Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଦୃଶ୍ୟ
ଅଦୃଶ୍ୟ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

2 Minutes   7.6K    17


Content Ranking

ସେଇ ଚୁଲୁବୁଲି, ଢ଼ଳ ଢ଼ଳ ଆଖି, ଗୋଲାପ ପାଖୁଡ଼ା ପରି ଓଠ, ଘନ କେଶ, ବାଦାମୀ ରଙ୍ଗର ଏକ ସୁଢ଼ଳ ଶରୀର, ଅନୁପମ ଚେହେରା, ଥରେ ନୁହେଁ ବାରମ୍ବାର-ଶହେ ଥର ଦେଖିଲେ ବି ନୂଆ ନୂଆ ଲାଗେ । କବି ବା ଲେଖକ ପ୍ରତିଭା ନଥିବା ଲୋକର ବି ଇଛା ହେବ କିଛି ଗୋଟାଏ ସାହିତ୍ୟ ରଚନା କରିପକାନ୍ତି !!! କେବଳ ମୁଁ ନୁହେଁ, ସେ ଚେହେରା ଏବଂ ତାର ଆଖିର ଚାହାଣୀ ପାଇଁ ଦୁନିଆଁ ପାଗଳ ହୋଇଯିବ; ମତ୍ତ ହୋଇ ଯିବ । ଅସୀମ ସେ ଆଖିର ଗଭୀରତା, ନାହିଁ କୌଣଷି ମାପ ତାର ପରିସୀମା ମାପିବାକୁ । ଅନେକ କଥା ଝୁମିଝୁମି କହି ଚାଲେ, ଯେମିତି ଝରଣାର ନା ଥାଏ ଆରମ୍ଭ ନା ଶେଷ । ସେ ଝରଣା କୂଳରେ ଘଣ୍ଟା ଘଣ୍ଟା ନା ଯୁଗ ଯୁଗ ବସିଲେ ବି ସେ ଆନନ୍ଦର ଅନ୍ତ ନ ଥାଏ କି କ୍ଳାନ୍ତି ନ ଥାଏ । ସେ ଲାଜୁଆ ଆଖି ବି ସବୁ ସଂସ୍କୃତି, ସବୁ ପରମ୍ପରାର ଯେମିତି ଏକ ଜ୍ୱଳନ୍ତ ନିଦର୍ଶନ । ନୂଆ ହୋଇଥିବା ଓଡ଼ିଆ ଘରଣୀର ଓଢ଼ଣୀ ତଳେ ସେଇ କଣୁଆ ଚାହାଣୀ ଅଛି ସେ ଆଖିରେ, ବଡ଼ଙ୍କୁ ଭକ୍ତି ନମ୍ରତା ନିଦର୍ଶନ ଅଛି ସେ ଆଖିରେ, ସାନଙ୍କୁ ଗେହ୍ଲା କରିବାର ସରଳତା ଅଛି ସେ ଆଖିରେ, ସାଙ୍ଗମାନଙ୍କ ସହ ଚପଳାମିର ଘନତ୍ୱ ଅଛି ସେ ଆଖିରେ, ଜୀବନ ସଙ୍ଗୀ ସହିତ ପ୍ରଣୟର ଇସାରା ଅଛି ସେ ଆଖିରେ; ଏକ ନିରବ ଅନ୍ଧକାରରେ ଏକ ଶାନ୍ତ ସମୁଦ୍ରର ଧୀର ଲହରୀ, ନିର୍ମଳ ଆକାଶର ଅସୀମତା, ପାହାଡ଼ ଝରଣାର କୁଳୁକୁଳୁ ନାଦ ଅଛି ସେ ଆଖିରେ । ସେ ଆଖି କହେ, “ମୁଁ ତୁମର, କେବଳ ତୁମର”, ତାକୁ ଯେ ବୁଝିପାରେ ସେ ହୁଏନି କେବଳ ବିଭୋର ଆଉ ଦିଗହରା, ସେ ହୁଏ ସଫଳ ପ୍ରେମିକ, ସଫଳ କବି, ସଫଳ ଲେଖକ; ଅସଫଳ ହୁଏ ତାର ଯୋଗ ପ୍ରାଣାୟାମ ଏକାଗ୍ରତା ଏବଂ ନିରବତା । ମୁଁ ଧିକାର କରେ ମୋର ଅତୀତ କଳା ଦିବସ ମାନଙ୍କୁ, କାହିଁକି ଯେ ଦେଖି ପାରିଲିନି ଏଭଳି ଝିଅକୁ ପୂର୍ବରୁ । ହୁଏତ କିଛି ପରିବର୍ତ୍ତନ ଘଟିଥାନ୍ତା । ଏ ବୈରାଗ ଭାବ ହୁଏତ ସଂସାରୀ ହେବା ପାଇଁ ବ୍ୟଗ୍ରତା ଦେଖାଇଥାନ୍ତା । ଯାଇ ପଚାରିଦେବିକି ପ୍ରିୟେ ତମ ନାମ କଣ???

