Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bismita Sahoo

Drama

5.0  

Bismita Sahoo

Drama

ପରୀ

ପରୀ

7 mins
300


ରିମଝିମ ବର୍ଷାର ତାନ ଲାଗିରହିଥିଲା ।  କିଛି ଦିନ ହେଲା ନିଦାଘର ଉତ୍ପାତରେ ଛଟପଟ ହେଉଥିବା ବାତାବରଣକୁ କୋହଲା ପାଗ ଶୀତଳ କରିବା ପାଇଁ ଯଥେଷ୍ଟ ଥିଲା । ଅଚାନକ ବର୍ଷା ଥମି ଯାଇଥିଲା । ସୁନେଲି କିରଣ ଆକାଶରେ ବିଞ୍ଚି ହେଇଗଲା । ଇନ୍ଦ୍ରଧନୁଟିଏ ସୂର୍ଯ୍ୟର ଲାଲିମାକୁ ଚିରି ନଭ ବକ୍ଷରେ ଶୋଭା ପାଇଲା । ବିହଙ୍ଗମ ଦଳ ଚିଁ ଚିଁ କରି ନିଜ ବସାକୁ ଫେରିବାକୁ ତତ୍ପର ହେଉଥିଲେ । ଆମ୍ବଗଛରୁ ପାଣି ତଳେ ଥପ ଥପ ପଡ଼ି ମାଟି ସହିତ ମିଶି ଖୁସିର ଗୀତ ଗାଉଥିଲା । ଛୋଟ ଛୋଟ ପିଲାମାନେ କାଗଜ ଡଙ୍ଗା କରି ନାଳରେ ଭସାଉଥିଲେ । ଡାକ୍ତରଖାନାର ବାଲକୋନିରୁ ଏସବୁ ଦୃଶ୍ୟ ସୁଧୀରକୁ ଖୁବ ଆନନ୍ଦିତ କରୁଥିଲା । ତା ଶରୀର ଧୀରେ ଧୀରେ ପୁଲକିତ ହେଉଥିଲା । ଠିକ୍ ଏହି ସମୟରେ ନର୍ସ ଦୌଡ଼ି ଆସି କହିଲେ


- ସାର୍ ଆପଣଙ୍କର ଝିଅଟିଏ ହେଇଛି ।


- ପରୀ


ସୁଧୀର ମୁହଁରୁ ବାହାରି ଆସିଲା ନାଁ ଟି । ହଁ ପରୀ ନୁହେଁ ତ କଣ? ଏହିପରି ଏତେ ସୁନ୍ଦର ମାହେନ୍ଦ୍ର ବେଳାରେ କଣ କେହି ସାଧାରଣ ଶିଶୁ ଜନ୍ମ ନିଅନ୍ତି? ସୁଧୀର ଦୌଡ଼ିଗଲା ତାନି ପାଖକୁ । ତାନିର ଏବେ ଯାଏଁ ହୋସ୍ ଆସିନି । ପରୀ କିନ୍ତୁ ତା ମା କଡ଼ରେ ଶୋଇ ରହିଛି । ସୁଧୀର ଝିଅକୁ ଜଡ଼ାଇ ଧରିଲା ତା ଛାତିରେ । ତା ପରୀ ତାକୁ ଜୁଳୁ ଜୁଳୁ ଅନେଇଲା । ସେ ଚୁମିଗଲା ତାର ସର୍ବାଙ୍ଗ ଶରୀରକୁ । ପରୀର ଜନ୍ମ ପରେ ସୁଧୀର ବି ତ ନୂତନ ଜୀବନ ପାଇଛି । ଏବେଠୁ ତା ପିତୃତ୍ୱ ପର୍ବର ଆରମ୍ଭ ହେଲା ।  

  

