Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଦୁହିତା
ଦୁହିତା
★★★★★

© Sagarika Mohanty

6 Minutes   2.7K    16


Content Ranking

ସୁଟକେଶଟାକୁ ହାତରେ ଧରି , ସିପ୍ରା କେତେବେଳୁ ଏରୁଣ୍ଡି ବନ୍ଧ ପାଖରେ ଛିଡା ହେଇଛି । ବାରମ୍ବାର ଡାହାଣ ପାଦକୁ ଆଗକୁ ନେଉଛି , ପୁଣି ପଛକୁ ଫେରେଇ ଆଣୁଛି । ଖୁବ ବିଚଳିତ ହେଇ ପଡୁଛି ସେ । ଲୁହ ଛଳଛଳ ଆଖି ଯୋଡିକୁ ଦେଖିଲେ , ତା ମନ କେତେ ଯେ ଅଶାନ୍ତ ସେକଥା ସହଜରେ ବୁଝି ହେଉଛି । ନିର୍ଜନ ରାତିର ଶେଷ ପ୍ରହରରେ , ଏମିତି ଏକୁଟିଆ ସିପ୍ରାର ଘରୁ ବାହାରି ଯିବାର ଅସଫଳ ପଦକ୍ଷେପ କିଛି ନୂଆ କଥା ନୁହେଁ । ଶାଶୁ ଘର ଲୋକଙ୍କ ଆଖିରୁ ନିଜକୁ ବଞ୍ଚେଇ ସେ ଅନେକ ଥର ଏମିତି ଚେଷ୍ଟା କରି ସାରିଛି ।କିନ୍ତୁ ତାର ଯାତ୍ରା ସେ ଏରୁଣ୍ଡି ବନ୍ଧ ପାଖରେ ହିଁ ଶେଷ ହେଇ ଯାଇଛି । ନିଜକୁ ଖୁବ ଧିକ୍କାରିଛି ।ଏମିତି ଏକ ନିର୍ଲଜ ପଦକ୍ଷେପ ନେବା ପାଇଁ ନିଜକୁ ଶାସ୍ତି ମଧ୍ୟ ଦେଇଛି । ଅଖିଆ ଅପିଆ ଦିନ କଟିଦେଇଛି । ପୁଣି ନିଜ ଜନ୍ମଦାତା , ବାପାଙ୍କ କଥା ଭାବି ଭାବି , ଆଉଥରେ ସେପରି ଭୁଲ ପଦକ୍ଷେପ ନେବାକୁ ସେ ପଛେଇ ଯାଇ ନାହିଁ । ସେ ଜାଣେ , ବାପା ତାର ଏଭଳି ନିଷ୍ପତ୍ତିକୁ କେବେ ହେଲେ ପ୍ରଶ୍ରୟ ଦେବେ ନାହିଁ । ଖୁବ ରକ୍ଷଣଶୀଳ ଲୋକ ସେ । ନିଜ ଜୀବନ ହାରି ଦେବେ ପଛେ , ସିପ୍ରାକୁ କ୍ଷମା ଦେବେ ନାହିଁ । ବୋଉ ଥିଲେ ମଧ୍ୟ ଏ କଥାର ଘୋର ନିନ୍ଦା କରିଥାନ୍ତା ।

ବୋଉର ଦେହାନ୍ତ ପରେ ବାପା ପୁରାପୁରି ଏକୁଟିଆ ହେଇ ଯାଇଛନ୍ତି । ବ୍ଲଡ଼ ପ୍ରେସର ରୋଗୀ ସେ ।କେତେବେଳେ କୋଉ କଥା । ସେଥିପାଇଁ ବୋଉ ସବୁବେଳେ ବାପାଙ୍କ ପଛେ ପଛେ ରହୁଥିଲା । ଆଜି କିନ୍ତୁ ବୋଉର ଗୋଟିଏ କଥା ରହି ରହି ସିପ୍ରା ଗୋଡ଼ରେ ଶିକୁଳି ବାନ୍ଧି ଦେଉଛି । ଶାଶୁ ଘରକୁ ବିଦା ହେଲା ବେଳେ , ପଣତ କାନିରେ ସିପ୍ରା ଆଖିରୁ ଲୁହ ପୋଛୁପୋଛୁ କହିଲା , " ମାଆ ରେ , ଦୁହିତା ଦୁଇ କୁଳକୁ ହିତା । ସବୁଦିନ ଦୁଇ କୁୂଳକ ହିତ ହେଲା ପରି କାମ କରିବୁ । ଏମିତି କିଛି କରିବ ନାହିଁ , ଯୋଉଥି ପାଇଁ ଆମ ମୁଣ୍ଡ ତଳକୁ ହେଇଯିବ ।"

