ଅଦ୍ଭୁତ ଗାଈ
ଅଦ୍ଭୁତ ଗାଈ
ପୃଥି୍ବୀର ଲୋକକଥା,
ପଣ୍ଡିଚେରୀ ଲୋକକଥା (1)
ବହୁ ବର୍ଷ ତଳର କଥା ପଣ୍ଡିଚେରୀର ଗୋଟିଏ ଗାଁରେ ଜଣେ ମହାଜନ ବାସ କରୁଥିଲେ । ସେହି ସମୟରେ ଜଣଙ୍କର ସମ୍ପତ୍ତି ତାର ପଶୁମାନଙ୍କୁ ଏବଂ ଜମିକୁ ନେଇ ନିର୍ଣ୍ଣୟ
କରାଯାଉଥିଲା । ଯାହାର ଜମି ଏବଂ ପଶୁପଲ ଯେତେ ବେଶି, ସେ ସେତେ ଧନୀ ବୋଲି ଗଣା ଯାଉଥିଲା । ସବୁଠାରୁ ଧନୀ ବ୍ୟକ୍ତି ଗାଁର ମୁଖିଆ ହେଉଥିଲେ ।
ଗୋଟିଏ ଗାଁରେ ମୁଖିଆଙ୍କର ଖୁବ୍ ବହୁତ ଗୋ ସମ୍ପଦ ଥିଲା । ସେ ଗୋଡରେ ସୁନାର ଜୋତା ପିନ୍ଧୁଥିଲେ । ତାଙ୍କର ଅନେକ ଚାକର ଥିଲେ । ସେମାନେ ତାଙ୍କର ଗୃହପାଳିତ ପଶୁ ଓ ଜମିର ଦେଖା ଶୁଣା କରୁଥିଲେ । କେବଳ ତାଙ୍କର ବୋଲହାକ କରିବା ପାଇଁ ପ୍ରାୟ ବାରଟି ଚାକର ଥିଲେ ।
ଜଗୁଆଳୀମାନେ ଗାଈ ଏବଂ ମେଣ୍ଢାପଲଙ୍କୁ ଚରାଇବା ପାଇଁ ସକାଳୁ ଗୋଟିଏ ଗୋଟିଏ ଜଙ୍ଗଲକୁ ନେଇ ଯାଆନ୍ତି ଓ ଉପରବେଳା ସେମାନଙ୍କୁ ଗୁହାଳକୁ ଆଣନ୍ତି । ମୁଁହ ସନ୍ଧ୍ୟା ହେବା ପୂର୍ବରୁ ସବୁ ଗାଈଙ୍କୁ ଦୁହାଁଯାଏ । ନିଜେ ମୁଖିଆ ଏ କାମର ତଦାରଖ କରନ୍ତି ।
ମୁଖିଆଙ୍କର ଗୋଟିଏ ଗାଈ ଥିଲା । ତାର ରଙ୍ଗ ଗୋଟାପଣ କଳା । ତାର ଶିଙ୍ଗଗୁଡିକ ହରିଣର ଶିଙ୍ଗ ଭଳି ଲମ୍ବା ଲମ୍ବା । ଗାଈଟି ବେଶ୍ ମୋଟା । ତା ଛଡା ସେଇ ଗାଈର କ୍ଷୀର ଅନ୍ୟ ସବୁ ଗାଈର କ୍ଷୀର ଅପେକ୍ଷା ମିଠା ।
ଦିନେ ମୁଖିଆ ଜଣକ ଆଶ୍ଚର୍ଯ୍ୟ । ସେ ଦେଖିଲେ କଳା ଗାଈଟିର କ୍ଷୀର ଶୁଖି ଯାଇଛି । ତାକୁ ଯେତେ ଦୁହିଁଲେ ବି ସେଥିରୁ ଟୋପାଏ କ୍ଷୀର ବାହାରୁନାହିଁ ।
ମୁଖିଆ ଏହାର କାରଣ ଗାଈ ଜଗୁଆଳୀମାନଙ୍କୁ ପଚାରିଲେ । କିନ୍ତୁ ସେମାନଙ୍କର ଉତ୍ତର ଥିଲା ଯେ, ଦ୍ୱିପହର ବେଳକୁ ଗାଈଟି ପହ୍ନେଇଥିଲା । କିନ୍ତୁ ସନ୍ଧ୍ୟା ବେଳକୁ ତାର ପହ୍ନା ଶୁଖିଗଲା । ମୁଖିଆ ପଶୁ ବୈଦଙ୍କ ସହିତ ପରାମର୍ଶ କଲେ । ସେମାନେ ପରୀକ୍ଷା କରି ଜଣେଇଲେ ଯେ, ଗାଈଟି ସୁସ୍ଥ ସବଳ । ପହ୍ନା ଓ ଚୀର ଠିକ୍ ଅଛି । ଏହା ଶୁଣି ମୁଖିଆଙ୍କ ମନରେ ବହୁତ ସନ୍ଦେହ । ସେ ଠିକ୍ କଲେ ଯେ ଏହି ପ୍ରହେଳିକାର ସମାଧାନ ସେ ନିଜେ କରିବେ ।
