Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭୌତିକ କାଣ୍ଡ
ଭୌତିକ କାଣ୍ଡ
★★★★★

© Arabinda Rath

Horror Inspirational Tragedy

12 Minutes   14.4K    14


Content Ranking

ରାଜୁକୁ ମୋଟର ସାଇକେଲ୍ ଯୋର ଚଲାଇବାର ନିଶା ସଦା ବେଳେ ଘାରିଥାଏ। ହାତରେ ଗାଡି ଖଣ୍ଡେ ପଡିଲେ ସେ ଆଉ ଇନ୍ଦ୍ର ଚନ୍ଦ୍ର ମାନେନି। ଜନଗହଳି ରାସ୍ତାରେ ଯୋର ଗାଡି ଚଲାଇ ଯିବାର ମଜା ଅଲଗା ବୋଲି ରାଜୁ ସଦା ବେଳେ କୁହେ। କେତେ ଥର ତା ଗାଡି ଦୁର୍ଘଟଣାରୁ ବଞ୍ଚିଛି ତାର ହିସାବ ନାହିଁ। ସେକଥା ପଚାରିଲେ ହସିଦେଇ କୁହେ --- "ଆରେ ଜୀବନ ମରଣ ଆମ ହାତରେ ନାହିଁ। ଯେତେବେଳେ ଯାହା ହେବାର ଥିବ ହେବ। ଡରିବାର କଣ ଅଛି "।

ଏମିତି କଥା ଶୁଣି କେହି ରାଜୁକୁ ଉପଦେଶ ଦେବାକୁ ବି ଭୟ କରନ୍ତି। ସେମିତି ଦେଖିଲେ ସେ କାହାର କିଛି କ୍ଷତି କରେନି ; ବରଂ ଅନ୍ୟକୁ ସାହାଯ୍ୟ କରି ଆନନ୍ଦ ପାଏ। ଘରେ ବୁଢା ବାପ ଓ ମାଆ। ରୋଜଗାର ବୋଲି କିଛି ନାହିଁ। ମଝିରେ କିଛି ଠିକାଦାରି କାମ ପାଇଲେ ବେଶ୍ କିଛି ରୋଜଗାର ହୋଇ ଯାଏ ଓ ସେଥିରେ ଚାଲେ ତା ସଂସାର। ବଡ କଷ୍ଟରେ ପଇସା ଯୋଗାଡ କରି ଗୋଟେ ମୋଟର ସାଇକେଲ କିଣିଛି ରାଜୁ। ମହା ଆନନ୍ଦରେ ବୁଲୁଥାଏ ସେ ନିଜ ସ୍ଵପ୍ନ ସବାରୀରେ।

ଏମିତି ଦିନେ ଠିକାଦାରି କାମ ପାଇଁ ସେ ଯାଉଥିଲା ଏକ ପାହାଡିଆ ରାସ୍ତାରେ। ଅଙ୍କାବଙ୍କା ରାସ୍ତାରେ ମୋଟର ସାଇକେଲ ଚାଲୁଥିଲା କ୍ଷିପ୍ର ଗତିରେ। ମନେ ମନେ ଗୀତ ବୋଲି ସେ ଦେଖୁଥିଲା ପ୍ରକୃତିର ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ। ଶୁନ୍ ଶାନ୍ ରାସ୍ତାରେ ନ ଥିଲା କାଉ କୋଇଲିର ଚିହ୍ନ। ଗାଡିର ବେଗ ଧିରେ ଧିରେ ବଢିବାରେ ଲାଗିଥିଲା। ଏମିତି ଲାଗୁଥିଲା ସତେ ଯେମିତି ରାଜୁ ଦୌଡ ଲଗାଉଛି ପବନ ସହ। ମନେ ମନେ ହସି ସେ କହୁଥିଲା ଏବେ ଯଦି ଯମରାଜା ବି ଆଗକୁ ଆସିବ ତାକୁ ଉଡେଇ ଚାଲିଯିବ। ମନରେ ନା ଥିଲା ଶଙ୍କା ନା ଆଶଙ୍କା। ସାପ ପରି ରାସ୍ତାରେ ରକେଟ୍ ପରି ଛୁଟି ଚାଲିଥିଲା ମୋଟର ସାଇକେଲ। ଅଚାନକ୍ କିଏ ଜଣେ ଲୋକ ରାସ୍ତା ପାର ହେବା ଦେଖିଲା। କିଛି ବୁଝିବା ଆଗରୁ ସେ ଲୋକଟି ଛିଟିକି ପଡିଲା ରାସ୍ତା କଡକୁ। ରାଜୁ ନିଜକୁ ଆବିଷ୍କାର କଲା ମଝି ରାସ୍ତାରେ। ଗାଡିଟି ପଡିଛି ଖଣ୍ଡେ ଦୂରରେ। ତା ଦେହ ସାରା ଖଣ୍ଡିଆ ହୋଇଯାଇଥାଏ, ମୁଣ୍ଡ ବୁଲେଇ ଦେଉଥାଏ। ଆଉ ବୁଝିବାକୁ ବାକି ରହିଲାନି ଯେ ତା ଗାଡି ଧକ୍କାରେ କିଏ ଜଣେ ପଞ୍ଚତ୍ବପ୍ରାପ୍ତି ପାଇଛି। ରାସ୍ତାରେ ବିଛାଡି ହୋଇ ପଡିଥିଲା ତା'ର ଜିନିଷପତ୍ର। ବଡ କଷ୍ଟରେ ଉଠି ରାଜୁ ଖୋଜିଲା ସେ ଲୋକକୁ ଯାହା ଦେହରେ ଗାଡି ଧକ୍କା ହେଲା। ତା ନଜରରେ ପଡିଲା ଖଣ୍ଡେ ଜରି। ଖୋଲି ଦେଖିଲା ବେଳକୁ କିଛି ଓୌଷଧ ଓ ମେଡିକାଲର ଚିଠା। ଜାଣିବାକୁ ବାକି ରହିଲାନି ଲୋକଟି ଓୌଷଧ ନେଇ ଫେରିଲା ବେଳେ ଦୁର୍ଘଟଣା ଘଟିଲା। ମାତ୍ର ସେ ଲୋକଟିର ଦେଖା ନାହିଁ।

ରାଜୁ ମନେ ମନେ କହିଲା---- ଲୋକଟି ମରି ଗଲା କି ଆଉ !!!!!

