Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashutosh prasad Mallik

Drama Inspirational Others

3  

Ashutosh prasad Mallik

Drama Inspirational Others

ଖଣ୍ଡିଆଭୂତ

ଖଣ୍ଡିଆଭୂତ

6 mins
4.4K


ଘଡିଟାର ଅଜୈବିକ ଯାନ୍ତ୍ରିକ ଚିତ୍କାରରେ ନିଦ ଭାଙ୍ଗିଗଲା ଅଶ୍ୱିନୀର । ସମୟ ସକାଳ ୫ଟା । ଦେହ ସାରା ଯନ୍ତ୍ରଣା ର ଉପକ୍ରମ । ବୋଧେ ଶରୀର ଅସୁସ୍ଥ ହେବ । ଉଠିବାକୁ ଜମା ଇଛା ନାହିଁ । ତଥାପି ଅଶ୍ୱିନୀ ଉଠିଲା । ପିଲାଙ୍କ ପରୀକ୍ଷା । ଏ ସମୟ ରେ ଟ୍ୟୁସନ ବନ୍ଦ କଲେ ଚଳିବ ନାହିଁ ।ଯନ୍ତ୍ରଣା ସିକ୍ତ ଦେହ ଟାକୁ ଘୋଷାରି ଘୋଷାରି ନିତ୍ୟକର୍ମ ମାନ ଶେଷ କଲା ।ତୁଳସୀ ଚଉରାରେ ପାଣିଦେଲା । ଏଇଟା ତାର ସବୁ ଦିନିଆ କାମ ।ଏଥିରେ ତାର ବ୍ୟତିକ୍ରମ ହୁଏନା ।ବାହାନା ମନୁଷ୍ୟର ଆଳସ୍ୟ ପ୍ରବଣତାକୁ ଉତ୍ସାହିତ କରେ । ଅଶ୍ୱିନୀ କିନ୍ତୁ ବାହାନା କରେନା ।

ସକାଳ ୬.୩୦ । କଣ ଦିଇଟା ଖାଇ ଦେଇ ସାଇକେଲ ଛୁଟାଇ ଦେଲା ଅଶ୍ୱିନୀ । ବଲ ବିଅରିଂ ଖାଇ ଗଲାଣି ।କଡ଼ କଡ଼ ଶୁଭୁଚି ଚଳାଇବାବେଳେ । ଏଥର ଟ୍ୟୁସନ ଦରମା ମିଳିଲେ ପହିଲେ ସାଇକେଲଟାକୁ ଠିକ୍ କରିବାକୁ ହେବ ।

ଅଶ୍ୱିନୀ ସାଇକେଲ ଛୁଟାଇ ଦେଲା ରାସ୍ତା ଉପରେ । ସମାଧିସ୍ଥ ରାସ୍ତା ଉପରେ। ।ପାହାଡ଼ ଚୂଡା ଛୁଇଁ ଅରୁଣିମା ଚାରିଆଡେ ବିଛାଡି ହେଇ ପଡୁ ଥାଏ। ସାରା ଦୁନିଆଁ ଦିଶୁଛି ଲାଲ । ଧୂସର ସମ୍ଭାବନାରେ ନାଲି ଆଶାର ଆଲେଖ୍ୟ। ରାସ୍ତାର ଦୁଇ ପଟେ ଆମ୍ବଗଛ ।ବିଶାଳ ବାହୁ ମେଲି ଛିଡା ହେଇଚି ବର ଗଛ ।ପାଖରେ ଚାକୁଣ୍ଡାଟିଏ ବାଣ୍ଟୁଚି ଆପଣାର ସାବଜା ଅନୁଭୂତି ।ସ୍ନିଗ୍ଧ ସକାଳ ଗୁଣ ଗାନ ଶତ ଶତ ପକ୍ଷୀଙ୍କ କାକଳିରେ। ବସନ୍ତର ଛବିଳ ଆଭାସ..।

