Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସୂର୍ଯ୍ୟଙ୍କର ସପ୍ତମ ଅଶ୍ୱ
ସୂର୍ଯ୍ୟଙ୍କର ସପ୍ତମ ଅଶ୍ୱ
★★★★★

© Ramesh Patra

Others

97 Minutes   974    4


Content Ranking

ସୂର୍ଯ୍ୟଙ୍କର ସପ୍ତମ ଅଶ୍ୱ

      ଧର୍ମବୀର ଭାରତୀ

ଏକ ନୂତନ ଶୈଳୀର ଲଘୁ ଉପନ୍ୟାସ

ଆଗେଇ ଚାଲ

ସୂର୍ଯ୍ୟୋଦୟ ଡେରୀ ଅଛି

ସୂର୍ଯ୍ୟଙ୍କୁ ମୁକ୍ତ କର

ସଂସାର ଆଲୋକିତ ହେଉ

ଦେଖ, ରଥ ଚକ କାଦୁଅରେ ଫସି ଯାଇଛି .

ଆଗେଇଚାଲ ବନ୍ଧୁ .

ସୂର୍ଯ୍ୟଙ୍କ ପକ୍ଷେ ସମ୍ଭବ ନୁହେଁ

ଏକାକୀ ଉଦୟ ହେବା

ଆଣ୍ଠୁ ଶକ୍ତ କରି, ଛାତି ଫୁଲେଇ

ରଥକୁ ମୁକ୍ତ କର,

ଦେଖ ଆମେ ସମସ୍ତେ ତାଙ୍କୁ

ସାହାରା ଦେଉଛୁ .

କାରଣ ଆମେ ସବୁ ସୂର୍ଯ୍ୟଙ୍କର ଅଶ୍ୱ ...............

                                                (ଏଞ୍ଜେଲୋ ସିକେଲିୟ)

ଭୂମିକା

ପ୍ରଥମ ସଂସ୍କରଣରୁ

          ଲେଖକ ବଞ୍ଚିବା ପାଇଁ ଦୁଇଟି ଉପାଦାନର ଆବଶ୍ୟକତା ରହିଛି . ପ୍ରଥମଟି ହେଲା – ଭୂମିକାର ରୂପାୟନ ଓ ଦ୍ୱିତୀୟଟି ହେଲା – ସମବର୍ତ୍ତୀ ଲେଖକମାନଙ୍କ କୃତି ଉପରେ ନିଜର ମତ ପ୍ରକାଶ . ଏଇ ପ୍ରୟାସରେ ଦୁଇଟି ଭୁଲ ହୋଇପାରେ . କିନ୍ତୁ ଏଥିପାଇଁ ମୋର ସାମାନ୍ୟତମ ଦ୍ୱିଧା ନାହିଁ, ଖେଦ ତ ଦୂରର
କଥା . ମୁଁ ସ୍ୱୀକାର କରୁଛି, ଧର୍ମବୀର ହିନ୍ଦୀ ସାହିତ୍ୟର ଉଦୀୟମାନ ପ୍ରତିଭାମାନଙ୍କ ମଧ୍ୟରେ ଅନ୍ୟତମ, ଯାହା ଉପରେ ହିନ୍ଦୀ ସାହିତ୍ୟର ଭବିଷ୍ୟତ ନିର୍ଭର କରୁଛି . ଯାହାଙ୍କୁ ଦେଖି ମୁଁ କହି ପାରିବି ଯେ ହିନ୍ଦୀ ସାହିତ୍ୟରେ ପରିଦୃଷ୍ଟ ଦୀର୍ଘ ତମସାର ଅନ୍ତ ଘଟିଛି .

          ବହୁତ ପ୍ରତିଭାଧାରୀ ଅଛନ୍ତି . ଅନେକ କୃତବିଦ୍ୟମାନେ ବି ଅଛନ୍ତି . ମାତ୍ର ଧର୍ମବୀରଙ୍କର ବିଶେଷତ୍ୱ ରହିଛି .  ସେ କେବଳ ଜଣେ ପରିଶ୍ରମୀ, ରୋଚକ ଲେଖକ ନୁହଁନ୍ତି, ନୂଆ ପିଢୀର ଲେଖକ ମଧ୍ୟରେ ସେ ଜଣେ ମୌଳିକ ଲେଖକ . ଏହାକୁ ପ୍ରଶଂସା କରିବା ପାଇଁ, ମୁଁ ଦୁଇଟି ଭୁଲ ସ୍ୱୀକାର କରୁଛି . ଗୋଟିକକୁ ମୁଁ ସର୍ବଦା ଏଡେଇ ଦେଇ ପାରିଛି . ହଁ, ଦ୍ୱିତୀୟ ଭୁଲ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରିନି, ଏଇଥିପାଇଁକି  ସମକାଳୀନଙ୍କର ଲେଖା ଇଛା ବିରୁଦ୍ଧରେ ପଢୁଛି, ତ ସେ ସମ୍ପର୍କରେ କିଛି ମତାମତ ଦେବା, ବୁଦ୍ଧିମତ୍ତା ଯଦିଓ ନୁହେଁ, ଅସ୍ୱାଭାବିକ ବି ନୁହେଁ .

          ଭାରତୀ ଜିନିୟସ୍ ନୁହଁନ୍ତି . କାହାକୁ ଜିନିୟସ୍ ଅଭିହିତ କରିବା ହେଉଛି ତାଙ୍କ ପ୍ରତିଭାକୁ, ବିଶେଷଣ ମଣ୍ଡିତ କରି ଉଡେଇଦେବା ସଙ୍ଗେ ସମାନ . ଜିନିୟସ୍ କଣ ତାହା ମୋତେ ଜଣା ନାହିଁ . ଲକ୍ଷଣଗୁଡିକ ଜାଣେ . ଅଧିକ ଶ୍ରମ, ସାମର୍ଥ୍ୟ ଓ ଅଧ୍ୟବସାୟ, ବହୁମୁଖୀ କ୍ରିୟାଶୀଳତା, ପ୍ରାଚୁର୍ଯ୍ୟ, ସଦାଜାଗ୍ରତ, ସଦା ନିର୍ମାଣଶୀଳ କଳ୍ପନା, ସତତ ଜିଜ୍ଞାସା ଏବଂ ଅନୁଶୀଳନ, ଦେଶ କାଳ ଏବଂ ଯୁଗ, ସତ୍ୟ ପ୍ରତି ସତର୍କତା, ପରମ୍ପରା ଜ୍ଞାନ, ମୌଳିକତା, ଆତ୍ମ ବିଶ୍ୱାସ ଏବଂ – ହଁ – ଏକ ଗଭୀର ବିନୟ ଭାବ . ଭାରତୀଙ୍କ ଭିତରେ ଏସବୁ ବିଦ୍ୟମାନ, ତାଙ୍କ ଜିନିୟସ୍ ଅନୁପାତରେ ଏସବୁ ନ୍ୟୁନ . ଭାରତୀଙ୍କ କୃତିରେ ଯାହା ପ୍ରତିଭା ସାଙ୍ଗରେ ଆସି ନ ଥାଏ, ତାହା ହେଲା – ହାସ୍ୟ .

ଏ ସମସ୍ତ କଥା ପାଠକମାନେ ବୁଝି ପାରୁଥିନେ, ଯୋଉମାନେ ତାଙ୍କର ଅନ୍ୟ ରଚନା ସବୁ ପାଠ କରିଥିବେ, ଯାହା ମୁଁ ବି ପଢିଛି, ଯିଏ ବି ପଢି ନଥିବା, ସିଏ ଭାବୁଥିବ ଏଇଭଳି ସାଧାରଣ କଥା କହିବାରେ ଲାଭ କଣ,ଯାହାର ମାପ ଦଣ୍ଡ ପ୍ରସ୍ତୁତ ସାମଗ୍ରୀରୁ ହୋଇପାରେନାହିଁ  ? ଏବଂ ସେମାନଙ୍କର ଭାବନା ବି ଠିକ୍ . ଖାଦ୍ୟ – ବାସନ ନ୍ୟାୟ ଯଦି କେଉଁଠି ଉପଯୋଗ ହୁଏ ତ, ମୌଳିକ ପ୍ରତିଭାକୁ ଯାଞ୍ଚ କରିବା ପାଇଁ, ତାର ଛାପ ଛୋଟ ଛୋଟ ଅଲଗା କୃତିରେ ବି ସ୍ପଷ୍ଟ ହୋଇଥାଏ  ; ଏବଂ ‘ସୂର୍ଯ୍ୟଙ୍କର ସପ୍ତମ ଅଶ୍ୱ’ ଉପରେ ମଧ୍ୟ ଧର୍ମବୀରଙ୍କର ବିଶିଷ୍ଟ ପ୍ରତିଭାର ସ୍ପର୍ଶ ଅଛି .

          ସର୍ବପ୍ରଥମ କଥା ହେଲା , ଏହାର ଗଠନ . ବହୁତ ସିଧାସାଧା, ପୁରୁଣାକାଳିଆ, ଯେମିତି ଆପଣ ପିଲାବେଳୁ ଜାଣିଛନ୍ତି  - ଅଲିଫଲୈଲାବାଲା ଢଙ୍ଗ, ପଞ୍ଚତନ୍ତ୍ରବାଲା ଢଙ୍ଗ, ବୌକେଚ୍ଛିୟୋ ବାଲା ଢଙ୍ଗ, ଯେଉଁଥିଲେ ପ୍ରତ୍ୟହ କିସ୍ସାଗୋଇର ମଜା ଜୁଟିଥାଏ, ତାପରେ କାହାଣୀରୁ କାହାଣୀ ବାହାରିଥାଏ .ପୁଣି ଦେଖିଲେ ଏହି ଢଙ୍ଗ ସେହି ଜମାନାର ଯେତେବେଳେ ଫୁରୁସତରେ କରାଯାଉଥିଲା ; ଆଉ କାହାଣୀ ବି ଆରାମରେ ମଜା ନିଆଯାଇ କୁହା ଯାଉଥିଲା . କିନ୍ତୁ ଭାରତୀଙ୍କୁ କଣ ସେମିତି କାହାଣୀ ସେମିତି କହିବା ଅଭୀଷ୍ଟ ଥିଲା ? ନା, ଏହି ସିଧାପଣ ଓ ପୁରୁଣାକାଳିଆ ଢଙ୍ଗ ଏଇଥିପାଇଁ କି ଆପଣଙ୍କ ମଧ୍ୟରେ ଭାରତୀଙ୍କ କଥା ପ୍ରତି ଏକ ଖୋଲାପଣ ଆସିବ . କଥା ତାହା ନୁହେଁ ଯାହା ଫୁରୁସତରେ ସମୟ କାଟିବା ପାଇଁ ବା ମନ ବହଲେଇବା ପାଇଁ, ବରଂ ଏହା ହୃଦୟକୁ ଛୁଇଁ  ଥାଏ ଓ ବୁଦ୍ଧିକୁ ହଲେଇଦେଇଥାଏ . ମୌଳିକତା ଅଦ୍ଭୁତପୂର୍ବ, ପୂର୍ଣ୍ଣ ଶୃଙ୍ଖଳାବିହୀନ ରେ ନୂଆପଣ ନଥାଏ, ପୁରୁଣାରେ ନୂଆ ଜୀବନ ଦେବାରେ ବି ଥାଏ  ( ପୁଣି କେବେ ପୁରୁଣା ଜୀବନକୁ ନୂଆ ଶରୀର ଦେବାରେ ବି ଥାଏ ) ; ଏବଂ ଭାରତୀ ଏହି ବାହାରୁ ପୁରୁଣା ଜଣା ପଡୁଥିବା ଢଙ୍ଗକୁ ବି ବିଲକୁଲ ନୂଆ ଓ ହିନ୍ଦୀରେ ଅଲଗା ଭାବରେ ଉପଯୋଗ କରିଛନ୍ତି . ଆଉ ତାହା କେବଳ ପ୍ରୟୋଗ – କୌତୁକ ପାଇଁ ନୁହେଁ, ବରଂ ଏଥିପାଇଁ ଯେ ସେ ଯାହା କହିବାକୁ ଚାହାନ୍ତି ତାହା ପାଇଁ ଏହା ଉପଯୁକ୍ତ ଢଙ୍ଗ .

‘ସୂର୍ଯ୍ୟଙ୍କର ସପ୍ତମ ଅଶ୍ୱ’ ଗୋଟିଏ କାହାଣୀରେ ଅନେକ କାହାଣୀ ନୁହେଁ, ଅନେକ କାହାଣୀରେ ଗୋଟିଏ କାହାଣୀ ଅଟେ . ଏହା ଏକ ପୂର୍ଣ୍ଣ ସମାଜର ଚିତ୍ର ଓ ଆଲୋଚନା ଅଟେ ; ଏବଂ ଯେମିତି ସେହି ସମାଜର ଅନନ୍ତ ଶକ୍ତି ପରସ୍ପର-ସମ୍ବନ୍ଧିତ, ପରସ୍ପର – ଆଶ୍ରିତ ଓ ପରସ୍ପର – ଜାତ ଅଟେ, ସେମିତି ହିଁ ତାଙ୍କର କାହାଣୀ ସବୁ . ପୁରାତନ ଛବିରେ ଯେମିତି ଗୋଟିଏ ପଲକରେ ପରସ୍ପର କେତେ ଘଟଣାର ଚିତ୍ରଣ କରି, ତାହାର ବର୍ଣ୍ଣନାଶୈଳୀକୁ ସମ୍ପୂର୍ଣ୍ଣ ବନା ଯାଇଥାଏ, ସେଥିରେ ଏକ ଘଟଣା – ଛବିର ସ୍ଥିରତା ବଦଳରେ ଏକ ଘଟଣାକ୍ରମର ପ୍ରବାହମୟତା ଅଣା ଯାଇଥାଏ, ସେହି ପ୍ରକାର ଏହି ସମାଜ-ଚିତ୍ରରେ ଗୋଟିଏ ବସ୍ତୁକୁ କେତେ ସ୍ତରରେ, କେତେ ଲୋକଙ୍କ ଭିତରେ ଓ କେତେ କାଳରେ ଦେଖିବା ଓ ଦେଖେଇବା ପ୍ରଯତ୍ନ କରାଯାଇଛି, ଯେଉଁଥିରେ ସେଥିରେ ଦେଶ ଓ କାଳ ଦୁହିଁଙ୍କର ପ୍ରସାର ପ୍ରତିବିମ୍ବିତ ହୋଇ ପାରିବ . ଲମ୍ବା ଓ ଚଉଡାରେ ଦୁଇ ଦିଗରେ ଫଳକର ଗଭୀରତାର ତୃତୀୟ ଦିଗ ଛାଇ ଦ୍ୱିତୀୟ ଥର ଦେଖା ଦିଆ ଯାଏ ; ସାମାଜିକ ଚିତ୍ରରେ ଦେଶର ତିନି ଦିଗର ଅତିରିକ୍ତ କାଳରେ ବି ଦିଗ ଆବଶ୍ୟକ ହୋଇଥାଏ ଓ ତାକୁ ଦର୍ଶେଇବା ପାଇଁ ଚିତ୍ରକାରକୁ ଅନ୍ୟ ଉପାୟ ଖୋଜିବା ଆବଶ୍ୟକ ହୋଇଥାଏ .

ସେହି ଚିତ୍ର ସୁନ୍ଦର, ପ୍ରୀତିକରି ବା ସୁଖଦ ହୋଇ ନଥାଏ; କାରଣ ସେହି ସମାଜର ଜୀବନ ସେମିତି ନୁହେଁ ଓ ଭାରତୀ ଯଥାଶକ୍ତି ଛବିକୁ ସତ୍ ଭାବରେ ଉପସ୍ଥାପିତ କରିବାକୁ ଚାହିଁଛନ୍ତି . କିନ୍ତୁ ତାହା ଅସୁନ୍ଦର କିମ୍ବା ଅପ୍ରୀତିକର ବି ନୁହେଁ, କାରଣ ନା ଏହା ମୃତ ନା ମୃତ୍ୟୁପୂଜକ ଅଟେ . ସେଥିରେ ଦୁଇଟି କଥା ଅଛି, ଯାହା ତାକୁ ଏହି ବିପଦରୁ ରକ୍ଷା କରିଥାଏ – ଓ ଏହି ସବୁରୁ ଗୋଟିଏ ହିଁ ଯଥେଷ୍ଟ: ଏକେତେ ତାର ହାସ୍ୟ, ଯଦିଓ ଏହା ବଙ୍କା ଏବଂ କେତେବେଳେ କୁଟୀଳ ବା ବିଦ୍ରୁପଭରା  ଅଟେ ; ଦ୍ୱିତୀୟରେ ଏକ ଅଦମ୍ୟ ଓ ନିଷ୍ଠାମୟୀ ଆଶା . ବାସ୍ତବରେ ଜୀବନ ପ୍ରତି ଏହି ସ୍ଥିର ଆସ୍ଥା ହିଁ ସୂର୍ଯ୍ୟଙ୍କର ସପ୍ତମ ଅଶ୍ୱ ଅଟେ, ‘ଯାହା ଆମର ଆକ୍ଷିପତାରେ ଭବିଷ୍ୟତର ସ୍ୱପ୍ନ ଓ ବର୍ତ୍ତମାନର ନବୀନ ଆକଳନ ପଠେଇବା ଅଟେ, ଫଳରେ ଆମେ ସେହି ରାସ୍ତା ବନେଇପାରିବା, ଯାହା ଉପରେ ଭବିଷ୍ୟତର ଘୋଡା ଆସିବ .’ ଏହି ବସ୍ତୁକୁ ଏତେ ସୁନ୍ଦର ଭାବରେ ନିର୍ବାହ କରିବା, ତାର ଗଭୀର ତାତ୍ପର୍ଯ୍ୟକୁ ଏହି ସାହସପୂର୍ଣ୍ଣ ଓ ସଚ୍ଚୋଟ ଢଙ୍ଗରେ ସ୍ୱୀକାର କରିବା, ଓ ସେହି ସ୍ୱୀକୃତିରେ ବି ନ ହାରି ଉଠିବାର ନିଶ୍ଚୟ – ଏହି ସବୁ ‘ସୂର୍ଯ୍ୟଙ୍କର ସପ୍ତମ ଅଶ୍ୱ’କୁ ଏକ ମହତ୍ତ୍ୱପୂର୍ଣ୍ଣ କୃତି ବନେଇଛି .

‘କିନ୍ତୁ କିଛି-ନା-କିଛି ବସ୍ତୁ ଏମିତି ଅଛି, ଯେଉଁଥିରେ ସର୍ବଦା ଅନ୍ଧକାରକୁ ଚିରି କରି ଆଗକୁ ବଢିବାର, ସମାଜ-ବ୍ୟବସ୍ଥାକୁ ବଦଳେଇବା ଓ ମାନବତାର ସହଜ ମୂଲ୍ୟକୁ ପୁଣି ସ୍ଥାପିତ କରିବାର ତାକତ ଓ ପ୍ରେରଣା ଦେଉଛି . ତାକୁ ଆତ୍ମା କୁହ ଅବା ଆଉ କିଛି . ପୁଣି ବିଶ୍ୱାସ, ସାହସ, ସତ୍ୟ ପ୍ରତି ନିଷ୍ଠା, ସେହି ପ୍ରକାଶବାହୀ ଆତ୍ମାକୁ ସେହି ପ୍ରକାରେ ଆଗେଇ ନେଇଥାଏ, ଯେପରିକି ସାତଟି ଘୋଡା ସୂର୍ଯ୍ୟଙ୍କୁ ଆଗେଇ ନେଇଥାନ୍ତି . ’ ଏହି ପୁସ୍ତକର କଥା - ନାୟକ ଓ ମୁଖ୍ୟ ପାତ୍ର ମାଣିକ ମୁଲ୍ଲାର ଶବ୍ଦ ଅଟେ . କୌଣସି ଉକ୍ତିକୁ ନିମିଷକରେ ଏକ ପାତ୍ର ସହିତ ଲେଖକକୁ ସମ୍ପୂର୍ଣ୍ଣ୍  ଭାବରେ ଏକାତ୍ମ କରିବାର ପ୍ରଚଳିତ ମୁର୍ଖତା ମୁଁ କରିବି ନାହିଁ, କିନ୍ତୁ ଏହି ଉକ୍ତିରେ କୁହାଯାଉଥିବା ସେହି ବିଶ୍ୱାସ ସ୍ୱୟଂ ଭାରତୀଙ୍କର ବିଶ୍ୱାସ ଅଟେ, ଏହା ମୋତେ ଲାଗେ ; ଏବଂ ସେହି ବିଶ୍ୱାସ ଆମ ସମସ୍ତଙ୍କ ଭିତରେ ଅତୁଟ ରହୁ, ଏହା ମୋର କାମନା ଅଟେ .

ବସନ୍ତ ପଞ୍ଚମୀ, ୱି . ସଂ . 2008 - ଅଜ୍ଞେୟ

ପ୍ରସ୍ତାବନା

            ସର୍ବପ୍ରଥମେ ମୁଁ ଆପଣଙ୍କ ସମ୍ମୁଖରେ ମାଣିକ ମୁଲ୍ଲାଙ୍କ ଅଦ୍ଭୁତ ନିଷ୍କର୍ଷବାଦୀ ପ୍ରେମ କାହାଣୀ ଆଧାରିତ ସୂର୍ଯ୍ୟଙ୍କର ସପ୍ତମ ଅଶ୍ୱ ଉପସ୍ଥାପନା କରୁଛି . ଭଲ ହେବ ଯେ ପ୍ରଥମେ ଆପଣ ଜାଣିବା ଉଚିତ ମାଣିକ ମୁଲ୍ଲା କିଏ ; ଆମର ତାଙ୍କ ସହିତ କୋଉଠି ସାକ୍ଷାତ ? ତାଙ୍କର ପ୍ରେମ କାହାଣୀ ଆମ ଆକ୍ଷି ଆଗକୁ କିପରି ଆସିଲା ? ପ୍ରେମ ସମ୍ପର୍କରେ ତାଙ୍କର ଧାରଣା ଓ ଅନୁଭବ କଣ ? ତଥା କାହାଣୀର ଟେକନିକ୍ (ଶୈଳୀ)ରେ ତାଙ୍କର ମୌଳିକ ଉଦ୍ଭାବନ କଣ ରହିଥିଲା ?

          “ଥିଲା”ର ପ୍ରୟୋଗ ଏଇଥିପାଇଁ କିରଛି ଯେ ମୋତେ ଜଣାନାହିଁ, ସମ୍ପ୍ରତି ସେ କେଉଁଠି ଅଛନ୍ତି , କଣ କରୁଛନ୍ତି ? ତାଙ୍କ ସହିତ କେବେ ସାକ୍ଷାତ ହେବ କି ନାହିଁ ; ଯଦି ସତରେ ସେ କେଉଁଠି ନିଖୋଜ ହୋଇଯାଇଛନ୍ତି, ତେବେ ତାଙ୍କ ସହିତ ତାଙ୍କର ଏହି ଅଦ୍ଭୁତ କାହାଣୀସୁବ ନିଖୋଚ ନ ହୋଇଯାଉ, ସେଥିପାଇଁ ମୁଁ ସେଗୁଡିକୁ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରି ଦେଉଛି .

          ଏକଦା ସେ ଆମ ସମାଜରେ ଜଣେ ପ୍ରସିଦ୍ଧ ବ୍ୟକ୍ତି ଥିଲେ . ସେଠାରେ ଜନ୍ମ ହେଲେ, ବଡ ହେଲେ, ସେଠାରେ ସୁନାମ ପାଇଲେ ଓ ସେଠାରେ ହିଁ ନିଖୋଜ ହୋଇଗଲେ . ଆମର ମହଲା ବହୁତ ବଡ ଅଟେ, କେତେ ଭାଗରେ ବିଭକ୍ତ ହୋଇଛି ଓ ସେ ସେହି ଭାଗର ଅଧିବାସୀ ଥିଲେ ସବୁଠାରୁ ଅଧିକ ରଙ୍ଗୀନ ଓ ରହସ୍ୟମୟ ଓ ଯାହାର ନୂଆ ଓ ପୁରୁଣା ପୀଢି ଉଭୟଙ୍କ ସମ୍ବନ୍ଧରେ ଅଦ୍ଭୁତ କିମ୍ପଦନ୍ତୀ ପାଇଁ ପ୍ରସିଦ୍ଧ .

          ମୁଲ୍ଲାଙ୍କର ସାଂଜ୍ଞା ନଥିଲା, ଜାତି ଥିଲା . କାଶ୍ମୀରର ଲୋରକ . କେତେ ପୁରୁଷ ଧରି ସେମାନେ ଏଠି ରହି ଆସୁଥିଲେ . ତାଙ୍କର ଭାଇ – ଭାଉଜଙ୍କ ସହ ସେ ରହୁଥିଲେ . ଭାଇ – ଭାଉଜଙ୍କ ବଦଳି ହୋଇଯାଇଥିଲା ଏବଂ ସେ ସମ୍ପୂର୍ଣ୍ଣ ଏକୁଟିଆ ରହୁଥିଲେ . ଏତେ ସାଂସ୍କୃତିକ ସ୍ୱାଧୀନତା ତଥା କମ୍ୟୁନିଜମ୍ ଏକତ୍ର ତାଙ୍କ ଘରେ ଥିଲା ଯେ ଯଦିଓ ଆମେ ତାଙ୍କଠୁଁ ଦୂରରେ ରହୁଥିଲୁ, ତଥାପି ବି ସେହିଠାରେ ସମସ୍ତଙ୍କର ଆଡ୍ଡା ଜମୁଥିଲା . ଆମେ ତାଙ୍କୁ ଗୁରୁ ଭଳି ମାନୁଥିଲୁ ଏବଂ ତାଙ୍କର ଆମ ପ୍ରତି ପ୍ରଗାଢ ସ୍ନେହ ଥିଲା . ସେ ଚାକିରୀ କରୁଥିଲେ କିମ୍ବା ପଢୁଥିଲେ କି କେଉଁଠାରେ ଚାକିରୀ କରୁଥିଲେ ବା ପଢୁଥିଲେ, ତାହା ଆମକୁ ଜଣା ନ ଥିଲା . ତାଙ୍କ ଘରେ ବହିପତ୍ରର ଚିହ୍ନ ବର୍ଣ୍ଣ କିଛି ନ ଥିଲା . ହଁ କିଛି ଅଦ୍ଭୁତ ପ୍ରକାରର ଜିନିଷ ଥିଲା, ଯାହା ଅନ୍ୟମାନଙ୍କ ପାଖରେ ଦୁଷ୍ପ୍ରାପ୍ୟ . ଉଦାହରଣ ସ୍ୱରୂପ ପାଚେରୀ ଉପରେ ଗୋଟିଏ ପୁରୁଣା କାଳିଆ ଫ୍ରେମରେ ଗୋଟିଏ ଫୋଟ ଟଙ୍ଗା ଯାଇଥିଲା : “ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଖାଇବା ଆବଶ୍ୟକ” ଲେଖାଥିଲା . ଏକ ପାଖରେ କଳା ବେଣ୍ଟର ସୁନ୍ଦର ଚାକୁ ଥିଲା . ଘରର ଗୋଟିଏ କୋଣରେ ଘୋଡାର ପୁରୁଣା ନାଲଟେ ପଡିଥିଲା . ଏଇ ଭଳି ଭାବରେ କେତେକ ଅଜବ ଦ୍ରବ୍ୟମାନ ସେ ଘରେ ଥିଲା, ଯାହାର ଉପଯୋଗୀତା ଆମେ କେବେ ବୁଝିପାରୁ ନ ଥିଲୁ . ଏହା ସହିତ ଆମେ ବହୁତ ଆଗ୍ରହ ଯଦି ଅନ୍ୟ କିଛି ପ୍ରତି ପ୍ରକାଶ କରୁଥିଲୁ, ତାହା ଥିଲା, ଶୀତ ଦିନେ ବାଦାମ ଓ ଖରାଦିନେ ଖରବୁଜ ଯାହା ସବୁବେଳେ ସେଠାରେ ଗଛିତ ଥିଲା ଓ ପରିଣାମ ସ୍ୱରୂପ ଆମେ ବି ସବୁବେଳେ ସେଠାରେ ହିଁ ଉପସ୍ଥିତ ରହୁଥିଲୁ .

          ଯଦି ଫୁରୁସତ୍ ଥାଏ, ପୁରା ଘର ନିଜ ଅଧିକାରେ ଥାଏ, ଚାରି ଜଣ ବନ୍ଧୁ ବସିଥାନ୍ତି, ତେବେ ଏହା ନିଶ୍ଚିତ ଯେ କଥାବାର୍ତ୍ତା ବୁଲି ବୁଲି କରି ଆସି ରାଜନୀତି ଉପରେ ହିଁ ସ୍ଥିର ହୋଇଥାଏ ଓ ଯେତେବେଳେ ରାଜନୀତିରେ ଆଗ୍ରହ ଶେଷ ହେବାରେ ଲାଗିବ, ତେବେ ସମୂହର କଥା ‘ପ୍ରେମ’ ଉପରେ ଆସି ସ୍ଥିର ହୋଇଯିବ . ଅନ୍ତତଃ ମଧ୍ୟବିତ୍ତ ଶ୍ରେଣୀରେ ତ ଏହି ଦୁଇ ବିଷୟ ବ୍ୟତୀତ ତୃତୀୟ ବିଷୟ ନ ଥାଏ . ମାଣିକ ମୁଲ୍ଲାଙ୍କର ପାଣ୍ଡିତ୍ୟ ଯେତିକି ରାଜନୀତିରେ ଥିଲା, ସେତିକି ପ୍ରେମରେ ବି ଥିଲା . ମାତ୍ର ସାହିତ୍ୟ କ୍ଷେତ୍ରରେ ସିଏ ପ୍ରେମର ହିଁ ଉଦାହରଣ ଦେଉଥିଲେ .

          ପ୍ରେମ ବିଷୟରେ ଆଲୋଚନା କରିବା ସମୟରେ ସେ କେବେ କେବେ ଢଗ ଢମାଳୀକୁ ଅଦ୍ଭୁତ ଭାବରେ ଉପଯୋଗ କରୁଥିଲେ ଓ ସେଥି ମଧ୍ୟରୁ କାହିଁକି କେଜାଣି ଗୋଟିଏ ଏବେବି ମୋ ମନରେ ଅଛି, ଯଦିଓ ତାହାର ଠିକ୍ ଅର୍ଥ ନା ମୁଁ ସେତେବେଳେ ଜାଣିଥିଲି ନା ଏବେ !  ପ୍ରାୟତଃ ପ୍ରେମର ତିକ୍ତ – ମଧୁର ଅନୁଭବରେ ଆମମାନଙ୍କର ଜ୍ଞାନବର୍ଦ୍ଧନ କରିବା ପରେ ଖରବୁଜ କାଟୁ କାଟୁ କହୁଥିଲେ, ‘ପ୍ରିୟ ବନ୍ଧୁଗଣ ! କଥାରେ ଯାହା ହେଉନା କାହିଁକି, ପ୍ରେମରେ ଖରବୁଜ ଚାକୁ ଉପରେ ପଡୁ କିମ୍ବା ଚାକୁ ଖରବୁଜ ଉପରେ, କ୍ଷତି ସର୍ବଦା ଚାକୁର ହିଁ ହୋଇଥାଏ . ଏଣୁ ଯାହାର ବ୍ୟକ୍ତିତ୍ୱ ଚାକୁ ପରି ତୀକ୍ଷ୍ମ ଓ ଧାରୁଆ ଅଟେ. ତାହା ସହ ସବୁ ପରିସ୍ଥିତିରେ ଝଗଡା ଠାରୁ ଦୂରେଇ ରହିବା ଉଚିତ .’ ଏପରି ଅନ୍ୟ ଢଗ ଥିଲା, ଯାହା ମନେ ପଡିଲେ ପରେ ଲେଖିବି .

          କିନ୍ତୁ କାହାଣୀ ସମ୍ପର୍କିତ ପ୍ରଶ୍ନ ଉଠିଲେ, ତାଙ୍କର ନିଶ୍ଚିତ ଧାରଣା ଥିଲା ଯେ କାହାଣୀର ସମସ୍ତ ବିଭାଗରୁ ପ୍ରେମ କାହାଣୀ ହିଁ ସବୁଠାରୁ ସଫଳ ପ୍ରମାଣିତ ହୋଇଛି, ତେଣୁ କାହାଣୀରେ ପ୍ରୀତିର ଅଂଶ ନିଶ୍ଚୟ ରହିବା ଆବଶ୍ୟକ . କିନ୍ତୁ ତା ସହ ଆମେ ଆମର ଦୃଷ୍ଟିକୋଣକୁ ସଙ୍କୁଚିତ ନ କରିବା ଆବଶ୍ୟକ ଏବଂ କିଛି ଏମିତି ଚମତ୍କାର କରିବା ଆବଶ୍ୟକ ଯାହା ସମାଜ ପାଇଁ କଲ୍ୟାଣକାରୀ ଅଟେ .

          ଯେତେବେଳେ ଆମେ ପଚାରୁଥିଲୁ ଯେ ପ୍ରେମ କାହାଣୀ କିପରି ଏକ ସମୟରେ ପ୍ରେମ ଓ ସମାଜର କଲ୍ୟାଣକାରୀ ହୋଇପାରିବ, ସେ ତାର ଉତ୍ତରରେ କହୁଥିଲେ ଯେ ଏହା ହିଁତ ଚମତ୍କାର ଅଟେ ତୁମ ମାଣିକ ମୁଲ୍ଲାଙ୍କର , ଯାହା ଅନ୍ୟ ଗାଳ୍ପିକଙ୍କ ଠାରେ ନାହିଁ .

          ଯଦିଓ ସେ ସେହି ସମୟ ପର୍ଯ୍ୟନ୍ତ ଗୋଟିଏ ବି କାହାଣୀ ଲେଖି ନ ଥିଲେ , ତଥାପି ବି କାହାଣୀ ବିଷୟରେ ତାଙ୍କର ଗଭୀର ଅଧ୍ୟୟନ ଥିଲା (ଅନ୍ତତଃ ଆମମାନଙ୍କୁ ଏପରି ଲାଗୁଥିଲା) ଓ ତାଙ୍କର କାହାଣୀ କଳା ଉପରେ ପୂର୍ଣ୍ଣ ଅଧିକାର ଥିଲା .

          କାହାଣୀର ଟେକନିକ୍ ସମ୍ବନ୍ଧରେ ତାଙ୍କର ସର୍ବ ପ୍ରଥମ ସିଦ୍ଧାନ୍ତ ଥିଲା ଯେ ଆଧୁନିକ କାହାଣୀରେ ଆରମ୍ଭ, ମଧ୍ୟ କିମ୍ବା ଶେଷ, ଏହି ତିନି ଭାଗରୁ କୌଣସି ନା କୌଣସି ତତ୍ତ୍ୱ ଅବଶ୍ୟ ଛାଡି ହୋଇଯାଏ . ତାଙ୍କର କହିବାର ଥିଲା ଯେ ଯେଉଁ କାହାଣୀରେ ଆରମ୍ଭରେ ଆରମ୍ଭ, ମଧ୍ୟରେ ମଧ୍ୟ ଓ ଶେଷରେ ଶେଷ ଥାଏ, ସେହି କାହାଣୀ ହିଁ ପୂର୍ଣ୍ଣ ଅଟେ .  ତାଙ୍କ ମତରେ ଗଳ୍ପର ଆଦ୍ୟ ହେଉଛି ତାହା, ଯାହା ପୂର୍ବରୁ କିଛି ଘଟି ନ ଥାଏ . ପରେ ମଧ୍ୟ ଆସେ . ମଧ୍ୟ ତାହା ଅଟେ, ଯାହା ପୂର୍ବରୁ ଆରମ୍ଭ ଅଛି ଓ ପରେ ଶେଷ ଅଛି . ଶେଷ ତାହାକୁ କହନ୍ତି, ଯାହା ପୂର୍ବରୁ ମଧ୍ୟ ଅଛି ଓ ପରି ଅଦରକାରୀ ବାକ୍ସ

କାହାଣୀର ଟେକନିକ ସମ୍ବନ୍ଧରେ ତାଙ୍କର ସବୁଠାରୁ ଦ୍ୱିତୀୟ ସିଦ୍ଧାନ୍ତ ଥିଲା ଯେ କାହାଣୀ ଛାୟାବାଦୀ ହେଉ କିମ୍ବା ପ୍ରଗତିବାଦୀ, ଐତିହାସିକ ହେଉ ଅବା ଅଣଐତିହାସିକ, ସମାଜବାଦୀ ହେଉ ଅବା ମୁସଲିମଲିଗି, କିନ୍ତୁ ସେଥିରୁ କୌଣସି ନା କୌଣସି ସାର ଅବଶ୍ୟ ବାହାରିବା ଦରକାର . ସେହି ସାର ସମାଜ ପାଇଁ କଲ୍ୟାଣକାରୀ ହେବା ଉଚିତ, ଏହା ତାଙ୍କ ନିଶ୍ଚିତ ମତ ଥିଲା ଓ ସେଥିପାଇଁ ସେ ଯଦିଓ ଜୀବନ ସାରା କୌଣସି କାହାଣୀ ଲେଖିନାହାନ୍ତି, ତଥାପି ବି ସେ ନିଜକୁ କଥା ସାହିତ୍ୟରେ ନିଷ୍କର୍ଷବାଦର ପ୍ରବର୍ତ୍ତକ ବୋଲି ଭାବୁଥିଲେ . କଥା ଶିଳ୍ପର ପୁରା ପ୍ରଣାଳୀ ବିଷୟରେ ତାଙ୍କର ମତ ଏହି ପ୍ରକାରେ :

କିଛି ଚରିତ୍ର ନିଆଯାଉ ଓ ପ୍ରଥମରୁ ହିଁ ଏହାର ନିଷ୍କର୍ଷ ବିଷୟରେ ଚିନ୍ତା କରାଯାଉ, ଯେପରିକି...... ଅର୍ଥାତ୍ ଯାହା ବି ନିଷ୍କର୍ଷ ବାହାରୁ, ପୁଣି ନିଜ ଚରିତ୍ର ଉପରେ ଏତେ ଅଧିକାର ରଖ, ଏତେ ଶାସନ ରଖ, ଯେ ସେ ନିଜେ ନିଜେ ହିଁ ପ୍ରେମର ଚକ୍ରରେ ଧନ୍ଦି ହୋଇଯିବେ ଓ ଶେଷରେ ସେହି ନିଷ୍କର୍ଷରେ ପହଞ୍ଚିବେ, ଯାହା ତୁମେ ପ୍ରଥମରୁ ହିଁ ସ୍ଥିର କରି ରଖିଛ .

ମୋ ମନରେ ପ୍ରାୟତଃ ଏହି କଥା ଉପରେ ଶଙ୍କା ବି ଆସେ, କିନ୍ତୁ ନିଷ୍କର୍ଷବାଦ ବିଷୟରେ ସେ ମୋତେ କହିଲେ ଯେ ହିନ୍ଦୀରେ ଅନେକ କାହାଣୀକାର ଏଥିପାଇଁ ପ୍ରସିଦ୍ଧ ହୋଇ ଯାଇଛନ୍ତି, କାରଣ ସେମାନଙ୍କ କାହାଣୀରେ ଗଳ୍ପ ଯଦିଓ ଛୋଟାଉଥାଉ, ଚରିତ୍ର ଯଦିଓ କୋମଳ ଥାଉ, କିନ୍ତୁ ସାମାଜିକ ତଥା ରାଜନୈତିକ ନିଷ୍କର୍ଷ ସର୍ବଦା ଅଦ୍ଭୁତ ହୋଇଥାଏ .

ମୋର ଦ୍ୱିତୀୟ ସନ୍ଦେହ କଥାବସ୍ତୁର ପ୍ରେମ ସମ୍ବନ୍ଧୀୟ ଆବଶ୍ୟକତା ବିଷୟରେ ଥିଲା . ମୁଁ ପ୍ରାୟ ଭାବୁଥିଲି ଯେ, ଜୀବନରେ ଅଧିକରୁ ଅଧିକ ଦଶ ବର୍ଷ ଏପରି ଅଟେ, ଯେତେବେଳେ ଆମେ ପ୍ରେମ କରିଥାଉ . ସେହି ଦଶ ବର୍ଷରେ ଖାଇବା – ପିଇବା, ଆର୍ଥିକ ସଂଘର୍ଷ, ସାମାଜିକ ଜୀବନ, ପଢା – ଲେଖା, ବୁଲାବୁଲି, ସିନେମା ଓ ସାପ୍ତାହିକ ପତ୍ର, ମିତ୍ର – ଗୋଷ୍ଠୀ : ଏହି ସବୁରୁ ଯେତେ ସମୟ ବଞ୍ଚେ, ସେଥିରେ ପ୍ରେମ କରିଥାଉ . ତେବେ ଏହାକୁ ଏତେ ମହତ୍ତ୍ୱ ଦିଆଯାଏ କାହିଁକି ? ଜୁଆ, ଅନ୍ୱେଷଣ, ଶୀକାର, ବ୍ୟାୟାମ, ମୋଟରସାଇକେଲ ଚଲେଇବା, ନିତି – ରୋଜଗାର, ଘୋଡାଗାଡି ଓ ପତ୍ର ସମ୍ପାଦକ, ଶହ ଶହ ବିଷୟ ଅଛି, ଯାହାଉପରେ କାହାଣୀ ଲେଖା ଯାଇପାରେ . ତେବେ ପୁଣି ପ୍ରେମ ବିଷୟରେ କାହିଁକି ଲେଖା ଯିବ ?       

ଯେତେବେଳେ ମୁଁ ମାଣିକ ମୁଲ୍ଲାଙ୍କୁ ଏହା ପଚାରିଲି, ସେ ଭାବୁକ ହୋଇଗଲେ ଓ କହିଲେ, ‘ତୁମକୁ ବଙ୍ଗଳା ଆସୁଛି ?’ ମୁଁ କହିଲି, ‘ନାଁ, କାହିଁକି ?’ ସେ ଦୀର୍ଘ ନିଶ୍ୱାସ ନେଇ କହିଲେ, ‘ଟାଗୋରଙ୍କ ନାଁ ତ ଶୁଣିଥିବ ! ସେ ଲେଖିଛନ୍ତି, ‘ଆମାର ମାଝାରେ ଜୋ ଆଛେ ସେ ଗୋ କୋନୋ ବିରହିଣୀ ନାରୀ !’ ଅର୍ଥାତ୍ ମୋ ମନ ଭିତରେ ଯିଏ ଅଛି, ସେ ଜଣେ ବିରହିଣୀ ନାରୀ ଓ ସେହି ବିରହିଣୀ ନାରୀ ନିଜ କଥା କହିଥାନ୍ତି – ବାରମ୍ବାର, ବିଭିନ୍ନ ପ୍ରକାରେ .’ ଆଉ ପୁଣି ନିଜ ମତକୁ ବ୍ୟାଖ୍ୟା କରିବାକୁ ଯାଇ କହିଲେ ବିରହିଣୀ ନାରୀ ବି ଅନେକ ପ୍ରକାର ହୋଇଥାନ୍ତି – ଅନୁଢା ବିରହିଣୀ, ବିବାହିତା ବିରହିଣୀ, ମୁଗ୍ଧା ବିରହିଣୀ, ପ୍ରୌଢା ବିରହିଣୀ ଇତ୍ୟାଦି . ତଥା ବିରହ ବି ଅନେକ ପ୍ରକାର ହୋଇଥାଏ – ବାହ୍ୟ ପରିସ୍ଥିତିଜନିତ, ଆନ୍ତରିକ – ମନସ୍ଥିତିଜନିତ ଇତ୍ୟାଦି . ଏହି ସବୁ ଉପରେ କାହାଣୀ ଲେଖା ଯାଇପାରେ ; ଓ ମାଣିକ ମୁଲ୍ଲାଙ୍କର ଚମତ୍କାରୀ ଏହା ଥିଲା ଯେ ଯେପରି ବାଜିଗର ମୁହଁରୁ ଆମ୍ବ ବାହାର କରିଦେଇପାରେ, ସେହିପରି ସେ ଏହି କାହାଣୀ ସବୁରୁ ସାମାଜିକ କଲ୍ୟାଣର ନିଷ୍କର୍ଷ ବାହାର କରିଦେଇପାରୁଥିଲେ .

ଯଦିଓ ମାଣିକ ମୁଲ୍ଲାଙ୍କ ବିଷୟରେ ପ୍ରକାଶକଙ୍କ ମତ ଥିଲା ଯେ, ‘ବନ୍ଧୁ ! ହେଉ କି ନ ହେଉ, ମାଣିକ ମୁଲ୍ଲାଙ୍କର ମଧ୍ୟ ହିନ୍ଦୀର ଅନ୍ୟ କାହାଣୀକାରଙ୍କ ଭଳି ନାରୀ ପ୍ରତି ଦୁର୍ବଳତା ଅଛି ! ’ କିନ୍ତୁ ଏହା ସେ କେବେ ବି ମାଣିକ ମୁଲ୍ଲାଙ୍କ ସାମ୍ନାରେ କହିବାର ସାହସ କରୁ ନଥିଲେ ଯେ ସେ ତାହାର ଠିକ୍ ଠିକ୍ ଉତ୍ତର ଦେଇପାରିବେ ଓ ଯେ ପର୍ଯ୍ୟନ୍ତ ମୋ କଥା ଆସୁଛି, ତାଙ୍କ ବିଷୟରେ ମୁଁ ଠିକ ନିର୍ଣ୍ଣୟ ନେଇ ପାରି ନାହିଁ . ଏହାର ନାମ ‘ସୂର୍ଯ୍ୟଙ୍କର ସପ୍ତମ ଅଶ୍ୱ’ କାହିଁକି ରଖାଗଲା, ଏହାର ସ୍ପଷ୍ଟୀକରଣ ବି ମୁଁ ଶେଷରେ ଦେଇ ଦେଇଛି .

ହଁ, ଆପଣ ମୋତେ ଏଥିପାଇଁ କ୍ଷମା କରିବେ ଯେ ତାଙ୍କର ଶୈଳିରୀ ପ୍ରଚଳିତ ଭାଷାର ପ୍ରଧାନତା ଅଛି ଓ ମୋର ଅଭ୍ୟାସ ଅନୁସାରେ ତାଙ୍କର ଭାଷା, ପ୍ରୀତି ଭରା, ଚିତ୍ରାତ୍ମକ, ଇନ୍ଦ୍ରଧନୁର ରଙ୍ଗ ଭରା ଓ ଫୁଲରେ ସଜେଇ ହୋଇ ନାହିଁ . ଏହାର ମୁଖ୍ୟ କାରଣ ହେଉଛି, ଯେ ସେ କାହାଣୀ ସବୁ ମାଣିକ ମୁଲ୍ଲାଙ୍କର ଅଟେ, ମୁଁ କେବଳ ପ୍ରସ୍ତୁତ କର୍ତ୍ତା . ତେଣୁ ଯେମିତି ତାଙ୍କ ଠାରୁ ଶୁଣିଛି, ତାକୁ ଯଥାସମ୍ଭବ ସେମିତି ହିଁ ପ୍ରସ୍ତୁତ କରିବାର ଚେଷ୍ଚା କରୁଛି .

ପ୍ରଥମ ଦୁଇପହର

ଲୁଣ ପରିଶୋଧ

ଅର୍ଥାତ୍ ଜମୁନାର ଋଣ ମାଣିକ କିପରି ପରିଶୋଧ କଲା

          ସେ ସର୍ବପ୍ରଥମ କାହାଣୀ ଦିନେ ବହୁତ ଗରମ୍ ଥିବା ଦୁଇ ପହରରେ ଶୁଣେଇଥିଲେ,   ଯେତେବେଳେ ଆମେମାନେ ଲୁ ଭୟରେ ଘରକୁ ଚାରିପଟୁ ବନ୍ଦ କରି, ମୁଣ୍ଡ ତଳେ ଓଦା ତଉଲିଆ ରଖି ଚୁପ୍ ଚାପ୍ ଗଡୁଥିଲୁ . ପ୍ରକାଶ ଓ ଓଁକାର ତାସର ପତା ବାଣ୍ଟୁଥିଲେ ଓ ମୁଁ ମୋ ଅଭ୍ୟାସ ଅନୁଯାୟୀ ଗୋଟିଏ ବହି ପଢିବାକୁ ଚେଷ୍ଟା କରୁଥିଲି . ମାଣିକ ମୋ ବହିକୁ ଛଡେଇ ନେଇ ଫିଙ୍ଗି ଦେଲେ ଓ ମାନ୍ୟ ବ୍ୟକ୍ତିଙ୍କ ସ୍ୱରରେ କହିଲେ,  ‘ଏ ପିଲା ପୁରା ଖରାପ ହେଇଯିବ. ମୋ ପାଖରେ ବସି ଅନ୍ୟର ଗଳ୍ପ ପଢୁଛି . ଛିଃ . କହ କେତେ କାହାଣୀ ଶୁଣିବୁ ? ’ ସମସ୍ତେ ଉଠି ବସିଲେ ଓ ମାଣିକ ମୁଲ୍ଲାଙ୍କୁ ଗଳ୍ପ ଶୁଣେଇବା ପାଇଁ ଅନୁରୋଧ କଲେ . ଶେଷରେ ମାଣିକ ମୁଲ୍ଲା ଗୋଟିଏ କାହାଣୀ ଶୁଣେଇଲେ, ଯେଉଁଥିରେ କି ତାଙ୍କ କଥାନୁସାରେ ସେ ତାର ବିଶ୍ଲେଷଣ କରିଥିଲେ ଯେ ପ୍ରେମ ନାମକ ଭାବନା କେଉଁ ରହସ୍ୟମୟ, ଆଧ୍ୟାତ୍ମିକ ଅବା ସର୍ବଦା ବ୍ୟକ୍ତିଗତି ଭାବନା ନ ହୋଇ ବାସ୍ତବରେ ଏକ ସର୍ବଦା ମାନବୀୟ ସାମାଜିକ ଭାବନା ଅଟେ, ତେଣୁ ସମାଜ ବ୍ୟବସ୍ଥା ଦ୍ୱାରା ଅନୁଶାସିତ ହୋଇଥାଏ  ଓ ତାର ମୂଳଦୁଆ ଆର୍ଥିକ ଓ ଜାତି ସମ୍ବନ୍ଧ ଉପରେ ସ୍ଥାପିତ ହୋଇଥାଏ .

