Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Inspirational Others

2  

Bikesh Sahu

Inspirational Others

ତାକୁ ପାଗଳ କଲା କିଏ ?

ତାକୁ ପାଗଳ କଲା କିଏ ?

8 mins
7.8K


ସଂସାର ରୂପି ପିଞ୍ଜରା ଭିତରେ ଏଇ ମଣିଷ ରୂପି ପକ୍ଷୀଟିକୁ ସତରେ ଆଜୀବନ ବନ୍ଦି ହୋଇରହିବାକୁ ବାଧ୍ୟ କରେ ସମୟ ରୂପି ଦଉଡି ।ଆଉ ଶେଷରେ ସେ ହାର ମାନେ ସେଇ ସମୟ ଦଉଡିର ଶକ୍ତ ବନ୍ଧନ ଭିତରେ ଆଉ ରାଜି ହୋଇଯାଏ ବନ୍ଦିର ଜୀବନ ଜୀଇବାକୁ ଏବଂ ପରିଚାଳିତ ହୁଏ ତା’ରି ନିର୍ଦ୍ଦେଶରେ । ସେଇ ସମୟର ନିର୍ଦ୍ଦେଶ ଆଗରେ ମୁଁ ବା କେମିତି ବାଦ ପଡନ୍ତି ।ତେଣୁ ସବୁ ଦିନ ପରି ସେ ଦିନ ବି ମୁଁ କଲେଜ ପାଇଁ ବାହାରିଥାଏ ।ସମୟ ପାଖାପାଖି ୧୦ଟା । ମନରେ ଗୁଣୁଗୁଣୁ ଗୀତ ଗାଇ ଆଗକୁ ଆଗକୁ ଚାଲିଥାଏ କଲା ମଚ ମଚ ପିଚୁ ହେଇଥିବା ରାସ୍ତା ଉପରେ ମୋ ସାଇକେଲଟା । ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ଆଧିପତ୍ୟ ସହ ପୃଥିବୀ ଉପରେ ନିଜର ଜୁଲମ ଆରମ୍ଭ କରିଦେଇଥାନ୍ତି ।ଯାହାର ଫଳ ସ୍ଵରୂପ ମୁଖ୍ୟ ରାସ୍ତା ହେଲେ ମଧ୍ୟ ସେତେଟା ଜନ ସମାଗମ ନ ଥିଲା ।ଆଉ ସେଇଥି ପାଇଁ ଯିବା ଭିତରେ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ପ୍ରାକୃତିକ ମନୋରମ ଦୃଶ୍ୟ ରାଜିକୁ ମନ ଭରି ଉପଭୋଗ କରୁଥାଏ ।ଧୀରେ ଧୀରେ ସାଇକେଲଟା ଆଗକୁ ଆଗକୁ ମାଡି ଚାଲିଥାଏ । ଏମିତି କିଛି ଦୂର ଗଲାପରେ ଗୋଟେ ବରଗଛ ।ଆଉ ତା ମୂଳରେ ସବୁ ଦିନ ପରି ଆଜି ବି ବସି ରହିଛି ସେଇ ପାଗଳ ମଣିଷଟା । ଯାହାକୁ ଦୁଇ ତିନି ମାସ ହେବ ମୁଁ ସେଇ ବରଗଛ ମୂଳେ ବସି ଥିବାର ଦେଖି ଆସିଛି ।ଯାହାର ମୁଣ୍ଡ ବାଲ ଗୁଡିକ ବିକ୍ଷିପ୍ତ ହୋଇ ପବନର ତାଳେ ତାଳ ମିଶାଉଥାନ୍ତି ।ମୁଣ୍ଡଟା ନୁଖୁରା କାହିଁ କେଉଁ ଦିନରୁ ଯେ ତେଲ ଟୋପାଏ ପଡିନି ,ଦାଢ଼ି ଓ ନିଶ ତଳକୁ ଲମ୍ବି ଯାଇଥାଏ ବାବାଜୀ ମାନଙ୍କ ଭଳି ।ପୁଙ୍ଗୁଳା ଶରୀର ତା ଉପରେ ଇଞ୍ଚେ ବହଲର ମଇଳା ଅର୍ଦ୍ଧ ଚିରା ସାର୍ଟଟିଏ ତା ପୁଣି ବାହାରକୁ ବାରି ହେଇ ପଡୁଥାଏ ତା ହାଡ଼ ଗୁଡିକ ଆଉ ତା ବାମ ହାତଟା ଅଧାରୁ ନାହିଁ । ତଥାପି ଶରୀରରେ ପ୍ରାଣଟା ଅଛି ।