ମଳୟ ର ମାଦକତା ରେ ଦେହ ମନ ମାତାଲ। କିନ୍ତୁ ଅଶ୍ୱିନୀକୁ ସମୟ କାହିଁ ପ୍ରକୃତିର ଭାବାବେଶରେ ନିଜକୁ ହଜେଇବା ପାଇଁ ।

ଟ୍ୟୁସନ ଡେରି ହେଇ ଯାଉଛି । ସଭିଙ୍କୁ ତ ଦାସ ସାଜିବାକୁ ପଡିବ । ଅନୁକ୍ରମର ଦାସ....। ସୁତରାଂ ସେ ବି ଦାସ । ପରିସ୍ଥିତିର ଦାସ। ବାପା ଅବସର ପ୍ରାପ୍ତ ଶିକ୍ଷକ । ଆଦର୍ଶବାଦୀ .......।କଥା କଥାରେ ଆଦର୍ଶର ଛିଟା । ଅଭାବୀ ତେଲ ଲୁଣ ସଂସାର ।ତଥାପି କେବେ ସେ ଭାଙ୍ଗି ପଡିନାହାନ୍ତି। ପ୍ରଗତିଶୀଳତା ଯେବେ ତାଙ୍କୁ ତାତ୍ସଲ୍ୟ କରେ ଆଗ୍ନେୟଗିରିର ଲାଭା ଭଳି ନୀତିକଥା ,ଆଦର୍ଶର ତରଳ ଭାବନା ଶବ୍ଦ ହେଇ ବହି ଯାଏ ।ଥାଏ ବୋଧେ ମନର କେଉଁ କୋଣରେ ଗଭୀର ଅବଶୋଷ କିନ୍ତୁ ବାରି ହୁଏନା।

ମାଛ ଆଖି ର ଲୁହ କିଏ ବା ଦେଖିଛି।

ଅଶ୍ଵିନୀର ମନ ବେଳେବେଳେ ବିଦ୍ରୋହ କରିବସେ ନିଜ ଭାଗ୍ୟ ସହ। ତା ପରିସ୍ଥିତି ସହ । ଏ ଆଦର୍ଶ ବାଦ, ଏ ନୀତି ବାକ୍ୟ କଣ ଦେବ। ଏଥିରେ ପେଟ ପୁରେନା । ତଥାପି ବାପାଙ୍କ ର ସେ ଶୀର୍ଣ୍ଣ ଆଖି ରେ ଥାଏ ଏକ ଅଦ୍ଭୁତ ଆବେଗ । ସେ ଆବେଗ ର ସୀମା ଲଙ୍ଘନ କରିବାକୁ ପ୍ରାଣ ଡାକେନା ।

ଏତେ କଥା ଭାବୁ ଭାବୁ କେତେବେଳେ ସେ ଆସି ପହଂଚି ଗଲାଣି ଟ୍ୟୁସନ ଜାଗାରେ । ଯାହାଙ୍କ ଘରେ ଟ୍ୟୁସନ କରେ ସେମାନେ ସମ୍ଭ୍ରାନ୍ତ । ବେଶ ବଡ଼ ଦୋକାନଟାଏ ସେମାନଂକର ।ଗାଡି ବି ଦୁଇ ଚାରି ଖଣ୍ଡ ଅଛି ।ପିଲାଏ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଛାତ୍ରଛାତ୍ରୀ । ଝିଅଟି ଷ୍ଟାଣ୍ଡର୍ଡ ଫୋର ପୁଅଟିର ଫାଇଭ । ଝିଅଟି ପୁଅ ଅପେକ୍ଷା ବେଶ ଚତୁର; ଭଲ ପାଠ ବି ଧରେ ।

