Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Others Tragedy

1.0  

Aravinda Das

Others Tragedy

ସାରଙ୍କ ମୃତ୍ୟୁର ସମୟ ନିର୍ଘଣ୍ଟ

ସାରଙ୍କ ମୃତ୍ୟୁର ସମୟ ନିର୍ଘଣ୍ଟ

4 mins
7.5K


ସମସ୍ତେ ଅପେକ୍ଷା କରିଥିଲେ ଅସ୍ଥିର ଭାବରେ ; ସାରଙ୍କ ମୃତ୍ୟୁର ସରକାରୀ ଘୋଷଣାକୁ ।ପାଞ୍ଚ ଦିନ ହୋଇଗଲାଣି ସାର୍ ଙ୍କ ଭେଣ୍ଟିଲେଟରରେ ରହିବାର।

ନେତା ହେଲେ, ସବୁ ଜିନିଷ ପାର୍ଟି ନିଷ୍ପତ୍ତି ଉପରେ ବୋଧେ ନିର୍ଭର କରିବାକୁ ପଡ଼େ ବୋଲି ମୁଁ ଅନୁଭବ କରୁଥିଲି;ସାରଙ୍କ ବ୍ୟକ୍ତିଗତ ସଚିବ ହିସାବରେ।

ରାଜ୍ୟର ମୁଖ୍ୟମନ୍ତ୍ରୀ ହିସାବରେ ସାର୍ ବହୁତ ଲୋକପ୍ରିୟ ଥିଲେ । ରାଜନୀତିରେ ପ୍ରବେଶ କଲା ପୂର୍ବରୁ ସେ କଲେଜରେ ଅଧ୍ୟାପନା କରୁଥିଲେ ବୋଲି ସମସ୍ତେ ତାଙ୍କୁ ଆଦରରେ "ସାର୍" ବୋଲି ସମ୍ବୋଧନ କରୁଥିଲେ।

ପ୍ରଶ୍ନ ସଭିଙ୍କ ମନରେ ; କିଏ ହେବ ସାର୍ ଙ୍କ ପରବର୍ତ୍ତୀ ଦାୟାଦ? ସାର୍ ଙ୍କ ସ୍ତ୍ରୀ ସାବିତ୍ରୀ ମ୍ୟାଡମ ଅଥବା ସାରଙ୍କ ପୁଅ ଅଶୋକ ?

ସାର୍ କ୍ରମାଗତ ଭାବେ କିଛିଦିନ ଅସୁସ୍ଥ ଥିଲେ । ଘର,ହସ୍ପିଟାଲ,ଆଇ ସି ୟୁ ,ଭିତରେ ମ୍ୟୁଜିକ ଚେୟାର ଖେଳ ଚାଲିଥିଲା । ସମସ୍ତେ ଆଶା ଛାଡ଼ିଦେଇଥିଲେ ଏବଂ ଜାଣିଥିଲେ, କେତେବେଳେ କିଛି ବି ହୋଇପାରେ।

ଚୁପଚାପ ଖଟରେ ଶୋଇ ରୁମ'ର ଛାତ,ଅଥବା ଖିଡିକି ବାଟ ଦେଇ ଆକାଶକୁ କେବଳ ଅନାଉଥିଲେ ସାର୍।

"ଶେଖର, ଏ ସବୁ ଜିନିଷ ମୋ ଦେହ,ମୁହଁରୁ ବାହାର କରିଦେ । ଆଉ ବଞ୍ଚିବାକୁ ଚାହୁଁନି ମୁଁ। "ଇସାରାରେ ସାର୍ ନିର୍ଦ୍ଦେଶ ଦେଇଥିଲେ ମୋତେ,ପାଞ୍ଚ ଦିନ ତଳେ । ସାର'ଙ୍କ ଠାର ,ମୁଁ ହିଁ କେବଳ ବୁଝୁଥିଲି। ସେ ଦିନଠୁ ସାର୍ ସ୍ଥିର ହୋଇଯାଇଥିଲେ।

