Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପରୀ
ପରୀ
★★★★★

© Minakshi Devi

Thriller

16 Minutes   13.9K    16


Content Ranking

ପରୀ

 

ମୀନାକ୍ଷୀ ଦେବୀ

 

ନିରୀହା ନାରୀଟିଏ ହାଲିଆ ହୋଇ ଶୋଇଲା ପରି ସେ ଟେବୁଲ୍ ତଳେ କଣିକିଆ ହୋଇ ଶୋଇଛି । ନିଦରେ ଶୋଇନି । ଜୁଳୁଜୁଳୁ କରି ଚାହୁଁଛି ଚାରିଆଡ଼କୁ । ସୁହାସିନୀ ତା’ ମୁହଁକୁ ନିରେଖି ଚାହିଁଲେ । ସବୁବେଳେ ନାଲି ଦେଖାଯାଉଥିବା ତା’ ଆଖିର ତଳପତା ଆଜି କାହିଁକି ବେଶି ନାଲି ଦିଶୁଛି । ତାକୁ ଦେଖିଲେ ସୁହାସିନୀଙ୍କର ମନେହୁଏ ସେ ଯେମିତି ନିର୍ଯାତିତା ନାରୀଟିଏ, ଯାହା ଆଖିରୁ ଲୁହ ନୁହେଁ, ବରଂ ସବୁବେଳେ ଯନ୍ତ୍ରଣାର ରକ୍ତ ଝୁରୁଛି ।

ଦୁଇବର୍ଷ ତଳୁ ଏମିତି ଦେଖି ଆସୁଛନ୍ତି ସୁହାସିନୀ । ଦୁର୍ଗାପୂଜା ସମୟର କଥା । ‘ଫାଇଲିନ୍’ର ସମ୍ଭାବ୍ୟ ଭୟରେ ଅନ୍ୟମାନଙ୍କ ପରି ସେ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ । ବାହାରେ ଝଡ଼ର କରାଳ ତାଣ୍ଡବ । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏ ସୁନ୍ଦର ପୃଥିବୀ ଯେ ଏତେ ଭୟଙ୍କର ହୋଇପାରେ, ଜୀବନରେ ଦ୍ୱିତୀୟଥର ପାଇଁ ଅନୁଭବ କଲେ ସୁହାସିନୀ । ପ୍ରଥମଥର ଦେଖିଥିଲେ ମହାବାତ୍ୟାବେଳେ । ମହାବାତ୍ୟାର ଦୁଃଖଦ ସ୍ମୃତି ଭୁଲି ନ ଥିବା ପ୍ରତ୍ୟେକଟି ମଣିଷ ଫାଇଲିନ୍ ପାଇଁ ବେଶ୍ ଭୟଭୀତ, ବେଶ୍ ସଚେତନ ଥିଲେ ।

ସୁହାସିନୀ ମଧ୍ୟ ସନ୍ଧ୍ୟାବେଳୁ କବାଟ, ଝରକା ବନ୍ଦ କରିଦେଇଥିଲେ । ଘରେ ସମସ୍ତେ ଶୋଇଯାଇଥିଲେ ବି ସୁହାସିନୀ ଶୋଇ ପାରୁ ନ ଥିଲେ । ମନରେ ଅନେକ ଆଶଙ୍କା । ଘର ସାମ୍ନା ବଗିଚାରେ ଦି’ଟା ନଡ଼ିଆଗଛ, ଗୋଟେ ଶାଗୁଆନ ଗଛ । ଯଦି ଭାଙ୍ଗିବ, ଘର ଉପରେ ନିଶ୍ଚୟ ପଡ଼ିବ । ପଡ଼ିଶାଘର ପଟର ପାଚେରି ବି ଭଲ ଅବସ୍ଥାରେ ନାହିଁ । କେତେବେଳେ ଭାଙ୍ଗିବ, ଠିକ୍ ନାହିଁ । ବାହାରକୁ ବାହାରିବାର ଉପାୟ ନାହିଁ । ଝରକା ବି ଖୋଲି ହେଉନି ।

ଡ୍ରଇଂରୁମ୍-ରେ ବସି ସୁହାସିନୀ ପ୍ରକୃତିର ରୁଦ୍ର ରୂପକୁ ଅନୁଭବ କରୁଥିଲେ । ପବନର ସୁଉସୁଉ ଗର୍ଜନ ସହିତ ଗଛପତ୍ର ଭାଙ୍ଗିବାର ଶବ୍ଦ ଶୁଭୁଥିଲା । ପାଣିର ଧାର ସବୁ ଗଡ଼ାଣିଆ ଜାଗାକୁ ଗଡ଼ିଗଲା ପରି ସୁହାସିନୀଙ୍କ ମନକୁ ଏଣୁତେଣୁ ଭାବନା ସବୁ ପଶି ଆସୁଥିଲା । ଏ ଝଡ଼ ବର୍ଷାରେ କିଏ, କେଉଁଠି କେଉଁ ଅବସ୍ଥାରେ ଥିବେ, ଏ ଚିନ୍ତା ତାଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା । ସୁହାସିନୀ ମନେମନେ ଠାକୁରଙ୍କୁ ଡାକୁଥିଲେ, ସମସ୍ତେ ଭଲରେ ଥାଆନ୍ତୁ ପ୍ରଭୁ... ।