ଦୁହିତା ଦୁଇ କୁଳକୁ ହିତା , ଏଭଳି କଥାଟି କହିବା ଯେତେ ସହଜବୋଧ ହେଇଥାଏ , ତା ପ୍ରକୃତ ଜୀବନରେ ପ୍ରମାଣ କରିବା ଭୀଷ୍ମଙ୍କ ସରଶଯ୍ୟାସମ , କଷ୍ଟଦାୟକ ହେଇଥାଏ । ଯୁଗଯୁଗ ଧରି ନାରୀକୁ ଅବଳା ଓ ଦୁର୍ବଳା ର ଆଖ୍ୟା ଦେଇ ଆସିଛି । ଏଭଳି ଏକ ପ୍ରତିକୂଳ ପରିଚୟ ନେଇ ସେ ଦୁଇକୁଳ କୁ ହିତା ହେବ ବା କେମିତି ?

ଇଂରାଜୀରେ ସ୍ନାତ୍ତକୋତ୍ତର ପାଇବା ପରେ , ଅନ୍ୟ ସହପାଠୀନି ମାନଙ୍କ ପରି , ସିପ୍ରାର ମଧ୍ୟ ଇଛା ଥିଲା ଚାକିରୀ କରିବାକୁ । କିନ୍ତୁ ବୋଉକୁ ବାପାଙ୍କର କଡା ତାଗିଦ ଥିଲା ସିପ୍ରାକୁ ଘର କାମ , ରୋଷେଇ ବାସ ଶିଖେଇବାକୁ । ଝିଅ ଶାଶୂଘରକୁ ଯିବ , ତେଣୁ ବେଳ ଥାଉ ଥାଉ1 ସବୁ ଶିଖିଗଲେ ଭଲ । ସିପ୍ରା ସେସବୁ ଖୁସିରେ ଶିଖିଲା । ତଥାପି ବେଳେ ବେଳେ ଚାକିରୀ କରିବାର ଇଚ୍ଛା ଟା ମନକୁ ବିଚଳିତ କରିଦେଉଥିଲା । ସବୁ ସାଙ୍ଗ ତାର ଚାକିରୀ କରିବା ଆରମ୍ଭ କରିଦେଇଥିଲେ । ସିପ୍ରା ସେମାନଙ୍କ ଠାରୁ ସବୁକ୍ଷେତ୍ରରେ ଆଗୁଆ ଥିଲେ ମଧ୍ୟ ବାପଙ୍କୁ ସେ ବିଷୟରେ କହିବାକୁ ସାହାସ କରି ପାରୁ ନଥିଲା । ଥର ଥର କଣ୍ଠରେ ବୋଉକୁ କହିଥିଲା ଥରେ କିନ୍ତୁ ବୋଉ ର ଉତ୍ତର ତାକୁ ଆହୁରି ନିରାଶ କରିଥିଲା ।

"ମାଆ ରେ , ଝିଅ ଜନ୍ମ ତ ପର ଘରକୁ । ଖୁସିରେ ଯେତିକି ପାରିଲୁ ପଢ଼ିଲୁ । ଏବେ ଶାଶୁ ଘରକୁ ଯିବାର ସଠିକ ସମୟ ଆସିଛି ।"

ସିପ୍ରା ଭାବୁଥିଲା , ସେ ଯାହା ଆଗରେ ଅଳି କରୁଛି , ସେ ବି ତ ସମାଜର ପ୍ରତିବନ୍ଧିତ ନିୟମ ପ୍ରଣାଳୀରେ ବନ୍ଧା !

ଏଭଳି ପରିସ୍ଥିତିରେ ସେ ସୁବୋଧଙ୍କର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଖୁବ ଭଲ କରିଛି ।

ସୁବୋଧ ତାର ସହପାଠୀ ଥିଲେ । ଖୁବ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏକ ମାତ୍ର ପୁଅ । କିନ୍ତୁ ନିଜ ସରଳ ଜୀବନ ଏବଂ ବଳିଷ୍ଠ ବ୍ୟକ୍ତିତ୍ୱ ଦ୍ୱାରା କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କର ପ୍ରିୟ । ଖୁବ ସୁନ୍ଦର କବିତା ଲେଖନ୍ତି । ସିପ୍ରାର ସୌନ୍ଦର୍ଯ୍ୟ ଏବଂ ମିଷ୍ଟ ବ୍ୟବହାରରେ ସୁବୋଧ ଖୁବ ପ୍ରଭାବିତ ହେଲେ । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହେଲା । ପ୍ରକାଶ୍ୟରେ ନହେଲେ ବି ପରୋକ୍ଷରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଲେ । କିନ୍ତୁ ବାହାଘର ପାଇଁ ସୁବୋଧ ଯେତେ ଚେଷ୍ଟା କଲେ ମଧ୍ୟ ସିପ୍ରା କୁ ମାନେଇବା ଏକ ରକମ ଅସମ୍ଭବ ଥିଲା । ବାପାଙ୍କ ଡରରେ ସିପ୍ରା କିଛି କହି ପାରିଲାନି ।ସେ ଜାଣେ , ବାପା ଏଭଳି ସମ୍ପର୍କକୁ କେବେ ହେଲେ ସ୍ୱୀକୃତି ଦେବେ ନାହିଁ । ସୁବୋଧ ମଧ୍ୟ ନିଜ ଭବିଷ୍ୟତ କୁ ନେଇ ଖୁବ ଖାମଖୀଆଲୀ । ସିପ୍ରା ଜାଣେ , ସୁବୋଧ ହିଁ ତା ପାଇଁ ସୁଯୋଗ୍ୟ ପାତ୍ର । କିନ୍ତୁ କେବଳ ତାଙ୍କ ବାପାଙ୍କ ପ୍ରତିଷ୍ଠାକୁ ନେଇ ଘରେ କଥା ହେବା ସମ୍ଭବ ନୁହେଁ ।

ସଠିକ ସମୟରେ ସିପ୍ରାର ବାହାଘର ଇଂଜିନିୟର ବରୁଣ ପଟନାୟକଙ୍କ ସହ ହେଇଗଲା । ସିପ୍ରା ଏବେ ବଡ଼ ଘରର ବୋହୁ । ଚାକର ପୋଇଲି ଯେତେ ଥିଲେ ମଧ୍ୟ ଶାଶୁଙ୍କର ବୋହୁ ରାନ୍ଧଣା ଖାଇବାର ସଉକ ଟା ସିପ୍ରାକୁ ପକ୍କା ରାନ୍ଧୁଣିଆ କରି ସାରିଲାଣି । ସକାଳୁ ସଞ୍ଜ ଯାଏ ସିପ୍ରାକୁ ଫୁରୁସତ ନାହିଁ । ଶାଶୁ ଖୁବ କଡା ମିଜାଜର ଲୋକ । ସିପ୍ରାର ବାପା , ମାଆଙ୍କର ତାଙ୍କ ଘରକୁ ଆସିବା କିମ୍ବା ସିପ୍ରାର ବେଶି ଵାପ ଘରକୁ ଯିବା ତାଙ୍କର ପସନ୍ଦ ନୁହେଁ । ବରୁଣ ମଧ୍ୟ ନିଜ ମାଙ୍କ ବିରୁଦ୍ଧରେ ଶୁଣିବାକୁ ପସନ୍ଦ କରନ୍ତିନି । ତାଙ୍କ ପାଇଁ ତାଙ୍କ ମାଆ ହିଁ ସବୁକିଛି । ଛୋଟ ଥିଲା ବେଳେ ବାପାଙ୍କର ଦେହାନ୍ତ ହେଇ ଯାଇଥିଲା । ମାଆ ଏକୁଟିଆ ତାଙ୍କୁ ମଣିଷ କରିବା ମାଙ୍କ ପକ୍ଷେ କେତେ ଯେ କଷ୍ଟ ହେଇଥିବା , ସେକଥା ସେ ବେଶ ବୁଝି ପାରନ୍ତି । ଶାଶୁଙ୍କର ତାକୁ ଦେଖେଇ ଶିଖେଇ କହିବା , ଚାକର ଚାକରାଣୀଙ୍କ ଆଗରେ ତିରସ୍କାର କରିବାର ଦୁଃଖକୁ ଛାତିରେ ଚାପିଦେଇ ସିପ୍ରା ଲାଗିଥାଏ ସମସ୍ତଙ୍କ ସେବାରେ । ବରୁଣ ଙ୍କୁ ଏସବୁ ଦୁଃଖ କହିବା ଅସମ୍ଭବ । ସେ ପ୍ରଥମରୁ ମନା କରି ଦେଇଛନ୍ତି । ଏମିତିରେ ବାପାଙ୍କୁ ଏସବୁ କହି , ତାଙ୍କୁ ଅଯଥା ଦୁଃଖ ଦେବାକୁ ସିପ୍ରା ଚାହୁଁ ନଥିଲା । ପାଟି ଫିଟେଇ ପ୍ରତିବାଦ କଲେ ବରୁଣଙ୍କର ତା ଉପରେ ଥିବା ବିଶ୍ୱାସକୁ ତ ହରେଇବ , ବୋଉର ସଂସ୍କାର ଉପରେ ମଧ୍ୟ ପ୍ରଶ୍ନ ଉଠିବ ।