ପର୍ସନାଲ ସେକ୍ରେଟେରୀ ହିସାବରେ ମୁଁ ,ଶେଖର ଚୌଧୁରୀ ଥିଲି ,ସାର୍ ଙ୍କର ସବୁଠୁ ଅଧିକ ବିଶ୍ବସ୍ତ । ମୋ ବାପା,ସାରଙ୍କ ବାପାଙ୍କ ବହୁତ ଘନିଷ୍ଟ ରାଜନୈତିକ ସହଯୋଗୀ ଥିଲେ । ସେଇ ହିସାବରେ ସାର୍ ଙ୍କ ସହ ମୋର ଦୀର୍ଘ ୩୦ ବର୍ଷର ନିବିଡ ସମ୍ପର୍କ।

"ଶେଖର,ଜାଣିଛୁ ?ଗୋଟେ ଭଲ ପର୍ସନାଲ ସେକ୍ରେଟେରୀ ହେବା ପାଇଁ ପ୍ରାର୍ଥୀ'ର ସବୁଠୁ କେଉଁ ଗୁଣ ବେଶୀ ଦରକାର ? ଆଉ ତୋତେ ମୁଁ କାହିଁକି ଚାକିରୀ ଦେବି ? "୩୦ ବର୍ଷ ତଳେ ଥିଲା ସାରଙ୍କ ପ୍ରଶ୍ନ।

"ଆପଣଙ୍କୁ ମିଛ କହିବିନି। ଟାଇପ,ସର୍ଟ ହ୍ୟାଣ୍ଡ, ଅଫିସ କାମ ଓ ରାଜନୀତି ଜ୍ଞାନ, ମୋର ବେଶୀ ନାହିଁ । ପାଠ ପଢ଼ାରେ ବି ମୁଁ ସେତେ ପ୍ରଖର ନୁହେଁ । ତେବେ ମୋର ଗୋଟିଏ ଗୁଣ ଅଛି , ତାହା ହେଲା ବିଶ୍ଵାସନୀୟଟା । ମୋ ଆଖି ଯାହା ଦେଖିଲେ ବି ମୋ ପାଟି ଅନ୍ୟ ସମସ୍ତଙ୍କ ପାଇଁ ବନ୍ଦ ରହିବ । ମୋ ଉପରେ ଆପଣ ଭରସା କରିପାରିବେ ସାରା ଜୀବନ। କେବଳ ଆପଣ ଯାହା କହିବେ ସେଇଟା ପାଳିବା ମୋ ପାଇଁ ନିୟମ ହେବ।"

ବାସ୍ ,ମୋ ପାଇଁ ଆଉ ଇଣ୍ଟରଭିଉ ଦରକାର ନଥିଲା । ସାରଙ୍କ ଦୀର୍ଘ ୩୦ ବର୍ଷର ରାଜନୈତିକ ଜୀବନର ସମସ୍ତ ଗୋପନ ଦଲିଲ ମୋ ଛାତି ଭିତରେ ସାଇତା ହୋଇ ରହିଛି ;ଆଜିଯାଏଁ।

"ସାର୍,ଆପଣ ଏତେ ଲୋକପ୍ରିୟ ନେତା ଓ ଦଳର ମୁଖ୍ୟ । ଆପଣ କାହାକୁ ନିଜର ଉତ୍ତରାଧିକାରୀ ଭାବେ ବାଛିବେ ?"ଦିନେ ନିରୋଳାରେ ପ୍ରଶ୍ନ କରିଥିଲି ମୁଁ।

ଭାବୁକ ହୋଇ ସାର୍ କହିଥିଲେ,"ରାଜନୀତିରେ ଭବିଷ୍ୟତବାଣୀ କରିବା ଭାରି କଠିନ ।ମୁଁ ମୁଖ୍ୟମନ୍ତ୍ରୀ ହେବି ବୋଲି କଣ କିଏ ଭାବିଥିଲା ? ତା ଛଡ଼ା ରାଜନୀତିରେ ବେଳେବେଳେ କିଙ୍ଗ ମେକର ମାନେ ସାଧାରଣ ନେତାକୁ ବି ଦଳର ମୁଖ୍ୟ ବନାଇ ପାରନ୍ତି । ତେଣୁ ସବୁଠୁ ବଡ଼ ହେଲା ଭାଗ୍ୟ ଓ କିଏ କିଙ୍ଗ ମେକର ହେବ ?"