ଝଡ଼ ଆସିବା ସଙ୍ଗେସଙ୍ଗେ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଦ୍ୟୁତ୍ ସଂଯୋଗ କାଟିଦିଆଯାଇଛି । ପବନ ବନ୍ଦ ହୋଇଗଲେ ପୁଣି ଲାଇନ୍ ଆସିଯିବ । କିନ୍ତୁ ଯଦି ଗଛ ପଡ଼ି ତାର ଛିଣ୍ଡିଥିବ, ତେବେ ଲାଇନ୍ ଆସିବା ନିଶ୍ଚୟ ଡେରି ହେବ । ରାତିସାରା ଅନ୍ଧାରରେ ବସିରହି ସକାଳକୁ ଅପେକ୍ଷା କରିଥିଲେ ସୁହାସିନୀ । କେତେବେଳେ ଛାଇନିଦ ଲାଗିଯାଇଛି । ଝଡ଼ର ପ୍ରକୋପ କମିଯାଇଛି । ପବନର ଗତି ସାମାନ୍ୟ ଥମିଛି । ହଠାତ୍ କବାଟର ଖଡ଼ଖଡ଼ ଶବ୍ଦରେ ସୁହାସିନୀଙ୍କର ନିଦ ଭାଙ୍ଗିଗଲା । କିଏ କବାଟ ବାଡ଼ଉଛି ? ପବନରେ କବାଟ ହଲୁନି ତ ! ସୁହାସିନୀ କାନ ଡେରିଲେ । ନା... ପବନ କମିଗଲାଣି । ଏ ପବନର ଆଘାତ ନୁହେଁ । କିଏ ଆସ୍ତେ ଆସ୍ତେ କବାଟରେ ଆଘାତ କରୁଛି । ଭୟରେ ସୁହାସିନୀଙ୍କ ଦେହ ଥରିଗଲା । ଏ ଝଡ଼ରାତିରେ କିଏ କବାଟ ବାଡ଼ଉଛି ? ଚୋର ଡକାୟତ ନୁହେଁ ତ ? କବାଟ ଖୋଲିଦେଲେ ବନ୍ଧୁକ ଦେଖାଇ ସବୁ ଲୁଟିନେବେ ।

କିଏ ? କିଏ ? ସାହସ ସଞ୍ଚୟ କରି ସୁହାସିନୀ ବଡ଼ପାଟିରେ ପଚାରିଲେ । ସେପଟରୁ ପ୍ରତ୍ୟୁତ୍ତରରେ ଶୁଭିଲା, ମିଆଁଉଁ...ମିଆଁଉଁ... । ଏ ଝଡ଼ରାତିରେ ବିରାଡ଼ି କୋଉଠୁ ଆସିଲା ? ଭୂତପ୍ରେତ ନୁହେଁ ତ... ଜେଜେମା’ କହୁଥିଲା, ଭୂତପ୍ରେତମାନେ କୁଆଡ଼େ ସବୁପ୍ରକାର ରୂପ ଧରିପାରନ୍ତି, ସବୁପ୍ରକାର ସ୍ୱର ବାହାର କରିପାରନ୍ତି । ପୁଣି ଶୁଭିଲା ମିଆଁଉଁ... ।

ମନକୁମନ ହସିଲେ ସୁହାସିନୀ । ଏ ବୟସରେ ପୁଣି ଭୂତପ୍ରେତକୁ ଡରୁଛନ୍ତି ! ଭୂତପ୍ରେତ କ’ଣ ସତରେ ଅଛନ୍ତି ?

ସୁହାସିନୀ ଆସ୍ତେ କବାଟ ଖୋଲିଲେ । ପୂରା ଓଦା ସରସର ହୋଇ ଧଳା ବିରାଡ଼ିଟେ ଘର ଭିତରକୁ ପଶିଆସିଲା ଘରର ସଦସ୍ୟଟିଏ ପରି । ସୁହାସିନୀ କ’ଣ କରିବେ ଜାଣିପାରିଲେନି । ସୁରକ୍ଷିତ ଜାଗା ମନେକରି ଡାଇନିଂ ଟେବୁଲ୍ ତଳେ ନିଧଡ଼କ ବସିଗଲା । ଚାଟିଚୁଟି ହୋଇ ଦେହକୁ ଶୁଖେଇଲା ।

ସେଇଦିନଠାରୁ ସେ ହେଲା ଘରର ସଦସ୍ୟ । ସୁନ୍ଦରୀଟେ । ତୋଫା ଧଳା ଦେହରେ କଳା ଛଉ ତିନି-ଚାରିଟା । ବିରାଡ଼ିମାନଙ୍କ ଆଖି ପରି ତା’ ଆଖି ଗୋଲ୍ ନୁହେଁ, ସାମାନ୍ୟ ଲମ୍ବା । ଚାଟିଚୁଟି ହୋଇ ସେଇ ଟେବୁଲ ତଳେ ଶୋଇପଡ଼ିଛି ବିରାଡିଟା । ସୁହାସିନୀଙ୍କୁ ଜୋର୍-ରେ ନିଦ ଲାଗୁଛି । ବିରାଡିଟା ଆଶ୍ରୟ ନେଇଛି । ତାକୁ ଏ ବର୍ଷାରାତିରେ କେମିତି ବାହାର କରିବେ ? ସକାଳ ହେଲେ ଯାହା ଚିନ୍ତା କରିବେ ଭାବି ଗଭୀର ନିଦରେ ଶୋଇଗଲେ ସୁହାସିନୀ ।

ସକାଳେ ଝଡ଼ତୋଫାନ ଛାଡ଼ିଯାଇଥିଲା । ପିଲାମାନେ ଉଠି ଧ୍ୱଂସ୍ତବିଧ୍ୱଂସ୍ତ ପୃଥିବୀକୁ ଦେଖୁଥିଲେ । ବଗିଚାସାରା ପିଜୁଳି ଆଉ କାଠଚମ୍ପାର ଡାଳସବୁ ଭାଙ୍ଗିପଡ଼ିଥିଲା । ଘରପାଖ ରାସ୍ତାରେ ବାହାରୁ ଉଡ଼ିଆସିଥିବା ଅଳିଆସବୁ ଗଦା ହୋଇ ପଡ଼ିଥିଲା । ସୁହାସିନୀ ଉଠିଲାବେଳକୁ ଡାଇନିଂ ଟେବୁଲ୍ ତଳୁ ଉଠି ବିରାଡିଟା ମିଆଁଉଁ ମିଆଁଉଁ ଡାକି ଘରସାରା ବୁଲୁଛି । ଯେମିତି ଏ ଘର ତା’ର ବହୁତ ଆଗରୁ ଜଣାଶୁଣା ।