ଶାଶୁ ଘରକୁ ଯିବାର ଛଅ ମାସ ହେଲାଣି । ଥରଟିଏ କୁମାର ପୂର୍ଣ୍ଣମୀ ରେ ବାପା ଘରକୁ ଯାଇଥିଲା । ବୋଉ କେତେ ଥର ଖବର ପଠେଇଲାଣି , ବରୁଣ ଙ୍କୁ ଧରି ବୁଲି ଯିବାକୁ , ହେଲେ କେମିତି ସେ ବୁଝେଇବ ଯେ ଏଠି ମନ କଥା କହିବାର ସ୍ବାଧୀନତା ନାହିଁ । ବୋଉ ଭାବୁଛି , ସିପ୍ରା ବଡ ଘର ପାଇ ବାପଘରକୁ ଭୁଲିଗଲାଣି । ହେଲେ ସିପ୍ରା କଣ ଚାହେଁ , ସେକଥା କିଏ ବୁଝୁଛି ! ରଜ ସଂକ୍ରାନ୍ତି ଦିନ ଫୋନ ଆସିଲା । ସେପଟୁ ଖବର ଆସିଲା , ବୋଉ ଦେହ ବହୁତ ଖରାପ । କାଲି ରାତିରୁ ଚେତା ବୁଡି ଯାଇଛି ଯେ , ଏଯାଏ ଫେରିନି । ରୁଦ୍ଧ କଣ୍ଠ ରେ ଯାଇ ଶାଶୁଙ୍କୁ ଅଳି କଲା , ଦୁଇ ଦିନ ଯାଇ ବୋଉ ପାଖରେ ରହି ଆସିବାକୁ । କିନ୍ତୁ ତାଙ୍କ ଠାରୁ କୌଣସୀ ସହାନୁଭୂତି ନ ପାଇ ମନ ବିଦ୍ରୋହ ହେଇ ଉଠିଲା । କହିଲେ , " କଣ ଟିକେ ଦେହ ମୁଣ୍ଡ ହେଇଥିବ । ତୁ ଭୁଆଶୁଣି ଝିଅ ଟେ । ସେଠି ଯାଇ କଣ କରିବୁ ! ରାଜ ସରିଲେ ଯାଇ ଦେଖି ଆସିବୁ । "