          ନିୟମାନୁସାରେ ପ୍ରଥମେ ସେ କାହାଣୀର ଶୀର୍ଷକ ଦେଲେ ‘ଲୁଣ ପରିଶୋଧ’ . ଏହି ଶୀର୍ଷକ ଉପରେ ଉପନ୍ୟାସ ସମ୍ରାଟ ପ୍ରେମଚାନ୍ଦଙ୍କର ‘ଲୁଣ ତଦାରଖକାରୀ’ର ବହୁତ ପ୍ରଭାବ ପଡିଛି ବୋଲି ଜଣାପଡୁଛି, କିନ୍ତୁ କଥାବସ୍ତୁ ସର୍ବଦା ମୌଳିକ ଥିଲା . କାହାଣୀ ଏହି ପ୍ରକାରେ ଥିଲା –

          ମାଣିକ ମୁଲ୍ଲାଙ୍କର ଘର ପାଖରେ ଏକ ପୁରୁଣା କୋଠା ଘର ଥିଲା, ଯାହାର ପଛରେ ଛୋଟ ଅଗଣାଟିଏ ଥିଲା . ଅଗଣାରେ ଗାଈ ରହୁଥିଲା ଓ କୋଠାରେ ଗୋଟେ ଝିଅ . ଝିଅର ନାଁ ଯମୁନା ଥିଲା, ଗାଈର ନାମ ଜଣା ନାହିଁ . ଗାଈ ବୁଢୀ ହୋଇ ଯାଇଥିଲା, ରଙ୍ଗ ଲାଲ ଥିଲା ଓ ସିଙ୍ଗ ମୁନିଆଁ ଥିଲା . ଝିଅଟି ପନ୍ଦର ବର୍ଷର ଥିଲା, ରଙ୍ଗ ଗହମ ରଙ୍ଗର ଥିଲା (ବଢିଆ ପଞ୍ଜାବୀ ଗହମ) ଓ ସ୍ୱଭାବ ମଧୁର, ହସଖୁସିଆ ଓ ମସ୍ତ ଥିଲା . ମାଣିକ, ଯାହାର ବୟସ ମାତ୍ର ଦଶ ବର୍ଷର ଥିଲା, ତାକୁ ଯମୁନିଆଁ କହି ଦୌଡି ଯାଉଥିଲେ ଓ ସେ ବଡ ହୋଇଥିବା ଯୋଗୁଁ ଯେତେବେଳେ ବି ମାଣିକକୁ ଧରି ପାରୁଥିଲା, ତାର ଦୁଇ କାନକୁ ରଗଡି ଓ ଥାନ ଅଥାନରେ ଚିମୁଟି ଦେଇ ତାର ସମସ୍ତ ଶରୀରକୁ ଲାଲ କରି ଦେଉଥିଲା . ମାଣିକ ମୁଲ୍ଲା ଖସିବାର କୌଣସି ରାସ୍ତା ନ ପାଇ ଚିତ୍କାର କରୁଥିଲେ, କ୍ଷମା ମାଗୁଥିଲେ ଓ ତା କବଳରୁ ଖସି ଯାଉଥିଲେ .

          କିନ୍ତୁ ଯମୁନାର ଦୁଇଟି କାମ ମାଣିକ ମୁଲ୍ଲାର ଦାୟିତ୍ୱରେ ଥିଲା . ଏହ୍ଲାବାଦରୁ ପ୍ରକାଶିତ ହେଉଥିବା, ଯେତେ ସବୁ ଶସ୍ତା କିସମର ପ୍ରେମକାହାଣୀ ଭରା ପତ୍ରିକା ଥିଲା, ସେସବୁକୁ ଯମୁନା ତା ଦ୍ୱାରା ମଗାଉଥିଲା ଓ ସହରର କୌଣସି ବି ସିନେମାଘେ ଯଦି କିଛି ନୂଆ ଛବି ଆସୁଥିଲା, ତ ତାହାର ଗୀତ ବହି ବି ମାଣିକକୁ ହିଁ କିଣି ଆଣିବାକୁ ପଡୁଥିଲା . ଏହି ପ୍ରକାରେ ଯମୁନାର ଘରୋଇ ପୁସ୍ତକାଳୟ ଦିନ କୁ ଦିନ ବଢି ଚାଲିଥିଲା .

          ସମୟ କଟିବାକୁ କେତେ ଡେରୀ ଲାଗେ ? କାହାଣୀ ପଢି ପଢି ଓ ସିନେମାର ଗୀତ ମନେ ରଖି ରଖି ଯମୁନା କୋଡିଏ ବର୍ଷର ହୋଇଗଲା  ଓ ମାଣିକ ପନ୍ଦର ବର୍ଷର, ଆଉ ଭଗବାନଙ୍କ ମାୟା ଦେଖ ଯମୁନାର ବିବାହ କେଉଁଠି ସ୍ଥିର ହୋଇ ପାରୁ ନଥିଲା . ସେମିତି ହିଁ କଥା ଚାଲିଥିଲା . ପାଖରେ ଥିବା ମହେସର ଦଲାଲର ପୁଅ ତନ୍ନା ବିଷୟରେ ସାରା ସାହି କହୁଥିଲା ଯେ ଯମୁନାର ବାହାଘର ତା ସାଙ୍ଗରେ ହିଁ ହେବ, କାରଣ ତନ୍ନା ଓ ଯମୁନା ଭିତରେ ବହୁତ ଭାବ ଥିଲା, ତନ୍ନା ଯମୁନାର ଜାତିର ହିଁ ଥିଲା, ଯଦିଓ ଟିକେ କମ୍ ଗୋତ୍ରର ଥିଲା ଓ ସବୁଠାରୁ ବଡ କଥା ହେଲା, ଯେ ମହେସର ଦଲାଲକୁ ସାରା ସାହି ଡରୁଥିଲା . ମହେସର ବହୁତ କଜିଆଖୋର, ଗର୍ବୀ ଓ କାମୁକ ଥିଲା . ତନ୍ନା ସେତିକି ସିଧାସାଧା, ନମ୍ର ଓ ଚରିତ୍ରବାନ୍ ଥିଲା ; ଓ ସାରା ସାହି ତାର ପ୍ରଶଂସା କରୁଥିଲା .

          କିନ୍ତୁ ଯେମିତି ଆଗରୁ କୁହା ଯାଇଛି ଯେ ତନ୍ନା ଟିକେ କମ୍ ଗୋତ୍ରର ଥିଲା, ଓ ଯମୁନାର ଖାନଦାନ ସମଗ୍ର ବନ୍ଧୁବାନ୍ଧବରେ ଉଚ୍ଚ ବର୍ଗର ଥିଲେ, ତେଣୁ ଯମୁନାର ମାଆର ମତାମତ ଗ୍ରହଣ କରାଯାଉ ନଥିଲା . ଯେହେତୁ ଯମୁନାର ବାପା ବ୍ୟାଙ୍କରେ ସ୍ୱଳ୍ପ ବେତନଧାରୀ ସାଧାରଣ କିରାଣୀଟିଏ ମାତ୍ର ଥିଲେ ଓ ପରିବାରର ପର୍ବପର୍ବାଣୀରେ ଜମା ଅର୍ଥରୁ ସବୁ ବର୍ଷ କିଛି ଖର୍ଚ୍ଚ କରିବାକୁ ପଡୁଥିଲା, ତେଣୁ ଅନ୍ୟ ମଧ୍ୟବିତ୍ତ ବନ୍ଧୁବାନ୍ଧବ ଭଳି ଗତ ଯୁଦ୍ଧରେ ହୋଇଛି, ବହୁତ ଜଲ୍ଦି ସାରା ଜମା ଟଙ୍କା ଖର୍ଚ୍ଚ ହୋଇଗଲା ଓ ବାହାଘର ପାଇଁ କାଣୀ କଉଡିଟିଏ ବି ରହିଲା ନାହିଁ .

          ଏଣେ ବିଚାରୀ ଯମୁନା ତନ୍ନା ସହ କଥାବାର୍ତ୍ତା ବନ୍ଦ ହୋଇଯିବା ଯୋଗୁଁ ବହୁତ କାନ୍ଦିଲା . ପରେ ଲୁହ ପୋଛି ସିନେମାର ନୂଆ ଗୀତ ମନେ ପକେଇଲା . ଆଉ ଏହି ପ୍ରକାରେ ଦିନେ ସେ କୋଡିଏ ବର୍ଷ ବି ପାରି ହୋଇଗଲା . ଯମୁନା ଯେତେ ଯେତେ ବଢି ଯାଉଥିଲା, ମାଣିକ ଦୁର୍ବଳ – ମୋଟା ହୋଇ ଯାଉଥିଲା ଓ ଏହା ଯେ ମାଣିକକୁ ଭଲ ବି ଲାଗୁଥିଲା ଓ ଖରାପ ବି ଲାଗୁଥିଲା . କିନ୍ତୁ ତାର ଗୋଟିଏ ଖରାପ ଅଭ୍ୟାସ ବି ହୋଇ ଯାଇଥିଲା, ମାଣିକ ମୁଲ୍ଲା ତାକୁ ଚିଡାଉ ବା ନ ଚିଡାଉ, ସେ ତାକୁ ଏକୁଟିଆ ପାଇବା ବେଳେ ଏହି ପ୍ରକାରେ ଚାପି ଦେଉଥିଲା ଯେ ମାଣିକ ମୁଲ୍ଲାର ଶ୍ୱାସ ରୁଦ୍ଧ ହୋଇ ଯାଉଥିଲା . ତେଣୁ ମାଣିକ ମୁଲ୍ଲା ତାର ଛାଇକୁ ବି ଡରୁଥିଲା .

          କିନ୍ତୁ ଭାଗ୍ୟର ପରିହାସ ଦେଖ ଯେ ସେହି ସମୟରେ ଧାର୍ମିକ ଭାବନା ଖେଳୁଥାଏ ଓ ସମସ୍ତ ସ୍ତ୍ରୀ ଲୋକ ଯାହାର ଝିଅ ଅବିବାହିତା ଥିଲା, ଯାହାର ପତି ହାତ ଛଡା ହେଇ ଯାଉଥିଲା, ଯାହାର ପୁଅ ଯୁଦ୍ଧକୁ ଯାଇଥିଲା, ଯାହାର ଦିଅର ବିକି ହୋଇଯାଇଥିଲା, ଯାହା ଉପରେ ଋଣର ଭାର ଥିଲା, ସେମାନେ ଭଗବାନଙ୍କ ଶରଣ ନେଲେ ଓ କୀର୍ତ୍ତନ ଆରମ୍ଭ ହୋଇଗଲା ଓ ମାଳା ଗଡା ଗଲା . ମାଣିକର ଭାଉଜ ବି ହନୁମାନ-ଚଉତରା ବାଲା ବ୍ରହ୍ମଚାରୀଙ୍କଠାରି ମାଳା ନେଲା ଓ ନିୟମ କରି ଦୁଇ ବେଳା ଭୋଗ ଲଗେଇଲା . ପୁଣି ସକାଳେ ଓ ସଞ୍ଜରେ ପ୍ରଥମ ଭୋଗ ପିଠା ଗୋମାତା ନାମରେ ସେକିଲା . ଘରେ ଗାଈ ନଥିଲା, ତେଣୁ କୋଠୀର ବୁଢୀ ଗାଈକୁ ସେ ସକାଳେ ଓ ସଞ୍ଜରେ ଦୁଇ ବେଳା ପିଠା ଖୁଏଇଲା . ଦୁଇପହରେ ମାଣିକ ସ୍କୁଲ ଚାଲି ଯାଉଥିଲେ, ଦିନ ବେଳା ଥିଲା . ତେଣୁ ଭାଉଜ ନିଜେ ଓଢଣା ଟାଣି ଗାଈକୁ ରୁଟି ଖୁଏଇକି ଆସୁଥିଲେ, କିନ୍ତୁ ରାତିରେ ମାଣିକ ମୁଲ୍ଲାହିଁ ଯିବାକୁ ପଡୁଥିଲା .

          ଗାଈର ଅଗଣା ପାଖକୁ ଯିବା ବେଳକୁ ମାଣିକର ଆତ୍ମା ଥରି ଯାଉଥିଲା . ଯମୁନାର କାନମୋଡା ତାକୁକ ଭଲ ଲାଗୁ ନଥିଲା ( ପୁଣି ଭଲ ବି ଲାଗୁଥିଲା !) ତେଣୁ ଭୟ ହେତୁ ରାମ ନାମ ଜପି ଜପି ଆନନ୍ଦରେ ସେ ଗାଈର ଅଗଣା ଆଡକୁ ଯାଉଥିଲା .

          ଦିନେ ଏୟା ହେଲା ଯେ, ମାଣିକ ମୁଲ୍ଲା ଘରକୁ ଅତିଥି ଆସିଲେ ଓ ଖାଇବା ପିଇବାରେ ବହୁତ ରାତି ହୋଇଗଲା . ମାଣିକ ଶୋଇ ପଡିଲା . ଭାଉଜ ତାକୁ ଉଠେଇ ପିଠା ଦେଲେ ଏ କହିଲେ ‘ଗାଈକୁ ଦେଇ ଆସ .’ ମାଣିକ ବହୁତ ବାହାନା କଲା, କିନ୍ତୁ କିଛି ଲାଭ ହେଲା ନାହିଁ . ଶେଷରେ ଆକ୍ଷି ମଳି ମଳି ଅଗଣା ପାଖରେ ପହଞ୍ଚି ଦେଖିଲା ଯେ ଗାଈ ପାଖରେ କୁଣ୍ଡା ଥିବା କୋଠରୀରେ ଗୋଟିଏ ଛାଇ ବିଲକୁଲ କଫିନ୍ ଭଳି କପଡା ପିନ୍ଧି ଠିଆ ହୋଇଛି . ତାର କଲିଜା ଯେମିତି ବାହାରି ଆସିଲା, କିନ୍ତୁ ସେ ଶୁଣିଥିଲା ଯେ ଭୁତ ପ୍ରେତ ସାମ୍ନାରେ ମଣିଷକୁ ସାହସ ବାନ୍ଧି ରହିବା ଆବଶ୍ୟକ ଓ ତାକୁ ପିଠି ଦେଖାଇବା କଥା ନୁହେଁ, ନଚେତ୍ ସେହି ସମୟରେ ମଣିଷର ପ୍ରାଣ ଅନ୍ତ ହୋଇଯାଏ .

          ମାଣିକ ମୁଲ୍ଲା ସାହସ ସଞ୍ଚୟ କରି, କମ୍ପିତ ପାଦରେ ଆଗେଇଲା ଓ ସେହି ମହିଳା ସେଠାରୁ ଅଦୃଶ୍ୟ ହୋଇଗଲା . ବାରମ୍ବାର ଆକ୍ଷି ମଳି ସେ ଦେଖିଲା, ସେଠାରେ କେହି ନ ଥିଲା . ସେ ନିର୍ଭୟ ମନରେ ନିଃଶ୍ୱାସ ନେଲା, ଗାଈକୁ ରୁଟି ଦେଲା ଓ ଫେରି ଗଲା . ଏହି ସମୟରେ ତାକୁ ଲାଗିଲା ଯେ କେହି ତାର ନାଁ ଧରି ଡାକୁଛି . ମାଣିକ ମୁଲ୍ଲା ଭଲ ଭାବରେ ଜାଣିଥିଲେ ଯେ ଭୂତ ପ୍ରେତ ସାହି ସାରା ପୁଅମାନଙ୍କର ନାମ ଜାଣିଥାନ୍ତି, ତେଣୁ , ସେ ଅଟକିବା ସୁରକ୍ଷିତ ମନେ କଲେ ନାହିଁ . କିନ୍ତୁ ଡାକ ପାଖେଇ ଆସିଲା ଓ ହଠାତ୍ କେହି ପଛରୁ ଆସି ମାଣିକ ମୁଲ୍ଲାଙ୍କ କଲାର ଧରି ଦେଲା . ମାଣିକ ମୁଲ୍ଲା ଚିତ୍କାର କରିବାକୁ ଯାଉଥିଲେ ହିଁ କେହି ତାଙ୍କର ମୁହଁ ଉପରେ ହାତ ରଖି ଦେଲା . ତାହା ଚିହ୍ନା ସ୍ପର୍ଶ ଥିଲା . ଯମୁନା .

          କିନ୍ତୁ ଯମୁନା ତା କାନ ଧରିଲା ନାହିଁ . କହିଲା ‘ଚାଲି ଆ’. ମାଣିକ ମୁଲ୍ଲା ବିବସ ଥିଲା . ଚୁପଚାପ ଚାଲି ଗଲେ ଓ ବସି ଗଲେ. ଏବେ ମାଣିକ ବି ଚୁପ୍ ଆଉ ଯମୁନା ବି ଚୁପ୍ . ମାଣିକ ଯମୁନାକୁ ଦେଖିଲା ଓ ଯମୁନା ମାଣିକକୁ . ଗାଈ ସେ ଦୁହିଁଙ୍କୁ ଦେଖୁଥିଲା . କିଛି ସମୟ ପରେ ମାଣିକ ବ୍ୟସ୍ତ ହୋଇ କହିଲା, ‘ମୋତେ ଯିବାକୁ ଦେ ଯମୁନା !’ ଯମୁନା କହିଲା ‘ବସ୍ ! କଥା ହେ ମାଣିକ . ମନ ବଡ ବ୍ୟସ୍ତ ଲାଗୁଛି .’

          ମାଣିକ ପୁଣି ବସି ଗଲା . ଏବେ କଣ ବା କଥା ହେବ ? ସେହି ଦିନମାନଙ୍କରେ ଶ୍ରେଣୀରେ ଭୂଗୋଳରେ ସୁଏଜ୍ କେନାଲ୍, ଇତିହାଲରେ ସମ୍ରାଟ୍ ଜଲାଲୁଦ୍ଦିନ୍ ଆକବର୍, ହିନ୍ଦୀରେ ‘ଇତ୍ୟାଦିର ଆତ୍ମକଥା’ ଓ ଇଂରାଜୀରେ ‘ଲୋହିତ ଭାରତୀୟ’ ପଢା ଯାଉଥିଲା . କିନ୍ତୁ ଯମୁନା ସହ ଏହି କଥା କଣ ହେବ ! କିଛି ସମୟ ପରେ ମାଣିକ  ବିରକ୍ତ ହୋଇ ଯାଇ କହିଲା ‘ମୋତେ ଯିବାକୁ ଦେ ଯମୁନା, ନିଦ ଲାଗିଲାଣି .’

          ‘ଏବେ କୋ ରାତି ପାହିଗଲାଣି !  ବସ୍ .’ କାନ ଧରି ଯମୁନା କହିଲା . ମାଣିକ ଘାବରେଇ ଯାଇ କହିଲା, ‘ନିଦ ଲାଗୁନି, ଭୋକ ଲାଗୁଛି .’

          ‘ଭୋକ ଲାଗୁଛି !   ଆଛା ଯାଇ ନ ଥା !   ମୁଁ ଏବେ ଆସୁଛି .’କହି ଯମୁନା ତୁରନ୍ତ ହିଁ ପଛପଟ ଅଗଣା ହୋଇ ଭିତରକୁ ଚାଲି ଗଲା . ମାଣିକ ବୁଝି ପାରିଲା ନାହିଁ ଯେ ଆଜି ଯମୁନା ଏତେ ଦୟାବାନ୍ କାହିଁକି ହୋଇଛି . ଏପରି ସମୟରେ ଯମୁନା ଫେରି ଆସିଲେ ଏ କାନି ତଳୁ ଦୁଇ ଚାରିଟା ପିଠା ବାହାର କରି କହିଲା, ‘ନେ, ଖା . ଆଜି ତା ମାଆ ଭାଗବତ କଥା ଶୁଣିବାକୁ ଯାଇଛି . ’ ଯମୁନା ସେହି ପରି ମାଣିକକୁ ନିଜ ଆଡକୁ ଟାଣି ନେଇ ପିଠା ଖୁଏଇବାରେ ଲାଗିଲା .

          ଗୋଟିଏ ପିଠା ଖାଇସାରି ମାଣିକ ମୁଲ୍ଲା ଉଠିବାର ଉଦ୍ୟମ କରିବାରୁ ଯମୁନା କହିଲା, ‘ ଆଉ ଖା .’ ମାଣିକ ମୁଲ୍ଲା କହିଲେ ତାଙ୍କୁ ମିଠା ପିଠା ଭଲ ଲାଗେ ନାହିଁ . ତାଙ୍କୁ ବେସନର ଲୁଣି ପିଠା ଭଲ ଲାଗେ .

          ‘ଆଛା କାଲି ତୋ ପାଇଁ ବେସନର ଲୁଣି ପିଠା ତିଆରି କରି ରଖିବି . କାଲି ଆସିବୁ ?  କଥାତ ସାତ ଦିନ ପର୍ଯ୍ୟନ୍ତ ହେବ .’ ମାଣିକ ଶାନ୍ତିର ନିଶ୍ୱାସ ନେଲା . ଉଠି ଠିଆ ହେଲା . ଫେରି ଆସିବା ବେଳକୁ ଭାଉଜ ଶୋଇଥିଲେ . ମାଣିକ ମୁଲ୍ଲା ଚୁପଚାପ୍ ଗୋମାତାକୁ ଧ୍ୟାନ କରି ଶୋଇଗଲା .

          ଦ୍ୱିତୀୟ ଦିନ ମାଣିକ ମୁଲ୍ଲା ଯିବାକୁ ଚେଷ୍ଟା କଲା, କାରଣ ତାକୁ ଯିବାକୁ ଡର ବି ଲାଗୁଥିଲା ଓ ସେ ଯିବାକୁ ବି ଚାହୁଁ ଥିଲା . ଓ ଜାଣେନା, କିଛି ଗୋଟେ ମନ ଭିତରୁ ତାକୁ କହୁଥିଲା, ‘ମାଣିକ ଏହା ବହୁତ ଖରାପ କଥା . ଯମୁନା ଭଲ ଝିଅ ନୁହେଁ . ’ ପୁଣି ତା ଭିତରୁ ଆଉ କିଛି ଗୋଟେ କହୁଥିଲା ‘ଚାଲ ମାଣିକ ! ତୋର କଣ ଅସୁବିଧା ହୋଇଯିବ . ଯ଼ାଇ ଦେଖ ତ କଣ ?’ ପୁଣି ସେହି ଦିନମାନଙ୍କରେ ବଡ ଜିନିଷ ଥିଲା, ଲୁଣି ବେସନର ପିଠା, ଯାହା ପାଇଁ ଅବୁଝା ମାଣିକ ମୁଲ୍ଲା ନିଜର ଏ ପାରି ଓ ସେ ପାରି ସବୁକୁ ବିଗାଡିବା ପାଇଁ ପ୍ରସ୍ତୁତ ଥିଲା .

          ସେ ଦିନ ମାଣିକ ମୁଲ୍ଲା ଯିବା ବେଳକୁ ଯମୁ         ନା ହାଲୁକା ସବୁଜ ରଙ୍ଗର ଭଏଲ୍ ଶାଢୀ ପିନ୍ଧିଥିଲା . ଅର୍ଗାଣ୍ଡିର ପତଳା ବ୍ଲାଉସ୍ ପିନ୍ଧିଥିଲା , ଦୁଇଟି ବେଣୀ କରିଥିଲା, ମଥାରେ ଚମକୁଥିବା ବିନ୍ଦି ଲଗେଇଥିଲା . ମାଣିକ ପ୍ରାୟ ଦେଖେ ଯେ, ଯେତେବେଳେ ଝିଅମାନେ ସ୍କୁଲ ଯାଆନ୍ତି, ଏପରି ସାଜି ସୁଜି ଯାଆନ୍ତି . ଘରେ ତ ମଇଳା ଶାଢୀ ପିନ୍ଧି, ତଳେ ବସି କଥାବାର୍ତ୍ତା ହୁଅନ୍ତି . ତେଣୁ ତାକୁ ବଡ ଆଶ୍ଚର୍ଯ୍ୟ ଲାଗିଲା . କହିଲା, ‘ଯମୁନା, କଣ ଏବେ ସ୍କୁଲରୁ ଫେରିଲୁ ?  ’

          ‘ସ୍କୁଲ ?   ସ୍କୁଲ ଯିବାତ ମାଆ ଚାରି ବର୍ଷ ହେଲାଣି ଛଡେଇ ଦେଇଛି . ଘରେ ବସି ବସି କାହାଣୀ ପଢୁଛି, କିମ୍ବା ଶୋଉଛି . ’ ମାଣିକ ମୁଲ୍ଲା ବୁଝି ପାରିଲା ନାହିଁ  ଯେ, ଯଦି ଦିନ ସାରା ଶୋଇବାର ହିଁ ଅଛି, ତୋ ଏମିତି ସଜେଇ ହେବାର ଆବଶ୍ୟକତା କଣ . ମାଣିକ ମୁଲ୍ଲାର ଆଶ୍ଚର୍ଯ୍ୟ ଚକିତ ମୁହଁ ଦେଖି, ଯମୁନା କହିଲା, ‘ଆକ୍ଷି ଚିରି ଚିରି କଣ ଦେଖୁଛୁ ! ଅସଲି ଜର୍ମାନୀ ଅର୍ଗାଣ୍ଡି ଅଟେ . କାକା କଲିକତାରୁ ଆଣିଥିଲେ, ବିବାହ ପାଇଁ ରଖିଥିଲି . ଏଠି ଦେଖ, ଛୋଟ ଛୋଟ ଫୁଲ ବି ପଡିଛି .’

          ତାକୁ ଛୁଇଁ କରି ମାଣିକ ମୁଲ୍ଲାକୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା .

          ମାଣିକ ମୁଲ୍ଲା ଗାଈକୁ ପିଠା ଖୁଏଇ ସାରିବା ପରେ ଯମୁନା ବେସନର ଲୁଣି ପିଠା ବାହାର କଲା . କିନ୍ତୁ କହିଲା, ‘ପ୍ରଥମେ ବସିଯା, ତାପରେ ଖୁଏଇବି . ’ ମାଣିକ ଚୁପଚାପ୍ ଚାଲିବାକୁ ଲାଗିଲା . ଯମୁନା ଛୋଟ ଟର୍ଚ୍ଚ ଜଳେଇ ଦେଲା, କିନ୍ତୁ ମାଣିକ ଡରରେ କମ୍ପୁଥିଲା . ତାକୁ ପ୍ରତି ମୁହୂର୍ତ୍ତରେ ଏହା ଲାଗୁଥିଲା ଯେ କୁଣ୍ଡା ଭିତରୁ ଏବେ ସାପ ବାହାରିବ, ଏବେ କଙ୍କଡା ବିଛା ବାହାରିବ, ଏବେ ତେଲୁଣୀ ପୋକ ବାହାରିବ . ରୁଦ୍ଧ ଗଳାରେ ସେ କହିଲା, ‘ମୁଁ ଖାଇବି ନାହିଁ, ମୋତେ ଯିବାକୁ ଦିଅ . ’

          ଯମୁନା କହିଲା, ‘କଇଠର ଚଟଣୀ ବି ଅଛି’. ଏବେ ମାଣିକ ମୁଲ୍ଲା ବିବଶ ହୋଇଗଲା . କଇଠ ତାର ବିଶେଷ ପ୍ରିୟ ଥିଲା . ଶେଷରେ ସାପ – ବିଛାର ଭୟକୁ ହଟେଇ କୌଣସି ପ୍ରକାରେ ବସି ଗଲା . ପୁଣି ସେହି କଥା, ଯମୁନା ମାଣିକକୁ ଚୁପଚାପ୍ ଦେଖୁଥିଲା, ଓ ମାଣିକ ଯମୁନା ଆଡକୁ  ଓ ଗାଈ ସେ ଦୁହିଁଙ୍କୁ . ଯମୁନା କହିଲା, ‘କିଛି କଥା କୁହ ମାଣିକ ! ’ଯମୁନା ଚାହୁଁଥିଲା ମାଣିକ ତା ପୋଷାକ ବିଷୟରେ କିଛି କହୁ, କିନ୍ତୁ ଯେତେବେଳେ ମାଣିକ ବୁଝିଲା ନାହିଁ, ସେ ନିଜେ କହିଲା, ‘ମାଣିକ, ଏ ପୋଷାକ ଭଲ ହୋଇଛି ?’ ‘ବହୁତ ବଢିଆ ଯମୁନା !’ ମାଣିକ କହିଲା . ‘କିନ୍ତୁ ଦେଖ୍ ତନ୍ନାନା ସେଇ, ଆମର ତନ୍ନା . ତା ସହ ଯେତେବେଳେ ପ୍ରସ୍ତାବ ପଡିଥିଲା, କାକା କଲିକତାରୁ ଏହି ସବୁ କପଡା ଆଣିଥିଲେ . ପାଞ୍ଚ ଶହ ଟଙ୍କାର କପଡା ଥିଲା . ପଞ୍ଚମ ବଣିଆ ପାଖରେ ଗୋଟିଏ ସେଟ୍ ବନ୍ଧା ପକେଇ, କପଡା ଆଣିଥିଲେ . କିନ୍ତୁ ପ୍ରସ୍ତାବ ଭାଙ୍ଗିଗଲା . ଏବେ ତ ମୁଁ ତା ଘରକୁ ଯାଇଥିଲି . ଏକା ଏକା ମନ ବିଚଳିତ ହେଉଛି . କିନ୍ତୁ ଏବେ ତ ତନ୍ନା କଥା ବି ହେଉନାହିଁ . ତେଣୁ କପଡା ବି ବଦଳେଇଥିଲି .’

          ‘ପ୍ରସ୍ତାବ କାହିଁକି ଭାଙ୍ଗିଗଲା ?’

          ‘ଆରେ ତନ୍ନା ବହୁତ ଭୀରୁ ଅଟେ . ମୁଁ ତ ମାଆକୁ ରାଜି କରେଇ ଦେଇଥିଲି, କିନ୍ତୁ ତନ୍ନାକୁ ମହେସର ଦଲାଲ ବହୁତ ଗାଳି ଦେଲା . ସେହି ଦିନ ଠାରୁ ତନ୍ନା ଡରିଗଲା . ଆଉ ଏବେ ତ ତନ୍ନା ଠିକ୍ ସେ କଥା ବି ହେଉନାହିଁ . ’ ମାଣିକକୁ କିଛି ନ କହିବାର ଦେଖି ଯମୁନା କହିଲା, ‘ଅସଲରେ ତନ୍ନା ଖରାପ ପିଲା ନୁହେଁ, କିନ୍ତୁ ମହେସର ବହୁତ ବଦମାସ ଅଟେ ଏବଂ ଯେବେ ଠାରୁ ତନ୍ନାର ମାଆ ମରିଯାଇଛି, ସେବେଠାରୁ ତନ୍ନା ବହୁତ ଦୁଃଖୀ ରହୁଛି .’ ପୁଣି ହଠାତ୍ ଯମୁନାର ସ୍ୱର ବଦଳିଗଲା, ସେ କହିଲା, ‘କିନ୍ତୁ ପୁଣି ମୋତେ ତନ୍ନା ଆଶା କାହିଁକି ଦେଲା ? ମାଣିକ ମୋତେ ଏବେ ନା ଖାଇବା ଭଲ ଲାଗୁଛି, ନା ପିଇବା . ସ୍କୁଲ ଯିବା ବନ୍ଦ ହୋଇଗଲା . ଦିନସାରା କାନ୍ଦି କାନ୍ଦି ବିତୁଛି . ହଁ ମାଣିକ .’ ଆଉ ତା ପରେ ସେ ଚୁପ୍ ଚାପ୍ ବସିଗଲା . ମାଣିକ କହିଲା, ‘ତନ୍ନା ବହୁତ ଡରପୋକ୍ ଥିଲା . ସେ ବଡ ଭୁଲ କରିଛି . ’ ଉତ୍ତରରେ ଯମୁନା କହିଲା, ‘ଦୁନିଆରେ ଏହା ହିଁ ହୋଇ ଆସୁଛି .’ ଏବଂ ଉଦାହରଣ ସ୍ୱରୂପ ସେ କିଛି କାହାଣୀ କହିଲା, ଯାହା ସେ ପଢିଥିଲା କିମ୍ବା ଛବିରେ ଦେଖିଥିଲା .

          ମାଣିକ ଉଠିବାରୁ ଯମୁନା ପଚାରିଲା, ‘ସବୁବେଳେ ଆସିବୁ ନା ମାଣିକ! ’ ମାଣିକ ଟାଳଟୁଳ କରିବାରୁ ଯମୁନା କହିଲା , ‘ ଦେଖ ମାଣିକ ତୁ ଲୁଣ ଖାଇଛୁ ଓ ଲୁଣ ଖାଇକରି ଯିଏ ପରିଶୋଧ କରେ ନାହିଁ, ତାକୁ ବହୁତ ପାପ ଲାଗିଥାଏ, କାରଣ ଉପରେ ଭଗବାନ ଦେଖୁଛନ୍ତି ଓ ସବୁ ବହିରେ ଲେଖି ରଖୁଛନ୍ତି . ’ ମାଣିକ ଅସହାୟ ହୋଇଗଲା ଓ ତାକୁ ପ୍ରତିଦିନ ଯିବାକୁ ପଡିଲା ଏବଂ ଯମୁନା ତାକୁ ବସେଇ ପ୍ରତିଦିନ ତନ୍ନା କଥା କହିଲା .

           ‘ତାପରେ କଣ ହେଲା !’ ଯେତେବେଳେ ଆମେମାନେ ପଚାରିଲୁ, ମାଣିକ କହିଲେ, ‘ଦିନେ ସେ ତନ୍ନା କଥା କହୁ କହୁ ମୋ କାନ୍ଧ ଉପରେ ମଥା ରଖି ବହୁତ କାନ୍ଦିଲା ଓ ଚୁପ୍ ହେବାରୁ ଲୁହ ପୋଛିଲା ଏବଂ ଏକାଥରେ ମୋତେ ଏପରି କଥା କହିଲା, ଯେପରି କାହାଣୀରେ ଲେଖା ଯାଇଥାଏ . ମୋତେ ବହୁତ ଖରାପ ଲାଗିଲା ଓ ଭାବିଲି ପୁଣି କେବେ ଏଠାକୁ ଆସିବି ନାହିଁ, କିନ୍ତୁ ମୁଁ ଲୁଣ ଖାଇଥିଲି ଓ ଉପରେ ଭଗବାନ୍ ସବୁ ଦେଖୁଛନ୍ତି . ହଁ ଏହା ଜରୁରୀ ଥିଲା, ଯମୁନାର କାନ୍ଦ ଯୋଗୁଁ ମୁଁ ଚାହୁଁଥିଲି ଯେ ତାକୁ ମୋ ସ୍କୁଲର କଥା କହିବି, ମୋ ବହି କଥା କହି ତା ମନକୁ ବହଲେଇବି . କିନ୍ତୁ ସେ ଆକ୍ଷି ପୋଛି କାହାଣୀ ପରି କଥା କହିବାରେ ଲାଗିଲା . ଏପରିକି ଦିନେ ମୋ ମୁହଁରୁ ସେହିପରି କଥା ଖସି ଗଲା . ’

‘ତାପରେ କଣ ହେଲା ?’ ଆମେମାନେ ପଚାରିଲୁ .

“ଅଦ୍ଭୁତ କଥା ହେଲା . ଅସଲରେ ଏହି ଲୋକଙ୍କୁ ବୁଝେଇବା ବହୁତ କଷ୍ଟ . ଯମୁନା ଚୁପଚାପ ମୋ ଆଡକୁ ଚାହିଁ ରହିଲା ଓ ପୁଣି କାନ୍ଦିବାରେ ଲାଗିଲା ! କହିଲା, ‘ମୁଁ ବହୁତ ଖରାପ ଝିଅ . ମୋତେ ବ୍ୟସ୍ତ ଲାଗୁଛି, ସେଥିପାଇଁ ତୋ ସହ କଥା ହେବା ପାଇଁ ଆସୁଛି, କିନ୍ତୁ ମୁଁ ତୋର କ୍ଷତି ବି ଚାହୁଁନି , ଏବେ ମୁଁ ଆଉ ଆସିବି ନାହିଁ .’ କିନ୍ତୁ ଦ୍ୱିତୀୟ ଦିନ, ଯେତେବେଳେ ମୁଁ ଗଲି, ଦେଖିଲି ଯମୁନା ପୁଣି ଆସିଛି . ”

ପୁଣି ମାଣିକ ମୁଲ୍ଲାଙ୍କୁ ସବୁଦିନ ଯିବାକୁ ପଡିଲା . ଦିନେ, ଦୁଇ ଦିନ, ତିନି ଦିନ, ଚାରି ଦିନ, ପାଞ୍ଚ ଦିନ – ଏପରିକି ଆମେ ସବୁ ବିରକ୍ତ ହୋଇ ପଚାରିଲା ଶେଷରେ କଣ ହେଲା ? ‘ମାଣିକ ମୁଲ୍ଲା କହିଲେ, କିଛି ନାହିଁ ହେବ ଆଉ କଣ ? ଯେବେ ମୁଁ ଯାଉଥିଲି, ମୋତେ ଲାଗୁଥିଲା କିଏ କହୁଛି, ମାଣିକ ସେଠାକୁ ଯାଅ ନାହିଁ , ଏହା ବହୁତ ଖରାପ ରାସ୍ତା ଅଟେ . କିନ୍ତୁ ମୁଁ ଜାଣିଥିଲି ଯେ ମୋର କିଛି ମୋ ଅଧୀନରେ ନାହିଁ . ପୁଣି ଧିରେ ଧିରେ ମୁଁ ଦେଖିଲି ଯେ ନା ମୁଁ ସେଠାକୁ ଯିବା ବିନା ରହି ପାରୁଛି, ନା ଯମୁନା ଆସିବା ବିନା .’

‘ହଁ ଏହାତ ଠିକ୍, କିନ୍ତୁ ଶେଷରେ କଣ ହେଲା ?’

‘ଶେଷରେ କଣ ହେଲା ?’ ମାଣିକ ମୁଲ୍ଲା ବ୍ୟଙ୍ଗ ସ୍ୱରରେ କହିଲା, ‘ତେବେ ତ ତୁମେ ମାନେ ବହୁତ ପ୍ରସିଦ୍ଧି ଲାଭ କରିବ . ଆରେ କଣ ପ୍ରେମ କାହାଣୀର ଦୁଇ ଚାରିଟା ଅନ୍ତ ହୋଇଥାଏ . ଗୋଟିଏ ମାତ୍ର ତ ଅନ୍ତ – ନାୟିକାର ବିବାହ ହୋଇଗଲା, ମାଣିକ ଭକୁଆ ହୋଇ ଚାହିଁ ରହିଲା . ଏବେ ଏହାକୁ ତୁମେ ଯେଉଁ ପ୍ରକାରେ କହିପାର .’

ସେ ଯାହା ହେଉ ଏତେ ରୋଚକ କାହାଣୀର ଏମିତି ସାଧାରଣ ଅନ୍ତ ଆମର ପସନ୍ଦ ଆସିଲା ନାହିଁ .

ତଥାପି ବି ପ୍ରକାଶ ପଚାରିଲା, ‘କିନ୍ତୁ ଏଥିରେ ଏହା କେଉଁଠି ପ୍ରମାଣିତ ହୋଇଛି ଯେ ପ୍ରେମ ଭାବନାର ମୂଳଦୁଆ ଆର୍ଥିକ ସମ୍ବନ୍ଧ ଉପରେ ଅଟେ ଓ ଜାତି – ସଙ୍ଘର୍ଷ ଏହାକୁ ପ୍ରଭାବିତ କରୁଛି .’

‘କାହିଁକି ? ଏହାତ ବିଲକୁଲ ସ୍ପଷ୍ଟ ଅଟେ . ’ ମାଣିକ ମୁଲ୍ଲା କହିଲେ, ‘ଯଦି ସବୁ ଘରେ ଗାଈ ଥାଆନ୍ତା, ତେବେ ଏହି ସ୍ଥିତି କେମିତି ମୁଣ୍ଡ ଟେକି ଥାଆନ୍ତା ? ସମ୍ପତ୍ତିଗତ ବିଷମତା ଏହି ପ୍ରେମ କାହାଣୀର ମୂଳ କାରଣ ଅଟେ . ନା ତାଙ୍କ ଘରେ ଗାଈ ଥାଆନ୍ତା, ନା ମୁଁ ସେଠାକୁ ଯାଇଥାନ୍ତି, ନା ଋଣ ଶୁଝିବାକୁ ପଡିଥାନ୍ତା .’

‘କିନ୍ତୁ ପୁଣି ଏଥିରୁ ସାମାଜିକ କଲ୍ୟାଣ ପାଇଁ କଣ ସିଦ୍ଧାନ୍ତ ବାହାରିଲା ?’ ଆମେମାନେ ପଚାରିଲୁ .

‘ବିନା ସିଦ୍ଧାନ୍ତରେ ମୁଁ କିଛି କହେନାହିଁ ବନ୍ଧୁଗଣ ! ଏଥିରୁ ଏହି ସାର ବାହାରିଲା ଯେ, ପ୍ରତି ଘରେ ଗୋଟିଏ ଗାଈ ରହିବା ଆବଶ୍ୟକ, ଯାହାଦ୍ୱାରା ଦେଶର ପଶୁଧନ ବି ବଢିବ, ସନ୍ତାନମାନଙ୍କର ସ୍ୱାସ୍ଥ୍ୟ ରକ୍ଷା ବି ହୋଇ ପାରିବ, ପଡୋଶୀଙ୍କର ବି ଉପକାର ହେବ ଓ ଭାରତରେ ପୁଣି କ୍ଷୀରର ନଦୀ ବହିବ .’

ଯଦିଓ ଆମେମାନେ ଆର୍ଥିକ ଆଧାର ଥିବା ସିଦ୍ଧାନ୍ତ ସହିତ ସହମତ ନଥିଲୁ, କିନ୍ତୁ ଏହି ସିଦ୍ଧାନ୍ତ ଆମ ସମସ୍ତଙ୍କୁ ପସନ୍ଦ ଆସିଲା ଓ ଆମେମାନେ ପ୍ରତିଜ୍ଞା କଲୁ ଯେ ବଡ ହେବା ପରେ ଗୋଟିଏ ଗୋଟିଏ ଗାଈ ନିହାତି ପାଳିବୁ .

ଏହି ପ୍ରକାରେ ମାଣିକ ମୁଲ୍ଲାଙ୍କ ପ୍ରଥମ ସିଦ୍ଧାନ୍ତବାଦୀ ପ୍ରେମ କାହାଣୀ ସମାପ୍ତ ହେଲା .

ମଧ୍ୟାନ୍ତର

            ଏହି କାହାଣୀ ବାସ୍ତବରେ ଆମମାନଙ୍କୁ ପ୍ରଭାବିତ କରିଥିଲା . ସାହିର ଯେଉଁ ଭାଗରେ ଆମେମାନେ ରହୁଥିଲୁ, ସେଠାରେ ଛାତ ବହୁତ ଗରମ ହେଇ ରହୁଥିଲା, ତେଣୁ ଆମେ ସବୁ ବୈଦ୍ୟଙ୍କର ଚଉତରା ଉପରେ ଶୋଉଥିଲୁ . ରାତିରେ ଯେତେବେଳେ ଆମେମାନେ ଫେରୁଥିଲୁ, ନିଦ ଆସୁ  ନ ଥିଲା . ଓ ରହି ରହି ଯମୁନାର କାହାଣୀ ଆମମାନଙ୍କ ମନକୁ ଛୁଇଁ ଯାଉଥିଲା ଓ କେବେ କଲିକତାର ଅର୍ଗାଣ୍ଡି ତ କେବେ ବେସନ ପିଠାକୁ ମନେ ପକେଇ ଆମେମାନେ ହସୁଥିଲୁ .

          ଏପରି ସମୟରେ ଶ୍ୟାମ ବି ହାତରେ ଗୋଟିଏ ବାଉଁଶ ଖଟ ଓ ଦରି ଓ ତକିଆ ଧରି ପହଞ୍ଚିଲା . ସେ  ଦୁଇ ପହରର ଆମୋଦରେ ସାମିଲ ନ ଥିଲା . ତେଣୁ ଆମମାନଙ୍କୁ ହସିବା ଦେଖି, ଉତ୍ସୁକ ହେଲା ଓ ପଚାରିଲା ଯେ ମାଣିକ ମୁଲ୍ଲା କେଉଁ କାହାଣୀ ଆମମାନଙ୍କୁ କହିଥିଲେ . ଆମେମାନେ ଯେତେବେଳେ ଯମୁନାର କାହାଣୀ ତାକୁ କହିଲୁ, ସେ ଆଶ୍ଚର୍ଯ୍ୟ ହୋଇ ଦେଖିଲା ଓ ହସିବା ବଦଳରେ ଉଦାସ ହୋଇଗଲା . ଆମେମାନେ ଗୋଟିଏ ସ୍ୱରରେ ପଚାରିଲୁ, ‘କୁହ ଶ୍ୟାମ, ଏହି କାହାଣୀ ଶୁଣି କରି ତୁମେ ଦୁଃଖୀ କାହିଁକି ହୋଇଗଲ ? କଣ ତୁମେ ଯମୁନାକୁ ଜାଣିଛ ?’ ଶ୍ୟାମ ରୁଦ୍ଧ ଗଳାରେ କହିଲା, ‘ନା, ମୁଁ ଯମୁନାକୁ ଜାଣି ନାହିଁ, କିନ୍ତୁ ଆଜି ଶତକଡା ନବେ ଝିଅ ଯମୁନାର ପରିସ୍ଥିତିରେ ଅଛନ୍ତି . ସେ ବିଚାରୀ କଣ କରିବ ! ତନ୍ନା ସହିତ ତାରା ବାହାଘର ହୋଇ ପାରିଲା ନାହିଁ, ତାର ବାପ ଯୌତୁକ ଯୋଗାଡ କରିପାରିଲା ନାହିଁ, ଶିକ୍ଷା ଓ ମନ ବହଲେଇବା ନାମରେ ତାକୁ ମିଳିଲା ‘ମିଠା କାହାଣୀ, ’ ‘ସତ କାହାଣୀ ,’ ‘ରସଭରା କାହାଣୀ’ . ବିଚରା ଆଉ କଣ କରିପାରିଥାନ୍ତା . ଏହା ତ ଦୁଃଖର କଥା, ଏଥିରେ ହସିବାର କଣ ଅଛି ! ଅନ୍ୟ ଉପରେ ହସିବା ଅନୁଚିତ . ସବୁ ଘରେ ମାଟିର ଚୁଲ୍ଲା ଥାଏ, ’ ଇତ୍ୟାଦି .

          ଶ୍ୟାମର କଥା ଶୁଣି ଆମମାନଙ୍କ ମନ ଭାରୀ ହୋଇଗଲା ଓ ଧୀରେ ଧୀରେ ଆମେମାନେ ଶୋଇଗଲୁ .

ଦ୍ୱିତୀୟ ଦୁଇପହର

ଘୋଡାର ନାଲ

ଅର୍ଥାତ୍ କେମିତି ବି ହେଉ ଘୋଡାର ନାଲ ସୌଭାଗ୍ୟର ଲକ୍ଷଣ ପ୍ରମାଣିତ ହେଲା ?

          ଦ୍ୱିତୀୟ ଦିନ ଖାଇ ପିଇ ସାରି ଆମେମାନେ ପୁଣି ,ସେହି ବୈଠକରେ ଏକତ୍ରିତ ହେଲୁ ଓ ଆମ ସାଥିରେ ଶ୍ୟାମ ବି ଆସିଲା . ଯେତେବେଳେ ଆମେମାନେ ମାଣିକ ମୁଲ୍ଲାଙ୍କୁ କହିଲୁ ଯେ ଶ୍ୟାମ ଯମୁନାର କାହାଣୀ ଶୁଣି କାନ୍ଦିଲା, ତ ଶ୍ୟାମ ଛେପ ଢୋକି କହିଲା, ‘ମୁଁ କେଉଁଠି କାନ୍ଦୁଥିଲି ? ’ ମାଣିକ ମୁଲ୍ଲା ହସିଲେ ଓ କହିଲେ ଯେ ‘ଆମର ଜୀବନରେ କୌଣସି ବି ପୃଷ୍ଠା ଓଲଟେଇ ଦେଖ ତ ପ୍ରତି ଦିଗରେ ଏତେ ମଇଳା ଓ ଆବର୍ଜନା ଲୁଚି ରହିଛି ଯେ, ସତରେ ତା ପାଇଁ କାନ୍ଦ ଲାଗେ . କିନ୍ତୁ ପ୍ରିୟ ବନ୍ଧୁଗଣ ମୁଁ ଏତେ କାନ୍ଦି ସାରିଛି ଯେ, ଏବେ ଆକ୍ଷିରେ ଲୁହ ହିଁ ଆସୁ ନାହିଁ, ତେଣୁ ଉପାୟଶୂନ୍ୟ ହୋଇ ହସିବାକୁ ପଡେ . ଆଉରି ଗୋଟିଏ କଥା – ଯେଉଁ ବ୍ୟକ୍ତି ଭାବପ୍ରବଣ ଅଟନ୍ତି ଓ କେବଳ କାନ୍ଦନ୍ତି, ସେମାନେ କାନ୍ଦି ବୋବେଇ ରହିଯାଆନ୍ତି, କିନ୍ତୁ ଯେଉଁ ବ୍ୟକ୍ତି ହସିବା ଶିଖି ଯାଆନ୍ତି, ସେମାନେ କେବେ କେବେ ହସି ହସି ସେହି ଜୀବନକୁ ବଦଳେଇ ବି ଦିଅନ୍ତି .’

          ତାପରେ ଖରଭୁଜ କାଟୁ କାଟୁ କହିଲେ, ‘ଏହି କଥାକୁ ଛାଡ . ନିଅ ଆଜି ଜୌନପୁରୀ ଖରଭୁଜ ଅଛି . ଏହାର ବାସନା ତ ଦେଖ . ଗୋଲାପୀ ଅଛି . କଣ ଶ୍ୟାମ ? କାହିଁକି ମୁହଁ ଓହଳେଇ ବସିଛ ? ଆରେ ମୁହଁ ଓହଳେଇଲେ ଲାଭ କଣ ! ମୁଁ ଏବେ ତୁମକୁ ଯମୁନାର ବିବାହ କେମିତି ହେଲା କହିବି .’

          ଆମେ ସବୁ ଏହା ହିଁ ଶୁଣିବାକୁ ଚାହୁଁଥିଲୁ, ତେଣୁ ଏକ ସ୍ୱରରେ କହି ଉଠିଲୁ, ‘ ହଁ ହଁ, ଆଜି ଯମୁନାର ବିବାହର କାହାଣୀ କୁହନ୍ତୁ .’ କିନ୍ତୁ ମାଣିକ ମୁଲ୍ଲା କହିଲେ, ‘ ନା, ପ୍ରଥମେ ଖରଭୁଜର ଚୋପା ସବୁ ବାହାରେ ଫିଙ୍ଗି ଆସ .’ ଯେତେବେଳେ ଆମେମାନେ କୋଠରୀ ସଫା କରି ଦେଲୁ, ମାଣିକ ମୁଲ୍ଲା ସମସ୍ତଙ୍କୁ ଆରାମସେ ବସିଯିବା ପାଇଁ କହିଲେ, ଥାକରୁ ଘୋଡାର ପୁରୁଣା ନାଲ ଉଠେଇ ଆଣିଲେ ଓ ତାକୁ ହାତରେ ଧରି କହିଲେ, ‘ଏହା କଣ ?’

          ‘ଘୋଡାର ନାଲ .’ ଆମେ ସବୁ ସମ ସ୍ୱରରେ ଉତ୍ତର ଦେଲୁ .

          ‘ଠିକ୍ !’ ମାଣିକ ମୁଲ୍ଲା ଯାଦୁକର ଭଳି ନାଲକୁ ଆଶ୍ଚର୍ଯ୍ୟଜନକ ତେଜରେ ଆଙ୍ଗୁଠି ଉପରେ ନଚାଉ ନଚାଉ କହିଲେ, ‘ଏହି ନାଲ ଯମୁନାର ବୈବାହିକ ଜୀବନର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସ୍ମୃତି ଚିହ୍ନ ଅଟେ . ତୁମେମାନେ ପଚାରିପାର କେମିତି ? ତାକୁ ମୁଁ ବିସ୍ତୃତ ଭାବରେ କହୁଛି .’

