Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rana Surya

Tragedy

3  

Rana Surya

Tragedy

ହଜିଗଲା ମାମୁଁ ଘର

ହଜିଗଲା ମାମୁଁ ଘର

4 mins
672


ପିଲାବେଳେ ମାମୁଁଘରକୁ ଯିବା ଶୁଣିଦେଲେ ମନଟା ଖୁସିରେ ଉଛୁଳିପଡେ । ମନରେ ଆଙ୍କି ହୋଇଯାଏ ଦୁଇ ଦାଣ୍ଡି ନାଲି ଟାଇଲ୍ ଘର ମଝିରେ ବିରାଟ ଅଗଣା ଓ ଛାତିଏ ଉଚ୍ଚା ଚଉରା । ଗୋଟେ ଦାଣ୍ଡିରେ ଠାକୁର ଘର, ଶୋଇବା ଘର ଦି ବଖରା , ଚାଉଳ ଆଲମାରୀ ଘର, ହାଣ୍ଡିଶାଳ । ଆର ଦାଣ୍ଡିରେ ଧାନଘର ଦି ବଖରା, ଢିଙ୍କିଶାଳ । ତାପରେ ପୁଣି ରୋଷେଇଘର ଖଞ୍ଜା ପରେ ଆଉ ଗୋଟେ ଅଗଣା , ବାଡି ଅଗଣା । ମଝିରେ ବର କୋଳି ଗଛ , ଡାଳିମ୍ବ ଗଛ, ମନ୍ଦାର ଗଛ । ଘର ସାମନାରେ ଦାଣ୍ଡରେ ବିରାଟ ଚଉତରା ।ଆଉ ଘରର ସାମ୍ନାରେ ମା ବିରଜା ଙ୍କ ର ମନ୍ଦିର ।ସକାଳ ସଂଜେ ମନ୍ଦିରର ଘଣ୍ଟ ,ମୃଦୁଙ୍ଗ ର ଧ୍ୱନୀରେ ମନ ପବିତ୍ର ହେଇଯାଏ ।ଏକ ସ୍ୱପ୍ନପୁରୀର ଭ୍ରମ ସୃଷ୍ଟିକରେ ।

ମାମୁଁଘର ଯିବା ଲାଗି ରିକ୍ସା ଲାଗେ । ବୋଉ ସଜହୁଏ ବାପଘରକୁ ଯିବାକୁ । ଆମେ ବି ସଜହେଉ । ଗୋଡ ତଳେ ଲାଗେନା । ରିକ୍ସା ରେ ବସିବା ଲାଗି ମୋ ଦିଦି ଆଉ ମୁଁ ଝଗଡା ଲାଗୁ,ଶେଷରେ ମୁଁ ବୋଉ କୋଳରେ ବସି କରି ଯାଏ ।

ମାମୁଁଘର ଦୁଆରେ ରିକ୍ସା ଲାଗୁ ଲାଗୁ ସାଇ ପଡିଶା ଧାଇଁ ଆସନ୍ତି । କିଏ କେତେ ପ୍ରକାରେ ପଚାରେ । ମଢିମା ତା ବେହାଡା ଦାନ୍ତ ଦୁଇ ଧାଡି ଦେଖେଇ ହେଁ ହେଁ ହୋଇ ହସେ । ମୁଁ ଜାଣିପାରେନି ସେ କାନ୍ଦୁଛି ନା ହସୁଛି । ଚମ୍ପା ବୁଢୀ ଧାଇଁଆସି ଆମକୁ କୁଣ୍ଢାଇ ପକାଏ । କାଖେଇ କୁଣ୍ଢେଇ ଘର ଭିତରକୁ ନେଇଯାଏ ।

ଆଈର ସେ ଗୋରା ତକ ତକ ମୁହଁରେ ଯେମିତି ହଜାରେ କୃଷ୍ଣଚୂଡା ଫୁଟିଉଠନ୍ତି । ଅଜା ଚଉତରା ଉପରୁ ଉଠିଆସି ଅଗଣାର ଗୋଟିଏ କଡକୁ ପିଣ୍ଡା ଉପରେ ପଡିଥିବା ଖଟରେ ବସି ବୋଉକୁ ଆମ ଘରକଥା ପଚାରନ୍ତି ଓ ତା ସଙ୍ଗେ ସଙ୍ଗେ ଆମକୁ କେତେ ଥଟ୍ଟା ମଜା କରନ୍ତି ।