ଆଉ ସବୁ ଦିନ ଭଲି ମୋ ଆଡ଼କୁ ଦେଖି ଟିକିଏ ହସି ଦେଇ ହାତ ମେଲି ତା ପାଖକୁ ଡାକିଛି ଆଜିବି ।ହେଲେ ସେ ସବୁ ପ୍ରତି ମୁଁ ସେତେ ଧ୍ୟାନ ନ ଦେଇ ଚାଲିଯାଏ କ୍ଳାସ୍ ସମୟ ହୋଇଯାଇଥିବାରୁ ।ଆଜି କିନ୍ତୁ ତା କରୁଣତା ମୋତେ ଯିବା ପାଇଁ ସତେକି ବାଧ୍ୟ କରୁଥାଏ ।ମନ ଆଉ ବିବେକର ଦ୍ଵନ୍ଦ ଭିତରେ ଅନିଶ୍ଚିତତାର ଶିକାର ହୋଇ ପହଂଚି ଗଲି ସେଇ ପାଗଳ ପାଖକୁ ।ମୋର ଯିବାର ଦେଖି ସେ ଖୁସିରେ ତାଳି ମାରି ହସିବାରେ ଲାଗିଲା ଆଉ ପାଖରେ ବସିବାକୁ କହିଲା ।ମୁଁ କ’ଣ କରିବି ଭାବି ପାରୁନ ଥାଏ ।ଶେଷକୁ କିଛି ସମୟ ଗଲା ପରେ ବସି ଗଲି ।କିଛି ସମୟ ମୋତେ ଅନେଇଲା ପରେ ମୋ ନାଆ ପଚାରିଲା । ମୁଁ ବୋକା ପରି ତାକୁ ଚାହିଁ ରହିଥାଏ ।ସତେ କି ସେ ପାଗଳ ନୁହଁ ପରି ମୋତେ ଲାଗୁଥାଏ ସେଇ କ୍ଷଣିକ ସମୟ ପାଇଁ ।ଶେଷରେ ମୋ ନାଆଟା କହିଦେଲା ପରେ ସେ ହା ହା ହୋଇ ହସି ପକାଇଲା ।ମୁଁ କିଛି ବୁଝି ପାରୁନ ଥାଏ । ସତେ କି ତା ମୁହଁରେ ଭରି ରହିଥିଲା କେତେ ଯେ ଯନ୍ତ୍ରଣା ।ଆଖି ଦୁଇଟିକୁ ଦେଖିଲେ ଜଣା ପଡି ଯାଉଥାଏ ସେ ନିରୀହ ମଣିଷର ହୃଦୟରେ କେତେ ଦୁଃଖ ଭରି ରହିଛି । କିଛି ସମୟ ଗଲା ପରେ ତାକୁ ତା ନାଆଟା ପଚାରିଲି ।ସେ କିଛି ସମୟ ଚୁପ୍ ରହି ଉତ୍ତର ଦେଲା ରଘୁ ।ମୁଁ ଆଶ୍ଚର୍ଯ୍ୟ ହୋଇ ଯାଉଥାଏ ।ଗୋଟେ ପାଗଳ ପୁଣି ନିଜ ନା ଜାଣିଲା କେମିତି ।ଏହା ପରେ ତା ପ୍ରତି ମୋ ଉତ୍କଣ୍ଠା ବଢିବାରେ ଲାଗିଲା ।ସବୁ କିଛି ମୋ ପାଇଁ ଗୋଟେ ଗୋଟେ ବିରାଟ ପ୍ରଶ୍ନବାଚୀ ପରି ମନେ ହେଉଥାଏ ।ଆଉ ସେଇ ପ୍ରଶ୍ନ ସବୁର ଆବିଷ୍କାର ପାଇଁ ତାକୁ ପଚାରିଦେଲି ତୁମ ଘର କେଉଁଠି?ତୁମେ ଏଇଠି କାହିଁକି ବସିଛ ? ମୋ ପ୍ରଶ୍ନ ଶୁଣି ସେ ହସିବାରେ ଲାଗିଲା ।ମୁଁ ସେମିତି ତାକୁ ଅନେଇ ଥାଏ ଏକ ମନ ଏକ ଲୟରେ ।କିଛି ସମୟ ଗଲା ପରେ ମୁଁ ପୁଣି ବ୍ୟଗ୍ରତାର ସହ ପଚାରିଲି ।କିନ୍ତୁ ସେ କହିବାକୁ ଅମଙ୍ଗ ହେଉଥିଲା ।ମୋର ବାରମ୍ବାର କହିବା ପରେ ଶେଷକୁ ସେ ରାଜି ହୋଇଗଲା ।ଆଉ ଆରମ୍ଭ କରି ଦେଲା ତା ଜୀବନର ସେଇ ଅଭୁଲା ମୁହୁର୍ତ୍ତ ଗୁଡିକୁ ।

***************************************

ସେ ଦିନ ବି ବୈଶାଖର ନିର୍ମଳ ଆକାଶ ଉପରୁ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ସମଗ୍ର ପୃଥିବୀକୁ ଜାଳିଦେଲା ପରି ମନେ ହେଉଥାଏ ।ସତେ କି ଆକାଶରୁ ନିଆଁ ବର୍ଷା ହେଉଛି ପୁଣି ତା ସାଥିରେ ପବନ ପ୍ରଖରତା ତା ପୁଣି ଝାଞ୍ଜି ସାଥିରେ ।ଓଃ ....ଶରୀରରୁ ସତରେ ପ୍ରାଣଟା ଚାଲିଗଲା ପରି ମନେ ହେଉଥାଏ ।ଗଛ ପତ୍ର ଗୁଡିକ ପୁଣି ସେଇ ପବନ ସାଥିରେ ମିଶି ଆକାଶରୁ ଉଲ୍କା ପଡିଲା ପରି ଅଜାଡି ହେଇ ପଡୁଥାନ୍ତି ।ଏ ପଟେ ଇଟା ଭାଟିର ଉଷ୍ଣତା ଜୀବନଟାକୁ ହନ୍ତସନ୍ତ କରିପକାଉ ଥାଏ ।ଆଖି ପାଖରେ ସେମିତି କୌଣସି ପୋଖରୀ କି ଗାଡିଆ ବି ନାଇ ସବୁ ଆଡେ ଖାଲି ହଜାର ହଜାର ଇଟା ଭାଟି କାହିଁ କେତେ ଦୂର ଯେ ଲମ୍ବି ଯାଇଛି ଆଜି ଯାଏ କଳନା କରି ପାରିନି ରଘୁ ।କଳନା କଲେ ବା କ’ଣ ପାଇବ ଯେ ସେଇ ସବୁରୁ ।ସମୟ ବା କୋଉଠି ଯେ ସେ ସବୁ ପାଇଁ ତାକୁ ସମୟ ମିଳିବ ।ସବୁ ଦିନ ପରି ସେ ଦିନ ବି ରଘୁ ସେଇ ଇଟା ଭାଟିର ପାର୍ଶ୍ୱବର୍ତ୍ତି ବଉଳ ଗଛ ମୂଳକୁ ଆସି ମୁଣ୍ଡରୁ ଗାମୁଛାଟାକୁ କାଢିଦେଇ ଲଠ କିନା ବସିଯାଇଛି । ସବୁ ଦିନ ପରି ଆଜି ବି ତାର ମନେ ପଡି ଯାଏ ସେ ପିଲା ଦିନ ,ସେଇ ଅତୀତର ଘଟଣା ସବୁ ତା ସାଥିରେ ତା ପରିବାର କଥା ସବୁ କିଛି ତା ଆଖି ସାମ୍ନାରେ ଯେମିତି ଜଳ ଜଳ ହୋଇ ଭାଷି ଯାଉଛି ।ଭାବି ବସେ ସେଇ ଭିଟା ମାଟି କଥା ,ଆଉ ତାରି ସାଥିରେ ମନେ ପଡ଼ିଯାଏ ତା ସାଙ୍ଗ ମଦନ,ସଘନ ଆଉ ସୁକୁଟା ସହ ବିତେଇ ଥିବା ସବୁ ଅଭୁଲା ମୁହୁର୍ତ୍ତ ।କେତେ ସୁନ୍ଦର ଭାବେ ହସି ମଜାରେ ବିତି ଯାଉଥିଲା ସେମାନଙ୍କର ଦିନ ।ଖୋଲା ଆକାଶର ମୁକ୍ତ ବିହଙ୍ଗ ପରି ନ ଥିଲା କିଛି ବାଧା ନ ଥିଲା କିଛି ବନ୍ଧନ ।କେତେ ସ୍ୱାଧୀନ ଥିଲା ତାର ସେଇ ପିଲା ଦିନ ।ଗାଁ ଚାଟଶାଳୀରେ ତାର ତିନି ଶ୍ରେଣୀ ପାଠ ପଢା ।ବିଦ୍ୟାଳୟ ନ ଥିବାରୁ ପାଠ ପଢ଼ାରେ ତାର ଡୋରୀ ବନ୍ଧା ହୋଇଯାଇଥିଲା ।ଏ ପଟେ ତାକୁ ପନ୍ଦର ବର୍ଷ ହୋଇଛି କି ନାଇଁ ରୋଗରେ ପଡ଼ି ତା ବାପା ଏ ଦୁନିଆକୁ ପର କରି ଦେଇଛି । ଏପଟେ ବାପା ଗଲା ପରେ ସବୁ ଦାୟିତ୍ୱ ତା ମୁଣ୍ଡ ଉପରେ ।