ରାସ୍ତା କଡକୁ ଯାଇ ଯାହା ଦେଖିଲା ଆଖିକୁ ବିଶ୍ଵାସ ହେଲାନି। ପାଖରେ ଥିଲା ଏକ ଗଭୀର ଖାଇ, ତଳୁ ଦେଖିଲେ ମୁଣ୍ଡ ବୁଲାଇ ଦେଉଥିଲା। ସେ ନିଶ୍ଚିତ ଥିଲା ଯେ ଲୋକଟି ବୋଧେ ସେହି ଖାଇ ଭିତରେ ପଡି ମରି ଯାଇ ଥିବ। ତା ଛାତିର ସ୍ପନ୍ଦନ ବଢି ଗଲା, ଆଖିକୁ ଜାଲଜାଲୁଆ ଦିଶିଲା। କ'ଣ ସବୁ ଅଚାନକ ଘଟିଗଲା।

ତା ମାନେ କଣ ସେ ଜଣେ ଲୋକକୁ ମାରି ଦେଲା???? କଣ ହେବ ଏବେ ? ସେ କିଛି ଭାବି ପାରିଲାନି। ଯଦି କିଏ ଏ କଥା ଜାଣିବ, ପୋଲିସ୍ କେଶ୍ ହେବ। ପୋଲିସ ବାନ୍ଧି ଜେଲରେ ପୁରେଇବ। ଏମିତି କେତେ କଣ ଭାବନା ମୁଣ୍ଡରେ ପଶି ତାକୁ ପାଗଳ ପ୍ରାୟ କରି ଦେଉଥାଏ । ମୁଣ୍ଡରେ ହାତ ଦେଇ କିଛି ସମୟ ବସି ରହିଲା।

ଭାବିଲା, ଏ ଘଟଣା କେହି ବି ଦେଖି ନାହାନ୍ତି। ସେ ପର୍ଯ୍ୟନ୍ତ କେହି ସେ ରାସ୍ତାରେ ଯିବା ଆସିବା ମଧ୍ୟ କରି ନାହାନ୍ତି। ତେଣୁ କଥାକୁ ଲୁଚେଇ ଦେଲେ, ସାରା ଜୀବନ ଏ ରହସ୍ୟ କେହି ଭେଦି ପାରିବେନି। ତରତର ହୋଇ ରାସ୍ତାରେ ପଡିଥିବା ଓୌଷଧ ଜରିକୁ ସେ ଫିଙ୍ଗିଦେଲା ସେହି ଖାଇକୁ ଯେଉଁ ଠାରେ ସେ ଲୋକର ସତ୍ତା ନିଶ୍ଚିହ୍ନ ହୋଇଯାଇଥିଲା। ଚୁପଚାପ୍ ସେ ଯାଗାରୁ ପଳେଇଲା ; ମାତ୍ର ମନରେ ଥାଏ ଦ୍ବନ୍ଦ ଓ ଆଶଙ୍କା। ମନରେ ବାରମ୍ବାର ଗୋଟିଏ କଥା ଉଙ୍କି ମାରୁଥାଏ -- କିଏ ସେ ଲୋକ, କେଉଁଠି ତା ଘର? କେମିତି ତା ଘର ଲୋକେ ଜାଣିବେ ଏ ଦୁର୍ଘଟଣା ବିଷୟରେ?

ନିଜକୁ ପ୍ରକୃତିସ୍ଥ କରି ଭାବିଲା , ନିଜକୁ ବଞ୍ଚାଇବାକୁ ହେଲେ ତାକୁ ସେ ଯାଗା ଛାଡି ଯିବାକୁ ହେବ ଓ ଏ ଘଟଣା ବିଷୟରେ ସ୍ବପ୍ନରେ ବି କାହାକୁ କହିବା ବିପଜ୍ଜନକ। ଅଗତ୍ୟା ସେ ଯାଗାରୁ ରାଜୁ ତରତର ହୋଇ ଚାଲିଗଲା। ଯାହାହେଉ ଗାଡିଟି ଗୋଟିଏ ଥରରେ ଷ୍ଟାର୍ଟ ହୋଇଗଲା ବୋଲି ରାଜୁ ସେ ଜାଗାକୁ ଅର୍ନ୍ତଧ୍ୟାନ ହେବାରେ ସଫଳ ହେଲା। ମାତ୍ର ଧକ୍କା ଖାଇ ଥିବା ଲୋକଟି ଖାଇ ଭିତରେ ପଡି ମୃତ୍ୟୁବରଣ କଲା। ଘରକୁ ଫେରିବା ପରେ ମଧ୍ୟ ସେ ନିଜକୁ ପ୍ରକୃତିସ୍ଥ କରିପାରୁ ନ ଥିଲା। ଆଖି ବନ୍ଦ କରିବା ମାତ୍ରେ ଦିଶିଯାଉଥିଲା ସେ ଦୁର୍ଘଟଣାର ଚିତ୍ର। ସତେକି ତା ଆଖି ସାମନାରେ ସେ ଘଟଣା ଘଟି ଚାଲିଛି ଅବିରତ, ନିରବଚ୍ଛିନ୍ନ ଭାବରେ।