    ଏକ ନାମଜାଦା ବ୍ୟବସାୟୀ ହିସାବରେ ସୁଧୀର ସାରା ସହରରେ ପରିଚିତ । ବାପା, ମାଙ୍କ ମୃତ୍ୟୁ ପରେ ଏକମାତ୍ର ସନ୍ତାନ ହିସାବରେ ଅଚଳାଚଳ ସମ୍ପତ୍ତିର ମାଲିକ । ସେ ମଧ୍ୟ ବାପାଙ୍କ ବ୍ୟବସାୟକୁ ନଭଶ୍ଚୁମ୍ଭି କରିବାରେ ଅହୋରାତ୍ର ଲାଗିପଡ଼ିଛି । ଦାନ, ଧର୍ମ, ଦୁଃଖୀରଙ୍କିଙ୍କ ସେବାରେ ମଧ୍ୟ କେବେ ଉଣା କରେନି । ତା ସ୍ତ୍ରୀ ତାନି ବି କେଉଁ ଗୁଣରେ କମ୍ ନୁହେଁ । ରୂପରେ କି ଗୁଣରେ ତାକୁ କେହି ଖୁଣି ପାରିବେନି । ପରୀର ଜନ୍ମ ପରେ ଘରଟିରେ ସଦାବେଳେ ଖୁସି ଓ ଉଲ୍ଲାସର ବାତାବରଣ ଲାଗିରହିଛି ।  


   ଆଜିକାଲି ସୁଧୀର ଟିକେ ଜଲଦି ଘରକୁ ଫେରୁଛି । ପରୀ ସହିତ ନଖେଳିଲେ ତାକୁ ଶାନ୍ତି ମିଳେନି । ପରୀର କୁନି କୁନି ରକ୍ତିମ ପାଦ ଦୁଇଟି ତାକୁ ଭାରି ଭଲ ଲାଗେ । ସୁଧୀର ଯେତେବେଳେ ସେ ପାଦ ଯୋଡ଼ିକୁ ତାର ଗାଲରେ ଲଗାଏ ପରୀ ତାକୁ ଡବ ଡବ ହୋଇ ଅନାଏ । ସେ ଢଳ ଢଳ ଆଖି ଦୁଇଟିରେ ଯେମିତି ତା ଝିଅ ତା ସହିତ କଥା ହୁଏ । ଏମିତି ଖୁସିରେ ତା ଦିନ ଗୁଡ଼ିକ ଗଡ଼ି ଚାଲିଲା । ପରୀ ତିନି ମାସର ହେଲାଣି ହେଲେ ଏବେ ଯାଏ କଡେ଼ଇ ଶୋଉନି । ସେ ଶୁଣିଥିଲା ଦେଢ଼ ମାସରୁ କୁଆଡେ ପିଲାମାନେ କଡେ଼ଇ ହୁଅନ୍ତି । ତା ବ୍ୟସ୍ତତା ଦେଖି ତାନି ତାକୁ ବୁଝାଏ । କିଛି ପିଲାଙ୍କର ଟିକିଏ ଡେରିରେ ସବୁ ହୁଏ । ହଁ ସେଇକଥାତ । ଏଇ ଚାରି ମାସରେ ତା ଝିଅ ପ୍ରଥମ କରି କଡେ଼ଇ ଲାଣି । ବେକାରଟାରେ ସେ ଏତେ ବ୍ୟସ୍ତ ବିବ୍ରତ ହୋଇ ଉଠୁଥିଲା । ପରୀର ସବୁ କାମ ଡେରିରେ ହେଲା । ପାଖା ପାଖି ଦି ବର୍ଷରେ ସେ ଭଲରେ ଚାଲିଲା । ହେଲେ ଏବେବି ସୁଧୀରକୁ ଦେଖିଲେ ଖାଲି ଡବ ଡବ ହୋଇ ଅନାଏ । ପାଖକୁ ଡାକିଲେ ଆସି ଜୋରରେ କୁଣ୍ଢେଇ ପକାଏ, ହେଲେ ବେଳେବେଳେ ତା ହାତକୁ ଜୋରରେ ଛିଞ୍ଚାଡ଼ି ଦିଏ ।  ତାକୁ ଏଇ ଜ୍ୟେଷ୍ଠ ପୂର୍ଣ୍ଣିମା କୁ ଚାରି ପୁରିବ ହେଲେ ଏବେ ଯାଏ ବି ଭଲରେ କଥା କହୁନି । ନିଜକୁ ନିଜେ କଣ ସବୁ କହିଯାଉଛି । ଖେଳନା ନେଇ ଖେଳୁଛି ପୁଣି ମଝିରେ ମଝିରେ ସବୁ ଫୋପଡା ଫିଙ୍ଗା କରୁଛି । ବିନା କାରଣରେ ଖୁବ ଜୋରରେ ରାଗି ଘରର ଯାବତୀୟ ଜିନିଷ ବାହାରେ ପକଉଛି । ତାନି ପରୀର ଏତାଦୃଶ ବ୍ୟବହାରରେ ଅତିଷ୍ଠ ହେଇଗଲାଣି ।  


  ଆଜି ପରୀର ଜନ୍ମଦିନ ।  ଘରକୁ ରଙ୍ଗ ବିରଙ୍ଗୀ ଆଲୁଅ ମାଳରେ ସଜା ଯାଇଛି । ଆଠ କେଜିର ଗୋଟିଏ ବିରାଟ ବଡ଼ କେକ ଟେବୁଲରେ କାଟିବା ପାଇଁ ରଖା ହେଇଛି । ଅତିଥିମାନଙ୍କ ସମାଗମ ବଢ଼ିଲାଣି । ତାନି ପରୀକୁ ଗୋଲାପୀ ରଙ୍ଗର ଥାକ ଥାକିଆ ଫ୍ରକଟିଏ ପିନ୍ଧେଇ ଦେଲା । ଫ୍ରକର କଡରେ ଲାଗିଥିବା ଦୁଇଟି ଫିତାକୁ ପରୀ ପାଟିରେ ପୁରେଇ ଚୋବାଉଥାଏ । ତାନି ତାକୁ ଏପରି ନ କରିବା ପାଇଁ ମନା କରିବାରୁ ପରୀ ହଠାତ ରାଗିଯାଇ ତା ଗାଲକୁ ଚାପୁଡା ମାରିଲା । ତାନି କିଛି ବୁଝିପାରିଲାନି । ପରୀ ଦୌଡିଯାଇ ଟେବୁଲରେ ରଖାଯାଇଥିବା କେକ ଟିକୁ ତଳେ ପକେଇଦେଲା । ତାନି ନିଜକୁ ସମ୍ଭାଳି ପାରିଲାନି । ସମସ୍ତଙ୍କ ସମ୍ମୁଖରେ ପରୀକୁ ଦିଟା ଢୋ କରି ମାରିଲା । ସୁଧୀର ପରୀକୁ କୋଳେଇନେଲେ । ତାନି ରାଗି କହିଲା


- ସୁଧୀର ତୁମର ଏ ଗେଲ ବସର ପାଇଁ ଝିଅଟା ବିଗିଡ଼ି ଗଲାଣି । ଏଡିକିଟେ ମେଞ୍ଚଡ଼ ଛୁଆ ମୋତେ ରାଗ ଦେଖଉଛି ।  


  ସବୁ ଅତିଥି ଅଭ୍ୟାଗତଙ୍କ ସମ୍ମୁଖରେ ଦୁହେଁ ପରସ୍ପରକୁ ଦୋଷାରୋପ କରୁଥିଲେ । ପରିସ୍ଥିତି ଅଣାୟତ୍ତ ହେଇଯାଇଥିଲା । ପରୀ କେତେବେଳେ ସୁଧୀରଙ୍କ କୋଳରୁ ଯାଇ ଶୋଇବା ଘରେ ନିଜକୁ ବନ୍ଦ କରି ଦେଇଛି କେହି ଜାଣିନାହାନ୍ତି । ଯେତେବେଳେ ପରୀକୁ ଖୋଜା ପଡ଼ିଲା ସେତେବେଳେ ଯାଇ ଜଣାପଡ଼ିଲା ଯେ ପରୀ ନାହିଁ । ସବୁ ରାଗ ଅଭିମାନ ଭୁଲି ଯାଇ ମା ବାପା ଦୁହେଁ ପରୀକୁ ଖୋଜିବାକୁ ଲାଗିଲେ । ପରୀ ନିଜକୁ ଘର ଭିତରେ ବନ୍ଦ କରିଦେଇଛି, କିନ୍ତୁ ଖୋଲି ପାରୁନି । ତାକୁ କବାଟ ଖୋଲିବା ପାଇଁ ଝରକା ବାଟେ ଯେତେ ଉପାୟ ବତାଇଲେ ମଧ୍ୟ ସେ ଜାଣିପାରୁନି ।  ଶେଷରେ କବାଟ ଭାଙ୍ଗି ତାକୁ ଉଦ୍ଧାର କରାଗଲା । ସେ ଖାଲି ଖିଲି ଖିଲି ହୋଇ ହସୁଥାଏ ।  


    ବହୁ ବିଚାର ବିମର୍ଷ ପରେ ପରୀକୁ ନେଇ ସୁଧୀର ଓ ତାନି ଡାକ୍ତର ପାଖକୁ ଗଲେ । ଦୁହିଁଙ୍କଠାରୁ ସବୁ ଶୁଣି ପରୀକୁ ପରୀକ୍ଷା କଲା ପରେ ଜଣାପଡ଼ିଲା ଯେ ପରୀ 'ଅଟିଜିମ ସ୍ପେକ୍ଟ୍ରମ ଡିଜଡର' ରୋଗରେ ପୀଡିତ । ଯେଉଁଥିପାଇଁ ସେ ବେଳେବେଳେ ଅକାରଣରେ ଏତେ ରାଗିଯାଉଛି । କଥା ଠିକ ଢଙ୍ଗରେ କହିପାରୁନି । ବଡ଼ ବଡ଼ ଆଖିରେ ଅନେଇ ରହୁଛି । ଏସବୁ ଶୁଣି ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ମୁଣ୍ଡରେ ସତେ ଯେମିତି ବଜ୍ର ପଡ଼ିଲା ।  ପରୀର ଦେଖାଶୁଣା କରିବା ପାଇଁ ଦୁଇଟି ଆୟାଙ୍କୁ ନିଯୁକ୍ତି ଦିଆଗଲା । ହେଲେ ପରୀର ବ୍ୟବହାରରେ କ୍ଷୁବ୍ଧ ହୋଇ ସେମାନେ ଚାଲିଗଲେ । ଦିନ ଗଡି ଚାଲୁଥାଏ କିନ୍ତୁ ପରୀ ପାଇଁ କେହି ବି ତତ୍ତ୍ୱାବଧାରିକା ମିଳିଲେନି । ଆଜିର ଯୁଗରେ ତିନି ବର୍ଷ ନହେଉଣୁ ପିଲାମାନେ ସ୍କୁଲ ଯାଉଛନ୍ତି କିନ୍ତୁ ପରୀ ସାତ ବର୍ଷର ହେଲାଣି ଏବେ ଯାଏଁ ବିଦ୍ୟାଳୟର ହତା ମାଡ଼ିନି । କଣ ହେବ ତାର ଭବିଷ୍ୟତ । ଏତେବଡ଼ ଜ୍ଞାନୀ ଗୁଣୀ, ପ୍ରଖ୍ୟାତ ବ୍ୟବସାୟୀଙ୍କ ଝିଅ ଶ୍ରୀଅକ୍ଷର ବିବର୍ଜିତ ହେଇ ରହିବ ।  


  ଯେତେବେଳେ ସବୁ ଦୁଆର ବନ୍ଦ ହେଇଯାଏ ଭଗବାନ ନିଜ ହାତ ପ୍ରସାରି ସବୁ ସମସ୍ୟାର ସମାଧାନ କରି ଦିଅନ୍ତି । ଚାକରାଣୀ ମାଳତୀର ଦେହ ଭଲ ନଥିବାରୁ ତାକୁ କାମରେ ସାହାଯ୍ୟ କରିବା ପାଇଁ ସେ ତା ନାତୁଣୀ ଟିନାକୁ ନେଇ ଆସିଥିଲା । ଟିନା ଚଉଦ ପନ୍ଦର ବର୍ଷର ଝିଅଟିଏ । ମଧ୍ୟମ ଉଚ୍ଚତା । ସେ ପରୀକୁ ଦେଖି ମୁଚୁକି ମୁଚୁକି ହସିଲା । ବଗିଚାରୁ ଫୁଲ ତୋଳି ଦି ଟା ଗଜରା ତିଆରିଲା । ଗୋଟେ ନିଜେ ଓ ଆରଟି ପରୀ ଚୁଟିରେ ସୁନ୍ଦର କରି ଲାଗେଇଦେଲା । ପରୀ ତାର ସବୁ ଖେଳନା ଆଣି ଟିନା ପାଖରେ ଅଜାଡ଼ି ଦେଲା । ଟିନା ଛୋଟ ଛୋଟ ତିନିଟା ଇଟା ରଖି ଚୁଲୀ ତିଆରିଲା । ଖେଳନା ଡେକ୍ଚି, କଡେ଼ଇ ବସେଇ ବାଲି ଗୋଡିରେ ଭଳିକି ଭଳି ଖାଦ୍ୟ ପ୍ରସ୍ତୁତ କଲା । ପରୀ ଟିନା ପାଖରେ ଠିଆହେଇ କେତେବେଳେ ତାଳି ମାରୁଥିଲା ତ ଆଉ କେତେବେଳେ ସେ ଟିନାଠୁ ଦେଖି ଗୋଟେ ଛୋଟ ବାଡ଼ି ଧରି ଫୁ ଫୁ କରି ଚୁଲୀ ଫୁଙ୍କୁଥିଲା ।  


   ଆଶ୍ଚର୍ଯ୍ୟ ନୟନରେ ଦୂରରୁ ଏସବୁ ନିରୀକ୍ଷଣ କରୁଥିଲା ତାନି । ପରୀ ,ସୁଧୀର ଓ ତାନି ବ୍ୟତୀତ ଆଜିଯାଏ କାହା ପାଖରେ ଏତେ ସମୟ ଏପରି ଖୁସିରେ କଟେଇନି । ମାଳତୀର କାମ ସରିବାରୁ ଟିନା ଘରକୁ ଯିବାକୁ ବାହାରିଲା । ଟିନା ଯିବାପାଇଁ ଉଦ୍ୟତ ହେବାରୁ ପରୀ ରାଗିଯାଇ ତାକୁ ବିଧା, ଗୋଇଠା ମାରିଲା । ତା ଚୁଟି ଟାଣି ଗାଲକୁ ଚାପୁଡ଼ାଟିଏ କଷି ଦେଲା । ମାତ୍ର ଟିନା ନରାଗି ପରୀକୁ ନିଜ ଛାତିରେ ଖୁବ୍ ଜୋରରେ ଭିଡ଼ି ଧରିଲା । ନିଆଁରେ ପାଣି ପଡ଼ିଲା ପରି ପରୀର ରାଗ ଶାନ୍ତ ହେଇଗଲା । ସେ ଧୀରେ ଧୀରେ ଅସ୍ପଷ୍ଟ ଭାଷାରେ ଦି ---- ଦି--- ଦିଦିଇଇଇଇ---- କହି ଟିନାକୁ କୁଣ୍ଢେଇ ଧରିଲା । ସୁଧୀର ଅଫିସରୁ କେତେବେଳେ ଆସି ତାନି ପାଖରେ ଛିଡ଼ା ହେଇ ଏସବୁ ଦେଖୁଥାନ୍ତି । ଅବାରିତ ଅଶ୍ରୁଧାର ଆଜି ବୋଲ ମାନୁନଥିଲା । ସକାଳୁ ସକାଳୁ ପରୀ ଉଠି ଦାଣ୍ଡ ପାହାଚରେ ଟିନାକୁ ଅପେକ୍ଷା କରି ବସିଛି । ଟିନା ଆସିବାରୁ ତାର ଖୁସି କହିଲେ ନସରେ । ପରୀ ପାଇଁ ଟିନା ପ୍ରତିଦିନ ଆସିବାକୁ ଲାଗିଲା । ଟିନା ତାକୁ ଗାଧେଇ ପୋଷାକ ପିନ୍ଧେଇ ଦିଏ । ତାର ମୁଣ୍ଡକୁ ଭିନ୍ନ ଭିନ୍ନ ପ୍ରକାରେ କୁଣ୍ଡେଇଦିଏ । ତାକୁ ନିଜ ହାତରେ ଖୁଆଇ ଦିଏ । ଏଇ ଅଳ୍ପଦିନ ଭିତରେ ଟିନା ଯେମିତି ପରୀର କୁନି ମା ସାଜି ଯାଇଥିଲା । ସେ ପରୀର ବହି ସବୁ ଆଣି ତାକୁ ଚିତ୍ର ଦେଖାଏ । ପରୀ ହାତୀ, କୁକୁର, ଗାଈ, କାଉ ଏସବୁ ଚିହ୍ନିଲାଣି ।  

     ଦିନେ ଇଂରାଜୀରେ ବଏ ଓ ଗାର୍ଲ ଲେଖା ହେଇଥିବା ଚିତ୍ରକୁ ଦେଖାଇ ତାନି ପରୀକୁ ଶିଖାଉଥିଲା


- ଏଇଟା ପୁଅ , ଆଉ ଏଇଟା ଝିଅ ।


  -ଆରେ ବାଃ ଟିନା ତ ପରୀକୁ ଖୁବ ସୁନ୍ଦର ଭାବେ ପଢ଼ାଉଛି ।

 

ସୁଧୀର ତାନିକୁ କହିଲେ ।


- ହେଲେ ଟିନା ଯେ କିଛି ପାଠ ପଢିନି । ଦେଖୁନ ସେ କେମିତି 'ବଏ'କୁ ପୁଅ ଓ ' ଗାର୍ଲ'କୁ ଝିଅ ଶିଖାଉଛି ।


ତାନି କହିଲା ।


- ଆମେ ତାକୁ ପଢେଇବା । ସେ ପଢ଼ିଲେ ଆମ ଝିଅକୁ ଶିଖେଇବ । ଦେଖୁନ ଆମେ କେତେ ଚେଷ୍ଟା ନକରିଛେ ତାକୁ ପଢେଇବା ପାଇଁ । ତିନି ତିନିଥର ତା ନାଁ ସ୍ପେସିଆଲ ସ୍କୁଲ ମାନଙ୍କରେ ଲେଖେଇଛେ, କିନ୍ତୁ ପରିଣତି କଣ ହେଲା? ପ୍ରଥମ ଦିନ ପରେ ଆଉ ସ୍କୁଲ ଯିବାକୁ ପରୀ ରାଜିହେଲାନି । ବହୁ ଭାବିଚିନ୍ତି ତୁମକୁ ମୁଁ କହୁଛି ।  


- ତା ମାନେ ଟିନା କଣ ସ୍ପେସିଆଲ ସ୍କୁଲରେ ପଢିବ? ତାକୁ କଣ ସେଠାରେ ପଢ଼ିବା ପାଇଁ ଅନୁମତି ମିଳିବ । ପୁଣି ଏତେବଡ଼ ଝିଅଟିର ନାଁ କଣ ଲେଖେଇବା ପାଇଁ କୌଣସି ବିଦ୍ୟାଳୟ ରାଜି ହେବ ।


ତାନିଠାରୁ ଏପରି ଶୁଣି ସୁଧୀର କହିଲେ


- ଟିନାର ନାଁ ମୁଁ ଆମ ଘରପାଖରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଲେଖେଇବି । ଏବେ ବିଦ୍ୟାଳୟମାନଙ୍କରେ

