Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜାଗ୍ରତ ପ୍ରହରୀ
ଜାଗ୍ରତ ପ୍ରହରୀ
★★★★★

© JITENDRA KUMAR KONHAR

Classics Inspirational Others

11 Minutes   13.9K    18


Content Ranking

ଅନନ୍ତର ଅଫିସ ଯିବା ବାଟରେ ପଡେ ନରସିଂହପୁର ସ୍ଵୟଂ ଶାସିତ ମହାବିଦ୍ୟାଳୟ। ବହୁତ ସୁନାମ ରହିଛି ସେ କଲେଜର। କେତେ ଯେ ଡାକ୍ତର, ଇଞ୍ଜିନିଅର ସମାଜକୁ ଭେଟି ଦେଇଛି ତା'ର ହିସାବ ନାହିଁ। ପୁଅ ପ୍ରଶାନ୍ତ ତା'ର ସେଠି ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର। ଭାରି ଭଲ ପାଠ ପଢେ। ସେଥିପାଇଁ ବାପା ବୋଉ ବି ଭାରି ଖୁସି। କାଳେ ପୁଅ ପ୍ରଶାନ୍ତ ଅବାଟକୁ ଚାଲିଯିବ ଭାବି ବାପା ତା'କୁ ସବୁବେଳେ ଆଖିରେ ରଖିଥାନ୍ତି। ବାପାଙ୍କୁ ସିନା ଟିକେ ପ୍ରଶାନ୍ତ ଭୟ କରେ ହେଲେ ବୋଉ ପାଖରେ ସେମାନେ ଦୁହେଁ ଦୁଇ ସାଙ୍ଗ ଭଳି। ଯେତେବେଳେ ବି କିଛି ଦରକାର ହୁଏ ସେ ବୋଉକୁ ଆସି କୁହେ। ଅଫିସ ଆସିବା ସମୟରେ ବାପା ଅନନ୍ତ ବେଳେ ବେଳେ ପୁଅ ପ୍ରଶାନ୍ତକୁ କଲେଜରେ ଛାଡିଦେଇ ଆସନ୍ତି।

ଶନିବାର ସକାଳୁ ଅଫିସ ଥାଏ। ତେଣୁ ସକାଳୁ ସକାଳୁ ଅଫିସରେ ପହଞ୍ଚି ଯାଇଥିଲେ ଅନନ୍ତ ବାବୁ। ପିଅନ କୁଞ୍ଜ ବିହାରୀ ହାତରୁ ଚା' କପଟା ନେଇ ଖବର କାଗଜର ପୃଷ୍ଠା ଓଲଟାଉ ଓଲଟାଉ ଅନନ୍ତ ବାବୁଙ୍କର ନଜର ଅଟକି ଯାଏ ଅଶୀ ବର୍ଷର ବୁଢା ବାପା ମା'ର ଆତ୍ମ ହତ୍ୟା ଖବର ଉପରେ। କିପରି ପାଞ୍ଚ ପାଞ୍ଚଟି ପୁଅ ଝିଅ ଥାଇ ମଧ୍ୟ ବୃଦ୍ଧ କାଳରେ ବୁଢା ବାପା ମା' ବେସାହାରା ହୋଇ ଯାଇଥିଲେ ଆଉ ଶେଷରେ ଭୋକର ଜ୍ୱାଳା ଆଗରେ ହାରିଯାଇ ସେମାନେ ଆତ୍ମ ହତ୍ୟାର ବାଟକୁ ଆପଣେଇ ନେଇଥିଲେ। ଖବରଟି ଅନନ୍ତ ବାବୁଙ୍କର ମନକୁ ଭାରାକ୍ରାନ୍ତ କରିଦିଏ। କାରଣ ତା'ର ମନେ ପଡିଯାଏ ସୁଦୂର ନିଜ ମଫସଲ ଗାଁରେ ସ୍ତ୍ରୀ କଥାରେ ପଡି ପର କରି ଆସିଥିବା ନିଜ ବାପା ମା'ଙ୍କ କଥା। ଅତୀତରେ ବାପା ମା'ଙ୍କ ଗହଣରେ ବିତାଇ ଥିବା ସବୁ ମୁହୁର୍ତ୍ତ ତା' ଆଖି ଆଗରେ ଖେଳିଯାଏ। କେତେ ଯେ ତ୍ୟାଗ କରିଥିଲେ ବାପା ମା' ତା' ପାଇଁ। ସର୍ବଦା ଜାଗ୍ରତ ପ୍ରହରୀ ହୋଇ ରହିଥିଲେ। ନିଜର ସବୁ ସ୍ଵପ୍ନକୁ ଜଳାଞ୍ଜଳି ଦେଇ ପୁଅ ଆଖିରେ ଦେଖିବାକୁ ଚାହିଁଥିଲେ ତାଙ୍କର ପ୍ରତ୍ୟକଟି ସ୍ଵପ୍ନ। ବାପା ବସନ୍ତ ଆଉ ମା' ବାସନ୍ତି ପାଇଁ ଅନନ୍ତ ଥିଲା ଗର୍ବ ଆଉ ଗୌରବ କାରଣ ବାହାଘରର ପାଞ୍ଚ ବର୍ଷ ପର୍ଯ୍ୟନ୍ତ କୋଳରେ ସନ୍ତାନ ସୁଖ ଜୁଟି ନ ଥିବାରୁ କେତେ ଟାହି ଟାପରା ଯେ ସେମାନେ ଶୁଣିଛନ୍ତି ତା'ର ହିସାବ ନାହିଁ। ବାର ଓଷା ତେର ବ୍ରତ କରି ପୁଅ ପରି ପୁଅ ଟିଏ ପାଇଥିବାରୁ ସବୁବେଳେ ଭଗବାନଙ୍କ ପାଖରେ ହାତ ଟେକନ୍ତି। କଲେଜରେ ପାଠ ପଢା ଶେଷ ପରେ ଯେତେବେଳେ ଅନନ୍ତ ପାଖ ସହରରେ ସରକାରୀ ଚାକିରି ଟିଏ ପାଇଯାଏ ସେତେବେଳେ ପୁଅ ଚାକିରି ପାଇବା ଜାଣି ବାପା ଆଉ ମା' ଭାରି ଖୁସି ହୋଇଯାଇଥିଲେ। ଛାତି କୁ ଚଉଡା କରି ଗାଁ ସାରା ଡିଣ୍ଡିମ ପିଟି କହିଥିଲେ ପୁଅ ତା'ର ଚାକିରି କରିଛି ବୋଲି। ତିନି ପ୍ରାଣୀ କୁଟୁମ୍ବର ସଂସାର ବହୁତ ହସ ଖୁସିରେ ଗଡି ଚାଲେ। ବାପା ମା’ ଚାହାନ୍ତି ପୁଅର ହାତକୁ ଦି ହାତ କରି ଦେବା ପାଇଁ। ନିଜ ପାଇଁ ଗୋଟିଏ ସୁନା ନାକି ବୋହୁ ଟିଏ ଆଣିବା ପାଇଁ। ଝିଅ ଖୋଜା ଜୋର ସୋରରେ ଚାଲେ । ହେଲେ ବାପା ମା' କୌଣସି ସୂତ୍ରରୁ ଜାଣି ନିଅନ୍ତି ଅନନ୍ତ ଭଲ ପାଉଥିବା ଝିଅଟି ବିଷୟରେ। କଲେଜରେ ପଢୁଥିବା ସମୟରେ ଅନନ୍ତ ଭଲ ପାଉଥାଏ ଅନ୍ୟ ଏକ ଜାତିର ଝିଅକୁ ଯା'ର ନା' ସୁମିତ୍ରା। ବାପା ମା'ଙ୍କର ପସନ୍ଦ ନ ଥିଲେ ମଧ୍ୟ ଅନନ୍ତର ଖୁସି ପାଇଁ ସେହି ବାହାଘରରେ ସେମାନେ ରାଜି ହୋଇଯାଇଥିଲେ। କାରଣ ଅନନ୍ତ ଥିଲା ସେମାନଙ୍କ ପାଇଁ ଅନ୍ଧର ଲଉଡି, ବୃଦ୍ଧ କାଳର ଏକ ମାତ୍ର ସାହାରା। ଭଲରେ ଭଲରେ ବିବାହ କାର୍ଯ୍ୟ ସମାପନ ହୁଏ। ସମୟ କ୍ରମେ ସୁମିତ୍ରା ଗୋଟିଏ ପୁତ୍ର ସନ୍ତାନର ଜନନୀ ହୁଏ। ସମସ୍ତେ ଖୁସିରେ ତା'ର ନା' ରଖନ୍ତି ପ୍ରଶାନ୍ତ। ଅନନ୍ତ ଆଉ ସୁମିତ୍ରା ସହ ବାପା ମା'ରୁ ଜେଜେ ବାପା ଜେଜେ ମା' ହୋଇଥିବା ବସନ୍ତ ଓ ବାସନ୍ତିର ଖୁସିର ସୀମା ରହୁ ନ ଥାଏ। ସମୟର ସୂଅରେ ହାତ ଗଣତି କିଛିଟା ବର୍ଷ ବହୁତ ଭଲରେ କଟେ...ହେଲେ...ସେଦିନ ???

