ସମୟ ହାତରେ ଡୋରୀ
ସମୟ ହାତରେ ଡୋରୀ
ପ୍ରଶାନ୍ତର ବାପା ଥିଲେ ବହୁତ ଗରିବ । ଚାଷବାସ କରି ନିଜର ପେଟ ପୋଷନ୍ତି । ଯାହା ଯେତିକି ଅମଳ ହୁଏ ତାଙ୍କର ପରିବାର ହସଖୁସିରେ ଚଳି ଯାଆନ୍ତି । ବାପା ଦିନସାରା ବିଲରେ କାମ କରନ୍ତି । ସନ୍ଧ୍ୟାହେଲେ ରଘୁ ମହାଜନ ଘରକୁ ଯାଇ ତାଙ୍କର ବୋଲହାକ କରନ୍ତି । ତାଙ୍କର କାମ ସିନା କରନ୍ତି କିନ୍ତୁ ତାଙ୍କ ପିଣ୍ଢାକୁ ଉଠିବା ମନା । କଣ ନା ଛୋଟ ଜାତି ସେଠି କାଳେ ପାଦ ପଡିଲେ ତାଙ୍କ ଛୁଆନ୍ତା ଲାଗିଯିବ । ବାହାରେ ବାହାରେ ସେମାନଙ୍କ ଗାଈ ଗୋରୁ ଧନ୍ଦା କରି ବାପା ଘରକୁ ଫେରି ଆସନ୍ତି ।
ସେଥି ପାଇଁ ମଧ୍ୟ ତାଙ୍କୁ କିଛି ପରିଶ୍ରମିକ ମିଳେ ନାହିଁ । କଣ ନା ପାଞ୍ଚ ବର୍ଷ ତଳେ ବନ୍ୟା ଆସିବାରୁ ଚାଷବାସ ସବୁ ଧୋଇଗଲା । ଯେଉଁଥି ପାଇଁ ବାପା ସେମାନଙ୍କ ପାଖରୁ କିଛି କରଜ ଆଣିଥିଲେ । ସେହି ଦିନରୁ ସୁଝୁଛନ୍ତି ଯେ ସୁଝୁଛନ୍ତି ମୂଳ କଣ ସୁଧ ସୁଧା ଏପର୍ଯ୍ୟନ୍ତ କାଳେ ପରିଶୋଧ ହୋଇନି । ମହାଜନ ମାନଙ୍କର କି ହିସାବ କେଜାଣି । ଏମିତି ସୁଧହାର ହିସାବ ଦେଖେଇ ଗରିବ ମାନଙ୍କ ଧନରେ ରାଜୁତି କରୁଛି ରଘୁ ମହାଜନ । ପ୍ରଶାନ୍ତ ମଧ୍ୟ କେତେଥର ବାପାଙ୍କ ସହିତ ସେହି ରଘୁ ମହାଜନ ଘରକୁ ଯାଇଛି । ଛୋଟ ପିଲାଟେ ନିଜ ଅଜାଣତେ ଥରେ ମହାଜନ ଘର ପିଣ୍ଢାକୁ ଉଠି ଯାଇଥିଲା ଯେ ମହାଜନ ଲୋକ ଲଗେଇ ତାଙ୍କୁ କେତେ ପିଟିଲେ । ଟିକେ ବି ଦୟମାୟା ନାହିଁ ତାଙ୍କର । ବାପା ତାଙ୍କର କେତେ କାକୁତି ମିନତି ହେଲା ପରେ ଯାଇ ଛାଡିଥିଲେ । ସେହି ଦିନରୁ ସିଏ ଆଉ କେବେ ମହାଜନ ଘରକୁ ଯାଇନି ।
ପ୍ରଶାନ୍ତ ସେତେବେଳେ ମ୍ୟାଟ୍ରିକ ପରୀକ୍ଷା ଦେବାରେ ଥାଏ । ମହାଜନ ମୁଣ୍ଡରେ କି ବୁଦ୍ଧି ପଶିଲା କେଜାଣି ତାଙ୍କର ଘରଟିକୁ ନିଲାମ କରିଦେଲେ । ସେହିଦିନରୁ ବାପପୁଅ ଦୁହେଁ ପଢ଼ିଆ ଉପରେ ଏକ ଚାଳିଆ କରି ରହୁଥିଲେ । ଆଉ ଏବେ ଏବେ ପ୍ରଶାନ୍ତର ଚାକିରୀ ହେବାରୁ ତାଙ୍କର ଅବସ୍ଥା ସୁଧୁରିଛି । ଛୋଟ ଘରଟେ କିଣିଛନ୍ତି ସେ । ବାପାଙ୍କର ବି ବୟସ ହୋଇଗଲାଣି । ବହୁତ ଦୁଃଖ କଷ୍ଟରେ ବାପା ତାକୁ ମଣିଷ କରିଥିଲେ । ଜୀବନରେ ସୁଖ କଣ ସେ ଜାଣି ନାହାନ୍ତି । ସେଥିପାଇଁ ଦୁଇ ମାସ ତଳେ ପ୍ରଶାନ୍ତ ଗୋଟେ କାର କିଣିଥିଲା । ଭାବିଥିଲା ବାପଙ୍କୁ ବସେଇ ଟିକେ ଭଲ ଭଲ ଜଗା ବୁଲେଇ ଦେଖେଇବ । ବୋହୂଟି ମଧ୍ୟ ବାପାଙ୍କର ଭଲ ସେବା କରୁଥିଲା ।