ସେମାନଙ୍କ ପାଖେ ସମୟ ଜଣାପଡେନା..........।

ସେମାନଙ୍କ ପଢ଼ାଉ ପଢ଼ାଉ ମନ ହଜି ଯାଏ କେତେବେଳେ ନିଜ ପିଲା ବେଳ କଥା ଭାବି ଭାବି ।ମନ ଖୋଜେ ସେଇ ପିଲା ଦିନ ।ସେ ଶ୍ରାବଣର ବରଷାଧାର । ଛନ୍ଦ ହୀନ ଗତି ଛୋଟ କାଗଜ ଡଙ୍ଗାର ।ସାହିର ସେ ଗଳି ;ଯହିଁ ରହେ ଆଈ ବୁଢ଼ୀ । ତା ପାକୁଆ ପାଟିର କାଉଁରୀ ଫୁଙ୍କରେ ଜୀବନ୍ତ ଲାଲପରୀ । ଶ୍ୟାମଳ ଘାସ ଗାଲିଚାରେ ଲାଲ ଲାଲ ସାଧବ ବୋହୂ ।ଇନ୍ଦ୍ରଧନୁର ରଙ୍ଗୀନ ବର୍ଣ୍ଣାଳୀ ।

ନିଜର ପିଲାଦିନ ସେମାନଙ୍କ ଉତ୍ସୁକ ଚାହାଣୀରେ ପ୍ରତିଫଳିତ ହୁଏ ।ଅଶ୍ୱିନୀ ନିଜକୁ ସେମାନଂକ ଭିତରେ ପାଏ ।ସେମାନଙ୍କ ସୁଷମିତ ଶୈଶବର ଲାଳିତ୍ୟରେ ନିଜେ ବି ଶିଶୁ ପାଲଟିଯାଏ । ହୃଦୟର ଅଜଣା ଇଲାକାରେ ଅବଦମିତ ପିଲାଳିଆମି ଆତ୍ମା ପ୍ରକାଶ କରିବାର ପ୍ରସ୍ତୁତି ଚଳାଏ ।ଅବୁଝା ମନର ଅସମାହିତ ପ୍ରଶ୍ନର ଉତ୍ତର ଖୋଜେ ସେମାଙ୍କ ବୁଝିବା ମାଫିକା ।

ବହି ଯାଏ ସମୟର ନଈ ।

ଘଣ୍ଟା ପରେ ଘଣ୍ଟା .. ଦିନ ପରେ ଦିନ...। ପାଖେଇ ଆସେ ପହିଲା । ଟ୍ୟୁସନ ଦରମା ମିଳିବାର ସମୟ । କେଇ ମୁହୂର୍ତ୍ତର ଖୁସି ।

ନା ସେମାନେ ଏ ପର୍ଯ୍ୟନ୍ତ ଦରମାଟା ଦେଇ ନାହାନ୍ତି ।

ତିନି ତାରିଖ ହେଲାଣି ।କିନ୍ତୁ ମୁହଁ ଖୋଲି ମାଗି ହୁଏନା ;ସଂକୋଚ ଲାଗେ ।

ଦିନ ପରେ ଦିନ ଗଡି ଚାଲେ। ଘରୁ ବାହାରିବା ବେଳେ ଅଶ୍ୱିନୀ ନିତି ଭାବେ ଆଜି ନିଶ୍ଚିତ ମିଳିବ ।ନହେଲେ ମାଗି ଆଣିବ.. ... । ପିଲାଙ୍କୁ ପଢ଼ାଉ ପଢ଼ାଉ କେତେ ବେଳେ ଛୁଟି କରିବାର ସମୟ ଆସିଯାଏ । ଅଶ୍ୱିନୀ ଘଡି କୁ ଉଣ୍ଡେ । ଫାଙ୍କ ବାଟେ ଚାହେଁ ପରଦା ସେପଟକୁ କାଳେ କିଏ ଆସି ଏଇନା ଦେଇ ଯିବକି ।କିନ୍ତୁ କେହି ଆସନ୍ତି ନାହିଁ ।ସମୟ ହୋଇ ଯାଏ ।ଆଉ ଛୁଟି ବି .......।

୮ ତାରିଖ । ଆଜି ଅଶ୍ୱିନୀ ଠିକ କରିଛି ସେ ନିଶ୍ଚୟ କହିବ । ପାଖରେ ପଇସା ସାରି ଆସିଲାଣି । ନହେଲେ ନ ଚଳେ ।କେବେ କେମିତି ବାପା ଦିଅନ୍ତି ।ପଚଶେ କି ଶହେ । ନେଲା ବେଳେ ଅଶ୍ୱିନୀର ହାତ ଥମି ଯାଏ କିନ୍ତୁ ଆଣିବାକୁ ପଡେ଼ ।କେବେ ପଇସା ଦରକାର ହେଲେ ଅଶ୍ୱିନୀ ମୁହଁ ଖୋଲି ମାଗେନା। କେମିତି ବା ମାଗିବ। ଯେଉଁ ସମୟରେ ଘରର ଦୋହଲି ପଡିଥିବା ମେରୁଦଣ୍ଡଟାକୁ ତାର ସଳଖିବାର ସମୟ ସେତେବେଳେ ସେ ବାପାଙ୍କ ପେନସନ ଟଂକାକୁ ଆଶ୍ରା କରି ଚଳୁଛି । କେତେ ଆଶା ନେଇ ବାପା ପଢେଇଥିଲେ ପାଠ । ବିଜ୍ଞାନର ପାଠ....ବାସ୍ତବିକତାର ପାଠ...।

ପୁଅ ଡାକ୍ତରଟେ ହବ । ନହେଲେ ହେବ ଅଫିସରଟାଏ ।ଆଶାର ଧାର ଲମ୍ବି ଯାଏ ।ଅଶ୍ୱିନୀର ଥାକ ଭର୍ତ୍ତି କୃତିତ୍ବର ପ୍ରମାଣ ପତ୍ର ଆଉ ନିର୍ଜୀବ କପସିଲ ଗୁଡ ତା ସ୍ଵପ୍ନକୁ ବିବିଧ ବର୍ଣ୍ଣରେ ରଙ୍ଗେଇ ଦିଅନ୍ତି । କିନ୍ତୁ କାଚ ଆଇନ ପରି ମଧୁମୟ ସ୍ବପ୍ନ ସବୁ ଭାଙ୍ଗି ଯାଏ ।ଭେଟ ହୋଇ ଯାଏ ବାସ୍ତବିକତା ସହ ।ଯାହା ସେ ବହି ରେ ପଢି ଥିଲା ତା ନୁହେଁ ।ସେ ସବୁଠୁ ଭିନ୍ନ ଏକ କଠୋର ବାସ୍ତବିକତା ।

ଆଶା- ନିରାଶା ,ପ୍ରାପ୍ତି -ଅପ୍ରାପ୍ତି, ଆରୋହଣ- ଅବରୋହଣ ସବୁ ବସ୍ତୁବାଦୀ ର ସାଧନ ।କାମନା ,ସ୍ବପ୍ନ,ଅଭିପ୍ସା,ଆଉ ଆଦର୍ଶ ସବୁ ଅଜୈବିକ । କିନ୍ତୁ କ୍ଷୁଧା ନିରତା ବାସ୍ତବତା ।ସେ ଜୈବିକ,ଭୀଷଣ ।ଶାସ୍ତ୍ର ବର୍ଣ୍ଣିତ କଳିଯୁଗ ମଣିଷ ଅଶ୍ୱିନୀ । ଅନ୍ନମୟ କୋଷ ସମୃଦ୍ଧ ।ଜଡତ୍ୱରେ ଚେତନା ସଂଚାର ଲାଗି ତାର ଦରକାର ଅନ୍ନ ।ପ୍ରାଣତ୍ଵରେ ସ୍ଥିତିସ୍ଥାପକତା ପାଇଁ ଦରକାର ଅନ୍ନ। ।ଯାହା ଲାଗି ସେ ଅସୁସ୍ଥ ଶରୀରରେ ବି ଧାଇଁଯାଏ ଅସମାହିତ ଅଙ୍କର ସମାଧାନ ଖୋଜି ଜଣେଇ ଦବାକୁ.... ।

