Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରକୃତି ନୈବ ମୁଚ୍ୟତେ
ପ୍ରକୃତି ନୈବ ମୁଚ୍ୟତେ
★★★★★

© T.Durga Prasad Rao

Drama Others

10 Minutes   6.0K    18


Content Ranking

ମନୋଜ ଟିଭିକୁ ହାଇ ଭଲ୍ୟୁମରେ ରଖି ଏକଲୟରେ କ୍ରିକେଟ୍ ଦେଖୁଥିଲା । ୱାର୍ଲଡ୍ କପ୍ । କ୍ରିକେଟ୍ ମାନେ ପୁରାପୁରି ପାଗଳ ପାଲଟିଯାଏ ମନୋଜ । ପ୍ରତି ଚୌକା ଛକାରେ ବଡ଼ ପାଟି କରି ନାଚିବା । ୱିକେଟ୍ ଗଲେ ନୈରାଶ୍ୟରେ ସୋଫାକୁ ପିଟିବା ଇତ୍ୟାଦି । ରାଗିଣୀ, ମନୋଜର ଧର୍ମପତ୍ନୀ କିନ୍ତୁ ଥିଲା ସମ୍ପୂର୍ଣ୍ଣ ବିପରୀତ । ସେ ମନୋଜର ଏଭଳି କାର୍ଯ୍ୟକଳାପରେ ଖୁବ୍ ଚିଡ଼ି ଉଠେ । ରାଗିଣୀର ଉପସ୍ଥିତିରେ ଟିଭିର ଭଲ୍ୟୁମ୍ ତ କମ୍ ହୁଏ, କିନ୍ତୁ ରାଗିଣୀ କାମରେ ଲାଗିଗଲେ ପୁଣି ଟିଭିର ଭଲ୍ୟୁମ୍ ବଢ଼ିଯାଏ ।

ରାଗିଣୀ ରୋଷେଇ ଘରେ ପ୍ରାତଃ ଜଳଖିଆ ପ୍ରସ୍ତୁତିରେ ଲାଗିପଡ଼ିଥିଲା । ଟିଭିର ଶବ୍ଦ ଶୁଣି ସେ ଆଉ ସ୍ଥିର ହୋଇ ରହିପାରିଲା ନାହିଁ । ଡ୍ରଇଁରୁମ୍.ରେ ପହଞ୍ଚି ଦେଖେ ଟିଭି ଦେଖୁ ଦେଖୁ ବାବୁ ତାର ଅଣ୍ଟାରେ ହାତ ଦେଇ ନାଚି ଉଠୁଛନ୍ତି । ରାଗିଣୀ ରାଗରେ ସଜୋରେ ଟିଭି ସୁଇଚ୍ ଅଫ୍ କରିଦେଇ କହି ଉଠିଲା - ଅନ୍ୟମାନଙ୍କୁ ଘରେ ରଖେଇ ଦେବ କି ନା? ତମର ଟିଭି ଭଲ୍ୟୁମରେ ମୋର ମୁଣ୍ଡ କଣ ହେଇଯାଉଛି, ସେଥିରେ ତମର କିଛି ଯାଏ ଆସେନା । କହିଦେଇ ରାଗିଣୀ ରୋଷେଇ ଘରକୁ ଚାଲିଗଲା । ଆଉ ମନୋଜ ବି ନିଜ ସ୍ଵଭାବ ବଶତଃ ପୁଣି ଥରେ ଟିଭି ଭଲ୍ୟୁମ ବଢ଼ାଇ ଦେଲା ।

ବିବାହର ପୁରା ଗୋଟିଏ ବର୍ଷ ବିତିଗଲାଣି । ଆଉ ତା ଭିତରେ ରାଗିଣୀକୁ ପୁରାପୁରି ଚିହ୍ନିସାରିଛି ମନୋଜ । ପ୍ରତି ଛୋଟ କଥାରୁ ମହାଭାରତ ସୃଷ୍ଟି କରିବା ରାଗିଣୀର ଅଭ୍ୟାସରେ ପରିଣତ ହୋଇଗଲାଣି । ପ୍ରଥମେ ପ୍ରଥମେ ରାଗିଣୀର ପ୍ରତି କଥାରେ ଆକଟ ମନୋଜକୁ ଖୁବ୍ ଖରାପ ଲାଗୁଥିଲା, ହେଲେ ଏବେ ତାହା ଦେହ ସୁହା ହୋଇ ଯାଇଛି ।

ରାଗିଣୀ ପୁଣି ଥରେ ଯେତେବେଳେ ରୋଷେଇ ଘରୁ ଦୌଡ଼ି ଆସି ଟିଭି ସୁଇଚ୍ ଅଫ୍ କଲା, ମନୋଜର ମୁଣ୍ଡ ଖରାପ ହେଇଗଲା । ସେ ଆଉ ସେଠାରେ କ୍ଷଣେ ବି ଅପେକ୍ଷା ନ କରି ପ୍ୟାଣ୍ଟ୍ ସାର୍ଟ୍ ଗଳେଇ ସପ୍.କୁ ଚାଲିଗଲା । ରାଗିଣୀ ଦ୍ୱାରା ପ୍ରସ୍ତୁତ ଜଳଖିଆକୁ ହତାଦର କରି । ଖରାବେଳେ ବି ସେ ଫେରିଲା ନାହିଁ ଘରକୁ ।