ଲୋକଙ୍କ ଘରେ ମୂଳ ଖଟି ତା ମା’ ଓ ସେ ପେଟ ପୋଷିଲେ । କୋଡିଏ ବର୍ଷ ହେଇଛି କି ନାଇ ଚମ୍ପା ସହ ତାର ବାହାଘର ହୋଇଛି । ତା ପରେ ସଂସାର ବଢିଛି ଆଉ ତା ସହ ବଢିଛି ପରିବାର ଚଲିବା ପାଇଁ ଅର୍ଥର ଆବଶ୍ୟକତା କ’ଣ ବା ସେ କରନ୍ତା ଯେ ଗାଁଆରେ ବା କି କାମ ଯେ ସେ କରନ୍ତା ।ଜମି ବୋଲି ଯାହା ଥିଲା ପାଣିର ଅଭାବରେ କାହିଁ କେତେ ବର୍ଷ ହେବ ସେମିତି ଟାଙ୍ଗରା ହେଇ ପଡିରହିଛି ।ଏ ପଟେ ପାଞ୍ଚ ପ୍ରାଣୀ କୁଟୁମ୍ବ ,କେମିତି ବା ଚଳନ୍ତେ ।ତଥାପି ଅନେକ ଥର ଚେଷ୍ଟା କରିଛି ଗାଁରେ କିଛି କାମ ଧାମ ପାଇଁ ହେଲେ ସବୁ ରାସ୍ତା ତା ପାଇଁ ବନ୍ଦ ।ନିର୍ବାଚନ ଆଗରୁ ରାଜନେତାମାନଙ୍କ ପ୍ରତିଶ୍ରୁତି ସବୁକୁ ସତ ଭାବିନେଇ ସେ ଘିଅ ମହୁରେ ଭାଷୁଥିଲା ହେଲେ ଏ କ’ଣ ନିର୍ବାଚନ ଶେଷ ନ ହେଉଣୁ କୁଆଡ଼େ ଗଲା ସେ ସବୁ ଯେ ତାର ଖୋଜ ଖବର ବି ମିଳିଲାନି । ବାକି ଯାହା ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା କଥା ସେ ଦେଇ ସେ ଓ ଚମ୍ପା ଜବ କାର୍ଡ ବି ପାଇଲେ ହେଲେ ଏ ଯାଏ ଦିନ ଟିଏ ବି କାମ ମିଳିନି ସେମିତି ପଡିରହିଛି ସେଇ ମାଟି ସରେଇ ଭିତରେ କାହା ଉପରେ ଅବା ସେ ବିଶ୍ଵାସ କରନ୍ତା । ସାହୁକାର ପାଖରେ ଘରଟାକୁ ବନ୍ଧକ କରିଦେଇ ଦଶ ହଜାର ଟଙ୍କା ତ ରିନିର ରୋଗ ଠିକ କରିବାରେ ଲଗେଇ ସାରିଛି ।ବାକି ଯାହା ଥିଲା ସେଇ ଟାଙ୍ଗରା ଭୂଇଁଟା ତା ବି ବନ୍ଧା ପକେଇ ଦେଇ ଘର କରଣା ପାଇଁ ଦଶ ହଜାର ଟଙ୍କା ଚମ୍ପା ହାତରେ ଦେଇ ଆସିଛି ଯେ ଏ ଯାଏ ସେ ସୁଝି ପାରିନି ।ଆଉ କେତେ ଦିନ ବା ସେଇଠି ଧାର କରଜ କରି ପଡି ରହିଥାନ୍ତା ।ଶେଷକୁ ବାଧ୍ୟ ହୋଇ ମାନିବାକୁ ପଡିଛି ସାହୁକାରଙ୍କ କଥା ।ଆଉ ଇଟା ଭାଟିକୁ ଯିବ ବୋଲି ସ୍ଥିର କରିଦେଇଛି ।ଆସିବା ବେଳେ ତା ବଡ ଝିଅ ରିନି କେତେ ଯେ ବାରଣ କରିଥିଲା ନ ଯିବା ପାଇଁ ।ଏ ପଟେ ରୋଗିଣା ମା’ଟା ଏବେ କେମିତି ଯେ ଥିବ ।ତା ସାଥିରେ ପୁଣି ସ୍ତ୍ରୀ ଚମ୍ପାର ପେଟରେ ଥିବା ତା ତିନି ମାସର ଶିଶୁ ।ସବୁ କଥା ତାକୁ ବ୍ୟତିବ୍ୟସ୍ତ କରିପକାଉଥାଏ ।

