ବର୍ଷା ଓ ବାଦଲ
ବର୍ଷା ଓ ବାଦଲ
ବର୍ଷା ଓ ବାଦଲ୍
ସାଥୀହରା ହୋଇ ଏକା ଏକା ଘୂରି ବୁଲୁଥିବାବେଳେ ଦିନେ ବାଦଲ୍ର ଦେଖା ହୁଏ ବର୍ଷା ସାଥୀରେ । ବର୍ଷା ଆଖିରେ ଲୁହ ଦେଖି ସେ ଜାଣିବାକୁ ଚାହେଁ ତା’ ଲୁହର କାହାଣୀ । ବର୍ଷା ବି ନିର୍ଦ୍ୱନ୍ଦ୍ୱରେ କହିଦିଏ ନିଜ ଦୁଃଖଭରା ଅତୀତକୁ ବାଦଲ୍ ଆଗରେ । ବାଦଲ୍ର ହୃଦୟ ତରଳିଯାଏ ବର୍ଷାର କାହାଣୀ ଶୁଣି । ବର୍ଷା ନିଜ କୋହ ସମ୍ଭାଳି ନପାରି ମଥା ରଖେ ବାଦଲର ଛାତିରେ । ବାଦଲ୍ ଆଶ୍ଵାସନା ଦିଏ ତା’ ମଥା ଉପରେ ହାତ ରଖି । ବର୍ଷାକୁ ବୋଧେ ନିରାପଦ ଲାଗେ ବାଦଲର ଛାତିଟା । ସେ ଜାବୁଡି ଧରେ ବାଦଲକୁ । ବାଦଲ୍ ବି ଜାବୁଡିଧରେ ବର୍ଷାକୁ ।
- “ବାଦଲ୍ , ତୁମେ ମୋତେ କେବେ ନିଜଠୁ ଦୂରେଇଦେବନି ତ ?”
- “ନା କେବେ ନୁହେଁ ” ବାଦଲ ବର୍ଷାର ଲୁହ ପୋଛୁ ପୋଛୁ କହେ “ଆଉ ତମେ?”
ବର୍ଷା କିଛି ନ କହି ଚୁପ୍ ରହେ ।
- “କିଛି କହିଲନି ଯେ?” ବାଦଲ୍ ଆଉଥରେ ପଚାରେ ।
- “ଜାଣିନି ” ଉଦାସ ଦିଶେ ବର୍ଷାର ଚେହେରା ।
ବାଦଲ ଆଉ ଅଧିକା କିଛି ପଚାରେନି ବର୍ଷାକୁ ତା’ ଶୁଖିଲା ମୁଁହଟାକୁ ଦେଖି ।
ଏମିତି ସମୟ ଗଡିଚାଲେ । ହସି ଖେଳି ସମୟ ବିତିଯାଉଥାଏ ଦୁହିଁଙ୍କର । ଶରତ, ହେମନ୍ତ, ଶୀତ ଯାଇ ଋତୁରାଜ ବସନ୍ତଙ୍କର ଧରାପୃଷ୍ଠରେ ଆଗମନ ହୁଏ । ଆମ୍ବ ବଉଳର ବାସ୍ନାରେ ମହକିଯାଏ ଚତୁର୍ଦ୍ଦିଗ । କୋଇଲିର କୁହୁତାନ ଶୁଣି ମନ ଅସ୍ଥିର ହୁଏ ବର୍ଷାର ।
- ମୁଁ କୋଇଲି ଦେଖିବି
- ସେଥିପାଇଁ ତ ତୁମକୁ... ନା ବର୍ଷା ମୁଁ ତୁମକୁ ଛାଡିପାରିବିନି ” ବାଦଲ ପ୍ରତିବାଦ କରେ
ବାଦଲ୍ ତା’କୁ ନେଇ ଚାଲିଯାଏ ଦୂର କେଉଁ ରାଇଜକୁ , ଯେଉଁଠି ନା ଥାଏ କୋଇଲି ନା ଆମ୍ବ ବଉଳର ବାସ୍ନା ଥାଆନ୍ତି ତ ଖାଲି ବାଦଲ୍ ଓ ବର୍ଷା ଦୁହେଁ ସାଥିହୋଇ ବହୁତ ମଜାକରନ୍ତି ସେଠି ।ସମୟ ଗଡିଚାଲେ । ଶେଷରେ ଦୁହେଁ ଫେରନ୍ତି ସେଇ ପୁରୁଣା ଯାଗାକୁ ଯେଉଁଠି ଦେଖାହୋଇଥିଲା ଦୁହିଁଙ୍କର ବହୁତ ଖୁସି ଥାଏ ବାଦଲ୍ ବର୍ଷା ଭଳି ସାଥୀଟିଏ ପାଇ କିନ୍ତୁ ବର୍ଷା ଖୁସି ନଥାଏ ।
ଇତି ମଧ୍ୟରେ ବର୍ଷାଦିନ ଆସିଯାଇଥାଏ । ମୌସୁମୀର ଆଗମନ ହୋଇସାରିଥାଏ । ବର୍ଷା ଆହୁରି ଆହୁରି ଶୁଖିଲା ଦିଶୁଥାଏ । ବାଦଲ୍ ଆହୁରି ଆହୁରି ଉତ୍ଫୁଲିତ ଦେଖାଯାଉଥାଏ ।
ହଠାତ୍ ଦିନେ ସୁନାମୀ ଆସେ ବାଦଲ୍ ଜୀବନରେ...
- “କୁଆଡେ ଯାଉଛ ବର୍ଷା?”
- “ମୋତେ ଯିବାକୁ ହେବ...”
- “କିନ୍ତୁ କୁଆଡେ?”
- ତୁମର ସବୁ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ବାଧ୍ୟ ନୁହେଁ, ବାଦଲ୍
ବାଦଲ୍ ଚୁପ୍ ହେଇଯାଏ । ତା’କୁ ବିଶ୍ଵାସ ହୁଏନା ।
- ଇଏ କ’ଣ ସେଇ ବର୍ଷା ? ସେ ନିଜକୁ ନିଜେ ପ୍ରଶ୍ନ କରେ ।
- ମୋ ଠୁ ଆହୁରି ଭଲ ସାଥୀ ତୁମକୁ ମିଳିଯିବ ବାଦଲ୍ ” କହି କୁଣ୍ଢେଇଧରେ ସେ ବାଦଲକୁ ।
କିନ୍ତୁ ବାଦଲ ସେମିତି ଠିଆହୋଇଥାଏ ନିର୍ବିକାର ଭାବରେ । ବର୍ଷା ଚାଲିଯାଏ ମୌସୁମୀ ସାଥୀରେ । ଏକା ରହିଯାଏ ବାଦଲ୍ । ଆଗଭଳି ବହୁତ ଏକାକୀ ଅନୁଭବ କରେ ସେ ।ଚାପି ରଖି ପାରେନା ନିଜ ଅନ୍ତରର ଦୁଃଖକୁ । ଚିତ୍କାର କରେ ସେ ବହୁତ ଜୋରରେ । ବାଦଲ୍ର ଚିତ୍କାର ଶୁଣିପାରେ ବର୍ଷା , କିନ୍ତୁ ପଛକୁ ଫେରି ଯାଇପାରେନା ବାଦଲ୍ ପାଖକୁ । ଟପ୍ ଟପ୍ ହୋଇ ଲୁହ ଗଡିପଡେ ତା’ ଆଖିରୁ , ବର୍ଷାର ଲୁହରେ ଓଦା ହେଇଯାଏ ସାରା ପୃଥିବୀ ।