ରାତିରେ ଡେରିରେ ଫେରି ଡିନର୍ କଲା ମନୋଜ । କିନ୍ତୁ କେମିତି ଅନ୍ୟମନସ୍କ ମନେ ହେଉଥିଲା ରାଗିଣୀ ଆଖିରେ । ତରବରରେ କିଛି ପୋଷାକ ପତ୍ର ଓ ଆବଶ୍ୟକୀୟ କିଛି ଦ୍ରବ୍ୟ ସୁଟ୍.କେଶ୍.ରେ ଭରୁଥିଲା ମନୋଜ । ରାଗିଣୀ ମନରେ ଅନେକ ପ୍ରଶ୍ନବାଚୀ । ତା ସହ ଉଙ୍କି ମାରୁଥିଲା ଅନେକ ଆଶଙ୍କା । ସେ ନିତିଦିନିଆ ସଫାସଫି ମଜାମଜି କାମ କରୁ କରୁ ରହି ରହି ମନୋଜ ଆଡ଼କୁ ଚାହୁଁଥିଲା । ନିତ୍ୟ ଗୃହକର୍ମ ଢ଼ିଲା କରିଦେଇ ସେ ଯେ ବିଚଳିତ ହୋଇପଡ଼ିଛି ଏକଥା ମନୋଜକୁ ଜଣାଇ ଦେବାକୁ ଚାହୁଁନଥିଲା ।

ମନୋଜ କେତେବେଳୁ ଶୋଇଗଲାଣି । ରାଗିଣୀ ଆଖିରେ ନିଦ ନାହିଁ । ପରଦା ଫାଙ୍କ ଦେଇ ଜହ୍ନ ଆଲୁଅରୁ ଚେନାଏ ପଡ଼ିଛି ଶଯ୍ୟା ଉପରେ। ଆଉ ସେଇ ଆଲୁଅକୁ ଚାହିଁ ଚାହିଁ ରାଗିଣୀ ଭାବୁଛି ଅନେକ କଥା ।

ମନୋଜ କଡ଼ ଲେଉଟାଇଲା । ଜହ୍ନ ଆଲୁଅ ମନୋଜର ମୁହଁ ଉପରେ ପଡ଼ିଲା । ଖୁବ୍ ନିରୀହ ମନେ ହେଉଥିଲା ସେ ମୁହଁ। ଦୁନିଆଁର ଲୋଭ, ମୋହ, କୁଟକପଟତା ସେ ମୁହଁକୁ ଯେମିତି ସ୍ପର୍ଶ କରି ପାରିନାହିଁ । ସାଗର ପରି ପ୍ରଶାନ୍ତ, ଗମ୍ଭୀର ସେ ମୁହଁରେ ପ୍ରେମର ଢ଼େଉ ଅଜସ୍ର । ରାଗିଣୀର ଲୋଭ ହେଲା ସେ ଏ ମୁହଁକୁ ରାତି ସାରା ମନ ଭରି ଦେଖିବ । ସେ ମୁହଁରେ ପ୍ରସ୍ଫୁଟିତ ସବୁ ଭାବ ଭଙ୍ଗିମାକୁ ନିଜ ମଧ୍ୟରେ ସମାହିତ କରିବ । କିଏ ଜାଣେ ଆସନ୍ତା କାଲି ଏ ମୁହଁ ତା ସାମ୍ନାରେ ଥିବ କି ନା ।

ଏକ ଲୟରେ ଚାହିଁ ରହିଥିଲା ସେ ମନୋଜ ଆଡେ଼ । ତା ଚକ୍ଷୁରେ ଲୋତକର ଆସର । ମନୋଜର ମୁହଁଟା ତାକୁ ଝାପ୍ସା ଝାପ୍ସା ଦିଶୁଥିଲା । ମନୋଜ ଯଦି ତାକୁ ଆଉ ଥରେ ମାତ୍ର ସୁଯୋଗ ଦିଅନ୍ତା! ସେ ତାକୁ ଦ୍ୱିତୀୟବାର କୌଣସି ଅଭିଯୋଗର ମଉକା ଛାଡ଼ନ୍ତାନି । ଲୁହ ପୋଛିଲା ରାଗିଣୀ । ମନୋଜର କପାଳରେ ଥିରି କରି ଚୁମ୍ବନଟିଏ ଆଙ୍କିଦେଲା । ନିଦ ଭାଙ୍ଗିଯିବ ନାହିଁ ତ!