‘‘ବିରାଡ଼ି ଘରେ ପଶିଯାଇଛି...ବାହାର କର... ।”  ପିଲାମାନଙ୍କର ସମ୍ମିଳିତ କଣ୍ଠସ୍ୱର ।

ସୁହାସିନୀଙ୍କ ଉଦ୍ଦେଶ୍ୟରେ ପିଲାମାନେ କହୁଥିଲେ । ଘରେ ଯାହା ସୁବିଧା ଅସୁବିଧା, ସବୁ ବୁଝିବା ଦାୟିତ୍ୱ ଯେମିତି ସୁହାସିନୀଙ୍କର । ଏଡ଼େ ବଡ଼ ବଡ଼ ହେଲେଣି । ବିରାଡିଟିକୁ ବାହାର କରିପାରୁ ନାହାନ୍ତି... ମା’କୁ ଡାକୁଛନ୍ତି... ସୁହାସିନୀ ମନେମନେ ବିରକ୍ତ ହୋଇ ବଡ଼ପୁଅ  ଉଦ୍ଦେଶ୍ୟରେ କହିଲେ, ‘‘ବାଡ଼ିଟେ ଆଣି ତାକୁ ବାହାର କରିଦଉନ... ।’’ ବଡ଼ପୁଅ ବାଡ଼ି ଆଣି ତାକୁ ବାଡ଼େଇବା ଆଗରୁ ବିରାଡିଟା ଦଉଡ଼ି ଆସିଲା ସୁହାସିନୀଙ୍କ ଗୋଡ଼ପାଖକୁ । ମିଆଁଉଁ ମିଆଁଉଁ ହୋଇ ସୁହାସିନୀଙ୍କ ଗୋଡ଼ରେ ଘଷିହେଲା ଛୋଟ ପିଲାଟିଏ ପରି ।

ବିରାଡିଟା ଆଶ୍ରୟ ଖୋଜୁଛି । ସୁହାସିନୀ ପୁଅକୁ କହିଲେ, “ନା...ନା... ତାକୁ ମାରନା । ଝଡ଼ବେଳେ ଆସି ଆଶ୍ରୟ ନେଇଛି । ତାକୁ ବାହାର କରନା... ପାପ ହେବ । ସେ ଥାଉ... ବାହାରେ ଗଣ୍ଡେ ଖାଇବାକୁ ଦେଲେ ସେ ବାହାରେ ପଡ଼ିଥିବ ।”

ସେଇଦିନଠାରୁ ସେ ସୁହାସିନୀଙ୍କ ଘରେ ରହିଛି । ଆସିଲାବେଳେ ତିନି-ଚାରି ମାସର ହେଇଥିଲା । ଏଇ ଦି’ବର୍ଷ ଭିତରେ କେଡ଼େବଡ଼ଟେ ହେଇଗଲାଣି । ସେତେବେଳେ ସିନେମାରେ ‘ମୁନ୍ନି’ ନାଁର ପ୍ରବଳ କାଟତି । ପିଲାମାନେ ତା’ ନାଁ ଦେଲେ ‘ମୁନ୍ନି’ ।

ଅଳ୍ପ କେତେଦିନ ଭିତରେ ମୁନ୍ନି ସମସ୍ତଙ୍କର ପ୍ରିୟ ହୋଇଯାଇଥିଲା । ଘରର ସଦସ୍ୟମାନଙ୍କ ପରି ତାକୁ ଠିକ୍ ସମୟରେ ଖାଇବାକୁ ଦିଆଯାଉଥିଲା । କିନ୍ତୁ ତା’ ପାଇଁ ବାହାରେ ତା’ ଖାଇବା ଗିନା ରଖାଯାଉଥିଲା । ତାକୁ ଘରେ ପଶିବାକୁ ଦିଆଯାଉ ନ ଥିଲା । ସମସ୍ତେ ତାକୁ ଭଲ ପାଉଥିଲେ, ଆଦର କରୁଥିଲେ । କିନ୍ତୁ ଘରେ ସମସ୍ତଙ୍କର ଗୋଟେ ଭୟ ଥିଲା, ଘରେ ବୁଲିଲେ ତା’ ରୁମ ଉଡ଼ି ଏଣେତେଣେ ପଡ଼ିବ । ଖାଇବା ଜିନିଷରେ ପଡ଼ିବା ଭାରି ମାରାତ୍ମକ । ମୁନ୍ନି ବାହାରେ ଖାଉଥିଲା, ବାହାର ବାରଣ୍ଡାରେ ଶୋଉଥିଲା ।

ମୁନ୍ନି କ୍ରମଶଃ ବଡ଼ ହେଉଥିଲା । ତା’ ଦେହ ଅଲଗା ଦିଶୁଛି । ମୁନ୍ନି ମା’ ହେବ । ତା’ ପେଟ ଫୁଲିଲା ଫୁଲିଲା ଦିଶୁଛି । ମୁନ୍ନି ଆଉ ଆଗପରି ଚଞ୍ଚଳ ହୋଇ ଦୌଡ଼ାଦୌଡ଼ି କରୁନି । ମାନ୍ଦା ହେଇ ଶୋଇରହୁଛି । ସୁହାସିନୀ ପ୍ରମାଦ ଗଣିଲେ । ସହଜେ ତ ମୁନ୍ନିକି ନେଇ ଘରେ ନାନା ଅସୁବିଧା, ନାନା ଅଶାନ୍ତି । ଯେତେ କବାଟ ବନ୍ଦ କଲେ ବି କେତେବେଳେ ଆସି ଖପିଯାଇଥିବ । ବେଳେବେଳେ ଘରେ ବାନ୍ତି କି ଝାଡ଼ା କରିଦେଇଥିବ । ତାକୁ ସଫା କରିବା ଦାୟିତ୍ୱ ସୁହାସିନୀଙ୍କର ।