ସେଦିନ ସ୍ତ୍ରୀ ସୁମିତ୍ରା ଆଉ ବାପା ମା'ଙ୍କ ମଧ୍ୟରୁ ଅନନ୍ତ ପରାଜିତ ହୋଇଥିଲା ନିଜ ସ୍ତ୍ରୀ'ର ଜିଦ ଆଗରେ । ସୁମିତ୍ରାର ଏକା ଜିଦ ଥିଲା ପୁଅ ପ୍ରଶାନ୍ତକୁ ନେଇ ଅଲଗା ରହିବ। ସେ ଆଉ ବୁଝି ପାରିବନି ଶାଶୁ ଶଶୁରଙ୍କ ଗଞ୍ଜଣା । ପୁଅ ପ୍ରଶାନ୍ତ ତା'ର ଏବେ ବଡ ହେଲାଣି, ଖର୍ଚ୍ଚ ବାର୍ଚ୍ଚ ବି ବଢିଲାଣି । ତେଣୁ ସେ ରୋକଠୋକ୍ ଶୁଣାଇ ଦେଇଥିଲା ନିଜ ଅନ୍ତରର କଥା। ପରଦିନ ସ୍ତ୍ରୀ ସୁମିତ୍ରା ସହ ପୁଅ ପ୍ରଶାନ୍ତକୁ ନେଇ ଅନିଚ୍ଛା ସତ୍ତ୍ବେ ଅନନ୍ତ ବାହାରି ଯାଇଥିଲା ସହର ଅଭିମୁଖେ ସେହି ହାତକୁ ଛାଡି ଦେଇ ଯେଉଁ ହାତ ଦିନେ ତା'କୁ ଚାଲିବା ଶିଖାଇ ଥିଲା। ସେହି ଚଳନ୍ତି ଠାକୁରଙ୍କୁ ଗୋଡରେ ଆଡେଇ ଚାଲି ଯାଇଥିଲା ଯିଏ ନିଜ ପେଟରେ ଓଦା କନା ରଖି କୌଣସି ଗୋଟିଏ ଦିନ ତା'ର ଉଦରକୁ ଭୋକିଲା ରଖି ନ ଥିଲା। ପୁଅ ବୋହୁ ଆଉ ନାତି ପୁଅର ଚାଲିଯିବାର ବାଟକୁ ନିର୍ବାକ ହୋଇ ଚାହିଁ ରହିଥିଲେ ଅନନ୍ତର ବାପା ମା'... ନୟନରେ ତାଙ୍କର ଛାପ ଦେଇ ବୋହି ଚାଲିଥିଲା ଅବାରିତ ଅଶ୍ରୁର ଧାର। ଧିରେ ଧିରେ ତାଙ୍କ ଆଖି ଆଗରୁ ଉଭାନ ହୋଇ ଯାଉଥିଲେ ଅନନ୍ତ,ସୁମିତ୍ରା ଆଉ କୁନି ପୁଅ ପ୍ରଶାନ୍ତ। ଲାଗୁଥାଏ ଯେମିତି ଶରୀରରୁ ଆତ୍ମା ଅଲଗା ହୋଇ ହୋଇ ଯାଉଥାଏ । ବାପା ମା'ଙ୍କର ଆର୍ତ୍ତ ଚିତ୍କାର ଯେପରି ଅନନ୍ତର କର୍ଣ୍ଣେ ଶିହରି ଉଠୁଥାଏ । ବାରମ୍ବାର ପ୍ରତିଧ୍ଵନିତ ହେଉଥାଏ ''ଏ କି ତୋ'ରି ପାଇଁ ଚିର ଜାଗ୍ରତ ପ୍ରହରୀ ସାଜିବାର ଶାସ୍ତି। ଏ କି ତୋ'ର ପିତା ମାତାର ଋଣ ପରିଶୋଧ।''