ସକାଳେ କିନ୍ତୁ ରାଗିଣୀର ଉଠିବାରେ ଅନେକ ଡେରି ହୋଇ ଯାଇଥିଲା । ଶଯ୍ୟାରେ ମନୋଜ ନ ଥିଲା । ବେଡ୍.ରୁମ୍ କୋଣକୁ ଗ୍ଭହିଁ ଦେଖିଲା ସୁଟ୍.କେଶ୍ ମଧ୍ୟ ନାହିଁ । ପାଗଳୀଙ୍କ ଭଳି ଦୌଡ଼ିଲା ରାଗିଣୀ । ରୁମ୍.ରୁ ରୁମ୍.କୁ । ଲନ୍.ରୁ ବାଲ୍କୋନୀକୁ । ଫାଟକରୁ ରାସ୍ତା ଉପରକୁ । ମନୋଜ ଆଖପାଖରେ କେଉଁଠି ବି ଦୃଷ୍ଟିଗୋଚର ହେଉ ନ ଥିଲା ।

ରାଗିଣୀ ଏକାକୀ ହୋଇ ଯାଇଥିଲା । ପକ୍ଷଛେଦିତ ବିହଙ୍ଗୀନୀଟିଏ ସେ, ଉଡ଼ିବାର ସାମର୍ଥ୍ୟ ଯାହାର ନାହିଁ । ଭଗ୍ନ ହୃଦୟ ଓ ବ୍ୟଥିତ ମନକୁ ସେ ବୋଧ ଦେଇ ପାରୁନଥିଲା । ଏତେ ଶୀଘ୍ର ଏ ମର୍ମନ୍ତୁଦ ସତ୍ୟକୁ ଗ୍ରହଣ କରି ପାରୁନଥିଲା । ଏ ଦୁଃଖଦ ମୁହୁର୍ତ୍ତ ସାମୟିକ ଅବା ଚିରନ୍ତନ ବୁଝି ପାରୁନଥିଲା ରାଗିଣୀ । ସେ ସତେ ଅବା ଯେମିତି ମୁକ ପାଲଟି ଯାଇଥିଲା ।

ରାତି ସାତଟାରେ ଫୋନ୍ ଆସିଲା ବାନ୍ଧବୀ ଚାରୁଲତା ଠାରୁ । ସେ ଷ୍ଟେସନ୍.ରେ ଅଛି ଆଉ ଅତି ଶୀଘ୍ର ଘରେ ଆସି ପହଞ୍ଚୁଛି । ରାଗିଣୀ ନିଜକୁ ସମ୍ଭାଳି ନେଲା । ତାର ଏ ଦୁର୍ବଳତା ଚାରୁଲତା ନ ଦେଖୁ । ସକାଳୁ କିଛି ରୋଷେଇ କରିନଥିଲା, ଦୁଇ ପିସ୍ ବ୍ରେଡ୍ ଜାମ୍ ଲଗାଇ ଖାଇନେଲା । ରୁମ୍ ସବୁ ଝାଡୁ ମାରି ରୋଷେଇ କାମରେ ଲାଗିଗଲା । ଚାରୁଲତା ଦେଖିଲା ବେଳକୁ ସବୁକିଛି ସାମାନ୍ୟ ମନେ ହେବା ଦରକାର । ଫୋନ୍ କରିବାର ଠିକ୍ ଅଧଘଣ୍ଟା ପରେ ଚାରୁଲତା ଆସି ଘରେ ପହଞ୍ଚିଲା ।

ରାଗିଣୀ ଯେମିତି ଖୁସି ହୋଇ ସ୍ୱାଗତ ଜଣାଇଲା ।

- କିରେ, ମନୋଜକୁ ପାଇ ଆମକୁ ପୁରାପୁରି ଭୁଲିଗଲୁ ଦେଖୁଛି, ହାଁ? କଣ, ଆଉ କେମିତି ଚାଲିଛି? ଘରେ ପାଦ ଦେଉ ଦେଉ ପ୍ରଶ୍ନ କଲା ଚାରୁଲତା ।

- ଠିକ୍ ଚାଲିଛି । ଟିକିଏ ହସିବାକୁ ଚେଷ୍ଟା କରି କହିଲା ରାଗିଣୀ ।

- କାହିଁ ମନୋଜ ଦେଖା ଯାଉନାହିଁ ଯେ?

- ସେ ଟିକିଏ କାମରେ ବାହାରକୁ ଯାଇଛନ୍ତି ।

- ବାହାରକୁ ଯାଇଛି ନା ମୁଁ ଆସିଛି ବୋଲି ତୁ କୁଆଡେ଼ ଲୁଚାଇ ପକାଇଛୁ, ହାଁ? କହି ଦେଇ ଖୁବ୍ ଜୋର୍.ରେ ହସିଲା ଚାରୁଲତା । ପୁଣି କହିଲା- ଶଳା, ଫସେଇଲୁ ଏମିତି ଗୋଟିଏ ଜୁଏଲ୍.ଟାକୁ ଯେ ତା ପଛରେ ଲାଗିଥିବା ଆମଦଳ ପୁରା ଭୋକୁଆ । ପ୍ରତିଯୋଗୀତାରେ ତୁ ଜିତିଗଲୁ । ତୋର ବି ଜବାବ୍ ନାହିଁ । ନା, ଯାହା କହ ପଛେ, ତମ ଦୁହିଁଙ୍କ ଯୋଡ଼ି, ଆ ହା ହା । ପ୍ରେମ ବିବାହ କରିବ ତ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା ଦରକାର ।

ରାଗିଣୀ ରୋଷେଇ କରୁଛି ଆଉ ଶୁଣୁଛି ଚାରୁଲତାର କଥା । ତାର ପ୍ରତିଟି କଥା ଯେମିତି ତା ଛାତିରେ ତୀରବିଦ୍ଧ କରୁଛି ।