ମୁନ୍ନିର ପୁଣି ପିଲା ହେବ । ବିରାଡ଼ିମାନଙ୍କର କୁଆଡ଼େ ଏକାଥରକେ ଦି’ତିନିଟା ପିଲା ହୁଅନ୍ତି । ଛୋଟ ବିରାଡ଼ିଗୁଡ଼ାକ ଘରସାରା ଖେଳିବୁଲିବେ । ଘରକୁ ଆହୁରି ଅପରିଷ୍କାର କରିବେ ।

‘‘ଯା...ଯା... ବାହାର ଏଠୁ... ପଳା ମୋ ଘରୁ... ୟାକୁ ଆଶ୍ରୟ ଦେଲି... ୟେ ମତେ ଓଲଟା ଫଳ ଦେବ... ଆହୁରି ହିନସ୍ତା କରିବ ।’’

ସୁହାସିନୀ ବାଡ଼ିଟେ ଧରି ମୁନ୍ନିକୁ ଘରୁ ବାହାର କରିବାକୁ ଚେଷ୍ଟା କରୁଥିଲେ । ମୁନ୍ନି କିନ୍ତୁ ଯାଉ ନ ଥିଲା । ସେଇ ଟେବୁଲ୍ ତଳେ ଶୋଇ ସୁହାସିନୀଙ୍କୁ ଏକଲୟରେ ଚାହିଁଥିଲା.. । ସତେ ଯେମିତି ସେ ପଚାରିବାକୁ ଚେଷ୍ଟା କରୁଥିଲା... “ମୋର ଦୋଷ କ’ଣ ?” ସୁହାସିନୀ ବିରକ୍ତ ହୋଇ ଆହୁରି ଜୋର୍-ରେ ପାଟି କଲେ... “ଯା... ପଳା ମୋ’ ଘରୁ...ଆଉ ଦିନେ ଆସିବୁନି... ।”

ସୁହାସିନୀ ଯେମିତି ନିଜ ଭିତରେ ନ ଥିଲେ । ନିଜ ସ୍ୱରରେ ନିଜେ ଚମକିପଡ଼ିଲେ । କେମିତି ଭୟଙ୍କର ଶୁଭୁଛି ତାଙ୍କ ସ୍ୱର... ! ଯା... ଯା... ବାହାର ମୋ’ ଘରୁ... କିଏ କାହାକୁ କହୁଛି... ସୁହାସିନୀ ନା ସୁମତି ଖୁଡ଼ୀ ? ସୁହାସିନୀଙ୍କ ଅନ୍ତର ଭିତର ଯେମିତି ଥରିଯାଉଥିଲା । କିଏ ଶୋଇଛି ଟେବୁଲ୍ ତଳେ ? ମୁନ୍ନି ନା ଗୀତା ମାଉସୀ ?

ଦିନେ ଗୀତା ମାଉସୀ ଏମିତି ଶୋଇଥିଲା ବାଟିପଟ କଣଘରେ । ମଲା ମଣିଷଟେ ପରି ମୁହଁ ମାଡ଼ି ପଡ଼ିଥିଲା । ଆଉ ସୁମତି ଖୁଡ଼ୀ ଚିତ୍କାର କରୁଥିଲେ... “ବାହାର ମୋ’ ଘରୁ । ଦୁଧ ଦେଇ ନାଗସାପ ପୋଷିଥିଲି । ଶେଷରେ ମତେ ଦଂଶିଲା ।” ଖୁଡ଼ୀଙ୍କ ପାଟି ବେଳକୁବେଳ ବଢ଼ୁଥାଏ । ବାପା, କକେଇ ଘରେ ନ ଥାନ୍ତି । ଜେଜେମା’, ବୋଉ ଆଉ ଘରର ସବୁ ପିଲା ଜମା ହୋଇଥାନ୍ତି । ଜେଜେମା’ ପିଲାମାନଙ୍କୁ ପାଟି କରୁଥାଏ, “ତୁମେସବୁ ଏଥିରୁ କ’ଣ ବୁଝିବ ? ଖେଳିବ ଯାଅ... ।”

ରାତି ସେତେବେଳକୁ ଆଠଟା ବାଜିସାରିଥାଏ ବୋଲି ଜେଜେମା’ ଭୁଲିସାରିଥାଏ । ଘରେ ସମସ୍ତେ ଗୁମସୁମ୍ । ପିଲାମାନେ ଡରିଯାଇଥାନ୍ତି... କିନ୍ତୁ ଘଟଣା କ’ଣ ଜାଣିବାକୁ ଖୁଜୁବୁଜୁ ହେଉଥାନ୍ତି... ଜେଜେମା’ ପୁଣି ପାଟି କଲା... “ଯିବନା ସବୁ... ନା ମାଡ଼ ଖାଇବ ?”

ମାଡ଼ଭୟରେ ପିଲାମାନେ ପଢ଼ାଘରକୁ ଚାଲିଗଲେ । ସୁହାସିନୀ କିନ୍ତୁ ପାଖ ଘରକୁ ଯାଇ କାନ ଡେରିଥାନ୍ତି । ସେତେବେଳକୁ ତାଙ୍କୁ ବାର-ତେର ବର୍ଷ ବୟସ । ମନରେ ଅନେକ ପ୍ରଶ୍ନ... ଅନେକ ଉତ୍ସୁକତା । ସମସ୍ତଙ୍କ କଥା ତାଙ୍କୁ ଶୁଭୁଥାଏ । ଜେଜେମା’ ମଧ୍ୟ ଗାଳି ଦେଉଥାଏ ଗୀତା ମାଉସୀକୁ । ଯେମିତି ଗୀତା ମାଉସୀ ଏ ସଂସାରର ସବୁଠାରୁ ଖରାପ ଲୋକ । ଜେଜେମା’ ଗର୍ଜନ କରି କହୁଥାଏ... “ଏଡ଼ିକି ମଉନମୁହିଁ ! ଏତେ କାମ କରିଛି... ଏବେ ପାଟିରୁ ବଚନ ବାହାରୁନି... । କିଏ ଏ କାମ କରିଛି କହୁନି... ପୋତାମୁହିଁ ପାଟି ସିଲେଇ କରି ବସିଛି... ।”