ଅନୁତାପ ଓ ଭୟରେ ଜର୍ଜରିତ ରାଜୁ ଘରେ ଲୁଚି ରହିବାକୁ ଠିକ୍ ମନେକଲା। କେବଳ ଭାବୁଥାଏ, ଯଦି ପୋଲିସ୍ ଆସି ତା ହାତରେ ହାତକଡି ପକେଇ ବାନ୍ଧିନିଏ ସେ କଣ କରିବ। ଭାଙ୍ଗି ଯାଇ ଥିବା ଗାଡି ଓ ଦେହରେ ଖଣ୍ଡିଆ ଦେଖି ପଡୋଶୀଙ୍କର ଜିଜ୍ଞାସାର ଉତ୍ତର ସେ ଅତି ସହଜ ଭାବରେ ଦେବାରେ ସଫଳ ହେଲା। ଅଚାନକ, ସାମନାରେ ଗାଈ ଆସିଯିବାରୁ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହେଲା ବୋଲି ସମସ୍ତଙ୍କୁ ସେ ସଫେଇ ଦେବାରେ ଲାଗିଲା । ଘଟଣାଟି ସମ୍ପୂର୍ଣ୍ଣ ଭାବରେ ଲୁଚି ଯାଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ପାଖାପାଖି ଦଶ ଦିନପରେ ଖବର କାଗଜର କୋଣରେ ପ୍ରକାଶିତ ଏକ କ୍ଷୁଦ୍ର ସମ୍ବାଦ ତା ନଜରରେ ପଡିଲା--"ଅଜଣା ଗାଡି ଧକ୍କାରେ ଆଦିବାସୀ ଯୁବକର ମୃତ୍ୟୁ"।

ଏକ ନିଶ୍ଵାସରେ ପଢିଗଲା ଖବରକୁ ; ଆଶ୍ଵସ୍ତ ହେଲା ଏହା ଦେଖି ଯେ, ଧକ୍କା ଦେଇଥିବା ଲୋକର ପରିଚୟ ସେ ସମ୍ବାଦରେ ନ ଥିଲା । କିନ୍ତୁ ସେହି ଖବରରେ ଲେଖା ଥିଲା ଯେ, ଲୋକଟିର ସ୍ତ୍ରୀ ବେମାର ଥିଲା ଓ ସେ ଓୌଷଧ ନେଇ ଘରକୁ ଫେରିଲା ବେଳେ ଘଟିଥିଲା ଏ ଘଟଣା। ସଠିକ୍ ସମୟରେ ଓୌଷଧ ନ ପାଇ ସ୍ତ୍ରୀଟି ମଧ୍ୟ ମୃତ୍ୟୁବରଣ କରିଥିଲା। ଏହା ପଢି ରାଜୁର ମନ ଦବି ଗଲା, ମନକୁ ପାପ ଛୁଇଁଲା ଓ ଆତ୍ମଗ୍ଳାନିରେ ମନ ଘାଣ୍ଟି ଚକଟି ହୋଇଗଲା। କିନ୍ତୁ ସେ କରିବ ବା କଣ? କାହାକୁ ଘଟଣା ବିଷୟରେ କହିଲେ ନିଜେ ହଇରାଣରେ ପଡିବ। ବେଶ୍ କିଛି ଦିନ ଯାଏ ରାଜୁ ଗୁମସୁମ ରହିଲା। ଯାହା ହେଲେ ବି ତା ହାତରେ ମଣିଷ ମରିଛି, ବଡ ଜଘନ୍ୟ ପାପ!! କି ପ୍ରାୟଶ୍ଚିତ କରିବ? ନିରୁପାୟ ହୋଇ ଠାକୁରଙ୍କୁ ଡାକିଲା ତାକୁ କ୍ଷମା କରି ଦେବାକୁ।

ସେଦିନ ପର ଠାରୁ ରାଜୁ ମୋଟର ସାଇକେଲ୍ ବେଗ ଆପେ ଆପେ କମି ଗଲା। ଗାଡି ଚଲେଇଲା ବେଳେ, ସେଦିନର ଘଟଣା ତା ଆଖି ଆଗରେ ଭାସି ଉଠେ ଓ ଗାଡିର ବେଗ ମନକୁ ମନ କମି ଯାଏ। ସେ ପାହାଡିଆ ରାସ୍ତାରେ ଯିବାକୁ ସାହାସ କୁଳେଇ ପାରେନି। କିନ୍ତୁ ଦିନେ, ଠିକାଦାରି କାମରେ ତାକୁ ଯିବାକୁ ପଡିଲା ସେଇ ରାସ୍ତାରେ, ଯେଉଁ ସ୍ଥାନରେ ତା ହାତରେ ଜଣେ ନିରିହ ଲୋକର ପ୍ରାଣ ଯାଇଥିଲା।

ବର୍ଷା ଦିନିଆ ଆକାଶରେ ଥିଲା ମେଘର ପସରା। ମଝିରେ ମଝିରେ ଟିକେ ବରଷି, ବର୍ଷା ନିଜର ଅସ୍ତିତ୍ବ ଜାହିର କରୁଥିଲା। ସେ ଜାଗାକୁ ଯିବ କି ନାହିଁ, ଭାବିଲା ବେଳକୁ ସଞ୍ଜ ହୋଇ ଆସୁଥାଏ। ଇଞ୍ଜିନିୟର ଖବର ପଠାଇଥିଲେ, ଯାହା ହେଲେ ବି ତାକୁ ଯିବାକୁ ହବ । ଅନ୍ୟ କିଛି ବାଟ ନ ପାଇ ରାଜୁ ବାହାରିଲା ସେହି ରାସ୍ତା ଦେଇ। କିନ୍ତୁ, କିଛି ଅଘଟଣ ଘଟିଯିବାର ଭୟ ଓ ଆଶଙ୍କା ରାଜୁର ମନକୁ କବଳିତ କରି ଚାଲିଥିଲା। ମନ୍ଥର ଗତିରେ ଗାଡି ଚଳାଇ ପାହାଡି ରାସ୍ତାକୁ ଉଠିବା ଆଗରୁ ସେ ଦେଖିଲା, କଳା ମଚ୍ ମଚ୍ ରଙ୍ଗର ଜଣେ ଲୋକ, ତାକୁ ଜୁଳୁଜୁଳୁ କରି ଦେଖୁଛି। ଗାଡି ପାଖକୁ ନେବାରେ, ସେ କହିଲା-- – ବାବୁ ମୋତେ ଟିକେ ତୁମ ସାଙ୍ଗରେ ନେଇ ଯିବ ! ପାହାଡ ଉପରେ ମୋ ଗାଁ, ମୋତେ ଟିକେ ସେଠିକୁ ନେଇ ଚାଲ୍ ବାବୁ। ବର୍ଷା ଦିନେ ସେଠିକୁ ଯିବା ଭାରି କଷ୍ଟ।