- ଆରେ, ତୋ ବାପା ବୋଉ ଏ ପର୍ଯ୍ୟନ୍ତ ମାନିଲେଣି ନା ନାହିଁ ।

ରାଗିଣୀ ମୁଣ୍ଡ ହଲାଇଲା ।

- ଆହା, ଚୁ ଚୁ ଚୁ... । ଦୀର୍ଘ କୋଡ଼ିଏ ବର୍ଷ ଲାଳନ ପାଳନ କଲା ପରେ ଗୋଟିଏ ଝିଅର ହୃଦୟକୁ ଯେଉଁ ବାପା ମା’ ଆଜି ପର୍ଯ୍ୟନ୍ତ ବୁଝିପାରିଲେନି... । ତୁ ମନଦୁଃଖ କରନା ରାଗିଣୀ । ଦେଖିବୁ ଦିନେ ନା ଦିନେ ସେମାନେ ତାଙ୍କର ଭୁଲ୍ ବୁଝି ତୋ ପାଖକୁ ନିଶ୍ଚୟ ଆସିବେ ।

ତାପରେ ରାଗିଣୀ ଆଡ଼କୁ କଣେଇ ଚାହିଁ ମୁରୁକି ହସି ଚାରୁଲତା ପଚାରିଲା - ଆଉ, କିଛି ଶୁଭ ଖବର... ଆଁ... ।

- ନା ରେ, ତୁ ଯାହା ଆଶା କରୁଛୁ, ସେମିତି କିଛି ନାହିଁ । ସେଇଥିପାଇଁ ଆହୁରି ଡେରି ଅଛି ।

- ହୁଁ, ବୁଝିଲି, ଏନ୍ଜୟ, ଆଁ । କହିଦେଇ ଅଣ୍ଟାରେ ଟିକିଏ ଠେଲିଦେଲା ଚାରୁଲତା ।

ରାଗିଣୀ ପଚାରିଲା - ତୋ କଥା କଣ କହିଲୁ? ମୁଁ ଶୁଣୁଥିଲି, ତୋର କୁଆଡେ଼ ବାହାଘର ଠିକ୍ ହୋଇଯାଇଛି । ସତ ନା କଣ?

- ମୁଁ ଆଉ କୁଆଡେ଼ ଆସିଲି ବୋଲି ଭାବିଛୁ କି? ଚାରୁଲତା ତା ଭ୍ୟାନିଟି ବ୍ୟାଗ୍.ରୁ ନିମନ୍ତ୍ରଣ କାର୍ଡ ଖଣ୍ଡେ ବାହାର କରି ଆଣି ରାଗିଣୀ ହାତକୁ ବଢ଼ାଇଦେଲା । କହିଲା - ସେ ସିଭିଲ୍ ଇଞ୍ଚିନିୟର୍ ଅଛନ୍ତି ବଲାଙ୍ଗୀର୍.ରେ । ତାଙ୍କ ବାପାଙ୍କ ସହ ଡାଡିଙ୍କର ବହୁତ ଆଗରୁ ପରିଚୟ । ମୁଁ ଦେଖିଲି ପିଲାଟା ଦେଖିବାକୁ ବି ହ୍ୟାଣ୍ଡସମ୍ । ବାହାଘର ହେଇଗଲେ ଯାଏ, ଗୋଟେ କାମ ସରିଯିବ ।

ରାଗିଣୀ ଚାରୁଲତାର କାନଟାକୁ ଧରିନେଇ କହିଲା - ଆଛା, କାମ ସରିଯିବ, ବିବାହଟା ତୋତେ ବୋଝ ମନେ ହେଉଛି । ତାପରେ ତାକୁ ନିଜ ଆଡ଼କୁ ଟାଣି ନେଇ ଜାବୁଡ଼ି ଧରିଲା । ଭାବପ୍ରବଣ ହୋଇ କହିଲା-ହାର୍ଦ୍ଦିକ ଅଭିନନ୍ଦନ । ତମ ଦୁହିଁଙ୍କ ସାଂସାରିକ ଜୀବନ ସୁଖମୟ ହେଉ । ଜୀବନର ଚଲାପଥ ତମର ସୁଗମ ହେଉ ।

ଚାରୁଲତା ନିଜକୁ ଛଡ଼ାଇ ନେଇ କହିଲା - ଥାଉ, ଥାଉ ଏ ଶବ୍ଦ ମୋର ବିବାହଦିନ ପାଇଁ ସମ୍ଭାଳି ରଖିଥା ।

ଦୁଇ ବାନ୍ଧବୀ ଖିଆପିଆ ଶେଷ କରି ବେଡ୍.ରୁମ୍.କୁ ଆସିଲେ । ଚାରୁଲତା ଟିଭି ଅନ୍ କରି ଚ୍ୟାନେଲ୍ ସର୍ଫ୍ କଲା । ସ୍ପୋର୍ଟସ୍ ଚ୍ୟାନେଲ୍.ରେ କ୍ରିକେଟ୍ ଦେଉଥିଲା । ହଠାତ୍ ରାଗିଣୀ କହିଲା - ଟିକିଏ ରହିଲୁ । ଚାରୁଲତା କହିଲା - ତୁ କେବେ ଠାରୁ କ୍ରିକେଟ୍ ଦେଖିଲୁଣି ।

- ମନୋଜ ସହ କ୍ରିକେଟ୍ ଦେଖି ଦେଖି ମୋର ବି କ୍ରିକେଟ୍ ଖେଳ ବିଷୟରେ କିଛିଟା ଧାରଣା ଆସିଯାଇଛି ।

- ଏଇଟା କିନ୍ତୁ ଲାଇଭ୍ ନୁହଁ ।

- ନ ହେଉ । ଟିକିଏ ଭଲ୍ୟୁମ ଦେଲୁ ।

ଦୁଇ ବାନ୍ଧବୀ ରାତି ଅନେକ ପର୍ଯ୍ୟନ୍ତ ହାଇ ଭଲ୍ୟୁମରେ କ୍ରିକେଟ୍ ଖେଳ ଦେଖିଲେ ଆଉ ଉପଭୋଗ କଲେ ।

ସକାଳେ ଶୀଘ୍ର ଉଠି ଯାଇଥିଲା ରାଗିଣୀ । ଗାଧୋଇ ସାରି ଓଦା ସରସରରେ ବେଡ୍.ରୁମ୍.କୁ ପଶିଆସିଲା ସେ । ଫ୍ୟାନ୍.କୁ ଫୁଲ୍ ସ୍ପିଡ୍ ଦେଇ ତାରି ତଳେ ନିଜର ମନ ମସ୍ତିଷ୍କକୁ ପ୍ରଫୁଲ୍ଲିତ କରୁଥିଲା । ଚାରୁଲତା ଉଠି ଶଯ୍ୟା ଉପରେ ବସିଥିଲା । କହିଲା - ଆରେ, ଆରେ କଣ କରୁଛୁ? ବାଥ୍.ରୁମ୍.ରୁ ଓଦା ସରସରରେ ବାହାରି ଆସିଲୁ ଯେ?

ପ୍ରତ୍ୟୁତ୍ତରରେ ରାଗିଣୀ କହିଲା - ତୁ ଜାଣୁ ମନୋଜ କହେ ଏମିତିରେ ମଣିଷର ଚିଡ୍ ଚିଡ୍ ସ୍ଵଭାବ ଅନେକଟା କମିଯାଏ । ତୁ ଥରେ ପରୀକ୍ଷା କରି ଦେଖ ।

- ନା ବାବା, ମୋର ଇସୁନୋଫୋଲିଆ ଦେହ, ଥଣ୍ଡା ଧରିଦେବ । ମୁଁ ତ ଏମିତିରେ ଆଠଟା ପୂର୍ବରୁ ସ୍ନାନ କରେ ନାହିଁ ।

- ଆଛା! କହିଦେଇ ରାଗିଣୀ ପୋଛାପୋଛି ହୋଇ ଲୁଗା ବଦଳେଇଲା ।

ଚାରୁଲତା କିନ୍ତୁ ଉଠିପଡ଼ି ଅତି ଅଳ୍ପ ସମୟ ମଧ୍ୟରେ ନିତ୍ୟକର୍ମ ସାରି ଦେଇ ରେଡ଼ି ହୋଇଗଲା । ରାଗିଣୀକୁ ଯେତେବେଳେ ବିଦାୟ ମାଗିଲା, ସେ ବିସ୍ମିତ ହେବା ସଙ୍ଗେ ସଙ୍ଗେ ଦୁଃଖରେ ଯେମିତି ଭାଙ୍ଗିପଡ଼ିଲା । ଚାରୁଲତାକୁ ଅନୁରୋଧ କଲା ନ ଯିବା ପାଇଁ ।

- ଆରେ ଏମିତି କଣ ହେଉଛୁ, ହାଁ । ମୋତେ ତ ଯିବାକୁ ହେବ ନା । ବାହାଘର ଅଳ୍ପ ଦିନ ରହିଲା । ଏ ସମୟରେ ମୁଁ କଣ ଏଠି ରହିପାରିବି । ବରଂ ବିବାହ ପରେ ଦିନେ ଦୁହେଁ ସାଙ୍ଗ ହୋଇ ଆସିବୁ ଯେ ତୋର ମନା କଲା ସତ୍ତ୍ୱେ ତୋ ଘରେ ଦଶ ଦିନ ରହିଯିବୁ । ହେଲା ତ?

ଚାରୁଲତାକୁ ଅଟକାଇ ରଖିପାରିଲା ନାହିଁ ରାଗିଣୀ । ପୁଣି ଥରେ ରାଗିଣୀର ମନଟା ଭାରି ହୋଇଗଲା । ଯେତିକି ସହଜ ହେବାର ଅଭିନୟ କରିଗଲା, ସେତିକି ଦୁର୍ବୋଧ୍ୟ ହୋଇଗଲା ତାର ଜୀବନ । ଗୋଟିଏ ଚକରେ ଗାଡ଼ି ଚାଲେନାହିଁ କି ଗୋଟିଏ ହାତରେ ତାଳି ବାଜେ ନାହିଁ । ରାଗିଣୀ କିଂକର୍ତ୍ତବ୍ୟବିମୁଢ଼ ହୋଇ ଯାଇଥିଲା ।

ଚାରି ଦିନ ବିତିଗଲା । ରାଗିଣୀ ମନୋଜର କୌଣସି ଖୋଜଖବର ନେଲା ନାହିଁ । କାହାରିକୁ ଫୋନ୍ କରି ନିଜ ଦୁରାବସ୍ଥା କଥା ମଧ୍ୟ ଜଣାଇଲା ନାହିଁ । ମନୋଜ ଯେତେବେଳେ ଇଛା କରି ଯାଇଛି, ତାର ସନ୍ଧାନ କରିବାର କୌଣସି ଆବଶ୍ୟକତା ଅନୁଭବ କଲାନାହିଁ । ଯେ ପର୍ଯ୍ୟନ୍ତ ମନୋଜ ନିଜେ ମନ ପରିବର୍ତ୍ତନ ନ କରିଛି ତାର ପ୍ରତ୍ୟାବର୍ତ୍ତନର ଆଶା ନାହିଁ ।

ରାଗିଣୀ ଫୁଲି ଫୁଲି କାନ୍ଦୁଥିଲା । ମନୋଜର ପ୍ରତିଟି ପାଗଳାମୀ ଭିତରେ ତା ପ୍ରତି ଥିବା ପ୍ରେମ ହିଁ ବାରି ହେଉଥିଲା । ସେ କିନ୍ତୁ କଲା କଣ? ପ୍ରେମ ବୃକ୍ଷର ମୂଳରେ ଜଳ ସିଞ୍ଚନ ପରିବର୍ତ୍ତେ ତାର ପ୍ରତି ଶାଖାକୁ ତା ଅଜାଣତରେ ସେ କୁରାଢ଼ୀ ମାରୁଥିଲା? ସାଂସାରିକ ଜୀବନର ବୈତରଣୀ ପାର ହେବାକୁ ହେଲେ ପ୍ରେମର ନୌକା ଯେ ନିହାତି ଦରକାର । ସେ ନୌକାରେ ଛିଦ୍ର ହେଲେ ବୈତରଣୀ ପାର ହେବ କେମିତି?

ରାଗିଣୀ ଭଗବାନଙ୍କୁ ଡାକୁଥିଲା ଆଉ ମନେ ମନେ ଯେମିତି କିଛି ନିଷ୍ପତ୍ତି ନେଉଥିଲା । ଯଦି କୌଣସିମତେ ମନୋଜ ମନ ପରିବର୍ତ୍ତନ କରି ଘରକୁ ଫେରିଆସେ, ତାହେଲେ ସେ ତା ସହିତ କେବେ ବି ଫାଲ୍.ତୁ ଯୁକ୍ତିତର୍କ କରିବ ନାହିଁ । ସେ ଚିଡ଼ି ଉଠିଲେ ନିଜେ ଚୁପ୍ ହୋଇଯିବ । ତା ଇଚ୍ଛାରେ ବାଧା ସୃଷ୍ଟି ହେଲା ଭଳି କିଛି ବି କହିବ ନାହିଁ କି କରିବ ନାହିଁ । ହାଇ ଭଲ୍ୟୁମରେ ଟିଭି ଦେଖିଲେ ନିଜେ ବରଂ ତା ଟିଭି ଦେଖାରେ ସାମିଲ୍ ହେବ । ଓଡ଼ିଆ ଚ୍ୟାନେଲ୍ ରେ ସମ୍ବଲପୁରୀ ନୃତ୍ୟର ଆଗମନରେ ମନୋଜ ସହିତ ସେ ଅଣ୍ଟା ହଲାଇ ନୃତ୍ୟ କରିବ । ସନ୍ଧ୍ୟା ସମୟରେ ବାଲ୍କୋନୀରେ ବସି ସାମ୍ନା ଘର ଝରକା ଆଡ଼କୁ ଚାହିଁ ରହିବାକୁ ସେ କେବେ ବି କଦର୍ଥ କରିବ ନାହିଁ । ଏମିତି ଅନେକ କିଛି ।

ହଠାତ୍ କଲିଂବେଲ୍ ଶବ୍ଦରେ ରାଗିଣୀର ଭାବନାରେ ପୂର୍ଣ୍ଣଛେଦ ପଡ଼ିଲା । ଦରଜା ଖୋଲୁ ଖୋଲୁ ଭିତରକୁ ପଶିଆସିଲା ମନୋଜ । ସୁଟ୍ କେଶ୍ ରାଗିଣୀ ହାତକୁ ବଢ଼ାଇ ଦେଇ କହିଲା- ନା, ଏମିତି ଜର୍ଣ୍ଣି ମୋ ଜିନ୍ଦେଗୀରେ କରିନାହିଁ । ହାଓ ପ୍ୟାଥେଟିକ୍ । ଏ ଗୋଡ଼ଟା କେମିତି ଫୁଲିଗଲା ଦେଖ । ମନୋଜକୁ ଦେଖି ରାଗିଣୀ ଭୁତ ଦେଖିଲା ପରି ଚମକି ପଡ଼ିଲା । ତା ଆଖିକୁ ସେ ବିଶ୍ୱାସ କରି ପାରୁନଥିଲା । ଭ୍ରମରେ ପଡ଼ିଯାଇଥିଲା ରାଗିଣୀ । ଏହା ବାସ୍ତବ ନା ସ୍ଵପ୍ନ?

