Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କାନ୍ଥ
କାନ୍ଥ
★★★★★

© SIPRA NAMTA

Drama

8 Minutes   1.6K    24


Content Ranking

" ମା 'ମୋତେ ଗୋଟେ ଆଣ୍ଡ୍ରୋଏଡ଼ ଦରକାର "

- କ'ଣ କହିଲୁ ? ଚମକି ଉଠିଲେ ସୁଚିତ୍ରା ।

- ଗୋଟେ ସ୍ମାର୍ଟ ଫୋନ ....

- ତୋର କଣ ହେବ ସେ ଫୋନ ?ତୁ ଗୋଟେ ବଡ ମଣିଷ ହୋଇଗଲୁ କି ?

- ନା ,ବହିର ଇନସାଇଡ଼ କୋସଚିନ ଆନସର ଖୋଜିବି ।

- ବହି ଗୁଡା କଣ ପୂଜା ହବ ?ଏବେ କଣ ମୋବାଇଲ ରେ ପାଠ ପଢା ହେଉଛି ?ଆମ ବେଳେ ତ କାହିଁ ଏସବୁ ନ ଥିଲା ।

- ଓଃ, ମା ,ଏତେ ଲଙ୍ଗ ଆନସର learn କରି ହେଉନି ।ମୋତେ ସର୍ଟ କଟ ଦରକାର । ନୂଆ ନୋହେଲେ ବି ନ ହେଉ ତମ ମୋବାଇଲରେ କାମ ଚଳେଇନେବି ।

ଲିତୁର କଥା ଶୁଣି ବିରକ୍ତିରେ ନୀରବ ରହିଲେ ସୁଚିତ୍ରା ।ଆଜିକାଲି ପିଲାମାନେ କଣ ଭାବୁଛନ୍ତି କେଜାଣି ,,,

କହି ନିଜ କାମରେ ବ୍ୟସ୍ତ ରହିଲେ । ସେଦିନ ସ୍ୱାମୀଙ୍କ କାନରେ କଥାଟା ପକେଇଦେଇ ପ୍ରତିକ୍ରିୟାକୁ ଅପେକ୍ଷା କଲେ ।

କିଛିଦିନ ତଳେ ଦୁବାଇରେ ରହୁଥିବା ଭଉଣୀର ପୁଅ ତାଙ୍କୁ ଏକ ମୋବାଇଲ ଉପହାର ଦେଇଛି ଏବଂ ତାକୁ ଚଳାଇବାକୁ ନିଜେ ଅକ୍ଷମ ବୋଲି ସେ ଶିଖାଇଦେଇ ଯାଇଛି ,,ଆଉ ଯାହା ଯେତେବେଳେ ଟିକେ ଅଧେ ରହିଯାଏ ଝିଅ ଶିଖାଇ ଦିଏ ।

ସେଇ ଫେସବୁକ ଦେଖିବା ,କମେଣ୍ଟ ଦେବା,, ହୁଆଟ୍ସଆପ ଗ୍ରୁପରେ ମେସେଜ ଦେଖିବା ,,ଆଉ ଦୂରବର୍ତ୍ତୀ ବନ୍ଧୁଙ୍କ ସହିତ କେତେବେଳେ କେମିତି ଚାଟ କରିବା ।ଯେଉଁ କୋଚିଂ ସେଣ୍ଟରରେ ଟ୍ୟୁଟର ଅଛି,ତା'ର ଖବର ରଖିବା ।ବାସ ସେତିକିରେ ତା'ର କାମ ଶେଷ ।ତା'ଦେଖା ଦେଖି ପତି ଦେବ ମଧ୍ୟ ଗୋଟେ ଛୋଟିଆ ସ୍ମାର୍ଟ ଫୋନଟେ କିଣି ଆଣିଲେ ।