ଏବେ ପରିସ୍ଥିତି ଭିନ୍ନ। ଦଳର କିଛି ଲୋକ ସାବିତ୍ରୀ ମ୍ୟାଡମଙ୍କ ସପକ୍ଷରେ ଥିଲାବେଳେ, କିଛି ଥିଲେ ଅଶୋକଙ୍କ ସପକ୍ଷରେ । ଅଶୋକଙ୍କ ମା ଅର୍ଥାତ୍ ସାରଙ୍କ ,ପ୍ରଥମ ସ୍ତ୍ରୀଙ୍କ ନିଧନ ପରେ ସାବିତ୍ରୀ ମ୍ୟାଡମଙ୍କୁ ଦ୍ଵିତୀୟ ବିବାହ କରିଥିଲେ ସାର୍।

ମୋ ପାଇଁ ପ୍ରାଥମିକତା ଥିଲା ସାରଙ୍କ ସ୍ବାସ୍ଥ୍ଯ। ମୁଁ ଚାହୁଁ ନଥିଲି ସାର୍ ଆହୁରି କଷ୍ଟ ପାଆନ୍ତୁ କିମ୍ବା ଲାଇଫ ସପୋର୍ଟ ସିଷ୍ଟମ ସାହାଯ୍ୟରେ ମିଛରେ ବଂଚିରୁହନ୍ତୁ । ତେବେ ମୁଁ ବୁଝି ବି ପାରିନଥିଲି କାହିଁକି ସାରଙ୍କ ମୃତ୍ୟୁର ଘୋଷଣା ହେଉନି।

" ଭେଣ୍ଟିଲେଟରରୁ ବାପାଙ୍କୁ ବାହାର କରିଦେବା ଅଶୋକ । ଅଯଥାରେ ଏମିତି ପକାଇ ରଖିବା....

ମୋ କଥାକୁ ଅଧାରେ ରଖି ଅଶୋକ କହିଥିଲା, "ଅଙ୍କଲ, ମମ୍ମିଙ୍କୁ ଆଗେ ବୁଝାଇବା ଦରକାର । ତା ପରେ ଘୋଷଣା।"

ବ୍ୟସ୍ତ ହୋଇ ମୁଁ କହିଲି, "ସ୍ଵାମୀଙ୍କ ମୃତ୍ୟୁ ଖବର ଭାଉଜ କେମିତି ବା ସହଜରେ ଗ୍ରହଣ କରିବେ ? ତାଙ୍କୁ ଯାହା ହେଲେବି ବୁଝାଇବା । ପାର୍ଟି ଲୋକଙ୍କ ସହ କଥାବାର୍ତ୍ତା କରିଦେ।"

ମୋ ପାଖକୁ ଆସି ଅଶୋକ ଧୀର ସ୍ୱରରେ କହିଲା, "ଡ୍ୟାଡ୍ ଙ୍କ ମୃତ୍ୟୁ ପାଇଁ ନୁହେଁ, ଆପଣଙ୍କ ଭାଉଜ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ତାଙ୍କୁ ଆଗେ ବୁଝାନ୍ତୁ । ସଂଖ୍ୟାଗରିଷ୍ଠ ବିଧାୟକ ମୋ ସପକ୍ଷରେ ଅଛନ୍ତି । ଯଦି ମୁଁ ମୁଖ୍ୟମନ୍ତ୍ରୀ ନହୁଏ, ତେବେ ଅବସ୍ଥା ଭଲ ହେବନି । ଥାଆନ୍ତୁ ଡ୍ୟାଡ୍ ଭେଣ୍ଟିଲେଟରରେ । ଆଉ ସେ ଚନ୍ଦ୍ରକାନ୍ତ ବି ନିଜ ଚାଲ ଖେଳୁଛି।"