'ଇଂକ୍ଲୁସିଭ ଏଜୁକେସନ' ବା 'ସମାବେଶୀ ଶିକ୍ଷା' ବ୍ୟବସ୍ଥା ଲାଗୁ କରାଯାଇଛି । ଯାହାଦ୍ୱାରା ସ୍ପେସିଆଲ ଚାଇଲ୍ଡ଼ ମାନେ ମଧ୍ୟ ସେଠାରେ ପଢିପାରିବେ । ମୁଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିଛି । ସେମାନେ ପରୀ ସହିତ ଟିନାକୁ ବି ଏକା ଶ୍ରେଣୀରେ ବସିବାକୁ ଦେବେ ।


- ଏସବୁ ଠିକ୍ ଯେ, ହେଲେ ଟିନା ଏତେ ବଡ଼ ଝିଅଟା କଣ ଚାରି ପାଞ୍ଚବର୍ଷର ଛୁଆଙ୍କ ସହିତ ମିଶି ପଢ଼ିବାକୁ ରାଜି ହେବ? ଆମେ ଆମ ଛୁଆର ଭଲ ପାଇଁ ଅନ୍ୟ କୋୖଣସି ପିଲାର ସ୍ୱାଭିମାନକୁ ଆଘାତ ଦେବାନି ତ?


  ଚାରିଆଡେ ନୀରବତା ଖେଳିଗଲା । ସୁଧୀର ଓ ତାନି ଚୁପଚାପ ମୁହଁ ତଳକୁ କରି ବସିଥାନ୍ତି । ସେ ନିଜ ଝିଅର ସ୍ୱାର୍ଥ ହାସଲ କରିବାକୁ ଯାଇ ଆଉ ଗୋଟିଏ ଝିଅର ବଳି କିପରି ପକେଇବାକୁ ଯାଉଥିଲେ? ଏକଥା ଭାବି ଭାବି ସୁଧୀର ନିଜକୁ ଧିକ୍କାର କରୁଥାନ୍ତି । ଏମାନଙ୍କ ଅଲକ୍ଷ୍ୟରେ ଟିନା ସବୁ ଶୁଣୁଥିଲା । ପରୀ ସହିତ ସ୍କୁଲ ଯିବାପାଇଁ ଓ ତା ଶ୍ରେଣୀରେ ବସିବା ପାଇଁ ସେ ରାଜି ଅଛି ବୋଲି ତାନିକୁ କହିଲା । ପିଲାଦିନରୁ ପାଠ ପଢ଼ିବା ପାଇଁ ତାର ଖୁବ୍ ଆଗ୍ରହ ଥିଲା, କିନ୍ତୁ ଘରର ଅଭାବ ପାଇଁ ସେ ପାଠ ପଢ଼ିବା ପରିବର୍ତ୍ତେ ପରଘରେ ପେଟ ପୋଷିବା ପାଇଁ କାମ କରିବାକୁ ପଡ଼ିଲା । ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । ପରୀକୁ ପାଠପଢ଼ାରେ ସାହାଯ୍ୟ କରିବି ବୋଲି ବୋଧହୁଏ ଆଜିଯାଏ ସେ ନିରକ୍ଷର ଥିଲା ।

   

  ଟିନା ମୁହଁରୁ ଏପରି ଶୁଣି ତାନି ତାକୁ କୁଣ୍ଢେଇ ଧରି କାନ୍ଦି କାନ୍ଦି କହିଲା 


 ମା, ରେ ତୁ ଜଣେ ସାମାନ୍ୟ ମନୁଷ୍ୟ ନୁହେଁ । ତୁ ଦେବଦୂତ ସାଜି ମୋ ଘରକୁ ଆସିଛୁ । ତୁ ମୋ ପରୀ ଦେହରେ ସତ ସତିଆ ଡେଣା ଲଗେଇଦେଇ ତା ନାଁ କୁ ସାର୍ଥକ କରିଦେଲୁ ।  


ପରୀ ଏସବୁ ଦେଖି କଣ ବୁଝିଲା କେଜାଣି ଖୁସିରେ ଚିଲ୍ଲେଇଲା

---ଦି---ଇଇଇ---ଦି---ସ୍କୁଉଊଊ------ଲୂଊଊଊ ।



Rate this content
Log in

Similar oriya story from Drama