ଝିଅକୁ ସବୁ ପଚାରି ବୁଝି କିଛି କିଛି ଶିଖିଗଲେ । ବାପାଙ୍କ ଫୋନକୁ ବିନା କାରଣରେ ଛୁଇଁବା ମନା । ଛୁଇଁବାର କାରଣ ପୁଣି ସେଇୟା ହୋଇଥିବ ଯେ ବାପାଙ୍କର କିଛି ବୁଝିବା ଦରକାର ହେଉଥିବ ,ତେବେ ଯାଇ ତାଙ୍କ ଫୋନ କିଏ ଛୁଇଁ ପାରିବ । ହେଲେ ମାକୁ ଭେଣ୍ଡେଇବା ସହଜ ।ପୁତୁରା କରିଦେଇଥିବା ପାସୱାର୍ଡକୁ ଝିଅ କାଇଦା କରି ଜାଣିନେଲା ଓ ଫୋନରେ ଖେଳ ଆପ ଗୁଡ଼ାଏ ଇଂଷ୍ଟେଲ କରିଦେଲା ।ଫୁରସତରେ ସେସବୁକୁ ନେଇ ଖେଳିବାକୁ ଲାଗେ ।

ସ୍ୱାମୀ ସବୁଦିନ ପରି ପ୍ରତିକ୍ରିୟା ଶୁନ୍ୟ ହୋଇ ,ଯେମିତି ହେଉ ଚଳେଇନିଅ ,ପିଲା ଲୋକ ସାଙ୍ଗ ସାଥୀଙ୍କର ଦେଖି ସେମିତି କହିଦେଉଥିବ ।ତମର ମ୍ୟାନେଜ କରିବା କଥା ନା !

ସବୁକଥାରେ କଣ ନୂଆ କରି ଆଣି ହେବ ?

ହେ... ହେ .....ଆଉ ଅଧିକ କଣ ଆଶା କରିବାର ଥିଲା କି ?

ୟା ଭିତରେ କିଛି ଗାନା ଲୋଡ କରି ତାକୁ କେତେବେଳେ ଶୁଣେ ସେ ,ଆଉ ସାନ ଭଉଣୀକୁ ବି ଶୁଣାଏ ।କିନ୍ତୁ ମନରେ ଗୁଡ଼ାଏ ଟେନ୍ସନ ନେଇ ବିବ୍ରତ ରୁହନ୍ତି ସୁଚିତ୍ରା । ୟା ଭିତରେ କିଛି ସାହିତ୍ୟ ପରିଷଦ ସହିତ ସଂଶ୍ଳିଷ୍ଟ ହୋଇ ପଡିଛନ୍ତି ସେ ।ଫାଙ୍କା ସମୟ ଦେଖି କିଛି ମେସେଜ ପଢ଼ନ୍ତି ଆଉ କିଛି କମେଣ୍ଟ ଦେବା ବି ଅଭ୍ୟାସ ହୋଇଗଲାଣି । ବିଭିନ୍ନ ସ୍ଥାନର ବିଭିନ୍ନ ଘଟଣାର ବର୍ଣ୍ଣନା ପଢି ସେ ଆହୁରି ବ୍ୟସ୍ତ ହୋଇ ପଡନ୍ତି ।ଟ୍ୟୁଟରିଆଲରେ ସେଦିନ ଷ୍ଟାଫଙ୍କ ସହ ଆଲୋଚନା ବେଳେ ଏଇ ଟିନ ଏଜର ମାନଙ୍କ କଥା ବିଶେଷ କରି ଏଡୋଲସେଣ୍ଟ ପିରିୟଡ଼ରେ କେତେ କେୟାର ନେବାକୁ ପଡେ ସେ ବିଷୟରେ ଆଲୋଚନା ପଡିଥିଲା ।ସେଇ କଥା ସବୁ ମନେ ପକେଇ ଭାରି ଡହଳ ବିକଳ ହୁଅନ୍ତି ସୁଚିତ୍ରା । ଝିଅ ଫୋନ ଧରିଲା ମାତ୍ରେ ତାଗିଦା ଆରମ୍ଭ କରିଦିଅନ୍ତି "ଏଇ କଣ କରୁଛୁ ଦେଖା ..,ଫୋନ ଏବେ ରଖ ,..ଯା' ପଢିବୁ ,ସାରଙ୍କ ପାଠ କରିଛୁ ତ ?

- "ହଁ ,ମା ରୁହ ନା ...ଖାଲି ଆଉ ଟିକେ ....."

- ନେଟ ସବୁ ସରିଯିବ .....ଦେ' ଦେ' ଶୀଘ୍ର ଫୋନ ଦେଇ ପାଠ ପାଖରେ ବସ ।

- ଆରେ ନାଇ ,ମୁଁ ନେଟ ସାରୁନି ।ମେକପପ୍ଲସରେ ନେଟ ଦରକାର ହୁଏନି ।ମୁଁ ନିତୁର ଫେସ ମେକପ କରୁଛି ।ହେଇ ଦେଖ .....