ଛ'ମାସ ପାଇଁ ଆସି ଆଜକୁ ବର୍ଷେ ପୁରିବା ଉପରେ ହେଇ ଗଲାଣି ତଥାପି ତାକୁ ଯିବା ପାଇଁ କେହି ଦେଉନାହାନ୍ତି ।ଅନେକ ଥର ଖସି ଚାଲି ଯିବାକୁ ଚେଷ୍ଟା କରିଛି ହେଲେ ତା ବଦଳ ରେ ହରେଇ ଦେଇଛି ତା ବହୁ ମୂଲ୍ୟ ଡାହାଣ ହାତ । ସେଇ ଦିନଠୁ ଆଜି ଯାଏ ଆଉ ଖସି ଯିବାକୁ ସେ ସାହସ କରିନି ।କରନ୍ତା ବା କେମିତି ସେଇ ନର ରାକ୍ଷସମାନଙ୍କ ହୃଦୟ ବୋଲି କଣ କିଛି ଅଛି ..? ।ଅନେକ ଲୋକଙ୍କ ହାତ,ଗୋଡ ଏପରିକି ଜୀବନରୁ ମାରିଦେବା ସେ ନିଜ ଆଖିରେ ଦେଖି ସାରିଛି । ନିରୀହ ମଣିଷର ରକ୍ତ ବୋହିବା ତ ସେଇଥି ଗୋଟେ ସାଧାରଣ କଥା । ତଥାପି ରଘୁ ହାର ମାନି ନି ସବୁ ବେଳେ ଗାଁର ଇଷ୍ଟ ଦେବୀ ମା’ ବସ୍ତ୍ରେନ ମାଉଳି ଉପରେ ତାର ପ୍ରବଳ ବିଶ୍ୱାସ ।ସେ ନିଶ୍ଚୟ ତାକୁ ଏଇ ସଙ୍କଟରୁ ଉଦ୍ଧାର କରିବେ ।ଆଜି ବି ସେଇ ବିଶ୍ୱାସ ତାର ଅଛି । ସବୁ ଦିନ ପରି ସେ ଦିନ ବି ସେ ମା’ଙ୍କ ବନ୍ଦନା ପାଠ କରିଛି ।ତା ପରିବାରକୁ ଭଲରେ ରଖିଥିବା ପାଇଁ ମା’ଙ୍କୁ ଦଣ୍ଡବତ ହୋଇଛି ।

