Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan Sahu

Others

5.0  

Jyotiranjan Sahu

Others

ହଡା ବଳଦ ଆଉ ବାର ମାସିଆ ଉପାଖ୍ୟାନ

ହଡା ବଳଦ ଆଉ ବାର ମାସିଆ ଉପାଖ୍ୟାନ

6 mins
683


ପିଲା ଦିନେ ମୋ ଭଳି ଯେଉଁମାନେ ଓଡିଶାର ସରକାରୀ ବିଦ୍ୟାଳୟ ମାନଙ୍କରେ ପଢିଥିବେ ; ସେମାନେ 'ହଡା ବଳଦର ଆତ୍ମ କାହାଣୀ' ଉପରେ ରଚନାଟିଏ ନିଶ୍ଚୟ ଲେଖିଥିବେ । ହଡା ବଳଦ ତ ହଡା ବଳଦ ! ସେ ବିଷୟରେ ଏତେ କଥା ଚିନ୍ତା କରୁଛି କିଏ ! ତା ବିଷୟରେ ବୁଝିବାକୁ ସେତେବେଳେ ଜ୍ଞାନର ପକ୍ବତା କାହିଁ ! ତେଣୁ ରଚନା ବହିରେ ଯାହା ଥାଏ ତାକୁ କେମିତି ମନେରଖି ପରୀକ୍ଷା ଖାତାରେ ଲେଖାଯିବ ସେଇଟା ହିଁ ହୁଏ ମୂଳ ଲକ୍ଷ୍ୟ ପିଲାଙ୍କର । ହେଲେ ଆଜି ଯେତେବେଳେ ବୟସର ଅପରାହ୍ନରେ ଘରର ଷ୍ଟୋର ରୁମ୍ ସଫା କରୁକରୁ ମୋ କାହାଣୀର ମୁଖ୍ୟ ଚରିତ୍ର ସାଥୀହରା ଅଶୋକ ବାବୁଙ୍କୁ ସାଥୀ ପ୍ରକାଶନୀର ସେ ରଚନା ବହିଟା ମିଳିଗଲା , ସେତେବେଳେ ହଠାତ୍ ହଡା ବଳଦ କଥାଟା ତାଙ୍କର ମନେପଡିଗଲା ଆଉ କାହିଁକି କେଜାଣି ଦେହଟା ଟିକିଏ ଶୀତେଇ ଉଠିଲା । ଲାଗିଲା ଯେମିତି ଏଇଠି କେଉଁଠି ହଡା ବଳଦଟା କୁନ୍ଥେଇ କୁନ୍ଥେଇ ହମ୍ବା ରଡି ଦେଉଛି । କିଛି ସମୟର ନିରବତା ପରେ ସେହି ରଚନା ବହିଟିରେ ବସିଥିବା ଧୂଳିର ମୋଟା ଆସ୍ତରଣକୁ ହାତରେ ଝଡିଦେଇ ଚାଲିଗଲେ ନିଜ ରୁମ୍କୁ । ରୁମ୍ ଭିତରେ ପଡିଥିବା ତାଙ୍କ ଜେଜେବାପା