''ଆଜ୍ଞା.. ଆଜ୍ଞା ଶୀଘ୍ର ଆସନ୍ତୁ, ବଡ ବାବୁ ଡକେଇ ପଠେଇଛନ୍ତି ପରା'' କୁଞ୍ଜ ପିଅନର ଚଢା ଗଳାର ଡାକରେ ଭାବନାରୁ ବାସ୍ତବତାକୁ ଫେରି ଆସନ୍ତି ଅନନ୍ତ ବାବୁ ଆଉ କୁହନ୍ତି, 'ଆରେ କୁଞ୍ଜ କ’ଣ ହେଲା କାହିଁ ପାଟିଟା କରୁଛୁ।' ମଥା ନତ କରି କୁଞ୍ଜ କହିଲା, 'ଆଜ୍ଞା ଦୁଇ ଦୁଇ ଥର ଡାକିକି ଗଲିଣି ହେଲେ ଆପଣ...' କୁଞ୍ଜ ପାଟିରୁ କଥା ନ ସରୁଣୁ ଅନନ୍ତ ବାବୁ କହିଲେ ହଉ ତୁ ଯା... ମୁଁ ଯାଉଛି। କୁଞ୍ଜ ଯିବା ପରେ ପରେ ଅନନ୍ତ ବି ବଡ ବାବୁଙ୍କୁ ଦେଖା କରିବା ପାଇଁ ଚାଲି ଗଲା। ହେଲେ ଏ କ'ଣ... ଅନନ୍ତର ଟେବୁଲ ଉପରେ ଥୁଆ ହୋଇଥିବା ଏକ କାଗଜ ଉପରେ ଲୁହର ସ୍ପର୍ଶ! ବୋଧହୁଏ ଅନନ୍ତ ଜାଣି ପାରିନି କେତେବେଳେ ଦୁଇ ଧାର ଅଶ୍ରୁ ତା' ଆଖିରୁ ବୋହି ଆସି ଟେବୁଲ ଉପରେ ଥିବା କାଗଜ ଉପରେ ନିଜର ସନ୍ତକ କରି ଦେଇ ଯାଇଛି। ଅଫିସ କାମରେ ଅନନ୍ତର ମନ ଜମା ଲାଗେନି। ବାପା ମା'ଙ୍କର କଥା ଭାବି ଭାବି ଭିତରଟା ତା'ର ଗୋଳାଇ ଘାଣ୍ଟି ହୁଏ। ଏପଟେ ସୁମିତ୍ରାର ଥିବା ଶାଶୁ ଶଶୁରଙ୍କ ପ୍ରତି କଡା ଆଭିମୁଖ୍ୟ । ତଥାପି ସେ ମନେ ମନେ ନିଶ୍ଚୟ କରେ ଯେ ଏଇ ରବିବାର ଗାଁକୁ ଯାଇ ବାପା ମା'ଙ୍କୁ ନିଜ ପାଖକୁ ନେଇ ଆସିବ ଆଉ ସୁମିତ୍ରାକୁ ବୁଝାଇବା ଦାୟିତ୍ଵ ହେଉଛି ତା'ର ।

ସଂଧ୍ୟାରେ ଅଫିସ କାମ ସାରି ଘରକୁ ଫେରିଲେ ଅନନ୍ତ ବାବୁ । ହାତରେ ତାଙ୍କର ସକାଳର ଖବର କାଗଜ ଖଣ୍ଡିଏ। ଦୀର୍ଘ ନିଶ୍ଵାସରେ ବାରମ୍ବାର ଛନ୍ଦି ହୋଇ ଯାଉଥା'ନ୍ତି। କାରଣ ସ୍ତ୍ରୀ ସୁମିତ୍ରାକୁ ସାମ୍ନା କରି ବାପା ମା'ଙ୍କ କଥା କହିବା ତା' ପାଇଁ କୌଣସି ବିଶ୍ଵଯୁଦ୍ଧ ଠାରୁ କମ୍ ନ ଥିଲା। ସାହାସ ସଞ୍ଚୟ କରି ସ୍ତ୍ରୀ ଆଗକୁ ଖବର କାଗଜଟି ବଢେଇ ଦେଇ କହିଲେ,''ହେଇଟି ସୁମି ଶୁଣୁଛ ଆଜିର ଖବର କାଗଜଟିକୁ ଦେଖିଲ କେଡେ ଦୁଃଖଦ ଖବରଟିଏ ବାହାରିଛି । "କ'ଣ ଖବର ଅଛି କହୁନ, ଏଇ ସଂଧ୍ୟା ସମୟରେ ମୁଁ ଖବର କାଗଜ ପଢିବି ନା ମୁଁ ମୋ କାମ କରିବି", ରୁକ୍ଷ ସ୍ୱରରେ କହିଲେ ସୁମିତ୍ରା । ଅନନ୍ତ ସୁମିତ୍ରା ଆଗରେ ବଖାଣି ଗଲେ ଖବର କାଗଜରେ ପ୍ରକାଶିତ ସେହି ହୃଦୟ ବିଦାରକ ଘଟଣାବଳୀ । ସୁମିତ୍ରା ଅନୁମାନ କରି ନେଇ ଥିଲା ଯେ ଅନନ୍ତ ନିଜର ବାପା ମା'ଙ୍କ କଥା କହିବାକୁ ଯାଉଛି ତେଣୁ ଅନନ୍ତର ମୁହଁରୁ କଥା ଛିଣ୍ଡାଇ ଆଣି ସେ କହିଲା,''ଦେଖ ତୁମେ ଯଦି ପୁଣି ନିଜ ବାପା ମା'ଙ୍କ କଥା କହିବାକୁ ଚାହୁଁଛ ତେବେ ମୋ ଠାରୁ ଖରାପ କେହି ହେବେନି କହି ଦେଉଛି।" ଅନନ୍ତ ନିର୍ବାକ ହୋଇଯାଇଥିଲା ଆଉ ପୁଣି ଥରେ ସୁମିତ୍ରା ଆଗରେ ନିଜକୁ ପରାଜିତ ମନେ କରୁଥିଲା ।