- ହଉ ହଉ ହେଲା ,,ଯା ଯା ,।ଫୋଟକୁ ଡିଜାଇନ କରିବା ପରେ ଦେଖି ସୁଚିତ୍ରା କହନ୍ତି।

ସେଦିନ ଜଣେ ଷ୍ଟାଫ ଆସିବାରୁ ସୁଚିତ୍ରା ଟିକେ ବ୍ୟସ୍ତ ରହିଗଲେ ।ପୁଣି ପାଖରେ ଥିବା ଭାଉଜ ମଧ୍ୟ ଆସିଥିଲେ ।ଭାଉଜ ତାଙ୍କ ପଡୋଶୀଙ୍କ କଥାକୁ ଶେୟାର କରୁଥିଲେ -- ,କଣ କହିବ ଶୁଚି ,ମୁଁ ତ ଅବାକ ହୋଇଗଲି ତାଙ୍କ ଝିଆରୀର କୀର୍ତ୍ତି ଶୁଣି ।ଏଇ ମୋବାଇଲ ସବୁ ସାରିଦେଉଛି ଗୋ "।

ଭାଉଜଙ୍କ କଥାରେ ଆହୁରି ବ୍ୟସ୍ତ ଲାଗେ ସୁଚିତ୍ରାଙ୍କୁ । ହଠାତ କିଛି କାମ ପଡିବାରୁ ସେ ଫୋନ ଖୋଜିବାରୁ ତାକୁ ଝିଅ ପାଖରୁ ପାଇଲେ ।ଝିଅ ହଠାତ ଚମକି ପଡିଲା ଏବଂ କଣ ଗୋଟେ ଲେଖିଥିବା କାଗଜଟିକୁ ମୋଡି ଦେଉଥିଲା ।ସୁଚିତ୍ରାଙ୍କର ମଥା ଖରାପ ହୋଇ ଗଲା ।ସେତେବେଳକୁ ଅତିଥି ଯାଇସାରିଥିଲେ ଏବଂ ପତିଦେଵ ଘରକୁ ଆସିସାରିଥିଲେ ।ଭାଉଜଙ୍କ ସହ କଥା ହେଉଥିଲେ ।

--କଣ ଦେଖୁଥିଲୁ କହ ।ମୋତେ ନ କହି କଣ ପାଇଁ ଫୋନ ନେଲୁ । ଦିମାଗ ଖରାପ ହୋଇଗଲା ସୁଚିତ୍ରାଙ୍କର ।ସବୁବେଳେ କଣ ଫୋନ, ଫୋନ ।କଣ ଶିଖୁଛୁ ?ଦେଖା "କିନ୍ତୁ ସବୁ ପ୍ରୟାସ ବିଫଳ ହେଲା । ସୁଚିତ୍ରାଙ୍କର ଆତ୍ମସମ୍ଵରଣ ଜବାବ ଦେଇ ସାରିଥିଲା । ଲିତୁ ଉପରେ ସେତେବେଳକୁ ସେ ସବୁ ପ୍ରକାର ବଳ ପ୍ରୟୋଗ କରିସାରିଥିଲେ । କାନମୁଳିଆ ଚାପଡ଼ଦି'ଟା ବସେଇଦେଇ ,ବିଧା ,ଗୋଇଠା ,ଚୁଟି ଝିଙ୍କା ,ସାରି ଦେଇ ଚିମୁଟି ଦେଉଥାନ୍ତି ହାତ ,ଗୋଡ଼କୁ ,କାଗଜଟିକୁ ହସ୍ତଗତ କରିବାକୁ..,କିନ୍ତୁ ନା ...ଲିତୁ ଯନ୍ତ୍ରଣାରେ ଗଁ ଗଁ କରି ପାଟିରେ କାଗଜଟିକୁ ପୁରେଇଦେଲା ।ତା' ପାଟି ଶୁଣି ପତିଦେଵ ଓ ଭାଉଜ ସେ ଘରୁ ଧାଇଁ ଆସିଲେ । ଲିତୁ ତଳେ ଗଡୁଥିଲା ଓ ସେଇ ଅବସ୍ଥାରେ ସୁଚିତ୍ରା ଧଇଁସଇଁ ହୋଇ ତାଠୁଁ କାଗଜଟିକୁ ହାତେଇବା ପାଇଁ ପିଟିବାକୁ ଦେଖି ପତିଦେଵ ତାଙ୍କୁ ଟାଣିନେଲେ ଓ ଭାଉଜ ଲିତୁକୁ ।ଏଇ ମଉକାରେ ଲିତୁ ସଙ୍ଗେ ସଙ୍ଗେ ଧାଇଁଯାଇ ବାଲକୋନିରୁ ତଳ ଡ୍ରେନକୁ କାଗଜଟି ଫିଙ୍ଗିଦେଲା ।