          ମାଣିକ ମୁଲ୍ଲା ବିସ୍ତାର ଭାବରେ ଯାହା କହିଲେ, ତାହା ସଂକ୍ଷେପରେ ଏହି ପ୍ରକାର ଅଟେ :

          ଯେତେବେଳେ ଅନେକ ଦିନ ପର୍ଯ୍ୟନ୍ତ ଯମୁନାର ବାହାଘର ହୋଇପାରିଲା ନାହିଁ ଓ ନିରାଶ ହୋଇ ତାର ମାଆ ପୂଜାପାଠ କରିବାକୁ ଲାଗିଲା ଏବଂ ବାପା ବ୍ୟାଙ୍କରେ ଓଭରଟାଇମ୍ କଲେ ତ ଦିନେ ଅକସ୍ମାତ ତାଙ୍କ ଘରକୁ ଜଣେ ଦୂର ସମ୍ବନ୍ଧୀ ରାମୋ ବିବି ଆସିଲେ ଓ ସେ ମଞ୍ଜି ଛଡାଉ ଛଡାଉ କହିଲେ, ‘ହାଏ ରାମ୍ ! ଝିଅର ବଢିଆଳକୁ ଦେଖ . ଯେମିତି ନାମ, ସେମିତି କାମ .  ଭାଦ୍ରବରେ ଯମୁନା ଦୁଇ କୂଳ ଡେଇଁବା ଭଳି . ’ ପୁଣି ଲଇଁ ପଡି ମାଆର କାନରେ ଆସ୍ତେ କହିଲେ, ‘ଏ କଣ ? ଆହୁରି ବାହାଘର ଠିକ୍ କରିନ ?’ ଯେତେବେଳେ ମାଆ କହିଲେ ଯେ ଜ୍ଞାତିରେ ବହୁତ ଯୌତୁକ ମାଗୁଛନ୍ତି, ଆଉ କେଉଁଠି ଜାତି ଅଜାତିରେ ଦେବା ଅପେକ୍ଷା ମା ଝିଆ ବେକରେ ଦଉଡି ବାନ୍ଧି କୂଅକୁ ଡେଇଁ ପଡିବା ଭଲ, ସେତେବେଳେ ରାମୋ ବିବି ସହସା ଗାଳି କରି କହିଲା, ‘ ଏ ହେ ! କେମିତି କୁଭାଷା ମୁହଁରୁ ବାହାର କରୁଛୁ ଯମୁନା ମାଆ ! କହିବାକୁ କଣ କିଛି ଲାଗୁଛି ! ଆଉ କୂଅକୁ ଡେଉଁ ତୋର ଶତୃ, କୂଅରେ ପଡନ୍ତୁ, ସାହି ପଡିଶା, କୂଅରେ ପଡନ୍ତୁ ତନ୍ନା ଓ ମହେସର ଦଲାଲ, ଅନ୍ୟର ସୁଖ ଦେଖି ଯାହାର ଛାତି ଫାଟୁଛି . ’ ଏମିତି ହେଲା ଯେ, ରାମୋ ବିବି ନିଜର କୁର୍ତ୍ତା ଭିତରୁ ନିଜ ପୁତୁରାର କୁଣ୍ଡଳୀ ବାହାର କରି ଦେଲା ଓ କହିଲା, ‘ସମୟ ଆସିଲେ ମଣିଷ ହିଁ ମଣିଷର କାମରେ ଆସିଥାନ୍ତି . ଯିଏ ସମୟ ଅସମୟରେ କାମରେ ନ ଆସେ, ସେ ମଣିଷ ରୂପରେ ପଶୁ ଅଟେ . ଇଏ ହେଉଛି ମୋର ପୁତୁରା . ଘରକୁ ଏକା, ନା ଶାଶୁ ନା ଶ୍ୱଶୁର, ନା ନଣନ୍ଦ ନା ବଡ ଯାଆ. କିଛି ଖିଚ୍ ଖିଚ୍ ନାହିଁ ଘରେ . ବାପ ଦାଦାଙ୍କର ନାଁ ଓ ସମ୍ପତ୍ତି ଅଛି . ଘରେ ଘୋଡା ଅଛି, ଘୋଡା ଗାଡି ଅଛି . ପୁରୁଣା ନାମୀ ଖାନଦାନ୍ . ଝିଅ ରାଣୀ ମହାରାଣୀ ଭଳି ରହିବ .’

ଯେତେବେଳେ ସନ୍ଧ୍ୟାରେ ଯମୁନାର ମାଆ, ଏହି ଖବର ବାପାକୁ ଦେଲା, ସେ ସାମନାରୁ ଖାଇବା ଥାଳି ଠେଲି ଦେଲା  ଓ କହିଲା ‘ତାହାର ଦୁଇଟା ସ୍ତ୍ରୀ ମରିଯାଇଛନ୍ତି . ପୁଅ ତୃତୀୟ ପକ୍ଷ ଅଟେ . ମୋ ଠାରୁ ଚାରି ପାଞ୍ଚ ବର୍ଷ ସାନ ହେବ .’

‘ଥାଳି କାହିଁକି ଠେଲି ଦେଲ ? ନ ଖାଇଲେ ନାହିଁ . କାହିଁକି ଯାଇ ଖୋଜି ଆଣୁନ ? ଯେତେବେଳେ ଝିଅର ବୟସ ମୋ ପାଖା ପାଖି ହେଲାଣି ପୁଅ କେଉଁଠୁ ଏଗାର ବର୍ଷର ମିଳିଯିବ ?’ ଏହି କଥାକୁ ନେଇ ସ୍ୱାମୀ ସ୍ତ୍ରୀ ଭିତରେ ବହୁତ କଥା କଟାକଟି ହେଲା . ଶେଷରେ ଯେତେବେଳେ ସ୍ତ୍ରୀ ପାନ ଭାଙ୍ଗି ନେଇଗଲା ଓ ସ୍ୱାମୀକୁ ବୁଝେଇ କହିଲା, ‘ପୁଅ ତୃତୀୟ ପକ୍ଷ ହେଲେ କଣ ହେଲା . ପୁରୁଷ ଓ କାନ୍ଥ – ଯେତେ ପାଣି ଖାଇବେ, ସେତେ ପୋଖତ ହେବେ .’

ଯେତେବେଳେ ଯମୁନା ଘରକୁ ବରଯାତ୍ରୀ ଆସିଲା ମାଣିକ ମୁଲ୍ଲା ଦେଖିଲେ ଓ ସେ ଯେଉଁ ପୋଖତ କାନ୍ଥର ବର୍ଣ୍ଣନା କଲେ ଆମେ ସବୁ ହସି ହସି ଗଡି ଗଲୁ . ଯମୁନା ତାକୁ ଦେଖି ବହୁତ କାନ୍ଦିଲା, ଗହଣା ପିନ୍ଧି ବହୁତ ଖୁସି ହେଲା, ବିଦା ସମୟରେ ତା ଆକ୍ଷିରୁ ଲୁହ ଥମୁ ନ ଥିଲା ହୃଦୟରୁ ଆଶା .

ଯେତେବେଳେ ଯମୁନା ବାପାଘରକୁ ଆସିଲା, ସବୁ ସାଙ୍ଗମାନଙ୍କ ଘରକୁ ଗଲା . ପୁରା ଶରୀରରେ ଗହଣା ଭରି ହୋଇ ରହିଥିଲା . ଶରୀର ପୁଲକିତ ଥିଲା ଓ ପତିର ପ୍ରଶଂସା କରିବାରେ ପାଟି ଥକୁ ନ ଥିଲା . ‘ଆରେ କମ୍ମୋ, ସିଏ ତ ଏତେ ସରଳ ଯେ ଟିକେ ବି ଥଟ୍ଟା ମଜା ଜାଣନ୍ତି ନାହିଁ . ଯେମିତି ଗୋଟେ ଛୋଟ ପିଲା .  ପ୍ରଥମ ଦୁଇ ଜଣଙ୍କ ବାପ ଘର ସବୁ ସମ୍ପତ୍ତି ଲୁଟି ନେଇଛନ୍ତି, ନାହିଁ ତ ଧନ ଉଛୁଳୁ ଥାନ୍ତା . ମୁଁ କହିଲି, ଏବେ ତୁମର ଶଳାଶାଳୀ ଆସିଲେ ବାହାରୁ ହିଁ ବିଦା କରିବି, ତୁମେ ଦେଖିବ . ସେ କହିଲେ, ‘ତୁମେ ଘରର ମାଲିକାଣୀ, ସକାଳେ ସଞ୍ଜରେ ଡାଲି ରୁଟି ଦେଇ ଦିଅ ବସ୍, ମୋର କଣ କରିବାର ଅଛି .’ ଚବିଶ ଘଣ୍ଟା ମୁହଁକୁ ଚାହିଁ ରହୁଛନ୍ତି . ଟିକିଏ ବି କୁଆଡେ ଯଦି ଯାଉଛି – ବସ୍ ଶୁଣୁଛ, ଆହେ ଶୁଣୁଛ, ଆହେ କୁଆଡେ ଗଲ ! ମୁଁ ତ ଅଣନିଶ୍ୱାସୀ ହେଇ ଯାଉଛି କମ୍ମୋ ! ସାହିପଡିଶା ଦେଖି ଦେଖି ଜଳୁଛନ୍ତି . ମୁଁ କହିଲି, ଯେତେ ଜଳିବେ, ସେତେ ଜଳେଇବି . ମୁଁ ବି ସେତେବେଳେ କବାଟ ଖୋଲୁଛି, ଯେତେବେଳେ ଖରା ମୁଣ୍ଡ ଉପରକୁ ଆସି ଯାଉଛି . ଓ ଏତେ ଖିଆଲ ରଖୁଛନ୍ତି ଯେ ମୁଁ ଆସିବା ବେଳେ ଅଢେଇଶହ ଟଙ୍କା ଜବରଦସ୍ତ ଟ୍ରଙ୍କରେ ରଖିଦେଲେ . କହିଲେ, ଯଦି ଏହାକୁ ନ ନିଅ, ମୋ ରାଣ . ’ କିନ୍ତୁ ଯମୁନାକୁ ଜଲଦି ହିଁ ଶାଶୁ ଘରକୁ ଫେରିଯିବାକୁ ପଡିଲା, କାରଣ ଦିନେ ତାର ବାପା ବହୁତ ଚିନ୍ତିତ ଅବସ୍ଥାରେ ରାତି ଆଠଟାରେ ବ୍ୟାଙ୍କରୁ ଫେରିଲେ ଓ କହିଲେ ଯେ ହିସାବରେ ଶହେ ସତେଇଶି ଟଙ୍କା ତେର ଅଣା କମି ଯାଉଛି . ଯଦି କାଲି ସକାଳ ସୁଦ୍ଧା ସେ ତାକୁ ଜମା ନ କରୁଛନ୍ତି, ତାଙ୍କୁ ଜେଲ୍ ହେଇଯିବ . ଏହା ଶୁଣୁ ଶୁଣୁ ଘରେ ଦୁଃଖର ଛାଇ ଖେଳିଗଲା, ଓ ଯମୁନା ଚଟାପଟ୍ ଟ୍ରଙ୍କରୁ ନୋଟ୍ ବଣ୍ଡଲ୍ ବାହାର କରି ଚାଳରେ ଖୋସି ଦେଲା . ଆଉ ଯେତେବେଳେ ମା କହିଲେ, ‘ଝିଅ ବାକି ଦେଇ ଥା !’ତ ସିଏ ତାଲା ମାଆ ହାତକୁ ଦେଇ କହିଲା, ‘ଦେଖ ନା, ସିନ୍ଦୁକରେ ଦି ଚାରି ଅଣା ପଡିଥିବ .’ କିନ୍ତୁ ଯମୁନା ଭାବିଲା, ଆଜି ତ ବିପଦ ଟଳିଗଲା, କିନ୍ତୁ କେଉଁ ପର୍ଯ୍ୟନ୍ତ ମାଆ ଠାରୁ ବଞ୍ଚି ରହିବି . ପ୍ରଥମରୁ ତ ଏତେ ଲୁଟି ହେଇ ଯାଇଛି ଯେ, ଏବେ ଯଦି ଯମୁନା ବି ମାଆ ବାପାଙ୍କ ପାଇଁ ପଇସା ସାରିଦେବ, ତେବେ ନିଜ ପିଲାଛୁଆଙ୍କ ପାଇଁ କଣ ବଞ୍ଚିବ ? ଆରେ ମାଆ ବାପା ତ କିଛି ଦିନର ? ତାକୁ ତା ପିଲାଛୁଆ ହିଁ ସାହାରା ଦେବେ ନା !

ଏହି ଠାରେ ମାଣିକ ମୁଲ୍ଲା କାହାଣୀ କହୁ କହୁ ଅଟକି ଗଲେ ଓ ଆମ ଆଡକୁ ଚାହିଁ କହିଲେ, ‘ପ୍ରିୟ ବନ୍ଧୁଗଣ ! ସବୁବେଳେ ମନେ ରଖ ଯେ,ନାରୀ ପ୍ରଥମେ ମାଆ ଓ ପରେ ଅନ୍ୟ କିଛି ! ଏହାର ଜନ୍ମ ହିଁ ଏଥିପାଇଁ ହୋଇଥାଏ ଯେ ସେ ମାଆ ହେବ . ସୃଷ୍ଟିର କ୍ରମକୁ ଆଗକୁ ବଢେଇବ . ଏହା ହିଁ ତାର ମହାନତା . ତୁମେ ଦେଖିଲ ନା ଯମୁନା ମନରେ ପ୍ରଥମେ ନିଜ ଛୁଆଙ୍କ କଥା ଆସିଲା . ’

ଯମୁନା ନିଜ ଭବିଷ୍ୟତ ପିଲାଛୁଆଙ୍କ କଥା ଖିଆଲ କରି ନିଜ ଶାଶୁ ଘରକୁ ଚାଲି ଗଲା ଓ ସୁଖରେ ରହିବାକୁ ଲାଗିଲା . ସତ କହିଲେ, ଏଠାରେ ହିଁ ଯମୁନାର କାହାଣୀର ଅନ୍ତ ହେଉଛି .

‘କିନ୍ତୁ ଆପଣ ତ ଘୋଡାର ନାଲ ଦେଖାଇଥିଲେ, ଏହାର ତ କଥା କହିଲେ ନାହିଁ ?’

‘ଓହୋ !  ମୁଁ ଭାବିଲି, ଦେଖେ ତୁମେମାନେ କେତେ ଧ୍ୟାନ ଦେଇ ଶୁଣୁଛ . ’ ଓ ତାପରେ ସେ ସେହି ନାଲ ଘଟଣା ବି କହିଲେ . ଅସଲରେ ଯମୁନାର ପତି ତୃତୀୟ ପକ୍ଷ ଅର୍ଥାତ୍ ପୋଖତ କାନ୍ଥ ଅଟେ, କିନ୍ତୁ ଦୁହିଁଙ୍କ ମଧ୍ୟରେ ସେତିକି ପ୍ରଭେଦ ଥିଲା, ଯେତିକି ପଲସ୍ତରା ଛାଡି ଯାଇଥିବା ପୁରୁଣା କାନ୍ଥ ଓ ଲିପା ପୋଛା ହୋଇଥିବା ତୁଳସୀ ଚଉରା ମଧ୍ୟରେ ଥାଏ . ଲୋକମାନେ ୟାଡୁ ସ୍ୟାଡୁ କଥା କହୁଥିଲେ, କିନ୍ତୁ ଯମୁନା ମନ ଓ ଶରୀରେ ପତି ପରାୟଣା ଥିଲା . ପତି ମଧ୍ୟ ତାର ଗହଣା ଓ କପଡାର ଧ୍ୟାନ ରଖିବା ସାଙ୍ଗ ସାଙ୍ଗେ ତାକୁ ଭଜନାମୃତ, ଗଙ୍ଗା ମାହାତ୍ମ୍ୟ, ଗୁଟକା ରାମାୟଣ ଆଦି ମୂଲ୍ୟବାନ ଗ୍ରନ୍ଥ ଆଣି ଦେଉଥିଲା .ଭକ୍ତି ଭାବନା ଯମୁନା ମନରେ ଅଙ୍କୁରିତ ହୋଇ ଆସୁଥିଲା ଓ ସେ ଭକ୍ତି ସଙ୍ଗୀତ ଓ ମନ୍ତ୍ର ଉଚ୍ଚାରଣରେ ତଲ୍ଲୀନ ହୋଇ ପଡୁଥିଲା . ସେ ସକାଳେ ସଞ୍ଜରେ, ଦି ପହରେ, ରାତିରେ ସବୁବେଳେ ଭକ୍ତି ଭାବରେ ବୁଡି ରହୁଥିଲା .ପ୍ରତିଦିନ ତା ଘରକୁ ମୁଖମଣ୍ଡଳରେ ଆଧ୍ୟାତ୍ମିକ ଆଲୋକଦୀପ୍ତ ସାଧୁ ସନ୍ଥ ସେଠାରେ ଖାଉଥିଲେ .

ଏମିତରେ ତାର ଭକ୍ତି ନିଷ୍କାମ ଥିଲା, କିନ୍ତୁ ଯେତେବେଳେ ସାଧୁ ସନ୍ଥମାନେ ତାକୁ ଆଶୀର୍ବାଦ ଦେଉଥିଲେ ଯେ, ‘ସନ୍ତାନବତୀ ହୁଅ’ ତ ସେ ଉଦାସ ହେଇ ଯାଉଥିଲା . ତା ପତି ତାକୁ ବହୁତ ବୁଝାଉଥିଲା, ‘ଆରେ ଏହା ତ ଭଗବାନଙ୍କ ମାୟା, ସେଥିରେ ଉଦାସ କାହିଁକି ହେଉଛ ? ’ କିନ୍ତୁ ସନ୍ତାନର ଚିନ୍ତା ତାଙ୍କୁ ବି ଥିଲା କାରଣ ଏତେ ବଡ ସମ୍ପତ୍ତିର ଉତ୍ତରାଧିକାରୀ କେହି ନ ଥିଲେ . ଶେଷରେ ଦିନେ ସେ ଓ ଯମୁନା ଜଣେ ଜ୍ୟୋତିଷଙ୍କ ପାଖକୁ ଗଲେ ଯିଏ ଯମୁନାକୁ କହିଲେ ଯେ, ସିଏ କାର୍ତ୍ତିକ ମାସରେ ସକାଳେ ଗଙ୍ଗାସ୍ନାନ କରି, ଚଣ୍ଡୀ ଦେବୀଙ୍କୁ ହଳଦିଆ ଫୁଲ ଓ ବ୍ରାହ୍ମଣକୁ ଚଣା, ଜାଉ ଓ ସୁବର୍ଣ୍ଣ ଦାନ କରିବା ଉଚିତ .

ଯମୁନା ଏହା କରିବା ପାଇଁ ତତକ୍ଷଣାତ୍ ରାଜି ହୋଇଗଲା . କିନ୍ତୁ ଏତେ ସକାଳୁ କାହା ସହିତ ଯିବ ! ଯମୁନା ପତି (ଜମିଦାର ସାହେବ)ଙ୍କୁ କହିଲା, କି ସେ ସାଥିରେ ଚାଲନ୍ତୁ, କିନ୍ତୁ ସେ ବୁଢା ଲୋକ, ସକାଳେ ଟିକିଏ ବି ଥଣ୍ଡା ପବନ ବାଜିଲେ ତାଙ୍କର କାଶ ଆରମ୍ଭ ହୋଇଯାଏ . ଶେଷରେ ସ୍ଥିର ହେଲା ଯେ, ରାମଧନ ଟାଙ୍ଗାବାଲା, ସନ୍ଧ୍ୟାରେ ଜଲଦି ଘରକୁ ପଳେଇବ, ଓ ସକାଳେ ଚାରିଟା ବାଜିଲେ ଆସି ଟାଙ୍ଗା ଲଗେଇ ଦେବ .

ଯମୁନା ପ୍ରତି ଦିନ ଗାଧେଇବାକୁ ଗଲା . କାର୍ତ୍ତିକରେ ବହୁତ ଥଣ୍ଡା ପଡିଥାଏ ଓ ଘାଟରୁ ମନ୍ଦିର ପର୍ଯ୍ୟନ୍ତ ସେ କେବଳ ଗୋଟିଏ ପତଳା ରେଶମୀ ଧୋତି ପିନ୍ଧି ଫୁଲ ଚଢେଇବାକୁ ଯାଉଥିଲା . ସେ ଥଣ୍ଡାରେ ଥରି ଥରି କମ୍ପୁଥିଲା . ଦିନେ ଶର୍ଦ୍ଦି ଯୋଗୁଁ ତାର ହାତ-ପାଦ କୋଲା ମାରିଗଲା . ସେ ସେଠି ସେହି ଥଣ୍ଡା ବାଲି ଉପରେ ବସିଗଲା  ଓ କହିଲା ରାମଧନ ତାକୁ ଯଦି ଉଠେଇ ଟାଙ୍ଗାରେ ନ ବସେଇବ ସେ ମରିଯିବ .

ଶେଷରେ ରାମଧନ ସହି ପାରିଲା ନାହିଁ . ସେ ଦିନେ କହିଲା, ‘ବୋହୁମା, ଆପଣ କାହିଁକି ଜୀବନ ଦେବାକୁ ବସିଛନ୍ତି . ଏପରି ତପସ୍ୟା ତ ଧନୀ ସ୍ତ୍ରୀ ଲୋକମାନେ କରି ପାରିନ୍ତି ନାହିଁ . ବଡ ବଡ ଜ୍ୟୋତିଷଙ୍କୁ କୁହ, ଏବେ ଏକ ଗରୀବ ଲୋକର କିପରି ତୁଳନା ! ’ ଯମୁନା ପଚାରିବାରୁ ସେ କହିଲା, ଯେଉଁ ଘୋଡାର ମଥାରେ ଧଳା ଟିକା ଥିବ, ତାର ଆଗର ବାଁ ପାଦରେ ଥିବା ଘସି ହୋଇଯାଇଥିବା ନାଲକୁ ଚନ୍ଦ୍ରଗ୍ରହଣ ସମୟରେ ନିଜ ହାତରେ ବାହାର କରି ସେଥିରେ ମୁଦି ବନେଇ ପିନ୍ଧିଲେ ସମସ୍ତ କାମନା ପୁରା ହୋଇଯିବ .

କିନ୍ତୁ ଯମୁନା ରାଜି ହେଲା ନାହିଁ . କାରଣ ଜଣା ନାହିଁ ଚନ୍ଦ୍ରଗ୍ରହଣ କେବେ ପଡିବ . ରାମଧନ କହିଲା ଦୁଇ ତିନି ଦିନ ପରେ ହିଁ ଚନ୍ଦ୍ରଗ୍ରହଣ . କିନ୍ତୁ ଅସୁବିଧା ଏହା ଯେ ନାଲ ଏବେ ନୂଆ ଲଗେଇଲେ ତାହା ତିନି ଦିନ ଭିତରେ କେମିତି ଘୋର ହୋଇଯିବ ? ଆଉ ପୁଣି ନୂଆର ପ୍ରଭାବ ହିଁ କିଛି ରହିବ ନାହିଁ .

‘ତେବେ ପୁଣି କଣ ରାମଧନ ? ତୁମେ ହିଁ କିଛି ଉପାୟ କହ !’

‘ସାଆନ୍ତାଣୀ, ଗୋଟିଏ ହିଁ ଉପାୟ ଅଛି .’

‘କଣ ?’

‘ଘୋଡାଗାଡି (ଟାଙ୍ଗା) ପ୍ରତିଦିନ କମ୍ ସେ କମ୍ ବାର ମାଇଲ୍ ଯାଇପାରିବ . କିନ୍ତୁ ମାଲିକ ତ କୁଆଡେ ଯାଆନ୍ତି ନାହିଁ . ଏକଲା ମୋତେ ଘୋଡାଗାଡି ଚଲେଇବାକୁ ଦେବେ ନାହିଁ . ଆପଣ ଗଲେ ଠିକ୍ ହେବ . ’

‘କିନ୍ତୁ ଆମେ ବାର ମାଇଲ୍ କୁଆଡେ ଯିବା ? ’

          ‘କାହିଁକି ନୁହେଁ ସାଆନ୍ତାଣୀ ! ଆପଣ ସକାଳୁ ଆଉ ଟିକେ ଜଲଦି ମାନେ ଦୁଇଟା ଅଢେଇଟା ବେଳକୁ ବାହାରିଯିବେ!  ଗଙ୍ଗା ସେପାରି ପକ୍କା ସଡକ ଅଛି, ବାର ମାଇଲ ବୁଲେଇ ଠିକ୍ ସମୟରେ ଆଣି ଛାଡି ଦେଇ ଯିବି . ତିନି ଦିନର ତ  କଥା .’

          ଯମୁନା ରାଜି ହୋଇଗଲା ଓ ତିନି ଦିନ ପର୍ଯ୍ୟନ୍ତ ପ୍ରତିଦିନ ଘୋଡାଗାଡି ଗଙ୍ଗା ସେପାରି ଚାଲି
ଯାଉଥିଲା . ରାମଧନର ଅନୁମାନ ଠିକ୍ ଥିଲା ଓ ତୃତୀୟ ଦିନ ଚନ୍ଦ୍ର ଗ୍ରହଣ ସମୟରେ ନାଲ ବାହାର କରି ମୁଦି ତିଆର କରିବାକୁ ଗଲା ଓ ମୁଦିର ପ୍ରଭାବ ଦେଖ ଜମିଦାରଙ୍କ ଘରେ ଖୁସିର ଝଲକ ଦେଖା ଗଲା ଓ ନର୍ସ୍ ପୁରା ଶହେ ଟଙ୍କାର ବକ୍ସିସ୍ ନେଲା .

          ଜମିଦାର ବିଚରା ବୁଢା ହୋଇଯାଇଥିଲେ  ଓ ବହୁତ କଷ୍ଟ ପାଉଥିଲେ, ଉତ୍ତରାଧିକାରୀ ବି ହୋଇସାରିଥିଲା, ତେଣୁ ଭଗବାନ ତାଙ୍କୁ ନିଜ ପାଖକୁ ନେଇଗଲେ . ଯମୁନା ପତିର ବିଛେଦରେ ବହୁତ କାନ୍ଦିଲା, ଚୁଡି ଶଙ୍ଖା ଭାଙ୍ଗିଦେଲା . ଖାଇବା ପିଇବା ଛାଡି ଦେଲା . ଶେଷରେ ପଡୋଶୀମାନେ ବୁଝେଇେଲେ, ଛୋଟ ଛୁଆ, ତା ମୁହଁକୁ ଦେଖିବା ପାଇଁ . ଯାହା ହେବାର ଥିଲା ହେଇଗଲା . କାଳ ବଳବାନ୍ . ତା ଉପରେ କାହାର ନିୟନ୍ତ୍ରଣ ନାହିଁ . ପଡୋଶୀମାନଙ୍କର ବହୁତ ବୁଝାସୁଝା ପରେ ଯମୁନା ଲୁହ ପୋଛିଲା . ଘର ଦ୍ୱାର ସମ୍ଭାଳିଲା . ଏତେ ବଡ କୋଠୀ, ଏକଲା ରହିବା ଜଣେ ବିଧବା ମହିଳାଙ୍କ ପାଇଁ ଅନୁଚିତ ଥିଲା, ତେଣୁ ସେ ରାମଧନକୁ ଗୋଟିଏ କୋଠରୀ ଦେଲା ଓ ପବିତ୍ରମୟ ଜୀବନ ଯାପନ କରିବାକୁ ଲାଗିଲା .

          ଯମୁନାର କାହାଣୀ ସରି ଯାଇଥିଲା, କିନ୍ତୁ ଆମମାନଙ୍କୁ ଆଶଙ୍କା ଥିଲା ଯେ ମାଣିକ ମୁଲ୍ଲାକୁ ଏହି ଘସା ନାଲ କେଉଁଠାରୁ ମିଳିଲା, ସେଥିରେ ତ ମୁଦି ପ୍ରସ୍ତୁତ ହୋଇ ଯାଇଥିଲା . ପଚାରିବାରୁ ଜଣା ପଡିଲା ଯେ, ଦିନେ କେବେ ରେଳ ଯାତ୍ରା ସମୟରେ ମାଣିକ ମୁଲ୍ଲାର ରାମଧନ ସହିତ ସାକ୍ଷାତ ହୋଇଥିଲା . ସିଲ୍କ କୁର୍ତ୍ତା, ପାନ ଡିବା . ବହୁତ ଦେଖେଇ ହେଉଥିଲା ସେ .  ମାଣିକ ମୁଲ୍ଲାଙ୍କୁ ଦେଖିବା ମାତ୍ରେ ନିଜ ଭାଗ୍ୟୋଦୟର ସମସ୍ତ କଥା ଶୁଣେଇଲା ଓ କହିଲା ସତରେ ଘୋଡାନାଲର ବଡ ଶକ୍ତି ଅଛି . ଓ ପୁଣି ସେ ଗୋଟିଏ ନାଲ ମାଣିକ ମୁଲ୍ଲା ପାଖକୁ ପଠେଇ ଦେଇଥିଲା, ଯଦିଓ ସେ ସେଥିରେ ମୁଦି ତିଆରି ନ କରି ତାକୁ ଜାଗ୍ରତରେ ରଖିଛନ୍ତି .

          କାହାଣୀ ଶୁଣେଇସାରି ମାଣିକ ମୁଲ୍ଲା ଶ୍ୟାମ ଆଡକୁ ଚାହିଁ କହିଲେ, ‘ଦେଖିଲ ଶ୍ୟାମ, ଭଗବାନ୍ ଯାହା କିଛି କରିଥାଏ ମଙ୍ଗଳ ପାଇଁ କରିଥାଏ . ଶେଷରେ ଯମୁନାକୁ କେତେ ସୁଖ ମିଳିଲା . ତୁମେ ଅକାରଣରେ ଦୁଃଖୀ ହେଉଥିଲ ? ନା କଣ ?  ’

          ଶ୍ୟାମ ପ୍ରସନ୍ନ ଚିତ୍ତରେ ସ୍ୱୀକାର କଲା କେ ସେ ଅଯଥାରେ ଦୁଃଖ କରୁଥିଲା . ଶେଷରେ ମାଣିକ ମୁଲ୍ଲା କହିଲେ, ‘ଏଥିରୁ କଣ ସିଦ୍ଧାନ୍ତ ବାହାରିଲା ?’

          ଆମ ଭିତରୁ ଯେତେବେଳେ କେହି କିଛି କହିପାରିଲେ ନାହିଁ, ସିଏ କହିଲେ,  ଏଥିରୁ ଏହି ସିଦ୍ଧାନ୍ତ ବାହାରିଲା ଯେ ଦୁନିଆର କୌଣସି କାମ ଖରାପ ନୁହେଁ . କୌଣସି କାମକୁ ବି ନୀଚ ଦେଖିବା କଥା ନୁହେଁ, ତାହା ଘୋଡାଗାଡି ଚଲେଇବା ହେଉନା କାହିଁକି ?

          ଆମ ସମସ୍ତଙ୍କୁ କାହାଣୀର ଏହି ସମାଧାନ ବହୁତ ଭଲ ଲାଗିଲା ଓ ଆମେ ସବୁ ଶପଥ କରିଲୁ କି କେବେ ବି କୌଣସି ପ୍ରକାର ସତ୍ କର୍ମକୁ ନୀଚ ଦେଖିବୁ ନାହିଁ, ସେ କାମ ଯାହା ହେଇ ଥାଉ ନା କାହିଁକି .

          ଏହିପରି ମାଣିକ ମୁଲ୍ଲାଙ୍କର ଦ୍ୱିତୀୟ ସିଦ୍ଧାନ୍ତବାଦୀ କାହାଣୀ ସମାପ୍ତ ହେଲା .

ମଧ୍ୟାନ୍ତର

            ଯମୁନାର ଜୀବନ ଗାଥା ସମାପ୍ତ ହୋଇସାରିଥିଲା ଓ ଆମମାନଙ୍କୁ ତା ଜୀବନର ଏପରି ସୁଖଦ ସମାଧାନ ଦେଖି ବହୁତ ଖୁସି ଲାଗିଲା . ଏମିତି ଲାଗୁଥିଲା ଯେ ସମସ୍ତ ରସର ପରିଣତି ଶାନ୍ତ ବା ଘୃଣାରେ ହେଉଥିଲା, ସେମିତିରେ ବି ସେହି ଅଭାଗିନୀର ଜୀବନର ସମସ୍ତ ସଙ୍ଘର୍ଷ ଓ ପୀଡାର ପରିଣତି ମାତୃତ୍ୱରେ ପ୍ଲାବିତ, ଶାନ୍ତ, ନିଷ୍କମ୍ପ ଦୀପ ଶିଖା ଭଳି ପ୍ରକାଶମାନ, ପବିତ୍ର, ନିଷ୍କଳଙ୍କ ବୈଧବ୍ୟରେ ହୋଇଥିଲା .

          ରାତିରେ ଆମେ ଯେତେବେଳେ ବୈଦ୍ୟଙ୍କର ଚଉତରା ଉପରେ ନିଜ ନିଜର ଖଟ ଓ ଶେଜ ନେଇ ଏକତ୍ର ହେଲୁ, ସେତେବେଳେ ଯମୁନାର  ଜୀବନ କାହାଣୀ ଆମ ସମସ୍ତଙ୍କର ମସ୍ତିଷ୍କ ଉପରେ ଛାଇ ହୋଇ ରହିଥିଲା ଓ ତାକୁ ନେଇ ଯେଉଁ କଥାବାର୍ତ୍ତା ବା ବାଦ ବିବାଦ ହେଲା, ତାହାର ନାଟକୀୟ ବିବରଣୀ ଏହି ପ୍ରକାରେ ଅଟେ :

ମୁଁ : (ଖଟ ଉପରେ ବସି, ତକିଆକୁ କୋଳ ଉପରେ ରଖୁ ରଖୁ) ଭାଇ କାହାଣୀ ବହୁତ ସୁନ୍ଦର ଥିଲା .

ଓଁକାର : ( ହାଇ ମାରୁ ମାରୁ କହିଲା ) ହଁ ହେଇଥିବ .

ପ୍ରକାଶ : (କଡ ଲେଉଟେଇ କରି) କିନ୍ତୁ ତୁମେ ମାନେ ତାହାର ଅର୍ଥ ବୁଝିଲ ?

ଶ୍ୟାମ : (ଉତ୍ସାହିତ ହୋଇ) କାହିଁକି, ସେଥିରେ କଣ କଠିନ ଭାଷା ଅଛି ?

ପ୍ରକାଶ : ଏହା ହିଁତ ମାଣିକ ମୁଲ୍ଲାଙ୍କର ବଡ ଗୁଣ ଅଟେ . ଯଦି ଟିକିଏ ବି ସଚେତ ହୋଇ କରି ତାଙ୍କ କଥା ତୁମେ ନ ବୁଝିଲ, ତେବେ ସାଙ୍ଗେ ସାଙ୍ଗେ ତୁମ ହାତରୁ ତତ୍ତ୍ୱ ବାହାରି ଯିବ, ହାଲୁକା ଫୁଲୁକା ଚୋପା ହାତ ଆସିବ . ଏବେ ଏହା କୁହ ଯେ, କାହାଣୀ ଶୁଣି ତୁମ ମନରେ କି ଭାବନା ଆସିଲା ? ତୁମେ କୁହ .

ମୁଁ : (ଏହା ଚିନ୍ତା କରି କି ଏହି  ସମୟରେ କିଛି ଆଲୋଚନା କରିବା , ବିଜ୍ଞତାର ପରିଚାୟକ ହେବ) ଭାଇ ମୁଁ ତ ଏହା ବୁଝି ପାରିଲି ନାହିଁ ଯେ, କାହିଁକି ମାଣିକ ମୁଲ୍ଲା ଯମୁନା ଭଳି ନାୟିକାର କାହାଣୀ କହିଲେ ? ଶକୁନ୍ତଳା ପରି ଭୋଲିଭାଲି କିମ୍ବା ରାଧା ପରି ପବିତ୍ର ନାୟିକାକୁ ନେଇଥାନ୍ତେ , କିମ୍ବା ଯଦି ବଡ ଆଧୁନିକ ହେବାକୁ ଚାହୁଁଛନ୍ତି, ତେବେ ସୁନୀତା ପରି ସାହସୀ ନାୟିକା କିମ୍ବା ଦେବସେନା, ଶେଖରର ଶଶୀ - ୱଶୀ ଭଳି ସମସ୍ତ ନମୁନା ମିଳିଥାଆନ୍ତା .

ପ୍ରକାଶ : (ବ୍ୟଙ୍ଗ ଭରା ସ୍ୱରରେ) କିନ୍ତୁ କୁହ ଯେ ଜୀବନରେ ଅଧିକାଂଶ ନାୟିକା ଯମୁନା ପରି ମିଳନ୍ତି ନା ରାଧା, ସୁଧା, ଗେସୁ, ସୁନୀତା ବା ଦେବସେନା ଭଳି ?

ମୁଁ : (ଚତୁରତାର ସହ ନିଜକୁ ବଞ୍ଚେଇ ) ଜାଣିନି !ମୋର ନାୟିକାମାନଙ୍କ ସମ୍ବନ୍ଧରେ କିଛି ଅନୁଭବ ନାହିଁ . ଏହାତ ଆପଣ ହିଁ କହିପାରିବେ .

ଶ୍ୟାମ : ଭାଇ, ଆମର ଚାରିଦିଗରେ ଦୁର୍ଭାଗ୍ୟବଶତଃ ନବେ ଶତକଡା ଲୋକ ତ ଯମୁନା ଓ ରାମଧନ ଭଳି ଅଟନ୍ତି, କିନ୍ତୁ ସେଥିରେ କଣ ଅଛି ! କାହାଣୀକାରକୁ ଶିବମର ଚିତ୍ରଣ କରିବା ଆବଶ୍ୟକ .

ପ୍ରକାଶ : ଏହା ତ ଠିକ୍ କଥା . କିନ୍ତୁ ଯଦି କୌଣସି ଜମାଟ ବାନ୍ଧିଥିବା ପୋଖରୀରେ ଅଧା ଇଞ୍ଚ ବରଫ ଓ ତଳେ ଅଥଳ ପାଣି ଅଛି ଓ ସେଠାରେ ଏକ ଗାଇଡ୍ ସେଠାକୁ ଆସୁଥିବା ବ୍ୟକ୍ତିମାନଙ୍କୁ ଅଧା ଇଞ୍ଚର ତ ସୂଚନା ଦେଇ ଦିଅନ୍ତି ଓ ତଳେ ଥିବା ପାଣି ଖବର ଦିଅନ୍ତି ନାହିଁ ସେ ପଥିକମାନଙ୍କୁ ଧୋକା ଦେଉନାହିଁ କି ?

ମୁଁ : କାହିଁକି ନୁହେଁ ?

ପ୍ରକାଶ : ଆଉ ଯଦି ସେହି ପଥିକ ବରଫ ତରଳିବା ପରେ ପାଣିରେ ବୁଡିଯିବ, ଏହାର ପାପ ଗାଇଡକୁ ଲାଗିବ ନା !

ଶ୍ୟାମ : ଆଉ କଣ ?

ପ୍ରକାଶ : ବସ୍, ମାଣିକ ମୁଲ୍ଲାବି ତୁମର ଧ୍ୟାନ ସେହି ଅଥଳ ପାଣି ଆଡକୁ ଟାଣୁଛନ୍ତି, ଯେଉଁଠି ମୃତ୍ୟୁ ଅଛି, ଅନ୍ଧକାର ଅଛି, କଚରା ଅଛି, ମଇଳା ଅଛି .  ଏକେତ ଦ୍ୱିତୀୟ ରାସ୍ତା ତିଆରି କର, ନହେଲେ ବୁଡି ଯାଅ . କିନ୍ତୁ ଅଧା ଇଞ୍ଚ ଜମି ରହିଥିବା ବରଫ କିଛି କାମରେ ଆସିବ ନାହିଁ . ଗୋଟାଏ ଦିଗରେ ନୂଆ ଲୋକମାନଙ୍କର ପ୍ରୀତିଭରା ଦୃଷ୍ଚିକୋଣ, ଅନ୍ୟ ଦିଗରେ ବୁଢାମାନଙ୍କର ଏହି ଶୁଖିଲା ଆଦର୍ଶ ଓ ମିଥ୍ୟା ଅବୈଜ୍ଞାନିକ ମର୍ଯ୍ୟାଦା କେବଳ ଅଧା ଇଞ୍ଚ ବରଫର ଅଟେ, ଯେଉଁଥିରେ ପାଣିର ଭୟଙ୍କର ଗଭୀରତାକୁ ଲୁଚେଇ ରଖିଛି .

ମୁଁ :

ଓଁକାର : (ବିରକ୍ତ ହୋଇ ଭାବୁଛି, କେବେ ଏ ଲେକ୍ଚର୍ ବନ୍ଦ ହେବ .)

ପ୍ରକାଶ : (ଉତ୍ସାହିତ ହୋଇ କହିଚାଲିଛି) ଯମୁନା ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଭୟଙ୍କର ସମସ୍ୟା ଅଟେ . ଆର୍ଥିକ ମୂଳଦୁଆ ଫମ୍ପା ଅଟେ . ସେହି କାରଣରୁ ବିବାହ, ପରିବାର, ପ୍ରେମ – ସବୁର ମୂଳଦୁଆ ହଲି ଯାଉଛି . ଅନୈତିକତା ଛାଇ ହୋଇ ରହୁଛି . କିନ୍ତୁ ସମସ୍ତେ ସେହି ଦିଗକୁ ଆକ୍ଷି ବନ୍ଦ କରିଦେଇଛନ୍ତି . ଅସଲରେ ପୁରା ଜୀବନର ବ୍ୟବସ୍ଥା ବଦଳେଇବାକୁ ପଡିବ !

ମୁଁ : (ବିରକ୍ତି ହୋଇ ହାଇ ମାରିଲି )

ପ୍ରକାଶ : କଣ ? ନିଦ ଆସୁଛି ? ମୁଁ କେତେ ଥର ତୁମକୁ କହିଛି, କିଛି ପଢ ଆଉ ଲେଖ . କେବଳ ଉପନ୍ୟାସ ପଢୁଛ . ଗମ୍ଭୀର କଥାବସ୍ତୁ ପଢ . ସମାଜର ଢାଞ୍ଚା, ତାର ପ୍ରଗତି, ସେଥିରେ ଅର୍ଥ, ନୈତିକତା, ସାହିତ୍ୟର ସ୍ଥାନ....

ମୁଁ : (କଥା କାଟି କରି)ମୁଁ କଣ ପଢି ନାହିଁ ? ତୁମେ କେବଳ ପଢିଛ ? (ଏହା ଦେଖିକରି ଯେ ପ୍ରକାଶର ଜ୍ଞାନବତ୍ତାକ ଗର୍ବ ଲୋକଙ୍କ ଉପରେ ପଡୁଛି, ମୁଁ କାହିଁକି ପଛରେ ରହିବି ), ମୁଁ ବି ଏହାର ମାର୍କ୍ସବାଦୀ ବ୍ୟାଖ୍ୟା ଦେଇପାରିବି –

ପ୍ରକାଶ : କଣ ? କଣ ବ୍ୟାଖ୍ୟା ଦେଇପାରିବ ?

ମୁଁ : (ବିଗିଡି ଯାଇ) ମାର୍କ୍ସବାଦୀ !

ଓଁକାର : ଆରେ ସାଙ୍ଗ ରହି ଯାଅ ନା !

ଶ୍ୟାମ : ମୋତେ ନିଦ ଆସୁଛି .

ମୁଁ : ଦେଖନ୍ତୁ, ଅସଲହେ ଏହାର ମାର୍କ୍ସବାଦୀ ବ୍ୟାଖ୍ୟା ଏହି ପ୍ରକାରେ ହେଇ ପାରିବ . ଯମୁନା ମାନବତାର ପ୍ରତୀକ ଅଟେ . ମଧ୍ୟବର୍ଗୀୟ (ମାଣିକ ମୁଲ୍ଲା ) ତଥା ସାମନ୍ତବାଦୀ (ଜମିଦାର) ତାହାର ଉଦ୍ଧାର କରିବା ଦିଗରେ ଅସଫଳ ହୋଇଛନ୍ତି ; ଶେଷରେ ଶ୍ରମିକ ଶ୍ରେଣୀର (ରାମଧନ) ତାକୁ ନୂଆ ଦିକ ଦେଖାଇଲା !

ପ୍ରକାଶ : କଣ ? (କ୍ଷଣେ ସ୍ତବ୍ଧ ରହି ପୁଣି ମଥା ପିଟି କରି) ବିଚରା ମାର୍କ୍ସବାଦୀବି ଏମିତି ଅଭାଗା ହେଲା ଯେ ସମସ୍ତ ଦୁନିଆରେ ଜିତାପଟର ପତାକା ପୋତି ଆସିଲା ଓ ହିନ୍ଦୁସ୍ତାନରେ ଅସି ଏହାକୁ ବଡ ବଡ ରାହୁ ଗ୍ରାସ କରି ଗଲା . ତୁମେ କଣ ତାକୁ ଏପରି ବ୍ୟାଖ୍ୟାକର ଏଠି ମିଳିଛନ୍ତି ସେ ବି ନିଜର ଭାଗ୍ୟ ପାଇଁ କାନ୍ଦୁଥିବ . (ଜୋରରେ ହସିଲା, ମୁଁ ନିଜକୁ ହସରେ ଉଡୁଥିବା ଦେଖି ଉଦାସ ହୋଇଗଲି)

ବୈଦ୍ୟଙ୍କର ପତ୍ନୀ : (ନେପଥ୍ୟରୁ) ମୁଁ କହୁଛି, ଏହା ଚଉତରା ନା ପରିବା ହାଟ . ଯାହାକୁ ଦେଖ ଖଟ ଉଠେଇ ଚାଲି ଆସୁଛି . ଅଧା ରାତି ପର୍ଯ୍ୟନ୍ତ କଚ୍ - କଚ୍ କଚ୍ - କଚ୍ ! କାଲିଠାରୁ ସମସ୍ତଙ୍କୁ ବାହାର କର ଏଠାରୁ .

ବୈଦ୍ୟ : (ନେପଥ୍ୟରୁ କମ୍ପିତ ବୃଦ୍ଧ କଣ୍ଠରେ କହିଲେ ) ଆରେ ପିଲାମାନେ . ହସିବାକୁ କହିବାକୁ ଦେ . ତୋର ନିଜର ଛୁଆ ନାହିଁ . ତେବେ କାହିଁକି ଅନ୍ୟକୁ ଖାଇ ଗୋଡାଉଛୁ .... (ଆମମାନଙ୍କ ଉପରେ ନିସ୍ତବ୍ଧତା ଛାଇଗଲା . ମୁଁ ବହୁତ ଉଦାସ ହୋଇ ଗଡିପଡିଲି . ମୂଳଦୁଆ ଉପରକୁ ନିଦ ପରି ଓହ୍ଲେଇ  ଆସିଲା, ଆକ୍ଷିରେ ଛମ୍ ଛମ୍ ନୃତ୍ୟ କରି ).

ଯବନିକା ପତନ

ତୃତୀୟ ଦୁଇପହର

ଶୀର୍ଷକ ମାଣିକମୁଲ୍ଲା କହିଲେ ନାହିଁ

          ଆମେ ସବୁ ସକାଳୁ ଉଠି ଦେଖିଲୁ ଯେ ରାତାରାତି ପବନ ବିଲକୁଲ ଅଟକି ଯାଇଛି ଏବଂ ଏତେ ଗୁଳୁଗୁଳି ଯେ ସକାଳ ପାଞ୍ଚଟାରେ ବି ଆମେ ସବୁ ଝାଳରେ ପହଁରୁଥିଲୁ .  ଆମେ ସବୁ ଉଠି ବହୁତ ଗାଧେଇଲୁ, କିନ୍ତୁ ଗୁଳୁଗୁଳି ଏତେ ଭୟାନକ ଥିଲା ଯେ, କିଛି ବି ଉପାୟ କାମ କରୁ ନ ଥିଲା . ଜଣା ନାହିଁ . ଏମିତି ଗୁଳୁଗୁଳି ଏହି ସହର ବାହାରେ କେଉଁଠି ହେଉଛି କି ନାହିଁ ; କିନ୍ତୁ ଏଠାରେ ଯେଉଁ ଦିନ ଏଭଳି ଗୁଳୁଗୁଳି ହେଉଛି, ସେହି ଦିନ ସବୁ କାମ ଅଟକିଯାଏ . ସରକାରୀ ଦପ୍ତରରେ କ୍ଲର୍କ୍ କାମ କରିପାରନ୍ତି ନାହିଁ, ସୁପରିନଟେଣ୍ଡେଣ୍ଟ୍ ବଡ ବାବୁମାନଙ୍କୁ ଗାଳି କରନ୍ତି, ବଡ ବାବୁ ଛୋଟ ବାବୁଙ୍କ ଉପରେ ରାଗ ସାରନ୍ତି, ଛୋଟ ବାବୁ ଚପରାସିଙ୍କ ଉପରେ ପ୍ରତିଶୋଧ ନିଅନ୍ତି  ଓ ଚପରାସି ଗାଳି ଦେଉ ଦେଉ ପାଣି ପିଏଇବା ବାଲାଙ୍କଠାରେ, ମାଳିଙ୍କ ସହ ଝଗଡା ଲାଗିଯାଏ ; ଦୋକାନୀ ମାଲ୍ ନ ବିକି ଗ୍ରାହକକୁ ଭଗେଇ ଦିଏ ଓ ରିକ୍ସାବାଲା ଏତେ ଭଡା ମାଗନ୍ତି ଯେ ଲୋକେ ବିବ୍ରତ ହୋଇ ରିକ୍ସା କରନ୍ତି ନାହିଁ .  ଓ ଏହି ସମସ୍ତ ସାମାଜିକ ଅବ୍ୟବସ୍ଥା ପଛରେ କୌଣସି ଐତିହାସିକ ନ୍ଦ୍ୱନ୍ଦାତ୍ମକ ପ୍ରଗତିର ସିଦ୍ଧାନ୍ତ ବଦଳରେ କେବଳ ତାପମାନ ଅଛି – ତାପମାତ୍ରା, ଗୁଳୁଗୁଳି, ଶହେ ବାର ଡିଗ୍ରୀ ଫାରେନହାଇଟ୍ !

          କିନ୍ତୁ ଏହି ଗୁଳୁଗୁଳି ସତ୍ତ୍ୱେ ବି ମାଣିକ ମୁଲ୍ଲାଙ୍କ କାହାଣୀ ଶୁଣିବାର ଲୋଭ ଆମମାନଙ୍କୁ ଛାଡି ପାରୁ ନ ଥିଲା . ତେଣୁ ଆମେ ସମସ୍ତେ ଧାର୍ଯ୍ୟ ସମୟରେ ସେଠାରେ ଏକାଠି ହେଲୁ ଓ ଏକାଠି ହେବା ପରେ ସମସ୍ତଙ୍କର ଏହି ଅଭିବାଦନ ଥିଲା – ‘ଆଜି ବହୁତ ଗୁଳୁଗୁଳି . ’

           ‘ହଁ, ବହୁତ ଗୁଳୁଗୁଳି ; ଓ ହୋ !’