କାରଟିକୁ ରଖି ସବୁଦିନ ପ୍ରଶାନ୍ତ ବାଇକରେ ଅଫିସ ଯାଏ ।ସେଦିନ ସକାଳୁ ସକାଳୁ ନିଦ ଭାଙ୍ଗିଗଲା ପରେ ପ୍ରଶାନ୍ତ ନିଶ୍ଚୟ କରିଥିଲା ଯେ ଆଜି ଯେମିତି ବି ହେଉ ଗାଡିଟିକୁ ସଫା କରିବ । ଦାଣ୍ଡ ଦୁଆରେ ଥୋଇ ଥୋଇ ଗାଡି ଉପରେ ମଇଳା ପ୍ରରସ୍ତେ ପଡି ଯାଇଛି । ଅଗତ୍ୟା ସେ ହାତରେ କନା ଆଉ ପାଣି ବଲଟି ଧରି ଯାଇ ଗାଡି ଧୋଇବାରେ ଲାଗିଗଲା । ଏହି ସମୟରେ ରାସ୍ତାରେ ଯାଉଥିବ ଗୋଟାଏ ଲୋକ ସେଠାରେ କିଛି ସମୟ ଅଟକି ଗଲା ଆଉ ପ୍ରଶାନ୍ତକୁ କହିଲା "ଆଜ୍ଞା ଟଙ୍କା କୋଡ଼ିଏଟା ଯଦି ଦେବେ,ମୁଁ ଧୋଇଦେବି "ପ୍ରଶାନ୍ତ ତାକୁ ଚାହିଁ କହିଲା,"ତୁମକୁ ଗାଡି ଧୋଇଆସେ ?" ସେ ମୁଣ୍ଡ ହଲାଇ ହଁ ବୋଲି ଜଣାଇଲା । ମନେ ମନେ ପ୍ରଶାନ୍ତ ଭାବୁଥିଲା ମାତ୍ର କୋଡ଼ିଏ ଟଙ୍କାର କଥା । ଗ୍ୟାରେଜକୁ ନେଲେ ଅନ୍ତତଃ ଦେଢ଼ ଶହ ଟଙ୍କା ଚାଲିଯିବ । ସେ ରାଜି ହୋଇଗଲା । ଲୋକଟାକୁ ବାଲଟି ଦେଉ ଦେଉ ପଚାରିଲା ....ଆପଣ ଆମ ଗାଁର ରଘୁ ମହାଜନ ପରି ଦିଶୁଛନ୍ତି । ଆପଣ ପେଟ ପାଇଁ ଏ ବୟସରେ ମଧ୍ୟ କମ କରୁଛନ୍ତି । କିନ୍ତୁ ସେ କେତେ ଜଣଙ୍କ ଆଖିରେ ଲୁହ ଦେଇଛି ତାର ସୀମା ନାହିଁ । ସମସ୍ତଙ୍କ ଧନ ସମ୍ପତ୍ତିକୁ ହାତେଇ ନେଇଛି । କିନ୍ତୁ ଆପଣ ଯେ ମହାନ ଏ ବୟସରେ ମଧ୍ୟ ନିଜର ପେଟ ପୋଷିବାକୁ ସଂଗ୍ରାମ କରୁଛନ୍ତି ।
ଲୋକେଟି ଆଖିରେ ଲୁହ ଆସି ଗଲା । କାନ୍ଦି କାନ୍ଦି କହିଲା ମୁ ସେହି ରଘୁ ମହାଜନ । ସମସ୍ତଙ୍କ ଆଖିରେ ଲୁହରେ ଆଜି ମୋର ଏହି ଅବସ୍ଥା ।ମୁ ଆଜି ଭିକାରୀ ଠୁଁ ମଧ୍ୟ ହିନ । ଅସତ ଉପାୟରେ ଟଙ୍କା ରୋଜଗାର କରୁଛି । ଟ୍ୟାକ୍ସ ମଧ୍ୟ ଭରୁନି । ଏ ଖବର ପାଇଁ ଇନକମ ଟ୍ୟାକ୍ସ ବାଲା ମୋର ମୋ ଘରେ ଚଢ଼ାଉ କରି ମୋର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ସିଜ କରି ନେଲେ ଆଉ ଆଜି ମୁ ଭିକାରୀ ଠାରୁ ମଧ୍ୟ ହୀନ । ଆଜି ମୁ ଭାବୁଛି ଧନ ସମ୍ପତ୍ତି କେବେ ବି ଚିରସ୍ଥାୟୀ ନୁହେଁ । ଦେଖ ମୁ ତୁମକୁ ମୋ ଦାଣ୍ଡକୁ ଉଠେଇ ଦେଉ ନଥିଲି କିନ୍ତୁ ପେଟ ବିକଳରେ ଆଜି ମୁ ତୁମରୁ ପାଖକୁ କାମ କରିବାକୁ ଆସିଛି ।
ପ୍ରଶାନ୍ତ ଭାବୁଥାଏ ସବୁକିଛି ସମୟ ହାତରେ ଡୋରୀ ।