ଅନନ୍ତ ବାବୁ ବୋଧହୁଏ କିଛି ସମୟ ଏକୁଟିଆ ବିତାଇବାକୁ ଚାହୁଁଥିଲେ ତେଣୁ ବାହାରି ପଡିଲେ ପାଖ ମାର୍କେଟ କଡରେ ଥିବା ଏକ ନିର୍ଜନ ସ୍ଥାନକୁ। ସଂଧ୍ୟା ଟିଉସନ୍ ସାରି ପ୍ରଶାନ୍ତ ଘରକୁ ଫେରେ ତ ଦେଖେ ବାପା ନାହାନ୍ତି ଘରେ । ବୋଉ ବାପା କ'ଣ ଆଜି ଅଫିସରୁ ଏ ଯାଏଁ ଆସି ନାହାନ୍ତି କି? ପଚାରିଲା ପ୍ରଶାନ୍ତ। ନା' ବାପା ଆସି ମାର୍କେଟ କେଉଁ ଏକ କାମରେ ଯାଇଛନ୍ତି, ଏଇନେ ଆସୁଥିବେ। ତୁ ହାତ ମୁହଁ ଧୋଇ ବସି ପଡେ ମୁଁ ତୋ ପାଇଁ ଖାଇବା ନେଇ ଯାଉଛି। ରୋଷେଇ ଘର ଭିତରକୁ ଯାଉ ଯାଉ ଉତ୍ତର ଦେଲା ମା' ସୁମିତ୍ରା। ପ୍ରଶାନ୍ତ ହାତ ମୁହଁ ଧୋଇ ଖାଇବା ଟେବୁଲରେ ବସି ପଡିଲା। ମା' ସୁମିତ୍ରା ଖାଇବା ବାଢି ଦେଉ ଦେଉ ପ୍ରଶାନ୍ତ କହିଲା, '' ବୋଉ କିଛି ପଇସା ଦରକାର ଥିଲା।" 'କି ପଇସା କିରେ?' ପ୍ରଶ୍ନୀଳ ଢଙ୍ଗରେ ପଚାରିଲା ମା' ସୁମିତ୍ରା। କାଲି ରବିବାର ତ ସାଙ୍ଗ ମାନଙ୍କ ସହିତ ସିନେମା ଦେଖିବାକୁ ଯିବୁ" ଉତ୍ତରରେ କହିଥିଲା ପ୍ରଶାନ୍ତ। ଲୁଗା କାନିରେ ବାନ୍ଧି ରଖିଥିବା କିଛି ଟଙ୍କାକୁ କାଢି ପ୍ରଶାନ୍ତର ପକେଟରେ ପୁରାଇ ଦେଇଥିଲେ ମା' ସୁମିତ୍ରା। ଏହି ସମୟରେ ଅନନ୍ତ ଘରକୁ ଫେରିବାର ଦେଖି ସୁମିତ୍ରା ଖାଇବା ପାଇଁ ଡାକ ଦେଲେ ହେଲେ ସେ ଜାଣି ନ ଶୁଣିଲା ପରି ହୋଇ ଶୋଇବା ରୁମ ଭିତରକୁ ଚାଲିଗଲେ। ସୁମିତ୍ରା ବି ତାଙ୍କ ପଛେ ପଛେ ରୁମକୁ ଚାଲିଗଲେ। ପ୍ରଶାନ୍ତ ଖାଇ ସାରି ଦେଖେ ତ ବୋଉ ତା' ପକେଟରେ ମୋଟେ ଷାଠିଏ ଟଙ୍କା ପୁରାଇ ଦେଇଛନ୍ତି। ତା'ର ମନ ଊଣା ହୋଇଯାଏ ଏତେ କମ୍ ଟଙ୍କା ନିଜ ପକେଟରେ ଦେଖି। ହେଲେ ବାପାଙ୍କ ଉପସ୍ଥିତିରେ ସେ ଅଧିକ ପଇସା ପାଇଁ ବୋଉଙ୍କୁ କହିପାରେନି। ସକାଳୁ ସୁଯୋଗ ଦେଖି ବୋଉକୁ ଆଉ କିଛି ପଇସା ମାଗି ନେଇଯିବ ଭାବି ଶୋଇ ପଡିଲା। ସେପଟେ ସୁମିତ୍ରା ନିଜ ଜିଦରେ ଅଟଳ। ଏପଟେ ଅନନ୍ତ ରାତି ସାରା ଭଲରେ ଟିକିଏ ଶୋଇ ପାରିନି ବାପା ମାଙ୍କ କଥା ଭାବି ଭାବି । ରାତି ପାହୁ ପାହୁ ଅନନ୍ତ ସଅଳ ଉଠି ସବୁଦିନ ପରି ମର୍ଣିଂ ୱାକରେ ବାହାରି ପଡିଲା କିନ୍ତୁ ମୁଣ୍ଡରେ ଥାଏ ବାପା ମା'ଙ୍କୁ ଘରକୁ ଆଣିବା ଚିନ୍ତା। ପୂର୍ବ ଦିନ ସକାଳୁ ପଢିଥିବା ଦୁଃଖଦ ଖବରଟି ଅନନ୍ତକୁ ବ୍ୟତିବ୍ୟସ୍ତ କରି ପକାଉଥାଏ । ସୁମିତ୍ରା କିଛି ସମୟ ପରେ ଉଠି ନିଜ ପାଇଟିରେ ଲାଗିଗଲା। ପ୍ରଶାନ୍ତ ଉଠିଲା ବେଳକୁ ଆଠଟା ବାଜିଲାଣି । ସେ ଧଡପଡ ହୋଇ ଉଠି ବାଥରୁମକୁ ଧାଇଁଲା। ବାଥରୁମରୁ ଆସି ଜଲଦି ଜଲଦିରେ ସିନେମା ଯିବା ପାଇଁ ବାହାରି ପଡିଲା। ଦେଖିଲା ବାପା ମର୍ଣିଂ ୱାକରୁ ଫେରି ନାହାନ୍ତି। ବୋଉଙ୍କୁ ପଇସା ମାଗିବାକୁ ତା'କୁ ସୁଯୋଗ ମିଳିଗଲା। 'ବୋଉ ମୁଁ ସିନେମା ଦେଖିବାକୁ ଯିବି ପରା? ଏତିକି ଟଙ୍କାରେ କ'ଣ ହେବ? ପ୍ରଶାନ୍ତ ଅଭିଯୋଗ କରି କହିଲା । ଟିକେଟ ଦାମ କେତେ ଜାଣିଛୁ ନା? ଆଉ ସାଙ୍ଗ ମାନେ ଥିବେ ମୁଁ ଏତେ କମ ଟଙ୍କା କେମିତି ଧରି ଯିବି କହିଲୁ । ମୋର ମାନ ସମ୍ମାନ ବୋଲି କିଛି ଅଛି କି ନାହିଁ।' ଖାଇବା ଟେବୁଲ ରେ ବସିଥିବା ବେଳେ ବୋଉ ଯାହା ଦେଇଥିଲେ ସେତକ ନେଇ ନୀରବ ହୋଇ ଗଲା ପରେ ପୁଣି କହିଲା,'ବୋଉ ମୋର ଟାଇମ୍ ହେଲାଣି ଟଙ୍କା ଦେ'। ରୋଷେଇ ଘରୁ ବୋଉ କହିଲେ ମୋ ପାଖରେ କିଛି ନାହିଁ। ତୁ ବାପାଙ୍କୁ ମାଗି ନେଇ ଯା ।"