କଳ୍ପନାର ସୌଧ ଗଢି ଶିଖେଇବାକୁ। ।ସାମାଜିକତାର ଶବ୍ଦମୟ ଅରଣ୍ୟରେ ହଜି ଯିବାକୁ............।

ଯାଉ ଯାଉ ଏତେ କଥା ସବୁ ଭାବି ଯାଉଥିଲା ସେ । ଆଜି ସେ ନିଶ୍ଚୟ ଟଙ୍କା କଥା ଉଠେଇବ । ବାଟ ରେ ଗଲା ବେଳେ ଦେଖିଲା ଏକୁଟିଆ ବଣିଟାଏ ।ଧେତ୍! ନିଃସଙ୍ଗ ବଣି କାଳେ ଅଶୁଭ। ହାତ ତାର ଉଠିଗଲା ରାସ୍ତା ପାଖ ମହାଦେବ ମନ୍ଦିରକୁ ଦେଖି ।ପାଖକୁ ଗ୍ରହରାଜ ଶନିଶ୍ଚରଙ୍କର ମନ୍ଦିର । ସେଠି ସେ ଅର୍ପଣ କରିବସିଲା ନିରୁତା ହୃଦୟର ଭାବନା ଆଉ ଭକ୍ତି ।ଯାହା ବିହେଉ ଆଜି ସେ ନିଶ୍ଚୟ ଦରମା ଆଣିବ ।

ସେ ଟ୍ୟୁସନରେ ଆସି ପହଞ୍ଚିଗଲା। ।

ଗୃହକର୍ତ୍ତା ଆସିଲେ ।ଅଶ୍ୱିନୀ ଉଠିଗଲା ନିଜ ଜାଗାରୁ। ତାଙ୍କୁ ନମସ୍କାର ହେଲା। ଛାତିଟା ସ୍ୱାଭାବିକ ଗତି ଠାରୁ ଟିକେ ଅଧିକ ବେଗ ରେ ଧଡ଼କିବାରେ ଲାଗିଲା ।ଅଶ୍ୱିନୀ ମୁହଁ ଖୋଲିଲା । କଥା କଣ କିଏ ପିଲାଙ୍କର.......

ତା ଶବ୍ଦ ସବୁ ଏତିକିବେଳେ ହଜିଗଲେ କୁଆଡେ ।ବାପାଙ୍କର ଚଷମା ତଳର ନିଷ୍ପ୍ରଭ ଚାହାଣି ଆଖି ଆଗରେ ନାଚି ଉଠିଲା। ।

କଥା କଣ କି ?ଏ ପିଲାଙ୍କର ପରୀକ୍ଷା ଭଲ ହେଉଛି କି ନାହିଁ ସେ କଥା ପଚାରୁଥିଲି। । ଏତକ ହିଁ କହି ପାରିଲା ଅଶ୍ୱିନୀ ।ଆଉ ଫେରି ଆସିଲା ଅଧା ଡାକିଥିବା ରଚନାଟାରେ ମନୋନିବେଶ କରିବାକୁ ।

ଘଣ୍ଟା ପରେ ଘଣ୍ଟା ବିତିଗଲା ନା ଦରମାଟା ମିଳିଲାନି ।ଅଶ୍ୱିନୀର ସାଇକେଲ ଛୁଟି ଚାଲିଲା ଘର ମୁହାଁ ।