ଗୀତା ମାଉସୀ କିଛି କହୁ ନ ଥାଏ । ସତେ ଯେମିତି ମୂକ ହେଇଯାଇଛି । ସୁହାସିନୀଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଏ । ଗୀତା ମାଉସୀ ତ ଏତେ ଭଲ... ତାକୁ ସମସ୍ତେ ଗାଳି ଦଉଛନ୍ତି କାହିଁକି ? ସୁହାସିନୀଙ୍କଠାରୁ ମାତ୍ର ଦୁଇ-ତିନି ବର୍ଷ ବଡ଼ ହେଲେ ବି ସେଇ ଛୋଟ ବୟସରୁ ଗୀତା ମାଉସୀ ଘରର ସବୁ କାମ କରୁଥିଲା । ସମସ୍ତଙ୍କ ଦାୟିତ୍ୱ ନେଉଥିଲା । ଗୀତା ମାଉସୀ ଆସିବା ଆଗରୁ ତାଙ୍କ ଘର ସବୁବେଳେ ଯେମିତି ରଣକ୍ଷେତ୍ର ପାଲଟୁଥିଲା । ଘରକାମକୁ ନେଇ ବୋଉ ଆଉ ସୁମତି ଖୁଡ଼ୀଙ୍କ ଭିତରେ ସବୁବେଳେ ଖିଟଖାଟ୍ ସାଙ୍ଗକୁ ଜେଜେମା’ର ଦୁଇ ବୋହୂଙ୍କୁ ଟିକିଏ ଟିକିଏ କଥାରେ ଗାଳି, ନିନ୍ଦା, ଆକ୍ଷେପ । ପିଲାମାନେ ବି ମନେମନେ ବିରକ୍ତ ହେଉଥାନ୍ତି ଘରର ପରିବେଶ ଯୋଗୁ । ସାଙ୍ଗସାଥୀମାନଙ୍କୁ ଘରକୁ ଡାକିବାକୁ ମାଡ଼ିପଡ଼ୁଥିଲା ।

ଏକାନ୍ନବର୍ତ୍ତୀ ପରିବାର । ଜେଜେମା’, ବାପା, କକେଇ, ବୋଉ, ଖୁଡ଼ୀ ଆଉ ସାତଜଣ ପିଲାଙ୍କ ସାଙ୍ଗରେ ହଳିଆ, ମୂଲିଆଙ୍କ ଜଞ୍ଜାଳ । ସକାଳୁ ପାଞ୍ଚ ସେରିଆ ହାଣ୍ଡି ଚୂଲୀରେ ବସେ । ଅମଳବେଳେ ତ ଛ’ ସାତ ଜଣ ମୂଲିଆ ଦି’ ଟାଇମ୍ ଖାଇବେ । ହାଣ୍ଡିଶାଳ କବାଟ ବନ୍ଦ ହୁଏନି କି ବୋଉ ଖୁଡ଼ୀଙ୍କ ହାତ ଶୁଖେନି । କାମ କରି କରି ଦି’ଜଣଯାକ ବିରକ୍ତ ହୋଇଯାଆନ୍ତି । ଟିକିଏ ଟିକିଏ କଥାରେ ପରସ୍ପରକୁ ଦୋଷ ଦିଅନ୍ତି । ଅଧେ ଦିନ ମୁହଁ ଫୁଲାଫୁଲି । ସ୍କୁଲ୍ ଦିନମାନଙ୍କରେ ପିଲାମାନେ ଠିକ୍ ସମୟରେ ଖାଇପାରନ୍ତିନି । ସୁହାସିନୀ ଦଶ ଏଗାର ବର୍ଷର ହେଇଥାନ୍ତି । ତାଙ୍କ ଉପରେ ଦୁଇଭାଇ ତଳେ ଗୋଟେ ଭାଇ । ସ୍କୁଲ୍ ଯିବା ଦିନ ବେଣୀ ବାନ୍ଧିବାକୁ ସୁହାସିନୀ ଭାରି ହଇରାଣ ହୁଅନ୍ତି । ବୋଉ କି ଖୁଡ଼ୀ, କାହାକୁ ବେଳ ନ ଥାଏ । କକେଇଙ୍କ ଝିଅ ଚୁନି ଆଉ ରୁନି ତା’ଠାରୁ ବହୁତ ଛୋଟ । ବେଣୀ ବାନ୍ଧିବା ସେମାନଙ୍କର ଦରକାର ପଡ଼େନି । ସୁହାସିନୀ ଯାଆନ୍ତି ପଡ଼ିଶାଘର କୁସୁମ ଅପା ପାଖକୁ । ଅଧିକାଂଶ ଦିନ କୁସୁମ ଅପା ତାଙ୍କ ବେଣୀ ବାନ୍ଧିଦିଏ ।

ସୁହାସିନୀଙ୍କ ସାଙ୍ଗରେ ତାଙ୍କର ବଡ଼ ଦୁଇଭାଇ ଆଉ ଦାଦାଙ୍କ ଦୁଇ ଝିଅ ସ୍କୁଲ୍ ଯାଆନ୍ତି । ଅଧିକାଂଶ ଦିନ ସ୍କୁଲ୍ ବେଳକୁ ଖାଲି ଭାତ, ଡାଲମା ହେଇଥାଏ; ନ ହେଲେ ଅତି ବେଶୀରେ ଆଳୁଭର୍ତ୍ତା । ଦି’ କିଲୋମିଟର ଦୂରରେ ସ୍କୁଲ୍ । ସ୍କୁଲରେ ପହଞ୍ଚିଲାବେଳକୁ ସବୁ ହଜମ ହେଇଯାଇଥାଏ । ଟିଫିନ୍ କରି ଦେବାକୁ ବି ବୋଉ, ଖୁଡ଼ୀଙ୍କ ସମୟ ନ ଥାଏ । ସେତେବେଳେ ସ୍କୁଲରେ ଖେଳଛୁଟି ବେଳେ ଖାଲି ଚିନାବାଦାମ୍ କି ଚଣା ଭଜା ବିକା ଆସେ । ଆଉସବୁ ପିଲା ଘରୁ ସୁଜି, ସିମେଇ, ପରଟା ଆଣି ଖାଇଲାବେଳେ ସୁହାସିନୀ ଟଙ୍କାକର ବାଦାମ ଭଜା ଖାଇବାକୁ ବାଧ୍ୟ ହେଉଥିଲେ । ଘରକୁ ଫେରୁଫେରୁ ପାଞ୍ଚଟା ବାଜିଥାଏ । ଭୋକରେ ପେଟ ଜଳୁଥାଏ । ପଖାଳ ଭାତ ସାଙ୍ଗକୁ ସକାଳର ଥଣ୍ଡା ତରକାରି । ଗରମ କରିବାକୁ ବୋଉ, ଖୁଡ଼ୀଙ୍କର ଧୈର୍ଯ୍ୟ ନ ଥାଏ ।