ପ୍ରଶାନ୍ତ ବିରକ୍ତ ହୋଇ ଗରଗର ହେଉଥିବା ବେଳେ ଘର ଭିତରକୁ ପଶି ଆସୁଥିବା ବାପାଙ୍କର ପଦଧ୍ଵନି ଶୁଣି ନୀରବ ହୋଇଗଲା। ତା' ପରେ ସେ ଟେବୁଲ ଉପରେ ବୋଉ ପ୍ରସ୍ତୁତ କରି ରଖିଥିବା ଜଳଖିଆ ଖାଇବାରେ ଲାଗିଗଲା। ଏତେ ସକାଳୁ ସକାଳୁ ସଜବାଜ ହୋଇ କୁଆଡେ ବାହାରିଛୁ କିରେ ପ୍ରଶାନ୍ତ ଜିଜ୍ଞାସା ଜାହିର୍ କରି ପଚାରିଲେ ବାପା ଅନନ୍ତ। ବାପା ସାଙ୍ଗ ମାନଙ୍କ ସହ ସିନେମା... ଭୟରେ ଧିର ସ୍ଵରରେ କହିଲା ପ୍ରଶାନ୍ତ। ବୋଉଙ୍କୁ କହିଛୁ ତ??ପଚାରିଥିଲେ ବାପା ଅନନ୍ତ। ପ୍ରଶାନ୍ତ ଉତ୍ତର ଦେବା ଆଗରୁ ମା' ସୁମିତ୍ରା ସେ ସିନେମା ଯିବା କଥା ଜାଣିଛନ୍ତି ବୋଲି କହିଦେଲେ। ହଉ ନେ ଏ ଶହେ ଟଙ୍କାଟି ଖର୍ଚ୍ଚ କରିବୁ ଆଉ ହଁ ଶୀଘ୍ର ଫେରି ଆସିବୁ... ବାପାଙ୍କ ପାଟିରୁ ଏତିକି କଥା ଶୁଣି ପ୍ରଶାନ୍ତ ଆଶ୍ଚର୍ଯ୍ୟ ସହ ଖୁସି ହୋଇ ଯାଇଥିଲା କାରଣ ସେ ସବୁବେଳେ ବୋଉଙ୍କ ଠାରୁ ପଇସା ନିଏ। ବାପାଙ୍କୁ କିଛି କହିବାକୁ ସବୁବେଳେ ଭୟ କରେ। ବାପାଙ୍କ ହାତରୁ ଶହେ ଟଙ୍କା ନେଇ ମନ ଖୁସିରେ ପ୍ରଶାନ୍ତ ବାହାରି ଯାଏ ସିନେମା ଦେଖିବାକୁ। ଏହାର କିଛି ସମୟ ପରେ ଅନନ୍ତକୁ ବାହାରକୁ ଯିବାକୁ ଦେଖି ସ୍ତ୍ରୀ ସୁମିତ୍ରା ପଚାରିଲା, 'ଆରେ ଏଇନେ ଆସିଲ...ପୁଣି ଆଜି ଛୁଟି ଦିନଟାରେ କୁଆଡେ ବାହାରିଲ ? କ'ଣ ଦି'ଟା ଖାଇକି ତ ଯାଅ। ନା ମୋର ଗୋଟିଏ ଜରୁରୀ କାମ ଅଛି... ମୁଁ ବାହାରେ ଖାଇ ନେବି...ଏତକ କହି ଏକ ଅଜଣା ରାସ୍ତାରେ ସୁମିତ୍ରାର ଆଖି ସାମ୍ନାରୁ ଉଭେଇ ଗଲେ ଅନନ୍ତ।