          କେବଳ ପ୍ରକାଶ ଯେତେବେଳେ ଆସିଲା, ତାକୁ ସମସ୍ତେ କହିଲେ ଆଜି ବହୁତ ଗୁଳୁଗୁଳି ତ  ଫିଲୋସୋଫି ଝାଡି ଅଫଲାତୁନ ଭଳି ମୁହଁ ମୋଡି କହିଲା (ମୋର ଏହି ସଙ୍ଗତ ଭରା ଟିପ୍ପଣୀ ପାଇଁ କ୍ଷମା କରିବେ କାରଣ ପୂର୍ବ ରାତିରେ ସିଏ ମାର୍କ୍ସବାଦ ପ୍ରଶ୍ନ ଉପରେ ମୋତେ ନୀଚା ଦେଖେଇଥିଲା ଓ ସଚ୍ଚା ସଂକୀର୍ଣ୍ଣ ମାର୍କ୍ସବାଦୀ ଭଳି ସେ ଚିଡି ଉଠିଲା ଓ ମୁଁ ସ୍ଥିର କରି ଦେଇଥିଲି ଯେ, ସେ ସତ କଥା କହିଲେ ବି ମୁଁ ତାର ବିରୋଧ କରିବି), ଏମିତିରେ ପ୍ରକାଶ କହିଲା,  ‘ଭାଇ, ଗୁଳୁଗୁଳି ଆମ ସମସ୍ତଙ୍କର ଜୀବନରେ ଛାଇ ରହିଛି, ତାହ ସାମ୍ନାରେ ତ ଏହା କିଛି ବି ନୁହେଁ . ଆମେ ସବୁ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିଙ୍କ ଜୀବନରେ ପବନ ତାଜା ବହେ ନାହିଁ . ଅଣନିଃଶ୍ୱାସୀ ହୋଇଗଲେ ବି ପତ୍ର ହଲେ ନାହିଁ, ଖରା ଯିଏକି ଆଲୋକ ଦେବା କଥା, ଆମକୁ ଦୟନୀୟ ଭାବରେ ସିଝୋଉଛି ଓ ବୁଝା ପଡୁନି କଣ କରାଯିବ . କୌଣସି ନା କୌଣସି ପ୍ରକାରେ ନୂତନ ଓ ତାଜା ପବନ ବହିବା ଦରକାର . ତାହା ଲୁ ହେଉନା କାହିଁକି .’

          ପ୍ରକାଶର ଏହି ମୁର୍ଖତା ଭରା କଥାରେ କେହି କିଛି କହିଲେ ନାହିଁ (ମୋର ମିଛ ପାଇଁ କ୍ଷମା କରିଦିଅ କାରଣ ମାଣିକ ଏହି କଥା ଉପରେ ତାଗିଦା କରିଥିଲେ, କିନ୍ତୁ ମୁଁ କହିଦେଲି କାରଣ ମୁଁ ଭିତରେ ଭିତରେ ଚିଡି ଯାଇଥିଲି !)

          ଛାଡ, ତ ମାଣିକ ମୁଲ୍ଲା କହିଲେ ଯେ, ‘ଯେତେବେଳେ ମୁଁ ପ୍ରେମ ଉପରେ ଆର୍ଥିକ ପ୍ରଭାବର କଥା କହୁଛି, ମୋର ଉଦ୍ଦେଶ୍ୟ ଏହା ଥାଏ ଯେ, ବାସ୍ତବରେ ଆର୍ଥିକ ଢାଞ୍ଚା ଆମର ମନ ଉପରେ ଏପରି ଅଜବ ପ୍ରକାର ପ୍ରଭାବ ପକେଇଥାଏ ଯେ, ମନର ସବୁ ଭାବନା ସେଥିରୁ ସ୍ୱାଧୀନ ହୋଇ ପାରେ ନାହିଁ ଓ ଆମ ପରି ଲୋକ ଯିଏ କି ନା ଉଚ୍ଚ ବର୍ଗର ନା ନିମ୍ନ ବର୍ଗର, ସେଠାରେ ଋଢି, ପରମ୍ପରା, ମର୍ଯ୍ୟାଦା ବି ଏମିତି ପୁରୁଣା ଓ ବିଷାକ୍ତ ଅଟେ ଯେ, ସବୁ ମିଶେଇ ଆମ ସମସ୍ତଙ୍କ ଉପରେ ଏପରି ପ୍ରଭାବ ପଡିଥାଏ, ଯେ ଆମେ ଯନ୍ତ୍ରବତ୍ ରହି ଯାଉଛୁ, ଆମ ଭିତରେ ଉଦାର ଓ ଉଚ୍ଚ ସ୍ୱପ୍ନ ସରିଯାଉଛି ଓ ଏକ ଅଦ୍ଭୁତ ପ୍ରକାର ଜଡ ମୂର୍ଚ୍ଛନା ଆମ ଉପରେ ଛାଇଯାଉଛି .’

          ପ୍ରକାଶ ଯେତେବେଳେ ଏହାକୁ ସମର୍ଥନ କଲା, ମୁଁ ଏହାର ବିରୋଧ କଲି ଓ କହିଲି, ‘କିନ୍ତୁ ବ୍ୟକ୍ତିକୁ ତା ସବୁ ଅବସ୍ଥାରେ ସଚ୍ଚୋଟ ରହିବାକୁ ପଡିବ . ଏହା ନୁହେଁ କି ଭାଙ୍ଗି ପଡିବ .’

          ମାଣିକ ମୁଲ୍ଲା କହିଲେ,  ‘ଏହା ସତ, କିନ୍ତୁ ଯେତେବେଳେ ପୁରା ବ୍ୟବସ୍ଥାରେ ଅସାଧୁତା ଅଛି, ସେତେବେଳେ ଜଣେ ବ୍ୟକ୍ତିର ସାଧୁତା ଏହା ଯେ, ସେ ସେହି ବ୍ୟବସ୍ଥା ଦ୍ୱାରା ଲଦା ଯାଇଥିବା ସମସ୍ତ ବିକୃତିକୁ ଓ ତା ଦ୍ୱାରା ଆରୋପିତ ସମସ୍ତ ମିଛ ମର୍ଯ୍ୟାଦାକୁ ବି ଅସ୍ୱୀକାର କରିବ, କାରଣ ଦୁହେଁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ .କିନ୍ତୁ ଆମେ ଏ ବିଦ୍ରୋହ କରିପାରୁ ନାହୁଁ, ତେଣୁ ଫଳ ଏହା ହୁଏ ଯେ ଯମୁନା ଭଳି ସମସ୍ତ ପରିସ୍ଥିତିରେ ବୁଝାମଣା କରିଥାଉ .’

  • କିନ୍ତୁ ସମସ୍ତେ ତ ଯମୁନା ନୁହନ୍ତି ନା ?’ ମୁଁ ପୁଣି କହିଲି .
    • ହଁ, କିନ୍ତୁ ଯିଏ ଏହି ନୈତିକ ବିକୃତି ଠାରୁ ନିଜକୁ ଅଲଗା ରଖିକି ବି, ଏ ସମସ୍ତ ବ୍ୟବସ୍ଥା ବିରୁଦ୍ଧରେ ଲଢେ ନାହିଁ, ତାର ମର୍ଯ୍ୟାଦାଶୀଳତା କେବଳ ପରିଷ୍କୃତ ଭୀରୁତା ଅଟେ .’ ସଂସ୍କାରର ଅନ୍ଧ ଅନୁସରଣ ! ଆଉ ଏଭଳି ଲୋକ ହିଁ ଭଲ ମଣିଷ କୁହାଯାଆନ୍ତି, ତାଙ୍କର ପ୍ରଶଂସା ବି କରାଯାଏ, କିନ୍ତୁ ତାଙ୍କର ଜୀବନ ଅତ୍ୟନ୍ତ କରୁଣ ଓ ଭୟାନକ ହୋଇଯାଏ ଓ ସବୁଠାରୁ ବଡ ଦୁଃଖ ହେଲା ଯେ ସେ ବି ନିଜ ଜୀବନର ଏହି ପାର୍ଶ୍ୱକୁ ବୁଝିପାରନ୍ତି ନାହିଁ ଓ ବଳଦ ଭଳି ଚକ୍କର ଲଗାନ୍ତି . ଉଦାହରଣ ସ୍ୱରୂପ ମୁଁ ତୁମକୁ ତନ୍ନାର କାହାଣୀ କହିବି ? ତନ୍ନା ମନେ ଅଛି ନା ? ସେହି ମହେସର ଦଲାଲର ପୁଅ !

ଲୋକେ ବ୍ୟର୍ଥ ବାଦ ବିବାଦରେ ବିରକ୍ତି ହୋଇଯାଇଥିଲେ, ତେଣୁ ମାଣିକ ମୁଲ୍ଲା କାହାଣୀ ଶୁଣେଇବା ଆରମ୍ଭ କଲେ .

ଅକସ୍ମାତ୍ ଓଁକାର ଅଟକେଇ ଦେଇ କହିଲା, ‘ଏହି କାହାଣୀର ଶୀର୍ଷକ ? ’ ମାଣିକ ମୁଲ୍ଲା ଏହି ବ୍ୟାଘାତରେ ଚିଡି ଯାଇ କହିଲେ, ‘ମୁଁ କଣ କୌଣସି ପତ୍ରିକାକୁ ପଠାଉଛି ଯେ, ଶୀର୍ଷକର ଝାମେଲାରେ ପଡିବି . ତୁମେମାନେ କାହାଣୀ ଶୁଣିବାକୁ ଆସିଛ ନା ଶୀର୍ଷକ ଶୁଣିବାକୁ ?’ ନା ମୁଁ ସେହି କାହାଣୀକାରମାନଙ୍କ ମଧ୍ୟରୁ ଜଣେ , ଯିଏକି ଆକର୍ଷକ ବିଷୟବସ୍ତୁ ଅଭାବରେ ଆକର୍ଷକ ଶୀର୍ଷକ ଦେଇ ପତ୍ର ସମ୍ପାଦକ ଓ ପାଠକଙ୍କର ଧ୍ୟାନ ହଟେଇଥାଏ .

ମାଣିକ ମୁଲ୍ଲା ଓଁକାରକୁ ଗାଳି କରିବା ଦେଖି ଆମେ ବି ତାକୁ ଗାଳି କରିବା ଆରମ୍ଭ କରିଦେଲୁ . ଏପରିକି ଯେବେ ମାଣିକ ମୁଲ୍ଲା ଆମମାନଙ୍କୁ ଗାଳି କଲେ, ଆମେ ଚୁପ୍ ହୋଇ ଗଲୁ ଓ ସେ ନିଜ କାହାଣୀ ଆରମ୍ଭ କଲେ –

ତନ୍ନାର କେହି ଭାଇ ନଥିଲେ . କିନ୍ତୁ ତିନି ଭଉଣୀ ଥିଲେ . ସେମାନଙ୍କ ମଧ୍ୟରୁ ଯିଏ ସବୁଠାରୁ ଛୋଟ ଥିଲା, ତାକୁ ଜନ୍ମ ଦେବା ପରେ ତାର ମାଆ ଗୋଲକ ମରିଯାଇଥିଲା . ରହିଗଲେ ବାପା ଯିଏ ଦଲାଲ ଥିଲେ . ଯେହେତୁ ପିଲାମାନେ ସାନ ଥିଲେ, ସେମାନଙ୍କର ଦେଖା ଶୁଣା କରିବା ପାଇଁ କେହି ନଥିଲା, ତେଣୁ ତନ୍ନାର ବାପା ମହେସର ଦଲାଲ ନିଜର ଏହି ଇଛା ପ୍ରକାଶ କଲେ ଯେ, କୌଣସି ଭଲ ଘରର ସୁଶୀଳ କନ୍ୟା ମିଳିଲେ ପିଲାଙ୍କର ପାଳନପୋଷଣ ହେଇ ଯିବ, ନଚେତ୍ ତାଙ୍କୁ କଣ ବୁଢା ବୟସରେ ନାରୀ ସୌକ ଅଛି ? ରାମ ରାମ! ଏପରି କଥା ଚିନ୍ତା ବି କରିବା କଥା ନୁହେଁ . ତାଙ୍କୁ ତ କେବଳ ଛୁଆର ଚିନ୍ତା ଅଛି, ନହେଲେ ଏବେତ ବଳକା ଦିନ ସବୁ ରାମ ଭଜନ ଓ ଗଙ୍ଗା ସ୍ନାନରେ କାଟିଦେବା କଥା . ରହିଲା ତନ୍ନାର ମାଆ, ସିଏ ତ ଦେବୀ ଥିଲା, ସ୍ୱର୍ଗ ଚାଲିଗଲା ; ମହେସର ଦଲାଲ ପାପୀ ଥିଲେ, ତେଣୁ ରହିଗଲେ . ଛୁଆଙ୍କର ମୁହଁ ଦେଖି କିଛି କରୁନାହାନ୍ତି, ନହେଲେ ହରିଦ୍ୱାର ଯାଇ ବାବା କାଳି କମଳୱାଲିଙ୍କ ଭଣ୍ଡାରରେ ଦୁଇ ବେଳା ଭୋଜନ କରନ୍ତେ ଓ ଲୋକ ତଥା ପରଲୋକକୁ ସୁଧାରନ୍ତେ .

କିନ୍ତୁ ମହଲା ସାରା ବୁଢୀ ବୁଢୀମାନେ ଏପରି କୌଣସି ସୁଶୀଳ କନ୍ୟା ଜୁଟେଇ ପାରିଲେ ନାହିଁ, ଯିଏକି ପିଲାଙ୍କର ଭରଣ ପୋଷଣ କରିପାରିବ, ଶେଷରେ ବିବଶ ହୋଇ ମହେସର ଦଲାଲ ଗୋଟିଏ ସ୍ତ୍ରୀ ଲୋକକୁ ସେବା ଶୁଶ୍ରୁଷା ଓ ପିଲାଙ୍କ ଭରଣ ପୋଷଣ ନିମନ୍ତେ ନେଇ ଆସିଲେ .

ସେହି ସ୍ତ୍ରୀ ଲୋକ ଆସୁ ଆସୁ ହିଁ ମହେସର ଦଲାଲର ଆରାମର ସମସ୍ତ ବ୍ୟବସ୍ଥା କରିଦେଲା . ତାର ପଲଙ୍କ, ଶେଯ, ହୁକ୍କା – ଚିଲମ୍ ଠିକ୍ କଲା . ତାପରେ ତିନି ଝିଅଙ୍କର ଚରିତ୍ର ଓ ମର୍ଯ୍ୟାଦାର କଡା ଯାଞ୍ଚ କଲା ଓ ଶେଷରେ ତନ୍ନାର ବେକାର ଖର୍ଚ୍ଚକୁ ବନ୍ଦ କରିବାର ପୁରା ଚେଷ୍ଟା କରିବାରେ ଲାଗିଲା .  ବସ୍ତୁତଃ ସେ ସମସ୍ତ ବ୍ୟତିବ୍ୟସ୍ତ ହୋଇ ଗୃହସ୍ଥୀକୁ ବଡ ସାବଧାନତାର ସହିତ ସମ୍ଭଳି ନେଲା . ଏବେ ଏଥିରେ ଯଦି ତନ୍ନା ଓ ତାର ତିନି ଭଉଣୀଙ୍କର କିଛି କଷ୍ଟ ହେବ ତ କିଏ କଣ କରିବ ?

ତନ୍ନାର ବଡ ଭଉଣୀ ଘରର କାମଦାମ, ଝାଡୁ ସଫା, ବାସନମଜା କରୁଥିଲା ; ମଝିଆ ଭଉଣୀ ଯାହାର ଦୁଇ ପାଦର ହାଡ ପିଲା ବେଳୁ ହିଁ ଖରାପ ହୋଇ ଯାଇଥିଲା, ସେ ଗୋଟିଏ କୋଣରେ ବସି ରହେ, କିମ୍ବା ଅଗଣା ସାରା ଘୋଷାରି ଘୋଷାରି ଯାଇ ସବୁ ଭାଇ ଭଉଣୀଙ୍କୁ ଗାଳି ଦେଉଥିଲା ; ସବୁଠାରୁ ଛୋଟ ଭଉଣୀ ପଞ୍ଚମ ଦୋକାନୀ ପାଖରୁ ତମ୍ବାଖୁ, ଚିନି, ହଳଦୀ, କିରାସିନି ଓ ପରିବା ହାଟରୁ ଅଦା, ଲେମ୍ବୁ, କଞ୍ଚା ଲଙ୍କା, ଆଳୁ ଓ ମୂଳା ଇତ୍ୟାଦି ଆଣିବାରେ ବ୍ୟସ୍ତ ରହୁଥିଲା . ତନ୍ନା ସକାଳୁ ଉଠି ପାଣିରେ ସମସ୍ତ ଘର ଧୋଉଥିଲା,  ବାଉଁଶରେ ଝାଡୁ ବାନ୍ଧିକରି, ଘର ସାରାର ଅଳନ୍ଧୁ ସଫା କରୁଥିଲା . ସ୍କୁଲରୁ ଫେରିବା ପରେ ତାକୁ ପୁଣି ସନ୍ଧ୍ୟା ପାଇଁ କାଠ ଚିରିବାକୁ ପଡୁଥିଲା, କାଠଗୁଣ୍ଡରେ ଚୁଲି ଭରିବାକୁ ପଡୁଥିଲା, ଦୀପ ଜଳେଇବାକୁ ପଡୁଥିଲା, ପିଉଷୀ (ସେହି ସ୍ତ୍ରୀ ଲୋକକୁ ପିଲାମାନେ ପିଉଷୀ ବୋଲି ଡାକୁଥିଲେ, କାରଣ ମହେସର ଦଲାଲର ଆଦେଶ ଥିଲା)ର ଶରୀରବି ପ୍ରାୟ ଚିପିବାକୁ ପଡୁଥିଲା . କାରଣ ବିଚାରି କାମ କରି କରି ଥକି ଯାଉଥିଲା ଓ ସେତେବେଳେ ତନ୍ନା ଚଉତରା ପାଖରେ ଥିବା ମ୍ୟୁନିସିପାଲିଟିର ଲଣ୍ଠଣର ମନ୍ଦ ମଧୁର ପ୍ରକାଶରେ ସ୍କୁଲର କାମ କରୁଥିଲା . ଘରେ ଗୋଟିଏ ହିଁ ଲଣ୍ଠଣ ଥିଲା ଓ ତାହା ପିଉଷୀର କୋଠରୀରେ ଜଳୁଥିଲା .

ତନ୍ନାର ହୃଦୟ ଦୁର୍ବଳ ଥିଲା . ତେଣୁ ତନ୍ନା ପ୍ରାୟ ମାଆକୁ ମନେ ପକାଇ କାନ୍ଦୁଥିଲା ଓ ତାକୁ କାନ୍ଦିବା ଦେଖି ବଡ ଓ ସାନ ଭଉଣୀ ବି କାନ୍ଦିବାରେ ଲାଗୁଥିଲେ ଓ ମଝିଆ ଭଉଣୀ ନିଜର ଦୁଇ ଭଙ୍ଗା ପାଦକୁ କଚାଡି ସେମାନଙ୍କୁ ଗାଳି ଦେବାରେ ଲାଗୁଥିଲା ଓ ପରଦିନ ସେ ପିଉଷୀକୁ କିମ୍ବା ବାପାକୁ ଗୁହାରୀ କରିଦେଉଥିଲା ଓ ପିଉଷୀର ମଥାରେ ରଙ୍ଗ ଓ ବିନ୍ଦି ଲଗାଉ ଲଗାଉ କହୁଥିଲା, ‘ଏହି ବଦମାସକୁ ମୋର ଖାଇବା ପିଇବା, ଉଠିବା ବସିବା, ପିନ୍ଧିବା ଭଲ ଲାଗୁନି . ପାଣି ପିଇ ପିଇ କରି ଗାଳି କରୁଛି . ଅନ୍ତତଃ ତାକୁ କି କଷ୍ଟ ! ବଡ ନବାବଙ୍କ ପୁଅ ଏପରି ରହୁନାହିଁ, ଯେପରିକି ତନ୍ନା ବାବୁ ମୁଣ୍ଡ ବାଳ ସଜେଇ ବୁଲୁଛି .’ ଆଉ ତାପରେ ମହେସର ଦଲାଲର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ପାଇଁ ତନ୍ନାକୁ ବହୁତ ମାରିବାକୁ ପଡୁଥିଲା, ଏପରିକି ତନ୍ନାର ପିଠିରେ ନୀଳ ପଡିଯାଉଥିଲା ଓ ଜର ହେଇଯାଉଥିଲା ଏବଂ ଦୁଇ ଭଉଣୀ ଡରରେ ତା ପାଖକୁ ଯାଇ ପାରୁ ନଥିଲେ ଓ ମଝିଆ ଭଉଣୀ ଖୁସୀରେ ଅଗଣା ସାରା ଘୋଷାରି ହେଇ ବୁଲୁଥିଲା ଓ ଛୋଟ ଭଉଣୀକୁ କହୁଥିଲା, ‘ବହୁତ ମାଡ ପଡିଲା, ଆରେ ଏବେ କଣ ? ଭଗବାନ୍ ଚାହିଁଲେ ଦିନେ ଗୋଡ ଭାଙ୍ଗିବ, କେହି ମୁହଁରେ ଖାଦ୍ୟ ଦେବାବାଲା ନଥିବ . ଆରେ ଚାଲ, ଆଜି ମୋର ବେଣୀ ତ କରି ଦେ ! ଆଜି ତନ୍ନାକୁ ବହୁତ ମାଡ ପଡିଛି . ’

ଏହି ଅବସ୍ଥାରେ ଯମୁନାର ମାଆ ତନ୍ନାକୁ ବହୁତ ସାହାରା ଦେଇଥିଲା . ସେମାନଙ୍କ ଘରେ ପ୍ରାୟ ପୂଜା ପାଠ ହେଉଥିଲା . ଓ ସେଥିରେ ସେ ପାଞ୍ଚଟି ମାଙ୍କଡ ଓ ପାଞ୍ଚଟି କୁମାରୀ କନ୍ୟାକୁ ଖୁଆଉ ଥିଲେ . ମାଙ୍କଡମାନଙ୍କ ମଧ୍ୟରେ ତନ୍ନାକୁ ଓ କୁମାରୀ କନ୍ୟାମାନଙ୍କ ମଧ୍ୟରେ ତା ଭଉଣୀମାନଙ୍କୁ ଆମନ୍ତ୍ରଣ ମିଳୁଥିଲା ଓ ଯିବା ସମୟରେ ପିଉଷୀ ସଫା କହିଦେଉଥିଲା କି ଅନ୍ୟ ଘରେ ଯାଇ ଅଭଦ୍ରଙ୍କ ଭଳି ଖାଇବା କଥା ନୁହେଁ, ଅଧା ଖାଦ୍ୟ ବଞ୍ଚେଇ ଆଣିଦେବା ଉଚିତ . ସେମାନେ ତାହା କରୁଥିଲେ, ଓ ଯେହେତୁ ମସଲା ଖାଦ୍ୟ ଖାଇଲେ ଦେହ ଖରାପ ହୋଇଯାଏ, ତେଣୁ ବିଚରା ପିଉଷୀ ପୁଡିଆ ନିଜ ପାଇଁ ରଖି ରୁଟି ପିଲାଙ୍କୁ ଖୋଇଦେଉଥିଲା .

ତନ୍ନାକୁ ପ୍ରାୟ କୌଣସି ନା କୌଣସି ବାହାନାରେ ଯମୁନା ଡାକି ନେଉଥିଲା ଓ ନିଜ ସାମ୍ନାରେ ତନ୍ନାକୁ ବସେଇ ଖୁଆଉଥିଲା . ତନ୍ନା ଖାଇଯାଉଥିଲା ଓ କାନ୍ଦୁଥିଲା, କାରଣ ଯଦିଓ ତନ୍ନା ତା ଠାରୁ ସାନ ଥିଲା, ଜାଣେନା କାହିଁକି ତାକୁ ଦେଖୁ ଦେଖୁ ନିଜ ମାଆ ମନେ ପଡୁଥିଲା ଓ ତନ୍ନାକୁ କାନ୍ଦିବା ଦେଖି, ଯମୁନା ମନରେ ବି ମମତା ଜାଗୁଥିଲା ଓ ଯମୁନା ଘଣ୍ଟା ଘଣ୍ଟା ବସି ତା ସହ ସୁଖ ଦୁଃଖ ହେଉଥିଲା . ହେଉ ହେଉ ଏହା ହେଇଗଲା କି ତନ୍ନା ପାଇଁ ଯଦି କିଏ ଥିଲା, ତେବେ ସେ ହେଉଛି ଯମୁନା ଓ ଯମୁନାକୁ ଚବିଶି ଘଣ୍ଟା ଯଦି କାହାର ଚିନ୍ତା ଥିଲା, ତେବେ ସେ ହେଉଛି ତନ୍ନା .

ଯମୁନାର ମାଆ ଠାରୁ କଥା ଲୁଚି ରହିଲା ନାହିଁ, କାରଣ ନିଜ ବୟସରେ ସେ ବି ଯମୁନା ଥିଲା  - ସେ ଯମୁନାକୁ ଡାକି ବହୁତ ବୁଝେଇଲେ ଓ କହିଲେ ତନ୍ନା ଏମିତିରେ ବହୁତ ଭଲ ପିଲା ଅଟେ, କିନ୍ତୁ କମ୍ ଗୋତ୍ରର ଅଟେ ଆଉ ଆମ ଖାନଦାନରେ ଏ ପର୍ଯ୍ୟନ୍ତ ନିଜ ଠାରୁ ଅଧିକ ଗୋତ୍ରରେ ହିଁ ବାହାଘର ହୋଇଛି . କିନ୍ତୁ ଯେତେବେଳେ ଯମୁନା ବହୁତ କାନ୍ଦିଲା ଓ ତିନି ଦିନ ପର୍ଯ୍ୟନ୍ତ କିଛି ଖାଇଲା ନାହିଁ, ତାର ମାଆ ଅଧା ଭାଙ୍ଗିବାର ନିର୍ଣ୍ଣୟ ନେଲା, ମାନେ ସେ କହିଲା ଯେ, ଯଦି ତନ୍ନା ଘର ଜୋଇଁ ହେଇ ରହିବ, ତେବେ ପ୍ରସ୍ତାବ ଉପରେ ବିଚାର କରାଯାଇପାରେ .

କିନ୍ତୁ ଯେମିତି ପ୍ରଥମରୁ କୁହାଯାଇଛି, ତନ୍ନା ଥିଲା ସଚ୍ଚୋଟ ବ୍ୟକ୍ତି ଓ ସେ ସଫା କହିଦେଲା, ବାପା ଯାହା ହେଲେ ବି ବାପା . ତାଙ୍କର ସେବା କରିବା ତାର ଧର୍ମ . ସେ ଘର ଜୋଇଁ ଭଳି କଥା କେବେ ଭାବି ପାରିବ ନାହିଁ . ଏହାଯୋଗୁଁ ଯମୁନାର ଘରେ ବହୁତ ଝଗଡା ହେଲା, କିନ୍ତୁ ଶେଷରେ ଜିତ୍ ଯମୁନା ମାଆର ହେଲା, ଯେ ଯେତେବେଳେ ଯୌତୁକ ଯୋଗାଡ ହେବ, ସେତେବେଳେ ବିବାହ ଦେବା, ନହେଲେ ଝିଅ କୁମାରୀ ହେଇ ରହିବ . ଉପାୟ ନ ମିଳିଲେ ଝିଅକୁ ପିପ୍ପଳୀ ସହିତ ବାହା ଦେବେ, କିନ୍ତୁ କମ୍ ଗୋତ୍ରବାଲାଙ୍କୁ ଦେବେ ନାହିଁ .

ଯେତେବେଳେ ଏହି କଥା ମହେସର ଦଲାଲ ପାଖରେ ପହଞ୍ଚିଲା ତାର ରକ୍ତ ଗରମ ହୋଇଗଲା ସେ ସେ ପଚାରିଲା  - କେଉଁଠି ଅଛି ତନ୍ନା ? ମ୍ୟାଚ୍ ଦେଖିବାକୁ ଯାଇଛି ବୋଲି ଜାଣିବା ପରେ ସେ ଚିତ୍କାର କରି କହିଲା (ଯେମିତି ଯମୁନା ଘର ପର୍ଯ୍ୟନ୍ତ ଶୁଣାଯିବ) – ‘ଆସୁ ଆଜି ସେହି ହାରାମଯାଦା . ଚମଡା ନ ଉତାରିଛି ତ ମୋର ନାଁ ନାହିଁ .  କାଠର ଦଣ୍ଡାକୁ ଶାଢୀ ପିନ୍ଧେଇ ସାହାନାଇ ବଜେଇ ନେଇ ଆସିବି, କିନ୍ତୁ ସେମାନଙ୍କ ଘରେ ବାହାଘର କରିବି, ଯେଉଁମାନଙ୍କ ଘରେ .... ? ’ ତା ପରେ ସେମାନଙ୍କ ଘରର ଯେଉଁ ବର୍ଣ୍ଣନା ମହେସର ଦଲାଲ କଲେ, ତାକୁ ଯିବାକୁ ହିଁ ଦିଅ . ବସ୍ତୁତଃ ପିଉଷୀ ତିନି ଦିନ ପର୍ଯ୍ୟନ୍ତ ଖାଇବାକୁ ଦେଲା ନାହିଁ ଓ ମହେସର ଏତେ ମାରିଲା ଯେ ମୁହଁରୁ ରକ୍ତ ବାହାରିଗଲା ଓ ତୃତୀୟ ଦିନ ଭୋକରେ ବ୍ୟାକୁଳ ହୋଇ ତନ୍ନା ଛାତ ଉପରକୁ ଯିବାରୁ ଯମୁନାର ମାଆ ତାକୁ ଦେଖୁ ଦେଖୁ ଝଟ୍ କରି ଝର୍କା ବନ୍ଦ କରିଦେଲା . ଯମୁନା ବାଡ ଉପରେ ଲୁଗା ଶୁଖୋଉଥିଲା, କ୍ଷଣେ ତା ଆଡକୁ ଦେଖିଲା, ପୁଣି  ଚୁପଚାପ୍ ଲୁଗା ନ ଶୁଖେଇ ତଳକୁ ଚାଲିଗଲା . ତନ୍ନା ଚୁପଚାପ କିଛି କ୍ଷଣ ଉଦାସ ହେଇ ଠିଆ ହୋଇ ରହିଲା, ପୁଣି ଆକ୍ଷିରେ ଲୁହ ଭରି ତଳକୁ ଆସିଗଲା ଓ ବୁଝିଗଲା ଯେ ତାର ଯମୁନା ଉପରେ ଯାହାବି ଅଧିକାର ଥିଲା, ତାହା ଶେଷ ହୋଇଗଲା . ଆଉ ଯେମିତି ଆଗରୁ କୁହାଯାଇଛି, ସଚ୍ଚୋଟ ବ୍ୟକ୍ତି ଥିଲା , ତେଣୁ ସେ କେବେବି ଏ ଦିଗକୁ ମୁହେଁଇଲା ନାହିଁ, କାରଣ ସେ ଆଡକୁ ଦେଖିଲେ ହିଁ ତା ଆକ୍ଷିରେ ଲୁହ ଭରି ଯାଉଥିଲା ଓ ଲାଗୁଥିଲା ଯେମିତି ଗଳାରେ କିଛି ଗୋଟେ ଅଟକିଯାଇଛି , ଛାତିରେ କିଛି ଗୋଟେ ଯନ୍ତ୍ରଣା ହେଉଥିଲା . ଧୀରେ ଧୀରେ ତନ୍ନାର ମନ ପଢାଲେଖାରୁ ଛାଡିଗଲା ଓ ସେ ଏଫ୍.ଏର ପ୍ରଥମ ବର୍ଷ ହିଁ ଫେଲ୍ ହୋଇଗଲା . ମହେସର ଦଲାଲ ତାକୁ ପୁଣି ବହୁତ ମାରିଲା, ତାର ମଝିଆ ଭଉଣୀ ଖୁସି ହେଇ ନିଜର ହଲୁଥିବା ପାଦକୁ କଚାଡିବାରେ ଲାଗିଲା, ଓ ଯେହେତୁ ତନ୍ନା ବହୁତ କାନ୍ଦିଲା ଓ ଦବି ରହିଥିବା କଣ୍ଠରେ ଏହାର ବିରୋଧ ବି କଲା, କିନ୍ତୁ ମହେସର ଦଲାଲ ତାର ପଢାଲେଖା ଛଡେଇ ତାକୁ ଆର୍.ଏମ୍.ଏସ୍.ରେ ଭର୍ତ୍ତି କରିଦେଲା ଓ ସେ ଷ୍ଟେସନରେ ଡାକ କାମ କରିବାକୁକ ଲାଗିଲା . ଏହି ସମୟରେ ମହେସର ଦଲାଲର ଆକ୍ଷିରେ ଗୋଟିଏ ଝିଅ

(ଏଠାରେ ମୁଁ ସ୍ପଷ୍ଟ କରିଦିଏ ଯେ, କାହାଣୀର ବିଷୟବସ୍ତୁ ଯୋଗୁଁ ହେଉ, କିମ୍ବା ସେହି ଦିନର ସର୍ବଗ୍ରାସୀ ଗୁଳୁଗୁଳି କାରଣରୁ ହେଉ,  କିନ୍ତୁ ସେଦିନ ମାଣିକ ମୁଲ୍ଲାଙ୍କ କଥା ଶୈଳୀରେ ସେହି ଚଟପଟାପଣ ନଥିଲା, ଯାହା ପୂର୍ବ ଦୁଇ କାହାଣୀରେ ଥିଲା . ଅଦ୍ଭୁତ ପ୍ରକାରେ ନୀରସ ଶୈଳୀରେ ସେ ବିବରଣ ଦେଇ ଚାଲିଥିଲେ ଓ ଆମମାନଙ୍କୁ ବି କୌଣସି ପ୍ରକାରେ କାହାଣୀରେ ବୁଡେଇ ରଖିବାକୁ ଚେଷ୍ଟା କରୁଥିଲ . ଗୁଳୁଗୁଳି ପ୍ରବଳ ଥିଲା . କାହାଣୀରେ ବି ଓ କୋଠରୀରେ  ବି) .

ଛାଡ, ତ ସେହି ସମୟରେ ମହେସର ଦଲାଲର ଦୃଷ୍ଟିରେ ଗୋଟିଏ ଝିଅ ଆସିଲା, ଯାହାର ବାପା ମରିଯାଇଥିଲେ . ମାଆର ଏକମାତ୍ର ସନ୍ତାନ ଥିଲା . ମାଆର ବୟସ ଯାହା ହେଉନା କାହିଁକି, କିନ୍ତୁ ଦେଖି କରି ଏହା କହିବା କଠିନ ଥିଲା, ମାଆ ଓ ଝିଅ ମଧ୍ୟରେ କିଏ ଉଣେଇଶି ଓ କିଏ କୋଡିଏ . ଅସୁବିଧା ଗୋଟିଏ ଥିଲା, ଝିଅ ଇଣ୍ଟରର ପରୀକ୍ଷା ଦେଉଥିଲା, ଯଦିଓ ବୟସରେ ତନ୍ନା ଠାରୁ ବହୁତ ଛୋଟ ଥିଲା . କିନ୍ତୁ ଅସୁବିଧା ଏହା ବି ଥିଲା ଯେ ସେହି ରୂପବତୀ ବିଧବା ପାଖରେ ବହୁତ ଜମିବାଡି ଥିଲା . ନା କେହି ଦିଅର ଥିଲା ନା କେହି ପୁଅ . ତେଣୁ ତାହାର ସହାୟତା ଓ ରକ୍ଷା ଭାବନାରେ ତନ୍ନାକୁ ଇଣ୍ଟରମିଡିଏଟ୍ ପାସ କରେଇ ମହେସର ଦଲାଲ ତାର ଝିଅ ସହିତ ତନ୍ନାର ସମ୍ବନ୍ଧ ସ୍ଥିର କରି ଦେଲା, କିନ୍ତୁ ସର୍ତ୍ତ ରଖିଲା ଯେ ବାହାଘର ସେବେ ହେବ, ଯେବେ ମହେସର ଦଲାଲ ନିଜ ଝିଅର ବାହାଘର ସାରିଦେବ ଓ ସେ ପର୍ଯ୍ୟନ୍ତ ଝିଅ ପଢିବ ନାହିଁ .

ଯେହେତୁ ଝିଅ ଘର ପକ୍ଷରୁ ବି ସାରା ବ୍ୟବସ୍ଥା ମହେସର ଦଲାଲକୁ ହିଁ କରିବାର ଥିଲା, ତେଣୁ ସେ ଏଗାର ବାର ରାତିରେ ହିଁ ଫେରି ପାରୁଥିଲେ ଓ କେବେ କେବେ ରାତିରେ ସେଠି ରହିଯିବାକୁ ପଡୁଥିଲା . କାରଣ ଯୁଦ୍ଧ ଚାଲିଥିଲା ଓ ବ୍ଲାକ୍ ଆଉଟ୍ ବି ହେଉଥିଲା . ଝିଅ ଘର ସେହି ସାହିର ଅନ୍ୟ ଏକ ବସ୍ତିରେ ଥିଲା, ଯେଉଁଠି ଦୁଇ ପଟେ ଫାଟକ ଲାଗିଥିଲା, ଯାହା ବ୍ଲାକ୍ ଆଉଟ୍ ହେବା ମାତ୍ରେ ବନ୍ଦ ହୋଇ ଯାଉଥିଲା .

ପିଉଷୀ ଏହାର ବିରୋଧ କଲା, ଓ ଫଳ ଏହା ହେଲା ଯେ ମହେସର ଦଲାଲ ସଫା ସଫା କହିଦେଲା ଯେ, ସେ ଘରେ ରହିବାରୁ ସାହିର ଚାରି ଦିଗରୁ ଚାରି ଲୋକେ ଚାରି କଥା କହୁଛନ୍ତି . ମହେସର ଦଲାଲ ହେଉଛି ଇଜ୍ଜତଦାର ଲୋକ . ତାକୁ ପୁଅ ଝିଅଙ୍କର ବାହାଘର ତୁଲେଇବାର ଅଛି ଓ ସେ ଏହି ଢୋଲକୁ କେତେ ଦିନ ପର୍ଯ୍ୟନ୍ତ ନିଜ ଗଳାରେ ବାନ୍ଧି ରହିବ . ଶେଷରେ ଏହା ହେଲା ଯେ ପିଉଷୀ ଯେମିତି ହସି ହସି ଅଣ୍ଟା ହଲେଇ ଆସିଥିଲା, ସେମିତି ହିଁ କାନ୍ଦି କାନ୍ଦି ନିଜର ଗଣ୍ଠିଲି ବାନ୍ଧି ଫେରି ଗଲା . ପରେ ଜଣା ପଡିଲା ଯେ ତନ୍ନା ମାଆର ସମସ୍ତ ଗହଣା ଓ ଲୁଗା ଯାହା ଭଉଣୀଙ୍କର ବିବାହ ପାଇଁ ରଖା ଯାଇଥିଲା, ଗାୟବା ହୋଇଯାଇଛି .

ସେ ତନ୍ନା ଉପରେ ଏକ ଭୟାନକ ଭାର ଲଦି ଦେଲା . ମହେସର ଦଲାଲର ସେହି ଦିନମାନଙ୍କରେ ଅଦ୍ଭୁତ ପରିସ୍ଥିତି ଥିଲା . ସାହିରେ ଏହି ଦୁର୍ନାମ ଖେଳିଗଲା ଯେ ମହେସର ଦଲାଲ ଯାହା କରନ୍ତି, ସେ ସବୁକୁ ଏକ ସାବୁନ୍ ବିକୁଥିବା ଝିଅକୁ ଦେଇ ଆସନ୍ତି . ତନ୍ନାକୁ ଘରର ସମସ୍ତ ଖର୍ଚ୍ଚ କରିବାକୁ ପଡୁଥିଲା ଓ ବିବାହର ଯୋଗାଡବି କରିବାକୁ ପଡୁଥିଲା, ଦୁଇ ପହରରେ ଏ.ଆର୍.ପି.ରେ କାମ କରୁଥିଲା, ରାତିରେ ଆର୍.ଏମ୍.ଏସ୍.ରେ . ଫଳ ଏହା ହେଲା ତାହାର ଆକ୍ଷି ଖରାପ ହୋଇଗଲା, ପିଠି ଲଇଁ ପଡିଲା, ରଙ୍ଗ ମଉଳିଗଲା ଓ ଆକ୍ଷି ସାମ୍ନାରେ କଳା ଦାଗ ବଢିବାରେ ଲାଗିଲା

ଯେମିତି ସେମିତି କରି ଭଉଣୀର ବାହାଘର କରିଦେଲା . ବାହାଘରକୁ ଯମୁନା ଆସିଥିଲା, କିନ୍ତୁ ତନ୍ନା ସହ କଥା ହେଲା ନାହିଁ . ଅଗଣାରେ ଦୁହେଁ ଭେଟା ଭେଟି ହେଲେ ବି କଥା ହେଲେ ନାହିଁ . ଚୁପଚାପ ବସିଥିଲେ . ଯମୁନା ନଖରେ ଚଟାଣକୁ ଖୋଳୁଥିଲା . ତନ୍ନା ଖୁଣ୍ଟାରେ ଦାନ୍ତ ଖୋଳୁଥିଲା . ଏମିତିରେ ଯମୁନା ବହୁତ ସୁନ୍ଦର ଦେଖା ଯାଉଥିଲା, ଓ ଗୁଜୁରାତି ଢଙ୍ଗରେ ଖୋସା କରିଥିଲା, କିନ୍ତୁ ଏହା କୁହାଯାଇଛି ଯେ ତନ୍ନା ସଚ୍ଚୋଟ ବ୍ୟକ୍ତି ଥିଲା . ତନ୍ନାର ଫଳଦାନ ସମୟରେ ସେ ଆହୁରି ସାଜି ସୁଜି ଆସିଲା ଓ ସେ ତନ୍ନାକୁ ଏକ ପ୍ରଶ୍ନ ପଚାରିଲା, ‘ଭାଉଜ କଣ ବହୁତ ସୁନ୍ଦର ତନ୍ନା ?’ ‘ହଁ !’ ତନ୍ନା ସହଜ ଭାବରେ କହିଦେଲା ତ ସେ ରୁଦ୍ଧ ଗଳାରେ କହିଲା, ‘ମୋ ଠାରୁ ବି !’ ତନ୍ନା କିଛି କହିଲା ନାହିଁ, ଘାବରେଇ ଯାଇ ବାହାରକୁ ପଳେଇଲା ଓ ସକାଳ ପାଇଁ କାଠ ଚିରିବାକୁ ଲାଗିଲା .

ତନ୍ନାର ବାହାଘର ପରେ ଯମୁନା ଭାଉଜ ସହିତ ବହୁତ ମିଳା ମିଶା କଲା . ପ୍ରତି ଦିନ ସକାଳେ ଓ ସଞ୍ଜରେ ଆସିଲା . ତନ୍ନା ସହ କଥା ବି ହେଉ ନଥିଲା . ଦିନ ସାରା ଭାଉଜ ପାଖରେ ହିଁ ବସି ରହୁଥିଲା . ଭାଉଜ ବହୁତ ପଢିଥିଲା, ତନ୍ନା ଠାରୁ ବି ବେଶୀ . ଟିକେ ଗର୍ବ ବି ଥିଲା . ବହୁତ ଜଲଦି ବାପଘରକୁ ଚାଲିଗଲା ତ ଦିନେ ଯମୁନା ଆସିଲା ଓ ତନ୍ନା ସହ ଏଣୁ ତେଣୁ କଥା ହେବାକୁ ଲାଗିଲା, ଯାହା ସେ ଆଗରୁ କେବେ କରି ନଥିଲା . ତନ୍ନା ତାର ପାଦ ଧରି ତାକୁ ବୁଝେଇଲା ଯମୁନା ତୁ କେମିତି କଥା କହୁଛୁ ? ଯମୁନା କିଛି ସମୟ କାନ୍ଦିଲା ଓ ପୁଣି ଫରଫର ହୋଇ ଚାଲିଗଲା .

ସେହି ଦିନମାନଙ୍କରେ ସାହିରେ ଏକ ଅଜବ ଘଟଣା ଘଟିଲା . ଯେଉଁ ସାବୁନୱାଲି ଝିଅର ନା ମହେସର ଦଲାଲ ସହ ନିଆ ଯାଉଥିଲା, ସେ ଦିନେ ମୃତ ଅବସ୍ଥାରେ ମିଳିଲା . ତାର ଶବ ବି ଗାଏବ୍ କରି ଦିଆ ଗଲା ଓ ମହେସର ଦଲାଲ ପୋଲିସ୍ ଡରରେ ଯାଇ ସମୁଧି ଘରେ ରହିବାରେ ଲାଗିଲା .

ତନ୍ନାର ଜୀବନ ଅଦ୍ଭୁତ ପ୍ରକାରେ ଥିଲା . ସ୍ତ୍ରୀ ଅଧିକ ପଢିଥିଲା, ଅଧିକ ଧନୀ ଘରର ଥିଲା, ଅଧିକ ସୁନ୍ଦର ଥିଲା, ସବୁବେଳେ ଝିଙ୍ଗାସୁ ଥିଲା . ମଝିଆ ଭଉଣୀ ଘୋଷାରି ଘାଷାରି ଗାଳି ଦେଉଥିଲା, ‘ଭଗବାନ କରନ୍ତୁ ଦୁଇ ପାଦରେ ପୋକ
ପଡୁ !’ ଅଫିସର୍ ତାକୁ ଅଯୋଗ୍ୟ କହି ତାକୁ ଏମିତ ଡ୍ୟୁଟି ଦେଥିଲେ, ଯେ ସପ୍ତାହରେ ତାର ଚାରି ଦିନ ଓ ଚାରି ରାତି ରେଳ ଯାତ୍ରାରେ ଓ ବାକି ଦିନ ହେଡ୍ କ୍ୱାର୍ଟରେ ଗାଳି ଖାଇ ଖାଇ ବିତୁ ଥିଲା . ତା ଫାଇଲରେ ବହୁତ ଅଭିଯୋଗ ଲେଖା ଯାଇଥିଲା . ସେହି ସମୟରେ ସେଠାରେ ୟୁନିୟନ୍ ଗଠିତ ହେଲା ଓ ସେ ସଚ୍ଚୋଟ ହେତୁ ତାହା ଠାରୁ ଅଲଗା ରହିଲା, ଫଳ ଏହା ହେଲା ଯେ ଅଫିସର୍ ଓ ସହକର୍ମୀ ସମସ୍ତେ ଅସନ୍ତୁଷ୍ଟ .

ଏହି ମଝିରେ ଯମୁନାର ବାହାଘର ହୋଇ ଗଲା, ମହେସର ଦଲାଲ ମରିଗଲେ, ପ୍ରଥମ ଛୁଆ ହେବା ସମୟରେ ସ୍ତ୍ରୀ ମରୁ ମରୁ ବଞ୍ଚିଲା ଓ ବଞ୍ଚିବା ପରେ ସେ ତନ୍ନା ସହ ଖରାପ ଝିଟିପିଟି ଠାରୁ ବି ଅଧିକ ଘୃଣା କରିବାରେ ଲାଗିଲା . ଛୋଟ ଭଉଣୀ ବିବାହ ବୟସର ହୋଇଗଲା . ତନ୍ନା କେବଳ ଏତିକି କରିପାରିଲା ଯେ ଶୁଖି କଣ୍ଟା ହେଇଗଲା, କାନପାଖରେ ଥିବା ବାଳ ଧଳା ହେଇଗଲା, ଲଇଁ ଲଇଁ ଚାଲିଲା ସେ, ହୃଦଘାତ ହେଲା, ଆକ୍ଷିରୁ ପାଣି ବାହାରିଲା ଓ ପାଚକ ସ୍ଥଳି ଏତେ ଦୁର୍ବଳ ହେଇଗଲା ଯେ ଗୋଟିଏ ଦାନା ବି ହଜମ କରିପାରିଲା ନାହିଁ .

ଡାକ ନେଇଯିବା ସମୟରେ ଦିନେ ନିମସାର ଯାଉଥିବା ତୀର୍ଥଯାତ୍ରୀ ଯମୁନା ସହ ଦେଖା ହେଲା . ସାଥିରେ ରାମଧନ ଥିଲା . ଯମୁନା ମମତାର ସହ ପାଖରେ ଆସି ବସିଗଲା, ତାର ଛୁଆ ମାମୁଁଙ୍କୁ ପ୍ରଣାମ କଲା . ଯମୁନା ଦୁହିଁଙ୍କୁ ଖାଇବାକୁ ଦେଲା . ଖାଦ୍ୟ ଖାଉ ଖାଉ ତନ୍ନା ଆକ୍ଷିକୁ ଲୁହ ଚାଲି ଆସିଲା . ଯମୁନା କହିଲା ବି କୋଠା ଅଛି, ଘୋଡାଗାଡି ଅଛି, ଖୋଲା ବାତାବରଣ ଅଛି, ଆସି କିଛି ଦିନ ରୁହ, ସୁସ୍ଥ ସବଳ ହୋଇଯିବ . କିନ୍ତୁ ବିଚାରା ତନ୍ନା ! ନୈତିକତା ଓ ସଚ୍ଚୋଟତା ବହୁତ ବଡ କଥା .

କିନ୍ତୁ ସେହି ଯାତ୍ରାରୁ ତନ୍ନା ଫେରିବା ପରେ ଅସୁସ୍ଥ ହୋଇଗଲା . ମାସ ମାସ ଧରି ଜର ରହିଲା . ରୋଗ ବିଷୟରେ ଡାକ୍ତରମାନଙ୍କର ଅଲଗା ଅଲଗା ମତ ଥିଲା . କିଏ ହାଡ ଜର କହୁଥିଲା, ତ କିଏ ରକ୍ତ କମ୍, ପୁଣି କିଏ ଟି.ବି. ବି କହୁଥିଲା . ଘରର ଅବସ୍ଥା ଏପରି ଥିଲା ଯେ ପଇସାଟିଏ ବି ପାକରେ ନଥିଲା . ପତ୍ନୀର ସମସ୍ତ ଗହଣା ନେଇ ଶାଶୁ ନିଜ ଘରକୁ
ଚାଲିଗଲେ . ସାନ ଭଉଣୀ କାନ୍ଦେ . ମଝିଆ ଭଉଣୀ ଘୋଷାରି ଘୋଷାରି ହୋଇ କୁହେ, ‘ଏବେ କଣ, ଏବେ ତ ପୋକ
ପଡିବ !’ କେବଳ ୟୁନିୟନର କିଛି ଲୋକ ଆସି ସୁନ୍ଦର ପରାମର୍ଶ ଦେଇ ଯାଉଥିଲେ – ଶୁଦ୍ଧ ପବନରେ ରଖ, ଫଳରସ ଦିଅ, ଶେଯ ପ୍ରତିଦିନ ବଦଳାଇ ଦେବା ଉଚିତ, ବିଚରାମାନେ ଆଉ କଣ କରି ପାରନ୍ତେ !