ସନ୍ଧ୍ୟା ହେଲେ ଆଈ ଡିବି, ଲଣ୍ଠନ ସବୁ ପୋଛି କିରାସିନି ପକେଇ ଜଳାଇଦିଏ । ଘରେ ସତେ ଯେମିତି ଲକ୍ଷ୍ମୀ ବିରାଜିଛନ୍ତି । ଆଃ କି ସ୍ନେହ ସରାଗରେ ଭର୍ତ୍ତି ଘର । ପୁରା ଖରା ଛୁଟୀଟା ହିଁ ସେଠି କଟେ ।

ରାତିରେ ଅଗଣାରେ ଖାଇବସିଲା ବେଳେ ଉଷୁନାଭାତରେ ଗୁଆଘିଅ ସର ସର ହୋଇ ପଡେ । ମୁଗଡାଲି ସାଥୀରେ ଚେକା ଚେକା ଆଳୁ ବାଇଗଣ ଭଜା । ତୋଟାରୁ ଆସିଥିବା ସବୁଠୁ ମିଠା ଆମ୍ବ କଟାହୁଏ । ବାଃ ...ଖାଇବାଟା ଜମିଯାଏ । ଏବେବି ସେ ବାସ୍ନା ମୋର ମନେପଡିଯାଏ ବେଳେବେଳେ

ମାମୁଁଙ୍କ ଦେହ ଖରାପ ଶୁଣିଲି । ବହୁତ ଦିନ ହେଲା ଯାଇନଥିଲି, ବୋଧେ ଷୋଳ ସତର ବର୍ଷ ହେବ । ମନ ସମ୍ଭାଳିଲାନି, ଗାଡିଟା ବାହାରକରି ଗୁଡାଏ ମିଠା ଆଉ ଫଳ ମୂଳ ଧରି ଚାଲିଲି । ମାମୁଁଘର ଆମ ଗାଁ ଠୁ ଛଅ କିଲୋମିଟର ହେବ । ଅପରାହ୍ନର ଗରମ ସୂର୍ଯ୍ୟ ମୁହଁକୁ ମାରୁଥାଏ । ମା ବିରଜା ଙ୍କ ମନ୍ଦିର ପାଖରେ ପହଞ୍ଚି ଟିକେ ନଜର ଦୌଡାଇଲି ଚାରିପଟକୁ । ପାଖରେ ଥିବା ସେ ବ୍ରହ୍ମାକୁଣ୍ଡ ,ଯୋଉଠି ମୋ ପିଲାବେଳେ ବ୍ରହ୍ମାକୁଣ୍ଡରେ କେତେ ମୁଁ ବୁଡ଼ ନ ମାରିଛି, ତାର ହିସାବ ନାହିଁ । । ରାସ୍ତା ଚଉଡା ହୋଇଯାଇଛି । ତା ପାଖରେ ଥିବା ଭୁଜ ଗୁଡିଆର ସେ ବରା ଦୋକାନ ବି ନାହିଁ । ବଡ ବଡ ବିରି ବରା ଭିତରେ ଗୁଡ ନଡିଆ ଗୋଲମରିଚର ପୁର ଦିଆହୋଇ ବାଦାମ ତେଲରେ ଛଣା ହୋଇଥିବା ବରା ଅନେକ ଥର ମାମୁଁ ଆଣନ୍ତି । ମୁଁ ଖାଇଛି ବହୁତ ଥର ।

ସେ ଛକଟା ଗୋଟେ ବଡ଼ ବଜାର ହୋଇଯାଇଛି ।ତେଣୁ ଗୁଡିଏ ଦୋକାନ ଖୋଲି ଯାଇଛି ।

ଗାଡି ବୁଲେଇଲି । ମାମୁଁଘର ଦୁଆରେ ପହଞ୍ଚିଲି । କେହି ନାହାନ୍ତି । ଚଉତରା ଉପରେ କେହି ନାହାନ୍ତି,ଯୋଉଠି ବିରଜା ମନ୍ଦିରର ପୂଜକ ମାନଙ୍କର ଛୋଟକାଟିଆ ସଭା ବସୁଥିଲା। ଦାଣ୍ଡ ବି ଶୁନ୍ ଶାନି । ଯେଉଁ କେତୋଟି ମୁହଁ ଦିଶୁଥିଲା ସବୁ ଅଚିହ୍ନା ଥିଲା । ଦାଣ୍ଡ ଦୁଆର ଚଢି ଘର ଭିତରକୁ ପଶିଲି ।