ଅମଳର କାଠ ତିଆରି ଆରାମ ଚେୟାର ଉପରେ ଚୁପ୍ଚାପ୍ ବସିଗଲେ । ବୟସଟା ବି ଆଉ ସାଥୀ ଦେଉନାହିଁ ଅଶୋକ ବାବୁଙ୍କର । ଶରୀରଟା ପାଲଟି ଗଲାଣି ରୋଗର ଗନ୍ତାଘର । ଅନେକ ସମୟରେ ମାନସିକ ପିଡାଟା ଶାରିରୀକ ପିଡାକୁ ବଳିପଡୁଛି । ସେ କିନ୍ତୁ ସ୍ଥିତପ୍ରଜ୍ଞ । ହେଲେ ଆଜି ସେ ପୁରୁଣା ରଚନା ବହିର ' ହଡା ବଳଦ 'ଟା ତାଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେବାପରି ଲାଗୁଛି । ଲାଗୁଛି ଯେମିତି ଆଜି ଅନେକ ବର୍ଷ ପରେ ସେ ହଡା ବଳଦଟା ପୁଣି ଫେରିଛି । ଏହା ଭିତରେ ଜଣାନାହିଁ କେତେବେଳେ ସିଏ ହାତରେ ଧରିଥିବା ରଚନା ବହି ପଛପଟେ ମୁହଁ ଲୁଚାଇ ହଜିଯାଇଥିଲେ ସ୍ମୃତିର ସାମ୍ରାଜ୍ୟରେ । ଯେଉଁ ସାମ୍ରାଜ୍ୟରେ ସେ ନିଜକୁ ରଙ୍ଗପୁର ଗାଁ ହରି ସାହୁର ଚତୁର୍ଥ ଶ୍ରେଣୀ ପଢୁଥିବା ପୁଅ ଅଶୋକ ରୂପେ ଆବିଷ୍କାର କଲେ । ସେହି କଥା ଭାବୁଭାବୁ ଅନେକ ଦିନ ପରେ ଚିନ୍ତାମଗ୍ନ ଅଶୋକ ବାବୁଙ୍କ ଅଜାଣତରେ ତାଙ୍କ ଓଠରେ ଖେଳିଯାଉଥିଲା ଚେନାଏ ହସ । ସ୍ମୃତିର ଦୁନିଆଁରେ ସେ ଦେଖୁଥିଲେ ନିଜର ଡଉଲ ଡାଉଲ ନିରୀହ ଚେହେରାଟିକୁ । ଯେଉଁ ଚେହେରାଟା ଦିନେ ଗାଁ ସାରାର ଅତି ଆପଣାର ଥିଲା ସେହି ଚେହେରାଟି କେମିତି ଏହା ଭିତରେ ନିଜ ଲୋକପାଇଁ ଅଲୋଡା ଅଖୋଜା ପାଲଟିଯାଇଛି । ଆଜି ଅନେକ ଦିନପରେ ନିଜ ସହ ସାକ୍ଷାତ ହୋଇଛି ଅଶୋକ ବାବୁଙ୍କର । ଆଉ ଆଶୋକ ବାବୁ ମଧ୍ୟ ମନଭରି ଦେଖିଚାଲିଥାଆନ୍ତି ନିଜକୁ ।