ବିନା ଦ୍ବିଧାରେ ରାଜୁ ସେ ଲୋକଟିକୁ ଗାଡିରେ ବସାଇ, ଭାବିଲା-- ଅନ୍ତତଃ, କିଏ ଜଣେ ସାଙ୍ଗରେ ଥିଲେ, ଏ ଭୀତିପ୍ରଦ ରାସ୍ତାରେ ଯିବାର ଭୌତିକ ଅନୁଭୂତିରୁ ତ୍ରାହି ମିଳିଯିବ।

ଗାଡି କିଛି ବାଟ ଯିବା ପରେ ଲୋକଟି କହିଲା – – ବାବୁ ଟିକେ ଧିରେ ଗାଢି ଚଲେଇ ନେବୁ। ଏ ଯାଗାରେ ବହୁତ୍ ଦୁର୍ଘଟଣା ହୁଏ।

ରାଜୁ ଦେହରେ ବିଦ୍ୟୁତ୍ ଆଘାତର ଝଟକା ମାରିବା ପରି ଲାଗିଲା। ସେ ଭାବିଲା -- ଲୋକଟି କଣ ଜାଣି ପାରିଛି ସେ ଗୋପନ ରହସ୍ୟ ?? ନ ଜାଣିଲା ପରି ରାଜୁ ପଚାରିଲା, କି ଦୁର୍ଘଟଣା କିରେ?

ଲୋକଟି କିଛି ସମୟ ଚୁପ୍ ରହିଲା। କହିଲା --ବାବୁ ସବୁ କଥା ଜାଣି, ଅଜଣା ହେଉଛୁ ନାଇଁ?

ଅଧିକା ଯୁକ୍ତି ନ କରି ରାଜୁ ଗାଡି ଚଲାରେ ମନ ଦେଲା ଓ ଧିରେ ଧିରେ ପାହାଡିଆ ରାସ୍ତାରେ ଉଠିଲା। ଦୁର୍ଘଟଣା ଯାଗା ଆସିବାକୁ ଆଉ କିଛି ବାଟ ବାକି ଥିଲା, ଅଚାନକ୍ ସେ ଲୋକଟି କହିଲା – – ବାବୁ ଗାଡି ରଖ, ମୁଁ ଓହ୍ଲେଇବି।

ଏଥର ରାଜୁକୁ ଟିକେ ଭୟ ଲାଗିଲା। ମନେ ମନେ ଭାବିଲା ଏ ଲୋକ ଏ ଜାଗାରେ କାହିଁକି ରହିଲା। ସେ କଣ ସବୁ ଜାଣି ଏମିତି ଅଭିନୟ କରୁଛି?? ମନରେ ଉଠୁଥିବା ଭାବନାର ଅଡୁଆ ସୁତା ସଜାଡୁ ସଜାଡୁ ସେ ଲକ୍ଷ୍ୟ ଯୋରରେ ବର୍ଷା ପଡିବା ଆରମ୍ଭ ହୋଇଯାଇଛି। ଆକାଶରେ କଳା ହାଣ୍ଡିଆ ମେଘ , ତା ସାଙ୍ଗକୁ ବିଜୁଳି ଓ ଘଡଘଡି। କଣ କରିବ, ମୁଣ୍ଡକୁ ବୁଦ୍ଧିବାଟ ଦିଶୁ ନ ଥାଏ। ଲୋକଟିର ମୁହଁକୁ ଦେଖିଲା, ସେ ଅବିଚଳିତ ହୋଇ ଠିଆ ହୋଇଥିଲା । ବେଳକୁ ବେଳ ବର୍ଷାର ପ୍ରକୋପ ବଢି ଚାଲିଥିଲା। ସେ ଜାଣି ପାରିଲା ଯେ, କୌଣସି ପରିସ୍ଥିତିରେ ମଧ୍ୟ ଆଗକୁ ଯିବା ସମ୍ଭବ ନୁହଁ। ରାଜୁର ଅସହାୟତା ଦେଖି, ସେ ଲୋକଟି କହିଲା, ବାବୁ ବ୍ୟସ୍ତ ହେଉଛୁ କି ? ମୋ ଘର ଏଇ ପାଖରେ, ଚାଲ ଆମ ଘରକୁ ଯିବା। ବର୍ଷା ଛାଡିଲେ ଚାଲିଯିବୁ।

ସେ ସମୟରେ ରାଜୁ ପାଖରେ ଅନ୍ୟ କିଛି ଚାରା ନ ଥିଲା। ସେ ଲୋକକୁ କହିଲା ହଉ ଚାଲ୍ ଯିବା ତୋ ଘରକୁ। ଗାଡିଟି ରାସ୍ତା ଉପରେ ରଖି ଲୋକଟିର ପଛରେ ଚାଲିଲା ରାଜୁ । ଅଣ ଓସାରିଆ ପାହାଡିଆ ରାସ୍ତା, ଟିକେ ଅସାବଧାନ ହେଲେ ପଡି ଯିବାର ଭୟ। ସନ୍ଧ୍ୟା ହୋଇ ଆସୁଥାଏ। ଲୋକଟିର ମୁହଁ ଭଲରେ ଦିଶୁ ନ ଥାଏ। ଯାହା ପଚାରିଲେ ଲୋକଟି କେବଳ " ହୁଁ" "ହୁଁ" କହି ଉତ୍ତର ଦେଉଥାଏ। ସେ ଲକ୍ଷ୍ୟ କଲା ଲୋକଟି ଛୋଟେଇ ଛୋଟେଇ ଚାଲୁ ଥାଏ। ବଡ ସାହାସର ସହ ରାଜୁ ପଚାରିଲା ତାକୁ '' କଣ ହେଇଛି କିରେ, ଗୋଡ ଜଖମ ହେଇଛି କି? ସେଇ ସମାନ ଉତ୍ତର। ହୁଁ...... ଏଥର କିନ୍ତୁ ସେ ଉତ୍ତରରେ ବିରକ୍ତି ଥିଲା।