- ହାଁ... ହାଁ ,କ'ଣ କଲା କ'ଣ କଲା ,,କହି ସୁଚିତ୍ରା ସଙ୍ଗେ ସଙ୍ଗେ ଧାଇଁଗଲେ ତଳକୁ ଏବଂ ନାଳ ପାଣିରୁ କାଗଜଟିକୁ ଗୋଟେଇ ଆଣି ଦେଖିଲେ ଗୋଟେ ଲିଙ୍କର କପି ।

ସୁଚିତ୍ରାଙ୍କ ଏଭଳି ବ୍ୟବହାରରେ ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଵିରକ୍ତ । --"କଣ ଚାଲିଛି ?? ଦେଖେ ..କହି କାଗଜଟିକୁ ସୁଚିତ୍ରାଙ୍କ ହାତରୁ ଛଡେଇ ନେଲେ ପତିଦେଵ ।ଫୋନରେ ସେଇ ଲିଙ୍କ ଓପେନ କରି ଦେଖିଲେ ମାଇକେଲ ଜ୍ୟାକସନର ମ୍ୟୁଜିକ ଡାଉନଲୋଡ଼ ପାଇଁ ଥିଲା । ଅସହ୍ୟ ବିରକ୍ତିରେ ଫାଟିପଡୁଥିଲେ ସେ । ଭାଉଜ ଲିତୁକୁ ଆର କୋଠରୀକୁ ବୁଝାଇବା ପାଇଁ ନେଇଗଲେ ।

*************

ସେଦିନ ରାତିରେ ତୁମୁଳ ଝଡ ବୋହିଗଲା ପତି ପତ୍ନୀଙ୍କ ଭିତରେ ।ସବୁରି ମୂଳକାରଣ ସୁଚିତ୍ରା ବୋଲି ଦାୟୀ କରି ,ଆଜି ମାଇକେଲର ଲାଇଫ ହିଷ୍ଟ୍ରି ଜାଣିବ ....କାଲିକୁ ସନି ଲିଓନ ସମ୍ପର୍କରେ ଜାଣିବାକୁ ଚାହିଁବ ,ତା'ପରେ କଣ କରିପାରିବେ ସୁଚିତ୍ରା ??ପ୍ରଶ୍ନ ଥିଲା ପତିଦେବଙ୍କର ।ଥରେ ଛୁଆ ଅବାଗିଆ ହୋଇଗଲେ ସବୁ ସରିଲା ।କେତେଦିନ ତମେ ଏମିତି ମାରି ପାରିବ ।ବରଂ ତାକୁ ବୁଝେଇ ବଗେଇ ବାଟକୁ ଆଣିବା ପାଇଁ ଚେଷ୍ଟାକର । ସ୍ୱାମୀଙ୍କର କଥା ସବୁ ତୀକ୍ଷ୍ଣ ବର୍ଚ୍ଛା ପରି ଭୂଷି ହୋଇଯାଉଥାଏ ସୁଚିତ୍ରାଙ୍କ ଛାତିରେ ।କ'ଣ କରିବେ ? ଏ କଥା ଯେ କାହା ସହ ଶେୟାର କରିବା ମନା। ଲିତୁକୁ କୁଣ୍ଢେଇ ଗୁମୁରି ଗୁମୁରି କାନ୍ଦି ଥିଲେ ସୁଚିତ୍ରା । ମାଡ ବସି ଫଳି ଯାଇଥିବା ଆଉ ଚିମୁଟା କ୍ଷତ ସ୍ଥାନରେ ମଲମ ଦେବା ସହ ତାଙ୍କ ସ୍ନେହ ସରାଗର ଆଉଁସା ଦେଇ ସଂସ୍କାରର ଅନୁଶାସନରେ ବାନ୍ଧିବାକୁ ଚେଷ୍ଟା କରିଥିଲେ ।କିନ୍ତୁ ଦୁଇଦିନ ଲିତୁ ସ୍କୁଲ ଯାଇପାରିଲା ନାହିଁ ।କ୍ଲାସରେ ଏବସେଣ୍ଟ ପିରିୟଡ଼ର ପାଠ ଗୁଡିକ ତା' ସାଙ୍ଗ ସୀମା ମୋବାଇଲରେ ପଠାଇଦଵ ବୋଲି କହିଲା ।

