Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅସହାୟ ନୁହନ୍ତି ସେମାନେ
ଅସହାୟ ନୁହନ୍ତି ସେମାନେ
★★★★★

© srutakirti Tripathy

Inspirational

4 Minutes   539    48


Content Ranking

ଗୋଟିଏ ଅଳସ ରବିବାର ଦିନ ମୁଁ ଘରେ ବିଶ୍ରାମ ନଉ ଥାଏ l ବାକିସବୁ ଦିନ ଭଳି ରବିବାର ଦିନ କିଛି ରୁଟିନବନ୍ଧା କାମ ନ ଥାଏ, ତେଣୁ ସବୁ ଢିଲା ଢିଲା ରେ ଚାଲେ l ଖିଆପିଆ ସାରିଲା ପରେ ଖଟରେ ଟିକେ ଗଡୁଛି, କଲିଂବେଲ ଟା ବାଜିଉଠିଲା l ରବିବାର ଦିପହରଟା ରେ କିଏ ବେଲ ମାରିଲା ବୋଲି ବିରକ୍ତ ପ୍ରକାଶ କରି ଅନିଚ୍ଛା ସତ୍ତ୍ୱେ ଯାଇ କବାଟଟା ଖୋଲିଲି l ସାମନାରେ ଦେଖିଲେ ଉଣେଇଶ କୋଡିଏ ବର୍ଷର ଶ୍ୟାମଳୀ ଝିଅଟିଏ ଝାଳରେ ଗୋଟାପଣେ ଓଦା ହୋଇ ହସହସ ମୁହଁରେ ଛିଡା ହୋଇଛି l ଝିଅଟି ପ୍ରକୃତରେ ଶ୍ୟାମଳୀ ନୁହେଁ ବରଂ ଖରାତରା, ଧୂଳିମାଡ ଖାଇ ତାର ଏପରି ଅବସ୍ଥା ବୋଲି ତାକୁ ଭଲରେ ନିରୀକ୍ଷଣ କଲେ ଜଣାପଡୁଥାଏ l କଲିଂ ବେଲ ମାରିଲା ପରେ ଜଣେ ସ୍ତ୍ରୀ ଲୋକ ଟିଏ କବାଟଟା ଫିଟେଇଥିବାର ଦେଖି ତା ମୁଖମଣ୍ଡଳ ରେ ଏକ ଆଶ୍ବସ୍ତି ଥାଏ, ସେଥିପାଇଁ ବୋଧେ ତା ମୁଖରେ ସେଇ ହସ ଟିକକ l ଧରିଥାଏ ଗୋଟିଏ କଳା ରଙ୍ଗର କାନ୍ଧପକା ବ୍ୟାଗ l ମୋତେ ଦେଖିଲାମାନେ ନମସ୍କାର ଜଣାଇ କାନ୍ଧ ଦୁଇଟାକୁ ବ୍ୟାଗ ର ଭାର ରୁ ମୁକ୍ତ କରି ଦୀର୍ଘନିଶ୍ବାସ ଟିଏ ପକାଇ ବ୍ୟାଗ ଟିକୁ ତଳେ ଥୋଇଲା l ତେଣେ ମୋର ଭାରି ଡର, ଆଜିକାଲି ସେଲସ ମ୍ୟାନ, ସେଲସ ଗାର୍ଲ ରୂପରେ ଆସି କିଛି ରସାୟନ ପ୍ରୟୋଗ କରି ଲୋକଙ୍କୁ ଅଚେତ କଲାପରେ ଘର ଲୁଟ କରିବା ଘଟଣା ସବୁ ପ୍ରତିଦିନ ଖବରକାଗଜ ରେ ପଢି ପଢି ମନଟା ଭୟାତୁର ହୋଇଉଠୁଥାଏ l ଘରେ ଆଉ କେହି ନ ଥିଲେ, ଏପଟେ କବାଟଟା ବି ଖୋଲି ସାରିଥିଲି l 'କଣ କଲେ ଠିକ ହବ? ' ଏଇନା ଝିଅଟି ମୋ ଉପରକୁ ଅତର୍କିତ ଆକ୍ରମଣ କରି, ଛୁରୀ କି କୌଣସି ମାରଣାସ୍ତ୍ର ଦେଖାଇ ମୋତେ କାଳେ କାବୁ କରି ନେଇଯିବ? ଏହିପ୍ରକାର ରେ ଭୟ ର ଆସ୍ତରଣ ଟି ଆହୁରି ବହଳ ହୋଇ ଆସୁଥାଏ ମୋ ମନରେ l