ସେଦିନର ସେ ସୁନ୍ଦରିଆ ଡଉଲ ଡାଉଲ ହରି ସାହୁ ପୁଅ ଅଶୋକ ପାଠ ପଢାରେ ମଧ୍ୟ ଥିଲା ପ୍ରବୀଣ । ରଙ୍ଗପୁର ଗାଁ ସାରା ଚର୍ଚ୍ଚା 'ପିଲାଟା ଦେଖିବାକୁ ଯେମିତି ପାଠ ପଢାରେବି ସେମିତି ' । ହରି ସାହୁର ବାର ମାଣ ବିଲରେ ବର୍ଷ ସାରା ଫସଲ । ଅଭାବ କଣ ତା ଘରେ କେହି ଜାଣିନଥିଲେ । ଘରେ ଚାରିହଳ ହଳିଆ କୁ ମିଶାଇ ଦଶଟି ବଳଦ , ସାତଟି ଗାଈ ଆଉ ଛେଳି, କୁକୁଡା, ବତକ ଗୁଡା ହିସାବ ନକରିବା ଭଲ । ଏସବୁକୁ ଜଗାରଖା କରୁଥିଲା କଙ୍କା । ହରି ସାହୁ ଘର ବାର ମାସିଆ । ନାଁଟା ସିନା କଙ୍କା ହେଲେ ଆଜିକାଲିର ଛଅ ଜଣ ପିଲାଙ୍କୁ ଏକୁଟିଆ ଉଠାଇ କଚାଡିଦେବ ! କଣ ଖାଉଥିଲା ସିଏ କେଜାଣି ! କିନ୍ତୁ ଯାହାବି ଖାଉଥିବ ସେଥିରେ ନିଶ୍ଚୟ ଭରିରହିଥିବ ଭାରତୀୟତା ଶୁଦ୍ଧତା ଆଉ ପ୍ରକୃତି ସହ ଆତ୍ମୀୟତା । ଗାଈ ଗୋରୁ ବିଲବାଡି ସବୁକାମରେ କଙ୍କା କୁ ଦରକାର । ସେ ନହେଲେ କାମ ହେବନି । ଆବଶ୍ୟ ସେତେବେଳେ ଲୋକମାନେ ଅପାଠୁଆ ଥିଲେ କିନ୍ତୁ ମାନବତାର ପରିଭାଷା ଜାଣିଥିଲେ । ଟଙ୍କାର ମୂଲ୍ୟଟା ନବୁଝିଲେବି ଶ୍ରମର ମୂଲ୍ୟଟା ଜାଣିଥିଲେ । ବୋଧହୁଏ ସେଥିପାଇଁ ଏ ଦେଶର ମାଟିରେ ସୁନା ଫଳୁଥିଲା । କିଏ ଜାଣେ ମୁଁ ସାନ ବେଳେ ପଢିଥିବା ଇଂରାଜୀ ଗଳ୍ପ 'ଏ ଗ୍ରେନ ଦେଟ୍ ୱାଜ୍ ' ମଧ୍ୟ ସତ ହୋଇଥିବ !! ଆଉ ସେ ଗପ ସତ ହେବା ପଛରେ ଏହି କଙ୍କା ପରି ଲୋକଙ୍କ ପ୍ରମୂଖ ଭୂମିକା ଥିବ । ତେବେ ମୋ କାହାଣୀର କଙ୍କା ଥିଲା ହରି ସାହୁର ଡାହାଣ ହାତ । ପୁଅ ଅଶୋକ କିନ୍ତୁ ପାଠ ପଢା ଛଡା ଆଉ ଦୁନିଆଁରେ କିଛି ବୁଝେନା । ହରି ସାହୁର ମଧ୍ୟ ଇଚ୍ଛା ପୁଅ ତାଙ୍କର ଏ ଜମିବାଡି ଧନ୍ଦାରେ ନପଶି ପାଠ ପଢି ଭଲ ଚାକିରି ଖଣ୍ଡେ କରୁ । ସେଦିନ ଖେଳ ଖେଳରେ ଅଶୋକ କଙ୍କା କୁ ପଚାରିଦେଲା " ଆଚ୍ଛା କହିଲୁ ହଡା ବଳଦ ମାନେ କଣ ? ଆମ ସ୍କୁଲରେ ରଚନା ଲେଖିବାକୁ ଦେଇଛନ୍ତି । ତୋ ଛଡା ଆଉ କେହି ଏ ବିଷୟରେ କହିପାରିବେନି " । ଅଶୋକ କଥା ଶୁଣି ବୟସରେ ତା ଠାରୁ ଦଶବର୍ଷ ବଡ ଅକ୍ଷର ବିବର୍ଜିତ କଙ୍କା କହିଲା " ବୁଝିଲୁ ମୁଁ ତ ଇସ୍କୁଲ୍ କେବେ ଯାଇନାହିଁ । ଏ ରଚନା କଣ ମୋତେ ଜଣାନାହିଁ । କହିବୁ ଯଦି ହଡା ବଳଦ ପାଖକୁ ନେଇ ଦେଖେଇଦେବି " । ଏହାପରେ ଦୁହେଁ ଯାଇ ପହଞ୍ଚିଗଲେ ହରି ସାହୁ ଘର ହଡା ବଳଦ ପାଖରେ । ବିଚରାଟାର ଛିଡା ହେବାପାଇଁ ବଳ ନଥିଲା । ଦେହ ଛାଡ ଚମଡାର ଲୋମସବୁ ଝଡିଗଲାଣି । ଜୀବନଟା ଖାଲି ଯାହା ଛନ୍ଦି ହୋଇରହିଛି କିଛି ହାଡ ଉପର ଚମଡା ଛାଉଣୀ ଭିତରେ । ଦୁଇ ଆଖି ତଳେ ଲୁହର ଧାରା କରିନେଇନ୍ତି ନିଜନିଜର ସ୍ଥାୟୀ ଠିକଣା । କେଇ କେରା ଶୁଖିଲା ଘାସର ଆଶ୍ରାରେ ପଡିରହିଥାଏ ସେ ହଡା ବଳଦଟା । କଙ୍କା ପଘାଟା ଫିଟାଇ ଦେଇଥାଏ ତା ବେକରୁ । ଅଶୋକ ଏହା ଦେଖି କଙ୍କା କୁ ପଚାରିଲା " ପଘାଟା ଫିଟାଇ ଦେଇଛୁ ଯେ "? କଙ୍କା କହିଲା " ବିଚରାଟା ଜୀବନ ସାରା ହଳ ବାହିବାହି ବୁଢା ହୋଇଗଲା । ଏବେତ ବୁଢାରୁ ହଡା ହୋଇଗଲାଣି । ଆଉବା ଦିନ କେଇଟା ବଞ୍ଚିବ ! କାହିଁକି ଆଉ ବାନ୍ଧିବି !! କିଛି ହୋଇଗଲେ ହରି ଦା' କୁ ପାପ ଲାଗିବନି "!!! ଏହାର କିଛିଦିନ ପରେ ଦିନେ ବୁଧୁବାରିଆ ହାଟ ପାଳି ଦିନ ସଂଧ୍ୟା ବେଳେ ହରି ସାହୁର ଚିତ୍କାର ଶୁଣି ଘର ଭିତରୁ ଦୌଡିଆସିଲା ଅଶୋକ । ଦେଖିଲା ବାପା ତାର କଙ୍କା କୁ ଖୁବ୍ ପିଟୁଛନ୍ତି । କଙ୍କା