ତିନି ,ଚାରି ଦିନ ବିତିଯିବା ପରେ ଲିତୁ ମାଆର ଫୋନରେ ତା ସାଙ୍ଗ ପଠାଇଥିବା ବିଷୟକୁ ଲେଖିବ ବୋଲି ମାଆ ଠୁଁ ଅନୁମତି ନେଇ ସେସବୁ ଲେଖିନେଲା ।ଲିତୁକୁ ଇଛା କରି ଆଉ ସନ୍ଦେହ କରୁ ନଥିଲେ ସୁଚିତ୍ରା । ଘର କାମ, ଟ୍ୟୁଟୋରିଆଲ ଓ ନିଜର କିଛି ମୌଳିକ ରଚନା ଓ ପିଲାଙ୍କ ପାଠ ପଢ଼ାରେ ବ୍ୟସ୍ତ ରହୁଥିଲେ ।

ସେଦିନ କିଛି ପ୍ରଶ୍ନ ଉତ୍ତର ନେଟରୁ ସର୍ଚ୍ଚ କରି ଅଫଲାଇନରେ ସେସବୁକୁ ଲେଖିଲା ଲିତୁ ।ତା ସହିତ କିଛି ଖେଳ ମଧ୍ୟ ଖେଳିଲା ।---'ମାଆ ,ଏଇ ଫୋଟ ଗୁଡା ଫ୍ରେମ କରୁଛି।

ତା'ର ଦିନ କେଇଟା ପରେ --'ମାଆ ,ତୁମ ଲେଖିବା ପାଇଁ ବଢିଆ ଆପ ବାଛିଛି ।'.......

--'ମାଆ ସୁରେଖା ତା ଷ୍ଟେଟସ ଛାଡିଛି ,କହୁଥିଲା.. ଦେଖିବୁ ,ଦିଅ ନା ମୋବାଇଲଟା ,ଟିକେ ଦେଖିଥାନ୍ତି ।

ସୁଚିତ୍ରା ବିଶେଷ ବିରୋଧ କରୁନାହାନ୍ତି ।ହଉ ଦେଖୁ ।କିନ୍ତୁ ଦେଖିସାରିବା ପରେ ତାକୁ ବେଶୀ ମୋବାଇଲ ସହ ଆଟାଚ ନ ହେବା ପାଇଁ କହନ୍ତି । ଦୁଇ ଭଉଣୀ ସ୍କୁଲ ଛୁଟି ହେଲେ ଫାଙ୍କା ସମୟରେ ମୋବାଇଲରେ ଖେଳିବାକୁ ଚାହିଁଲେ ,ମନା କରି ହୁଏନାହିଁ ।କୁଆଡେ ବୁଲିବାକୁ ଯିବାର ନାହିଁ ।ଟାଇମ ପାସ ତ କରିବେ ନା !!

କିନ୍ତୁ ବେଳେ ବେଳେ ଵିରକ୍ତ ହୋଇଗଲେ ,ଗାଳି ଦେବାକୁ ଭୁଲନ୍ତି ନାହିଁ । କେତେ ବୁଝେଇବେ ??ସବୁ କଥାକୁ ପଛ କରିଦେଇ ପାଠକୁ ପ୍ରାଧାନ୍ୟ ଦେବାକୁ ଉପଦେଶ ଯେମିତି ପାଣି ଫୋଟୋକା ଭଳି ।ଷ୍ଟାଣ୍ଡାର୍ଡ ସେଭେନ ପାସ କଲା ପରେ ଲିତୁକୁ ଅତି ଦରକାର ନ ହେଲେ ମୋବାଇଲ ବନ୍ଦ ବୋଲି ଘରେ ଘୋଷଣା କରିଦେଲେ ସୁଚିତ୍ରା ।