ଏପଟେ ଡାକ ଶୁଭିଲା ରଘୁ....ରଘୁ.....।

ରଘୁ ଜାଣି ସାରିଥିଲା ଏଇଟା ସେଇ ନର ରାକ୍ଷସର ଡାକ ।ଧଡ଼ଫଡ ହୋଇ ଉଠି ପଡି ..ଆ ରାହା ହୁ...ସାହାବ କହି ଦଉଡି ବାରେ ଲାଗିଲା ସେଇ ଶବ୍ଦ ଭାସିଆସୁଥିବା ଦିଗକୁ ଏବଂ ଯାଇ ପହଂଛି ଗଲା ।

“କ୍ୟା ହୁଆ ମାଲିକ...? “ରଘୁ କହିଲା ।

“କାହା ମର ଗେୟା ଥା? ଇତନା ବୁଲା ରାହା ହୁ ? “ରାଗି ଯାଇ ଭାଟି ମାଲିକଟା କହିଛି ।

ରଘୁ ଚୁପ ହୋଇ ସେମିତି ଠିଆ ହୋଇଥାଏ ।ଆଜି ସେ ପାର୍ଟିକୁ ଯାଉଛି ରାତିରେ ରହିବନି କହି । ରଘୁକୁ କାମକୁ ଯିବାକୁ କହି ଚାଲିଗଲା ।ଏହା ପରେ ରଘୁ ସ୍ଥିରକଲା ଆଜି ରାତିଟା ତା ପାଇଁ ଗୋଟେ ଭଲ ସୁଯୋଗ ଆଜି ରାତି ଯେମିତି ହେଲେ ସେ ଏଇଠୁ ଖସି କି ଚାଲି ଯିବ ।