କାନ୍ଦିକାନ୍ଦି କୁଟାଗଦା କଡରେ ବସିଥାଏ । ଚୋର ଚୋର ବୋଲି ଶହେ ଚୋର କହି ହରି ସାହୁ କଙ୍କା କୁ ଗାଳି କରୁଥାଏ । କାରଣଟା କଣ ବୋଲି ଜାଣିବା ଆଗରୁ କଙ୍କା କୁ ହରି ସାହୁ କାମରୁ ବାହାର କରିସାରିଥିଲା । ବିଚରା କଙ୍କା କାନ୍ଦିକାନ୍ଦି ଘର ଛାଡି ଯିବା ଆଗରୁ ଛଳ ଛଳ ଆଖିରେ ଅଶୋକକୁ ଶେଷଥର ପାଇଁ କହିଥିଲା" ମୁଁ ତ ବାରମାସିଆ ନା "!! ଆଉ ଏହାପରେ କଙ୍କା କେବେହେଲେ କାମ କରିବାକୁ ହରି ସାହୁ ଘରକୁ ଲେଉଟିନାହିଁ । ପ୍ରକୃତ ଘଟଣାଟା କଣ ବୋଲି ପରେ ଅଶୋକ ଜାଣିବାକୁ ପାଇଲା ଯେ କଙ୍କା କୁଆଡେ ସେ ହଡା ବଳଦ ବିକା ଟଙ୍କା ଚୋରିକରି ଆଉ ଫେରାଇ ନାହିଁ । ଏ କଥାଟା କିନ୍ତୁ ଆଜି ପର୍ଯ୍ୟନ୍ତ ଅଶୋକ ବାବୁଙ୍କୁ ବିଶ୍ବାସ ହୁଏନି । କେମିତି ବିଶ୍ବାସ କରିବେ ! ଯେଉଁ ଲୋକଟା ଗୋଟେ ହଡା ବଳଦର କଷ୍ଟ ବୁଝିପାରୁଥିଲା , ଯେଉଁ ଲୋକଟା ପାପ ପୂଣ୍ୟର ସଂଜ୍ଞା ବୁଝିଥିଲା ସିଏ କେବେହେଲେ ଚୋରର ପରିଚୟ ନେଇ ବଞ୍ଚିପାରେନା । ତେବେ ଚୋରି କରିବାର କାରଣଟା କଣ ଆଜି ଯାଏ ଅସ୍ପଷ୍ଟ । ଆଜିବି ଅଶୋକ ବାବୁଙ୍କ ମସ୍ତିଷ୍କର ଚାରିପଟେ ଘୁରିବୁଲୁଛି ସେ ହଡା ବଳଦଟାକୁ ନେଇ ଅନେକ ପ୍ରଶ୍ନ । କିଏ କିଣିଥିବ ସେ ହଡା ବଳଦଟା ! କଣ କାମ କରିପାରିଥିବ ସେଇଟା ! ତାକୁ ଆଉ କଂସେଇ ହାତକୁ ଟେକିଦେଇ ନଥିଲେ ତ ! କଙ୍କା କଣ ସତରେ ହଡା ବଳଦଟିକୁ ବିକିଦେଇଥିବ ! ବାଉଳି ହେଲା ଭଳି ଅଶୋକ ବାବୁ କହିଲେ " ନା ! ନା ! କଙ୍କା ସେଭଳି କରିପାରେନା ! ହୋଇପାରିଥାଏ ସେ ତାକୁ ବିକି ନାହିଁ । ହୋଇ ପାରିଥାଏ ସେ ହଡାଟାର ଜୀବନ ପାଇଁ ନିଜେ ନିରବି ଯାଇ ସହିଗଲା ସବୁ କଷ୍ଟ ଆଉ ଅପମାନ "!