କିନ୍ତୁ ମୋର ସବୁ ଆଶଙ୍କା, ଭୟ ଉପରେ ପୂର୍ଣ୍ଣଛେଦ ପକେଇ ଝିଅଟି ଧୀର କଣ୍ଠରେ କହିଲା, 'ମାଡାମ, ଧୂପକାଠି ନେବେ? '

ଏତେ ସମୟ ଯାଏ ଚାଲିଥିବା କଳ୍ପନା, ଜଳ୍ପନା ର ଅନ୍ତ ଘଟାଇ ଝିଅଟି ତାର ଜିନିଷ ଦେଖେଇ କହିବା ଆରମ୍ଭ କଲା l ସେ ଆସିଥିଲା ଗୋଟିଏ ବିକଳାଙ୍ଗ ସଂସ୍ଥା ର ସାହାଯ୍ୟ ପାଇଁ l ଯେଉଁଠି ବିକଳାଙ୍ଗ ପିଲାମାନେ ନିଜର ଶାରୀରିକ ଅକ୍ଷମତା ସତ୍ତ୍ୱେ ନିଜ ହାତରେ ଧୂପକାଠି ତିଆରି କରନ୍ତି l ତାକୁ ପ୍ୟାକିଙ୍ଗ କରି ନିକଟବର୍ତ୍ତୀ ସହରାଞ୍ଚଳ କୁ ଜଣେ ଯାଇ ଘର ଘର ବୁଲି ତାକୁ ବିକ୍ରି କରନ୍ତି l ସେଥିରୁ ସଂଗୃହୀତ ଅର୍ଥରାଶି କୁ ସେଇ ପିଲାଙ୍କ ସାହାଯ୍ୟ ପାଇଁ ବ୍ୟବହାର କରିଥାନ୍ତି l ସେ କହିଲା, 'ମା, ଆମେ ଭିକ ମାଗିବାକୁ ଚାହୁଁନୁ, ସେଥିପାଇଁ ଧୂପକାଠି କିଣି ଆପଣ ଆମକୁ ସାହାଯ୍ୟ କରନ୍ତୁ l' ' ମୋର ତ ଧୂପକାଠି ର କିଛି ପ୍ରୟୋଜନ ନାହିଁ, ମୁଁ ଆଗତୁରା ପୁରା ଦୁଇ ତିନି ମାସ ପାଇଁ ସବୁବେଳେ ମଗେଇକି ରଖିଦିଏ l' ମୁଁ ଅନାୟାସରେ ଏତକ କହିଗଲି l

'ହେଲେ ମା ଆଉ ଦୁଇ ତିନି ପ୍ୟାକେଟ ରଖିଦେଲେ ଆପଣଙ୍କ କିଛି ଅସୁବିଧା ହବନି l ଆମ ପିଲାଗୁଡ଼ା ବିନାଶ୍ରମ ରେ କାହାର ସାହାଯ୍ୟ ଗ୍ରହଣ କରିବାକୁ ଚାହୁଁନାହାନ୍ତି, ସେଥିପାଇଁ ନିଜର ଅକ୍ଷମତା ସତ୍ତ୍ୱେ ନିଜର ଭରଣପୋଷଣ ପାଇଁ ଏହି ପନ୍ଥା ଟିକୁ ବାଛିନେଇଛନ୍ତି l ଆପଣଙ୍କୁ କିଛି ବାଧ୍ୟ ନାହିଁ, କିନ୍ତୁ ଯଦି କିଛି ପ୍ୟାକେଟ ରଖିଦେବେ ତା ହେଲେ ନିରୀହ, ଅଭାବୀ ପିଲାଗୁଡ଼ା ଉପକୃତ ହେବେ l