ଉପ ମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ ଜଣେ ପାରଙ୍ଗମ ନେତା ବୋଲି ସମସ୍ତେ ଜାଣିଥିଲେ।

ଥରେ ସାର୍ ମୋତେ କହିଥିଲେ, "ମୋର ଯଦି କିଛି ହୋଇଯାଏ, ତେବେ ଏଇ ଚନ୍ଦ୍ରକାନ୍ତ ସହ ହୁସିଆର ହୋଇ ଚଳିବୁ।"

"କାହିଁକି "?ମୋ ପାଟିରୁ ବାହାରି ଯାଇଥିଲା ।

ମୃଦୁ ହସି ସାର୍ କହିଥିଲେ, "ତା ଭିତରେ ମୁଁ ନିଜକୁ ଦେଖୁଛି । ଖାଲି ରାଜନୀତି ନୁହେଁ, କୂଟନୀତି ରେ ବି ପୁରା ଓସ୍ତାଦ । ସିଏ ଯାହାକୁ ସମର୍ଥନ କରିବ ,ସେ ହିଁ ସମ୍ଭାଳିଵ ରାଜ୍ୟର ମଙ୍ଗ । ତେବେ ପ୍ରାର୍ଥୀ ଯିଏ ବି ହେଉ, ଦୁର୍ନୀତି ମୁକ୍ତ ଲୋକ ହେବା ଦରକାର । ମୋର ସେଇ ଭାବମୂର୍ତ୍ତି ଯୋଗୁଁ ଲୋକ ମୋତେ ଭଲ ପାଉଛନ୍ତି । କଣ କହୁଛୁ ତୁ ?"

ବୁଝିଥିଲି ସାରଙ୍କ ଅନ୍ତରର ଭାବନା ଓ ଜାଣିପାରିଥିଲି, ସେ କାହିଁକି ଅଶୋକ ବା ଭାଉଜଙ୍କ ନାଁରେ ଆଜିଯାଏଁ ମୋହର ମାରିନାହାନ୍ତି।

ଉଭୟ ଅଶୋକ ଓ ସାବିତ୍ରୀ ମ୍ୟାଡମ ଦଳ ଭିତରେ ବଳ କଷାକଷି ଅଙ୍କ ରେ ଲାଗିପଡିଥିଲେ।

ଆଜି ଭାବୁଥିଲି ସାରଙ୍କ ସେଇ କଥା । ସତରେ କିଏ ହେବ ଉତ୍ତରାଧିକାରୀ ?

ପାଞ୍ଚଦିନ ବିତିଯାଇଥିଲା । ସେଦିନ ପାର୍ଟି ମିଟିଙ୍ଗରେ ଚନ୍ଦ୍ରକାନ୍ତ ଦୁଇଟା ଭିଡିଓ ଦେଖାଇଥିଲା।

ସାବିତ୍ରୀ ମ୍ୟାଡମ, ଆଗାମୀ ନିର୍ବାଚନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ପାଖରୁ ଚାନ୍ଦା ଆକାରରେ ଟଙ୍କା ,ଗହଣା,ଶାଢୀ ଗ୍ରହଣ କରୁଥିବାର ଭିଡିଓ ଏବଂ ଦ୍ଵିତୀୟ ଭିଡିଓଟି ଥିଲା ଅଶୋକର ବିଭିନ୍ନ ସରକାରୀ ଅଫିସର, ପୋଲିସ୍ ଅଧିକାରୀଙ୍କ ବଦଳି ପାଇଁ ମୋଟା ଅଙ୍କ ର ଲାଞ୍ଚ ଆଦାୟ । ସମସ୍ତେ ସ୍ତବ୍ଧ । କାହା ପାଟିରେ ଭାଷା ନାହିଁ । ହଲ ଭିତରେ ଚାପା ଗୁଞ୍ଜରଣ।