ହେଇ ହେଇ ଯେତେବେଳେ ଅବସ୍ଥା ଏପରି ହେଲା, ତାକୁ ଦପ୍ତରରୁ ବହିଷ୍କାର କରିଦିଆଗଲା, ଘରେ ଚୁଲି ନ ଜଳିବାରୁ ତାର ଶାଶୁ ଆସି ନିଜ ଝିଅକୁ ସାଙ୍ଗରେ ନେଇଗଲେ ଓ କହିଲେ, ଯଦି ଅଣ୍ଟାରେ ପଇସା ନ ଥିଲା, ତେବେ ଭାୱଁରେ କାହିଁକି ଭଡାରେ ନେଇଥିଲା ଓ ପୁଣି ୟୁନିୟନ୍ – ଫ୍ୟୁନିୟନର ଗୁଣ୍ଡା ଆସି ଘରେ ଘୋଡାନାଚ କରୁଥିଲେ . ତନ୍ନାର ଭଉଣୀ ସେମାନଙ୍କ ସାମ୍ନାକୁ ବାହରନ୍ତୁ କିମ୍ବା ନାଚନ୍ତୁ, ଗାଆନ୍ତୁ, ତାଙ୍କ ଝିଅ ଏ ଧନ୍ଦା କରିପାରିବ ନାହିଁ .

ଏପଟେ ୟୁନିୟନ୍ ତାର ଚାକିରୀ ପାଇଁ ଲଢୁଥିଲା ଓ ଯେବେ ସେ ଚାକିରୀ ଫେରି ପାଇଲା, ଲୋକମାନେ ପରାମର୍ଶ ଦେଲେ, ଦଇ ସପ୍ତାହ ପାଇଁ ଚାଲିଯାଉ, ବାକି ଲୋକ ତାର କାମ କରେଇଦେବେ ଓ

ତାର ଶରୀର ହାଡର ଛାଞ୍ଚ ଭଳି ହୋଇ ଯାଉଥିଲା . ଚାଲିବା ବେଳେ ପାଖରୁ ହାଡର ଖଡଖଡ ଶବ୍ଦ ବି ଶୁଣିବାକୁ ମିଳିଥାଏ . କୌଣସି ପ୍ରକାରେ ସାହସ କରି ଗଲା . ଅଫିସରମାନେ ଚିଡି କରି ଥିଲେ . ମେଲ୍ ଟ୍ରେନରେ ରାତିର ଡ୍ୟୁଟି ଦେଇଦେଲେ ଓ ତାହା ବି ହୋଲି ଦିନ .ରଙ୍ଗରେ ଭିଜି ଭିଜି ବି ଥରି ଥରି କମ୍ପି କମ୍ପି ଷ୍ଟେସନ୍ ଗଲା . ସାରା ଦେହ ଜଳୁଥିଲା . କାମ ତ ସାଥୀ ମାନେ ମିଶି କରି ଦେଇଥିଲେ , ସେମାନେ ଚୁପଚାପ୍ ପଡି ରହିଲେ . ଡବା ଭିତରେ ଆର୍ଦ୍ରତା ଥିଲା . ଦେହ ଦରଜ ହେଉଥିଲା . ଶୀରା ପ୍ରଶୀରା ଢିଲା ହୋଇ ଯାଇଥିଲା . ସକାଳ ହେଲା . ଟଁଡଲା ଆସିଲା . ଟିକେ ଟିକେ ଖରା ପଡି ଯାଇଥିଲା . ସେ ଯାଇ ଦରଜା ପାଖରେ ଠିଆ ହୋଇଗଲା . ଗାଡି ଚାଲିଲା .ପାଦ ଥର ଥର କମ୍ପୁଥିଲା, ହଠାତ୍ ଇଞ୍ଜିନର ପାଣି ଟାଙ୍କିର ଝୁଲୁଥିବା ବାଲ୍ଟି ତାର କାନମୁଣ୍ଡା ପାଖରେ ଲାଗିଲା ଓ ପରେ ତାର ଚେତା ନ ଥିଲା .

ଆକ୍ଷି ଖୋଲି ଦେଖେ ତ ଟୁଁଡଲାର ରେଲୱେ ହସ୍ପିଟାଲରେ ଥିଲା . ଦୁଇ ପାଦ ନ ଥିଲା . ଆଖପାଖରେ କେହି ନ ଥିଲା , ବହୁତ କଷ୍ଟ ହେଉଥିଲା . ରକ୍ତ ଏତେ ବାହାରିଯାଇଥିଲା ଯେ ଆକ୍ଷିରେ କିଛି ଠିକ୍ ସେ ଦେଖା ଯାଉ ନଥିଲା . ଭାବିଲା, କାହାକୁ ଡାକିବ ତ ମୁହଁରୁ ଯମୁନା ନାମ ବାହାରିଲା, ପରେ ନିଜ ଛୁଆର, ପୁଣି ବାପା (ମହେସର)ର ଓ ପୁଣି ଚୁପ୍ ହେଇଗଲା .

ଲୋକେ ବହୁତ ପଚାରିଲେ, ‘କାହାକୁ ତାର ଦେବେ, କଣ କରାଯିବ ?’ କିନ୍ତୁ ସେ କିଛି କହିଲା ନାହିଁ . କେବଳ ମରିବା ପୂର୍ବରୁ ସେ ନିଜର ଦୁଇ କଟା ଗୋଡ ଦେଖିବାର ଇଛା ପ୍ରକାଶ କଲା ଓ ସେଗୁଡିକୁ ଅଣାଗଲା ତ ଠିକ୍ ସେ ଦେଖି ମଧ୍ୟ ପାରିଲା ନାହିଁ . ତେଣୁ ବାରମ୍ବାର ସେଗୁଡିକୁ ଛୁଇଁବାରେ ଲାଗିଲା, ଆଉଁସିଲା, ଉଠେଇବାର ଚେଷ୍ଟା କଲା, ତା ପରେ ହାତ ଟାଣି ନେଲା ଓ ଥରି ଥରି କମ୍ପିବାରେ ଲାଗିଲା .

ଜାଣେନା ମୋତେ କେମିତି ଲାଗିଲା, ମୁଁ ନିଷ୍କର୍ଷ ଶୁଣିବାର ଅପେକ୍ଷା ନ କରି ଚୁପଚାପ୍ ଉଠି ଚାଲି ଆସିଲି .

 ମଧ୍ୟାନ୍ତର

     ବହୁତ ଗୁଳୁଗୁଳି . ମନର ଗଭୀରରୁ ଗଭୀର ସ୍ତରରେ ଏକ ଅଦ୍ଭୁତ ପ୍ରକାରର ଅସ୍ଥିରତା . ନିଦ ଆସୁଛି ପୁଣି ଆସୁନାହିଁ . ନିମର ଡାଳ ସବୁ ଚୁପ୍ ଚାପ୍ . ବିଜୁଳିର ଆଲୋକରେ ସେମାନଙ୍କର ଛାଇ ସବୁ ଘର, ଖପରୁଲି, ବାରଣ୍ଡା ଉପରେ ଓ ଗଳିରେ ଶଙ୍କିତ ଭାବରେ ଠିଆ ହୋଇଛି .

ମୋର ଅର୍ଦ୍ଧସୁପ୍ତ ମନରେ ଅସମ୍ବନ୍ଧ ସ୍ୱପ୍ନ ବିଚାରର ଧାରା .

ସ୍ୱର୍ଗର ଫାଟକ . ରୂପ, ରେଖା, ରଙ୍ଗ, ଆକାର କିଛି ବି ନାହିଁ ଯେପରି ଅନୁମାନ କରିହେବ . ଫାଟକରେ ରାମଧନ ବାହାରେ ବସିଛି . ଭିତରେ ଯମୁନା ଶ୍ୱେତ ବସ୍ତ୍ର ପରିହିତା, ଶାନ୍ତ ଓ ଗମ୍ଭୀର . ତାର ବିଶୃଙ୍ଖଳିତ କାମନା, ତାର ବୈଧବ୍ୟ, ପଦ୍ମ ପତ୍ର ପରି ଭିତରେ ପଡି ପାଣି ବିନ୍ଦୁ ଭଳି ଖସି ଯାଉଛି . ସେ ସେମିତି ହିଁ ଅଛି, ଯେମିତି ତନ୍ନାକୁ ପ୍ରଥମ ଥର ଦେଖିଥିଲା .

ଫାଟକରେ ଘୋଡା ନାଲ ଜଡି ହୋଇ ରହିଛି . ଗୋଟାଏ, ଦୁଇଟା, ଅସଂଖ୍ୟ . ଦୂରରେ ଧୁଆଁଳିଆ ଦିଗବଳୟରୁ ଏକ ପତଳା ଧୂଆଁର ରେଖା ପରି ରାସ୍ତା ବାହାରି ଆସିଥିଲା . ତା ଉପରେ କୌଣସି ଦୁଇଟି ବସ୍ତୁ ରଙ୍ଗାଉଥିଲା . ରାସ୍ତା ରହି ରହି ଥରି ଉଠୁଥିଲା, ଯେମିତି ତାରର ପୋଲ .

ମେଘରେ ଏକ ଟର୍ଚ୍ଚ୍ ଜଳି ଉଠିଲା . ରାସ୍ତା ଉପରକୁ ତନ୍ନା ଚାଲିଆସିଥିଲା . ଆଗରେ ଆଗରେ ତନ୍ନା, କଟା ପାଦରେ ଘୋସାରି ହୋଇ, ପଛେ ପଛେ ତାର ଦୁଇଟି କଟା ଗୋଡ ଚାଲି ଆସୁଥିଲା . ଗୋଡ ଉପରେ ଆର୍.ଏମ୍. ଏସ୍.ର ରେଜିଷ୍ଟାର୍ ଲଦି ହୋଇଥିଲା .

ଫାଟକ ଠାରେ ପାଦ ଅଟକି ଯାଉଥିଲା . ଫାଟକ ଖୋଲି ଯାଉଥିଲା . ତନ୍ନା ଫାଇଲ୍ ଉଠେଇ ଭିତରକୁ ଚାଲି
ଯାଉଥିଲା . ପାଦ ଦୁଇଟି ବାହାରେ ରହି ଯାଉଥିଲେ . ଝିଟିପିଟିର କଟା ଲାଞ୍ଜ ପରି ଛଟପଟ ହେଉଥିଲେ .

କୌଣସି ଏକ ଛୁଆ କାନ୍ଦୁଥିଲା . ସିଏ ତନ୍ନାର ଛୁଆ ଅଟେ . ଫିସ୍ ଫିସ୍ ସ୍ୱର : ୟୁନିଅନ୍, ଏସ୍.ଏସ୍. ଆର୍., ଆର୍.ଏମ୍.ଏସ୍., ୟୁନିଅନ୍ . ଦୁଇ କଟା ପାଦ ଫେରି ପଡି ଚାଲୁଥିଲେ . ଧୂଆଁରେ ରାସ୍ତାଟି ତାରର ପୋଲ ଭଳି କମ୍ପୁଥିଲା .

ଦୂରରେ କୌଣସି ଷ୍ଟେସନରେ କୌଣସି ଡାକ ଗାଡି ଛାଡୁଥିଲା .

ଚତୁର୍ଥ ଦୁଇପହର

ମାଲଓ୍ୱାର ଯୁବରାଣୀ ଦେବସେନାଙ୍କର କାହାଣୀ

     ଆକ୍ଷି ଲାଗିଯିବାର କିଛି ସମୟ ପରେ ହଠାତ୍ ଗୁଳୁଗୁଳି .ଭେଦ କରି ପବନର ଏକ ତେଜ ଆସିଲା, ଯେ ନିମ ଶାଖା ଝୁମି ଉଠିଲା . କିଛି ସମୟରେ ତାରାମାନଙ୍କର ଏକ କଳା ପର୍ଦ୍ଦା ଛାଇଗଲା . ପବନ ନିଜ ସହିତ ମେଘ ନେଇ ଆସିଥିଲା . ସକାଳେ ଆମେ ବହୁତ ସମୟ ପର୍ଯ୍ୟନ୍ତ ଶୋଇଲୁ, କାରଣ ପବନ ବୋହୁଥିଲା ଓ ଖରାର କୌଣସି ପ୍ରଶ୍ନ ହିଁ ନ ଥିଲା .

     ଜଣା ନାହିଁ, ଡେରୀ ପର୍ଯ୍ୟନ୍ତ ଶୋଇବା ଯୋଗୁଁ ହେଉ କିମ୍ବା ମେଘ ଯୋଗୁଁ ହେଉ, କାରଣ କାଳିଦାସ ବି କହିଥିଲେ – ‘ରମ୍ୟାଣି ଓ୍ୱିକ୍ଷ୍ୟ ମଧୁରାଂଶ୍ଚ...’ କିନ୍ତୁ ମୋ ମନ ବହୁତ ଉଦାସ ଥିଲା . ଆଉ ମୁଁ ଗଡିକରି କୌଣସି ବହି ପଢିବାକୁ ଲାଗିଲି . ବୋଧହୁଏ ‘ସ୍କନ୍ଦଗୁପ୍ତ’, ଯେଉଁଥିରେ ଶେଷରେ ନାୟିକା ଦେବସେନା ବିହାଗ ରାଗରେ “ଆହା ବେଦନା ମିଳେ ବିଦାୟରେ” ଗୀତ ଗାଉଛି . ଗୋଡ ଟେକି ବିଦାୟ ମାଗୁଛି – ଏହି ଜୀବନର ଦେବତା ଓ ସେହି ଜନ୍ମର ପ୍ରାପ୍ୟ କ୍ଷମା ! ଆଉ ଏହା ପରେ ଅନ୍ତତଃ ବିରହ ସହିତ ପର୍ଦ୍ଦା ପଡି ଯାଉଛି .

     ଏହାକୁ ପଢିବା ପରେ ମୋ ମନ ଆହୁରି ଉଦାସ ହେଇଗଲା . ଆଉ ମୁଁ ଭାବିଲି, ଚାଲ ମାଣିକ ମୁଲ୍ଲା ପାଖକୁ ହିଁ ପଳେଇବା . ମୁଁ ପହଞ୍ଚି ଦେଖିଲି ଯେ ମାଣିକ ମୁଲ୍ଲା ଚୁପ୍ ଚାପ୍ ବସି ଝରକାରେ ଆସୁଥିବା ମେଘ ଆଡକୁ ଦେଖୁଥିଲେ ଓ ଚୌକିରୁ ଓହଳାଇଥିବା ଦୁଇ ଗୋଟି ପାଦ ଧିରେ ଧିରେ ହଲାଉ ଥିଲେ . ମୁଁ ବୁଝିଗଲି ଯେ ମାଣିକ ମୁଲ୍ଲାଙ୍କ ମନରେ କୌଣସି ପୁରୁଣା କଷ୍ଟ ଜାଗୃତ ହୋଇ ଯାଇଛି , କାରଣ ଲକ୍ଷଣ ସେହି ରୋଗର ହିଁ ଅଟେ .ଏପରି ଅବସ୍ଥାରେ ସାଧାରଣତଃ ମାଣିକ ପରି ଲୋକଙ୍କର ଦୁଇ ପ୍ରକାରର ପ୍ରତିକ୍ରିୟା ହୋଇଥାଏ . ଯଦି କିଏ ତାଙ୍କ ସହିତ ସମବେଦନା ଜଣେଇ କଥା ହୁଏ, ତେବେ ସିଏ ତାକୁ ସାଙ୍ଗେ ସାଙ୍ଗେ ଥଟ୍ଟାରେ ଉଡେଇଦେବେ, କିନ୍ତୁ ଯେତେବେଳେ ସିଏ ଚୁପ୍ ହେଇଯିବ, ତ ଧିରେ ଧିରେ ନିଜେ ସେପରି କଥା ଆରମ୍ଭ କରିଦେବେ . ମାଣିକ ଏହା ହିଁ କଲେ . ଯେତେବେଳେ ମୁଁ ତାଙ୍କୁ କହିଲି କି ମନ ବହୁତ ଉଦାସ ଅଛି, ତ ସେ ହସିଲେ, ଆଉ ମୁଁ ଯେବେ କହିଲି ରାତିରେ ସ୍ୱପ୍ନରେ ମୁଁ ମନ ଉପରେ ବହୁତ ପ୍ରଭାବ ପକେଇଥିଲି ତ ସେ ଆହୁରି ହସିଲେ ଓ କହିଲେ “ସେ ସ୍ୱପ୍ନରୁ ଦୁଇଟି କଥା ଜଣା ପଡୁଛି .”

     “କଣ ?” ମୁଁ ପଚାରିଲି .

     “ପ୍ରଥମତଃ ଏହା ଯେ ତୁମର ହଜମ କ୍ରିୟା ଠିକ୍ ହୋଇନାହିଁ .” ଦ୍ୱିତୀୟରେ ତୁମେ ଦାନ୍ତେଙ୍କର ‘ଡିଭାଇନ୍ କମେଡି’ ପଢିଛ, ନାୟକକୁ ନାୟିକା ସ୍ୱପ୍ନରେ ଭେଟୁଛି ଓ ତାକୁ ଈଶ୍ୱରଙ୍କ ସିଂହାସନ ପର୍ଯ୍ୟନ୍ତ ନେଇଯାଉଛି . ଯେତେବେଳେ ମୁଁ ଛେପ ଢୋକି ଏହା ସ୍ୱୀକାର କଲି ଯେ କଥା ଦୁଇଟି ବିଲକୁଲ ସତ, ସେ ପୁଣି ଚୁପ୍ ହୋଇଗଲେ ଓ ସେହିଭଳି ଝର୍କା ଦେଇ ମେଘଆଡକୁ ଦେଖି ପାଦ ହଲେଇବାରେ ଲାଗିଲେ . କିଛି ସମୟ ପରେ କହିଲେ, ‘ଜଣା
ନାହିଁ . ତୁମମାନଙ୍କୁ କେମିତି ଲାଗୁଛି, ମୋତେ ତ ମେଘକୁ ଦେଖିଲେ ସେପରି ଲାଗୁଛି, ଯେପରି ସେ ଘରକୁ ଦେଖି ଲାଗେ, ଯେଉଁଥିରେ ଆମେ ଆମର ହସଖୁସୀ ଭରା ଶୈଶବ ବିତେଇଛୁ ଓ ଯାହାକୁ ଛାଡି ଆମେ ଜଣା ନାହିଁ କୁଆଡେ କୁଆଡେ ବୁଲିଛୁ ଓ ଭୁଲରେ ସେହି ଘର ସାମ୍ନାରେ ଅନେକ ବର୍ଷ ପରେ ଆସି ପହଞ୍ଚିଛୁ .’ ଯେତେବେଳେ ମୁଁ ସ୍ୱୀକାର କଲି ଯେ ମୋ ମନରେ ବି ଏହି ଭାବନା ଆସେ, ସିଏ ଆହୁରି ଉତ୍ସାହିତ ହୋଇ କହିଲେ , ଦେଖ ଯଦି ଜୀବନରେ ଫୁଲ ନ ଥାନ୍ତା, ମେଘ ନ ଥାନ୍ତା, ପବିତ୍ରତା ନ ଥାନ୍ତା, ଆଲୋକ ନ ଥାନ୍ତା, କେବଳ ଅନ୍ଧକାର ହିଁ ଥାନ୍ତା, ମଇଳା ଥାନ୍ତା, ଅଳିଆ ଥାନ୍ତା, ତେବେ କେତେ ବଢିଆ ହୋଇ ଥାନ୍ତା ! ଆମେ ବି ସେଥିରେ କୀଟ ଭଳି ବିଳିବିଳେଇବା ଓ ମରିଯିବା .କେବେ ଅନ୍ତରେ କୌଣସି ଛଟପଟ ଭାବ ନ ଥାନ୍ତା .କିନ୍ତୁ ସେହି ଦିନ ବଡ ଅଭାଗା ହେବ, ଯେଉଁ ଦିନ ଆମର ଆତ୍ମା ପବିତ୍ରତାର ଗୋଟିଏ ଝଲକ ପାଇଯିବ, ଆଲୋକକର ଗୋଟିଏ ଟୁକୁଡା ପାଇଯିବ .କାରଣ ଏହା ପରେ ବର୍ଷ ବର୍ଷ ଅନ୍ଧକାରରେ ବନ୍ଦୀ ରହିଲେ ବି ଆଲୋକର ଶୋଷ ସେଥିରେ ଭରି ହେବ ନାହିଁ, ତାକୁ ଛଟପଟ କରେଇବ . ସେ ଅନ୍ଧକାର ସହ ବୁଝାମଣା କରି ଦେଇ ପାରେ, କିନ୍ତୁ ତାକୁ ଶାନ୍ତି କେବେ ବି ମିଳିବ ନାହିଁ . ମୁଁ ତାଙ୍କ କଥା ସହ ପୂର୍ଣ୍ଣ ଭାବରେ ଏକମତ ଥିଲି, କିନ୍ତୁ ଅଳ୍ପ ବେଶୀ କିଛି ଲେଖି ଦେଲେ ମଧ୍ୟ,  ମୋତେ ସେହି ଦିନମାନଙ୍କରେ ଶୁଦ୍ଧ ହିନ୍ଦୀ କହିବାର ଅଭ୍ୟାସ ନ ଥିଲା, ତେଣୁ ତାଙ୍କ ଉଦାସ ଭାବ ସହ ସହମତି ପ୍ରକାଶ କରିବା ପାଇଁ ମୁଁ ଚୁପଚାପ୍ ମୁହଁ ଓହୋଳେଇ ବସି ରହିଲି . ଠିକ୍ ତାଙ୍କ ପରି ମୁହଁ ଓହଳେଇ ମେଘ ଆଡକୁ ଦେଖିବାରେ ଲାଗିଲି ଓ ତଳକୁ ପାଦ ଓହଳେଇ ଝୁଲେଇବାରେ ଲାଗିଲି . ମାଣିକ ମୁଲ୍ଲା କହି ଚାଲିଲେ – ‘ଏବେ ଏହି ପ୍ରେମର କଥା ନିଆଯାଉ . ଏହା ସତ ଯେ ପ୍ରେମ ଆର୍ଥିକ ସ୍ଥିତି ଦ୍ୱାରା ଅନୁଶାସିତ, କିନ୍ତୁ ମୁଁ ଯେଉଁ ଆବେଶରେ କହିଦେଇଥିଲି ଯେ ପ୍ରେମ ଆର୍ଥିକ ନିର୍ଭରତାର ଦ୍ୱିତୀୟ ନାମ, ଏହା କେବଳ ଆଂଶିକ ସତ୍ୟ ଅଟେ . ଏହାକୁ କେହି ଅସ୍ୱୀକାର କରିପାରିବ ନାହିଁ ଯେ ଭଲପାଇବା - ’

ଏହିଠାରେ ମାଣିକ ମୁଲ୍ଲା ଅଟକି ଗଲେ ଓ ମୋ ଆଡକୁ ଚାହିଁ କହିଲେ,  “କ୍ଷମା କରିବ, ତୁମର ଅଭ୍ୟସ୍ତ ଶୈଳୀରେ ମୁଁ କହିଲେ, ଏଥିରେ କେହି ମନା କରି ପାରିବ ନାହିଁ ଯେ ଭଲପାଇବା ଆତ୍ମାର ଗଭୀରତାରେ ଶୋଇ ରହିଥିବା ସୌନ୍ଦର୍ଯ୍ୟର ସଙ୍ଗୀତକୁ ଜାଗ୍ରତ କରିବା ଅଟେ, ଆମ ଭିତରେ ଅଦ୍ଭୁତ ପ୍ରକାର ପବିତ୍ରତା, ନୀତି ନିଷ୍ଠା ଓ ଆଲୋକ ଭରିଦିଏ . ଇତ୍ୟାଦି . କିନ୍ତୁ . . . .”

     ‘କିନ୍ତୁ କଣ ?’ ମୁଁ ପଚାରିଲି .

     ‘କିନ୍ତୁ ଆମେ ସବୁ ପରମ୍ପରା, ସାମାଜିକ ପରିସ୍ଥିତିର ମିଥ୍ୟା ବନ୍ଧନରେ ଏପରି ଭାବରେ ବାନ୍ଧି ହୋଇ ରହିଛେ ଯେ, ତାକୁ ସାମାଜିକ ସ୍ତରରେ ଗ୍ରହଣ କରି ପାରୁ ନାହେଁ, ତା ପାଇଁ ସଙ୍ଘର୍ଷ କରି ପାରୁ ନାହେଁ ଓ ବିବଶତା ଉପରେ ସୁନା ପାଣି ମଣ୍ଡି ତାକୁ ଉଜ୍ଜ୍ୱଳ କରିବାର ଚେଷ୍ଟା କରିଥାଏ . ଏହା ଅବ୍ୟାବହାରିକ ପ୍ରେମର ମହତ୍ତ୍ୱ ଅଟେ . କିନ୍ତୁ ଅସୁବିଧା ଏହା ଯେ ତାହା କଞ୍ଚା ମନର ଭଲ ପାଇବା ଅଟେ, ସେଥିରେ ସ୍ୱପ୍ନ୍, ଇନ୍ଦ୍ରଧନୁ ଓ ଫୁଲ ତ ବହୁତ ମାତ୍ରାରେ ଥାଏ, କିନ୍ତୁ ସାହସ ଓ ପରିପକ୍ୱତା ନ ଥାଏ, ଯାହା କି ଏହି ସ୍ୱପ୍ନ ଓ ଫୁଲକୁ ସୁସ୍ଥ ସାମାଜିକ ସମ୍ବନ୍ଧରେ ବଦଳେଇ ଦେଇ ପାରିବ . ଫଳ ଏହା ହୋଇଥାଏ ଯେ, କିଛି ଦିନ ପରେ ଏହା ସବୁ ମନରୁ ସେହି ପ୍ରକାରେ ଅଦୃଶ୍ୟ ହୋଇ ଯାଇଥାଏ, ଯେପରିକି ମେଘର ଛାଇ. ଅନ୍ତତଃ ଆମେ ତ ପବନରେ ରହୁ ନାହେଁ ଓ ଯେଉଁ ସବୁ ଭାବନା ଆମର ସାମାଜିକ ଜୀବନରେ ଖାଦ ହୋଇ ପାରେ ନାହିଁ, ଜୀବନ ତାକୁ ବୁଦା ଭଳି ଉପାଡି ଫୋପାଡି ଦିଏ .’

     ଓଁକାର, ଶ୍ୟାମ୍ ଓ ପ୍ରକାଶ ମଧ୍ୟ ସେତେବେଳକୁ ଆସି ଯାଇଥିଲେ .ଏବଂ ଆମେ ସମସ୍ତେ ମନେ ମନେ ଅପେକ୍ଷା କରି ରହିଥିଲୁ ଯେ ମାଣିକ ମୁଲ୍ଲା କେତେବେଳେ ନିଜ କାହାଣୀ ଆରମ୍ଭ କରିବେ, କିନ୍ତୁ ତାଙ୍କର ଅନ୍ୟମନସ୍କ ମନସ୍ଥିତିକୁ ଦେଖି ଆମମାନଙ୍କର ସାହସ ହେଉ ନ ଥିଲା .

     ଏମିତିରେ ମାଣିକ ମୁଲ୍ଲା ସ୍ୱୟଂ ଆମମାନଙ୍କର ମନ କଥା ବୁଝିଗଲେ ଏବଂ ହଠାତ୍ ନିଜର ଦିବା ସ୍ୱପ୍ନର ଦୁନିଆଁରୁ ବାହାରି ଆସି ମ୍ଲାନ ହସି କହିଲେ, ‘ଆଜି ମୁଁ ତୁମକୁ ଏପରି ଏକ ଝିଅର କଥା ଶୁଣେଇବି, ଯିଏ ଏହିପରି ମେଘ ଦିନମାନଙ୍କରେ ମୋତେ ବାରମ୍ବାର ମନେ ପଡେ . ଅଦ୍ଭୁତ ଥିଲା ସେହି ଝିଅ .’

     ଏହାପରେ ମାଣିକ ମୁଲ୍ଲା ଯେତେବେଳେ କାହାଣୀ ଆରମ୍ଭ କଲେ, ସେତେବେଳେ ମୁଁ ତାଙ୍କୁ ଅଟକେଇ ଦେଲି ଓ ତାଙ୍କୁ ମନେ ପକେଇଦେଲି ଯେ ତାଙ୍କ କାହାଣୀରେ ସମୟର ବିସ୍ତାର ଏତେ ସୀମାହୀନ ଥିଲା ଯେ, ଘଟଣାର କ୍ରମ ବହୁତ ଦ୍ରୁତ ଗତିରେ ଚାଲିଗଲା ଓ ସେ ବିବରଣୀରେ ଏତେ ଦ୍ରୁତ ଗତିରେ ଗଲେ ଯେ, ବ୍ୟକ୍ତିଗତ ମନୋବିଶ୍ଲେଷଣର ଓ ମନସ୍ଥିତି ନିରୂପଣ ଉପରେ ଠିକ୍ ଭାବରେ ଧ୍ୟାନ ଦେଇ ପାରିଲେ ନାହିଁ . ମାଣିକ ମୁଲ୍ଲା ପଛ କାହାଣୀର ଏହି ଦୁର୍ବଳତାକୁ ସ୍ୱୀକାର କଲେ, କିନ୍ତୁ ମନେ ହୁଏ, ମନେ ମନେ ତାଙ୍କୁ କିଛି ଲାଗିଲା, କାରଣ ସେ ଚିଡିକରି ବହୁତ କଡା ସ୍ୱରରେ କହିଲେ, “ଆଛା ହେଉ, ଆଜିକା କାହାଣୀର ଘଟଣାବଳୀ କେବଳ ଚବିଶି ଘଣ୍ଟା ମଧ୍ୟରେ ସୀମିତ ରହିବ – 29 ଜୁଲାଇ 19... ର ସନ୍ଧ୍ୟା ଛଅଟାରୁ 30 ଜୁଲାଇ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ, ଆଉ ତା ପରେ ସିଏ କାହାଣୀ ଆରମ୍ଭ
କଲେ ! (କାହାଣୀ କହିବା ପୂର୍ବରୁ ମୋତେ କହିଲେ, ଶୈଳୀରେ ଯଦି ତୁମର ଝଲକ ଆସିଯିବ, ତେବେ କ୍ଷମା
କରିବ ) .”

     ଝର୍କାରୁ ଝୁଲୁଥିବା ପବନ ଠାରୁ ବି ହାଲୁକା ଜର୍ଜେଟର ପର୍ଦ୍ଦାକୁ ଚୁମା ଦେଇ, ସାନ୍ଧ୍ୟ ସୂର୍ଯ୍ୟର ଉଦାସ ବହଳିଆ କିରଣକୁ ଦେଖି ସେହି ଝିଅକୁ ଦେଖିଲି, ଯିଏ ତକିଆରେ ମୁହଁ ଲୁଚେଇ କାନ୍ଦୁ ଥିଲା . ତାହାର ରୁକ୍ଷ ଲୁଣି ଲୁହ ଧୁଆ ଗାଲକୁ ଛୁଇଁକରି ଶିହରୀ ଉଠୁଥିଲା . ଚମ୍ପା କଢି ଭଳି ତାର ଲମ୍ବା ପତଳା କାରୁକାର୍ଯ୍ୟ ଭରା ଆଙ୍ଗୁଠି, କ୍ରନ୍ଦନରେ କମ୍ପି ଉଠୁଥିବା ତାର ହଳଦିଆ ଜୁଇ ଭଳି ଶରୀର, ତାର ଗୋଲାପର ଶୁଖିଲା ପାଖୁଡା ଭଳି ଓଠ ଓ କୋଠରୀର ଉଦାସ ବାତାବରଣ, ଜଣା ନାହିଁ ସେ କେଉଁ କଷ୍ଟ ଥିଲା, ଯାହାର ଉଦାସ ଆଙ୍ଗୁଠି ରହି ରହି ତାର ବ୍ୟକ୍ତିତ୍ୱର ପଦ୍ମ ଫୁଲର ତନ୍ତୁ ଭଳି ସଙ୍ଗୀତକୁ ଝଙ୍କୃତ କରୁଥିଲା .

     କିଛି ସମୟ ପରେ ସେ ଉଠିଲା . ତା ଆକ୍ଷି ତଳେ ଏକ ହାଲୁକା ଦୁଃଖର ଛାଇ ଥିଲା, ଯାହା ଫୁଲି ଯାଇଥିଲା . ତାର ଚାଲି ହଂସ ଭଳି ଥିଲା, କିନ୍ତୁ ଏପରି ହଂସର ଯିଏକି ମାନସରୋବରରୁ କେତେ ଦିନ ହେବ ବିଦା ନେଇଥିଲା ଜଣା ନାହିଁ . ସେ ଏକ ଗଭୀର ନିଶ୍ୱାସ ନେଲା ଓ ଲାଗିଲା ଯେମିତି ପବନରେ କେଶରର ଡୋର ଅସ୍ତବ୍ୟସ୍ତ ହୋଇ ଯାଇଛି . ସେ ଉଠିଲା ଓ ଝର୍କା ପାଖରେ ଯାଇ ବସିଲା .

     ପବନରେ ଜର୍ଜେଟର ପରଦା ଉଠି ତାକୁ କୁତୁ କୁତୁ କରୁଥିଲେ, କେତେବେଳେ କାନ ପାଖରେ, କେତେବେଳେ ଓଠ ପାଖରେ, କେତେବେଳେ..... ଛାଡ !

     ବାହାରେ ସୂର୍ଯ୍ୟଙ୍କର ଶେଷ କିରଣ ନିମ ଓ ପିପ୍ପଳି ଗଛର ଶିଖର ଉପରେ ସୁନା ରଙ୍ଗର ଉଦାସ ଭାବରେ ଖେଳେଇ ରହିଥିଲା . ଦିଗବଳୟ ପାଖରେ ଏକ ଗଭୀର ଜାମୁକୋଳିଆ ସ୍ତର ଜମି ରହିଥିଲା. ଯାହା ଉପରେ ଗୋଲାପୀ ଖେଳେଇ ହୋଇ ରହିଥିଲା ଓ ତା ଉପରେ ହାଲୁକା ହଳଦିଆ ଝଡର ଆଭା ଲହରୁ ଥିଲା .

     “ଝଡ ଆସିବ ଝିଅ . ଚାଲ ଖାଇନେବୁ !” ମାଆ କବାଟ ପାଖରୁ କହିଲେ . ଝିଅ କିଛି କହିଲା ନାହିଁ, କେବଳ ମୁଣ୍ଡ ହଲେଇଦେଲା . ମାଆ କିଛି କହିଲେ ନାହିଁ . ଆଗ୍ରହ ବି ପ୍ରକାଶ କଲେ ନାହିଁ . ମାଆଙ୍କର ଏକ ମାତ୍ର ଝିଅ ଥିଲା . ପୁରା ଘରଟାରେ ମାଆ ଓ ଝିଅ ହିଁ ଥିଲେ . ସେ ହିଁ ଝିଅ . ସେ ହିଁ ପୁଅ . ଝିଅର କଥା କାଟିବାର ସାହସ କାହାର ନ ଥିଲା . ମାଆ କିଛି ସମୟ ଚୁପଚାପ୍ ଠିଆ ହେଲେ ଓ ଚାଲିଗଲେ . ଝିଅ ଶୂନ୍ୟ ଆକ୍ଷିରେ ଚୁପଚାପ୍ ଜାମୁକୋଳିଆ ରଙ୍ଗ ଘେରି ହୋଇଥିବା ମେଘକୁ ଓ ତା ଉପରେ ଜାଜ୍ଜ୍ୱଲ୍ୟମାନ ହେଉଥିବା ଗୋଲାପୀକୁ ଓ ତା ଉପରେ ଘେରି ରହିଥିବା ଝଡକୁ ଚାହିଁ ରହିଲା .

     ସନ୍ଧ୍ୟା ଝାପ୍ସା କଜ୍ଜ୍ୱଳର ଓଢଣୀ ଘେରେଇ ସାରିଥିଲା . ସେ ଚୁପଚାପ୍ ସେଠି ବସି ରହିଲା, ବେଲେ ଦ୍ୱାରା ନିର୍ମିତ କଳାପ୍ରତିମା ଭଳି . ଦୃଷ୍ଟିରେ ରହି ରହି ଉଦାସୀ ଓ ଲଜ୍ଜାଶୀଳ ନର୍ଗିସ୍ ଝୁମି ଯାଉଥିଲା .

     “କୁହନ୍ତୁ ଆଜ୍ଞା !” ମାଣିକ ପ୍ରବେଶ କରିବାରୁ ସେ ଉଠିଲା ଓ ଚୁପଚାପ୍ ଲାଇଟ୍ ଅନ୍ କରିଦେଲା . ମାଣିକ ମୁଲ୍ଲା ତାର କ୍ଷୁବ୍ଧ ମନୋସ୍ଥିତି, ତାର ଅଶ୍ରୁ ସିକ୍ତ ମୌନତାକୁ ଦେଖି ଅଟକି ଗଲା ଓ ଗମ୍ଭୀର ହୋଇ କହିଲା, ‘କଣ
ହେଲା ? ଲିଲି ! ଲିଲି ! ’

     ‘କିଛି ନାହିଁ !’ ଝିଅଟି ହସିବାର ଚେଷ୍ଟା କରୁ କରୁ କହିଲା, କିନ୍ତୁ ଆକ୍ଷି ଢଳ ଢଳ ହୋଇଗଲା ଓ ସେ ମାଣିକ ମୁଲ୍ଲାର ପାଦ ପାଖରେ ବସିଗଲା .

     ମାଣିକ ତାର କାନଫୁଲରୁ ବାହାରିଥିବା ଏକ ଶୁଖିଲା ଝରାକୁ ସାଉଁଳେଇ ସାଉଁଳେଇ କହିଲା, ‘ତେବେ କହିବ ନାହିଁ ? ’

     “ମୁଁ କେବେ ତୁମ ଠାରୁ କୌଣସି କଥା ଲୁଚେଇଛି ?”

     “ନା, ଏ ପର୍ଯ୍ୟନ୍ତ ତ ଲୁଚେଇ ନାହଁ, ଆଜିଠାରୁ ଲୁଚେଇବା ଆରମ୍ଭ କରିଛ .”

     “ନା, କିଛି କଥା ନାହିଁ, ବିଶ୍ୱାସ କର !” ଝିଅଟି ଯାହାର ନାମ ଲୀଳା ଥିଲା, ଲିଲି ନାମରେ ଡକା ଯାଉଥିଲା, ମାଣିକ କମିଜର କାଚ ବୋତାମକୁ ଖୋଲି ଆଉ ବନ୍ଦ କରୁ କରୁ କହିଲା .

     “ଆଛା ନ କୁହ ! ମୁଁ ବି ତୁମକୁ ଆଉ କିଛି କହିବି ନାହିଁ .” ମାଣିକ ଉଠିବାର ଉପକ୍ରମ କରୁ କରୁ
କହିଲା .

‘ତେବେ କୁଆଡେ ଚାଲିଲ-’ ସେ ମାଣିକର କାନ୍ଧ ଉପରେ ଝୁଙ୍କି ପଡିଲା - “କହୁଛି .”

     “ତେବେ କୁହ !”

     ଲିଲି ଟିକେ ଅଟକି ଗଲା ଓ ପରେ ସେ ମାଣିକର ହାତ ନିଜର ଫୁଲା ଆକ୍ଷି ଉପରେ ରଖି କହିଲା, “ହେଲା ଏହିକି ଯେ, ଆଜି ଦେବଦାସ ଦେଖିବାକୁ ଯାଇଥିଲି . କମ୍ମୋ ବି ସାଙ୍ଗରେ ଥିଲା . ଛାଡ, ସେ କିଛି ବୁଝିଲା ନାହିଁ . ମୋତେ ଜଣା ନାହିଁ କେମିତି ଲାଗିଲା . ମାଣିକ, କଣ ହେବ, କୁହ ?  ଏବେ ତ ଦିନେ ତମେ ନ ଆସିଲେ ନା ଖାଇବାକୁ ଇଛା ହୁଏ ନା ପଢିବାକୁ . ପୁଣି ମାସ – ମାସ ଧରି ତୁମକୁ ଦେଖି ପାରିବି ନାହିଁ . ସତ, ଏମିତିରେ ଯେତେ ହସୁଥାଅ, ଗପୁଥାଅ, କିନ୍ତୁ ଯେତେବେଳେ ଏହି କଥା ମନକୁ ଆସୁଛି ମନ ଯେମିତି ଥଣ୍ଡା ହୋଇଯାଉଛି .”

     ମାଣିକ କିଛି କହିଲେ ନାହିଁ . ତାଙ୍କ ଆକ୍ଷିରେ ଏକ କରୁଣ ବ୍ୟଥା ଝଲସି ଗଲା ଓ ସେ ଚୁପଚାପ୍ ବସି ରହିଲେ. ଝଡ ଆସି ଯାଇଥିଲା ଏବଂ ମେଜ ତଳେ ସିନେମାର ଦୁଇଟି ଅଧା ଚିରା ହୋଇଥିବା ଟିକେଟ୍ ଝଡ କାରଣରୁ ସମଗ୍ର କୋଠରୀରେ ଆଘାତପ୍ରାପ୍ତ ପ୍ରଜାପତି ଭଳି ଇଆଡେ ସିଆଡେ ଉଡି କାନ୍ଥରେ ଆଘାତପ୍ରାପ୍ତ ହେଉଥିଲା .

     ମାଣିକର ପାଦ ଉପରେ ତାତିଲା ଲୁହର ଏକ ବୁନ୍ଦା ପଡିବାରୁ ସେ ଚମକି ଦେଖିଲେ ଯେ ଲିଲି ଆକ୍ଷିରୁ ଲୁହ ଝରୁଛି . ସେ ହାତ ଧରି ଲିଲିକୁ ପାଖକୁ ଟାଣି ନେଲେ ଓ ତାକୁ ସାମ୍ନାରେ ବସେଇ, ତାର ସୁନ୍ଦର ଦୁଇ ଛୋଟ ଛୋଟ ପାରା ପରି ପାଦରେ ଆଙ୍ଗୁଠିର ଧାର କାଟୁ କାଟୁ କହିଲେ, ଛିଃ ! ଏହିପରି କାନ୍ଦିବା ଆମର ଲିଲିକୁ ଶୋଭା ପାଏ ନାହିଁ . ଏହା ସବୁ ଦୁର୍ବଳତା ଅଟେ, ମନର ମୋହ, ଆଉ କିଛି ନୁହେଁ. ତୁମେ ଜାଣିଛ ଯେ, ମୋ ମନରେ କେବେ ତୁମ ପାଇଁ ମୋହ ନାହିଁ, ତୁମ ମନରେ କେବେ ମୋ ପାଇଁ ଅଧିକାରର ଭାବନା ରହି ନାହିଁ . ଯଦି ଆମେ ଦୁହେଁ ଜୀବନରେ ଦୁହେଁ ଦୁହିଁଙ୍କର ନିକଟତର ହେବା ବି ତାର କାରଣ ହେଲା ଯେ ଆମର ଅଧୀର ଆତ୍ମା . ଜଣେ ଜଣକୁ ପୂର୍ଣ୍ଣ କରିବ, ଜଣେ ଜଣକୁ ବଳ ଦେବ, ଆଲୋକ ଦେବ, ପ୍ରେରଣା ଦେବ . ଆଉ ଦୁନିଆର କୌଣସି ଶକ୍ତି କେବେ ଆମ ଠାରୁ ଆମର ଏହି ପବିତ୍ରତାକୁ ଛଡେଇ ନେଇ ପାରିବ ନାହିଁ . ମୁଁ ଜାଣିଛି ଯେ ସାରା ଜୀବନ ମୁଁ ଯେଉଁଠି ରହିବି, ଯେଉଁ ପରିସ୍ଥିତିରେ ବି ରହିବି, ତୁମର ଭଲ ପାଇବା ମୋତେ ବଳ ଦେବ . ପୁଣି ତୁମ ଭିତରେ ଏତେ ଅସ୍ଥିରତା କାହିଁକି ଆସୁଛି ? ଏହାର ଏହି ଅର୍ଥ ହେଲା, ଜାଣେନା ମୋ ଠାରେ ଏମିତ କଣ ଅଭାବ ରହିଲା ଯେ ମୁଁ ତୁମକୁ ଆସ୍ଥା ଦେଇ ପାରୁ ନାହିଁ .

     ଲିଲି ଲୁହ ଭରା ଆକ୍ଷିକୁ ଉଠେଇଲା ଓ କାତର ହୋଇ ମାଣିକକୁ ଦେଖିଲା, ଯାହାର ଅର୍ଥ ଥିଲା  - ‘ଏପରି କୁହ ନାହିଁ, ମୋ ଜୀବନରେ, ମୋ ବ୍ୟକ୍ତତ୍ୱରେ ଯାହା କିଛି ବି ଅଛି ସେସବୁ ତୁମ ଦ୍ୱାରା ହିଁ ଦତ୍ତ .’ କିନ୍ତୁ ଲିଲି ଏହାକୁ ଭାଷାରେ ନ କହି ଆକ୍ଷିରେ କହିଲା .

     ମାଣିକ ଆସ୍ତେ କରି ତା ପଣତରେ ତାର ଲୁହ ପୋଛି ଦେଲା . କହିଲା, ‘ଯାଅ, ମୁହଁ ଧୋଇ ଆସ ! ଚାଲ !’ ଲିଲି ମୁହଁ ଧୋଇ ଆସିଗଲା . ମାଣିକ ବସି ବସି ରେଡିଓର କଣ୍ଟାକୁ ଏମିତି ଘୁରାଉଥିଲେ ଯେ କେତେବେଳେ ଝଟ୍ କରି ଦିଲ୍ଲୀ ବାଜି ଉଠୁଥିଲା,  କେତେବେଳେ ଲକ୍ଷ୍ନୌର ଗୋଟାଏ ଦୁଇଟା ଅସ୍ପଷ୍ଟ ସଙ୍ଗୀତ ଲହରୀ ଶୁଣିବାକୁ ମିଳୁଥିଲା . କେତେବେଳେ ନାଗପୁର, କେତେବେଳେ କଲିକତା, (ଏହ୍ଲାବାଦରେ ସୌଭାଗ୍ୟବଶତଃ ସେତେବେଳେ ରେଡିଓ ଷ୍ଟେସନ୍ ନଥିଲା). ଲିଲି ଚୁପଚାପ୍ ବସି ରହିଲା, ପୁଣି ଉଠିକରି ସେ ରେଡିଓ ବନ୍ଦ କରିଦେଲା ଓ ଆକୁଳ ଆଗ୍ରହ ଭରା କଣ୍ଠରେ କହିଲା,  “ମାଣିକ, କିଛି କଥା ହୁଅ ! ମନ ବହୁତ ବିଚଳିତ ହେଉଛି .”

     ମାଣିକ ହସିଲା ଆଉ କହିଲା, ‘ଆଛା ଆସ କଥା ହେବା, କିନ୍ତୁ ଆମ ଲିଲି ଯେମିତି ସୁନ୍ଦର କଥା କହିପାରୁଛି, ସେମିତି ମୁଁ କଣ କହିପାରିବି? କିନ୍ତୁ ଛାଡ! ତେବେ ତୁମର କମ୍ମୋ ଛବିକୁ ବୁଝି ପାରିଲା ନାହିଁ ! ’

          ‘ଉହୁଁ!’

          ‘କମ୍ମୋ ବହୁତ ଅପାରଗ ଅଟେ . କିନ୍ତୁ ଚେଷ୍ଟା କରେ ସବୁ କାମରେ ହସ୍ତକ୍ଷେପ କରିବା ପାଇଁ .’

          ‘ତୁମର ଯମୁନା ସହିତ ତ ଭଲ ସମ୍ପର୍କ .’

          ଯମୁନାର କଥା ପଡିବାରୁ ମାଣିକକୁ ହସ ଲାଗିଲା ଓ ପୁଣି ଆଗ୍ରହରେ, ବହୁତ ଗେଲ ଓ ଯୋଶରେ ଲିଲି ଆଡକୁ ଦେଖି କହିଲା, ‘ଲିଲି ତୁମେ ସ୍କନ୍ଦଗୁପ୍ତ ସାରିଦେଲ! ’

‘ହଁ! ’

‘କେମିତ ଲାଗିଲା !’

ଲିଲି ମୁଣ୍ଡ ହଲେଇ କହିଲା ଯେ ବହୁତ ବଢିଆ ଲାଗିଲା . ମାଣିକ ଆସ୍ତେ କରି ଲିଲିର ହାତକୁ ନିଜ ହାତରେ ନେଇଗଲା ଓ ତାର ରେଖା ଉପରେ ନିଜର କମ୍ପିତ ହାତକୁ ରଖି କହିଲା, ‘ମୁଁ ଚାହୁଁଛି, ମୋ ଲିଲି ସେତିକି ପବିତ୍ର, ସେତିକି ସୂକ୍ଷ୍ମ, ସେତିକି ଦୃଢ ରହୁ, ଯେତିକି ଦେବସେନା ଥିଲା . ତେବେ ଲିଲି ସେମିତି ହିଁ ହେବ ନା ! ’

କୌଣସି ମଣିଷ ପରି ଦେବତାର ସଙ୍ଗୀତରେ ମୁଗ୍ଧ, ନିରୀହ ହରିଣୀ ଭଳି ଲିଲି କ୍ଷଣେ ମାଣିକକୁ ଦେଖିଲା ଓ ତା ହାତରେ ମୁହଁକୁ ଲୁଚେଇଦେଲା .

‘ଓ୍ୱାହ୍ ! ସେପଟେ ଦେଖ ଲିଲି !’ ମାଣିକ ଦୁଇ ହାତରେ ଲିଲିର ମୁହଁକୁ ପଦ୍ମ ଫୁଲ ଭଳି ଉଠାଉ ଉଠାଉ କହିଲା . ବାହାର ଗଳିରେ ବିଜୁଳି କାହିଁକି କେଜାଣି ଜଳୁ ନ ଥିଲା . କିନ୍ତୁ ରହି ରହି କରି ନାରଙ୍ଗୀ ରଙ୍ଗର ବିଜୁଳି ଚମକି ଯାଉଥିଲା ଓ ଲମ୍ବା ପତଳା ଗଳିର ଦୁଇ ପାର୍ଶ୍ୱରେ ପକ୍କା ଘର, ସେମାନଙ୍କ ଖାଲି ଚଉତରା, ବନ୍ଦ ଝରକା, ଶୂନ୍ୟ ବାରଣ୍ଡା ବିଜୁଳିମାନଙ୍କରେ କେମିତି କେଜାଣି ଯାଦୁ ଦ୍ୱାରା, ରହସ୍ୟମୟ ଲାଗୁଥିଲା . ବିଜୁଳି ଚମକିବା କ୍ଷଣି ଅନ୍ଧକାରକୁ ଚିରି ତାହା ଝରକାରେ ଦେଖା ଯାଉଥିଲା ଏବଂ ପୁଣି ହଠାତ୍ ଅନ୍ଧକାରରେ ବିଲୀନ ହୋଇ ଯାଉଥିଲା ଓ ଏହି ସମୟରେ ଗୋଟାଏ ମୁହୂର୍ତ୍ତରେ ତାଙ୍କ କାନ୍ଥ ଉପରେ ଛଟପଟ ହେଉଥିବା ବିଜୁଳିର ନାରଙ୍ଗୀ ଆଲୋକ ବଙ୍କେଇ ହୋଇ ରହିଲା . ବାରଣ୍ଡାରେ କାଚଗୁଡିକରୁ ପାଣି ଧାର ଗଡିବାକୁ ଲାଗିଲା . ସ୍ତମ୍ଭ ଓ ବିଜୁଳି ତାର କମ୍ପିବାକୁ ଲାଗିଲେ ଓ ପବନରେ କାନଫୁଲର  ଝରା ହଲିବାରେ ଲାଗିଲା . ସାରା ପରିବେଶ ଯେମିତି ବିଜୁଳିର ଏକ କ୍ଷୀଣ ଆଘାତରେ କମ୍ପୁଥିଲା, ଦୋହଲୁଥିଲା .