ତା’ ପରଦିନ ଗାଈ ଜଗୁଆଳ ଗାଈ ଓ ମେଣ୍ଢାପଲମାନଙ୍କୁ ଚରାଇବା ପାଇଁ ଜଙ୍ଗଲକୁ ନେଇ ଚାଲିଗଲା । ସେ କାହାକୁ କିଛି କହିଲେ ନାହିଁ । ସେମାନଙ୍କର ପିଛା ଅନୁସରଣ କଲେ । ଗାଈ ଚରୁଥିବା ଜାଗାରେ ଗୋଟିଏ ବଡ ଝଙ୍କାଳିଆ ଗଛ ଅଛି । ତାହା ଖୁବ ଡେଙ୍ଗା । ସେଥିରେ ସେ ଲୁଚି ରହିଲେ । ଗଛର ଉପର ଡାଳରେ ଯାଇ ବସିଲେ । ସେଠାରୁ ଜଙ୍ଗଲରେ ଚରୁଥିବା ଗାଈମାନେ ସ୍ପଷ୍ଟ ଦେଖା ଯାଉଥାନ୍ତି । ତାଙ୍କର କଳା ଗାଈଟି ଉପରେ ନଜର । ପ୍ରତିକ୍ଷଣ ସେ ସେଇ ଗାଈଟିକୁ ହିଁ ରହିଥାନ୍ତି ।
ଦ୍ୱିପହର ଗାଈଟି ବେଶ ପହ୍ନେଇଗଲା । ଏତେ ବଡ ପହ୍ନାର ଦୁଧ କୁଆଡେ ଯାଉଛି, ତାହା ହିଁ ତାଙ୍କୁ ବିସ୍ମିତ କରୁ ଥାଏ । ସେଥିପାଇଁ ତାଙ୍କ ଆଖି ଗାଈ ଉପରେ ଲଗାଈ ଦେଲେ । ଯେତେବେଳେ ସୂର୍ଯ୍ୟ ଠିକ ମୁଣ୍ଡ ଉପରକୁ ଆସିଲେ, କଳାଗାଈଟି ଅନ୍ୟ ଦିଗକୁ ଦୌଡିଲା । ମୁଖିଆ ତାକୁ ଅନାଇଥାନ୍ତି । ଏଇ ସମୟରେ ଗାଈଟି ଗୋଟିଏ ଗହଳିଆ ବୁଦା ପାଖରେ ଅଟକିଗଲା । ଗାଈ ସେଠାରେ ପହଞ୍ଚିଲା ମାତ୍ରେ ତାର ସ୍ତନାଗ୍ରରୁ ଆପେ ଆପେ କ୍ଷୀର ଝରି ବୁଦାରେ ପଡିଲା । ମୁଖିଆ ଏହା ଦେଖି ଆଶ୍ଚର୍ଯ୍ୟ । ସେ ଗଛରୁ ଓହ୍ଲାଇ ସେଇ ଆଡକୁ ଗଲେ । ସେ ସେଠାରେ ପହଞ୍ଚି ଆଶ୍ଚର୍ଯ୍ୟ ହୋଇଗଲେ । ସେ ଦେଖିଲେ ତାଙ୍କ କଳା ଗାଈଟି ଯେଉଁ ଜାଗାରେ ଠିଆ ହୋଇଥିଲା, ତା’ ତଳେ ଗୋଟିଏ ଛୋଟିଆ କୁଦ ଅଛି । ତାହା ଲତା ଦ୍ୱାରା
ଆବୃତ । ଗାଈର କ୍ଷୀର ଆପେ ଆପେ ନିର୍ଗତ ସେଇ କୁଦ ଉପରେ ପଡୁଛି ।
ସେ ତାଙ୍କର ଗାଈ ଜଗୁଆଳୀମାନଙ୍କ ପାଖକୁ ଗଲେ । ସେତେବେଳେ ସେମାନେ କିଛି ଦୂରରେ ସାଥୀ ହୋଇ ତାସ ଖେଳିବାରେ ବ୍ୟସ୍ତ । ସେମାନେ ଯେତେବେଳେ ତାଙ୍କ ମାଲିକଙ୍କୁ ଦେଖିଲେ, ସେମାନେ ଉଠିପଡିଲେ । ମୁଖିଆଙ୍କର ସେଠିକୁ ଆସିବାର କାରଣ ପଚାରିଲେ ।
