Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସବୁଜ ସ୍ଵପ୍ନଟିଏ
ସବୁଜ ସ୍ଵପ୍ନଟିଏ
★★★★★

© Prasanna Kumar Madala

Inspirational Others

3 Minutes   7.0K    17


Content Ranking

ଆଜି କୃଷକ ସମସ୍ୟା ସମ୍ପର୍କରେ ମନରେ ଉଦ୍ରେକ ହୋଇଥିବା ବିଭିନ୍ନ ଦିଗ ପ୍ରତି ଆତ୍ମ ମନ୍ଥନ କଲି । ଇଚ୍ଛା ହେଲା ମୋର ଦୁର୍ଦ୍ଦଶା ଗ୍ରସ୍ତ ଓଡ଼ିଆ ଚାଷୀ ଭାଇମାନଙ୍କ ପାଇଁ ଏକ ପ୍ରେରଣାଦାୟୀ ସନ୍ଦେଶ ଉପସ୍ଥାପନ କରିବାକୁ । ଏଠାରେ ମୁଁ କୌଣସି ପ୍ରବନ୍ଧ ରଚନା କରୁନାହିଁ , କେବଳ ଗୋଟିଏ ସତ୍ୟ ଘଟଣା ଉପରେ ଆଲୋକପାତ କରି ଆଜିର କୃଷି ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ଉତ୍ସାହିତ କରିବା ହିଁ ମୋର ଉଦ୍ଦେଶ୍ୟ । ଯଦି କିଛି ଲୋକ ବି ଏଥିରୁ ଶିକ୍ଷା ଗ୍ରହଣ କରି କାମରେ ଲଗାନ୍ତି ତାହାହେଲେ ଧୀରେ ଧୀରେ ଅନ୍ୟ ମାନେ ବି ପ୍ରେରିତ ହେବେ ବୋଲି ମୋର ବିଶ୍ୱାସ ।

ଗତ ମେ’ ମାସରେ ଟେଲିଭିଜନରେ ଏକ ସୁନ୍ଦର କାର୍ଯ୍ୟକ୍ରମ ଦେଖିଥିଲି । ମହାରାଷ୍ଟ୍ର ରାଜ୍ୟର ବୁନ୍ଦେଲ୍ ଖଣ୍ଡ ଅଞ୍ଚଳରେ ଉତ୍କଟ ଜଳ ଅଭାବ ସହ କୃଷି କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇ ଯାଇଥିଲା । କାରଣ ଅନ୍ୟ କିଛି ନୁହେଁ ,ଯୁବଗୋଷ୍ଠୀ ଅଧିକ ଆଶାବାଦୀ ହୋଇ ଦୂର ସ୍ଥାନକୁ ଜୀବିକା ନିର୍ବାହ ପାଇଁ ପଳାୟନ କରିବା , କୃଷି ପ୍ରତି ଆଗ୍ରହୀ ନହେବା ଆଉ ଯେଉଁମାନେ ଗାଁରେ ରହିଲେ , ସେମାନେ କାମଧନ୍ଦା ନକରି ତାସ୍ ଖେଳ ଓ ନିଶା ସେବନ କରି ସମୟ ବିତାଇବା । ଦୀର୍ଘଦିନ ଏହିପରି ଚାଲିବା ଦ୍ୱାରା ସେ ଅଞ୍ଚଳରେ କ୍ରମେ ଚାଷରେ କ୍ଷତି ହେବା ସଙ୍ଗେ ସଙ୍ଗେ ବୃଷ୍ଟିପାତ ବି ଦିନକୁ ଦିନ କମି ଚାଲିଲା । ଫଳସ୍ୱରୂପ କୃଷକ ଆତ୍ମହତ୍ୟା , ପାରିବାରିକ ହିଂସା ଓ ସାମାଜିକ ଅପରାଧ ବଢ଼ିବାରେ ଲାଗିଲା । ଏପରିକି ନଈ ନାଳ , ଗଡିଆ ପୋଖରୀ ଓ କୂଅ ଆଦି ବେଳକୁ ବେଳ ଶୁଖିଗଲା । ଆଜକୁ ଠିକ୍ ଚାରି ବର୍ଷ ତଳେ ସେ ଅଞ୍ଚଳରେ କୂଅଗୁଡିକର ଜଳ ସ୍ତର ଏପ୍ରିଲ ମେ ମାସ ବେଳକୁ ୨୦୦/୨୫୦ ଫୁଟ ତଳକୁ ଖସି ଯାଇଥିଲା । ଚିନ୍ତା କରନ୍ତୁ କେଡ଼େ ଦୁର୍ବିସହ ହୋଇ ପଡିଥିବ ପିଲା କୁଟୁମ୍ବ ନେଇ ସେଠାରେ ବସବାସ କରିବା ! ଫଳସ୍ୱରୂପ ଧୀରେ ଧୀରେ ଲୋକେ ପଳାୟନ କରିବାକୁ ବାଧ୍ୟ ହେଲେ ।