ଘଡ଼ିଏ ପାଇଁ ମୋ ମନରେ ଆସିଲା,'ଝିଅଟି ବୋଧେ ମିଛସତ କହି ବିକଳାଙ୍ଗ ପିଲାଙ୍କ ନାଁ ରେ ମୋ ଠାରୁ ପଇସା ଠକି ନେବାକୁ ଚାହୁଁଛି ! ଆଜିକାଲି କେମିତି ନୂଆ ନୂଆ ଫନ୍ଦି କରି ଲୋକଙ୍କ ଠାରୁ ଟଙ୍କା ହାତେଇ ନେବାରେ ସଫଳ ହୋଇଯାଉଛନ୍ତି? '

ମୋ ମନ କଥା ମୋ ହାବଭାବରୁ ଝିଅଟି ଜାଣିପାରିଲା କି କଣ ଚଟାପଟ ବ୍ୟାଗ ର ଜିପ ଖୋଲି ଆଇ. ଡି. କାର୍ଡ ଟା ବାହାର କରି ମୋତେ ଦେଖେଇଦେଲା l ମୁଁ ବି ଜଣେ ଗୋଇନ୍ଦା ଭଳି ତୀକ୍ଷ୍ଣ ଚାହାଣୀ ରେ ତନ୍ନ ତନ୍ନ କରି ତାକୁ ଦେଖିବାରେ ଟିକେ ହେଲେ ଦ୍ଵିଧା ପ୍ରକାଶ ପ୍ରକାଶ କଲି ନାହିଁ l ଆଇ. ଡି. କାର୍ଡ ରେ ଥିବା ନାଁ, ଠିକଣା ଧୂପକାଠି ପ୍ୟାକେଟ ରେ ଥିବା ଠିକଣା ସହିତ ସମ୍ପୂର୍ଣ୍ଣ ରୂପେ ମେଳ ଖାଉଥିଲା l ମୋର ଅନୁସନ୍ଧାନ ପୁରା ହେଲା ଏବଂ ଶେଷକୁ ମୁଁ ନିଶ୍ଚିନ୍ତ ହେଲି l ଝିଅଟି ପାଖରୁ ଦଶ ପ୍ୟାକେଟ ଧୂପକାଠି କିଣିଲି l ସ୍ୱତଃ ମୁହଁରୁ 'ଧନ୍ୟବାଦ 'ଶବ୍ଦ ଟି ବାହାରି ପଡିଲା l ଝିଅଟି କହିଲା, 'ଆପଣ ନୁହେଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣେଇବା ଉଚିତ l'

ମୁଁ କହିଲି, ନା ମାଆ ତୁ ଯୋଉ ଯୋଉ କାମଟି କରୁଛୁ, ତାହା ଛୋଟ କଥା ନୁହେଁ l ଭଗବାନ ତୋର ମଙ୍ଗଳ କରନ୍ତୁ l ନିରୀହ ପିଲାଗୁଡ଼ା ଙ୍କୁ ମୋ ତରଫରୁ ମଧ୍ୟ ଶୁଭେଚ୍ଛା ଜଣେଇଦେବୁ ତାଙ୍କର ଏହି ସର୍ଜନାତ୍ମକ ଏବଂ ବଳିଷ୍ଠ ପଦକ୍ଷେପ ପାଇଁ l ଝିଅଟି ଝିଅଟି ମୋତେ ଧନ୍ୟବାଦ ଓ ଶୁଭକାମନା ଜଣାଇ ସହାସ୍ୟ ମୋ ଠାରୁ ବିଦାୟ ନେଲା l