ବାଁ ପଟକୁ ଚାହିଁଲି । ଏଠି ଠାକୁର ଘର ଦୁଆରେ ଆଈର ଗୋରା ଦକଦକ ମୁହଁଟା ନଜରରେ ପଡିଲାନି । ଡାହାଣ ପଟକୁ ଚାହିଁଲି । ପିଣ୍ଡା ଉପରେ ଅଜା ବସୁଥିବା ଖଟଟା ତ ପଡିଛି ମାତ୍ର ଅଜା ନାହାନ୍ତି ।

ମୁଁ ଜାଣିଛି । ଅଜା ଆଈ ଆଉ କେବେବି ଫେରିବେନି ତାଙ୍କ ନାତିକୁ ହସି ହସି ଘର ଭିତରକୁ ପାଛୋଟି ନେବାକୁ । ମାମୁଁଙ୍କ ବୋହୁ ଅଗଣାକୁ ବାହାରି ଆସି ମୋତେ ଅଚିହ୍ନା ପାଇ ପୁଣି ଘର ଭିତରକୁ ପଶିଗଲେ । ଆଠ ବର୍ଷର ପୁଅଟି ଆସି ପଚାରିଲା... ଆପଣ କାହାକୁ ଖୋଜୁଛନ୍ତି ? ମୁଁ କିଛି ଉତ୍ତର ଦେବା ପୂର୍ବରୁ ପାଟି ଶୁଣି ମାମୁଁ ବାହାରି ଆସିଲେ ଅଗଣାକୁ । ମୋତେ ଅନେକ ଦିନ ପରେ ଦେଖି ଖୁସିରେ ତାଙ୍କ ମୁହଁ ଝଲସି ଉଠିଲା ।ମୁଁ ନମସ୍କାର କଲି ମୁଣ୍ଡନୁଆଁଇ । ସେ ପାଟିକରି କହିଲେ, " ଟିକି ପୁଅ ଆସିଛି ତା ପାଇଁ ଜଳଖିଆ ସଜ କର । ମୁଁ ଜାଣିଲି ବୋହୁଟି ଉଦ୍ଦେଶ୍ୟରେ ତାଙ୍କର ଏ କଥା । ମାଇଁ ପାଗଳୀ । ବାଡିପଟ ଖଞ୍ଜାରେ ଥିବେ । ଅଜାଙ୍କର ଛଅ ଝୀଅରେ ଗୋଟିଏ ପୁଅ । ମୁଁ ବଡ ଆଡୁ ଦୁଇ ନମ୍ବର ଝୀଅର ପୁଅ ।

ମାମୁଁଙ୍କୁ ଦେହ କଥା ପଚାରିଲି । ମୁଁ ନେଇଥିବା ହର୍ଲିକ୍ସ୍ ଫଳ ମୂଳ ସବୁକୁ ଆଗ୍ରହର ସହ ଦେଖିଲେ ମାତ୍ର କିଛି ଖାଇଲେନି । ମାମୁଙ୍କ ବୋହୁ ମାନେ ମୋର ଭାଉଜ ହେବେ,ଥଣ୍ଡା ଗ୍ଲାସ୍ ଟି ଟେବୁଲ ଉପରେ ଥୋଇ ଓଢଣା ଟାଣି ଚାଲିଗଲେ। ମାମୁଁଙ୍କ ପୁଅ ଘରେ ନଥିଲେ । ମୁଁ ଥଣ୍ଡା ପିଇସାରି ଉଠି ଠିଆହେଲି । ପୁଣି ଥରେ ଆସିବାର କଥାଦେଇ ଫେରିଲି ଗାଁ କୁ । ଅତୀତର କଥାଗୁଡା ମନେପଡି ମନଟା ଗୋଳେଇ ଘାଣ୍ଟି ହେଲା ।

ମୋତେ ଲାଗୁଥିଲା ସତେ ଯେମିତି ମୁଁ ଆଉ କେଉଁଠିକି ଭୁଲ୍ ରେ ଚାଲିଆସିଛି । ଇଏ କଣ ସେଇ ମୋ ମାମୁଁଘର ??? ବିସ୍ମୃତିର ଗର୍ଭରୁ ଘଟଣା ଗୁଡିକ ଟାଣି ଓଟାରି ବାହାର କରିବାକୁ ଚେଷ୍ଟାକରି କେବଳ ଦୀର୍ଘଶ୍ୱାସ ହିଁ ଛାଡୁଥିଲି । ମାମୁଁଘର ,ମୋ ଆଗରୁ ଯେମିତି ହଜିଯାଇଥିବାର ପ୍ରତ୍ୟୟ ହେଉଥିଲା ।


Rate this content
Log in

Similar oriya story from Tragedy