କିଛି ବାଟ ଗଲା ପରେ ଲୋକ ଟି ଏକ ଭଙ୍ଗା କୁଡିଆ ଆଡକୁ ଇସାରା ଦେଖାଇ କହିଲା-- ଆସେ ମୋ ଘରକୁ। ଘରକୁ ଦେଖି ରାଜୁ କିଛି ବୁଝି ପାରିଲାନି। ଭଙ୍ଗା ଦଦରା ଘରଟିର ଚାଳ ଅଧା ଉଡି ଯାଇଛି। ବର୍ଷା ପାଣି ଚାରି ଆଡେ ଜମି ବଡ ବିକୃତ ଓ ଭୀତିପ୍ରଦ ପରିବେଶ ସୃଷ୍ଟି କରୁଥିଲା।

ଏ ଘରେ କେହି ରହୁ ନାହାନ୍ତି କିରେ?? ଏମିତି କଣ ହେଇଛି ଘର?

ନାଁ ବାବୁ। ମୁଁ ଆଉ ମୋ ସ୍ତ୍ରୀ ରହୁ ଥିଲୁ ଏଠି। ଏବେ ବି ରହୁଛୁ ଏଇଠି। ଯିବୁ କୁଆଡେ ?

କିଛି ବୁଝି ପାରିଲାନି ରାଜୁ, ଏ ଲୋକ ଏମିତି କଣ କହୁଛି। ମନେ ମନେ ଭାବିଲା, ଓଡିଆ ବ୍ୟାକରଣ ଏ ଆଦିବାସୀ ଲୋକ ଜାଣିବେ କୁଆଡୁ। ଅପାଠୁଆ ଲୋକ ବୋଲି ଅତୀତ କାଳ ଓ ଭବିଷ୍ୟତ କାଳ ବିଷୟରେ ଜ୍ଞାନ ରହିବ ବା କୁଆଡୁ। ଲୋକଟି ଘର ଭିତରକୁ ପଶି ବାହାରକୁ ଆସି କହିଲା--

--ବାବୁ ଡିବିରିରେ କିରାସିନି ନାଇଁ। ଏଇ ଅନ୍ଧାରରେ ବସିବାକୁ ହେବ। ଘରେ କନ୍ଦ କେତେଟା ଅଛି, ଭୋକ ଲାଗିଲେ କହିବୁ। ଭାରି ସୁଆଦ ଲାଗିବ, ତୋ ସହରରେ ଏମିତି ଜିନିଷ ମିଳିବନି।

ରାଜୁ ଭାବିଲା ସେ ମହା ଅସୁବିଧାରେ ପଡିଗଲା। ଅଚିହ୍ନା ଏ ଲୋକ ଓ ଅଜବ ତା ବ୍ୟବହାର। ବର୍ଷା ଓ ଅନ୍ଧାର ରାତିରେ କେମିତି ସେ ରହିବ ? ଏମିତି ଭାବିଲା ବେଳକୁ ଦେଖିଲା, ସେ ଲୋକଟି କୁଆଡେ ଚାଲିଗଲା। କଣ କରିବ ଭାବି ଭାବି ଏପଟ ସେପଟ ହେଲା। ସେତିକି ବେଳେ ଘର ଭିତରୁ କାହାର କାନ୍ଦିବା ଶବ୍ଦ ଶୁଭିଲା। କିଏ ଜଣେ ସ୍ତ୍ରୀ ଲୋକ ବାହୁନି ବାହୁନି କାନ୍ଦୁଛି। ତା ପାଖରେ ଥିବା ମୋବାଇଲ୍ ଲାଇଟ୍ ରେ ଦେଖିବାକୁ ଚେଷ୍ଟା କଲା, ମାତ୍ର ଅନ୍ଧାରରେ କିଛି ଦେଖା ଗଲାନି। ତାକୁ ଧିରେଧିରେ ଭୟ ଲାଗିବାକୁ ଆରମ୍ଭ ହେଲା।

ଭିତରୁ ଶୁଭୁଥାଏ " ମୋତେ ଛାଡି କୁଆଡେ ଗଲ....ମୁଁ କଣ କଲି...କଣ ପାଇଁ ତୁମକୁ ଓୌଷଧ ପାଇଁ କହିଲି..... ହସି ହସି ଗଲ, କିନ୍ତୁ ଫେରିଲା ତୁମ ମଲା ଦେହ।

ଚମକି ପଡିଲା ରାଜୁ। ଭାବିଲା ଏ ଘର କାହାର....ଯେଉଁ ଲୋକଟି ତା ଗାଡି ଧକ୍କାରେ ମରିଗଲା ତାର କି ଆଉ????

ତା ପାଦ ତଳୁ ମାଟି ଖସିଲା ପରି ଲାଗିଲା। କିଛି ବାଟ ନ ପାଇ ଏକ ନିଶ୍ବାସରେ ଦୌଡିଲା ସେ ଯାଗାରୁ। ଅନ୍ଧାରରେ କିଛି ଦିଶୁ ନ ଥାଏ, ଝୁଣ୍ଟେଇ ପଡିଲା ଗୋଟେ ପଥର ଉପରେ। ଉଠିଲା ବେଳକୁ ଦେଖିଲା ତା ଦେହ ଖଣ୍ଡିଆ ହୋଇ ଯାଇଛି, ତଥାପି କୌଣସି ମତେ ଦଉଡି ଗାଡି ପାଖକୁ ଆସିଲା। ଦୂରରୁ ଦେଖିଲା କିଏ ଜଣେ ଗାଡି ପାଖରେ ଠିଆ ହୋଇଛି। ତା ମନରେ ଖାଲି ଗୋଟେ ପ୍ରଶ୍ନ ଉଠୁଥିଲା, ସେ ଲୋକର ସ୍ତ୍ରୀ ତ ମରି ଯାଇଥିଲା, ତେବେ ଘର ଭିତରେ କାନ୍ଦୁ ଥିଲା କିଏ?