 ଏହା ପରେ ରାତି ହେଇଛି ।ମଧ୍ୟ ରାତ୍ରି ସମୟ ସେ ଦିନ ଥାଏ ଅମାବାସ୍ୟା ।ସବୁ ଆଡେ ଅନ୍ଧକାର ।ଆଖି କି କିଛି ଦେଖା ଯାଉନ ଥାଏ ।ରଘୁ ମା’ଙ୍କୁ ସ୍ଵରଣ କରି ବାହାରି ପଡ଼ିଲା ସେଇ କୁଡ଼ିଆରୁ ପଛ ପଟ ଛୋଟିଆ ରାସ୍ତା ଦେଇ ।ଆଗକୁ ଆଗକୁ ଶୀଘ୍ର ଶୀଘ୍ର ଚାଲିଲା ସେଇ ଅନ୍ଧକାର ଭିତରେ ଅଣ୍ଡାଳି ଅଣ୍ଡାଳି ଆଗକୁ ମାଡି ଚାଲିଲା । କଣ୍ଟା ପଥର କିଛି କି ତାର ଖାତିର ନାହିଁ ।ଅନେକ ବାଟ ଅତିକ୍ରମ କଲା ପରେ ଆଗକୁ ବିଦ୍ୟୁତ ବଲବ ଆଲୁଅ ସେ ଜଳୁଥିବାର ଦେଖିଲା ।ପାଦରେ କେତେ ଯେ କଣ୍ଟା ଗଢ଼ି ସାରିଥାଏ ।ତଥାପି ତା ଖାତିର ନ ଥାଏ ।ଶେଷକୁ ଯାଇ ପହଁଞ୍ଚି ଗଲା ସେଇ ଆଲୁଅ ପାଖକୁ ।ସକାଳ ହେବାକୁ ମାତ୍ର ଆଉ କେଇଟି ସମୟ ବାକି ଅଛି ।ସକାଳ ହେବା ଯାଏ ସେଇଠି ସେମିତି ବସି ରହିଥାଏ ।ଶେଷକୁ ସକାଳ ହୋଇଛି ଦେଖିଲା ସେଇଟା ଗୋଟେ ରେଳ ଷ୍ଟେସନ ।ତା ମନ ଖୁସିରେ ଭରିଗଲା ।କିନ୍ତୁ ତା ପାଖରେ ଟଙ୍କା ବି ନାଇ ।ସେ କରନ୍ତା ବା କ’ଣ?? ଶେଷକୁ ଟ୍ରେନଟା ଆସି ପହଂଚି ଗଲା ।କ’ଣ କରିବ କିଛି ବୁଝିନ ପରି ବିନା ଟିକେଟରେ ଚଢ଼ିଗଲା ଟ୍ରେନ ଉପରେ ଆଉ ସିଟ ତଳେ ଶୋଇ ପଡ଼ିଲା ।ଟ୍ରେନଟା ଗଢ଼ିଚାଲିଥାଏ ।ଏପଟେ ମନରେ ଅନେକ ଆଶଙ୍କା ରଘୁକୁ ବ୍ୟତିବ୍ୟସ୍ତ କରିପକାଉଥାଏ ।ଶେଷକୁ ସେ ପହଂଚି ଗଲା ତା ଗାଁର ପାଖ ସହରରେ ।ଓହ୍ଲେଇ ପଡି ।ଶୀଘ୍ର ଶୀଘ୍ର ଚାଲିଲା ଗାଁ ଆଡକୁ ଏକ ମୁହାଁ ହୋଇ ।ମନରେ ଅନେକ ଆଶଙ୍କା ଭିତରେ ପହଂଚି ଗଲା ତା ଭିଟା ମାଟିକୁ ।ସବୁ କିଛି ତାକୁ ନୂଆ ନୂଆ ଲାଗୁଥାଏ ।ସବୁ କିଛି ଯେପରି ବଦଳି ଯାଇଛି ଏ ବର୍ଷକ ଭିତରେ ।କିନ୍ତୁ ସେ ସବୁ ପ୍ରତି ତାର ସେତେଟା ଧ୍ୟାନ ନ ଥିଲା ।ସିଧାସଳଖ ସେ ତା ସେଇ ଛୋଟ କୁଡ଼ିଆ ଆଡେ ଏକମୁହାଁ ହୋଇ ଛୁଟିଥାଏ ।ଶେଷକୁ ଯାଇ ପହଁଚି ଯାଇଛି ।ହେଲେ ଏ କ’ଣ ?? ସେଇଥି ତାଲା ପଡିଛି ।ସେ କିଛି ବୁଝି ପାରୁ ନ ଥାଏ । ଆଖପାଖ ଅନେଇଲା ଏତିକି ବେଳେ ସେଇ ରାସ୍ତା ସେ ପଟୁ ଝିଅ ଟିଏ କାନ୍ଦି କାନ୍ଦି ହାତରେ ଥାଳି ଧରି ଆସୁଥାଏ ।ରଘୁ ଅନେଇ ଦେଖିଛି ଆଉ ଚମକି ପଡିଛି । ସବୁ କିଛି ତାକୁ ସ୍ୱପ୍ନ ପରି ମନେ ହେଉଥାଏ । ଦଉଡି ଯାଇ ପାଖକୁ ଦେଖିଛି ସେ ହେଉଛି ତା ବଡ଼ଝିଅ ରିନି ।କୁଣ୍ଡେଇ ପକେଇଛି ରିନିକୁ ଆଉ ଅନେକ କାନ୍ଦିଛି ।ରିନି ବି ବାପାକୁ ଦେଖି ଆଉ ସମ୍ଭାଳି ପାରିନି ସେ ବି ଜୋର ଜୋରରେ କାନ୍ଦି ପକେଇଛି ।ତା ପରେ ଗୋଟି ଗୋଟି କିରି ସବୁ କଥା କହିଦେଇଛି ରିନି ବାପାକୁ ।ପଇସା ଅଭାବରୁ ରଘୁ ଗଲା ପରେ ତା ମା’ ଦୁନିଆ ଛାଡି ଦେଇଛି ।ଏପଟେ ଚମ୍ପା ଓ ତା ପେଟରେ ବଢୁଥିବା ତା ଛୁଆ ଠିକ ସମୟରେ ଚିକିତ୍ସାର ଅଭାବ ହେତୁ ସେ ବି ଚାଲିଗଲା ।ରହିଯାଇଛି ରିନି ଏକା ।ଆଉ ପେଟ ପାଇଁ ଆଜି ଭିକ ମାଗୁଛି ବାର ଦୁଆର ବୁଲି ।ଏସବୁ ଶୁଣି ରଘୁ ଚେତା ହରେଇ ତଳେ ପଡିଯାଇଛି ।ରିନି ପାଣି ଆଣି ମୁହଁରେ ମାରିଛି । ରଘୁ ଉଠି ପଡ଼ିଲା ସତ ହେଲେ ତା ହାବଭାବ ସବୁ ବଦଳି ଯାଇଥାଏ ।ସତେକି ଗୋଟେ ଅର୍ଦ୍ଧ ପାଗଲ ପରି । ରିନି ବାପାକୁ ନେଇ ସହରକୁ ଚାଲି ଆସିଛି । ସେଇଥି ସେଇ ଅର୍ଦ୍ଧ ପାଗଳ ବାପାଟାକୁ ସହର ଶେଷ ମୁଣ୍ଡରେ ଥିବା ବର ଗଛ ପାଖରେ ବସେଇ ଦେଇ ବୁଲିବୁଲି ଭିକ ମାଗେ ଆଉ ଯାହା ମିଳେ ସେଥିରେ ଦୁହେଁ ଭାରି କଷ୍ଟରେ ଚଳିଯାଆନ୍ତି । ସେମିତି ଗୋଟେ ଦିନର କଥା ରିନିକୁ ଭାରି ଜ୍ୱର ।ଦେହଟା ପୋଡି ଯାଉଥାଏ ଗରମରେ ।ବିଚରା ରଘୁ କରନ୍ତା ବା କ'ଣ ??ସହଜେ ତ ଅର୍ଦ୍ଧ ପାଗଳ ।ଶେଷରେ ରିନି ବି ତାକୁ ଏକା କରି ଚାଲି ଯାଇଛି ।ରହିଯାଇଛି ଖାଲି ଏକା ଏଇ ରଘୁ ଅର୍ଦ୍ଧ ପାଗଳ ସାଜି ।ନା ଅଛି ଆଜି ତା ଘର ନା ଅଛି ତା ସେଇ ସୁନାର ପରିବାର ।

