ଚେହେରା-:
ଚେହେରା-:
ପ୍ରତ୍ୟକଦିନ ପରି ଆଜି ବି ସେ ନିଶାରେ ଝୁମି ଝୁମି ଗଳି ରାସ୍ତାରେ ପାଦ ରଖିଲା । ରାସ୍ତା କଡରେ ଲାଗିଥିବା ସରକାରୀ ଆଲୁଅର ଝାପ୍ସା ଆଲୋକରେ ଝିଅଟିଏକୁ ଦେଖିବା ମାତ୍ରେ ତାର ପାଦ ଆପେ ଆପେ ଅଟକିଗଲା । ବୋଧେ ଝିଅଟି ନିଜକୁ ସରକାରୀ ଆଲୁଅରୁ ନିଜକୁ ଲୁଚାଇବା ପାଇଁ ଏକ ବତୀ ଖୁଣ୍ଟର କଣରେ ଜାକିଜୁକି ଚୁପଚାପ୍ ବସିଥାଏ।
ସେ ଝିଅଟି ପାଖକୁ ଯାଇ କିଛି ପଚାରିବା ପୂର୍ବରୁ, ଝିଅଟି ଦୂରକୁ ଚାହିଁ ଇଶାରା କଲା। ଦୁଇଜଣ ବଦମାସ୍ ପ୍ରକୃତିର ଯୁବକ କିଛି ଦୂରରେ ରହି ଝିଅର ପିଛା କରୁଥାନ୍ତି । ଦୁହିଁକ ମଧ୍ୟରୁ ସେ ଜଣକୁ ଚିହ୍ନିଥିଲା । ଯୁବକ ଦୁଇଜଣ ତାକୁ ଦେଖି ସେଠାରୁ ଦୌଡି ଅନ୍ୟତ୍ର ଚାଲିଗଲେ । ଝିଅଟି ଏବେ ବି ସାମାନ୍ୟ ଭୟଭୀତ ଓ ଅସୁରକ୍ଷିତ ମନେ କରୁଥାଏ ସେ ଅର୍ଦ୍ଧବୟସ୍କ ସାମନାରେ । ତାକୁ ସେ ବିଶ୍ବାସ କରି ପାରିବ କି ନାହିଁ ନିଶ୍ଚିନ୍ତ ହୋଇ ପାରୁନଥିଲା ।
ଏତେ ରାତିରେ ଏଠାରେ କାହିଁକି ?
ମୁଁ ଅନାଥ ଆଶ୍ରମରୁ ଲୁଚି ପଳାଇ ଆସିଛି । ସେମାନେ ଆଜି ରାତିରେ ମୋତେ କେଉଁଠିକୁ ପଠାଇବାର ଯୋଯନା କରିଥିଲେ । ଭୟରେ ଥରି ଥରି ସେ ନମ୍ର କଣ୍ଠରେ କହୁଥାଏ।
ଏବେ କୁଆଡେ ଯିବ ?
"ଜାଣିନାହିଁ'!
ମୋ ସହିତ ଘରକୁ ଯିବ କି ?
"..............' !
ଶେଷଥର ପାଇଁ ପଚାରୁଛି ମୋ ସହିତ ସବୁଦିନ ପାଇଁ ଯିବ କି ?
"ହଁ' ! ଆଖିରୁ ଦୁଇ ଧାର ଲୁହ ଗଡି ଆସିଲା, ମହରଗରୁ ଆସି କାନ୍ତାରରେ ପଡିଲା ପରି ଲାଗୁଥାଏ ।
ସେ ଝିଅର ହାତକୁ ତାର ମଜବୁତ୍ ହାତରେ କଠିନ ଭାବେ ଭିଡି ଧରିଲା ଓ ଘୋଷାରି ନେବା ପରି ଢଙ୍ଗରେ ଶିଘ୍ର ଶିଘ୍ର ଆଗକୁ ବଢି ଗଳିର ଘନ ଅନ୍ଧକାର ରାସ୍ତା ଭିତରେ ଆଖି ପିଛୁଳାକେ ହଜିଯାଏ।
ମଦ ନିଶା ଗାୟବ । ମନରେ ଏକ ନୂଆ ନିଶା ବସା ବାନ୍ଧି ସାରିଥାଏ । ଚାଳଘର ସାମନାରେ ପହଞ୍ଚିବା ମାତ୍ରେ କବାଟ ଆପେ ଆପେ ଖୋଲି ଯାଏ ଓ ଝିଅଟି ନିଜ ଭାଗ୍ୟକୁ ଦୋଷ ଦେଉଥାଏ ।
ସେ ଝିଅକୁ ଟାଣି ଘର ଭିତରକୁ ଠେଲି ଦେଲା । ଜଣେ ମହିଳା ଚଟାଣରେ ଶୋଇଥିଲେ ଓ ଅର୍ଦ୍ଧବୟସ୍କଙ୍କ ପାଦ ଶବ୍ଦରେ ଉଠି ଝିଅକୁ ଚାହିଁଲେ ।
ଆରେ ଏମିତି କଣ ଚାହିଁଛ ? ଝିଅଟିଏ ଆଣିଛି ତୁମ ପାଇଁ । ଆଜି ଠାରୁ ତୁମକୁ କେହି ଆଉ ବାଞ୍ଝ କହିବେ ନାହିଁ । ମୋତେ ବି ବାପା ଡାକ ମିଳିଯିବ । ପିଲା ଛୁଆ ନଥିବାରୁ ଦୁଃଖରେ ଯେଉଁ ବିଷ ଗୁଡାକ ପିଉଥିଲି, ସେସବୁ ଏବେ ଠାରୁ ଛାଡିଦେଲି । ତୁମ ସୁନା ଝିଅକୁ ଏବେ ସମ୍ଭାଳ ।