ଗୀତା ମାଉସୀ ଆସିଲା ଆଗରୁ ଏମିତି ଥିଲା ସୁହାସିନୀଙ୍କ ଘରର ପରିସ୍ଥିତି । ଦିନସାରା ହାଲିଆ ହେଇ ରହିଥିବା ବୋଉ, ଖୁଡ଼ୀ ସନ୍ଧ୍ୟା ସାତଟା ବେଳୁ ରାତି ରୋଷେଇ ସାରିଦିଅନ୍ତି । ଆଠଟା ବାଜୁବାଜୁ ସମସ୍ତଙ୍କୁ ଖାଇବାକୁ ଡକରା ପଡ଼େ । ସନ୍ଧ୍ୟାବେଳେ ଲଣ୍ଠନର ମିଞ୍ଜିମିଞ୍ଜି ଆଲୁଅରେ ପଢ଼ୁପଢ଼ୁ ସୁହାସିନୀ ଶୋଇପଡ଼ିଥାନ୍ତି । ଚୁନି ଆଉ ରୁନି ବି ତାଙ୍କ ପାଖରେ ଶୋଇପଡ଼ିଥାନ୍ତି । ବହିପତ୍ର ସବୁ ଖେଳେଇହେଇ ପଡ଼ିଥାଏ । ମିଟୁଭାଇ ଆଉ ବିଟୁଭାଇଙ୍କର ଅଲଗା ପଢ଼ାଘର । ସେମାନେ ଶୀଘ୍ର ଶୁଅନ୍ତିନି । କିନ୍ତୁ ପାଠବହି ଜାଗାରେ ଲୁଚେଇ ଲୁଚେଇ ଗପବହି ପଢ଼ୁଥାନ୍ତି । ମାଗାଜିନ୍-ରେ ବାହାରିଥିବା ଝିଅମାନଙ୍କର ଫଟୋ ଦେଖନ୍ତି । ମିଟୁଭାଇର ଦଶମ ଶ୍ରେଣୀ ଆଉ ବିଟୁଭାଇର ନବମ ଶ୍ରେଣୀ । ପାଠ ଅପେକ୍ଷା କ୍ରିକେଟ୍ ଖେଳରେ ଦି’ଜଣଙ୍କର ଭାରି ମନ । ଗାଁରେ ଗୋଟେ କ୍ରିକେଟ୍ ଟିମ୍ କରିଥାନ୍ତି । ରାତିରେ ଖାଇବା ପାଇଁ ଦି’ଜଣ ବିଭିନ୍ନ ଅଭିଯୋଗ ବାହାର କରନ୍ତି । “ବେଳ ହେଇନି... ଆଉ ଟିକେ ଯାଉ... ଆମର ପାଠପଢ଼ା ଅଛି...” ଏମିତି ନାନା ଆଳ । ବୋଉ କିନ୍ତୁ କାହା କଥା ଶୁଣେନି । ଜଣଜଣ କରି ସମସ୍ତଙ୍କୁ ଆଣି ଖାଇବା ଜାଗାରେ ବସେଇଦିଏ । ବାପା, କକେଇ ମଧ୍ୟ ପିଲାଙ୍କ ସାଙ୍ଗରେ ବସିଯାଆନ୍ତି । ରାତି ନ’ଟା ବେଳକୁ ସମସ୍ତେ ନିଜନିଜ ରୁମ୍-ରେ ।