ସକାଳ ଯାଇ ଅପରାହ୍ନ ହେବାକୁ ବସିଲାଣି ହେଲେ ନା ଅନନ୍ତ ଘରକୁ ଫେରିଛି ନା ପ୍ରଶାନ୍ତ। ବାରମ୍ବାର ଦୁହିଁଙ୍କ ମୋବାଇଲ୍ କୁ ସୁମିତ୍ରା ଫୋନ କରି ଚାଲିଥାଏ ହେଲେ କେହିବି ଫୋନ ରିସିଭ କରିବାର ନା' ନେଉ ନ ଥାନ୍ତି। ସୁମିତ୍ରାର ମନକୁ ପାପ ଛୁଁ ଥାଏ। କ'ଣ କରିବ କିଛି ଜାଣି ପାରୁ ନ ଥାଏ। କାନ୍ଥ ଘଣ୍ଟାର ଟିକ ଟିକ ଶବ୍ଦର ଧ୍ୱନି ଯେମିତି ଧିରେ ଧିରେ ବଢି ଚାଲିଥାଏ ଆଉ ସୁମିତ୍ରାର ମନରେ ଅନେକ ଅଶୁଭ ଘଟଣା ସବୁକୁ ରୋମନ୍ଥିତ କରୁଥାଏ । ଠିକ ସେତିକି ବେଳକୁ ହଠାତ ରୋଷେଇ ଘର ଭିତରୁ ବାସନ କୁସନ ଗୁଡିକ ତଳେ ପଡିଯିବାର ଶବ୍ଦ ଶୁଣି ଚମକି ପଡିଲା ସୁମିତ୍ରା । ଯାଇ ଦେଖେ ତ ବିରାଡିଟିଏ ସୁମିତ୍ରାକୁ ଦେଖି ରୋଷେଇ ଘରୁ ବାହାରକୁ ଦୌଡି ପଳାଇ ଯାଉଛି। ଟିକେ ମନକୁ ଆଶ୍ଵସ୍ତି କରିଛି କି ନା ମୁଖ୍ୟ ଦ୍ଵାରରେ କାହାର ଠକ୍ ଠକ୍ ଶବ୍ଦ ସୁମିତ୍ରା ଆଗରେ ଅସମାହିତ ପ୍ରଶ୍ନ ସବୁ ଆଣି ଠିଆ କରିଦିଏ। କବାଟ ଖୋଲି ଦେଖେ ତ ସାମ୍ନାରେ ଠିଆ ହୋଇଛନ୍ତି ଅନନ୍ତ। ଅନନ୍ତକୁ ଦେଖି ସୁମିତ୍ରାର ମନକୁ ଟିକେ ଆଶ୍ଵସ୍ତି ଲାଗେ। କେତେ ଯେ ଅଶୁଭ କଥା ତା' ମୁଣ୍ଡରେ ବସା ବାନ୍ଧି ଥିଲାଣି ସତେ। ଖୁସିର ଲହରୀ ଟିଏ ତା' ମନରେ ଖେଳିଯାଏ। କିଛି କହିବା ଆଗରୁ ଅନନ୍ତର ପଛକୁ ଠିଆ ହୋଇଥିବା ନିଜ ଶାଶୁ ଶଶୁରଙ୍କୁ ଦେଖି ତା' ମୁହଁର ରଙ୍ଗ ବଦଳିଯାଏ। 'ଏଇଟା ଥିଲା ତାହେଲେ ତୁମ ଜରୁରୀ କାମ ନୁହେଁ' ରାଗିକି କୁହେ ସୁମିତ୍ରା। ତା'ପରେ ମୁହଁ ବୁଲାଇ ଜୋରରେ ପାଦ ଥାପି ଥାପି ସେ ଘର ଭିତରକୁ ଚାଲିଆସେ।

ଅନନ୍ତର ବାପା ମା'ଙ୍କୁ ସୁମିତ୍ରାର ବ୍ୟବହାର ବହୁତ ଖରାପ ଲାଗେ । ସେମାନେ ଦୁଆର ମୁହଁରୁ ପୁଣି ଥରେ ନିଜ ଗାଁକୁ ଫେରିଯିବାକୁ ଭାବନ୍ତି କିନ୍ତୁ ଅନନ୍ତର କଥା ରଖି ଘର ଭିତରକୁ ପ୍ରବେଶ କରନ୍ତି। ଅନନ୍ତ ପଣ କରିଥିଲା ଯେ ବାପା ମା'ଙ୍କୁ ପର କରି ଯେଉଁ କଷ୍ଟ ଦେଇଛି ତାର ପ୍ରାୟଶ୍ଚିତ ସେ ନିଶ୍ଚୟ କରିବ। ସୁମିତ୍ରା ରାଗ ତମ ତମ ହୋଇ ପୁଣି ଅନନ୍ତକୁ କିଛି କହିବାକୁ ଭାବିଲା ବେଳକୁ ହଠାତ ବାଧକ ସାଜି ବାଜି ଉଠିଲା ସୁମିତ୍ରାର ମୋବାଇଲ୍ ଫୋନ । ଫୋନ କରିଥିଲା ପ୍ରଶାନ୍ତ। ତୋତେ କ'ଣ ସମୟ ଜଣା ପଡୁନି...ସକାଳୁ ଯାଇଛୁ ଯେ ଯାଇଛୁ...ଏ ଯାଏଁ ତୋର ଦେଖା ନାହିଁ...ନା ଫୋନ ରିସିଭ କରୁଛୁ ନା ନିଜେ ଫୋନ କରୁଛୁ... ଫୋନ ଉଠାଇ ଏକ ସ୍ଵରରେ କହି ଚାଲିଥିଲେ ସୁମିତ୍ରା। ହେଲେ ଏ କ'ଣ ଫୋନର ଅପରିପାର୍ଶ୍ଵରୁ ଭାସି ଆସୁଥିଲା କେଉଁ ଏକ ଅଜଣା ବ୍ୟକ୍ତି କଣ୍ଠ ସ୍ବର,'ଆଜ୍ଞା ମୁଁ ପ୍ରଶାନ୍ତ ନୁହେଁ... ଏହି ଫୋନଟି ଯାହାର ତାଙ୍କର ଆକ୍ସିଡେଣ୍ଟ ହୋଇ ଯାଇଛି। ଆମେ ତା'କୁ ମେଡିକାଲ ନେଇ ଯାଉଛୁ। ତାଙ୍କ ଅବସ୍ଥା ବହୁତ ସଙ୍କଟାପନ୍ନ ରହିଛି । ଆପଣ ଶୀଘ୍ର ବଡ ଡାକ୍ତରଖାନାକୁ ଆସନ୍ତୁ। ସୁମିତ୍ରାର ପାଦ ତଳୁ ଯେପରି ମାଟି ଖସି ଯାଇଥିଲା । ସଙ୍ଗେ ସଙ୍ଗେ ବାପା ମା' ସହ ଅନନ୍ତ ଆଉ ସୁମିତ୍ରା ଡାକ୍ତରଖାନା ଅଭିମୁଖେ ବାହାରି ପଡିଲେ। ହସ୍ପିଟାଲରେ ପହଞ୍ଚି ଜାଣିବାକୁ ପାଇଲେ ପୁଅ ପ୍ରଶାନ୍ତ I.C.U ରେ। 'ଅପରେସନ ହେବ...ସେଥିପାଇଁ ଯେତେ ଶୀଘ୍ର ସମ୍ଭବ ଦେଢ ଲକ୍ଷ ଟଙ୍କା ଦରକାର। ନ ହେଲେ ତା' ଜୀବନ ବଞ୍ଚାଇବା ଅସମ୍ଭବ...' ଡାକ୍ତରଙ୍କ ମୁହଁରୁ ଏମିତି କଥା ଶୁଣି ଅନନ୍ତର ମୁଣ୍ଡରେ ଚଡକ ପଡିଯାଏ। ତେଣୁ ସେ କାଳ ବିଳମ୍ବ ନ କରି ଟଙ୍କା ଯୋଗାଡ ପାଇଁ ବାହାରି ପଡେ। ସୁମିତ୍ରାର କ୍ରନ୍ଦନରେ ଫାଟି ପଡୁଥାଏ ସମଗ୍ର ହସ୍ପିଟାଲ। ଏହି ଦୁଃଖଦ ପରିସ୍ଥିତି ପାଇଁ ସୁମିତ୍ରା ନିଜ ଶାଶୁ ଶଶୁରଙ୍କୁ ଦାୟୀ କରେ । 'ତୁମେ ମାନେ ଗାଁରୁ ଆସିଲନି ଯେ ମୋ ପୁଅର ମୃତ୍ୟୁକୁ ସାଥିରେ ନେଇ ଆସିଛ...' ରାଗ ଆଉ କୋହ ଭରା କଣ୍ଠରେ ଚିତ୍କାର କରି କହିଲା ସୁମିତ୍ରା। ନିଜ ବୋହୁ ମୁହଁରୁ ଏପରି କଥା ଶୁଣି ବସନ୍ତ ଆଉ ବାସନ୍ତିକୁ ବହୁତ କଷ୍ଟ ଅନୁଭବ ହୁଏ। କିନ୍ତୁ ନିଜ ନାତି ପୁଅର ଏମିତି ଅବସ୍ଥା ସେମାନଙ୍କ ପାଇଁ ଅଧିକ କଷ୍ଟ ଦାୟକ ସାଜିଥାଏ। ସୁମିତ୍ରା ସର୍ବ ସମ୍ମୁଖରେ ଶାଶୁ ଶଶୁରଙ୍କୁ ଗାଳି କରି ଡାକ୍ତରଖାନାରୁ ଚାଲିଯିବାକୁ କହିଦେଲେ। ସେମାନେ ମଧ୍ୟ ପ୍ରଶାନ୍ତର ଏପରି ଅବସ୍ଥା ପାଇଁ ନିଜକୁ ସତରେ ଦୋଷୀ ଦୋଷୀ ଅନୁଭବ କଲେ ଆଉ ଅନନ୍ତ ଆସିବା ଆଗରୁ ଗାଁକୁ ଫେରିଯିବାକୁ ନିଷ୍ପତ୍ତି ନେଲେ। ଯିବା ପୂର୍ବରୁ କହିଗଲେ... ବୋହୁ ତୁ ଜମା ଚିନ୍ତା କରେନି... ନାତି ପୁଅର ମୋର କିଛି ହେବନି। ସେ ନିଶ୍ଚିତ ଭଲ ହୋଇ ଉଠିବ। ଆମ ଆଶୀର୍ବାଦ ତା' ସାଥିରେ ସବୁବେଳେ ଅଛି। ସୁମିତ୍ରା ଶାଶୁ ଶଶୁରଙ୍କ ଠାରୁ ମୁହଁ ବୁଲାଇ ହସ୍ପିଟାଲର ଅନ୍ୟ ପାଖକୁ ଚାଲିଗଲା ।

ଅନନ୍ତ ପଇସା ଯୋଗାଡ କରି ହସ୍ପିଟାଲରେ ପହଞ୍ଚି ଦେଖେତ ବାପା ମା' ନାହାନ୍ତି। ସୁମିତ୍ରାକୁ ପଚାରିବାକୁ ଗଲା ବେଳକୁ ଡାକ୍ତର ବାବୁ ଆସି କହିଲେ , 'ଯଥା ଶୀଘ୍ର 'A' Negative ରକ୍ତ ଗୋଟିଏ ବୋତଲ ଯୋଗାଡ କରନ୍ତୁ। ରକ୍ତ ଭଣ୍ଡାରରେ ବି 'A' Negative ରକ୍ତର ଅଭାବ । ନ ହେଲେ ଅପରେସନ ହୋଇ ପାରିବନି।" ଅନନ୍ତ ଆଉ ସୁମିତ୍ରାର ବୁଦ୍ଧି ବାଟ ବଣା ହୋଇ ଯାଉଥାଏ। ଏତେ କମ୍ ସମୟରେ କେଉଁଠୁ ରକ୍ତ ଯୋଗାଡ କରିବେ । କ'ଣ କରିବେ କିଛି ଜାଣି ପାରୁ ନ ଥାନ୍ତି। ହଠାତ୍ ଅନନ୍ତର ମନେ ପଡିଯାଏ ଯେ ତା' ବାପାଙ୍କର Blood ଗୃପ୍ 'A' Negative ବୋଲି। ବାପା କାହାନ୍ତି ସୁମିତ୍ରା, ବାପାଙ୍କର 'A' negative Blood ଗୃପ୍ । ଭଗବାନ ଭାରି ଦୟାବାନ ସୁମିତ୍ରା... ଭଗବାନ ଭାରି ଦୟାବାନ୍। ଆମ ପୁଅର ଜୀବନ ବଞ୍ଚାଇବା ପାଇଁ ବାପା ମା'ଙ୍କୁ ଆମ ପାଖକୁ ନେଇ ଆସିଛନ୍ତି। ମୁଁ ତ କେବଳ ମାଧ୍ୟମ ମାତ୍ର। ଅନନ୍ତ ପାଖରୁ ଏତିକି କଥା ଶୁଣୁ ଶୁଣୁ ସୁମିତ୍ରା ଚେତା ଶୂନ୍ୟ ହୋଇ ତଳେ ପଡିଯାଏ। ଅନନ୍ତ ସୁମିତ୍ରାର ମୁହଁରେ ପାଣି ଛାଟି ଚେତା ଫେରାଇ ଆଣିବାକୁ ଚେଷ୍ଟା କରେ । ଚେତା ଫେରୁ ଫେରୁ ସୁମିତ୍ରା କାନ୍ଦି କାନ୍ଦି କୁହେ,'ହତଭାଗିନୀଟେ ମୁଁ, ଭଗବାନ ସ୍ଵରୂପ ପିତା ମାତାଙ୍କୁ ତଡି ଦେଇଛି। ତୁମେ ଶୀଘ୍ର ଯାଇ ବାପା ମା'ଙ୍କୁ ନେଇ ଆସ। ମୋରି ପାଇଁ ପୁଣି ଥରେ ସେମାନେ ଗାଁକୁ ଯିବାକୁ ବାହାରି ଯାଇଛନ୍ତି। ଏ କ'ଣ କଲ ତୁମେ ସୁମିତ୍ରା !ଗର୍ଜି ଉଠିଲେ ଅନନ୍ତ। ନିଜ ରାଗକୁ ନିୟନ୍ତ୍ରଣର ରଖି ବିଜୁଳି ବେଗରେ ଧାଇଁ ଗଲେ ବସ ଷ୍ଟାଣ୍ଡ ଆଡକୁ।