ଗାଡି ପାଖରେ ପହଞ୍ଚି ଦେଖିଲା ଲୋକଟି ତା ଆଡକୁ ପଛ କରି ଠିଆ ହୋଇଛି। ରାଜୁ ଜାଣି ପାରିଲା ଏଇ ଲୋକଟି ତା ସହ ବସି ଆସିଥିଲା ।ବଡ କଷ୍ଟରେ ତା ପାଖକୁ ଯାଇ ପାହଞ୍ଚିଲା। ସେତେ ବେଳକୁ ବର୍ଷା ଛାଡି ଯାଇ ଥାଏ । ବ୍ୟସ୍ତ ହୋଇ ରାଜୁ ପଚାରିଲା, କିଏ ତୁ? ଲୋକଟି କିଛି କହିଲାନି। ଅନ୍ଧାରରେ କିଛି ଦିଶୁ ନ ଥାଏ। ତା ପିଠିରେ ହାତ ଦେଇ ରାଜୁ ନିଜ ଆଡକୁ ବୁଲେଇ ଦେଲା। ଲୋକଟିର ଦେହ ଓଦା ଲାଗୁଥାଏ। ରାଜୁ ଭାବିଲା ବୋଧେ ବର୍ଷା ପାଣି ହୋଇଥିବ। କିନ୍ତୁ ପିଠିରେ ହାତ ମାରିଲାରୁ ସେ ଜାଣି ପାରିଲା ଯେ ଲୋକଟିର ଦେହରୁ ମାଂସ ଖଣ୍ଡେ ଗଳି ପଡିଲା। ଅଚାନକ ସେ ଜାଗାରେ ଭୀଷଣ ଗନ୍ଧର ଲହରି ଭାସିଲା ପରି ଲାଗିଲା। ରାଜୁ ଜାଣି ପାରିଲା ସେ ଏକ ଭୟଙ୍କର ବିପଦରେ ପଡି ଯାଇଛି। ଭୁତ ପ୍ରେତରେ ବିଶ୍ଵାସ ନ ଥିଲେ ବି ସେ ଜାଣି ସାରିଥିଲା ସେ ଭୂତ ହାବୁଡରେ ପଡି ଯାଇଛି। ଏତିକି ବେଳେ ଏକ କର୍କଶ ସ୍ବରରେ ପ୍ରକୃତିସ୍ଥ ହେଲା ସେ।

ଲୋକଟି କହିବା ଆରମ୍ଭ କଲା,-- ବାବୁ, ଏବେ ତୁ ଜାଣି ସାରିଥିବୁ ମୁଁ କିଏ। ମୁଁ ସେଇ ଲୋକ ଯାହାକୁ ସେଦିନ ତୁ, ଧକ୍କା କରି ମାରି ଦେଇଥିଲୁ। ଆଉ ସେ କୁଡିଆରେ ଯିଏ କାନ୍ଦୁ ଥିଲା ସେ ମୋ ସ୍ତ୍ରୀ, ଯିଏ ଓୌଷଧ ନ ପାଇ ମରିଥିଲା ସେଇ ଦିନ ମୋତେ ଧକ୍କା କରି ତୁ ଖାଇ ଭିତରେ ପକେଇ ଦେଲୁ, ତୁ ମୋତେ ନ ବଞ୍ଚେଇ ବଡ ଆରାମରେ ଖସି ପଳେଇଲୁ ଓ ମୁଁ ଛଟପଟ ହୋଇ ମଲି। କଣ ଭାବିଥିଲୁ ତୋତେ ଦଣ୍ଡ ମିଳିବନି ? ଆମ ଦୁଇ ଜଣଙ୍କର ଆତ୍ମା ଅତୃପ୍ତ ହୋଇ ଘୁରି ବୁଲୁଛି ଖାଲି ପ୍ରତିଶୋଧ ନେବା ପାଇଁ। ସେ ଦିନଠୁ ମୁଁ ଚାହିଁ ବସିଛି ତୋ ଆସିବା ବାଟକୁ। ଆଜି କିଏ ତୋତେ ବଞ୍ଚେଇବ ଦେଖିବି ମୁଁ।

ମଝିରେ ମଝିରେ ବିଜୁଳି ଆଲୁଅରେ ଦିଶି ଯାଉ ଥାଏ ସେ ଲୋକର ଭୟଙ୍କର ମୁହଁ। ଦେହର ମାଂସ ପଚି ଯାଇଛି, ଦେହ ସାରା ରକ୍ତ । ଆଖି ଦୁଇଟି ନିଆଁ ରଡ ପରି ଜଳୁଛି, ମୁହଁର ଅଧା ଅଂଶ ନାହିଁ, ବୋଧେ ପଥର ମାଡରେ କଟି ଯାଇଛି। ରାଜୁର ମୁହଁ ଶେତା ପଡି ଆସୁଥାଏ। ଚାହିଁଲେ ବି ସେ ଜାଗାରୁ ହଲିବାର ଶକ୍ତି ହରେଇ ସାରିଥାଏ। ସେ ଅନୁଭବ କଲା ଦୁଇଟି ଶିରାଳ ହାତ ଲମ୍ବି ଆସିଲା ତା ବେକ ପାଖକୁ।

ରାଜୁ ପାଗଳ ପରି ପ୍ରଳାପ କଲା -- – ମୋତେ ଛାଡିଦେ......କ୍ଷମା କରି ଦେ.....ମୁଁ ଜାଣିଶୁଣି ତୋତେ ଧକ୍କା କରିନି, ତାହା ଏକ ଦୁର୍ଘଟଣା ଥିଲା।

ଏକ ଜୋର ଧକ୍କାରେ ତଳେ ପଡିଗଲା ରାଜୁ। ଅଶରିରୀଟି କହିଲା, ଯଦି ତୋର ଭୁଲ୍ ନ ଥିଲା ପଳେଇଲୁ କଣ ପାଇଁ? ମୋତେ କାହିଁକି ବଞ୍ଚେଇବାକୁ ଚେଷ୍ଟା କଲୁନି, ମୁଁ ସେ ଖାଇରେ ପଡି ଛଟପଟ ହୋଇ ମରିଗଲି। କାହାକୁ ଖବର ଦେଇଥିଲେ ମୁଁ ବଞ୍ଚି ପାରିଥାନ୍ତି।