ମୋ ସହିତ ଆସ । ମୋ ସହିତ ଆସ... । ମୁଖିଆ ସେମାନଙ୍କୁ ବଡ ପାଟିରେ କହି ପୁଣି ବୁଦା ପାଖକୁ ତରତର ହୋଇ ଚାଲିଗଲେ । ଗାଈ ଜଗୁଆଳୀମାନେ ମୁଖିଆଙ୍କ ପଛେ ପଛେ ତାଙ୍କୁ ଅନୁସରଣ କରୁଥାନ୍ତି । ଗାଈଟି କିପରି ଆପେଆପେ କୁଦ ଉପରେ କ୍ଷୀର ଦେଉଛି ସେ ସେମାନଙ୍କୁ ଦେଖେଇବାକୁ ଚାହୁଁଥିଲେ । ସେମାନେ ଗାଈ ଚାରିପଟେ ଘେରିଗଲେ । ଗାଈଟି ତା’ର ଶେଷବୁନ୍ଦା କ୍ଷୀର ଦେଲା । ତାପରେ ତାର ପହ୍ନା ଶୁଖିଗଲା । ସେ ସେଠାରୁ ଚାଲିଆସି ପୁଣି ଚରିବାକୁ ଲାଗିଲା । ସତେକି ଯେପରି ତା’ର କିଛି ହୋଇନାହିଁ ।
ଏହି କୁଦ ତଳେ କିଏ ଅଛି ? କାହାକୁ ଗାଈଟି ତା’ର କ୍ଷୀର ଦେଉଛି ? - ମୁଖିଆ ପଚାରିଲେ ।
ନିଶ୍ଚିନ୍ତ ଭାବରେ ସେଠାରେ ଗୋଟିଏ ବିଷାକ୍ତ ସର୍ପ ଅଛି । ଜଣେ ଗାଈ ଜଗୁଆଳ ଉତ୍ତର ଦେଲା ।
“କିନ୍ତୁ ମୁଁ ବୁଝିପାରୁନାହିଁ । କଳା ଗାଈଟି କାହିଁକି ସେଇ ସର୍ପକୁ ନିଜର ସବୁ ତକ କ୍ଷୀର ଦେଇଦଉଛି ।” ଆଉ ଜଣେ ଗାଈ ଜଗୁଆଳ ପଚାରିଲା ।
ମୁଖିଆ କହିଲେ – “ଏହି କୁଦତଳେ କଅଣ ଅଛି ଆମର ଦେଖିବା ଦରକାର ।” ମୁଖିଆଙ୍କର ନିର୍ଦ୍ଦେଶ ପାଇବା ମାତ୍ରେ ଗାଈ ଜଗୁଆଳମାନେ କୁଦଟିକୁ ଖୋଳିବା ଆରମ୍ଭ କରିଦେଲେ । ସେଠାରୁ କୌଣସି ସାପ ବାହାରିଲା ନାହିଁ । ବରଂ ସେଠାରୁ ଗୋଟିଏ ପଥର ବାହାରିଲା । ସେମାନେ ସେଇ ପଥର ଦେହରେ ଲାଗିଥିବା ମାଟିକୁ ଭଲଭାବେ ସଫା
କରିଦେଲେ ।
ସେଇଟି ରୋଟିଏ ଶିବଲିଙ୍ଗ । ଏଥିରେ କାହାର ସନ୍ଦେହ ନଥିଲା । ମୁଖିଆ ଏବଂ ତାଙ୍କର ଗାଈ ଜରୁଆଳମାନେ ସେଇ ଲିଙ୍ଗକୁ ମୁଣ୍ଡିଆ ମାରିଲେ ଏବଂ ଗାଁକୁ ଫେରିଆସି ଲୋକମାନଙ୍କୁ ଏହି ଶିବଲିଙ୍ଗ ଓ କଳାଗାଈର କାର୍ଯ୍ୟ ବିଷୟରେ ଜଣାଇଲେ ।
ଅଳ୍ପ ଦିନ ଭିତରେ ଲୋକମାନେ ଶିବଲିଙ୍ଗ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କଲେ । ପ୍ରତିଦିନ ସେଇ ଶିବଲିଙ୍ଗକୁ କ୍ଷୀର ଢାଳି ପୂଜା କଲେ ।
ଲକ୍ଷ୍ମୀଧର ମହାନ୍ତି
ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି