ହୃଦୟ
ହୃଦୟ
କେତେ ସରଳ ଭାବେ ଦିନଟିଏ ଆସେ।ଜୀବନ ଭିତରେ ଛାଡି ଦେଇଯାଏ କିଛି ଅନୁଭବ।ତା ପରେ ଚାଲିଯାଏ କୋଉ ଅଫେରା ଦେଶକୁ।ଏଇ 'ଆଜି'ଟି ଆଉ କେବେ ବି ଆସିବନି।ସୁଖକର ହେଇଥିଲେ ମନ ଝୁରି ହୁଏ ଆଉ ଥରେ ଆସନ୍ତା କି ଆଜିର ଦିନଟି।ପୁଣି ଦୁଃଖର ହେଇଥିଲେ ମନ କହେ ଗଲା ଆଜିର ଦିନଟା ତ ଭଲ ହେଲା।ଏଭଳି ଦିନ ଆଉ କେବେ ନ ଆସୁ।ହେଲେ ଏଥିରେ ଦିନର କଣ ଦୋଷ ରହିଲା ?ସିଏ ତ ସବୁ ଦିନ ଆସୁଛି।ତମେ ଖରାପ କହ କି ଭଲ କହ।ସେ ତାର ନିର୍ଲିପ୍ତ।କାହା ନିନ୍ଦା ପ୍ରଶଂସାକୁ ସେ କଣ ବୁଝେ ନା ସେଥିପାଇଁ ତାର କିଛି ପ୍ରତିକ୍ରିୟା ଥାଏ ?ଭଲ ଲାଗୁଥିବା ଦିନ ଦିଟା ହେଇ ଯାଏନି କି ଖରାପ ଲାଗୁଥିବା ଦିନ ଅଧାରେ ସରେନି।ସେଇ ସମାନ ସରଳତା ଆଉ ହସିଲା ମୁହଁ ଧରି ଦିନଟିଏ ଉଙ୍କିମାରେ ବଂଚିଥିଲା ଯାଏ।ତେବେ ଜୀବନଟା ଗତ କାଲିରେ ନାହିଁ କି ଆସନ୍ତା କାଲିରେ ନାହିଁ।ଜୀବନ ନିଜର ସଂଜ୍ଞା ତିଆରି କରେ ଏଇ ଆଜି ବା ବର୍ତ୍ତମାନ ସମୟରେ।
ଏତେ ତତ୍ବ କଥା ଭାବିବାକୁ ମୋ ଭଳି ବ୍ୟସ୍ତ ମଣିଷ ପାଖେ ସମୟ ନଥାଏ।ତଥାପି କନ୍ଧରା ମୁଣ୍ଡା ବୋଲି ସେଇ ବରିଷ୍ଠ ନାଗରିକ ଜଣଙ୍କ ହାବୁଡେ ପଡିଗଲେ ଆଉ ରକ୍ଷା ନାହିଁ।ଏଇ ଭଳି କିଛି ଜୀବନ ଅନୁଭୂତି ନ କହି ସେ ଛାଡନ୍ତିନି।ଆଜି ଜଣେ ଅଭିଭାବକଙ୍କୁ ଭେଟି ସ୍କୁଲ୍ ଫେରୁଥାଏ।ହଳ ସାରି ସେ ବି ଆସୁଥାନ୍ତି ଗହୀର ଭିତରୁ।ଗାଁ ମୁଣ୍ଡ ଆମ୍ବଗଛ ତଳେ ମୁହାଁମୁହିଁ ହେଲୁ।ସୌଜନ୍ୟତା ଦୃଷ୍ଟିରୁ ପଚାରି ଦେଲି ଏଥରର ଚାଷବାସ କଥା।ବାସ୍ ଚାଲିଲା ସେଇ ଉପର ବର୍ଣ୍ଣିତ ଏକ ପାଖିଆ ଆଲୋଚନାଟି।ଚାଷ କଥା ମୁଁ ବା କଣ ବୁଝିବି ଯେ ସିଏ କହିବେ -ଏଇ ଭଳି ଗୋଟେ ଧାରଣା ତାଙ୍କର।ଭାରି ଖୁସିମିଜାଜର ଲୋକ।ଯେତେ ସରଳ ଆଉ ଜୀବନ୍ତ ଭାବେ ଜୀବନକୁ ଜୀଇଁବ ସେତିକି ଆନନ୍ଦ ମିଳିବ ।ଏଇଟା ତାଙ୍କ ଆଇଡୋଲୋଜି।ଶରତ ଆସିଲାଣି ବୋଲି ସେଇ ତ ମୋତେ ମନେ ପକେଇ ଦେଇଥିଲେ।ଶରତକୁ ନେଇ ଭାରୀ ମନଛୁଆଁ କଥାଟିଏ ବି କହିଥିଲେ।
"ବୁଝିଲୁ ମାମା (ମୋତେ ସେ ମାମା ଡାକନ୍ତି),ମାଟିର ଝିଅ ମାଟି କୋଳକୁ ଆସିବ।ତା ବାପଘର ବୁଲିବ।ତାର ଯେତେ ରୂପ ଥାଉ ,ଯେତେ ନାଁ ଥାଉ ସେ ତ ପୁଣି ଝିଅଟିଏ।ଜଗତର ଜନନୀ ବୋଲି ତାର କେତେ ଦାୟିତ୍ବ।ଏଇ ଦିନା କେତେ ସେ ଆସେ ଘରର ଝିଅ ଭଳି।ସବୁଠି ସେ ଆସିବାର ବସ୍ନା।ମାଟି ମାଆ ଉଲୁସି ଉଠୁଛି ତା ଆଗମନୀରେ। ତୁ ଟିକେ ଶୁଣୁ ବୋଲି ତତେ ଏତେ କଥା କହିଲି ।"ମୁଗ୍ଧ ହୋଇ ଶୁଣୁଥିଲି ତାଙ୍କ କଥା।ଦେବୀ ଆଗମନୀର ସରଳ ଆଉ ବୋଧଗମ୍ୟ ମନ୍ତ୍ରଟିଏ ଉଚ୍ଚାରଣ କରୁଥିଲେ ବୋଧେ !!
ପିଲାଦିନୁ ବଡମାନଙ୍କ କଥା ଶୁଣିବ ବୋଲି ବାପା ଶିଖେଇ ଥିଲେ।ସେଥିପାଇଁ ଯେତେ ବ୍ୟସ୍ତଥିଲେ ବି ମୁଁ ସମୟ ଦେଇ ତାଙ୍କ କଥା କେବେ କେବେ ଶୁଣେ।ସେଇଥି ପାଇଁ ଆଗ୍ରହରେ କିଛି କଥା ଥିଲେ ମୋତେ କହନ୍ତି।ଏଇ ମାଟିର କଥା,ପାଣି ,ପବନ,ଆକାଶ ଆଉ ଆଲୋକର କଥା କହନ୍ତି ତାଙ୍କ ଗାଉଁଲି ଭାଷାରେ।ମୋ ବ୍ୟସ୍ତ ଜୀବନ କିଛି ସମୟ ପାଇଁ ସ୍ଥିର ହୋଇଯାଏ।ନିଜର ଜମି ତାଙ୍କର ନାହିଁ ବୋଧେ। ଭାଗଚାଷୀ।ତିନିଟା ଝିଅ ,ପୁଅଟିଏ ନାହିଁ ପୋଷିବାକୁ ବୋଲି ମନ ଦୁଃଖରେ ତାଙ୍କ ସ୍ତ୍ରୀ କେବେକେବେ କହନ୍ତି।ହେଲେ ସେ ଏସବୁ ଏତେ ଭାବନ୍ତିନି।ଆଜି ଚାଲିଯାଉଥିବା ଆଜିଟି ଯଦି ଫେରିବନି ତେବେ ଆଜିକ ଜୀବନ ଭଲରେ ବଞ୍ଚିବାନି କାହିଁକି? ଏତେ ସୁନ୍ଦର କଥା ଭାବିବା ପାଇଁ ବେଶୀ ପାଠ ପଢିବା ଦରକାର ନାହିଁ।କେବଳ ବୁଝି ପାରିଲା ଭଳି ହୃଦୟଟେ ଥିବା ଉଚିତ୍।