ବସ୍ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରି ରହିଥାନ୍ତି ବାପା ବସନ୍ତ ଆଉ ମା' ବାସନ୍ତି। ଅନନ୍ତ ଠାରୁ ସବୁ କଥା ଶୁଣି ପୁଣି ଥରେ ହସ୍ପିଟାଲ ଅଭିମୁଖେ ବାହାରି ଗଲେ। ଠିକ ସମୟରେ ରକ୍ତ ପାଇ ପ୍ରଶାନ୍ତର ଜୀବନ ବିପଦ ମୁକ୍ତ ହୋଇ ଯାଇଥିଲା। ଏ ଖବରଟି ପୁଅର ସ୍ବାସ୍ଥ୍ୟବସ୍ଥାକୁ ନେଇ ବ୍ୟସ୍ତ ବିବ୍ରତ ଥିବା ସୁମିତ୍ରାର ମନକୁ ଟିକେ ଶିଥିଳତା ପ୍ରଦାନ କରିଥିଲା। ନିଜ ଶାଶୁ ଶଶୁରଙ୍କ ପ୍ରତି କରିଥିବା ଦୁର୍ବ୍ୟବହାର ପାଇଁ ସେ ଅନୁତାପର ବହ୍ନିରେ ଜଳି ନିଜର ଭୁଲ ବୁଝି ସାରିଥାଏ। ଶାଶୁ ଶଶୁରଙ୍କ ପାଦ ଛୁଇଁ କ୍ଷମା ପ୍ରାର୍ଥନା କରିବାକୁ ଭାବିଲା ବେଳକୁ ଏ କ'ଣ ଶାଶୁଶଶୁର ଆଉ ହସ୍ପିଟାଲରେ ନାହାନ୍ତି। ଚାରିଆଡେ ସୁମିତ୍ରାର ଅନୁତପ୍ତ ଆଖି ନିଜ ଶାଶୁ ଶଶୁରଙ୍କୁ ଖୋଜିବାକୁ ଲାଗେ।

ଦୂରରୁ ଦେଖିପାରେ ତା' ଶାଶୁ ଶଶୁର କାହାକୁ କିଛି ନ କହି ପୁଣି ନିଜ ରାସ୍ତାରେ ଆଗକୁ ଆଗକୁ ମାଡି ଚାଲିଯାଉଛନ୍ତି। ସୁମିତ୍ରା ଦୌଡି ଯାଇ ସେମାନଙ୍କର ପାଦ ତଳେ ପଡିଗଲା ଏବଂ ନିଜର ଅକ୍ଷମଣିୟ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲା। ସନ୍ତାନ ବିଚ୍ଛେଦର ଦୁଃଖକୁ ଅଙ୍ଗେ ନିଭାଇଲା ପରେ ସୁମିତ୍ରା ଅନୁଭବ କରିପାରିଥିଲା ଯେ ତା'ର ଶାଶୁ ଶଶୁର ନିଜ ପୁଅ ଅନନ୍ତ ବିନା ଏତେ ବର୍ଷ କେତେ ଯେ କଷ୍ଟରେ ରହି ନ ଥିବେ। ବୋହୁ ସୁମିତ୍ରାର ବଦଳି ଯାଇଥିବା ରୂପକୁ ଦେଖି ଶାଶୁ ଶଶୁରଙ୍କ ଆଖିରେ ବସା ବାନ୍ଧି ରହିଥିବା ଦୀର୍ଘ ଦିନର ବିଷାଦର ଅଶ୍ରୁ କେତେବେଳେ ଯେ ଆନନ୍ଦାଶ୍ରୁରେ ପରିଣତ ହୋଇ ଯାଇଥିଲା ସେମାନେ ଜାଣି ପାରିନଥିଲେ। ପାଖରେ ଠିଆ ହୋଇ ଏସବୁ ଦୃଶ୍ୟକୁ ଦେଖୁଥିବା ଅନନ୍ତ ଧିରେ ଧିରେ ହଜିଯାଉଥିଲା ତା' ଆଗରେ ତା'କୁ ଅପେକ୍ଷା କରି ରହିଥିବା ଏକ ସୁନ୍ଦର ଆଉ ଖୁସି ଭରା ଦୁନିଆ ଭିତରେ.... ।

..............

ଜିତେନ୍ଦ୍ର କୁମାର କହଁର,ଶିକ୍ଷକ,କଲାଡି,ଫୁଲବାଣୀ

ଦୂରଭାଷ- ୯୪୩୯୫୪୨୫୨୧

ପ୍ରଶାନ୍ତ ଅନନ୍ତ ସୁମିତ୍ରା

Rate the content


Originality
Flow
Language
Cover design

Comments

Post

Some text some message..