ଦେବୀ
ଦେବୀ
" ଦେବୀ"ଆସିଛି "ଦେବୀ"......ଘରେ ଶଙ୍ଖ ହୁଳହୁଳିରେ ପରିପୂର୍ଣ୍ଣ ।କୁଆଁରୀରୁ ସେ ଯେମିତି ହଠାତ୍ କୂଳବଧୂ ହୋଇଗଲା...ଦେବୀ ପାଲଟି ଗଲା ଗୋଟିଏ ଅଜଣା ପରିବାର ଲାଗି ।
କିଛି କ୍ଷଣ ପୂର୍ବରୁ ତ ସେ ତ ଖାଲି ଗୋଟିଏ ପ୍ରେମିକା ଥିଲା...ବେଧଡକ...ବିନ୍ଦାସ୍ ପ୍ରେମିକା ।
ଶଙ୍ଖା...ସିନ୍ଦୂର...ଅଳତାରେ ତାକୁ ଅଭିମନ୍ତିତ କରାଗଲା ...ଜୀବନ୍ୟାସ ଦିଆଗଲା...ଦେବୀ ହେବାର ।
ପ୍ରେମିକା ଥିଲା ବେଳେ ସେ ଏମିତି କେତେଥର ଲୁଚେଇ ଚୋରାଇ ସିନ୍ଦୂର ପିନ୍ଧିଛି ,ନିଜକୁ ଆଉ କାହାଘର କୂଳବଧୂ ମନେ କରି ।
ଏବେ ସେ ସତ ସତକିଆ "ଦେବୀ" ପାଲଟି ଯାଇଛି ବିବାହ ପରେ ।
ତେବେ ତା ମନରେ ଚଳଚପଳ ପ୍ରେମିକାଟି ଏବେ କେଉଁଠି?ଏରୁଣ୍ଡି ବନ୍ଧ ସେପାଖେ ବୋଧେ ।ଏରୁଣ୍ଡି ବନ୍ଧ ଏପଟେ ଏବେ ସେ ଖାଲି ଗୋଟିଏ ଠାକୁରାଣୀ ।ଠାକୁରାଣୀ ହେବା କଣ କମ୍ ବଡ କଥା କି ?ନୂଆ ରୂପ ରଂଗରେ ସେ ସାଜିଗଲା ନାଲି ଟହ ଟହ ଠାକୁରାଣୀଟେ ।
ମାନବୀରୁ ଦେବୀ ପାଲଟିବାରେ ଏକ ବିରାଟ ପରିବର୍ତ୍ତନ ଘଟେ ।ସେ ପରିବର୍ତ୍ତନରେ କଣ ଥାଏ ,ସେ କଥା ବୁଝା ପଡେ ଅନେକ ଡେରିରେ ।ସେତେବେଳକୁ ମରି ସାରିଥାଏ ପ୍ରେମିକା ଟିଏ...ଛଳ ଛଳ ଜୀବନଟେ ...ଛାତି ଭିତରେ ଥିବା ଛୋଟ ପିଲାଟିଏ ବି ।ଦେବୀ ହେବାରେ ହଜାଇ ଦିଏ ନିଜର ଅସ୍ତିତ୍ୱ ।
ଦେବୀ ହେଲେ ପଥର ହେବାକୁ ପଡେ । ଅଭୟ ମୁଦ୍ରାରେ କେବଳ ଶୁଭେଛା ଦେବାକୁ ପଡେ...ଆଖି ଲୁହକୁ ଆଁ କରି ପିଇବାକୁ ପଡେ....ପିଠି ଦାଗ ପଣତରେ ଘୋଡାଇବାକୁ ପଡେ...ଭୋକରେ ପେଟରେ ଓଦା କନା ଦେବାକୁ ପଡେ ।ସମସ୍ତଙ୍କ ସବୁ କଥାରେ ହଁ ମାରିବାକୁ ପଡେ....ଇଛା ନ ଥିଲେ ବି କୃତ୍ରିମ ହସ ହସିବାକୁ ପଡେ...ଦିନ ରାତି ସଜାଗ ପ୍ରହରୀ ଭଳି ଜିଇଁବାକୁ ପଡେ । ମନ ଖୋଲି ହସିବା ମନା..ମନ କଥା କହିବା ମନା...ମନ ଅନୁସାରେ ଖାଇବା ପିନ୍ଧିବା ଶୋଇବା ମନା...ପ୍ରେମ କରିବା ମନା...