ଗୋଟିଏ ଜୋର ପବନ ଆସିଲା ଓ ଝରକା ପାଖରେ ଠିଆ ହୋଇଥିବା ଲିଲି ବର୍ଷା ଯୋଗୁଁ ଭିଜିଗଲା ଓ ମଥା ଓ ଆକ୍ଷି ପତାରୁ ପାଣି ପୋଛି ହୋଇ ଆଡେଇ ଯିବା ବେଳକୁ ମାଣିକ କହିଲା,   ‘ଲିଲି ସେଠାରେ ଠିଆ ହୋଇ ରୁହ’, ଝର୍କା ପାଖରେ, ବିଲକୁଲ ଏମିତି . ପାଣି ବୁନ୍ଦାକୁ ପୋଛ ନାହିଁ . ଲିଲି ତୁମର ଏ ଝରା ଭିଜି ଯାଇ କେତେ ସୁନ୍ଦର ଲାଗୁଛି .

          ଲିଲି ଚୁପଚାପ୍ ଲାଜରା ହୋଇ  କେତେବେଳେ ଝର୍କା ବାହାରକୁ , କେତେବେଳେ ମାଣିକ ଆଡକୁ ଚାହିଁ ବର୍ଷାରେ ଠିଆ ହୋଇ ରହିଲା . ଯେତେବେଳେ ବିଜୁଳି ଚମକୁଥିଲା ତ ଏମିତି ଲାଗୁଥିଲ, ଯେମିତି ଆଲୋକର ଝରଣାରେ କମ୍ପି କମ୍ପି ଥିବା ନୀଳ ପଦ୍ମ . ପ୍ରଥମେ କପାଳ ଭିଜିଲା –  ଲିଲି ପଚାରିଲା, ‘ଘୁଞ୍ଚିବା? ’ ମାଣିକ କହିଲା, ‘ନା !’ କପାଳରୁ ପାଣି ବେକ ପାଖକୁ ଆସିଲା, ପାଣି ଟୋପା ତାଳରେ  ଗଳାରେ ପଡିଥିବା ସୁନା ମଟରମାଳାକୁ ଚୁମି ତଳକୁ ବହିବାରେ ଲାଗିଲା . ସେ ଶିହରୀ ଉଠିଲା . ‘ଥଣ୍ଡା ଲାଗୁଛି ? ’ ମାଣିକ ପଚାରିଲା . ଏକ ଅଦ୍ଭୁତ ଆତ୍ମ ସମର୍ପଣ ସ୍ୱରରେ ଲିଲି କହିଲା, ‘ନାଁ, ଥଣ୍ଡା ଲାଗୁନାହିଁ . କିନ୍ତୁ ତୁମେ ବଡ ପାଗଳ ଅଟ .’

          ‘ପାଗଳ ତ ନୁହେଁ, କେବେକେବେ ହୋଇଯାଏ ! ଲିଲି ଗୋଟିଏ ଇଂରାଜୀ କବିତା ଅଛି – ‘A lily girl not made for this world’s pain !’ ଏକ ଫୁଲ ଭଳି ଝିଅ ଦୁନିଆଁର ଦୁଃଖ କଷ୍ଟ ପାଇଁ ସୃଷ୍ଟି ହୋଇ
ନାହିଁ .  ଲିଲି ଏ କବି ତୁମକୁ ଜାଣିଥିଲା କି ?  ତୁମର ନାଁ ମଧ୍ୟ ଲେଖି ଦେଇଛି .’

          “ହୁଁ . ଆମକୁ ତ ଜାଣିଥିଲା ନିଶ୍ଚୟ . ତୁମକୁ ବି ପ୍ରତିଦିନ ଏକ ନୂଆ କଥା ମନକୁ ଆସୁଛି . ”

          “ନା ! ଦେଖୁନା ସେ ଏହା ମଧ୍ୟ ଲେଖିଛି – ‘And longing eyes half weld with slumbers tears, like bluest waters’ shown through mists of rain’ –ଲାଳସା ଭରା ଆକ୍ଷି, ନିଦୁଆ ନିଦୁଆ, ଲୁହ ଦ୍ୱାରା ଆଛାଦିତ, ଯେପରି ପାଣିର ବର୍ଷାରେ ଧୁଆଁ ଧୁଆଁ  ଦେଖା ଯାଉଥିବା ନୀଳ ପୋଖରୀ .....”

          ହଠାତ୍ ଦୂରରେ କେଉଁଠି ଶବ୍ଦ କରି ଜୋରରେ ବିଜୁଳି ମାରିଲା ଓ ଲିଲି ଚମକି କରି ଦୌଡିଲା ଓ ହୋସ୍ ହରେଇ ମାଣିକ ପାଖରେ ଆସି ପଡିଲା . ଦୁଇ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜୁଳିର ହୃଦୟଥରା ଶବ୍ଦ ଗୁଞ୍ଜରିତ ହେଲା ଓ ଲିଲି ଶଙ୍କିତ ହୋଇଥିବା ଶାରୀ ଭଳି ମାଣିକର ବାହୁ ଘେରରେ ଠିଆ ହୋଇ ରହିଥିଲା . ତା ପରେ ସେ ଆକ୍ଷି ଖୋଲିଲା ଓ ଲଇଁ ପଡି ମାଣିକର ପାଦ ଉପରେ ଦୁଇ ନରମ ଓଠକୁ ରଖିଦେଲା, ମାଣିକର ଆକ୍ଷିକୁ ଲୁହ ଚାଲି ଆସିଲା . ବାହାରେ ବର୍ଷା କମି ଯାଇଥିଲା . କେବଳ ବାରଣ୍ଡାରୁ, ଖପରୁଲିରୁ ଟପଟପ କରି ଟୋପା ପଡୁଥିଲା . ହାଲୁକା ହାଲୁକା ମେଘ ଅନ୍ଧାରରେ ଉଡି ଯାଉଥିଲା .

          ସକାଳେ ଲିଲି ଉଠିଲା – କିନ୍ତୁ ନା, ଉଠିଲା ନାହିଁ – ଲିଲିକୁ ରାତି ସାରା ନିଦ ହିଁ ଆସି ନ ଥିଲା . ସେ ଜାଣିନି, କେବେ ମାଆ ତାକୁ ଖାଇବା ପାଇଁ ଉଠେଇଥିଲେ, ସେ କେବେ ମନା କରିଥିଲା, କେବେ ଆଉ କିଏ ତାକୁ ଖଟ ଉପରେ ଶୁଏଇଥିଲେ – ତାକୁ କେବଳ ଏତିକି ମନେ ଥିଲା ଯେ ରାତି ସାରା ଜାଣେନା କାହାର ପାଦ ଉପରେ ମଥା ରଖି ସେ କାନ୍ଦି ଚାଲିଥିଲା . ତକିଆ ଲୁହରେ ଭିଜି ଯାଇଥିଲା , ଆକ୍ଷି ଫୁଲି ଯାଇଥିଲା .

          କମ୍ମୋ ସକାଳେ ଆସି ଯାଇଥିଲା . ଆଜି ଲିଲିକୁ ଗହଣା ପିନ୍ଧା ଯିବାର ଥିଲା, ସନ୍ଧ୍ୟା ସାତଟାରେ ଲୋକ ଆସିବାର ଥିଲା, ଶାଶୁ ତ ନଥିଲେ, ଶ୍ୱଶୁର ଆସିବାର ଥିଲା ଓ କମ୍ମୋ, ଯିଏକି ଲିଲିର ଘନିଷ୍ଠ ବନ୍ଧୁ ଥିଲା, ତା ଉପରେ ସେ ଘରକୁ ସଜେଇବାର ଓ ଲିଲି କମ୍ମୋର କାନ୍ଧ ଉପରେ ମଥା ରଖି ଏତେ କାନ୍ଦିଥିଲା ଯେ, ପଚାର ନାହିଁ .

          କମ୍ମୋ ବହୁତ ବାସ୍ତବବାଦୀ ଓ ଭାବଶୂନ୍ୟ ଝିଅ ଥିଲା . ସେ ବହୁତ ସାଙ୍ଗଙ୍କର ବାହାଘର ହେବାର ଦେଖିଥିଲା . କିନ୍ତୁ ଲିଲି ଭଳି ବିନା କାରଣରେ ଆତୁର ହୋଇ କାନ୍ଦିବା କାହାକୁ ଦେଖି ନ ଥିଲା . ଯେତେବେଳେ ବିଦା ହେବ, ସେତେବେଳେ ତ କାନ୍ଦିବା ଠିକ୍ ଅଛି, ନ ହେଲେ ଚାରି ଜଣ ବଡ ବୁଢୀ କହିବେ ଯେ ଦେଖ ! ଆଜି କାଲିର ଝିଅମାନେ ଲାଜ ସରମ ହିଁ ଧୋଇ ପିଇ ଯାଇଛନ୍ତି . କେମିତି ଓଟ ଭଳି ବେକ ଉଠେଇ ଶାଶୁ ଘରକୁ ଚାଲି ଯାଉଛନ୍ତି . ଆଉ ଆମେମାନେ ଥିଲୁ ଯେ କାନ୍ଦି କାନ୍ଦି ସକାଳ ହୋଇଯାଉଥିଲା ଏବଂ ଯେତେବେଳେ
ହାତ – ପାଦ ଧରି ଭାଇ ପାଲିଙ୍କି ଭିତରକୁ ଠେଲି ଦେଉଥିଲା ତ ବସୁଥିଲୁ . ଆଉ ଇଏ ! ଇତ୍ୟାଦି........

          କିନ୍ତୁ ଏଭଳି କାନ୍ଦିବାରେ ଲାଭ କଣ, ପୁଣି ସେତେବେଳେ, ଯେତେବେଳେ ମାଆ କିମ୍ବା ଅନ୍ୟ କେହି ସାମ୍ନାରେ ନଥିବେ . ସାମ୍ନାରେ କାନ୍ଦିଲେ କିଛି କଥା ଅଛି . ବସ୍ତୁତଃ କମ୍ମୋ ବିଗିଡି ଯାଉଥିଲା ଓ ଲିଲିର ଲୁହ ବନ୍ଦ ହିଁ ହେଉ
ନ ଥିଲା .

          କମ୍ମୋ ବହୁତ ଜଲଦି କାମ ସାରିଦେଲା, କିନ୍ତୁ ସେ ଘରେ କହି ଆସିଥିଲା ଯେ ଏବେ ଦିନସାରା ସେଠି ରହିବ . କମ୍ମୋ ହେଲା ବୁଲାବୁଲି କରୁଥିବା କାମିକା ଝିଅ . ତାକୁ ଖିଆଲ ଆସିଲା ଯେ, ତାକୁ ଏଲନଗଞ୍ଜ ଯିବାର ଅଛି, ଆଉ ପୁଣି ତାକୁ କ୍ଷଣେ ବି ଶାନ୍ତି ମିଳିଲା ନାହିଁ . ସେ ଲିଲିର ମାଆକୁ ପଚାରିଲା, ଜଲଦି ଜଲଦି ଲିଲିକୁ ମାରିପିଟି ଜବରଦସ୍ତ୍ ସଜ କଲା ଓ ଦୁଇ ବନ୍ଧୁ ବାହାରି ଗଲେ .

          ମେଘ ଢାଙ୍କି ରହିଥିଲା ଓ ବହୁତ ସୁନ୍ଦର ପରିବେଶ ଥିଲା . ରାସ୍ତା ଉପରେ ଜାଗା ଜାଗାରେ ପାଣି ଜମି ରହିଥିଲା, ଯେଉଁଠାରେ କି ପକ୍ଷୀମାନେ ଗାଧୋଉଥିଲେ . ଏଲନଗଞ୍ଜରେ ନିଜ କାମ ସାରି ଦୁହେଁ ଚାଲିଚାଲି ବୁଲିଲେ . ଆଗରେ କିଛି ଦୂରରେ ବନ୍ଧ ଥିଲା, ଯାହାର ତଳେ ଏକ ପୁରାତନ ରେଳ ଲାଇନ୍ ଯାଇଥିଲା, ଯାହାକି ଏବେ ବନ୍ଦ ହୋଇଯାଇଥିଲା . ଲାଇନ୍ ମଝିରେ ଘାସ ବଢି ଯାଇଥିଲା  ଓ ବର୍ଷା ପରେ ଘାସରେ ଲାଲ ହୀରା ଭଳି ଚକମକ କରୁଥିବା ସାଧବବୋହୁ ରଙ୍ଗେଇଥିଲେ . ଦୁଇ ବାନ୍ଧବୀ ସେଠାରେ ବସିଗଲେ – ଗୋଟିଏ ସାଧବବୋହୁ ରହି ରହି କରି ସେହି ଜଙ୍କ୍ ଖାଇଥିବା ଲୁହାର ଲାଇନକୁ ପାରି ହେବାର ଚେଷ୍ଟା କରୁଥିଲା ଓ ବାରମ୍ବାର ଖସି ପଡି ଯାଉଥିଲା . ଲିଲି କିଛି ସମୟ ତାକୁ ଚାହିଁ ରହିଲା, ଆଉ ବହୁତ ଉଦାସ ହୋଇ କମ୍ମୋକୁ କହିଲା, ‘କମ୍ମୋ ରାଣୀ ! ଏବେ ସେହି ପିଞ୍ଜରାରୁ ଆଉ ମୁକ୍ତି ନାହିଁ, କେଉଁଠି ଏ ବୁଲାବୁଲି, କେଉଁଠି ତୁ .’ କମ୍ମୋ, ଯିଏକି ଗୋଟିଏ ଘାସକୁ ଚୋବାଉଥିଲା, ରାଗି ଯାଇ କହିଲା,  ‘ଦେଖ ଲିଲି ଘୋଡୀ ! ମୋ ସାମ୍ନାରେ ଏ ଲୁହ ଗଡେଇବାରେ କିଛି ଲାଭ ନାହିଁ . ବୁଝିଲୁ . ମତେ ଏହି ସବୁ ପିଲାଳିଆମୀ ଭଲ ଲାଗୁ ନାହିଁ. ଦୁନିଆଁର ସବୁ ଝିଅ ତ ଜନ୍ମ ହୋଇ ବିବାହ କରନ୍ତି, ଜଣେ ତୁ ସ୍ୱତନ୍ତ୍ର ଜନ୍ମ ହୋଇଛୁ କି ? ପୁଣି ବାହାଘର ପୂର୍ବରୁ ସବୁ ଏହା କହନ୍ତି, ବାହାଘର ପରେ ଭୁଲି ବି ଯିବୁ ଯେ ବଦମାସ କମ୍ମୋ କେଉଁ କ୍ଷେତର ମୂଳା ଥିଲା. ’

          ଲିଲି କିଛି କହିଲା ନାହିଁ . ବ୍ୟଙ୍ଗ କରି ହସି ଦେଲା କେବଳ. ଦୁଇ ବାନ୍ଧବୀ ଆଗେଇ ଚାଲିଲେ . ଆସ୍ତେ ଆସ୍ତେ ଲିଲି ସାଧବବୋହୁ ଗୋଟେଇବାରେ ଲାଗିଲା . ହଠାତ୍ କମ୍ମୋ ତାକୁ ଗୋଟେ ବୁଦା ପାଖରେ ପଡିଥିବା ସାପର କାତି ଦେଖେଇଲା, ତାପରେ ଦୁହେଁ ଗୋଟିଏ ବହୁତ ବଡ ପିଜୁଳି ବଗିଚା ପାଖକୁ ଆସିଲେ ଓ ଦୁଇ ଓଦା ପିଜୁଳି ତୋଳିକରି ଖାଇଲେ, ଯାହା ବହୁତ କଷା ଥିଲା ଏବଂ ଶେଷରେ ପୁରୁଣା କବର ଓ କ୍ଷେତ ବାଟ ହୋଇ ସେମାନେ ଗୋଟିଏ ବହୁତ ବଡ ପୋଖରୀ ପାଖକୁ ଆସିଲେ, ଯେଉଁଠି କି ଧୋବାମାନଙ୍କହ ପଥର ଲାଗିଥିଲା . ସାପକାତି, ସାଧବବୋହୁ, ପିଜୁଳି ଓ ସବୁଜ କ୍ଷେତ ଲିଲିର ମନକୁ ଏକ ଅଦ୍ଭୁତ ପ୍ରକାର ରକ୍ଷା ଦେଲା ଓ କାନ୍ଦି କାନ୍ଦି ଥକି ଯାଇଥିବା ମନ ତାର ଉଲ୍ଲାସର କଡ ଲେଉଟେଇଲା . ସେ ଚପଲ୍ ବାହାର କରିଦେଲା ଓ ଓଦା ଘାସ ଉପରେ ଚାଲିବାରେ ଲାଗିଲା . କିଛି ସମୟ ମଧ୍ୟରେ ଲିଲି ଅନ୍ୟ ଲିଲି ହୋଇଯାଇଥିଲା, ହସର ତରଙ୍ଗରେ ସୂର୍ଯ୍ୟ କିରଣ ଭଳି ଝଲମଲ ହେଉଥିବା ଏବଂ ସନ୍ଧ୍ୟା ପାଞ୍ଚଟାରେ ଯେତେବେଳେ ଦୁହେଁ ଘରକୁ ଫେରିଲେ, ତାର ଉଛୁଳା ହସରେ ପୁରା ମହଲା ଥରି ଉଠିଲା ଓ ଲିଲିକୁ ବହୁତ ଜୋରରେ ଭୋକ ଲାଗୁଥିଲା .

          ଦିନ ସାରା ବୁଲିବା ଦ୍ୱାରା ଲିଲିକୁ ଏତେ ଜୋରରେ ଭୋକ ଲାଗୁଥିଲା ଯେ ସେ ଆସିବା ମାତ୍ରେ ମାଆଙ୍କୁ ଜଳଖିଆ ମାଗିଲା ଓ ଯେତେବେଳେ ନିଜେ ନିଜେ ଆଲମୀରାରୁ ବାହାର କଲା, ତ ମାଆ ତାକୁ ଅଟକେଇଦେଇ କହିଲେ ନିଜେ ଖାଇଯିବୁ, ତ ତୋର ଶ୍ୱଶୁର କଣ ଖାଇବେ ? ସିଏ ହସିକରି କହିଲା, ‘ଆରେ ମୁଁ ତାଙ୍କୁ ବଳକା ବଳକି ନିଜ ହାତରେ ଖୁଏଇ ଦେବି, ପ୍ରଥମେ ଚାଖିଦିଏ, ନହେଲେ ପରେ ବଦନାମୀ ହେବ . ’ ଏ ସମୟରେ ଜଣା ପଡିଲା, ସେହି ଲୋକମାନେ ଆସିଗଲେଣି, ତ ଜଲଦି ସେ ଜଳଖିଆ ଅଧା ଛାଡି ଭିତରକୁ ଚାଲିଗଲା . କମ୍ମୋ ତାକୁ ଶାଢୀ ପିନ୍ଧେଇଲା, ତାକୁ ସଜେଇଲା, କିନ୍ତୁ ତାକୁ ଏତେ ଜୋରରେ ଭୋକ ଲାଗୁଥିଲା ଯେ ସେହି ଲୋକ ସାମ୍ନାକୁ ଯିବା ପୂର୍ବରୁ ପୁଣି ବସିଯାଇ ଖାଇବାରେ ଲାଗିଲା . ଏପରିକ କମ୍ମୋ ଜବରଦସ୍ତ ତା ସାମ୍ନାରୁ ଖାଇବା ଥାଳି ହଟେଇଦେଲା ଓ ତାକୁ ଟାଣି ନେଇଗଲା .

          ଦିନସାରା ଖୋଲା ପବନରେ ବୁଲିବା ଦ୍ୱାରା ଓ ପେଟ ଭରି ଖାଇବା ଦ୍ୱାରା ସକାଳେ ଲିଲିର ମୁହଁ ଉପରେ ଉଦାସ ପଣ ଛାଇ ରହିଥିଲା, ତାହା ବିଲକୁଲ ଗାଏବ ହୋଇ ଯାଇଥିଲା ଓ ସେମାନଙ୍କୁ ଝିଅ ପସନ୍ଦ ଆସିଲା ଓ ପୂର୍ବ ଦିନ ସନ୍ଧ୍ୟାରେ ତା ଜୀବନରେ ଯେଉଁ ଭୂକମ୍ପ ଆସିଥିଲା, ପରଦିନ ସନ୍ଧ୍ୟାରେ ତାହା ଶାନ୍ତ ହୋଇଗଲା .

          ଏହା କହି ମାଣିକ ମୁଲ୍ଲା କହିଲେ, ଆଉ ପ୍ରିୟ ବନ୍ଧୁଗଣ ! ତୁମେମାନେ ଦେଖିଲ . ଖୋଲା ପବନରେ ବୁଲି ଓ ସୂର୍ଯ୍ୟାସ୍ତ ପୂର୍ବରୁ ଖାଦ୍ୟ ଖାଇବା ଦ୍ୱାରା ସମସ୍ତ ଶାରୀରିକ ଓ ମାନସିକ ବ୍ୟାଧି ଶାନ୍ତ ହୋଇଯାଏ . ଏଣୁ ଏଥିରୁ କଣ ଫଳାଫଳ ବାହାରିଲା ?

          ‘ଖାଅ ! ଶରୀର ଗଢ .’ ଆମେ ସବୁ ତାଙ୍କ କୋଠରୀରେ ଟଙ୍ଗା ହୋଇଥିବା ଫୋଟ ଆଡକୁ ଦେଖି ଦେଖି ଏକ ସ୍ୱରରେ କହିଲୁ . ‘କିନ୍ତୁ ମାଣିକ ମୁଲ୍ଲା !’ ଓଁକାର ପଚାରିଲା, ଆପଣ ଏହା କହିଲେ ନାହିଁ ଯେ ଝିଅକୁ ଆପଣ କେମିତି ଜାଣିଥିଲେ, କାହିଁକି ଜାଣିଥିଲେ, ସେ ଝିଅ କିଏ ?

          ‘ଆଛା . ଆପଣମାନେ ଚାହାନ୍ତି ଯେ, ମୁଁ କାହାଣୀର ଘଟଣା କାଳ ଚବିଶି ଘଣ୍ଟା ରଖିବି ଓ ସେଥରେ ସାରା ମହାଭାରତ ଓ ଜ୍ଞାନକୋଷ ବି କହିବି . ମୁଁ କେମିତି ଜାଣିଥିଲି, ସେଥିରେ ଆପଣଙ୍କର କଣ ମତଲବ? ହଁ ଏହା ମୁଁ ଆପଣମାନଙ୍କୁ କହିଦିଏ ଯେ ଏ ଲୀଳା ସେହି ଝିଅ ଥିଲା, ଯାହାର ବାହାଘର ତନ୍ନା ସହ ହୋଇଥିଲା ଓ ସେହି ସନ୍ଧ୍ୟାରେ ମହେସର ଦଲାଲ ତାକୁ ଦେଖିବାକୁ ଆସିବାର ଥିଲା . ’

ପଞ୍ଚମ ଦ୍ୱିପହର

କଳା ବେଣ୍ଟ ଥିବା ଚାକୁ

          ତା ପରଦିନ ଦି ପହରେ ଯେତେବେଳେ ସବୁ ଲୋକ ଏକାଠି ହେଲେ ସେତେବେଳେ ଆମମାନଙ୍କର ଏକ ଅଦ୍ଭୁତ ପ୍ରକାର ମନସ୍ଥିତି ଥିଲା . ଆମେ ସବୁ ଏହି ରଙ୍ଗୀନ୍ ପ୍ରୀତି ଭରା ପ୍ରେମ ପ୍ରତି ଆମର ମୋହ ଭାଙ୍ଗି ପାରୁ ନଥିଲୁ ଏବଂ ଦ୍ୱିତୀୟ ଦିଗରେ ଏଥିପାଇଁ ହସ ବି ଲାଗୁଥିଲା . ତୃତୀୟତଃ ଏକ ଅଦ୍ଭୁତ ପ୍ରକାର ଗ୍ଲାନି ଥିଲା ନିଜ ମନରେ ଯେ ଆମେ ସବୁ ଓ ଆମ ସମସ୍ତଙ୍କର ଏହି କିଶୋରାବସ୍ଥାର ସ୍ୱପ୍ନ କେତେ ସାରହୀନ ଅଟେ ଏବଂ ଏହି ସବୁ ଭାବନାଗୁଡିକର ସଙ୍ଘର୍ଷ ଆମକୁ ଏକ ଅଦ୍ଭୁତ ପ୍ରକାର କୁଣ୍ଠାବୋଧ ଏବଂ ପ୍ରିୟ ଭାବ          - ଆହୁରି ଏହାକୁ ଲଜ୍ଜିତ ହେବା କହିବା ଠିକ୍ ହେବ -  ସ୍ଥିତିରେ ଛାଡି ଯାଇଥିଲା . କିନ୍ତୁ ମାଣିକ ମୁଲ୍ଲା ନିର୍ନ୍ଦ୍ୱନ୍ଦ ଭାବରେ ପ୍ରସନ୍ନ ଚିତ୍ତରେ ଆମମାନଙ୍କୁ ହସି ହସି କଥା କହି ଚାଲିଥିଲା ଏବଂ ଆଲମାରୀ ତଥା ମେଜ ଉପରୁ ଧୁଳି ଝାଡି ଚାଲିଥିଲା, ଯାହା କି ରାତିରେ ପବନ ଯୋଗୁଁ ଜମି ଯାଇଥିଲା ଏବଂ ଏପରି ଲାଗୁଥିଲା ଯେ ଯେପରିକି ମଣିଷ ପୁରୁଣା ମୋଜାକୁ ଅଳିଆ ଗଦାରେ ଫିଙ୍ଗି ଦିଏ, ସେପରି ନିଜର ସେହି ସମସ୍ତ ପ୍ରୀତି ଭରା ଭ୍ରମକୁ ସମସ୍ତ ମମତା ତ୍ୟାଗ କରି ଫିଙ୍ଗି ଦେଇଛି ଓ ଏପଟେ ବୁଲି କରି ଦେଖିବାର ବୁଲି ଦେଖିବାର ବି ମୋହ ରଖିନି .

          ହଠାତ୍ ମୁଁ ପଚାରିଲି, “ଏହି ଘଟଣାତ ଆପଣଙ୍କ ମନ ଉପରେ ଗଭୀର ପ୍ରଭାବ ପକେଇଥିବ?”

          ମୋର ଏହି ପ୍ରଶ୍ନ ଉପରେ ତାଙ୍କ ମୁହଁ ଉପରେ ଦୁଇ ଚାରିଟା କରୁଣ ରେଖା ପ୍ରକାଶ ପାଇଲା . କିନ୍ତୁ ସେ ବଡ ଚତୁରତାର ସହ ନିଜର ମନସ୍ଥିତିକୁ ଲୁଚେଇ କହିଲେ, “ମନୋବିଜ୍ଞାନୀଙ୍କ କହିବା ଅନୁଯାୟୀ ଛୋଟରୁ ଛୋଟ ଏବଂ ବଡରୁ ବଡ ଏପରି କେଉଁ ଘଟଣା ନାହିଁ ଯାହା ମଣିଷର ମନ ଉପରେ ଗଭୀର ଛାପ ଛାଡି
ନ ଥାଏ .”

          “ଅତି କମରେ ଯଦି ମୋ ଜୀବନରେ ହେବ, ତେବେ ମୋର ତ ସମସ୍ତ ଜୀବନ ଏକଦମ୍ ମରୁସ୍ଥଳୀ ହୋଇଯିବ . ବୋଧହୁଏ ଦୁନିଆଁର କୌଣସି ବସ୍ତୁ ମୋ ମନରେ କେବେ ରସର ସଞ୍ଚାର କରିପାରିବ ନାହିଁ . ” ମୁଁ କହିଲି .

          ମାଣିକ ମୁଲ୍ଲା ମୋ ଆଡକୁ ଦେଖି କରି ହସିଲେ, “ଏହାର ମାନେ ହେଲା ଯେ ତୁମେ ଏ ପର୍ଯ୍ୟନ୍ତ ନା ଜୀବନକୁ ଦେଖିଛ, ନା ଏ ପର୍ଯ୍ୟନ୍ତ ଭଲ ଉପନ୍ୟାସ ପଢିଛ . ପ୍ରାୟତଃ ଏମିତି ହିଁ ହେଇଛି ଏବଂ ଏମିତି ହିଁ ଶୁଣାଯାଇଛି ମିତ୍ରବହ, ଯେ ଏପରି ପ୍ରକାର ନିଷ୍ଫଳ ଉପାସନା ପରେ ପୁଣି ଜୀବନରେ କୌଣସି ଦ୍ୱିତୀୟ ସ୍ତରର ଝିଅ ଆସେ, ଯିଏ କି ବୌଦ୍ଧିକ, ନୈତିକ ତଥା ଆର୍ଥିକ ଦୃଷ୍ଟିରେ ନିମ୍ନ ସ୍ତରର ଅଟେ, କିନ୍ତୁ ଯାହାଠାରେ ଅଧିକ ସଚ୍ଚୋଟତା, ଅଧିକ ଚରିତ୍ରବତ୍ତା, ଅଧିକ ଆନୁଗତ୍ୟତା ଏବଂ ଅଧିକ ବଳ ଥାଏ . ଉଦାହରଣ ରୂପେ ଶରତ ଚାଟ୍ଟାର୍ଜୀଙ୍କର ଦେବଦାସ ମୁଖାର୍ଜୀଙ୍କୁ ହିଁ ନିଅ . ପାରୋ ପରେ ତାଙ୍କୁ ଚନ୍ଦ୍ରା ମିଳିଲା . ଏହିପରି ଅନ୍ୟ କେତେକ ଉଦାହରଣ ଦିଆ ଯାଇପାରିବ . ମାଣିକ ମୁଲ୍ଲାକୁ ତୁମେ କଣ କମ୍ ବୋଲି ଭାବୁଛ କି ? ମାଣିକ ମୁଲ୍ଲା ଲିଲି ପରେ ଗାନ୍ଧାରୀ ଭଳି ନିଜ ଆକ୍ଷିରେ ପଟ୍ଟି ବାନ୍ଧି ଦେଇଥାନ୍ତା . କାରଣ ଲିଲି ପରେ ସତୀର ଆକର୍ଷଣ ମୋ ପାଇଁ ଶୁଭ ହେଲା ନାହିଁ ଏବଂ ନା ତା ପାଇଁ ମଧ୍ୟ . କିନ୍ତୁ ସେ ବିଲକୁଲ ଦ୍ୱିତୀୟ ପ୍ରକାର ଧାତୁର ଥିଲା . ଯମୁନା ଠାରୁ ବି ଅଲଗା . ତାର କାହାଣୀ ମଧ୍ୟ ବଡ ବିଚିତ୍ର........”

          ‘କିନ୍ତୁ ମୁଲ୍ଲା ଭାଇ! ଗୋଟେ କଥା ମୁଁ କହିବି, ଯଦି ତୁମେ ଖରାପ ନ ଭାବିବ ତେବେ- - - ’. ପ୍ରକାଶ କଥା କାଟିକରି କହିଲା, “ଏହି କାହାଣୀ ସବୁ ଯାହା ତୁମେ କହୁଛ, ବିଲକୁଲ ସିଧା ସାଦା ବିବରଣୀ ପରି ହୋଇଛି . ସେଥିରେ କିଛି କଥା ଚାତୁରୀ, କଟାକଟି, କିଛି ଟେକନିକ୍ ମଧ୍ୟ ରହିବା ଉଚିତ.”

          “ଟେକନିକ୍ ! ହଁ ଟେକନିକ୍ ଉପରେ ଅଧିକା ଗୁରୁତ୍ୱ ସିଏ ଦେଇଥାଏ, ଯିଏ କେଉଁଠି ନା କେଉଁଠି ଅପରିପକ୍ୱ ଅଟେ, ଯିଏ ଅଭ୍ୟାସ କରୁଥାଏ, ଯାହାକୁ ଉଚିତ ମାଧ୍ୟମ ମିଳିପାରିନାହିଁ . କିନ୍ତୁ ତଥାପି ବି ଟେକନିକ୍ ପ୍ରତି ଧ୍ୟାନ ଦେବା ବହୁତ ସୁସ୍ଥ ପ୍ରବୃତ୍ତି ଅଟେ, କିନ୍ତୁ ଏହା ଅନୁପାତରୁ ଅଧିକ ନ ହେଇ ଯାଉ . ଯେଉଁ ପର୍ଯ୍ୟନ୍ତ ମୋର କଥା ଅଛି, ମୋତେ ତ କାହାଣୀ କହିବାର ଦୃଷ୍ଟିକୋଣରୁ ଫ୍ଲାବେୟର୍ ଓ ମୋପାସାଁ ବହୁତ ଭଲ ଲାଗନ୍ତି, କାରଣ ସେମାନଙ୍କଠାରେ ପାଠକକୁ ନିଜ ଯାଦୁରେ ବାନ୍ଧି ନେବା ଭଳି ଶକ୍ତି ଅଛି . ଯଦିଓ ତାଙ୍କ ପରେ ଚେକଭ୍ କାହାଣୀ କ୍ଷେତ୍ରରେ ବିଚିତ୍ର ବ୍ୟକ୍ତି ଅଟନ୍ତି ଆଉ ମୁଁ ତାଙ୍କର ଶକ୍ତିକୁ ମାନୁଛି .” ଚେକଭ୍ ଥରେ କୌଣସି ମହିଳାଙ୍କୁ କହିଥିଲେ “କାହାଣୀ କହିବା କଠିନ କଥା ନୁହେଁ . ଆପଣ ଯେ କୌଣସି ଜିନିଷ ମୋ ସାମ୍ନାରେ ରଖିଦିଅନ୍ତୁ, ଏହି କାଚର ଗ୍ଲାସ୍, ଏହି ଆସ୍ – ଟ୍ରେ ଏବଂ କହିଲେ ମୁଁ ଏହା ଉପରେ କାହାଣୀ କହିବି . କିଛି କ୍ଷଣ ମଧ୍ୟରେ ମୋର କଳ୍ପନା ଜାଗୃତ ହୋଇଯିବ ଏବଂ ତାହା ସହିତ ସମ୍ବନ୍ଧିତ କେତେ ଲୋକଙ୍କର ଜୀବନ ମୋତେ ମନେ ପଡିଯିବ ଏବଂ ଏହି ବସ୍ତୁ କାହାଣୀର ସୁନ୍ଦର ବିଷୟ ହୋଇଯିବ .”

          ମୁଁ ବିରତିର ଲାଭ ଉଠେଇ ଜଲଦି ସେହି କଳା ବେଣ୍ଟ ବାଲା ଚାକୁ ତାଜା ଉପରୁ ଉଠେଇ ଆଣିଲି ଏବଂ ମଝିରେ ରଖି କହିଲି, “ଆଛା, ଏହାକୁ ସତୀର କାହାଣୀର କେନ୍ଦ୍ର ବିନ୍ଦୁ ବନାନ୍ତୁ .”

“ବନାନ୍ତୁ !” ମାଣିକ ମୁଲ୍ଲା ଗମ୍ଭୀର ହୋଇ କହିଲେ, “ଏହାତ କାହାଣୀର କେନ୍ଦ୍ରବିନ୍ଦୁ ହିଁ ଅଟେ . ଯେତେବେଳେ ମୁଁ ଏ ଚାକୁ ଦେଖୁଛି, ସେତେବେଳେ କଳ୍ପନା କରୁଛି ଯେ - - - ଏହାର କଳା ବେଣ୍ଟ ଉପରେ ବହୁତ ସୁନ୍ଦର ଫୁଲର ପାଖୁଡା ଭଳି ଗୋଲାପୀ ନଖ ଥିବା ଲମ୍ବା ପତଳା ଆଙ୍ଗୁଠି ସବୁ ଆବେଶରେ କମ୍ପୁ ଅଛନ୍ତି . ଗୋଟିଏ ଚେହେରା, ଯାହା ଆବେଶରେ ଆରକ୍ତ ଅଟେ, କିଛି ନିରାଶରେ ନୀଳ ଅଟେ ଏବଂ ଆଉ କିଛି ଡରରେ ବିବର୍ଣ୍ଣ ଅଟେ . ଏହା ସ୍ମୃତି ଚିହ୍ନ ଅଟେ ସତୀର, ଯେବେ ସିଏ ଶେଷ ଥର ମୋତେ ଦେଖା କରିଥିଲା ଏବଂ ମୁଁ ଆକ୍ଷି ଉଠେଇ ତା ଆଡକୁ ଦେଖି ମଧ୍ୟ ପାରୁ ନଥିଲି . ତା ହାତରେ ଏହି ଚାକୁ ଥିଲା .”

ଏହା ପରେ ସେ ସତୀର ଯେଉଁ କାହାଣୀ କହିଲେ, ତାହାକୁ ଟେକନିକ୍ ନ ପ୍ରୟୋଗ କରି ମୁଁ ସଂକ୍ଷେପରେ କହି ଦେଉଛି .

ମାଣିକ ମୁଲ୍ଲାଙ୍କର କହିବାର ଥିଲା ଯେ ସେ ଝିଅ ଭଲ ନୁହେଁ ବୋଲି କୁହା ଯାଇ ପାରିଥାନ୍ତା . କାରଣ ତାର ଚାଲିଚଳନିରେ ଏକ ଅଦ୍ଭୁତ ପ୍ରକାର ବିଳାସ ଝଲସୁ ଥିଲା, ଚାଲି ବହୁତ ଉଦ୍ଦୀପନା ପୂର୍ଣ୍ଣ ଥିଲା . ସେ ପ୍ରତ୍ୟେକ ଆସୁଥିବା – ଯାଉଥିବା, ପରିଚିତ – ଅପରିଚିତଙ୍କ ସହ କଥାବାର୍ତ୍ତା କରିବା ପାଇଁ ଉତ୍ସୁକ ରହୁଥିଲା, ଗଳିରେ ଚାଲିବା ବେଳେ ଗୁଣୁଗୁଣୋଉ ଥିଲା ଏବଂ ଅକାରଣରେ ଲୋକଙ୍କ ଆଡକୁ ଦେଖି ସ୍ମିତ ହାସ୍ୟ ଦେଉଥିଲା .

କିନ୍ତୁ ମାଣିକ ମୁଲ୍ଲାର କହିବାର ଥିଲା ଯେ ସେହି ଝିଅକୁ ଖରାପ ବି କୁହାଯାଇ ପାରିବ ନାହିଁ କାରଣ ତା ସମ୍ବନ୍ଧରେ କିଛି ଏପରି ଅପପ୍ରଚାର ନ ଥିଲା ଏବଂ ସବୁ ଲୋକ ଭଲ ଭାବରେ ଜାଣିଥିଲେ ଯେ ଯଦି କେହି ତା ଆଡକୁ ୟାଡୁ – ସ୍ୟାଡୁ ନଜରରେ ଦେଖିବ, ତେବେ ସେ ଆକ୍ଷି ତାଡି ଦେଇ ପାରିବ . ତା ଅଣ୍ଟାରେ ଗୋଟିଏ କଳା ବେଣ୍ଟର ଚାକୁ ସର୍ବଦା ରହୁଥିଲା .

ଲୋକମାନଙ୍କର କହିବାର ଥିଲା ଯେ ତାର କାକା, ଯାହା ପାଖରେ ସେ ରହୁଥିଲା, ସମ୍ପର୍କରେ ତାର କେହି ନୁହେଁ, ସେ ଅସଲରେ ଫତେପୁର ନିକଟରେ କୌଣସି ଏକ ଗାଁରେ ନାପିତ ଅଟେ, ଯିଏ କି ସଫରମୈନା ପଲଟନରେ ଭର୍ତ୍ତି ହୋଇ କ୍ୱେଟା ବେଲୁଚିସ୍ତାନ୍ ଆଡକୁ ଯାଇଥିଲା ଏବଂ ସେଠାରେ କୌଣସି ଏକ ଗାଁ ଧ୍ୱଂସ ହୋଇଯିବା ପରେ ଏହି ତିନି – ଚାରି ବର୍ଷର ବାଳିକା ତାକୁ କ୍ରନ୍ଦନ ଅବସ୍ଥାରେ ମିଳିଥିଲା ଯାହାକୁ ସେ ଉଠେଇ ଆଣିଲା ଏବଂ ପାଳନପୋଷଣ କଲା . ବହୁତ ଦିନ ପର୍ଯ୍ୟନ୍ତ ସେହି ଝିଅ ସେଠାରେ ହିଁ ଥିଲା ଏବଂ ଶେଷରେ ତାର ଗୋଟିଏ ହାତ କଟିଯିବା ପରେ ତାକୁ ପେନସନ୍ ମିଳିଗଲା ଏବଂ ସିଏ ଆସି ଏଠାରେ ରହିବାକୁ ଲାଗିଲା . ଗୋଟିଏ ହାତ କଟିଯିବା ଯୋଗୁଁ ସେ ତାର କୌଳିକ ବୃତ୍ତି ତ କରିପାରୁ ନଥିଲା .କିନ୍ତୁ ସେ ଏଠାକୁ ଆସି ସାବୁନ ତିଆରି କାମ ଆରମ୍ଭ କରି ଦେଇଥିଲା ଏବଂ ଚମନ୍ ଠାକୁରର ଚକଛାପ ସାବୁନ୍ ନା କେବଳ ସାହିରେ ବରଂ ଛକ ପର୍ଯ୍ୟନ୍ତ ଦୋକାନରେ ବିକା ଯାଉଥିଲା . ଯେହେତୁ ତାର ଗୋଟିଏ କଟା ଥିଲା, ତେଣୁ ଷୋହଳ – ସତର ବର୍ଷର ଅନିନ୍ଦ୍ୟ ସୁନ୍ଦରୀ ସତୀ ସାବୁନ୍ ଜମା କରୁଥିଲା, ତାହାର ଟୁକୁଡାକୁ ଜମା କରି କଳା ବେଣ୍ଟ ବାଲା ଚାକୁରେ କାଟୁଥିଲା, ସେଗୁଡିକ ଦୋକାନମାନଙ୍କରେ ପହଞ୍ଚାଉଥିଲା ଏବଂ ପ୍ରତି ପନ୍ଦର ଦିନ ଶେଷରେ ଯାଇ ତାହାର ଦାମ୍ ଅସୁଲ କରି ଆଣୁଥିଲା . ପ୍ରତ୍ୟେକ ଦୋକାନୀ ତାର ମୁଣ୍ଡରେ ବନ୍ଧାଥିବା ରଙ୍ଗବିରଙ୍ଗୀ ରୁମାଲ୍, ତାର ବଲୁଚୀ କୁର୍ତ୍ତା, ତାର ଚଉଡା ଧାର ଆଡକୁ ଦୃଷ୍ଟି ପକାଉଥିଲେ ଏବଂ ଅନ୍ୟ ସାବୁନ୍ ବଦଳରେ ଚକଛାପ ସାବୁନ୍ ଦୋକାନରେ ରଖୁଥିଲେ, ଗ୍ରାହକମାନଙ୍କୁ ତାର ଅନୁରୋଧ କରୁଥିଲେ ଏବଂ ସେମାନଙ୍କର ଏଇ ଇଛା ଥିଲା କି କେମିତି ହେଉ ସତୀକୁ ପନ୍ଦର ଦିନ ଶେଷରେ ଅଧିକରୁ ଅଧିକ ପଇସା ଦେଇପାରିବେ . ଚମନ ଠାକୁର କାରଖାନା ବାହାରେ ଖଟ ପକେଇ ନଡିଆର ହୁକ୍କା ପିଉଥିଲା ଏବଂ ସତୀ ଭିତରେ କାମ କରୁଥିଲା . ପରିଶ୍ରମ ସତୀର ମୁହଁରେ ଏକ ଏପରି ଗଠନ, ଚେହେରାରେ ଏକ ଏପରି ତେଜ, କଥାରେ ଏକ ଏପରି ଅଦମ୍ୟ ଆତ୍ମବିଶ୍ୱାସ ଜନ୍ମେଇ ଥିଲା ଯେ ଯେବେ ତାକୁ ମାଣିକ ମୁଲ୍ଲା ଦେଖିଲା, ତା ମନରେ ଲିଲିର ଅଭାବ ଅନେକ ଭାବରେ ଭରିଗଲା ଏବଂ ସତୀର ବ୍ୟକ୍ତିତ୍ୱରେ ମନ୍ତ୍ର ମୁଗ୍ଧ ହୋଇଗଲା .

ସତୀ ସହ ତାଙ୍କର ସାକ୍ଷାତ ଅଜବ ପ୍ରକାରେ ହୋଇଥିଲା . କାରଖାନା ବାହାରେ ଚମନ ଓ ସତୀ ମିଶିକରି ଗଙ୍ଗା ମହାଜନର ଦେଣା – ପାଉଣା ଯୋଡୁଥିଲେ . ଚମନ ଯାହା କିଛି ପଢି ଲେଖି ଜାଣିଥିଲା, ତାକୁ ଭୁଲି ଯାଇଥିଲା . ସତୀ କିଛି ପଢିଥିଲା, କିନ୍ତୁ ଏହ ହିସାବ ଅତି ଜଟିଳ ଥିଲା . ସେପଟେ ମାଣିକ ମୁଲ୍ଲା ଦହି ନେଇ ଘରକୁ ଯାଉଥିଲେ, ଆଉ ଦୁହିଁଙ୍କ ଭିତରେ ହିସାବ ଯୋଗୁଁ ଝଗଡା କରିବା ଦେଖିଲେ . ସତୀ ଯେବେ ମୁଣ୍ଡ ହଲାଉଥିଲା ତାର କାନଫୁଲ ଦୁଇଟି ଚମକି ଉଠୁଥିଲା ଏବଂ ଯଦି ହସୁଥିଲା, ମୋତି ଭଳି ଦାନ୍ତ ଚମକି ଯାଉଥିଲା, ଯଦି ବୁଲୁଥିଲା କାଞ୍ଚନ ଭଳି ଶରୀର ଝଲମଲ ହୋଇ ଉଠୁଥିଲା ଏବଂ ମଥାନତ କଲେ ନାଗୁଣୀ ଭଳି କୁନ୍ତଳ ଝୁଲି ଯାଉଥିଲା . ଏବେ ଯଦି ମାଣିକ ମୁଲ୍ଲାର ପାଦ ଭୂମି ଉପରେ ଲାଖି ରହଲା, ତେବେ ତାର ଦୋଷ କଣ ?

ଏପରି ସମୟରେ ଚମନ ଠାକୁର କହିଲା, “ଜୟରାମ ଭାଇ !”ଏବଂ ତାର କଟା ହୋଇଥିବା ଡାହାଣ ହାତ ଉଠେଇଲା, ପୁଣି ଲଟକି ଗଲା . ସତୀ ହସି କରି କହଲା, “ନିଅ ଟିକେ ହିସାବ କରିଦେଲ ମାଣିକ ବାବୁ !” ଏବଂ ମାଣିକ ବାବୁ ଭାଉଜଙ୍କ ପାଇଁ ଦହି ନେବାକୁ ଭୁଲି ଏତେ ଡେରୀ ପର୍ଯ୍ୟନ୍ତ ହିସାବରେ ଲାଗି ରହିଲେ ଯେ, ଭାଉଜ ଖୁବ୍ ଗାଳି ଦେଲେ . କିନ୍ତୁ ସେହି ଦିନ ଠାରୁ ପ୍ରାୟ ତାଙ୍କ ଜିମାରେ ସତୀର ହିସାବ କରିବା ଦାୟିତ୍ୱ ରହିଲା ଏବଂ ଗଣିତ ଶାସ୍ତ୍ରରେ ତାଙ୍କର ଯେମିତି ଇଛା ବଢିଗଲା, ତାହା ଦେଖିକରି ଆଶ୍ଚର୍ଯ୍ୟ ହେଉଥିଲେ . ଜଣାନାହିଁ ସତୀ କାହିଁକି ମାଣିକ ମୁଲ୍ଲାକୁ ନିଜ ବନ୍ଧୁମାନଙ୍କ ଗଣତିରେ ନେଲା . ଏକ ଏପରି ବନ୍ଧୁ ଯାହା ଉପରେ ପୂର୍ଣ୍ଣ ବିଶ୍ୱାସ କରାଯାଇପାରିବ .ଯାହା ପାଇଁ ପୁରା ଭରସା ଥିଲା ଯେ ସିଏ ସାବୁନର ତିଆରି ବିଧିକୁ ଅନ୍ୟ କମ୍ପାନୀକୁ କହି ଦେବ ନାହିଁ . ଯାହା ଉପରେ ସମସ୍ତ ହିସାବକୁ ଛାଡି ଦିଆ ଯାଇ ପାରିବ, ଯାହାଠାରୁ ଏହି ପରାମର୍ଶ ବି ନିଆ ଯାଇ ପାରିବ ଯେ ହରଧନ୍ ଷ୍ଟୋର୍ସକୁ ମାଲ ଦିଆ ଯାଇ ପାରିବ ନା ନାହିଁ ? ମାଣିକ ଆସିବ ମାତ୍ରେ ସତୀତ ସବୁ କାମ ଛାଡି ଉଠି ଆସୁଥିଲା, ଦରି ବିଛେଇ ଦେଉଥିଲା, ଜମା ହୋଇଥିବା ସାବୁନ୍ ଥାଳି ନେଇ ଆସୁଥିଲା ମାଣିକକୁ ଦିନ ସାରାର ଦୁଃଖ ସୁଖ ବଖାଣି ଯାଉଥିଲା . କେଉଁ ବଣିଆ ବେଇମାନି କଲା, କିଏ ସବୁଠାରୁ ଅଧିକ ସାବୁନ୍ ବିକିଲା, କେଉଁଠି ନୂଆ କିରାଣୀ ଦୋକାନ ଖୋଲିଲା, ଇତ୍ୟାଦି .