" ଏ ଟେପ୍, ଗୋଟେ ଟିଭି ଚ୍ୟାନେଲ ହାତରେ ପଡ଼ିଥିଲା । ବିଶ୍ବସ୍ଥ ଲୋକ ବୋଲି ମୋତେ ଦେଇଛି । ଏଥର ନିଷ୍ପତ୍ତି ଆପଣମାନଙ୍କ ହାତରେ।" ଚନ୍ଦ୍ରକାନ୍ତ କହୁଥିଲେ।

ପରଦିନ ସକାଳ ଆଠଟା ରେ ସାରଙ୍କ ଦେହାନ୍ତ ର ଘୋଷଣା ହୋଇଥିଲା ଓ ଚନ୍ଦ୍ରକାନ୍ତ ମୁଖ୍ୟମନ୍ତ୍ରୀ ହିସାବରେ ଶପଥ ନେଇଥିଲେ । ଏକ ବିରାଟ ସ୍ମୃତିସ୍ତମ୍ଭ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ ନୂଆ ମୁଖ୍ୟମନ୍ତ୍ରୀ।

ମୋତେ ଚନ୍ଦ୍ରକାନ୍ତ କ୍ୟାବିନେଟ ମନ୍ତ୍ରୀ ଭାବେ କାହିଁକି ନିଯୁକ୍ତି ଦେଇଥିଲେ, ତାହା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସମସ୍ତେ ଫୁସୁରୁ ଫାସର ହେଉଥିଲେ," ସାର୍'ଙ୍କ ପଦାଙ୍କ ଅନୁସରଣ କରୁଛନ୍ତି ଚନ୍ଦ୍ରକାନ୍ତ । ସାରଙ୍କ ଇଚ୍ଛାକୁ ସମ୍ମାନ ଦେଇ ଶେଖର ଚୌଧୁରୀଙ୍କୁ ଗୃହ ମନ୍ତ୍ରୀ କରିଛନ୍ତି ବୋଧେ।କିନ୍ତୁ ସାର୍ ଙ୍କ ପୁଅ, ସ୍ତ୍ରୀ କେହି କାହିଁକି ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଲେନି କେଜାଣି ?"

ସାର୍ ଙ୍କ ସମାଧିରେ ଫୁଲ ଚଢାଇଲା ବେଳେ ସେଦିନ ମନକୁ ମନ, ମୁଁ ସାର୍ ଙ୍କୁ କ୍ଷମା ମାଗି କହୁଥିଲି, "ଆପଣଙ୍କ ଇଚ୍ଛାକୁ ସମ୍ମାନ ଦେଇ, ଆପଣଙ୍କ ଦାୟାଦ ଦୁର୍ନୀତି ମୁକ୍ତ ହେଉ ବୋଲି ସେଇ ଭିଡିଓ ଟେପ୍ ଚନ୍ଦ୍ରକାନ୍ତଙ୍କୁ ମୁଁ ଦେଇଥିଲି ସାର୍ । ନହେଲେ ହୁଏତ ଆପଣଙ୍କ ମୃତ ଦେହ ଆହୁରି ମାସେ ଭେଣ୍ଟିଲେଟରରେ ଥାଆନ୍ତା । ଆଜି ମୁଁ ବୁଝୁଛି ସାର୍, ନେତା ମାନଙ୍କ ମୃତ୍ୟୁର ସମୟ ନିର୍ଘଣ୍ଟ ଭଗବାନ ଅଥବା ଯମ ନୁହନ୍ତି ,ବରଂ ପାର୍ଟି ଓ ନେତା ମାନେ ହିଁ ନିର୍ଦ୍ଧାରଣ କରନ୍ତି । ଆଉ ବେଳେବେଳେ କିଙ୍ଗମେକର।"

(ଅରବିନ୍ଦ ଦାସ)


Rate this content
Log in