ଗୋଟେ ପୁରୁଣା ଫୋନର ବ୍ୟବସ୍ଥା କଲେ କେବଳ ପାଠ ଲେଖିବା ପାଇଁ ।ସେଥିରେ କାହାକୁ ବି କଥା ହେଇହେବନି ,ସେଇ ବ୍ୟବସ୍ଥା କଲେ ସେ ।ଏବେ ଲିତୁ ସନ୍ଧ୍ୟା ହେଲେ ଘର ଛାତଉପରକୁ ଯାଏ ।ପଡିଶା ଘରର ତା'ଠାରୁ ଢେର ବଡ ବୟସର ଝିଅ ସାଥୀରେ ଗପେ ।ସାନ ଭଉଣୀ ତାଙ୍କ ଗପ ଶୁଣିଦେଵ ବୋଲି ତାକୁ ସାଙ୍ଗରେ ନିଏନା ।ସେ ଗୋଡ ଛାଟି କାନ୍ଦିଲେ ସୁଚିତ୍ରା ଡକା ପାରନ୍ତି ଲିତୁକୁ । ଡାକ ଶୁଣି ସାଇଁ କିନା ଆସି ପହଁଚିଯାଏ ଲିତୁ । ସୁଚିତ୍ରାଙ୍କୁ ଅଡୁଆ ଲାଗେ ,ଆଉ ବେଶୀ ପିଟା ମାରା କରିବାକୁ । ପତିଦେଵଙ୍କ କଥା ମନକୁ ବ୍ୟତିବ୍ୟସ୍ତ କରିପକାଏ । କୋଉଠି ରହିଲା ,ତାଙ୍କ ଲାଳନ ପାଳନରେ ଭୁଲ ସେଇ ତ୍ରୁଟିକୁ ସେ ଖୋଜି ଖୋଜି ବିରାଟ ଅସହାୟତାର ଶିକାର ହୁଅନ୍ତି । ନିଜ ଉପରେ ଘୋର ବିତୃଷ୍ଣା ଆସେ ।ନିଜ ପିଲାଦିନ କଥା ମନେ ପଡ଼ିଯାଏ । ମା'ଯୋଉଠି ବସିବାକୁ କହିଥିବେ ,ସେଇଠି ବସିଥିବେ ,ସେ ଆସିଲା ଯାଏଁ । ଆଉ ଆଜିର ପିଲାଙ୍କୁ ବାପା ମାଆ ,ଜଗୁଛନ୍ତି ସେମାନଙ୍କ ମନ ଅନୁସାରେ ।କି ବିଚିତ୍ର ଦୁନିଆ ହେଲାଣି । କାହାକୁ କଣ କୁହାଯିବ କିଛି ବୁଝିହେଉନି । ପରିବର୍ତ୍ତିତ ସମୟରେ ତାଳ ଦେଇ ଚଳିବାକୁ ଭାରି କଷ୍ଟ ହେଉଛି ତାଙ୍କୁ ।

ସେତେବେଳେ ଇଟା ସିମେଣ୍ଟ ଓ କଂକ୍ରିଟର ଏତେ ଶକ୍ତ ଓ ଦୃଢ କାନ୍ଥ ନ ଥିଲା ସତ,ସେଇ ଦୁର୍ବଳ ମାଟିର କାନ୍ଥ ଯେଉଁଥିରେ ବର୍ଷା ପାଣି ପଡି ବତୁରି ଯାଏ ,ଭାଙ୍ଗି ପଡେ ତଥାପି ବି ସେ କାନ୍ଥ ଭିତରକୁ ବାହାର ଦୁନିଆର କୌଣସି ମୋହ ଆକର୍ଷଣ କରି ପାରୁ ନ ଥିଲା ।କିନ୍ତୁ ଆଜିର ଯୁଗରେ ଏତେ ଶକ୍ତ କାନ୍ଥ ଓ ସମସ୍ତ ପ୍ରକାର ସୁବିଧା, ସୁଯୋଗ ଥାଇ ମଧ୍ୟ ସେପଟୁ ବି ଧାଇଁ ଆସୁଛି କିଏ ??ଏତେ ଆକର୍ଷଣୀ ନେଇ ??କ'ଣ ଦେଉଛି ସେ ??କିଛି ବୁଝିପାରନ୍ତିନି ସେ । ଓଃ ମୁଣ୍ଡଟା ଗୋଳମାଳ ହୋଇଯାଏ ସୁଚିତ୍ରାଙ୍କର ।**************

--ଲିତୁ.... ଲିତୁ ଉଠ ,ଶୀଘ୍ର ହାତ ମୁହଁ ଧୋଇ ଆ ....