୧୦ ତାରିଖ । ପାଖରେ ଟଙ୍କାଟିଏ ବି ନାହିଁ ।ଦୋକାନକୁ ତା ମନ ପସନ୍ଦର ମାଗାଜିନ୍ ଆସିଲାଣି କେତେ ଦିନ ତଳୁ। । କିନ୍ତୁ କିଣି ପାରିନି ଏଯାଏଁ ।ଆଜି ଘରୁ ବାହାରିବା ବେଳେ ମନଟାକୁ ଦୃଢ କରିନେଲା ଅଶ୍ୱିନୀ ।ତା ଭିତରେ ସେ ସାମାଜିକ ପଶୁଟା ଖୁବ କଠୋର ଲାଗୁଥିଲା ଆଜି ।ଅଭାବ ବୋଧର ଶଇତାନ ତା ମାନବିକତାର ତଣ୍ଟିଟାକୁ ଚିପିବାରେ ଲାଗିପଡିଥିଲା। ।ଆଜି ଯାହା ବି ହେଇ ଯାଉ ସେ ନିଶ୍ଚୟ ଟଙ୍କାଟା ଆଣିବ। ସେମାନେ ଯାହା ଭାବନ୍ତୁ ନା କାହିଁକି। ।ଭାବନ୍ତୁ ପଛେ ଗୋଟେ ନିମ୍ନ ମଧ୍ୟ ବିତ୍ତ ଶ୍ରେଣୀର ଚିନ୍ତା ବୋଲି ।ଭାବନ୍ତୁ ପଛେ ଅସଭ୍ୟ ବୋଲି ।କିନ୍ତୁ ଦରମାଟା ତାର ହକ ।

ପିଲାଙ୍କ ଗୁଡ଼ ମର୍ଣ୍ଣିଂ ଶବ୍ଦରେ ଅଶ୍ୱିନୀ ପ୍ରକୃତିସ୍ଥ ହେଲା। ଆଜି ବହିର ଛବି ସବୁ ତାକୁ ଅଶୋକ ସ୍ଥମ୍ଭର ସିଂହ ମାନଙ୍କ ଭଳି ଓ ପ୍ରଶାନ୍ତି ହାସ୍ୟ ଜଡିତ ମହାତ୍ମାଙ୍କ ମୁହଁ ଭଳି ଦିଶିଲା। ଗୃହକର୍ତ୍ତା ଆସିଲେ ଘର ଭିତରକୁ। ଅଶ୍ୱିନୀ ନମସ୍କାର ହେଲା। ନିଜ ବ୍ୟାଗଟା ସଜାଡୁ ସଜାଡୁ ସେ ଯିବାକୁ ଉଦ୍ୟତ ହେଲେ। ଅଶ୍ୱିନୀ କିଛି କହିବାକୁ ଯାଉଥିଲା କି ଗୃହକର୍ତ୍ତା ଅଚାନକ ପଛକୁ ବୁଲି ପଡିଲେ। । ଅଶ୍ୱିନୀ ପାଖକୁ ଲାଗି ଆସି ପକେଟରୁ କେଇ ଖଣ୍ଡ ନୋଟ ବାହାର କରି ତା ହାତରେ ଗୁଂଜି ଦେଲେ । କହିଲେ ସାର କିଛି ଭାବିବେନି କାର୍ଯ୍ୟବ୍ୟସ୍ତତା ଯୋଗୁଁ ଦରମା କଥାଟା ଭୁଲି ଯାଇଥିଲି। ।

ଅନେକ ଦିନରୁ ମନରେ ହାଲ୍କା ହାଲ୍କା ଆତ୍ମା ପ୍ରକାଶ କରୁଥିବା ଗୋଟେ ଖଣ୍ଡିଆ ଭୁତ ଏକଦମ ସ୍ଥିତି ହରେଇଦେଲା ଯେମିତି। ।ଅନେକ ଅଶାନ୍ତିର ଉଦବେଳନର ପରି ସମାପ୍ତି । ଅଶ୍ୱିନୀର ସାଇକେଲ ଛୁଟି ଚାଲେ ଘର ମୁହାଁ କଡ କଡ଼ ଶବ୍ଦ କରି। ଘରେ ପଶୁ ପଶୁ ସେ ଦେଖିଲା ବାପା ଖବର କାଗଜ ପଢୁଛନ୍ତି । ତାକୁ ଦେଖି ସେ ହସିଲେ। । ଅଶ୍ୱିନୀ ସେ ହସରେ ଅନୁଭବ କରୁଥିଲା ପରିପୂର୍ଣ୍ଣତାର ବିସ୍ତାର। ।

ଆଶୁତୋଷ ପ୍ରସାଦ ମଲ୍ଲିକ


Rate this content
Log in

Similar oriya story from Drama