ଏହିପରି ଏକ ସଙ୍କଟ ଜନକ ପରିସ୍ଥିତିରେ ଜୁଖାନି ଗ୍ରାମର କେହିଜଣେ ଅବଶିଷ୍ଟ ଲୋକଙ୍କୁ ବୁଝାଇ ଶୁଝାଇ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିଲେ । ଗ୍ରାମବାସୀଙ୍କୁ ଏକତ୍ରିତ କରି ବଞ୍ଚିବାର ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ ସିଏ । ବିଧିବଦ୍ଧ ଭାବେ ଏକ ଯୋଜନା ପ୍ରସ୍ତୁତ କରି ସେଥିପାଇଁ ସମସ୍ତଙ୍କୁ ସମର୍ପିତ କରାଇବାରେ ବି ସମର୍ଥ ହୋଇଥିଲେ । ଗାଁ ପାଖରେ ଥିବା ନାଳଟିରେ ବର୍ଷା ଦିନେ ପାଣି ତ ଆସେ କିନ୍ତୁ ବର୍ଷା ଛାଡିଗଲେ ଶୁଖିଯାଏ । କ୍ରମଶଃ ସଙ୍କୁଚିତ ହୋଇ ଠାବେ ଠାବେ ଆଉ ନଦୀ ବୋଲି ଚିହ୍ନି ହୁଏନି । ସର୍ବପ୍ରଥମେ ଏହି ସଂକଳ୍ପ ନିଆଗଲା ଯେ କେହି ଆଉ ନିଶାପାଣି କରିବେନି କି ତାସ୍ ଖେଳରେ ସମୟ ଅପଚୟ କରିବେନି । ତାପରେ ଯୋଜନା ଅନୁସାରେ ସେହି ଛୋଟ ନଦୀରେ ଅଳ୍ପ ଅଳ୍ପ ବ୍ୟବଧାନରେ ପାଞ୍ଚଟି ଘାଇ ତିଆରି କରିବାକୁ ନିଷ୍ପତ୍ତି ନିଆଗଲା । ଗ୍ରାମବାସୀ ନିଜ ଉଦ୍ୟମରେ ନାଳଟିକୁ ଗଭୀର ଓ ଓସାରିଆ କରିବା ସହ ପ୍ରତିବର୍ଷ ଗୋଟିଏ ଘାଇ ବନ୍ଧାଇବାରେ ସଫଳ ହୋଇଥିଲେ । ବର୍ଷା ଦିନେ ସେ ଘାଇ ଭାଙ୍ଗି ନଯିବା ପାଇଁ ମଧ୍ୟ ସତର୍କତା ଅବଲମ୍ବନ କଲେ । ୟା' ଭିତରେ ସେମାନେ ତିନୋଟି ଘାଇ ସଫଳତାର ସହ ତିଆରି କରି ସାରିଛନ୍ତି ଏବଂ ଅନ୍ୟ ଯୋଜନା ଗୁଡିକ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରୟାସ ଜାରି ଅଛି । ମାତ୍ର ଚାରିବର୍ଷ ପରେ ଆଶ୍ଚର୍ଯ୍ୟଜନକ ପରିଣାମ ମିଳିଛି ।