ଏମିତି କହୁ କହୁ ହଠାତ ସେ ହା ହା ହେଇ ହସିବାକୁ ଲାଗିଲା ।ଏତିକି ବେଳେ ମୋ ଆଖିରୁ ସୃଷ୍ଟି ହେଇ ସାରିଥାଏ ଲୁହର ବନ୍ୟା ।ଆଉ କୋହ ସମ୍ଭାଳି ନ ପାରି ମୋ ଆଖିରୁ ଝରି ଯାଉଥାଏ ଧାର ଧାର ହୋଇ ଦୁଃଖର ଅଶ୍ରୁ ସବୁ ।ଚାହିଁଲେ ବି ଆଉ ଅଟକେଇ ହେଉ ନ ଥାଏ ।

  ଏତିକି ବେଳେ ହଠାତ୍ ସେଇ ପାଗଳଟା ଉଠି ପଡି ରିନି..... ରିନି....ରିନି....ମୋ ରିନି ବଞ୍ଚିଛି କହି ସହର ଆଡକୁ ଦଉଡିବାକୁ ଲାଗିଲା ମୁଁ ତା ପଶ୍ଚାତ ଧାବନ କରୁଥାଏ ।ଆଉ ସେତିକି ବେଳେ ସେ ଅଦୃଶ୍ୟ ହେଇ ସାରିଥିଲା ସହରର ସେଇ ଜନସମୁଦ୍ର ଭିତରେ..........।ଏମିତି ଏକ ପରିସ୍ଥିତିର ସମ୍ମୁଖିନ୍ ହେବା ପରେ ଶେଷରେ ମୋ ମନରେ ସେଇ ଗୋଟିଏ ପ୍ରଶ୍ନ ବାରମ୍ବାର ଉଙ୍କି ମାରୁଥାଏ - ତାକୁ ପାଗଳ କଲା କିଏ …? ଏଇ ପ୍ରଶାସନ ନା ସେ ଭାଟି ମାଲିକ ନା ତାର ଉଜୁଡା ପରିବାର.....?????

@ବିକେଶ ସାହୁ


Rate this content
Log in

Similar oriya story from Inspirational