ଗୀତା ମାଉସୀ ଆସିଲା ପରେ କିନ୍ତୁ ଘରର ଗତାନୁଗତିକ ଜୀବନଧାରା ବଦଳିଗଲା । ଖୁଡ଼ୀଙ୍କର ସାନପୁଅ ରାଜା ଜନ୍ମ ହେବାକୁ ଆଉ ଅଳ୍ପଦିନ ଥାଏ । ଖୁଡ଼ୀଙ୍କ ଦେହ ଭଲ ରହୁ ନ ଥାଏ । ବୋଉ ବି ଭାରି ବ୍ୟସ୍ତ ହେଉଥାଏ ଖୁଡ଼ୀଙ୍କ ପାଇଁ । ଏଡ଼େବଡ଼ ପରିବାର କେମିତି ଚଳେଇବ ବୋଲି ଚିନ୍ତା କରୁଥାଏ । ତା’ ସାଙ୍ଗକୁ ପୁଣି ଡେଲିଭରି ଆଉ ଛୋଟପିଲାର ଜଞ୍ଜାଳ । ବାପା, କକେଇ ମଧ୍ୟ ଚିନ୍ତାରେ ଥାଆନ୍ତି । ଏଇ ସମୟରେ ଗୀତା ମାଉସୀକୁ ସାଙ୍ଗରେ ଧରି ଖୁଡ଼ୀଙ୍କର ବୋଉ ରାଧା ଆଈ ଆସି ପହଞ୍ଚିଲେ । ସୁହାସିନୀଙ୍କର ନିଜ ଆଈ ନାହାନ୍ତି । ତେଣୁ ସୁହାସିନୀ ରାଧା ଆଈଙ୍କୁ ଭାରି ଭଲପାଆନ୍ତି । ସବୁପିଲାଙ୍କର ସେ ଅତି ପ୍ରିୟ । ପିଲାମାନେ ତାଙ୍କୁ ଘେରିଗଲେ । କୁହୁକ ମୁଣିରୁ ଲୋଭନୀୟ ପଦାର୍ଥ ବାହାରିଲା ପରି ଆଈଙ୍କ ବ୍ୟାଗ୍-ରୁ ରାଶିଲଡ଼ୁଠାରୁ ଆରିଷା ପିଠା ପର୍ଯ୍ୟନ୍ତ କେତେକେତେ ଜିନିଷ ବାହାରୁଥାଏ । ସମସ୍ତେ ଖାଇବାରେ ବ୍ୟସ୍ତ । ପାଖରେ ରଙ୍ଗଛଡ଼ା ଫ୍ରକ୍-ଟେ ପିନ୍ଧି ଗୀତା ମାଉସୀ ଠିଆ ହୋଇଥାଏ । କାହାର ସେଆଡ଼କୁ ନଜର ନାହିଁ । ଯେ ଯାହାର ଭାଗ ପାଇଗଲା ପରେ ସମସ୍ତଙ୍କ ନଜର ଗୀତା ମାଉସୀ ଆଡ଼କୁ ପଡ଼ିଲା । ପିଲାମାନେ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁଥାନ୍ତି । ବୋଉ ଆଉ ଖୁଡ଼ୀଙ୍କ ଆଖିରେ ଅନେକ ପ୍ରଶ୍ନ । ଆଈ ପରିଚୟ କରେଇଦେଲେ । ଖୁଡ଼ୀଙ୍କୁ ଲକ୍ଷ୍ୟ କରି କହିଲେ, “ଚିହ୍ନିପାରୁନୁ ଗୀତାକୁ ? ତା’ ବୋଉ କଥା ମନେଅଛି ? ରଞ୍ଜୁ ମାଉସୀ... ବାଟିପଡ଼ା ଅଜାଙ୍କ ଝିଅ । ରଞ୍ଜୁ ମାଉସୀ ସାଙ୍ଗରେ ଖେଳୁଥିଲୁ । ତା’ରି ଝିଅ ଗୀତା । ବିଚାରୀ ରଞ୍ଜୁ ଅଳ୍ପ ବୟସରେ ଚାଲିଗଲା । ଗୀତା ସେତେବେଳକୁ ମୋଟେ ଚାରିବର୍ଷର । ଦି’ବର୍ଷ ପରେ ରଞ୍ଜୁର ସ୍ୱାମୀ ବି ସାପକାମୁଡ଼ାରେ ମରିଗଲେ । ସେଇଦିନୁ ଅନାଥ ଝିଅଟା ଦଦେଇ, ଦେଠେଇଙ୍କ ପାଖରେ ରହିଥିଲା । ସେମାନେ ବି ଗରିବ ଲୋକ । କେତେଦିନ ପର ଝିଅର ଦାୟିତ୍ୱ ନେବେ ? ଆଶ୍ରମରେ ରଖିଦେବେ ବୋଲି ଠିକ୍ କରୁଥିଲେ । ଯୋଗକୁ ମୁଁ ଖବର ପାଇଲି । ଭାବିଲି ଏଇଠି ରହିଲେ ତା’ର ଖାଇବା ପିନ୍ଧିବାରେ ଅଭାବ ରହିବନି । ତୁମର ସହାୟ ହବ । ସବୁ କାମ ଜାଣିଛି । ବାର-ତେର ବର୍ଷ ବୟସ । ତା’ ଦଦେଇଙ୍କ ଘରଟାକୁ ପୂରା ସମ୍ଭାଳିଥିଲା ।” ବୋଉ ଆଉ ଖୁଡ଼ୀ ଆଗ୍ରହରେ ଚାହିଁଥାନ୍ତି । ଆଈ ଯେମିତି ସେମାନଙ୍କ ମନକଥା ଜାଣି ଗୀତା ମାଉସୀକି ନେଇଆସିଛନ୍ତି । ସେମାନଙ୍କ ମୁହଁ ଉଜ୍ଜ୍ୱଳ ଦିଶୁଥାଏ ।

ଆଈ ପୁଣି ବୋଉକୁ କହିଲେ, “ବୁଝିଲୁ ଝିଅ, ତୁମମାନଙ୍କୁ ପଚାରିନି, ଦି’ ଜୋଇଁଙ୍କର ଅନୁମତି ନେଇନି । ତାକୁ ନେଇଆସିଲି । ସୁମିର ଡେଲିଭରି ଆଉ କେତେଟା ଦିନରେ । ମୁଁ ତ ରହିପାରିବିନି । ଏକୁଟିଆ ଲୋକ... ସେ ସବୁ ଚଳେଇଦବ । ତୁମେ ତା’ର ଆଶ୍ରା... ସେ ତୁମର ଆଶ୍ରା... ।”