ରାଜୁ ମନେ ମନେ ଠାକୁରଙ୍କୁ ଡାକିବା ଆରମ୍ଭ କରି ଦେଇଥିଲା। ତାକୁ ଲାଗୁଥିଲା ଏ ବିପଦରୁ ଆଉ ବର୍ତ୍ତିବା ସମ୍ଭବ ନୁହେଁ। ପାଦେ ପାଦେ ପଛେଇ ଚାଲିଲା। ଅଚାନକ୍ କାନରେ ପୁଣି ଶୁଭିଲା ସେଇ ସ୍ତ୍ରୀ ଲୋକର କାନ୍ଦଣା। ପଛକୁ ବୁଲି ଦେଖିଲା ଏକ ସ୍ତ୍ରୀ ଲୋକ କେଶ ମୁକୁଳା କରି ଦୁଇ ହାତ କୁ ଲମ୍ବାଇ ଠିଆ ହୋଇଛି। ମୁହଁ ଦିଶୁ ନ ଥାଏ, ମାତ୍ର ରାଜୁ ଅନୁଭବ କରି ପାରୁଥାଏ ସ୍ତ୍ରୀ ଲୋକ ଟି ଧିରେ ଧିରେ ତା ଆଡକୁ ଅଗ୍ରସର ହେଉଥାଏ। ଏବେ ସେ ନାରୀ ଟି କାନ୍ଦ ବନ୍ଦ କରି ଜୋର ରେ ଅଟ୍ଟହାସ୍ୟ କରିବାରେ ଳାଗିଲା। ଏତେ ତୀବ୍ର ସେ ହସ ଯେ ରାଜୁକୁ ଲାଗିଲା ତା କାନ ଫାଟି ଯିବ। ଦୁଇ ଅଶରୀରିଙ୍କ ମୁହଁରୁ ଗୋଟିଏ କଥା ଶୁଣୁଥାଏ ରାଜୁ “ଆଜି ତୋତେ କିଏ ବଞ୍ଚେଇବ ଦେଖିବା, ମରିବା ପାଇଁ ପ୍ରସ୍ତୁତ ହୋଇ ଯା।

ଦେହରୁ ଗମ୍ ଗମ୍ ଝାଳ ବୋହି ଯାଉଥିଲା ଓ ସେ ନିରୁପାୟ ହୋଇ ନିଜ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରି ରହିଲା। ତା କାନରେ ବାରମ୍ବାର ଗୁଞ୍ଜରି୍ ହେଉଥାଏ ସେ ଅଶରୀରିର ବାକ୍ୟ। ଯୋରରେ ଗାଡି ଚଲେଇବୁ ତ ଚଲା, ଆଜି ମୁଁ ବି ଦେଖିବି କେତେ ଯୋରରେ ଯିବୁ ତୁ। ରାଜୁ ଛାଟିପିଟି ହୋଇ ସେ ଯାଗାରୁ ଉଦ୍ଧାର ପାଇବା ପାଇଁ ନିଜ ଗାଡି ପାଖକୁ ଦଉଡିବା ଆରମ୍ଭ କଲା। ଗାଡି ଉପରେ ବସି ଷ୍ଟାର୍ଟ କରିବାକୁ ଯେତେ ଚେଷ୍ଟା କଲା ବିଫଳ ହେଲା। କିଏ ଜଣେ ତା ବେକ ଚିପିବାକୁ ଆରମ୍ଭ କଲା। କିନ୍ତୁ ରାଜୁ ସେ ସବୁକୁ ଖାତିର ନ କରି ପ୍ରାଣ ବିକଳରେ ଗାଡି ଷ୍ଟାର୍ଟ କରିବାରେ ଲାଗିଲା। ଦୁଇ ଅଶରୀରି ପାଖକୁ ଲାଗି ଆସି କହିଲେ, ତୋତେ ଆମ ସହ ଯିବାକୁ ହେବ, ଏକୁଟିଆ କୁଆଡେ ଯାଉଛୁ। ଆମେ ବି ଯିବୁ ତୋ ସହ।

ରାଜୁ ଅନୁଭବ କଲା, ତା ଗାଡି ଉପରେ ସେମାନେ ବସିବାର କମ୍ପନ। ଗାଡି ଟି ମନ କୁ ମନ ଗଡି ବାରେ ଲାଗିଲା। ସେ ଆଶ୍ଚର୍ଯ୍ୟ ହେଲା କାରଣ ଗାଡି ଜମା ବ ଷ୍ଟାର୍ଟ କରିନି ସେ। ପଲକ ନ ପଡୁଣୁ ଗାଡିର ବେଗ ବଢିବାରେ ଲାଗିଲା। ସେମାନେ କହୁଥାନ୍ତି, ଦେଖ୍ ଏମିତି ଲାଗେ ନା ଯୋରରେ ଗଲେ??? ଏବେ ଦେଖ ମରିଲା ବେଳେ କେମିତି ଲାଗେ।

ଗାଡି ଟି ଧିରେ ଧିରେ ପାହାଡି ରାସ୍ତାର ଧାର ଆଡକୁ ମୁହାଁଇଲା। ରାଜୁର ହାତ କେବଳ ନାମକୁ ମାତ୍ର ହ୍ୟାଣ୍ଡେଲ୍ ଉପରେ ଥାଏ ଓ ସେଇ ପ୍ରେତାତ୍ମା ମାନେ ହିଁ କାବୁ କରି ରଖି ଥାନ୍ତି ଗାଡିକୁ। ମୃତ୍ୟୁ ଅବଶ୍ୟମ୍ଭାବୀ ଜାଣି ରାଜୁ ସବୁ ଭଗବାନ୍ ଙ୍କ ଉପରେ ଛାଡିଦେଲା। ଶେଷ ଥର ପାଇଁ ତାଙ୍କୁ ନେହୁରା ହୋଇ କହିଲା-- ସେଦିନ ମୋର କିଛି ଦୋଷ ନ ଥିଲା, ମୁଁ ଜାଣି ଶୁଣି ଏ ପାପ କରି ନାହିଁ। ସେ ଘଟଣା ପାଇଁ ମୁଁ ଅନୁତପ୍ତ । ତଥାପି ଯଦି ମୋତେ ଦଣ୍ଡ ମିଳିବାର ଥିବ ତାହା ମୋ ଭାଗ୍ଯ।ଏତିକି କହି ଚୁପ୍ ହୋଇଗଲା।