ସେ ତ ଚାଲିଗଲା, କିନ୍ତୁ କିଛି ସମୟ ପାଇଁ କବାଟଟିକୁ ଖୋଲା କରି ସେମିତି ଅନେଇ ମୁଁ ଭାବୁଥାଏ ଓ ମନେ ମନେ ତୁଳନା କରୁଥାଏ ସେହି ଅକ୍ଷମ ପିଲା ଏବଂ ଆମର ସରକାରୀ ବ୍ୟବସ୍ଥା କୁ l ଯେଉଁଠି ଶାରୀରିକ ଭାବରେ ଅଭାବଗ୍ରସ୍ତ ପିଲା ପରିଶ୍ରମ କରି ମୁଠେ ଖାଇବାକୁ ଇଛା କରୁଛନ୍ତି, ସେଇଠି ଆମ ସରକାର ସୁସ୍ଥ, ସବଳ ଓ କର୍ମଠ ଲୋକଙ୍କୁ ଏକ ଟଙ୍କିଆ ଚାଉଳ, ପାଞ୍ଚ ଟଙ୍କିଆ ଆହାର ଯୋଜନା ଉପହାର ଦେଇ ସମାଜରେ ତିଆରି କରିଚାଲିଛନ୍ତି ଏକ ଅଳସୁଆ ଶ୍ରେଣୀ, ଯାହାର ପରିଣାମ ନିକଟ ଭବିଷ୍ୟତରେ ନିଶ୍ଚୟ ସମସ୍ତେ ଦେଖିପାରିବେ l କହିବାକୁ ଗଲେ 'ଖଟିଖିଆ ' ଲୋକ ' ବସିଖିଆ ' ଲୋକରେ ପରିବର୍ତ୍ତିତ ହେଲେଣି l

ଅପରପକ୍ଷେ ଶାରୀରିକ ଅଭାବ ସେହି ବିକଳାଙ୍ଗ ପିଲାଙ୍କର ମନୋବଳ କୁ ହାଲୁକା କରିପାରିନି l ଅଳ୍ପେ ବହୁତେ ସେମାନେ ନିଜର ଶ୍ରମଦାନ କରି ରୋଜଗାର କରିବାକୁ ସକ୍ଷମ ହେଉଥିବା ବେଳେ, ସମାଜରେ ଭିକାରୀ ସାଜୁଥିବା ସେହି ସୁସ୍ଥ ଗୋଷ୍ଠୀ ନିଜକୁ ଭିନ୍ନକ୍ଷମ, ଅପାରଗ ବୋଲି ପରିଚୟ ଦେଇ ପଇସା ମାଗିବାକୁ ପଛାଉନାହାନ୍ତି l

ଏମିତି ଭାବନାରେ ମଜ୍ଜି ରହି କାଠ ଭଳି ଛିଡା ହୋଇଥାଏ, ପ୍ରକୁତିସ୍ଥ ହେଲି ଟେଲିଭିଜନ ରେ ପ୍ରସାରିତ ହଉଥିବା ଗୋଟିଏ ଗୀତ ଶୁଣି - " ୟେ ମତ କହୋ ଖୁଦା ସେ, ମେରି ମୁସ୍କିଲେଁ ବଡି ହେ ........... ୟେ ମୁସ୍କିଲୋ ସେ କେହଦୋ, ମେରା ଖୁଦା ବଡା ହେ.........

ଶୃତକୀର୍ତ୍ତି ତ୍ରିପାଠୀ

ଅସହାୟ କଳ୍ପନା ଦୀର୍ଘନିଶ୍ବାସ

Rate the content


Originality
Flow
Language
Cover design

Comments

Post

Some text some message..