କୋହକୁ ଛାତି ତଳେ ଚାପି ଦେଇ ବୋଉ କଥା ଭାବୁଥାଏ । କେତେ ଅଳି ଅରଦଳି ସହି ସେ ତାକୁ ବଡ କରିଥିଲା । ଆଉ ଆଜି ଯେତେବେଳେ ତାର ସେବା ଶୁଶ୍ରୁଷା ଦରକାର , ସେତେବେଳେ ସିପ୍ରା କେବଳ ନିରୁପାୟ ହେଇ ଆଖିରୁ ଲୁହ ଗଡାଉଛି ।

ରଜ ଶେଷ ଦିନ ବୋଉର ମୃତ୍ୟୁ ଖବର ଆସିଲା । ବରୁଣ ସିପ୍ରାକୁ ନେଇ ତାଙ୍କ ଘରକୁ ଚାଲିଗଲେ । ତା ବାପା ସେମାନଙ୍କୁ ଦେଖି ଛୋଟ ପିଲାଙ୍କ ପରି କଇଁ କଇଁ ହେଇ , କୋହର ସବୁ ବନ୍ଧ ଭାଙ୍ଗିଦେଲେ । ସତେ ଯେମିତି , ସିପ୍ରା ତାଙ୍କର ଝିଅ ନୁହେଁ , ପୁଅ । ତା କାନ୍ଧର ସାହାରା ପାଇଲେ ସେ ପୁଣି ଥରେ ଜିଇଁ ଉଠିବେ । ତାଙ୍କୁ ସ୍ୱାନ୍ତନା ଦେବା ଛଡା ସିପ୍ରାର କିଛି କରିବାର କ୍ଷମତା ନଥିଲା ।

ଶାଶୁଙ୍କର କଡା ନିର୍ଦ୍ଧେଶ , ବାହାଘର ବର୍ଷେ ପୁରିନି । ମୃତ୍ତିକା ଘରୁ ସୂର୍ଯ୍ୟାସ୍ତ ପୂର୍ବରୁ ଫେରିବାକୁ ହେବ । ବରୁଣ ହାତ ଘଣ୍ଟାକୁ ଚାହିଁ ସିପ୍ରାକୁ ଇଶାରା ଦେଲେ । ବାପା ଙ୍କୁ ବୁଝେଇ ସୁଝେଇ ସେ ଗାଡ଼ିରେ ବସିଲା ।

ଏତେ ଶୀଘ୍ର ବାପାଙ୍କୁ ଛାଡି ଆସିବାକୁ ଇଚ୍ଛା ହେଉ ନଥିଲା । ହେଲେ ଉପାୟ କଣ । ସମାଜର ନିୟମ କାନୁନ ମଣିଷର ଦୁଃଖ କଷ୍ଟଠାରୁ ଢେର ଉର୍ଦ୍ଧରେ ।

ଶାଶୁ ଘରେ ପହଞ୍ଚି ପୁଣି ଥରେ ସେ ନିଜ କାମରେ ଲାଗିଲା ।

କାନ ଡେରି ଶୁଣିବାକୁ ଚେଷ୍ଟା କରୁଥିଲା , କାହାଠାରୁ କିଛି ସହାନୁଭୂତିର ବାକ୍ୟ । କିନ୍ତୁ ନିରାଶ ହେବାକୁ ପଡିଲା । ଏଠି କିଛି ବଦଳି ନଥିଲା । ଚାହା , ଜଳଖିଆ , ଶାଶୁଙ୍କର ପାନଭଙ୍ଗା , ଚାକର ପୋଇଲିଙ୍କୁ ନେଇ ଗପର ଆସର , ବରୁଣଙ୍କର ଅଫିସ ଯିବା । ହେଲେ ସେଠି ବାପାଙ୍କ ଅବସ୍ଥା କଣ ହେଉଥିବ । ଫୋନ କରି ପଚାରିଲେ କହୁଛନ୍ତି ସବୁ ଠିକ ଅଛି । ସବୁ ଠିକ କେମିତି ଥିବ ! ବୋଉ ବିନା ସେ ଘର ଭୂତ କୋଠୀ ପରି ଲାଗୁଥିବ । ସହଧର୍ମିଣୀ ହେବ ତ ବୋଉ ପରି । ବାପାଙ୍କ କଥାକୁ ଠିକ ଭାବେ ବୁଝି ଘର ଚଳାଉ ଥିଲା । ବାପା ପୁରାପୁରି ତା ଉପରେ ନିର୍ଭରଶୀଳ ଥିଲେ । ଏବେ ସେ କଣ କରିବେ ! ବୋଉ ନାହିଁ ଯେ ଠିକ ସମୟରେ ଔଷଧ ଦେବ । ବଳେଇ କରି ଅଧିକ ଖୁଆଇ ଦେବ ।