ମୋର ନିରବତାକୁ ଭଙ୍ଗ କରି ବସ୍ ଷ୍ଟପରେ ପହଞ୍ଚିଲା ଏକ ଅଜଣା ଠିକଣା ଥିବା ବସ୍ । ଜଣେ ମଧ୍ୟ ବୟସ୍କ ସ୍ତ୍ରୀଲୋକ ବାହାରି ଆସି ଝିଅକୁ ସାହାଯ୍ୟକଲେ ବସ୍ ଭିତରକୁ ଯିବାପାଇଁ । ମୋ ନିଦ, ମୋ ସ୍ୱପ୍ନ ଭାଙ୍ଗିଗଲା, ପ୍ରକୃତିସ୍ଥ ହେଲି, କଣ କଣ ବୋଲି ଜାଣିବା ପାଇଁ ବସ୍ ସାଇଡ଼ରେ ଲେଖାଥିଲା “ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ” । ସେ ସବୁ ଦେଖିଲା ପରେ, ମୋର ବାପାଙ୍କର ଦୃଶ୍ୟ ଏବଂ ଅଦୃଶ୍ୟ ପାର୍ଥକ୍ୟ ବିଷୟରେ କହିଥିବା କଥା ମନେ ପଡ଼ିଗଲା । ବାପା କହୁଥିଲେ, “ଯାହା ଦୃଶ୍ୟ ମଣିଷ ତାକୁ ବିଶ୍ୱାସ କରେନି କିନ୍ତୁ ଯାହା ଅଦୃଶ୍ୟ ତାକୁ ଗଭୀର ବିଶ୍ୱାସ କରି ପାଗଳ ପ୍ରାୟ ହେଉ, ଦୁନିଆର ସବୁ ଜିନିଷ ଛାଡ଼ି ତାକୁ ହିଁ ପାଇବା ପାଇଁ ମଣିଷ ପ୍ରୟାସ କରେ ଏବଂ ଶେଷରେ ହତାଶ ତା ଭାଗ୍ୟରେ ଥାଏ” | ତାପର କଥା ମୋର ମନ ଭିତରେ ଗୋଳେଇ ଘାଣ୍ଟି ହେଲା, ସତୃଷ୍ଣ ନୟନ, ଏକ ବିକଳ ଚାହାଣୀରେ ଅପେକ୍ଷା କଲି ଆସୁଥିବା ମୋର ଠିକଣା ବସ କୁ, ପ୍ରବଚନ କ୍ଷେତ୍ରକୁ ଯିବା ପାଇଁ........

ଅନୁପମ ଚେହେରା ଘରଣୀ ପ୍ରବଚନ

Rate the content


Originality
Flow
Language
Cover design

Comments

Post

Some text some message..