କେବଳ ସହିବା ଆଉ ସଂଯତ ପଣିଆରେ ଦେବୀର ସିଂହାସନ ଅଳଙ୍କୃତ ହୁଏ।ଦେବୀର କିଛି ମନ ନ ଥାଏ.... ।ପଥର ଭିତରେ ବି ମନର କି ଆବଶ୍ୟକତା ରହିଛି ଯେ????ସେ ତ ପଥର ।
ଏମିତି ଅନେକ ଦେବୀ ସେ ଦେଖି ଆସିଛି ତା ଆଖ ପାଖରେ..ସାଇପଡିଶାରେ ।ଦେଖିଛି ସେ ଦେବୀ ମାନଙ୍କର ଛଳଛଳ ମୁହଁ ।
କିଏ ଚାହେଁ ଦେବୀ ହେବାକୁ?
ମଣିଷ ଅନ୍ତତଃ ମଣିଷ ହୋଇ ତ ଜିଇଁ ଯାଉ ଆଗେ??
ଦେବୀ ଭିତରେ ବି ବିଦ୍ରୋହ ଆସେ ।ଚପଳ ଛୁଆଟେ ଛାତି ଭିତରେ ଦିନ ରାତି ଡେଉଁଥାଏ ।ଅସରା ଅସରା ପ୍ରେମରେ ଭିଜୁଥାଏ ଦିନ ତମାମ ।ବେଧଡକ ଜିଇଁବାର ଖିଆଲ ବି ଆସେ ।ମନ ଖୋଲି କିରି କିରି ହସିବାକୁ ଇଛା ହୁଏ ।ହୁଇସିଲ ବଜାଇ ରାଜରାସ୍ତାରେ ଚାଲିବାକୁ ମନ ହୁଏ ।ଅଦିନିଆ ଅଳସରେ ଦେହ ଭିଡି ମୋଡି ହୁଏ ।ଗୁଣୁ ଗୁଣୁ ହୋଇ ପ୍ରେମର ଗୀତ ଗାଇବାକୁ ଇଛା ହୁଏ ।ହୁମ୍ପା ମାରି ତେନ୍ତୁଳି ବିଛେଇବାର...ପୋଖରୀରେ ପହଁରିବାର....ଓଦା ସର ସର ହୋଇ ଗାଁ ଦାଣ୍ଡରେ ବୁଲିବାର....ରାମ ସାହୁ ଦୋକାନରୁ ପାନ କିଣି ଖାଇବାର......ନେତିନାନୀ ବାଡିରୁ ପିଜୁଳି ଚୋରାଇବାର ସ୍ମୃତି ସବୁ ମନେ ପଡିଯାଏ ।
କୌଣସି ଏକ ଅଦିନିଆ ଅଜଣା ଘଟଣାରେ ସେ ହରାଇ ବସେ ଦେବୀ ପଣିଆ ।ମୁହଁ ଖୋଲି ସ୍ୱାଧୀନତାର ଦାବୀ କରେ ।ନିଜ ପରି ଜିଇଁବାକୁ ଇଛା କରେ ।କାହାରି ସାହାରା ବିନା...କାହାର ସ୍ୱିକୃତି ବିନା...ଦିନେ ସେ ଖୋଲି ଦିଏ ନିଜେ ନିଜ ପାଦରୁ ଦେବୀ ହେବାର ଶୃଙ୍ଖଳ ।
ଏବେ ସେ ମୁକ୍ତ....
ସମାଜ କହିଲା କୁଳଟା...ସାଇପଡିଶା କହିଲେ ଅଲକ୍ଷଣୀ... ବିଦ୍ୱନୀ କହିଲେ ପଶୁ ପାଲଟି ଗଲା ସେ....ସେ କିନ୍ତୁ କେବଳ ଏତିକି ଜାଣିଥିଲା ଯେ ...ସେ ଏବେ ଦେବୀର ଦାୟରୁ ମୁକ୍ତ ।
ଦେବୀରୁ ପୁଣି ମାନବୀ ହେଲା କି ନାହିଁ ଜଣା ନାହିଁ ହେଲେ ତା ଦେହରେ ଡେଣା ଲାଗିଯାଇଥିଲା ଭୋଗିବାକୁ ଏକ ସାରା ଆକାଶ ।