ମନୋଜ କୋଟ୍ ବାହାର କରିଦେଇ ସୋଫା ଉପରେ ବସିଗଲା । ରାଗିଣୀ ଫ୍ୟାନ୍ କୁ ଫୁଲ୍ ସ୍ପିଡ୍ ଦେଇ ମନୋଜର ଗୋଡ଼ ପାଖରେ ବସିଲା । ତା ଗୋଡ଼ରୁ ଯୋତା ମୋଜା ବାହାର କରିଦେଇ ଦେଖିଲା ସତରେ ଗୋଡ଼ଟା ଫୁଲିଯାଇଛି । ସେ ଦୌଡ଼ିଗଲା ରୋଷେଇ ଘରକୁ । ଗ୍ୟାସ୍ ର ସାମାନ୍ୟ ଆଞ୍ଚରେ ସୋରିଷ ତେଲରେ ରସୁଣଟାଏ ଫୁଟାଇ ନେଇ ଆସିଲା । ଫୁଲା ସ୍ଥାନରେ ଟିକିଏ ଲଗାଇ ଦେଇ ଆଉଁଷି ଦେଲା ।

ମନୋଜ ବୁଝି ପାରୁନଥିଲା ରାଗିଣୀକୁ ହେଇଛି କଣ? ଆଜି ମନ ପ୍ରାଣ ଦେଇ ପତିସେବା! ମନୋଜକୁ ଭଲ ଲାଗୁଥିଲା । ପାଦର ସବୁ ବ୍ୟଥା ଯେମିତି ରାଗିଣୀର ହାତ ଲାଗି ଭଲ ହୋଇ ଯାଉଛି । କହିଲା - ମୋ ଫୋନ୍ ପାଇଲ ତ?

- ଫୋନ୍? ରାଗିଣୀ ଆଶ୍ଚର୍ଯ୍ୟ ହେଲା ।

- କାହିଁ, ଚାରୁଲତା କିଛି କହିନାହିଁ କି?

- ନା ତ!

- ଆରେ, ମୁଁ ଘରକୁ ଯେଉଁ ସମୟରେ ଫୋନ୍ କଲି, ଚାରୁଲତା ଉଠାଇଥିଲା, କହିଲା ତମେ ବାଥ୍ ରୁମ୍ ରେ ଅଛ । ମୋ ମାଡ୍ରାସ୍ ଯିବା କଥା ତାହେଲେ ତମେ ଜାଣିନାହଁ?

- ମାଡ୍ରାସ୍!

- ହଁ, ଆଉ କୁହ ନାହିଁ । ମୁଁ ବାହାରିଲା ବେଳକୁ ତ ତମେ ଶୋଇ ରହିଥିଲ । ମୁଁ ସପ୍ କୁ ଗଲି । ସପ୍ ରୁ ସିଧା ରାତି ଗାଡ଼ିରେ ମାଡ୍ରାସ୍ ଗଲି । ପ୍ରୋଗ୍ରାମ୍ ଟା ଆକସ୍ମିକ ହେଲା । ମୁଁ ସୁଟ୍କେଶ୍ ଇତ୍ୟାଦି ସଜାଡ଼ି ନେଇଥିଲେ ବି ଯିବାର ହଣ୍ଡ୍ରେଡ୍ ପର୍ସେଣ୍ଟ୍ ସିଓରିଟି ନ ଥିଲା । ମାଡ୍ରାସ୍ ର ଗୋଟିଏ ପାର୍ଟି ଆମଠାରୁ ଦୁଇ ଲକ୍ଷ ଟଙ୍କାର ଚେକ୍ ପାଇଥିଲା ତିନି ମାସ ତଳେ । ମାଲ୍ ପଠାଇବାରେ କିନ୍ତୁ ଟାଳଟୁଳ କରୁଥିଲା । ବାଧ୍ୟ ହୋଇ ମତେ ଯିବାକୁ ହେଲା । ଭାବୁଥିଲି ଦଶ ଦିନ, ପନ୍ଦର ଦିନ ଯାହା ହେଲେ ମଧ୍ୟ ମାଡ୍ରାସରେ ରହି ମାଲ୍ ନେଇ ଆସିବି । କିନ୍ତୁ ଗଲା, ସବୁ ଫସର ଫାଟିଗଲା ।

- ଫସର ଫାଟିଗଲା ମାନେ?

- ପହଞ୍ଚିବାର ଦୁଇଦିନ ତଳେ ତାର ମା ମରିଯାଇଛି । ଅନେକ କିଛି ଭାବି ଯାଇଥିଲି ହେଲେ ତାକୁ ଜୋର୍ କରି କିଛି କହିପାରିଲି ନାହିଁ । ଲୋକଟା ମିଛ କହୁନଥିଲା । ତାର ପାଖଲୋକଙ୍କ ଠାରୁ ବୁଝିଲି ତାର ବିଜିନେସ୍ ଡାଉନ୍ ହୋଇଯାଇଛି । ମାଲ୍ ବି ଷ୍ଟକ୍ ନାହିଁ । କହିଲା, ମାଲ୍ ଆସିଲା କ୍ଷଣି ପ୍ରଥମେ ନିଶ୍ଚିତ ଭାବରେ ଆମକୁ ପଠାଇବ । ସେଠାରେ ରହି କଣ ଆଉ କରନ୍ତି, ଫେରି ଆସିଲି ।