ସେତେବେଳକୁ ସ୍ମୃତିର ସାମ୍ରାଜ୍ୟରୁ ଲେଉଟାଣି ହୋଇସାରିଥିଲା ଅଶୋକ ବାବୁଙ୍କର । ଏତିକି ବେଳେ ଅଶୋକ ବାବୁଙ୍କ ଲ୍ୟାଣ୍ଡ ଫୋନଟା ବାଜି ଉଠିଲା । ସେପଟୁ ତାଙ୍କର ଏକମାତ୍ର ପୁତ୍ର କହୁଥାଏ " ବାପା ! ମୁଁ ଏଥର ପୂଜାରେ ଘରକୁ ଯାଇପାରିବିନି । କମ୍ପାନୀ ମୋତେ ଏସାଇନମେଣ୍ଟ ଦେଇ ଥାଇଲ୍ୟାଣ୍ଡ ପଠାଉଛି " । ଏହା ଶୁଣି ଅଶୋକ ବାବୁ କହିଲେ " ଆରେ ତୋ ବୁଢା ବାପଟା ପାଖରୁ କଣ ତୋ କମ୍ପାନୀ ଏସାଇନମେଣ୍ଟଟା ଅଧିକ ଜ...ରୁ... " ! ଆଉ ଅଧିକ କିଛି ନଶୁଣି ଅଶୋକ ବାବୁଙ୍କ ପୁଅ ଫୋନ୍ ରିସିଭରଟା ରଖିଦେଲା । ଏପଟେ ଲଦ୍ କରି ସେ ଆରାମ୍ ଚେୟାରଟା ଉପରେ ବସି ନିରାଶାର ଅନ୍ଧକାର ଘରେ ଅଶୋକ ବାବୁ ନିଜକୁ ନିଜେ କହିହେଉଥାନ୍ତି " ବୋଧହୁଏ କଙ୍କା ଆଖିର ଲୁହ ଆଉ ସେ ହଡା ବଳଦର ନିଶ୍ବାସଟା ଆମ ପରିବାର ଉପରେ ପଡି ଯାଇଛି । ସେଦିନ କଙ୍କା ଦୁଇ ବସ୍ତା ଚାଉଳ ଆଉ ତିନି ବେଳା ଆହାର ଚୁକ୍ତିରେ ଆମ ଘରେ ବାର ମାସିଆ ଥିଲା ; ଆଉ ଆଜି ଏ ଘରର ମାଲିକ ବାର୍ଷିକ ଆଠ ଲକ୍ଷ ଟଙ୍କା ପ୍ୟାକେଜ୍ ରେ ଆଉ କେଉଁ ମାଲିକର ବାରମାସିଆ ଅଛି । ବାଃରେ ସମୟ ! ମାଲିକକୁ ଆଜି ପାଠୁଆ ବାର ମାସିଆ ସଜେଇଦେଲୁ । " । ହଠାତ୍ ଅଶୋକ ବାବୁଙ୍କୁ ଲାଗିଲା ଯେମିତି ସେଦିନର ସେ ହଡା ବଳଦଟା ତାଙ୍କ ଆଗରେ ଛିଡା ହୋଇ ହସୁଛି । ଏକ ତୀବ୍ର ଅଟ୍ଟହାସ୍ୟ କରି ନିଃସଙ୍ଗ ଅଶୋକ ବାବୁ କହୁଥାଆନ୍ତି " ଆରେ ! ତୁ ହସୁଛୁ ! ଦେଖ୍ ଆଜି ତୁ ନୁହେଁ ମୁଁ ଗୋଟିଏ ହଡା ବଳଦ ପାଲଟି ଯାଇଛି । ତୋ ପରି ନିଃସଙ୍ଗ ନୀରବ ଅସହାୟ ଆଉ ଅଭିଶପ୍ତ । ଜୀବନ ସାରା ପରିବାର ର ଜଞ୍ଜାଳ ରୂପି ଶଗଡ଼ କୁ ଟାଣି ଟାଣି ମୋ ପରିଚୟ ଗୋଟିଏ ବଳଦର । ଆଉ ଏ ବୁଢା କାଳେ ଏକାକୀ ଅଲୋଡା ଅଖୋଜା ହୋଇ ମୁଁ ପାଲଟି ଗଲିଣି ଗୋଟେ ହଡା ବଳଦ । ହଁ ହଁ ମୁଁ ଆଜି ସେଇ ହଡା ବଳଦ ଆଉ ମୋ ମାଲିକ କଙ୍କା ସାଜି ଆଜି ଆଉ କାହାର ବାର ମାସିଆ " । ଏତିକିବେଳେ କେହିଜଣେ ଡାକିଲା " ଅଶ୍କା" । ଏ ଡାକ ଶୁଣି ଚମକି ଉଠିଲେ ଅଶୋକ ବାବୁ । ଚିହ୍ନିଲା ଚିହ୍ନିଲା ସ୍ବରଟାକୁ କିନ୍ତୁ ଠିକ୍ ବାରିନେଲେ । ବୁଲି ଦେଖିଲା ବେଳକୁ କଙ୍କା ସେ ହଡା ବଳଦଟା ଧରି ଛିଡା ହୋଇଛି । ଓଠରେ ସ୍ମିତ ହସ । କିଛି ବୁଝିପାରୁନଥିଲେ ଅଶୋକ ବାବୁ । ହଠାତ୍ ନଜର ପଡିଲା ଜେଜେ ବାପା ଅମଳର ସେ ଆରାମ ଚେୟାରଟା ଉପରେ । ସେହି ଚେୟାରଟା ଉପରେ କିନ୍ତୁ କେହିଜଣେ ଆରାମ କରୁଥିଲେ । ମୁହଁଟା ଦିଶୁନଥିଲା କାହିଁକିନା ମୁହଁଟାକୁ ଘୋଡାଇ ରଖିଥିଲା ସାଥୀ ପ୍ରକାଶନୀର ଗୋଟିଏ ପୁରୁଣା ରଚନା ବହି...!!! ॥

॥ ଜ୍ୟୋତିରଞନ ସାହୁ ॥

jrs.2013rediffmail@gmail.com


Rate this content
Log in