ଆଜି ବାପାଙ୍କ କଥା ଶୁଣି ସିପ୍ରା ଟିକେ ଆଶ୍ୱସ୍ତ ହେଲା । କହୁଥିଲେ , ପଡୋଶୀ ଘର ମାଉସୀ ତାଙ୍କ ପାଇଁ ଗୋଟେ ରୋଷେୟା ଯୋଗାଡ଼ କରି ଦେଇଛନ୍ତି ।

କିନ୍ତୁ ଅନ୍ୟାନ୍ୟ କଥା । ନିଜ ପାଇଁ ନିଜେ ଜୀବନ କାଟିବା କେତେ ଯେ ଅସଯ୍ୟକର , ସେ କଥା ନ କହିଲେ ଭଲ । ବାପା ଖୁବ ସ୍ୱାଭିମାନି ଲୋକ। ନିଜ ଅସୁବିଧା କଥା କାହାକୁ କହିବେନି । ନିଜର ଏକମାତ୍ର ଅଲିଅଳି ଝିଅ ପାଖରେ ବି ନୁହେଁ ।

ସେଦିନ ସିପ୍ରାର ଦୁଃଖର ପାହାଡ ଖସି ପଡ଼ିଲା , ଯେତେବେଳେ ତାଙ୍କ ଗାଁ ପଣ୍ଡିତଙ୍କ ପାଖରୁ ନିଜ ବାପାଙ୍କ ଅବସ୍ଥା କଥା ଶୁଣିଲା । ରୋଷେୟା ଯୋଗାଡ଼ କଥା ବିଲକୁଲ ମିଛ । ନିଜେ ରାନ୍ଧି କରି ଖାଉଛନ୍ତି । ଅତ୍ୟନ୍ତ ଦୁର୍ବଳ ହେଇଗଲେଣି । ବ୍ଲଡ଼ ପ୍ରେସର ବଢି ଦିନେ ମୂର୍ଚ୍ଛା ହେଇ ରାସ୍ତାରେ ପଡି ଯାଇଥିଲେ । ଗାଁ ଲୋକ ସେବା କରି ଭଲ କରିଛନ୍ତି । ଆଉ ବେଶି କାହା ସହ କଥା ବାର୍ତା କରୁ ନାହାନ୍ତି । ସିପ୍ରାକୁ କିଛି ନ କହିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ସିପ୍ରା ଦୁଃଖରେ ଭାଙ୍ଗି ପଡ଼ିଲା । ଶାଶୁଙ୍କୁ କିମ୍ବା ବରୁଣଙ୍କୁ ଏକଥା କହି , ଆଉ ତିରସ୍କୃତ ହେବାକୁ ଚାହୁଁ ନଥିଲା । ସୁଟକେସ ପ୍ୟାକ କରି ଅନ୍ଧାର ରାତିରେ ଘର ଛାଡ଼ି ବାପ ଘରକୁ ଯିବାକୁ ବାହାରିଲା ବେଳେ ପୁଣି ଥରେ ଅଟକି ଗଲା ଏରୁଣ୍ଡି ବନ୍ଧ ପାଖରେ । ଡାହାଣ ଗୋଡ଼କୁ ଆଗ ପଛ କରି ଭାବୁଥିଲା , ତାର କୋଉ ନିଷ୍ପତ୍ତି ଟା ତାକୁ ପ୍ରକୃତ ଦୁହିତା ର ପରିଚୟ ଦେଇ ପାରିବ ?

ଦୁହିତା ଏରୁଣ୍ଡି ନିଷ୍ପତ୍ତି

Rate the content


Originality
Flow
Language
Cover design

Comments

Post

Some text some message..