ସଂପୂର୍ଣ୍ଣ ବିଷୟ ଜାଣି ସାରି ରାଗିଣୀ ପିଣ୍ଡରେ ଯେମିତି ପ୍ରାଣ ପଶିଲା । ମନଟା ତାର ଉଶ୍ୱାସ ହୋଇ ଯାଇଥିଲା । ମନୋଜ ପାଇଁ ଚା ଟିକିଏ ବସାଇବାକୁ ସେ ରୋଷେଇଶାଳକୁ ବାହାରିଗଲା । ଫେରିଲା ବେଳକୁ ଫୋନ୍ ରିଙ୍ଗ୍ ହେଉଛି । ଏଣେ ମନୋଜ ଟିଭି ଦେଖାରେ ମାତିଯାଇଛି । ଚା କପ୍ ଟିକୁ ମନୋଜ ହାତକୁ ବଢ଼ାଇ ଦେଇ ଫୋନ୍ ଉଠାଇଲା ।

ଆରପଟୁ ଚାରୁଲତା କହୁଥିଲା - ଏ ରାଗିଣୀ, ଗୋଟେ କଥା କହିବାକୁ ଭୁଲିଗଲି । ମନୋଜ ଫୋନ୍ କରିଥିଲା, ସେ କ’ଣ ମାଡ୍ରାସ ଯିବ । ଫେରୁ ଫେରୁ ଦଶ ପନ୍ଦର ଦିନ ଲାଗିପାରେ ।

- ଖୁବ୍ ଜଲ୍ଦି ଖବରଟା ଶୁଣାଇଲୁ । ନେ, ତାଙ୍କରି ସହ କଥା ହୁଅ ।

- ମାନେ, ସେ କଣ ଫେରିଲାଣି?

- ନୁହେଁ ଆଉ କଣ, ତୋତେ କେଉଁ ଦିନ କହିଥିଲେ ଆଉ ତୁ ମତେ କେବେ ଜଣାଉଛୁ?

- ଆଇ ଆମ୍ ସରି । ଏ ବାହାଘର ଚିନ୍ତାରେ ମୁଣ୍ଡଟା ସବୁ ଗୋଳମାଳ ହୋଇ ଯାଇଛି । ମନୋଜକୁ ଫୋନ୍ ଦେଲୁ । ମନୋଜ ଓ ଚାରୁଲତା କଣ ସବୁ କଥାବାର୍ତ୍ତା ହେଲେ ।

ମନୋଜର ଟେବୁଲ୍ ଉପରେ ଗୋଟିଏ ପ୍ଳେଟ୍ ରେ କିଛି ଚିନାବାଦାମ ଥୋଇଦେଇ ରାଗିଣୀ ରୋଷେଇ କାର୍ଯ୍ୟରେ ବ୍ୟସ୍ତ ହୋଇ ପଡ଼ିଲା ।

ରାତି ଦଶଟା ବାଜିଲାଣି । ଟିଭିର ଭଲ୍ୟୁମ କିଛି ବି କମି ନାହିଁ । ମନେ ମନେ ହସିଲା ରାଗିଣୀ । ରୋଷେଇ କାମ ସବୁ ଶେଷ କରି ମନୋଜ ପାଖକୁ ଆସିଲା । ଏ କଣ? ଚଟାଣ ସାରା ବିଛାଡ଼ି ହୋଇ ପଡ଼ିଛି ଚିନାବାଦାମ ଚୋପା ।

ରାଗିଣୀର ମଥା ଯେମିତି ଘୂରିଗଲା । ଚିଡ଼ି ଉଠି କହିଲା - ତମକୁ ଖାଲି ପ୍ଳେଟ୍ ଦେଇଛି କାହିଁକି? ଚୋପାତକ ସେଥିରେ ପକାଇଥିଲେ କଣ ଚଳିନଥାନ୍ତା, ଏମିତି ଘରସାରା ଫୋପାଡ଼ିବା କଣ ଦରକାର ଥିଲା? ଏସବୁ ପୁଣି ସଫା କରିବ କିଏ? ମୁଁ ଜାଣିଛି ପରା, ମୋତେ କଷ୍ଟ ନ ଦେଲେ ତମ ମନ ଶାନ୍ତି ହୁଏ ନାହିଁ । ମନୋଜ କିଛି ଶୁଣି ପାରୁନାହିଁ । ସେ ସମ୍ପୂର୍ଣ୍ଣ ଭାବରେ ମନ ନିବିଷ୍ଟ କରିଛି ଟିଭି ଦେଖାରେ । ରାଗିଣୀ ଧଡ୍କିନା ଟିଭି ସୁଇଚ୍ ଅଫ୍ କରିଦେଲା । ମନୋଜ ଏତେବେଳେ ବୁଝିପାରିଲା ଘଟଣା କଣ । ଝିମିଟି ଖେଳରୁ ମହାଭାରତ ଯୁଦ୍ଧ ସଂଘଟିତ ହେବାକୁ ଯାଉଛି । ମନେ ମନେ ଭାବୁଥିଲା ଆଉ କିଛି ଦିନ ସେ ମାଡ୍ରାସ୍ ରେ ରହି ଯାଇଥିଲେ କ୍ଷତି କଣ ହୋଇଥାନ୍ତା ।

ଟି.ଦୁର୍ଗା ପ୍ରସାଦ ରାଓ

ମନୋଜ କ୍ରିକେଟ୍ ରାଗିଣୀ

Rate the content


Originality
Flow
Language
Cover design

Comments

Post

Some text some message..