ହଠାତ୍ ସବୁ ସ୍ଥିର ହୋଇଗଲା। ଗାଡି ଟି ରହି ଗଲା ସେଇ ଯାଗାରେ। ତା ଆଗରେ ଉଭା ହେଲେ ଦୁଇ ପ୍ରେତାତ୍ମା ନିଜ ପ୍ରକୃତ ଋପ ରେ। ସେମାନେ କହିଲେ ---ତୋ ଉପରେ ପ୍ରତିଶୋଧ ନେବା ପାଇଁ ଆମେ ସେଦିନ ଠୁ ଅତୃପ୍ତ ହୋଇ ଘୁରି ବୁଲୁଥିଲୁ ।କିନ୍ତୁ ତୋର ମନର ଅବସ୍ଥା ଓ କଥା ଶୁଣି ଆମେ ଜାଣି ପାରୁଛୁ ତୁ ଜାଣି ଶୁଣି ଏ ପାପ କରିନୁ। ଯାଃ ତୋତେ କ୍ଷମା କଲୁ। କିନ୍ତୁ ମନେ ରଖ ଯଦି ଆଉ କେବେ ବି ଏମିତି ବେପରୁଓ୍ବା ଗାଡି ଚଲେଇବୁ,ସେହି କ୍ଷଣି ହିଁ ତୋତେ ଭୟଙ୍କର ମୃତ୍ୟୁର ଉପହାର ଆମେ ମାନେ ହିଁ ଦେବୁ। ଏବେ ଚାଲିଯା ଏଠୁ। ତୋତେ ଜୀବନ ଦାନ ଦେଲୁ।

ରାଜୁର କାନ ରେ ଆଉ କିଛି ଶୁଭୁ ନ ଥାଏ, ସେ ପଥର ହୋଇ ଯାଇଥାଏ । ଚେତା ହରାଇ ସେଇ ରାସ୍ତା ଉପରେ ଟଳି ପଡିଲା। ଆଖି ଖୋଲିଲା ବେଳକୁ ନିଜକୁ ଆବିଷ୍କାର କଲା ନିଜ ଘରେ। ତା ବୁଢା ବାପା ପାଖରେ ବସି ହାତ ଆଉଁଷୁ ଥାନ୍ତି। କହିଲେ--- ରାଜୁରେ ତୋ ଚେତା ଆଜିକୁ ଦୁଇ ଦିନ ହେଲା ନ ଥିଲା। ଡାକ୍ତର କହିଲେ ଭୟଙ୍କର ମାନସିକ ଧକ୍କା ପାଇଁ ଏମିତି ହେଲା। ତୋତେ ଖୋଜି ଖୋଜି ଆମେ ପାଇଲୁ ସେ ପାହାଡି ରାସ୍ତାରେ। ତୁ ଅଚେତ ହୋଇ ପଡି ଥିଲୁ। ତୋତେ ଜଗି ବସି ଥିଲେ ଦୁଇ ଜଣ ଆଦିବାସୀ ଲୋକ। ସ୍ଵାମୀ ସ୍ତ୍ରୀ ହେବେ ବୋଧେ। ପଚାରିଲାରୁ କିଛି ବି କହିଲେନି। ଖାଲି କହିଲେ ତୁମ ପୁଅ ସେ ପାହାଡ ତଳକୁ ଖସି ପଡି ଥାଆନ୍ତା। ଏଇଠି ଗାଡିଟି ଖସି ଯିବାରୁ ପଡି ଚେତା ବୁଡି ଗଲା। ଏବେ ତୁମ ପୁଅ ତୁମକୁ ଲାଗିଲା। ସେ ଚେତା ଫେରିଲେ ଖାଲି ଏତିକି କହିଦେବ, ଗାଡି ସାବଧାନରେ ଚଲେଇବ, ନୋହିଲେ ଜୀବନ କେତେବେଳେ ବି ଚାଲିଯାଇ ପାରେ। ବାକ୍ୟ ଶୂନ୍ୟ ହୋଇ ସବୁ ଶୁଣୁଥାଏ ସେ। ଆଉ ବୁଝିବାକୁ ବାକି ରହିଲାନି ଯେ, ସେଇ ପ୍ରେତାତ୍ମା ଦୁଇଟି ତାକୁ ଜଗି ବସି ଥିଲେ। ଆପେ ଆପେ ତା ଦୁଇ ହାତ ଶୂନ୍ୟକୁ ଉଠିଗଲା। କହିଲା --ପ୍ରଭୁ ସେମାନଙ୍କୁ ମୁକ୍ତି ଦିଅ। ମୁଁ ପାପୀ ଦଣ୍ଡ ମୋତେ ମିଳୁ। ଆଖିରୁ ଧାର ଧାର ଳୁହ ବୋହି ଯାଉଥାଏ। ତା ବାପା ଚୁପ୍ ଚାପ୍ ରାଜୁର ଏ ଋପ ଦେଖୁଥାନ୍ତି, ଯାହା ଏତେ ବର୍ଷ ଭିତରେ ସେ କେବେ ଦେଖି ନ ଥିଲେ। ସେ ଯାହା ବି ହେଉ, କିନ୍ତୁ ରାଜୁ ସହିତ ଘଟିଥିବା ଭୌତିକ କାଣ୍ଡ ତା ଜୀବନର ଗତିପଥ ବଦଳାଇ ଦେବା ପାଇଁ ଯଥେଷ୍ଟ ଥିଲା।

ରାଜୁ ନିଶା ମୋଟର

Rate the content


Originality
Flow
Language
Cover design

Comments

Post

Some text some message..