--- "ଓଃ ହୋ ..ମାଆ , ଏତେ ସକାଳୁ". କାନ୍ଥଘଣ୍ଟାକୁ ଚାହିଁ ଦେଖିଲା ଲିତୁ ଭୋର ସାଢେ ପାଞ୍ଚଟା ..

---ହଁ ,ଆ ଉଠ ...,,କହି ତାକୁ ଟାଣି ଟାଣି ଉଠାଇଦେଲେ ସୁଚିତ୍ରା ।ହାତ ମୁହଁ ଧୋଇ ଚକା ମାଡି ବସିଗଲେ ନିଜେ ଏବଂ ଲିତୁକୁ ସେମିତି ବସିବାକୁ କହିଲେ ।

ଓଁ ଓଁ ଓଁ......ଏମିତି ସେଦିନରୁ ଆରମ୍ଭ ହେଲା ପ୍ରାଣାୟାମ।କଷ୍ଟେ ମଷ୍ଟେ ବସି ଲିତୁ ଗୋଟେ ଆଖି ବୁଜି ମାଆକୁ ଦେଖି ଦେଖି ପ୍ରଣାୟାମ କଲା ।ଦିନେ ଦୁଇଦିନ ପରେ ଟିକେ ସହଜ ଲାଗିଲା ତାକୁ ।ଗୋଟେ ସପ୍ତାହ ହୋଇଗଲା , ଲିତୁ ବେଶ ଆରାମରେ ପ୍ରାଣୟମ କରିବାକୁ ଲାଗିଲା ।ମାସଟିଏ ହେଲା ବେଳକୁ ଲିତୁ ଆପେ ସକାଳୁ ଉଠିଯାଇ ପ୍ରାଣୟମ କରିବାକୁ ବସି ଯାଉଛି ।

ତା ଦେଖା ଦେଖି ସାନ ଭଉଣୀ ବି ଯୋଗ ଦେଲାଣି ।ଏବେ କିନ୍ତୁ ଶୋଇବା ବେଳକୁ ପଂଚତନ୍ତ୍ରର କାହାଣୀ ଶୁଣି ଦୁଇ ଭଉଣୀ ଶୋଉଛନ୍ତି । ଫାଲତୁ କଥାରେ ମନ ନଦେଇ ପେଣ୍ଟିଙ୍ଗ ,ରଙ୍ଗ ତୂଳୀ ଧରି ଚିତ୍ର ଆଁକୁଛନ୍ତି ।

କ୍ଲାସ ଟେଷ୍ଟରେ ଏଥର ନିତୁ ଡ୍ରଇଂରେ ଦ୍ଵିତୀୟ ହୋଇଛି ।ଲିତୁ ତା କ୍ଲାସ ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ହୋଇଛି ।

ସୁଚିତ୍ରାଙ୍କ ବିଶ୍ୱାର କାନ୍ଥରେ ଆଉ ମାଟି ବତୁରି ଯାଉନି କି କଂକ୍ରିଟର କାନ୍ଥ କଣା କରି ସେ ପଟରୁ ସନ୍ଦେହ ଆଖି ମାରୁନି ।ଏବେ ସେ ବେଶ ପ୍ରଶାନ୍ତିର ନିଃଶ୍ୱାସ ମାରି ଭାବନ୍ତି , ଏମିତି କାନ୍ଥଟିଏ ପୂର୍ବରୁ ତିଆରି କରିବାର ଥିଲା ବୋଧହୁଏ ..........।

ସିପ୍ରା ନାମତା

ବାରିପଦା ।

ସୁଚିତ୍ରା ଲିତୁ ଫୋନ

Rate the content


Originality
Flow
Language
Cover design

Comments

Post

Some text some message..