ମାଣିକ ମୁଲ୍ଲା ତା ପାଖରେ ବସି ଏକ ଅଦ୍ଭୁତ ପ୍ରକାର କଥା ଅନୁଭବ କରୁଥିଲେ . ଏହି ପରିଶ୍ରମ କରୁଥିବା ସ୍ୱାଧୀନ ଝିଆର ବ୍ୟକ୍ତତ୍ୱରେ କିଛି ଏପରେ ଥିଲା, ଯାହା ପଢାଲେଖା ଜାଣି ଥିବା ଭାବୁକ କଲିଲି ଠାରେ ଥିଲା ଏବଂ ନା ପଢାଲେଖା ଜାଣି ନ ଥିବା ଦମିତ ମନ ଥିବା ଯମୁନା ଠାରେ ଥିଲା . ଏହାଠାରେ ସହଜ ଓ ସୁସ୍ଥ ମମତା ଥିଲା, ଯିଏ କି ସହାନୁଭୂତି ଚାହୁଁଥିଲା ଓ ସହାନୁଭୂତି ଦେଉଥିଲା . ଯାହାର ମିତ୍ରତାର ଅର୍ଥ ଥିଲା ଜଣେ ଅନ୍ୟ ଜଣଙ୍କର ଦୁଃଖ – ସୁଖ, ଶ୍ରମ ଓ ଉଲ୍ଲାସରେ ହାତ ମିଳେଇବା. ତା ଠାରେ କେଉଁଠି ନା କେଉଁଠି କୌଣସି ଗଣ୍ଠି, କୌଣସି ଦ୍ୱିଧା,  କୌଣସି ଭୟ, କୌଣସି ଚାପ, କୌଣସି ଦୁର୍ବଳତା ନ ଥିଲା ; କୌଣସି ବନ୍ଧନ ନ ଥିଲା . ତାର ମନ ଖୋଲା ଖରା ଭଳି ସ୍ୱଚ୍ଛ ଥିଲା . ଯଦି ତାକୁ ଲିଲି ଭଳି ଟିକେ ଶିକ୍ଷା ମିଳି ଥାନ୍ତା ତ ବହୁତ ବଢିଆ ହୋଇଥାନ୍ତା . କିନ୍ତୁ ତଥାପି ବା ତା ଠାରେ ଯାହା କିଛି ଥିଲା, ତାହା ମାଣିକ ମୁଲ୍ଲାକୁ ଆକାଶର ସ୍ୱପ୍ନରେ ବିଚରଣ କରିବା ପାଇଁ ପ୍ରେରଣା ଦେଉ ନ ଥିଲା କି ତାଙ୍କୁ ବିକୃତି ଭରା ଅନ୍ଧାରୁଆ ଖାଲରେ ପକେଇ ଦେଉନଥିଲା . ସିଏ ତାଙ୍କୁ ପୃଥିବୀ ଉପରେ ସହଜ ମାନବୀୟ ଭାବନା ସହ ବଞ୍ଚିବାର ପ୍ରେରଣା ଦେଉଥିଲା . ସିଏ କିଛି ଏପରି ଭାବନା ଜାଗୃତ କରୁଥିଲା, ଯାହା ଏପରି କେହି ମିତ୍ର ଅବା ସଙ୍ଗିନୀ ଜାଗ୍ରତ କରାଇପାରେ, ଯିଏକି ସ୍ୱାଧୀନ ଅଟେ, ଯିଏ ସାହସୀ ଅଟେ, ଯିଏ ମଧ୍ୟବିତ୍ତ ମର୍ଯ୍ୟାଦାର ଦର୍ପଣ ପଛରେ ସଜେଇ ହୋଇ ରହିଥିବା କଣ୍ଢେଇ ଭଳି ନିର୍ଜୀବ ଓ ଫମ୍ପା ନୁହେଁ . ଯିଏ ସୃଜନୀ ଏ ଶ୍ରମରେ ସାମାଜିକ ଜୀବନରେ ଉଚିତ ଭାଗ ନେଉଥିବ, ନିଜର ଉଚିତ ଦେୟ ଦେଉଥିବ .

ମୋର ଏହି ମତଲବ ନଥିଲା ଯେ ମାଣିକ ମୁଲ୍ଲା ତା ପାଖରେ ବସି କରି ଏହା ସବୁ ଚିନ୍ତା କରୁଥିଲେ . ନା, ଏହି ସବୁ ତ ସେହି ପରିସ୍ଥିତିରେ ମୋ ନିଜର ବିଶ୍ଲେଷଣ ଅଟେ, ଏମିତିରେ ମାଣିକ ମୁଲ୍ଲାକୁ ତ ସେ କେବଳ ବହୁତ ଭଲ ଲାଗୁଥିଲା, ଏବଂ ସେହି ଦିନମାନଙ୍କରେ ମାଣିକ ମୁଲ୍ଲାର ମନ ପଢିବାରେ ବି ଆଉ କାମ କରିବାରେ ବି ଲାଗିଲା , ଆଉ ତାର ଓଜନ ବି ବଢିଗଲା ଏବଂ ତାକୁ ଭୋକ ବି ଲାଗିଲା . ସେ କଲେଜର ଖେଳରେ ବି ଭାଗ ନେବାରେ ଲାଗିଲେ .

ମାଣିକ ମୁଲ୍ଲା ଛେପ ଢୋକି ଏହା ବି ସ୍ୱୀକାର କଲେ ଯେ ତାଙ୍କ ମନରେ ସତୀ ପ୍ରତି ବହୁତ ଆକର୍ଷଣ ଜାଗୃତ ହୋଇଗଲା ଓ ପ୍ରାୟତଃ ସତୀର ହାତୀ ଦାନ୍ତ ଭଳି ବେକକୁ ଚୁମା ଦେଇ ତାର ଲମ୍ବା ଝୁଲୁଥିବା କାନଫୁଲକୁ ଦେଖି କରି ତାଙ୍କର ଓଠ କମ୍ପୁଥିଲା ଏବଂ ମୁଣ୍ଡର ଶୀରାରେ ଗରମ ରକ୍ତ ଜୋରରେ ଦୌଡୁଥିଲା . କିନ୍ତୁ ସବୁ ମିତ୍ରତା ସତ୍ତ୍ୱେ ସତୀର ବ୍ୟବହାରରେ ତାଙ୍କୁ ଯମୁନାର କୌଣସି କଥା ଦେଖାଗଲା ନାହିଁ . ମାଣିକର ଦୃଷ୍ଟି ଯେତେବେଳେ ତାର ଝୁଲୁଥିବା କାନ ଫୁଲ ଉପରେ ପଡୁଥିଲା, ଏବଂ ମୁଣ୍ଡ ଗରମ ହୋଇଯାଉଥିଲା, ସେତେବେଳେ ତାର ଦୃଷ୍ଟି ସତୀର ଅଣ୍ଟାରେ ଝୁଲୁଥିବା ଚାକୁ ଉପେର ବି ପଡୁଥିଲା, ଆଉ ମୁଣ୍ଡ ପୁଣି ଥଣ୍ଡା ହୋଇଯାଉଥିଲା . କାରଣ ସତୀ ତାକୁ କହି ସାରିଥିଲା ଯେ ଏକଦା ସାବୁନର ଖଣ୍ଡ ରଖୁ ରଖୁ କହିଲା, “ସାବୁନ କଣ, ମୁଁ ସାବୁନବାଲିକୁ ବି ଦୋକାନରେ ରଖି ନେବି ,” ତ ସତୀ ସାଙ୍ଗେ ସାଙ୍କେ ଚାକୁ ଖୋଲି କହିଲା, “ମୋତେ ନିଜ ଦୋକାନରେ ରଖ୍, ଆଉ ଏ ଚାକୁକୁ ନିଜ ଛାତିରେ ରଖ, ବଦମାସ୍ !”ସେଠ୍ ସତୀର ପାଦ ଛୁଇଁ ରାଣ ଖାଇଲା ଯେ ସେ ଥଟ୍ଟା କରୁଥିଲା, ନ ହେଲେ ସିଏ ତ ନିଜର ପ୍ରଥମ ସେଠାଣୀକୁ ରଖି ପାରି ନଥିଲା . ସିଏ ଦରୱାନ୍ ସାଥିରେ ଚାଲି ଯାଇଥିଲା, ଏବେ ଭଲା ସତୀକୁ କଣ ରଖିବ !

ଏହି ଘଟଣାକୁ ମନେ ପକାଇ ମାଣିକ ମୁଲ୍ଲା କେବେ ହେଲେ କିଛି କହୁ ନ ଥିଲେ, କିନ୍ତୁ ମନେ ମନେ ଏକ ଅବ୍ୟକ୍ତ କରୁଣା ଉଦାସ ଭାବ ତାଙ୍କ ଆତ୍ମାକୁ ଛାଇ ରହିଥିଲା ଏବଂ ସେହି ଦିନମାନଙ୍କରେ ସେ କିଛି କବିତା ବି ଲେଖିବାରେ ଲାଗିଥିଲେ, ଯାହା ବହୁତ କରୁଣ ବିରହ ଗୀତ ହୋଇଥିଲା, ଯେଉଁଥିରେ କଳ୍ପନା କରି ନେଉଥିଲେ ଯେ ସତୀ ତାଙ୍କ ଠାରୁ ଦୂରେଇ କୁଆଡେ ଚାଲି ଯାଇଛି ଏବଂ ସେ ସତୀକୁ ବିଶ୍ୱାସ ଦେଉଥିଲେ କି ପ୍ରିୟତମା ! ତୁମର ପ୍ରଣଯର ସ୍ୱପ୍ନ ମୋ ହୃଦୟରେ ବଢୁଛି ଏବଂ ସର୍ବଦା ବଢି ଚାଲିବ . କେବେ କେବେ ସେ ବହୁତ ବ୍ୟାକୁଳ ହୋଇ ଲେଖୁଥିଲେ, ଯାହାର ଭାବାର୍ଥ ଥିଲା, ଯେ ମେଘର ଛାଇରେ ଏବେ ମୁଁ ତୃଷିତ ରହିପାରିବି ନାହିଁ, ଇତ୍ୟାଦି . ସାରାଂଶ ଏହା ଯେ ସେ ଯାହା କିଛି ସତୀକୁ କହି ପାରୁ ନଥିଲେ ସେସବୁକୁ ଗୀତରେ ବନ୍ଦୀ କରି ଦେଉଥିଲେ . କିନ୍ତୁ ଯେବେ ବି ସତୀର ସାମ୍ନାରେ ସେ ତାହାକୁ ଗୁଣୁଗୁଣେଇବାର ଚେଷ୍ଟା କରୁଥିଲେ, ସତୀ ହସି ହସି ଆକତା ମାକତା ହୋଇ ଯାଉଥିଲା ଓ କହୁଥିଲା, ତୁମେ ବାହାଘର ଗୀତ ଶୁଣିଛ ? ସାଞ୍ଝୀ ଶୁଣିଛ ? ଏବଂ ସେତେବେଳେ ସ ମହଲାରେ ଗାନ କରାଯାଉଥିବା ଗୀତକୁ ଏତେ ଦରଦ ଭରା ଆୱାଜରେ ଗାଉ ଥିଲା ଯେ ମାଣିକ ମୁଲ୍ଲା ଭାବ ବିଭୋର ହୋଇ ଉଠୁଥିଲେ ଏବଂ ନିଜର ଗୀତ ତାଙ୍କୁ କୃତ୍ରିମ ଓ ଶବ୍ଦାଡମ୍ବର ପୂର୍ଣ୍ଣ ଲାଗୁଥିଲା . ଏପରି ଥିଲା ସତୀ ସର୍ବଦା ନିକଟ, ସର୍ବଦା ଦୂର, ନିଜ ଭିତରେ ଏକ ସ୍ୱତନ୍ତ୍ର ସତ୍ତା , ଯାହା ସହିତ ମାଣିକ ମୁଲ୍ଲାର ମନକୁ ସନ୍ତୋଷ ବି ମିଳୁଥିଲା . ଆଉ ଆକୁଳତା ମଧ୍ୟ .

କେବେ କେବେ ସେ ଭାବୁଥିଲେ ଯେ ନିଜର ଭାବନାକୁ ପତ୍ର ମାଧ୍ୟମରେ ଲେଖିଦେବେ ଓ ସେ କେବେ କେବେ ବହୁତ ଲମ୍ବା ଲମ୍ବା ଓ ବହୁତ ମଧୁର ଚିଠି ଲେଖୁଥିଲେ, ଏପରିକ ଯଦି ସେ ଛୁଆ ହୋଇଥାନ୍ତେ, ତେବେ ତାଙ୍କର ତୁଳନା ନେପୋଲିଅନ୍ ଓ ସିଜରଙ୍କ ପ୍ରେମ ପତ୍ର ସହିତ କରାଯାଇଥାନ୍ତା, କିନ୍ତୁ ଯେତେବେଳେ ‘ଆତ୍ମାର ଜ୍ୟୋତି’ – ‘ଚନ୍ଦ୍ରର ରାଜକୁମାରୀ’ଆଦି ସେ ଲେଖିସାରିଥିଲେ, ସେତେବେଳେ ତାଙ୍କ ଠାରେ ଖିଆଲ ହେଲା ଯେ, ଏହି ଭାଷାତ ବିଚାରୀ ସତୀ ବୁଝେ ନାହିଁ . ଆଉ ଯେଉଁ ଭାଷା ତା ବୋଧ ଭିତରେ, ତାହାର ବ୍ୟବହାର କରିବା ଦ୍ୱାର ଅଣ୍ଚାରେ ଝୁଲା ଯାଇଥିବା କଳା ଚାକୁର ଛବି ମନରେ ଆସି ଯାଉଥିଲା . ତେଣୁ ସେ ସମସ୍ତ ଚିଠିକୁ ଚିରି ଦେଇଥିଲେ .

ଏହା ମଧ୍ୟରେ ସତୀର ମମତା ମାଣିକ ପ୍ରତି ଦିନରେ ଦୁଇ ଗୁଣ, ରାତିରେ ଚାରି ଗୁଣ ହିସାବରେ ବଢିବାରେ ଲାଗିଲା  ଏବଂ ଯେବେ ଯେବେ ମାଣିକ ମୁଲ୍ଲା କୁଆଡେ ଯାଉଥିଲେ, ବାହାରେ ବସିଥିବା ଚମନ ଠାକୁର ନିଜର କଟା ହାତ ହଲେଇ ତାଙ୍କୁ ସଲାମ କରୁଥିଲା, ହସୁଥିଲା ଓ ପଛରେ ରକ୍ତାକ୍ତ ଆକ୍ଷିରେ ଦେଖିକରି ଦାନ୍ତ କାମୁଡୁ ଥିଲା ଓ ପାଦ କଚାଡି ହୁକ୍କାର ଅଙ୍ଗାରକୁ ଜମୋଉଥିଲା . ସତୀ ମାଣିକର ଖାଇବା – ପିଇବା, କପଡା, ଚାଲି ଚଳଣିରେ ବହୁତ ଆଗ୍ରହ ପ୍ରକାଶ କରୁଥିଲା  ଏବଂ ପରେ ନିଜର ପଡିଶା – ଅଡିଶାଙ୍କୁ କହୁଥିଲା ଯେ ମାଣିକ ଦ୍ୱାଦଶ ଶ୍ରେଣୀରେ ପଢୁଛନ୍ତି ଏବଂ ତା ପରେ ବଡ ଲାଟଙ୍କ ଦପ୍ତରରେ ତାଙ୍କୁ ଚାକିରୀ ମିଳିଯିବ ଓ ସର୍ବଦା ମାଣିକକୁ ମନେ ପକାଉଥିଲା କି ପଢାପଢିରେ ହେଳା କର ନାହିଁ .

କିନ୍ତୁ ଗୋଟାଏ କଥା ମାଣିକ ପ୍ରାୟତଃ ଦେଖୁଥିଲେ ଯେ, ସତୀ ଏବେ ଉଦାସ ରହୁଥିଲା ଓ କୌଣସି ଏପରି କଥା ଅଛି, ଯାହା ସେ ମାଣିକକୁ ଲୁଚୋଉଥିଲା . ମାଣିକ ବହୁତ ପଚାରିଲା . ସେ କହିଲା ନାହିଁ . କିନ୍ତୁ ସେ ପ୍ରାୟତଃ ଚମନ ଠାକୁରକୁ ଝିଙ୍ଗାସୁ ଥିଲା, ରାସ୍ତାରେ ତାର ଚିଲମ ପଡି ରହିଲେ ତାକୁ ଲାତ ମାରି ଦେଉଥିଲା, ନିଜେ କେବେ ହିସାବ ନ କରି ତା ସାମ୍ନାରେ କପି ଓ ଆଦାୟ ହୋଇଥିବା ଟଙ୍କାକୁ ଫିଙ୍ଗି ଦେଉଥିଲା .ଚମନ ଠାକୁର ଦିନେ ମାଣିକକୁ କହିଲେ, ମୁଁ ଯଦି  ଏହାକୁ ଆଣି ପାଳନ ପୋଷଣ ନ କରିଥାନ୍ତି, ଏହାକୁ ଚିଲ ଓ ଶାଗୁଣା ଝୁଣି ଝୁଣି ଖାଇ ଯାଆନ୍ତେଣି ଏବଂ ଏ କଥା ଯେବେ ମାଣିକ ସତୀକୁ କହିଲା, ସେ କହିଲା, ‘ଏହି ରାକ୍ଷାସ ତାକୁ ଭିଣି ଖାଇବା ଅପେକ୍ଷା ଚିଲ ଓ ଶାଗୁଣା ଯଦି ଖାଇ ଯାଇଥାନ୍ତେ ତ ତାହା ଭଲ ହୋଇଥାନ୍ତା ’. ମାଣିକ ଆଶଙ୍କିତ ହୋଇ ପଚାରିବାରୁ ସେ ବହୁତ ଝିଙ୍ଗାସି କରି କହିଲା, “ୟେ ମୋର କାକା ହୋଇଛି . ତେଣୁ ପାଳି ପୋଷି କରି ବଡ କରିଥିଲା . ୟାର ଦୃଷ୍ଟି ଖରାପ ହୋଇଯାଇଛି . କିନ୍ତୁ ମୁଁ ଡରୁନି . ଏହ ଚାକୁ ମୋ ପାଖରେ ସବୁ ବେଳେ ରହିଥାଏ .” ଏହାପରେ ସେ ସତୀକୁ ପ୍ରଥମ ଥର କାନ୍ଦିବା ଦେଖିଥିଲେ ଏବଂ ସେହି ଅନାଥ, ପରିଶ୍ରମୀ ଓ ନିରାଶ୍ରିତ ବାଳିକା କୋହ ଉଠେଇ କାନ୍ଦିଲା ଏବଂ ତାଙ୍କୁ କିଛି ଘଟଣା ବିଷୟରେ କହିଲା . ଏହି କଥା ଶୁଣି ମାଣିକ ମୁଲ୍ଲା ନିଜ କାନକୁ ବିଶ୍ୱାସ କରି ପାରିଲେ ନାହିଁ . କିନ୍ତୁ ସେ ବହୁତ ବ୍ୟଥିତ ହେଲେ ଓ ଏମିତ ବି ଘଟୁଛି ଜାଣିକରି ତାଙ୍କ ମନକୁ ବହୁତ ଧକ୍କା ଲାଗିଲା . ସେ ଦିନ ରାତିରେ ସେ ଖାଇ ପାରିଲେ ନାହିଁ ଏବଂ ଏ ଜୀବନ ଏତେ ବିକୃତ ଓ ଖରାପ କାହିଁକି ଭାବି ତାଙ୍କ ଆକ୍ଷିକୁ ଲୁହ ଚାଲି ଆସିଲା . ତାପରେ ସିଏ ଦେଖିଲେ ଯେ ସତୀ ଓ ଚମନ ଠାକୁର ମଧ୍ୟରେ ତିକ୍ତତା ବଢି ଚାଲିଲା ଏବଂ ପ୍ରାୟ ମାଣିକ ଯିବା ପରେ ସତୀ କାନ୍ଦି କାନ୍ଦି ଆସି ଦେଖା କରୁଥିଲା ଓ ଚମନ ଠାକୁର ଚିତ୍କାର କରି ଓ ଗର୍ଜନ କରି ଦେଖା କରୁଥିଲା . ସେ ଅବସର ପ୍ରାପ୍ତ ସୈନିକ ଥିଲା, ତେଣୁ କହୁଥିଲା – ତୋତେ ଗୁଳି କରିଦେବି . ତୁ କଣ ଭାବିଛୁ କି ? ଇତ୍ୟାଦି ଇତ୍ୟାଦି . ଯେଉଁଦିନ ସତୀ ଜାଣିଲା ଯେ ମାଣିକ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଗଲା, ସେହିଦିନ ସତୀର ମୁହଁରେ ଖୁସୀ ଦେଖାଗଲା . ବହୁତ ଦିନ ପରେ ସେ ଚମନ ଠାକୁରକୁ ଯାଇ ଦୁଇ ଟଙ୍କା ମାଗିଲା . ଟଙ୍କାକର ମିଠେଇ ମଗେଇଲା ଏବଂ ଅନ୍ୟ ଟଙ୍କାରେ ଫୁଲ ଓ ଉଖୁଡା କିଣି ଚଣ୍ଡୀଙ୍କ ଚଉତରାରେ ଦେଇ ଆସିଲା . କିନ୍ତୁ ସେଦିନ ମାଣିକ ଆସିଲେ ହିଁ ନାହିଁ . ଯେଉଁ ଦିନ ମାଣିକ ଆସିଲେ, ସେଦିନ ସେ ଏହା ଜାଣିକରି ନିରାଶିତ ହେଲା ଯେ, ମାଣିକ ଚାକିରୀ କରିବେ ନାହିଁ, ବରଂ ପଢିବେ, ଯଦିଓ ଭାଇ ଓ ଭାଉଜ ସଫା ମନା କରିଦେଇଥିଲେ ଯେ ଦୁନିଆଁ ବହୁତ ଖରାପ ଓ ସେମାନେ ଏବେ ଆଉ ମାଣିକର ଖର୍ଚ୍ଚ ଉଠେଇ ପାରିବେ ନାହିଁ . ସତୀ ଭାଇ ଓ ଭାଉଜଙ୍କ ସହ ଏକମତ ଥିଲା . କାରଣ ସେ ନିଜ ଆକ୍ଷିରେ ମାଣିକକୁ ବଡ ଲାଟଙ୍କର ଦପ୍ତରରେ ଦେଖିବାକୁ ଚାହୁଁଥିଲା . କିନ୍ତୁ ମାଣିକର ପଢିବାର ଇଛା ଦେଖି ସେ କହିଲା, ‘ଉଦାସ ହୁଅ ନାହିଁ . ଯଦି ମୁଁ ଏଠି ରହିବି ତ ତୁମକୁ ପଇସା ଦେବି . ଯଦି ନ ରହିବି, ତେବେ ଦେଖାଯିବ .’

ମାଣିକ ମୁଲ୍ଲା ଘାବରେଇ ଯାଇ ପଚାରିଲେ, ‘କୁଆଡେ ଯିବ ତୁମେ ?’ ସତୀ ଆଉ ଏକ କଥା କହିଲା, ଯାହା ଦ୍ୱାରା କି ମାଣିକ ମୁଲ୍ଲା ସ୍ତବ୍ଧ ହୋଇ ରହିଗଲା .

ମହେସର ଦଲାଲ, ଅର୍ଥାତ୍ ଜମୁନାୱାଲି ତନ୍ନାର ବାପା, ପ୍ରାୟ ଆସୁଥିଲା ଓ ଦଲାଲ ହେବା ଯୋଗୁଁ ତାରା ସୁନାରୀ ଓ ମଦୁଆମାନଙ୍କ ସହ ଚିହ୍ନା ପରିଚୟ ଥିଲା, ତେଣୁ ସେ ଗିଲଟିର କଡା ଓ ପାଉଞ୍ଜିକୁ ପାଲିଶ୍ କରେଇ ଏବଂ ରୁପାର ଗହଣା ଉପରେ ନକଲି ସୁନା ପାଣି ଚଢେଇ ଆଣିଥିଲା ଓ ସତୀକ ଦେବାକୁ ଚେଷ୍ଟା କରୁଥିଲା . ଯେତେବେଳେ ମାଣିକ ମୁଲ୍ଲା ପଚାରିଲେ ଯେ ଚମନ ଠାକୁର କିଛି କହୁନାହିଁ, ସିଏ କହିଲା ଯେ ରୋଜଗାର ତ ପ୍ରଥମରୁ ହିଁ ଖରାପ ହୋଇ ଆସିଲାଣି, ଚମନ ଗଞ୍ଜେଇ ଓ ଦାରୁ ଖୁବ୍ ପିଉଛି . ମହେସର ଦଲାଲ ତାକୁ ପ୍ରତିଦିନ ନୂଆ ନୋଟ୍ ଆଣି ଦେଉଛି . ପ୍ରତିଦିନ ତାକୁ ନିଜ ସହିତ ନେଇ ଯାଉଛି . ରାତିରେ ସେ ପିଇକରି ଆସୁଛି ଓ ଏମିତ କଥା ବକୁଛି ଯେ ସତୀ ଭିତରୁ କବାଟ ବନ୍ଦ କରିଦେଉଛି ଓ ଭୟରେ ତାକୁ ସାରା ରାତି ନିଦ ଆସୁ ନାହିଁ . ଏତିକି କହି ସେ କାନ୍ଦି ପକେଇଲା,  ଯେ ମାଣିକ ବିନା ତାର ନିଜର କେହି ନାହିଁ ଓ ମାଣିକ ବି ତାକୁ କୌଣସି ରାସ୍ତା ବତାଉ ନାହିଁ .

ମାଣିକ ସେଦିନ ବହୁତ ବ୍ୟଥିତ ହେଲେ ଓ ସେଦିନ ସେ ଏକ ବହୁତ କରୁଣ କବିତା ଲେଖିଲେ ଏବଂ ତାକୁ ନେଇ କରି କୌଣସି ସ୍ଥାନୀୟ ପତ୍ରିକାରେ ଦେବାକୁ ଯିବା ପାଇଁ ବାହାରି ଥିଲେ ହିଁ ରାସ୍ତାରେ ସତୀ ସହ ଦେଖା ହେଲା . ସେ ବହୁତ ବିଚଳିତ ଥିଲା ଓ କାନ୍ଦି କାନ୍ଦି ତା ଆକ୍ଷି ଫୁଲି ଯାଇଥିଲା . ସେ ମାଣିକକୁ ଅଟକେଇ କହିଲା, ‘ତୁମେ ମୋ ଘରକୁ ଆସିବ ନାହିଁ . ଚମନ ଠାକୁର ତୁମକୁ ହତ୍ୟା କରିବ ବୋଲି ବସିଛି . ଚବିଶି ଘଣ୍ଟା ନିଶାରେ ଚୁର ରହୁଛି . ତୁମକୁ ମୋର ମାଗୁଣିର ରାଣ ରହିଲା , ତୁମେ ଚିନ୍ତା କର ନାହିଁ . ମୋ ପାଖରେ ଚାକୁ ଅଛି ଏବଂ ପୁଣି କୌଣସି ମଉକା ପଡିଲେ ତୁମେ ତ ଅଛ ନା . ଜାଣିଛ, ସେ ବୁଢା ପାକୁଆ ମହେସର ମୋତେ ବାହା ହେବ ବୋଲି କହୁଛି . ’

ମାଣିକର ମନ ଆକୁଳ ହୋଇଗଲା . କେତେ ଥର ସିଏ ଇଛା କଲା କି ସତୀ ପାଖକୁ ଯିବ, କିନ୍ତୁ ସତ କଥା ଏହା ଯେ ନିଶାଖୋର ଚମନର ଠିକଣା କଣ, ଯଦିଓ ତାର ଗୋଟିଏ ହାତ, କିନ୍ତୁ ତାହା ସିପାହୀର ହାତ .

ଏହା ଭିତରେ ଆଉ ଗୋଟିଏ ଘଟଣା ଘଟିଲା . ଏ ସମସ୍ତ ଘଟଣା ମାଣିକ ମୁଲ୍ଲାର ନାମ ସହିତ ବହୁତ ଲୁଣ ଲଙ୍କା ଗୋଳେଇ ପ୍ରଚାର ହୋଇଗଲା ଓ ମହଲାର ଅନେକ ବୁଢୀ ଆସି ଚୋପା ଛଡେଇ ଛଡେଇ ମାଣିକର ଭାଉଜକୁ କାହାଣୀ କହିଲେ ଓ ତାଗିଦ କରିଦେଇଗଲେ ଯେ ତାର ବାହାଘର କରିଦେବା ଉଚିତ . କିଛି ତୋ ନିଜ ବନ୍ଧୁବାନ୍ଧବ
ଥିବେ . ସୁନ୍ଦର ସୁଶୀଳ ଝିଅ କଥା ବି କହିଲେ . ଭାଉଜ କିଛି ନିଜ ଆଡୁ ଯୋଡା ଯୋଡି କରି ଭାଇଙ୍କୁ ପୁରା କାହାଣୀ କହିଲେ ଓ ଭାଇ ତା ପର ଦିନ ମାଣିକକୁ ଡାକି ବୁଝେଇଲେ ଯେ ତାଙ୍କର ମାଣିକ ଉପରେ ପୁରା ବିଶ୍ୱାସ ଅଛି . କିନ୍ତୁ ମାଣିକ ଏବେ ଆଉ ସାନ ପିଲା ହୋଇ ରହି ନାହିଁ  . ତାକୁ ଦୁନିଆଁ ଦେଖି ଚାଲିବାକୁ ପଡିବ . ଏହି ପ୍ରକାର ଛୋଟ ଲୋକଙ୍କ ମୁହଁ ଲାଗିଲେ କିଛି ଫାଇଦା ନାହିଁ ଚ. ଏମାନେ ସବୁ ବହୁତ ଖରାପ ଓ ନିମ୍ନ ସ୍ତରର ଅଟନ୍ତି . ମାଣିକ ଖାନଦାନର ଏତେ ବଡ ନାଁ ଅଛି . ମାଣିକ ନିଜ ଭାଇର ସ୍ନେହ ଦେଖି ବହୁତ କାନ୍ଦିଲା ଓ ସେ ପ୍ରତିଜ୍ଞା କଲା ଯେ ଏବେ ଠାରୁ ସେ ଏହି ଲୋକଙ୍କ ସହ ମିଳାମିଶା କରିବ ନାହିଁ . ଦୁଇ ତିନି ଥର ସତୀ ଆସିଥିଲା . କିନ୍ତୁ ମାଣିକ ମୁଲ୍ଲା ନିଜ ଘରୁ ବାହାରକୁ ବାହାରିଲା ନାହିଁ  ଏବଂ କୁହେଇ ଦେଲା ଯେ ସେ ନାହିଁ  . ମାଣିକ ପ୍ରାୟତଃ ଯମୁନା ପାଖକୁ ଯାଉଥିଲା ଓ ଦିନେ ଯମୁନା ଘରେ କବାଟ ପାଖରେ ସତୀ ସହିତ ଭେଟ ହେଲା . ମାଣିକ କିଛି ନ କହିବାରୁ, ସତୀ କାନ୍ଦି କାନ୍ଦି କହିଲା, ଭାଗ୍ୟ ଖରାପ ହୋଇଯିବାରୁ ତୁମେ ବି ମୋତେ ଛାଡିଦେଲ . କଣ ଭୁଲ ହେଲା ମୋର ? ମାଣିକ ବିବ୍ରତ ହୋଇ ଚାରି ଆଡକୁ ଚାହିଁବାକୁ ଲାଗିଲା . ଭାଇଙ୍କର ଦପ୍ତରରୁ ଫେରିବା ସମୟ ହୋଇଯାଇଥିଲା . ସତୀ ତାଙ୍କର ବିବ୍ରତତାକୁ ବୁଝିଗଲା, କ୍ଷଣେ ତାଙ୍କୁ ବଡ ଅଦ୍ଭୁତ ନଜରରେ ଦେଖି ରହିଲା, ପୁଣି କହିଲା, ବିବ୍ରତ ହୁଅନା ମାଣିକ ! ମୁଁ ଯାଉଛି ! ଏବଂ ଲୁହ ପୋଛି ପୋଛି ଧିରେ ଧିରେ ଚାଲିଗଲା .

ସେହି ଦିନମାନଙ୍କରେ ଭାଉଜ ଓ ମାଣିକ ଭିତରେ ବହୁତ ଝଗଡା ହେଉଥିଲା . କାରଣ ଭାଇ ଭାଉଜ କହିଦେଇଥିଲେ ଯେ ମାଣିକ ଏବେ କେଉଁଠି ବି ଚାକିରୀ କରିନେବା ଦରକାର . ଆଉ ପଢିବା କିଛି ଆବଶ୍ୟକ ନାହିଁ . କିନ୍ତୁ ମାଣିକ ପଢିବାକୁ ଚାହୁଁଥିଲା . ଦିନେ ଭାଉଜ ବହୁତ ଗଟୁ କଥା କହୁବାରୁ ମାଣିକ ଉଦାସ ହୋଇ ଗୋଟିଏ ବଗିଚାକୁ ଯାଇ ବରଗଛ ତଳେ ବସିଗଲେ ଓ ଭାବିବାକୁ ଲାଗିଲେ କଣ କରିବା ଆବଶ୍ୟକ .

କିଛି ସମୟ ପରେ କାହାର ଡାକ ଶୁଣି ସେ ଦେଖିଲେ ସତୀ . ପୁରାପୁରା ଶାନ୍ତ, ଶବ ପରି ନିସ୍ତେଜ ଚେହେରା, ଭାବହୀନ ଆକ୍ଷି . ଆସିଲା ଓ ଆସିକରି ପାଦ ପାଖରେ ଭୂମି ଉପରେ ବସି କହିଲା, ‘ଶେଷରେ ଅନ୍ୟମାନେ ଯାହା ଚାହୁଁଥିଲେ, ତାହା ହିଁ ହୋଇଗଲା .’

ମାଣିକ ପଚାରିବାରୁ ସେ କହଲା ଯେ, କାଲି ରାତିରେ ମହେସର ଦଲାଲ ଆସିଥିଲା . ଦୁଇ ଜଣ ବହୁତ ରାତି ପର୍ଯ୍ୟନ୍ତ ବସି ମଦ ପିଇଲେ . ହଠାତ୍ ମହେସର ଠାରୁ ଗୁଡାଏ ଟଙ୍କାର ଥଳୀ ନେଇ ଚମନ୍ ଉଠି ବାହାରକୁ ଚାଲିଗଲା  ଓ ମହେସର ଆସି ସତୀ ସହ ଏମିତି କଥା ହେଲା ଯେ, ଯାହା ଶୁଣି ସତୀର ଦେହ ଓ ମନ ଜଳିବାରେ ଲାଗିଲା ଓ ସତୀ ବାହାର କବାଟ ଆଡକୁ ଆଗେଇ ଆସି ଦେଖିଲା ଯେ ଚମନ୍ ତାକୁ ବାହାର ଆଡୁ ବନ୍ଦ କରି ପଳେଇଯାଇଛି . ସତୀ ସାଙ୍ଗେ ସାଙ୍ଗେ ନିଜ ଚାକୁ ବାହାର କଲା ଓ ମହେସର ଦଲାଲକୁ ଗୋଟିଏ ଧକ୍କା ଦେବା ମାତ୍ରେ ସିଏ ଗଡି ପଡିଲା . ପ୍ରଥମତଃ ବୁଢା, ଦ୍ୱିତୀୟରେ ମଦ ନିଶାରେ ଚୁର୍ ଏବଂ ସତୀ ଯେତେବେଳେ ଚାକୁ ନେି ତା ବେକ ଉପରେ ବସିଗଲା, ତାର ପୁରା ନିଶା ଛାଡିଗଲା ଓ କହିଲା, ‘ମାରି ଦେ ମୋତେ . ମୁଁ ଓଃ ବୋଲି ବି କହିବିନି . ମୁଁ ତୋ ଉପରକୁ ହାତ ବି ଉଠେଇବି ନାହିଁ . କିନ୍ତୁ ମୁଁ ନଗଦ ପାଞ୍ଚ ଶହ ଟଙ୍କା ଦେଇଛି . ମୁଁ ପିଲା ଛୁଆ ଥିବା ବ୍ୟକ୍ତି, ମରିଯିବି .’ ଏବଂ ତାପରେ କୋହ ଉଠେଇ କାନ୍ଦିବାରେ ଲାଗିଲା, ପୁଣି ସେହି କାଗଜ ଦେଖାଇଲା, ଯାହା ଉପରେ ଚମନ ଠାକୁର ପାଞ୍ଚ ଶହ ଟଙ୍କା ବଦଳରେ ତା ସହ ସତୀକୁ ପଠେଇବାର ସର୍ତ୍ତ କରିଥିଲା ଓ ମହେସର କାନ୍ଦିବାକୁ ଲାଗିଲା ଏବଂ ସତୀର ଯେମିତି କେହି ଜୀବନ ଉପାଡି ନେଇଛି . ମହେସରର ହାତ ପାଦ ଫୁଲି ଗଲା . ପୁଣି ମହେସର ଦଲାଲ ବୁଝେଇଲା ଯେ ଏବେ ତ ଆଇନତଃ ବୁଝାମଣା ହୋଇଯାଇଛି . ପୁଣି ମହେସର ଦଲାଲ ସୁଖରେ ରଖିବ ଇତ୍ୟାଦି ଇତ୍ୟାଦି  - କିନ୍ତୁ ସତୀ ନିସ୍ତେଜ ଶବ ପରି ପଡିରହିଲା . ତାର ମନେ ନାହିଁ ମହେସର କଣ କହିଲା, ତାର ମନେ ନାହିଁ କଣ ହେଲା .

ସତୀ ଚୁପଚାପ୍ ଆକ୍ଷି ତଳକୁ କରି ନଖରେ ଭୂଇଁ କାଟିବାକୁ ଲାଗିଲା ଓ ପୁଣି ମାଣିକ ଆଡକୁ ଚାହିଁ କହିଲା, ‘ମହେସର ଆଜି ଏହି ମୁଦି ଦେଇଛି’ . ମାଣିକ ହେତକୁ ନେଇ ଦେଖି ହସିବାର ଚେଷ୍ଟା କରୁକରୁ କହିଲା, ‘ଅସଲି
ଅଟେ .’ ମାଣିକ ଚୁପ୍ ହୋଇଗଲା . ସତୀ କିଛି ସମୟ ପରେ ମାଣିକକୁ ଉଦାସ ରହିବାର କାରଣ ପଚାରିବାରୁ ମାଣିକ କହିଲା ଯେ ଭାଉଜ ସହିତ ପଢିବା ନେଇ ମତଭେଦ ହୋଇ ଯାଇଛି . ସତୀ ମୁଦି ବାହାର କରି ତୁରନ୍ତ ମାଣିକ ହାତରେ ରଖିଦେଲା, ଆଉ କହିଲା ଏଥିରେ ସେ ଫିସ୍ ଜମା କରିଦେଉ .ପରେ ଯାହା ହେବ ସତୀ ହାତରେ ଛାଡିଦେଉ . ମାଣିକ ଏହାକୁ ସ୍ୱୀକାର ନ କରିବାରୁ ସେ ମୁହୂର୍ତ୍ତେ ଚୁପ୍ ରହିଲା ଓ ସାଙ୍ଗେ ସାଙ୍ଗେ କହିଲା, ‘ମୁଁ ବୁଝି ଗଲି . ’ ଏବେ ତୁମେ ମୋ ଠାରୁ କିଛି ବି ନେବ ନାହିଁ . କିନ୍ତୁ କୁହ ମୁଁ କଣ କରିବି ? ମୋତେ ତ କେହି କିଛି ବତାଉ ନାହିଁ  . ମୁଁ ତୁମ ପାଦ ଧରୁଛି . ମୋତେ କିଛି ରାସ୍ତା ବତାଅ . କିଛି ରାସ୍ତା – ତୁମେ ଯାହା କହିବ – ମୁଁ ସବୁ ପ୍ରକାରେ ପ୍ରସ୍ତୁତ ଅଛି . ଏବଂ ସତସତିକା ସତୀ, ଯିଏକି ଏ ପର୍ଯ୍ୟନ୍ତ ନିଷ୍ପ୍ରାଣ ହୋଇ ବସିଥିଲା, କଇଁ କଇଁ ହୋଇ କାନ୍ଦି ପକେଇଲା . ମାଣିକ ହଡବଡେଇ ଯାଇ ଉଠି ବସିଲା . କିନ୍ତୁ ସିଏ ପାଦ ଉପରେ ମଥା ରଖିଦେଲା ଓ ଏତେ କାନ୍ଦିଲା ଯେ, କିଛି ପଚାରନି . ମାଣିକ କହିଲା ଯେ ତାର ଡେରୀ ହୋଇ ଯାଉଛି . ସେ ଚୁପଚାପ୍ ଉଠିଲା ଓ ଚାଲିଗଲା .

ପୁଣି ଥରେ ଦେଖା ହୋଇଥିଲା ତା ସହ . କିନ୍ତୁ ମାଣିକ ସେ ଦିନ ବି ଉଦାସ ଥିଲା . କାରଣ ଜୁଲାଇ ଆସିଯାଇଥିଲା ଓ ତାର ଦାଖିଲା ପାଇଁ କିଛି ନିଶ୍ଚିନ୍ତ ହୋଇ ପାରି ନଥିଲା . ସତୀ ବହୁତ ଜିଦ୍ କରି ମାଣିକକୁ ଟଙ୍କା ଦେଲା, ଯଦ୍ୱାରା କି ତାର କାମ ବନ୍ଦ ହେବ ନାହିଁ . ପୁଣି ବହୁତ ବିକଳ ହୋଇ କାନ୍ଦିଲା ଓ କହିଲା ତା ଜୀବନ ନର୍କ ହୋଇ ଯାଇଛି . ତାକୁ କେହି ରାସ୍ତା ବତାଉ ନାହିଁ . ମାଣିକ ମୁଲ୍ଲା ସାନ୍ତ୍ୱନା ଭରା ଗୋଟିଏ ବି ପଦ କହିଲା ନାହିଁ . ତେଣୁ ସେ ଚୁପ୍ ହୋଇଗଲା ଓ ପଚାରିବାରେ ଲାଗିଲା, ମାଣିକକୁ ତା କଥା ଖରାପ ଲାଗୁନି ତ, କାରଣ ମାଣିକ ବ୍ୟତୀତ ଆଉ କିଏ ନାହିଁ ଯାହାକୁ ସେ ନିଜର ଦୁଃଖ କହି ପାରିବ .ଆଉ ମାଣିକ ଠାରୁ ଜାଣେନା କାହିଁକି ସେ କୌଣସି କଥା ଲୁଚେଇ ପାରୁନି ଓ ତାକୁ କହିଦେବା ପରେ ତା ମନ ହାଲୁକା ହୋଇଯାଉଛି ଓ ତାକୁ ଲାଗୁଛି କି କମ୍ ସେ କମ୍ କିଏ ଜଣେ ତ ମଣିଷ ଅଛି, ଯାହା ଆଗରୋ ତାର ଆତ୍ମା ନିଷ୍ପାପ ଓ  ଅକଳୁଷ ଅଟେ .

ମାଣିକ ସାମ୍ନାରେ କିଛି ରାସ୍ତା ନଥିଲା ଓ ସତ କଥା ଏହା ବି ଯେ ତା ଭାଇର କହିବା ତାକୁ ଠିକ୍ ଲାଗୁଥିଲା ଯେ ମାଣିକର ଓ ସେଇ ଲୋକମାନଙ୍କ ମଧ୍ୟରେ କଣ ତୁଳନା, ଦୁହିଁଙ୍କର ସମାଜ ଅଲଗା, ମର୍ଯ୍ୟାଦା ଅଲଗା . କିନ୍ତୁ ମାଣିକ ମୁଲ୍ଲା ସତୀକୁ କିଛି କହି ମଧ୍ୟ ପାରୁନଥିଲେ, କାରଣ ତାଙ୍କୁ ପଢା ବି ଜାରି ରଖିବା ଦରକାର ଥିଲା ଓ ଏହି ଅନ୍ତର୍ଦ୍ୱନ୍ଦ ଯୋଗୁଁ ତାଙ୍କ ଗୀତରେ ଗଭୀର ନିରାଶା ଓ କଟୁତା ଆସିଯାଉଥିଲା .

ଏବଂ ପୁଣି ଦିନେ ରାତିରେ ଏକ ଅଦ୍ଭୁତ ଘଟଣା ଘଟିଲା . ମାଣିକ ମୁଲ୍ଲା ଶୋଇଥିଲେ . ହଠାତ୍ ତାଙ୍କୁ କିଏ ଜଣେ ଉଠେଇଲା . ଆକ୍ଷି ଖୋଲି ସାମ୍ନାକୁ ଦେଖନ୍ତି ତ ସତୀ ! ତା ହାତରେ ଚାକୁ ଥିଲା . ତାର ଲମ୍ବା, ପତଳା, ଗୋଲାପୀ ଆଙ୍ଗୁଠି ଭିତରେ ଚାକୁ ଥରୁଥିଲା , ଚେହେରା ଆବେଶରେ ଆରକ୍ତ, ନିରାଶାରେ ନୀଳ ଓ ଡରରେ ବିବର୍ଣ୍ଣ . ତା ପାଖରେ ଗୋଟେ ଛୋଟ ବ୍ୟାଗ୍ ଥିଲା, ଯେଉଁଥିରେ ଗହଣା ଓ ଟଙ୍କା ଭରି ରହିଥିଲା . ସତୀ ମାଣିକ ପାଦ ତଳେ ପଡିଗଲା ଓ କହିଲା, “କୌଣସି ପ୍ରକାରେ ଚମନ ଠାକୁର ଠାରୁ ମୁକ୍ତି ପାଇ ଆସିଛି . ଏବେ ବୁଡି ମରିବି, କିନ୍ତୁ ସେଠାକୁ ଫେରିବି ନାହିଁ . ତୁମେ କୁଆଡେ ନେଇ ଯାଅ . କୁଆଡେ ବି . ମୁଁ କାମ କରିବି . ମୁଲ ଲାଗିବି . ତୁମ ଭରସାରେ ଚାଲି ଆସିଛି .”

ମାଣିକର ଏମିତି ଅବସ୍ଥା କି ଉପର ନିଶ୍ୱାସ ଉପରେ ଓ ତଳ ନିଶ୍ୱାସ ତଳେ ରହିଗଲା . କବିତା – ବବିତାତ ଠିକ୍ ଅଛି, କିନ୍ତୁ ଏହି ରୋଗକୁ କେମିତି ପାଳିବ ? ଆହୁରି ପୁଣି ଭାଇ ତ ଭାଇ, ଭାଉଜ ତାଙ୍କ ଠାରୁ ସାତ ପାଦ ଆଗରେ . ମାଣିକର ପୁରା ଭାଗ୍ୟ ଗୋଟେ ସୁତା ଖିଅରେ ଝୁଲୁଥିଲା . କିନ୍ତୁ ମାଣିକ ମୁଲ୍ଲାର ମନ ସ୍ଥିର ହେଲା . ଖେଳି ହିଁ ଗଲା . ତୁରନ୍ତ କହିଲା, ‘ଆଛା ସତୀ ବସ୍ ! ମୁଁ ଏବେ ଯିବି . ତୋ ସାଙ୍ଗରେ ଯିବି .’ ଆଉ ଏପଟେ ଯାଇ ପହଞ୍ଚିଲେ ଭାଇ ପାଖରେ . ଚୁପଚାପ୍ ଦୁଇଟି ବାକ୍ୟରେ ପୁରା ଘଟଣା କହି ଦେଲେ . ଭାଇ କହିଲେ, “ତାକୁ ବସେଇ ରଖ , ମୁଁ ଚମନକୁ ଡାକି ଆଣୁଛି .” ମାଣିକ ଗଲା ଓ ସତୀ ଯେତେ ଜିଦ୍ କଲା ଜଲଦି ବାହାରି ଯିବା ପାଇଁ, କାରଣ କାଳେ ମହେସର ଦଲାଲ ବା ଚମନ ଆସି ପହଞ୍ଚି ଯିବେ, ମାଣିକ ସେତିକି କୌଣସି ନା କୌଣସି ବାହାନା କରି ଟାଳି ଚାଲିଲା ଓ ଯେତେବେଳେ ସତୀ ଚାକୁ ଚମକେଇ କହିଲା ଯେ, “ଯଦି ନ ଯିବ, ତେବେ ଆଜି ଏକେତ ମୋ ଜୀବନ ଯିବ, କିମ୍ବା ଆଉ କାହାର” ସେତେବେରେ ମାଣିକର ରୁମ ଟାଙ୍କୁରି ଉଠିଲା ଓ ମନେ ମନେ ମାଣିକ ଭାଇକୁ ମନେ ପକେଇବାକୁ ଲାଗିଲା .

ସତୀ ତାକୁ ପଚାରିବାରେ ଲାଗିଲା, “କୁଆଡେ ଯିବ ? କୋଉଠି ରହିବ ? କୋଉଠି ଚାକିରୀ କରିବ ? ମୁଁ ଏକା ରହିବି ନାହିଁ .” ଏପରି ସମୟରେ ଗୋଟିଏ ହାତରେ ଲାଠି ନେଇ ମହେସର ଓ ଆରକରେ ଲଣ୍ଠନ୍ ନେଇ ଚମନ୍ ଠାକୁର ଆସି ପହଞ୍ଚିଲେ ଓ ପଛେ ପଛେ ଭାଇ ଓ ଭାଉଜ . ସତୀ ଦେଖିବା କ୍ଷଣି ନାଗୁଣୀ ଭଳି ଡେଇଁ ପଡି ଗୋଟେ କୋଣରେ ଲୁଚିଗଲା . ଆଉ କ୍ଷଣକରେ ହିଁ ପରିସ୍ଥିତିକୁ ବୁଝିଯାଇ ମାଣିକ ଆଡକୁ ମାଡିଆସିଲା, ‘ଦଗାବାଜ୍, ବେଇମାନ୍’, କିନ୍ତୁ ଭାଇ ତୁରନ୍ତ ହିଁ ମାଣିକକୁ ଟାଣି ନେଲେ, ମହେସର ସତୀକୁ ଚାପି ଧରିଲା ଓ ଭାଉଜ ଚିତ୍କାର କରି ବାହାରିଗଲେ .

ତାପରେ କୋଠରୀରେ ଭୟଙ୍କର ଦୃଶ୍ୟ ହେଲା . ସତୀ ମୋଟେ କାବୁ ହେଉ ନ ଥିଲା, କିନ୍ତୁ ଯେତେବେଳେ ଚମନ ଠାକୁର ନିଜର ଏକମାତ୍ର ଫୌଜୀ ହାତରେ ଲାଠି ଉଠୋଇ ସତୀକୁ ମାରିଲେ, ସେ ଚେତା ହରେଇ ପଡିଗଲମା . ଏହି ଅବସ୍ଥାରେ ସତୀର ଚାକୁ ସେଇଠି ରହିଗଲା ଓ ତାହାର ଗହଣା ବ୍ୟାଗ୍ ବି କେଉଁଠି ରହିଗଲା ଜଣାନାହିଁ . ମାଣିକ ଅନୁମାନ କି ଭାଉଜ ତାକୁ ସୁରକ୍ଷିତ ରଖିବା ପାଇଁ ନିଜ ସିନ୍ଦୁକରେ ରଖି ନେଇଥିଲେ . ଅଚେତ ସତୀକୁ ଭାଇ ଓ ମହେସର ଉଠେଇ ନେଇ ତା ଘରେ ପହୁଞ୍ଚେଇ ଦେଲେ ଓ ମାଣିକ ମୁଲ୍ଲା ଭୟରେ ଭାଇଙ୍କ କୋଠରୀରେ ଶୋଇଲେ .

