋତେ କହିଥିଲ ନା ସୋହା ଅପାକୁ ସେମାନେ ଦେଖିବେ, ଆଉ ତୁମକୁ ମୁଁ ଦେଖିବି। ତୁମ କଥା ଅନୁସାରେ ମୁଁ ତୁମକୁ ଦେଖି ରାଜି। ନେହା ବେଦମ ହସିଲା, ହସି ହସି କହିଲା, ଠିକ୍ ଅଛି, ଅପା ବାହାଘର ସରୁ, ତୁମ କଥା ବୁଝାଯିବ। ହଁ, ଏଇଟା ନିଅ, ଏକେଲାରେ ପଢିବ। କାହାକୁ ଦେଖାଇବନି। ନେହା ମୋତେ ଚାରି ଚଉତା ହୋଇଥିବା କାଗଜଟିଏ ବଢାଇଦେଲା। ମୁଁ ତାକୁ ବାଁ ହାତରେ ନେଵାରୁ ଆକଟ କରିବା ଭଳି କହିଲା, ବାଁ ହାତର ନେଉଛ, ମନେପଡିବନି ପଢିବାକୁ। କାଗଜଟି ନେହାର ପ୍ରେମ ଚିଠି ଭାବି ଛାତି ମୋର କୁଂଢେମୋଟ ହୋଇଗଲା। କାରଣ ଏହା ପୂର୍ବରୁ ନେହା କେବେ ବି ମୋତେ ଚିଠି ଦେଇନଥିଲା। ପଛ ପକେଟରେ ରଖି ଘରକୁ ଫେରିଲି। କେମିତି ଘରେ ପହଂଚି ଚିଠିଟି ପଢିବି, ସେଇ ଚିନ୍ତାରେ ଥିଲି।

ଘରେ ପହଁଚିଲା ବେଳକୁ ରାତି ସାଢ଼େ ନଅ। ମୁଁ ପହଂଚୁ ପହଂଚୁ ବୋଉ କହିଲା, ଚାଲିଲୁ ଡାକ୍ତରଖାନା ଯିବା। ମାମୁଁଙ୍କ ଦେହ ଖରାପ। ବୋଉକୁ ସ୍କୁଟରରେ ବସାଇ ଚାଲିଲି କ୍ୟାପିଟାଲ ହସ୍ପିଟାଲ ।ମାମୁଁ ବେଡ଼ରେ ଶୋଇଥାନ୍ତି। ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ଅଣା ଯାଇଥିଲା। ପରୀକ୍ଷାରୁ ଜଣା ପଡିଲା ଯେ ବ୍ଲକେଜ ଅଛି। ବାଇପାସ ସର୍ଜରି ହେବ। ବୋଉ ଓ ମୁଁ କିଛି ସମୟ ସେଠି ରହି ଫେରିଲୁ। ଘରେ ପହଂଚୁ ପହଂଚୁ ବୋଉର ଆରମ୍ଭ ହୋଇଗଲା ରୀତି ନୀତି କଥା । ସବୁ ପ୍ୟାଣ୍ଟ ସାର୍ଟ ଧୁଆ ହେବ। ଡାକ୍ତରଖାନା ଛୁଆଁ। ବୋଉ କଥା ନ ମାନିବାର ବାଟ ନାହିଁ। ବାହାରେ ଠିଆ ହୋଇ ଗାମୁଛା ପିନ୍ଧିଲି ଓ ସବୁ ପ୍ୟାଣ୍ଟ ସାର୍ଟ ଗୋଟିଏ ପାଣି ଟ୍ୟାବରେ ପଡିଲା। ସାନ ଭଉଣୀ ଗୀତା ବୋଉ ଠୁ ଦୁଇ ପାଦ ଆଗୁଆ। ରାତା ରାତି ସବୁ ଧୋଇ ଶୁଖାଇ ବି ଦେଲା।

ତା ପରଦିନ ସକାଳୁ ଉଠୁ ଉଠୁ ମନେ ପଡିଗଲା ନେହାର ଚିଠି କଥା। ଆରେ ସେଇଟା ତ ପ୍ୟାଣ୍ଟ ପକେଟରେ ଥିଲା। ଗୀତା ତ ଧୋଇ ଶୁଖାଇ ସାରିଛି। ଦୌଡ଼ିଲି ଅଗଣାକୁ। ପ୍ୟାଣ୍ଟର ପଛ ପକେଟକୁ ଦରାଣ୍ଡି ପକାଇଲି ।କାଗଜର ଗୋଲ ବୁଣ୍ଡୁଲିଟିଏ ପାଇଲି। ଖୋଲିଲା ବେଳକୁ ସବୁ କୁତୁକୁତା ।କାଳିର ଅକ୍ଷର ସବୁ ଭିଜି ଯାଇଥାଏ। ଠୋ ଠୋ କରି ଗାଲକୁ ଚଟକଣି ଲଗାଇ ଚୁପ୍ ରହିଲି।

ନେହାକୁ ସବୁ କହିଲି। କଣ ସେ କାଗଜରେ ଲେଖାଥିଲା ଟିକେ କହିଦେବାକୁ ନହେଲେ ଆଉ ଥରେ ଲେଖି ଦେବାକୁ ନେହାକୁ ଅନେକଥର ନେହୁରା ହେଲି, ହେଲେ ସବୁ ନିଷ୍ଫଳ ଗଲା। ଆଜି ପର୍ଯ୍ୟନ୍ତ ମୁଁ ଜାଣି ପାରିଲିନି ନେହା ସେ କାଗଜରେ କଣ ସବୁ ଲେଖିଥିଲା। ସବୁ ଦୋଷ ସେ ବାଁ ହାତର। ସେତେବେଳେ ନେହା ତାଗିଦ କରୁଥିଲା, ଏବେ ମୋ ପତ୍ନୀ ମିଲି ।କିନ୍ତୁ ମୁଁ ସୁଧୁରୁନି। ସେଇ ବାଁ ହାତର ମାୟାରୁ ଆଜି ପର୍ଯ୍ୟନ୍ତ ମୁକୁଳିପାରୁନି।

@ ପ୍ରକାଶ ତ୍ରିପାଠୀ

କୋଣାର୍କ, ପୁରୀ।


Rate this content
Log in