ବର୍ଷା ଜଳ ଅଟକାଇବା ଫଳରେ ସେ ଅଞ୍ଚଳରେ ଏବେ ଅତିକମରେ ସାତ ମାସ କୃଷି ଭିତ୍ତିକ ଅଧ୍ୟବସାୟ ହୋଇ ପାରୁଛି । ଚାଷରେ ଉନ୍ନତି ସହ ଲୋକମାନେ ବୃକ୍ଷରୋପଣ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି। ଏହି ବର୍ଷ ମେ’ ମାସ ବେଳକୁ କୂଅଗୁଡିକର ଜଳ ସ୍ତର ମାତ୍ର ୫୦ ଫୁଟ ତଳେ ଉପଲବ୍ଧ ହେଇପାରିଛି । ଚାଷ ପାଇଁ ଲୋକଙ୍କ ଆଗ୍ରହ ଫେରି ଆସିଛି । ତତ୍ ସହିତ କାମ ଅନ୍ଵେଷଣରେ ବାହାରକୁ ଚାଲି ଯାଇଥିବା କେତେକ ଲୋକ ଫେରି ଆସିଛନ୍ତି । ସେମାନଙ୍କ ସାର୍ଥକ ଉଦ୍ୟମକୁ ପ୍ରଶଂସା କରି ସରକାର ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି । ସେଠାକାର ବର୍ତ୍ତମାନ ପରିସ୍ଥିତି ଦେଖିଲେ ମୋ ମନକୁ ଏହି ପ୍ରଶ୍ନ ଆସେ ଯେ ,ଏହିଭଳି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ କ’ଣ ଆମ ଓଡ଼ିଶାର ଭାଇ ଭଉଣୀ ନେଇ ପାରିବେନି ?

ଆସନ୍ତୁ , ଏଥିରୁ ଶିକ୍ଷା ଲାଭ କରି ଆମେ ସଚେତନ ହେବା ଆଉ ନିଜ ନିଜ ଅଞ୍ଚଳର ସମସ୍ୟା ସବୁ ଆମେ ନିଜେ ସମାଧାନ କରିବା । ଏଥିପାଇଁ ଆମକୁ ଜାତିଗତ , ରାଜନୈତିକ ଭେଦଭାବ ଭୁଲି ପ୍ରଥମେ ଏକ ହେବାକୁ ପଡିବ । ବୃଥା କଳିତରାଜ ଓ ତାସ୍ ଖେଳ ଇତ୍ୟାଦି ଛାଡି ସମୟ ଅପବ୍ୟୟରୁ ନିବୃତ୍ତ ହେବାକୁ ପଡିବ । ଗ୍ରାମ ସଭା ଡକାଇ ଲୋକଙ୍କୁ ବୁଝାଇବା ସହ ଆମ ଅଞ୍ଚଳର ସମସ୍ୟା ପାଇଁ ଦୃଢ ଯୋଜନା ତିଆରି କରିବାକୁ ହେବ । ସେ ଅନୁସାରେ କାମ କଲେ ଆମେ ନିଶ୍ଚୟ ସଫଳ ହେବା ଏବଂ ଅନ୍ୟ ମାନଙ୍କୁ ମଧ୍ୟ ପ୍ରେରଣା ଦେଇ ପାରିବା । ବନ୍ଦେ ଉତ୍କଳ ଜନନୀ ।

ପ୍ରସନ୍ନ କୁମାର ମାଦଳା

କୃଷକ ସମସ୍ୟା ସମ୍ପର୍କ

Rate the content


Originality
Flow
Language
Cover design

Comments

Post

Some text some message..