ତା ପରଦିନ ଚମନ ଠାକୁର ଘରେ  ବହୁତ ଗହଳି ଥିଲା, କାରଣ ଘର ଖୋଲା ପଡିଥିଲା, ସାମାନ ସବୁ ଅସ୍ତବ୍ୟସ୍ତ ହୋଇ ପଡିଥିଲା ଓ ଚମନ ଠାକୁର ଓ ସତୀ ଦୁହେଁ ନିଖୋଜ ଥିଲେ ଏବଂ ବହୁତ ସକାଳୁ ଉଠି ଯେଉଁ ବୁଢୀ ସବୁ ଗଙ୍ଗାକୁ ଗାଧେଇବା ପାଇଁ ଯାଆନ୍ତି, ସେମାନଙ୍କର କହିବା ଥିଲା ଯେ, ଗୋଟିଏ ଘୋଡାଗାଡି ଏପଟେ ଯାଇଥିଲା, ଯାହା ଉପରେ କି କିଛି ସାମାନ ଲଦା ହୋଇଥିଲା, ଚମନ ଠାକୁର ବସିଥିଲା ଓ ଆଗ ସିଟରେ ଧଳା ଚାଦର ଘୋଡେଇ ହୋଇ କିଏ ଗୋଟେ ଶୋଇଥିଲା, ଯେପରିକି ଗୋଟେ ଲାଶ୍ .

ଲୋକଙ୍କର କହିବାର ଥିଲା ଯେ ଚମନ୍ ଓ ମହେସର ମିଶିକରି ରାତିରେ ହିଁ ସତୀର ତଣ୍ଟି ଚିପି ଦେଇଥିଲେ .

ଷଷ୍ଠ ଦ୍ୱିପହର

କ୍ରମାଗତ

ପୂର୍ବ ଦୁଇପହରର ଆଗକୁ

          ସତୀର ମୃତ୍ୟୁ ମାଣିକ ମୁଲ୍ଲାର କଞ୍ଚା ଭାବୁକ କବି ହୃଦୟ ଉପରେ ବହୁତ ଗଭୀର ଛାପ ପକେଇଥିଲା ଓ ଫଳାଫଳ ଏହା ହେଲା ଯେ ତାଙ୍କର କୃତିରେ ମୃତ୍ୟୁର ପ୍ରତିଧ୍ୱନି ବାରମ୍ବାର ପଡିଲା .

          ଏହା ମଧ୍ୟରେ ତାଙ୍କ ଭାଇଙ୍କର ବଦଳି ହୋଇଗଲା ଓ ଭାଉଜ ତାଙ୍କ ସାଙ୍ଗରେ ଚାଲିଗଲେ ଏବଂ ଘରକୁ ମାଣିକର ତତ୍ତ୍ୱାବଧାନରେ ଛାଡି ଦେଇ ଗଲେ . ମାଣିକକୁ ଏକଲା ଘରେ ବହୁତ ଡର ଲାଗୁଥିଲା ଓ ପ୍ରାୟ ଲାଗୁଥିଲା କି ଯେପରି ସେମାନେ କଙ୍କାଳର ଶୁନଶାନ୍ ଘରେ ଛାଡି ଦେଇ ଯାଇଛନ୍ତି . ତାଙ୍କୁ ପଢିବାରେ ରୁଚି ଥିଲା, କିନ୍ତୁ ଏବେ ପଢିବା ପାଇଁ ତାଙ୍କର ମନହିଁ ଲାଗୁ ନ ଥିଲା  ତାଙ୍କର ପକେଟ୍ ବି ଭାଇଙ୍କ ଯିବା ଯୋଗୁଁ ପୁରା ଖାଲି ହୋଇଯାଇଥିଲା ଏବଂ ସେ କିଛି ଏପରି ଚାକିରୀ ଖୋଜୁଥିଲେ, ଯେଉଁଥିରେ କି ଚାକିରୀ ସହିତ ପଢାପଢି ବି ଜାରି ରଖି ପାରିବେ . ଏହି ସମସ୍ତ ପରିସ୍ଥିତି ସବୁ ଏକତ୍ରିତ ହୋଇ ତାଙ୍କର ହୃଦୟରେ ଗଭୀର ଛାପ ପକେଇଥିଲା ଏବଂ ଜଣାନାହିଁ, କେଉଁ ରହସ୍ୟମୟ ଆଧ୍ୟାତ୍ମିକ କାରିଣରୁ ସେ ନିଜକୁ ସତୀର ମୃତ୍ୟୁର କାରଣ ବୋଲି ଭାବୁଥିଲେ . ତାଙ୍କର ମନ ଆସ୍ତେ ଆସ୍ତେ ଏପରି ଅବସ୍ଥାକୁ ଆସିଗଲା ଯେ, ତାଙ୍କୁ ସାହି ଛାଡିକରି ଏପରି ଜାଗା ଭଲ ଲାଗିଲା, ଯେପରିକି – ଦୂରରେ କେଉଁଠାରେ ଶୁନଶାନ୍ ପିପ୍ପଳି ଗଛର ଛାଇ, ଭୟାନକ ଉଜୁଡି ଯାଇଥିବା ସମାଧିସ୍ଥଳୀ, ପୁରୁଣା ଶ୍ମଶାନ, ଟାଙ୍ଗରା ଭୂଇଁ, ଘାଟି ଇତ୍ୟାଦି . ତାଙ୍କୁ ଚନ୍ଦ୍ରକିରଣରେ କଫିନ ଦେଖାଯାଉଥିଲା ଓ ଖରାରେ ପ୍ରିୟତମାର ଚିତାର ଧାସ . ସେ ପର୍ଯ୍ୟନ୍ତ ଆମେ ମାଣିକ ମୁଲ୍ଲା ସହିତ ଏତେଟା ଘନିଷ୍ଠ ହୋଇ ନଥିଲୁ . ତେଣୁ ଏହି ପ୍ରକାର ବୈଠକ ଜମୁ ନଥିଲା  ଓ ଦିନ ସାରା ବୁଲିବା ପରେ ମାଣିକ ପ୍ରାୟତଃ ଚାହା ଘରେ ଯାଇ ବସୁଥିଲେ ଓ ଚାହା ଘରର କୋଳାହଳରେ କିଛି ମନ ବଦଳି ଯାଉଥିଲା .

          (କିନ୍ତୁ ଏହା ମୁଁ କହିଦେଉଛି ଯେ, ମାଣିକ ମୁଲ୍ଲାର ଏହି ଖିଆଲ ବିଲକୁଲ ଭୁଲ ଥିଲା ଯେ ସତୀର ମୃତ୍ୟୁ ହୋଇଯାଇଛି . ସତୀ କେବଳ ଅଚେତ ହୋଇ ଯାଇଥିଲା . ଆଉ ଏହି ଅବସ୍ଥାରେ ଚମନ ଠାକୁର ତାକୁ ଘୋଡାଗାଡିରେ ନେଇ ଯାଇଥିଲେ, କାରଣ ବଦନାମୀର ଭୟରେ ମହେସର ଦଲାଲ ଚାହୁଁ ନ ଥିଲେ ଯେ ସେହି ଲୋକ ମୁହୂର୍ତ୍ତେ ବି ସାହିରେ ରହୁ . କିନ୍ତୁ ସତୀ କେଉଁଠାରେ ଥିଲା, ଏହାର ଖବର ପରେ ମାଣିକକୁ ମିଳିଲା .)

          ଏପଟେ ମାଣିକ ଏହା ସ୍ଥିର କରି ନେଇଥିଲା ଯେ, ଯଦି ତା ଯୋଗୁଁ ସତୀର ଜୀବନ ନଷ୍ଚ ହୋଇଛି, ତେବେ ସେ ବି ସବୁ ପ୍ରକାରେ ନିଜର ଜୀବନ ନଷ୍ଟ କରିବେ ହିଁ କରିବେ, ଯେପରିକି ଶରତଙ୍କ ଦେବଦାସ ଆଦି କରିଥିଲେ ଓ ତେଣୁ କରି ଜୀବନ ନଷ୍ଟ କରିବା ପାଇଁ ଯେତେ ପ୍ରକାର ସାଧନ ଥିଲା, ତାକୁ ସେ କାର୍ଯ୍ୟକାରୀ କରୁଥିଲେ . ତାଙ୍କର ସ୍ୱାସ୍ଥ୍ୟ ଭୟଙ୍କର ଭାବରେ ଭାଙ୍ଗି ଯାଇଥିଲା, ତାଙ୍କର ସ୍ୱଭାବ ବହୁତ ଅସାମାଜିକ, ଉଚ୍ଛୃଙ୍ଖଳ ଆଉ ଆତ୍ମଘାତୀ ହୋଇ ଯାଇଥିଲା, କିନ୍ତୁ ତାଙ୍କୁ ପୁରା ସନ୍ତୋଷ ଥିଲା, କାରଣ ସେ ସତୀର ମୃତ୍ୟୁର ପ୍ରାୟଶ୍ଚିତ କରୁଥିଲେ . ତାଙ୍କ ଆତ୍ମାକୁ, ତାଙ୍କ ବ୍ୟକ୍ତିତ୍ୱକୁ ଆଉ ତାଙ୍କ ପ୍ରତିଭାକୁ ପାତକ ଲାଗି ରହିଥିଲା ଏବଂ ପାତକ ଅବସ୍ଥାରେ ଆଉ କଣ ବା ହୋଇ ପାରିବ ?

          ପ୍ରାୟତଃ ତାଙ୍କ ସାଙ୍ଗମାନେ ତାଙ୍କୁ ବୁଝାଉଥିଲେ ଯେ ମଣିଷ ଭିତରେ ଜୀବନ ପ୍ରତି ଅଦମ୍ୟ ଆସ୍ଥା ରହିବା ଆବଶ୍ୟକ . ମୃତ୍ୟୁ ପ୍ରତି ଏ ପ୍ରକାର ମୋହ କେବଳ କାପୁରୁଷତା ଆଉ ବିଚଳିତ ମାନସିକତାର ଲକ୍ଷଣ . ସେମାନଙ୍କ ରାସ୍ତା ପରିବର୍ତ୍ତିତ ହେବା ଦରକାର, କିନ୍ତୁ ପୁଣି ସେମାନେ ଭାବନ୍ତି ଯେ ନିଜ କର୍ତ୍ତବ୍ୟ ପଥରୁ ସେ ଓହରି ଯାଉଛି . ଆଉ ତାଙ୍କର କର୍ତ୍ତବ୍ୟ ତ ମୃତ୍ୟୁପଥ ଆଡକୁ ଅଦମ୍ୟ ସାହସର ସହିତ ଅଗ୍ରସର ହେବା ଜାରିରଖିବା . ଏହପରି ବିଚାର ଧାରା ଆସିବା କ୍ଷଣି ସେମାନେ ପୁଣି କଇଁଛ ପରି ନିଜକୁ ସାଉଁଟି ନେଇ ଅନ୍ତର୍ମୁଖୀ ହୋଇଯାଆନ୍ତି . ଧୀରେ ଧୀରେ ତାଙ୍କର ସ୍ଥିତି ସେହି ସ୍ଥିତପ୍ରଜ୍ଞଙ୍କ ଭଳି ହୋଇଯାଇଛି, ଯାହାକୁ କି ସୁଖ – ଦୁଃଖ, ଶତ୍ରୁ – ମିତ୍ର, ଆଲୋକ – ଅନ୍ଧାର, ସତ – ମିଛ ମଧ୍ୟରେ କିଛି ଫରକ ମାଲୁମ ପଡେ ନାହିଁ, ଯାହା ସମୟ ଓ ଦିଗର ବନ୍ଧନରୁ ମୁକ୍ତି ପାଇ ପୃଥିବୀ ଉପରେ ଆବଦ୍ଧ ଜୀବମାନଙ୍କର ମଧ୍ୟରେ ଜୀବମୁକ୍ତ ଆତ୍ମା ପରି ବିଚରଣ କରନ୍ତି . ସାମାଜିକ ଜୀବନ ସେମାନଙ୍କୁ ବାରମ୍ବାର ସେମାନଙ୍କ ବନ୍ଧନରେ ଜଡେଇବାର ଚେଷ୍ଟା କରନ୍ତି, କିନ୍ତୁ ସେ ପ୍ରେମ ବ୍ୟତୀତ ଅନ୍ୟ ସବୁକୁ ଅସାର ଭାବୁଥିଲେ, ତାହା ଆର୍ଥିକ ପ୍ରଶ୍ନ ହେଉ, ଅବା ରାଜନୈତିକ ଆନ୍ଦୋଳନ, ମୋତିହାରୀର ଅକାଳ ହେଉ ଅବା କୋରିଆର ଲଢେଇ, ଶାନ୍ତି ପାଇଁ ଅପିଲ ହେଉ ଅବା ସାଂସ୍କୃତିକ ସ୍ୱାଧୀନତାର ଘୋଷଣାପତ୍ର . କେବଳ ପ୍ରେମ ହିଁ ସତ୍ୟ ପ୍ରେମ ଯାହା ରସ ଅଟେ, ରସ ଯାହା ବ୍ରହ୍ମ ଅଟେ -  (ରସ ୱେ ସଃ -  ବୃହଦାରଣ୍ୟକ ଦେଖନ୍ତୁ -  ) .

          ଆଉ ଏହି ସ୍ୱୟଂ -  ସ୍ୱୀକୃତ ମରଣ ସ୍ଥିତି ଯୋଗୁଁ ଏହା ହେଲା ଯେ ତାଙ୍କର ଗୀତରେ ବହୁତ କରୁଣା, ଦରଦ ଓ ନିରାଶା ଆସିଗଲା ଏବଂ ଯେହେତୁ ଏହି ପୀଢିର ପ୍ରତ୍ୟେକ ବ୍ୟକ୍ତି ହୃଦୟରେ କେଉଁଠି ନା କେଉଁଠି ମାଣିକ ମୁଲ୍ଲା ଓ ଦେବଦାସ ଦୁହିଁଙ୍କର ଅଂଶ ଅଛି, ତେଣୁ ଲୋକେ ଝୁମିଝୁମି ଉଠନ୍ତି . ଯଦିଓ ସେମାନେ ସମସ୍ତେ ଜଣେ ଜଣେ ଅତି ଚତୁର ଥିଲେ, ମୃତ୍ୟୁ ଗୀତର ପ୍ରଶଂସା କରିବା ପରେ ନିଜ ନିଜର  କାମରେ ଲାଗି
ଯାଉଥିଲେ . କିନ୍ତୁ ମାଣିକ ମୁଲ୍ଲା ନିଶ୍ଚିତ ରୂପେ ଏହା ଅନୁଭବ କରୁଥିଲେ ଯେପରିକି  ସେ ଉଜୁଡା ଚକୋରର ଭାଙ୍ଗି ଯାଇଥିବା ଡେଣା ଅଟନ୍ତି, ଯାହା ଚନ୍ଦ୍ର ପାଖରେ ପହଞ୍ଚିବା ପୂର୍ବରୁ ଭାଙ୍ଗିଯାଇଥିଲା ଓ ପଡି ଯାଇଥିଲା ଏବଂ ପବନଲ ପ୍ରତିଟି ହାଲୁକା ଆଘାତରେ ପଥଚ୍ୟୁତ ହୋଇ ଯାଇଛନ୍ତି . ସତ ଏହା କି ୟାଙ୍କର ନା କିଛି ଦିଗ ଅଛି, ନା ପଥ, ନା ଲକ୍ଷ୍ୟ, ନା ପ୍ରୟାସ ଏବଂ ନା କିଛି ପ୍ରଗତି କାରଣ ପତନକୁ, ତଳେ ପଡିବାକୁ ତ ପ୍ରଗତି କୁହନ୍ତି ନାହିଁ .

          ଏହି ସମୟରେ ମାଣିକ ମୁଲ୍ଲାକୁ ମୁଁ ପଚାରିଲି ଯେ ଏହି ପରିସ୍ଥିତିରେ କେବେ ଆପଣଙ୍କର ମନ ବ୍ୟତିବ୍ୟସ୍ତ ହୋଇନି ? ସେ କହିଲେ (ଶବ୍ଦ ମୋର, ଭାବ ତାଙ୍କର) ଯେ - “ବ୍ୟତିବ୍ୟସ୍ତ କାହିଁକି ନୁହେଁ ? ପ୍ରାୟତଃ ମୁଁ ବ୍ୟତିବ୍ୟସ୍ତ ହେଇ ଯାଉଥିଲି, ଆଉ କିଛି ଏମିତି କୌଶଳ କରୁଥିଲି, ଯେ ମୁଁ ବି ଚମକି ପଡୁଥିଲି . ଆଉ ଅନ୍ୟମାନେ ବି ଚମକି ପଡୁଥିଲେ . ଯାହାଦ୍ୱାରା କି ମୁଁ ପ୍ରାୟ ନିଜକୁ ହିଁ ବିଶ୍ୱାସ ଦେଉଥିଲି ଯେ ମୁଁ ଜୀବିତ ଅଛି, ଆଉ କ୍ରିୟାଶୀଳ ଅଛି .  ଯେପରିକି – କିଛି କହୁଛି, ଆଉ କହୁ କହୁ ଆଉ କିଛି ହେଇଯାଉଛି . ଏହକୁ ସଂକୀର୍ଣ୍ଣମନା ବ୍ୟକ୍ତିମାନେ ମିଛ ବା ଧୋକା ବୋଲି କହିପାରନ୍ତି . କିନ୍ତୁ ଏହା ସୁବ ଅନ୍ୟକୁ କେବଳ ଚମକେଇବା ଥିଲା, ନିଜର ଘାବରେଇବା ଗୁଣରେ ବ୍ୟତିବ୍ୟସ୍ତ ହୋଇ କଡା କଡା କଥା କହିବା, ସବୁ ମର୍ଯ୍ୟାଦାକୁ ଉପାଡି ଫିଙ୍ଗିବାର ଚେଷ୍ଟା କରିବା, ଏହି ସବୁ ମେ ମନର ସେହି ପ୍ରବୃତ୍ତି ଦ୍ୱାରା ପ୍ରେରିତ ଥିଲା, ଯାହା ମୋ ଭିତରର ଜଡତା ଓ ଶୂନ୍ୟପଣର ପରିଣାମ ଥିଲା .”

          କିନ୍ତୁ ଯେତେବେଳେ ଆମେମାନେ ପଚାରିଲୁ ଯେ ଏଥିରେ ତାଙ୍କୁ କଣ ସନ୍ତୋଷ ମିଳୁଥିଲା, ସିଏ କହିଲେ, “ମୁଁ ଅନୁଭବ କରୁଥିଲି ଯେ, ମୁଁ ଅନ୍ୟ ଲୋକଙ୍କଠାରୁ କିଛି ଅଲଗା ଅଟେ . ମୋର ବ୍ୟକ୍ତିତ୍ୱ ସ୍ୱତନ୍ତ୍ର ଅଟେ, ଅଦ୍ୱିତୀୟ ଅଟେ, ଆଉ ସମାଜ ମୋତେ ସହିପାରୁ ନାହିଁ . ସାଧାରଣ ଲୋକ ଅତ୍ୟନ୍ତ ସାଧାରଣ ଅଟେ, ମୋର ପ୍ରତିଭା ସ୍ତର ଠାରୁ ଅନେକ ତଳେ, ମୁଁ ସେମାନଙ୍କୁ ଯେମିତି ମନ ସେମିତି ବହଲେଇ ପାରିବି . ମୋ ଭିତରେ ମୋର ବ୍ୟକ୍ତତ୍ୱ ପ୍ରତି ଏକ ଅନାବଶ୍ୟକ ମୋହ, ଏହାର ବିକୃତିକୁ ବି ପ୍ରତିଭାର ତେଜ ବୋଲି ଭାବିବାର ଭ୍ରମ ଧାରଣା ଓ ନିଜର ଅସାମାଜିକତାକୁ ବି ନିଜର ସଚ୍ଚୋଟତା ବୋଲି ଭାବିବାର ଅନାବଶ୍ୟକ ଦମ୍ଭ ଆସିଯାଇଥିଲା . ଧୀରେ ଧୀରେ ମୁଁ ନିଜକୁ ଏତେ ଭଲ ପାଇବାକୁ ଲାଗିଲି ଯେ ମୋ ମନର ଚାରି ପଟେ ଉଚ୍ଚା ଉଚ୍ଚା କାନ୍ଥ ଠିଆ ହୋଇଗଲା, ଆଉ ମୁଁ ନିଜେ ନିଜର ଅହଙ୍କାର ମଧ୍ୟରେ ବନ୍ଦୀ ହୋଇଗଲି . କିନ୍ତୁ ଏହାର ନିଶା ମୋ ଉପରେ ଏତେ ଗଭୀର ଥିଲା ଯେ ମୁଁ କେବେ ବି ଅସଲ ପରିସ୍ଥିତିକୁ ଜାଣି ପାରିଲି ନାହିଁ .”

          ତେବେ ଆପଣ ଏହି ମନସ୍ଥିତିରୁ କେମିତି ମୁକୁଳିଲେ ?

          “ବାସ୍ତବରେ ଦିନେ ବଡ ବିଚିତ୍ର ପରିସ୍ଥିତିରେ ଏହି ରହସ୍ୟ ମୋ ଭିତରେ ଖୋଲିଲା ଯେ, ସତୀ ଜୀବିତ ଅଛି, ଆଉ ତା ମନରେ ମୋ ପ୍ରତି ପ୍ରେମ ବଦଳରେ ଘୃଣା ଅଛି . ଏହି ଖବର ପାଇବା ମାତ୍ରେ ମୁଁ ସତୀର ମୃତ୍ୟକୁ ନେଇ ଯେଉଁ ବ୍ୟର୍ଥ କଥା ସବୁ ନିଜ ବ୍ୟକ୍ତତ୍ୱର ଚାରି ପଟେ ଘେରେଇ ରଖିଥିଲି ତାହା ଖଣ୍ଡ ଖଣ୍ଡ ହୋଇଗଲା ଏ ମୁଁ ପୁଣି ଏକ ସ୍ୱାସ୍ଥ୍ୟବାନ୍ ସାଧାରଣ ବ୍ୟକ୍ତି ପରି ହୋଇଗଲି . ”

          ଏହାପରେ ସେ ସେହି ଘଟଣା କହିଲେ :

            ଯେଉଁ ଚାହା ଘରମାନଙ୍କୁ ସେ ଯାଉଥିଲେ, ସେଗୁଡିକର ଚାରିପଟେ ପ୍ରାୟତଃ ଭିକାରୀମାନେ
ବୁଲୁଥିଲେ . ସେ ଚାହା ପିଇସାରି ବାହାରକୁ ଯିବା ମାତ୍ରେ ଭିକାରୀମାନେ ତାଙ୍କୁ ଘେରି ଯାଉଥିଲେ .

          ଦିନେ ସେ ଗୋଟିଏ ନୂଆ ଭିକାରୀକୁ ଦେଖିଲେ . ଏକ ଛୋଟ କାଠର ଗାଡିରେ ସେ ବସିଥିଲା . ତାହାର ଗୋଟିଏ ହାତ କଟି ଯାଇଥିଲା ଏବଂ ଜଣେ ସ୍ତ୍ରୀ ଲୋକ କୋଳରେ ଛୁଆଟିଏ ଧରି ଗାଡି ଠେଲି ଠେଲି ଚାଲି ଆସୁଥିଲା . ସିଏ ଆସି ମାଣିକ ପାଖରେ ଠିଆ ହୋଇଗଲା ଏବଂ ହଳଦିଆ ଦାନ୍ତ ଦେଖାଇ କିଛି କହିଲା ଯେ ମାଣିକ ଆଶ୍ଚର୍ଯ୍ୟ ହୋଇ ଦେଖିଲା ଯେ, ସେ ଭିକାରୀ ହେଉଛି ଚମନ୍ ଠାକୁର, ଆଉ ଇଏ ହେଉଛି ସତୀ . ମାଣିକକୁ ପାଖରେ ଦେଖିବା ମାତ୍ରେ ସତୀ ଚମକିପଡି ଦୁଇ ପାଦ ପଛକୁ ହଟି ଗଲା, ସାଙ୍ଗେ ସାଙ୍ଗେ ତା ହାତ ଅଣ୍ଟା ଉପରକୁ ଆସିଗଲା – ବୋଧ ହୁଏ ଚାକୁ ଖୋଜିବା ପାଇଁ . କିନ୍ତୁ ଚାକୁ ନ ପାଇ ସେ ପୁଣି ପିଆଲା ଉଠେଇଲା ଓ ରକ୍ତ ପିପାସୁ ଦୃଷ୍ଟିରେ ମାଣିକକୁ ଚାହିଁ ଚାହିଁ ଆଗକୁ ବଢିଲା .

          ସତୀ ଜୀବିତ ଅଛି, ଆଉ ପିଲାଛୁଆଙ୍କ ସହ ଖୁସୀ ଅଛି, ଏହା ଦେଖି ମାଣିକ ମନର ସମସ୍ତ ନିରାଶା ଚାଲିଗଲା ଏବଂ ତାକୁ ନୂଆ ଜୀବନ ମିଳିଗଲା ଓ କିଛି ଦିନ ପରେ ହିଁ ଆର୍.ଏମ୍. ଏସ୍.ରେ ତନ୍ନାର ସ୍ଥାନ ଖାଲି ହେବାରୁ କବିତା – କାହଣୀ ଛାଡି ସିଏ ଚାକିରୀ ବି କରିଲା ଏବଂ ସୁଖରେ ରହିଲା . (ଯେମିତି ମାଣିକ ମୁଲ୍ଲାର ଭଲ ଦିନ ଫେରି ଆସିଲା, ସେମିତ ରାମ କରନ୍ତୁ, ସମସ୍ତଙ୍କର ଫେରିଆସୁ ). ଏହାର କିଛି ଦିନ ପରେ ଆମମାନଙ୍କର ମାଣିକ ମୁଲ୍ଲା ସହିତ ଘନିଷ୍ଠ ମିତ୍ରତା ହୋଇଗଲା ଏବଂ ତାଙ୍କ ଜାଗାରେ ଆମମାନଙ୍କର ଆଡ୍ଡା ଜମିବାରେ ଲାଗିଲା .

ମଧ୍ୟାନ୍ତର

          ଯଦିଓ ମୋର ହଜମ ଶକ୍ତି ବି ପ୍ରବଳ ଅଛି ଓ ମୁଁ ଦାନ୍ତେଙ୍କର ଡିଭାଇନ୍ କମେଡି ପଢିନାହିଁ, ତଥାପି ବି ମୁଁ ଗୋଟିଏ ସ୍ୱପ୍ନ ଦେଖୁଅଛି .

          ଚିମିନିରୁ ନିର୍ଗତ ହେଉଥିବା ଧୂଆଁ ଭଳି ଏକ ସପ୍ତରଙ୍ଗୀ ଇନ୍ଦ୍ରଧନୁ ଧିରେ ଧିରେ ଉଦୟ ହେଉଛି . ଆକାଶର ମଝିଆମଝି ଆସି ଇନ୍ଦ୍ରଧନୁ ଟାଙ୍ଗି ହୋଇ ଯାଉଛି .

          ଏକ ଜ୍ଜ୍ୱଳନ୍ତ ଓଠ କମ୍ପି କମ୍ପି ଡାହାଣ ପଟରୁ ଇନ୍ଦ୍ରଧନୁ ଆଡକୁ ଘୁଞ୍ଚି ଆସୁଛି .

          ଡାହାଣ ପଟରୁ ମାଣିକର ଓଠ ଓ ବାମ ପଟରୁ ଲୀଳାର . ଘୁଞ୍ଚି ଘୁଞ୍ଚି ଇନ୍ଦ୍ରଧନୁର ନିକଟତର ହୋଇ ଦୁହେଁ ଅଟକି
ଯାଉଛନ୍ତି .

          ତଳେ ପୃଥିବୀ ପୃଷ୍ଠରେ ମହେସର ଦଲାଲ ଏକ ଗାଡି ଟାଣି ଟାଣି ଆସୁଛି . ଗାଡି ହେଉଛି ଚମନ ଠାକୁରର ଭିକମଗା ଗାଡି . ସେଥିରେ ଛୋଟ ଛୋଟ ଛୁଆମାନେ ବସିଛନ୍ତି . ଯମୁନାର ଛୁଆ, ତନ୍ନାର ଛୁଆ, ସତୀର ଛୁଆ . ଚମନ ଠାକୁରର ଗୋଟିଏ କଟା ହାତ ଅନ୍ଧ ଅଜଗର ଭଳି ଆସୁଅଛି . ଛୁଆମାନଙ୍କ ବେକରେ ଗୁଡେଇ ହୋଇ, ମୋଡିବାରେ ଲାଗୁଛି . ସେମାନଙ୍କର ଗଳା ରୁନ୍ଧି ହୋଇଯାଉଛି .

          ଇନ୍ଦ୍ରଧନୁର ଦୁଇଟି ଶୋଷିଲା ଓଠ ଆହୁରି ନିକଟତର ହୋଇଯାଉଛନ୍ତି .

          ତନ୍ନାର କଟା ପାଦ ଦୁଇଟି ରାକ୍ଷସ ଭଳି ଝୁଲି ଝୁଲି ଆସୁଛନ୍ତି . ସେଥିରେ ନୂଆଁ ଲୁହା ନାଲ ଜଡି ହୋଇ ରହିଛି . ପିଲାମାନେ ତା ତଳେ ମକଚି ହୋଇଯାଉଛନ୍ତି . ସବୁଜ ଘାସ ଦୂର ଦୂର ପର୍ଯ୍ୟନ୍ତ . ବର୍ଷାରେ ସାଇକେଲରେ ମକଚି ହୋଇଥିବା ସାଧବବୋହୁ ଖେଳେଇ ହୋଇ ରହିଛି . ରକ୍ତ ଶୁଖି କରି ଗାଢ କଳା ରଙ୍ଗର ହୋଇ ଯାଇଛି . ଇନ୍ଦ୍ରଧନୁର ଛାଇ ସମସ୍ତ ପାହାଡ ଓ ପଡିଆ ଉପରେ ତେରେଛା ଭାବରେ ପଡିଛି .

          ମାଆମାନେ କାନ୍ଦୁଛନ୍ତି . ଯମୁନା, ଲିଲି ଓ ସତୀ .

          ଦୁଇ ଓଠ ଇନ୍ଦ୍ରଧନୁର ଆହୁରି ନିକଟକୁ ଘୁଞ୍ଚି ଆସୁଛନ୍ତି - ଆହୁରି ନିକଟକୁ - ଆହୁରି ନିକଟକୁ .

          ଗୋଟିଏ କଳାଚାକୁ ଇନ୍ଦ୍ରଧନୁକୁ ରସି ଭଳି କାଟି ଦେଉଛି . ଦୁଇ ଓଠ ଗୋରୁମାଂସର ମୃତ ଖଣ୍ଡ ଭଳି ପଡି ଯାଉଛନ୍ତି .

          ଚିଲ.....ଚିଲ....ଚିଲ.....ପଙ୍ଗପାଳ ଭଳି ଅଗଣିତ ଚିଲ...............

ସପ୍ତମ ଦ୍ୱିପହର

ସୂର୍ଯ୍ୟଙ୍କର ସପ୍ତମ ଘୋଡା

ଅର୍ଥାତ୍ ଯିଏ ସ୍ୱପ୍ନ ପଠାଏ

          ତା ପରଦିନ ମୁଁ ଗଲି, ଆଉ ମାଣିକ ମୁଲ୍ଲାକୁ କହିଲି ଯେ ମୁଁ ଏହି ସ୍ୱପ୍ନ ଦେଖିଛି, ତ ସିଏ ବିଗିଡିଗଲେ : “ଦେଖିଛ ତ ମୁଁ କଣ କରିବି ? ଯେତେବେଳେ ଦେଖ ସେତେବେଳେ, ‘ସ୍ୱପ୍ନ ଦେଖିଛି !’ ଆରେ କେଉଁ ସିଂହ, ଚିତା ଦେଖୁଛ ଯେ ଗାଇ ବୁଲୁଛ !” ଯେତେବେଳେ ମୁଁ ଚୁପ୍ ହେଇଗଲି, ମାଣିକ ମୁଲ୍ଲା ଉଠି କରି ମୋ ପାଖକୁ ଆସିଲେ ଆଉ ସାନ୍ତ୍ୱନା ଭରା ଶବ୍ଦରେ କହିଲେ, “ଏମିତି ସ୍ୱପ୍ନ ତୁମେ ପ୍ରାୟ ଦେଖୁଛ ?” ମୁଁ କହିଲି, ‘ହଁ’ ତ ସିଏ କହିଲେ ‘ଏହାର ମାନେ ହେଲା ଯେ ପ୍ରକୃତି ତୁମକୁ ବିଶେଷ କାର୍ଯ୍ୟ ପାଇଁ ବାଛିଛି ! ଯଥାର୍ଥ ଜୀବନରେ ଅନେକ ପ୍ରହେଳିକାକୁ, ବହୁତ ଜିନିଷରେ ଆନ୍ତରିକ ସମ୍ପନ୍ଧକୁ ଆଉ ସେଗୁଡିକ ମହତ୍ତ୍ୱକୁ ତୁମେ ସ୍ୱପ୍ନରେ ଏକ ଏପରି ବିନ୍ଦୁରେ ଠିଆ ହୋଇ ଦେଖିବ, ଯେଉଁଠାରୁ ଅନ୍ୟମାନେ ଦେଖି ପାରିବେ ନାହିଁ ଏବଂ ନିଜର ସ୍ୱପ୍ନକୁ ନିଜର ସରଳ ଭାଷାରେ ତୁମେ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନା କରିବ . ବୁଝିଲ ? ’ ମୁଁ ମୁଣ୍ଡ ହଲେଇଲି . ହଁ ମୁଁ ବୁଝିଗଲି . ସେ ପୁଣି କହିଲେ, ‘ଆଉ ଜାଣିଛ, ଏ ସ୍ୱପ୍ନ ସୂର୍ଯ୍ୟଙ୍କର ସପ୍ତମ ଘୋଡା ଦ୍ୱାରା ପଠା ଯାଇଛି .’

          ଯେତେବେଳେ ମୁଁ ପଚାରିଲି ଏହି ଆପଦଟି କଣ ତ ଅନ୍ୟ ଲୋକମାନେ ଅଧୀର ହୋଇ ଉଠିଲେ ଆଉ କହିଲେ, ୟେ ସବୁ ମୁଁ ପଛରେ ପଚାରିବି ଆଉ ମାଣିକ ମୁଲ୍ଲାଙ୍କ ଠାରୁ କାହାଣୀ ଶୁଣିବା ପାଇଁ ଜିଗର କଲେ .

          ମାଣିକ ମୁଲ୍ଲା ଆଉ କାହାଣୀ ଶୁଣାଇବା ପାଇଁ ମନା କଲେ, ଆଉ କହିଲେ, ଏକ ଅବିଛିନ୍ନ କ୍ରମରେ ଏତେ ଗୁଡିଏ ପ୍ରେମ କାହାଣୀ ବହୁତ ଅଧିକ ଅଟେ, ସତ କଥା ଏହା କି ଯେ, ସେ ଏତେ ଲୋକଙ୍କର ଜୀବନକୁ ନେଇ ପୁରା ଉପନ୍ୟାସ ହିଁ ଶୁଣେଇ ସାରିଲେଣି . କେବଳ ଏହାର ରୂପ କାହାଣୀ ଭଳି ରଖିଲେ ଯଦ୍ୱାରାକି ପ୍ରତ୍ୟେକ ଦ୍ୱି ପହରରେ ଆମମାନଙ୍କର ଉତ୍ସୁକତା ଯେମିତି ସେମିତି ରହିବ ଆଉ ଆମେମାନେ ବିରକ୍ତି ଅନୁଭବ ନ କରିବୁ . ନ ହେଲେ ସତ କହିଲେ ଏହା ଉପନ୍ୟାସ ହିଁ ଥିଲା, ଆଉ ଏହିପରି ଭାବରେ କୁହା ଯାଇଥିଲା ଯେ, ଯେଉଁ ଲୋକ ସୁଖାନ୍ତ ଉପନ୍ୟାସ ପ୍ରେମୀ, ସେ ଯମୁନାର ସୁଖଦ ବୈଧବ୍ୟ ପାଇଁ ପ୍ରସନ୍ନ ହେବ,  ସ୍ୱର୍ଗରେ ତନ୍ନା ଓ ଯମୁନାର ମିଳନ ପାଇଁ ପ୍ରସନ୍ନ ହେବ, ଲିଲିର ବିବାହରେ ପ୍ରସନ୍ନ ହେବ ଆଉ ସତୀର ଚାକୁ ଠାରୁ ମାଣିକ ମୁଲ୍ଲାର ଜୀବନ ରକ୍ଷା ଯୋଗୁଁ ବି ପ୍ରସନ୍ନ ହେବ ଏବଂ ଯେଉଁ ବ୍ୟକ୍ତି ଦୁଃଖାନ୍ତ ପ୍ରେମୀ ଅଟନ୍ତି, ସେମାନେ ସତୀର ଭିକାରୀ ଜୀବନ ପାଇଁ ଦୁଃଖୀ ହେବେ, ତନ୍ନାର ରେଳ ଦୁର୍ଘଟଣା ପାଇଁ ଦୁଃଖୀ ହେବେ, ଲିଲି ଓ ମାଣିକ ମୁଲ୍ଲାର ଅନନ୍ତ ବିରହ ପାଇଁ ଦୁଃଖୀ ହେବେ. ତତ୍ ସହିତ ମାଣିକ ମୁଲ୍ଲା ଆମକୁ ଏହା ବି ବୁଝେଇ ଥିଲେ ଯେ ଯଦିଓ ଏହାକୁ ପ୍ରେମ କାହାଣୀ କୁହାଯାଇଛି, କିନ୍ତୁ ବାସ୍ତବରେ ଏହା ‘ନେତି ପ୍ରେମ କାହାଣୀ . ଅର୍ଥାତ୍ ଯେପରି ଉପନିଷଦଗୁଡିକରେ ବ୍ରହ୍ମ ନାହିଁ ନେତି – ନେତି କହି ବ୍ରହ୍ମର ସ୍ୱରୂପକୁ ନିରୂପଣ କରାଯାଇଛି, ସେହିପରି ଏହି କାହାଣୀଗୁଡିକରେ ଏହା ପ୍ରେମ ନ ଥିଲା, ଏହା ପ୍ରେମ ନ ଥିଲା, ଏହା ପ୍ରେମ ନ ଥିଲା, ’ କହି ପ୍ରେମର ବ୍ୟଖ୍ୟା ଓ ସାମାଜିକ ଜୀବନରେ ଏହାର ସ୍ଥାନକୁ ନିରୂପଣ କରାଯାଇଥିଲା . ‘ସାମାଜିକ ଜୀବନରେ ଉଚ୍ଚାରଣ କରି କରି ମାଣିକ ମୁଲ୍ଲା ପୁଣି କାନ୍ଧ ହଲେଇ ମୋତେ ସଚେତନ କଲେ, ଆଉ କହିଲେ, ତୁମେ ବହୁତ ସ୍ୱପ୍ନ ପ୍ରବଣ ଅଟ ଏବଂ ତୁମେ ଏହି କଥାକୁ ଗଣ୍ଠି କରି ବାନ୍ଧି ନେବା ଉଚିତ ଯେ, ଯେଉଁ ପ୍ରେମ ସମାଜର ପ୍ରଗତି ଆଉ ବ୍ୟକ୍ତିର ବିକାଶରେ ସହାୟକ ହୋଇ ପାରେ ନାହିଁ, ତାହା ନିରର୍ଥକ ଅଟେ . ଏହା ହିଁ ସତ୍ୟ . ଏହା ବ୍ୟତୀତ ପ୍ରେମ ବିଷୟରେ କାହାଣୀଗୁଡିକରେ ଯାହା କିଛି ବି କୁହାଯାଇଛି, କବିତାରେ ଯାହା ଲେଖା ଯାଇଛି, ପତ୍ରିକାରେ ଯାହା ଛପା ଯାଇଛି, ରଙ୍ଗୀନ୍ ମିଛ ବ୍ୟତୀତ ଆଉ କିଛି ନୁହେଁ . ପୁଣି ସେ ଏହା ବି କହିଲେ ଯେ, ସେ ସର୍ବ ପ୍ରଥମେ ପ୍ରେମ କାହାଣୀ ସବୁ ଏଥି ପାଇଁ ଶୁଣେଇଲେ ଯେ ଏହି ପ୍ରୀତି ଭରା ଭ୍ରମ ଆମମାନଙ୍କ ମନରେ ଏପରି ଭାବରେ ଛାଇ ହୋଇ ରହିଛି ଯେ, ଏହା ବ୍ୟତୀତ ଆମେମାନେ କିଛି ବି ଶୁଣିବାକୁ ପ୍ରସ୍ତୁତ ହୋଇ ନ ଥାନ୍ତୁ . (ପରେ ସେ ଅନ୍ୟ ବହୁତ ପ୍ରକାର କଥା ରୂପରେ ଉପନ୍ୟାସ ଶୁଣାଇଲେ, ଯାହାକୁ ଯଦି ଅବସର ମିଳିବ, ତେବେ ଲେଖିବି, ପ୍ରଥମେ ଏହି ମଧ୍ୟରେ ମାଣିକ ମୁଲ୍ଲାଙ୍କ ପ୍ରତିକ୍ରିୟା ଏହି କାହାଣୀ ପ୍ରତି ଜାଣି ନିଏ ).’

          କଥା କ୍ରମ ବିଷୟରେ ସ୍ପଷ୍ଟୀକରଣ ଦେଉ ଦେଉ ସେ କହିଲେ ଯେ ସାତଟି ଦ୍ୱିପହର ପର୍ଯ୍ୟନ୍ତ ଚାଲୁଥିବା ଏହି କ୍ରମ ବହୁତ ପ୍ରକାରର ଧାର୍ମିକ ପାଠ ଚକ୍ର ସମ ଅଟେ, ଯେଉଁଥିରେ କେହି ଜଣେ ସନ୍ଥଙ୍କର ବାଣୀ ବା ଧର୍ମଗ୍ରନ୍ଥର ଏକ ସପ୍ତାହ ପର୍ଯ୍ୟନ୍ତ ପାରାୟଣ ଅଟେ ଏବଂ ପ୍ରତି ଦିନ ସେ ଆମକୁ ଗୋଟିଏ କାହାଣୀ ଶୁଣାଇଲେ ଏବଂ ଶେଷରେ ନିତ୍କର୍ଷ ବାଣ୍ଟିଲେ (ଯଦିଓ ଏଥିରେ ଆଂଶିକ ସତ୍ୟତା ଥିଲା, କାହିଁକି ନା କାହାଣୀଗୁଡିକରେ ସେ ନିତ୍କର୍ଷ କହି ହିଁ ନଥିଲେ !) ମାଣିକ – କଥାଚକ୍ରରେ ଦିନ ସଂଖ୍ୟା ସାତ ରଖିବାର କାରଣ ବୋଧହୁଏ କିଛି କିଛି ସୂର୍ଯ୍ୟଙ୍କର ସାତୋଟି ଘୋଡା ଉପରେ ଆଧାରିତ ଥିଲା .

          ଶେଷରେ ମୁଁ ପୁଣି ପଚାରିଲି ଯେ ସୂର୍ଯ୍ୟଙ୍କର ସାତୋଟି ଘୋଡା ସହିତ ତାଙ୍କର କଣ ଅର୍ଥ ଥିଲା, ଆଉ ସ୍ୱପ୍ନ ସବୁ କେମିତି ସୂର୍ଯ୍ୟଙ୍କର ସାତୋଟି ଘୋଡା ସହ ସମ୍ବନ୍ଧିତ, ତ ସିଏ ଗମ୍ଭୀର ଭାବରେ କହିଲେ, ଦେଖ ଏ କାହାଣୀ ସବୁ ବାସ୍ତବରେ ପ୍ରେମ ନୁହେଁ, ବରଂ ସେହି ଜୀବନକୁ ଚିତ୍ରିତ କରୁଛି, ଯେଉଁଥିରେ କି ଆଜିର ନିମ୍ନ – ମଧ୍ୟବିତ୍ତ ବଞ୍ଚି ରହିଛି . ସେଥିରେ ପ୍ରେମ ଠାରୁ ବେଶୀ ମହତ୍ତ୍ୱପୂର୍ଣ୍ଣ ହେଉଛି, ଆଜିର ଆର୍ଥିକ ସଂଘର୍ଷ, ନୈତିକ ବିଶୃଙ୍ଖଳତା . ତେଣୁ ଏତେ ସବୁ ଅନାଚାର, ନିରାଶା, କଟୁତା ଆଉ ଅନ୍ଧକାର ମଧ୍ୟବର୍ଗୀମାନଙ୍କ ଉପରେ ଛାଇ ରହିଛି . କିନ୍ତୁ କିଛି ନା କିଛି ଏପରି ବସ୍ତୁ ଅଛି, ଯାହା ଆମକୁ ସର୍ବଦା ଅନ୍ଧକାର ଭେଦ କରି ଆଗକୁ ବଢିବା ପାଇଁ, ସାମାଜିକ ବ୍ୟବସ୍ଥାକୁ ବଦଳେଇବା ପାଇଁ ଓ ମାନବିକତାର ସହଜ ମୂଲ୍ୟକୁ ପୁଣି ସ୍ଥାପନ କରିବା ପାଇଁ ଶକ୍ତି ଓ ପ୍ରେରଣା ଦେଉଛି . ତାହାକୁ ଆତ୍ମା କହିପାର କିମ୍ବା ଅନ୍ୟ କିଛି ଏବଂ ବିଶ୍ୱାସ, ସାହସ, ସତ୍ୟ ପ୍ରତି ନିଷ୍ଠା ସେହି ପ୍ରକାସବାହୀ ଆତ୍ମାକୁ ସେହିପରି ଆଗେଇନିଏ, ଯେପରିକି ସାତୋଟି ଘୋଡା ସୂର୍ଯ୍ୟଙ୍କୁ  ଆଗେଇ ନିଅନ୍ତି . କୁହା ମଧ୍ୟ ଯାଇଛି ଯେ, “ସୂର୍ଯ୍ୟର ଆତ୍ମା ଜଗତସ୍ତସ୍ଥୁଷଶ୍ଚ .”

          ବାସ୍ତବରେ ସୂର୍ଯ୍ୟଙ୍କର ରଥକୁ ଆଗକୁ ବଢିବାକୁ ହିଁ ହେବ . ଏପରି ହୋଇଛି ଯେ, ଆମର ବର୍ଗ ବିଗଳିତ, ଅନୈତିକ, ଭ୍ରଷ୍ଟ ଆଉ ଅନ୍ଧକାର ଜୀବନ ଗଳିରେ ଚାଲି ଚାଲି ସୂର୍ଯ୍ୟଙ୍କର ରଥ ଅନେକ ଭାବରେ ଭାଙ୍ଗି ରୁଜି ଯାଇଛି, ଆଉ ବିଚରା ଘୋଡାମାନଙ୍କର ଏହିଭଳି ଅବସ୍ଥା ହୋଇଛି ଯେ, କାହାର ଲାଞ୍ଜ କଟିଯାଇଛି ତ କାହାର ପାଦ ଆଘାତପ୍ରାପ୍ତ ହୋଇଯାଇଛି, ତ କିଏ ଶୁଖି ଶୁଖି କାଠ ହୋଇଯାଇଛି. ଏବେ କେବଳ ଏକମାତ୍ର ଘୋଡା ବଞ୍ଚିଛି, ଯାହାର କି ଡେଣା ଏବେ ବି ମଜବୁତ୍ ଅଛି, ଯିଏ କି ଛାତି ଫୁଲେଇ, ବେକ ବଢେଇ ଆଗକୁ ବଢୁଅଛି . ସେହି ଘୋଡା ହେଉଛି ଭବିଷ୍ୟତର ଘୋଡା, ତନ୍ନା, ଯମୁନା ଓ ସତୀଙ୍କର ଘୋଡା, ଯେଉଁମାନଙ୍କର ଜୀବନ ଆମ ଜୀବନ ଠାରୁ ଶାନ୍ତି ପୂର୍ଣ୍ଣ ଜୀବନ ହେବ, ଅଧିକ ପବିତ୍ର ହେବ, ସେଥିରେ ଅଧିକ ଆଲୋକ ରହିବ, ଅଧିକ ଅମୃତ ରହିବ . ସେହି ସପ୍ତମ ଘୋଡା ଆମର ଆକ୍ଷି ପତାରେ ଭବିଷ୍ୟତର ସ୍ୱପ୍ନ ଆଉ ବର୍ତ୍ତମାନର ନୂତନ ଆକଳନ ପଠାଏ, ଯାହାଦ୍ୱାରା କି ଆମେ ସେହି ରାସ୍ତା ନିର୍ମାଣ କରିପାରିବା, ଯାହା ଉପର ଦେଇ ଭବିଷ୍ୟତର ଘୋଡା ଆସିବ, ଇତିହାସର ସେହି ନୂଆ ପୃଷ୍ଠା ଲେଖିବ, ଯାହାଉପରେ ଅଶ୍ୱମେଧର ଦିଗବିଜୟୀ ଘୋଡା ଦୌଡିବ . ମାଣିକ ମୁଲ୍ଲା ଏହା ବି କହିଲେ ଯେ ଯଦିଓ ବାକି ଛଅ ଘୋଡା ଦୁର୍ବଳ, ରକ୍ତହୀନ ଓ ବିକଳାଙ୍ଗ ଅଟନ୍ତି, କିନ୍ତୁ ସପ୍ତମ ଘୋଡା ତେଜସ୍ୱୀ ଓ ବୀର୍ଯ୍ୟଶାଳୀ ଅଟେ ଏବଂ ଆମକୁ ଆମର ଧ୍ୟାନ ଓ ଆସ୍ଥା ତାହା ଉପରେ ରଖିବା ଉଚିତ .

          ମାଣିକ ମୁଲ୍ଲା ଏହି କଥାକୁ ଧ୍ୟାନରେ ରଖି ମାଣିକ – କଥାଚକ୍ରର ଏହି ପ୍ରଥମ ଶୃଙ୍ଖଳାର ନାମ “ସୂର୍ଯ୍ୟଙ୍କର ସପ୍ତମ ଘୋଡା” ରଖିଥିଲା . ସମ୍ଭବତଃ ଏହି ନାମ ଆପଣଙ୍କୁ ପସନ୍ଦ ନ ଆସିପାରେ, ତେଣୁ ମୁଁ ଏହାକୁ ସ୍ୱୀକାର କରୁଛି ଯେ ଏହା ମୋର ଦତ୍ତ ନୁହେଁ .

          ଶେଷରେ ମୁଁ ଏହା ବି ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ ଏହି ଲଘୁ ଉପନ୍ୟାସର ବିଷୟବସ୍ତୁରେ ଯେଉଁ କିଛି ବି ଭଲ ମନ୍ଦ ଅଛି, ଏହାର ଶ୍ରେୟ ମୋତେ ନୁହେଁ, ମାଣିକ ମୁଲ୍ଲାକୁ ହିଁ ଦିଆଯିବ . କେଳ ନିଜସ୍ୱ ଶୈଳୀରେ ସେହି କଥାକୁ ଆପଣଙ୍କ ସାମ୍ନାରେ ପ୍ରସ୍ତୁତ କରୁଛି . ଏବେ ଆପଣ ମାଣିକ ମୁଲ୍ଲା ଓ ତାଙ୍କର କଥାକୃତି ସମ୍ବନ୍ଧରେ ନିଜର ମତାମତ ସ୍ଥାପନ କରିବା ପାଇଁ ସ୍ୱତନ୍ତ୍ର ଅଟନ୍ତି .

 

 

 

 

 

 

सूरज का सातवां घोडा ଧର୍ମବୀର ଭାରତୀ

Rate the content


Originality
Flow
Language
Cover design

Comments

Post

Some text some message..