ଆଈ, ବୋଉ ଓ ଖୁଡ଼ୀଙ୍କି କେତେକଥା ବୁଝାଉଥାନ୍ତି । ଗୀତା ମାଉସୀକି ପ୍ରଶଂସା କରୁଥାନ୍ତି । ତାକୁ ଝିଅ ପରି ଦାୟିତ୍ୱରେ ରଖିବାକୁ ବୋଉ, ଖୁଡ଼ୀଙ୍କ ପାଖରେ ନିଊନ ହେଇ କହୁଥାନ୍ତି । ଗୀତା ମାଉସୀ ବିଷୟରେ ସବୁ ଶୁଣିଲାପରେ ସୁହାସିନୀଙ୍କୁ ବି ଦୁଃଖ ଲାଗୁଥାଏ । ତାଙ୍କଠୁ ଦୁଇ-ତିନି ବର୍ଷ ବଡ଼ ଗୀତା ମାଉସୀ... ସେ ପୁଣି ଘର ସମ୍ଭାଳୁଛି... ତା’ର ବାପା-ମା’ ନାହାନ୍ତି ବୋଲି ସମସ୍ତେ ତାକୁ କାମ କରଉଛନ୍ତି । ତାଙ୍କ ଘରେ ବି ଗୀତା ମାଉସୀ ଘର ଓଳେଇବ, ବାସନ ମାଜିବ । ଏସବୁ କଥା ଭାବିଲାବେଳକୁ ସୁହାସିନୀଙ୍କର ଟିକି ମନଟା ଦୁଃଖରେ ଭରିଯାଉଥାଏ । ଆଈ ଗୀତା ମାଉସୀ କଥା କହିଲାବେଳେ ଗୀତା ମାଉସୀ ତା’ ଫ୍ରକ୍-ରେ ଆଖି ପୋଛୁଥାଏ । ମିଟୁଭାଇ ଟିକିଏ ବଡ଼ ହେଇଯାଇଥାଏ । ସେ ଦୂରରେ ଠିଆ ହେଇଥାଏ । ଲିଟୁଭାଇ, ବିଟୁ, ଚୁନି, ରୁନି ସମସ୍ତେ ଗୀତା ମାଉସୀକି ଘେରି ଠିଆ ହେଇଥାନ୍ତି । “ତୁମେ କେତେ ପାଠ ପଢ଼ିଛ... ଆଉ କାହିଁକି ପଢ଼ିଲନି... ତୁମ ଗାଁ ନାଁ କ’ଣ...? ଏଠୁ କେତେ ଦୂର...” ଏମିତି କେତେ କଥା ପଚାରୁଥାନ୍ତି । ସେମାନଙ୍କୁ ମଜା ଲାଗୁଥାଏ... ଘରକୁ ଜଣେ ନୂଆ ସଦସ୍ୟ ଆସିଛି... ସେମାନଙ୍କୁ କଉଡ଼ି, ଲୁଡ଼ୁ ଖେଳିବା ପାଇଁ ଗୋଟେ ନୂଆ ସାଙ୍ଗ ମିଳିଯାଇଛି... ।

ସେଇ ପ୍ରଥମ ପରିଚୟ ପରେ ଗୀତା ମାଉସୀ ପରିବାରର ସମସ୍ତଙ୍କର ଆପଣାର ହେଇଯାଇଥିଲା । ବାପା କକେଇଙ୍କଠାରୁ ଆରମ୍ଭ କରି ଘରର ଛୋଟବଡ଼ ସମସ୍ତଙ୍କର ଲୁଗାପଟା ସେ ଏକୁଟିଆ ସଫା କରୁଥିଲା । ଘର ଓଳେଇବା, ବାସନମଜାଠାରୁ, ପରିବାକଟା ଓ ରୋଷେଇଘରର ଛୋଟବଡ଼ ସବୁ କାମ କରିଦେଉଥିଲା । ବିଶେଷ କରି ଘରର ସବୁ ପିଲାଙ୍କର ଦାୟିତ୍ୱ ସେ ଜଣେ ମା’ ପରି ତୁଲେଇଦେଉଥିଲା । ଛୋଟମାନଙ୍କୁ ଗାଧୋଇଦେବା, ଝିଅମାନଙ୍କର ମୁଣ୍ଡ କୁଣ୍ଡେଇଦେବା, ସ୍କୁଲ୍ ଯିବାବେଳେ ବ୍ୟାଗ୍ ସଜାଡ଼ିଦେବା, ପୁଣି ସମୟ ପାଇଲେ ସେମାନଙ୍କ ସାଙ୍ଗରେ ଖେଳିବା, ଏମିତି ସବୁ ପିଲାଙ୍କର ଛୋଟବଡ଼ କରି ସେ ସମସ୍ତଙ୍କର ଅତି ଆପଣାର ହେଇଗଲା । ସମସ୍ତଙ୍କ ଅପେକ୍ଷା ସୁହାସିନୀ କିନ୍ତୁ ଗୀତା ମାଉସୀର ଅତି ଆପଣାର ଥିଲେ । ପାଖାପାଖି ବୟସ ହେଇଥିବା ଯୋଗୁଁ ଯେତେ ନୁହେଁ, ଗୀତା ମାଉସୀ ପାଇଁ ତାଙ୍କର ସମେବଦନା ଯୋଗୁଁ ।

ଠାକୁରଘର ପାଖ ବଖରାଟା ଭାରି ଛୋଟ । ଏଣୁତେଣୁ ଆଳିମାଳିକା ଜିନିଷରେ ଭର୍ତ୍ତି ହେଇ ଗୋଦାମଘର ପରି ଲାଗେ । ସେଇ ରୁମ୍-ଟା ଗୀତା ମାଉସୀକୁ ଦିଆଗଲା । ଗୀତା ମାଉସୀ ତାକୁ ସଜାଡ଼ି ସୁଜୁଡ଼ି ବେଶ୍ କିଛି ଜାଗା ବାହାର କରିଦେଲା । ଗୋଟେ କନା ବ୍ୟାଗ୍-ରେ ଚାରି-ପାଞ୍ଚଟା ପୁରୁଣା ରଙ୍ଗଛଡ଼ା ଫ୍ରକ୍, ଗୋଟେ ପାନିଆ ଆଉ ଟିକିଲି, କ୍ଲିପ୍ ଥିଲା ତା’ର ସମ୍ପତ୍ତି । ଗୀତା ମାଉସୀ କାମ ସାରି ତା’ ନିଜ ବଖରାରେ ସପଟେ ପକେଇ ଟିକିଏ ଗଡ଼ିପଡ଼େ । ସୁହାସିନୀ ଯଦି ଘରେ ଥାଆନ୍ତି, ତେବେ ସେଇ ସମୟକୁ ଜଗିଥାନ୍ତି ଗୀତା ମାଉସୀ ପାଖରେ ଶୋଇପଡ଼ି ଗପ ଶୁଣିବାକୁ । ପିଲାବେଳୁ ବାପାମା’ଙ୍କୁ ହରେଇଥିବା ଗୀତା ମାଉସୀ କେଉଁ ଗପ ଅବା ଶୁଣିଥିଲା ଯେ କହିଥାନ୍ତା ! ତା’ର ଏଇ ବାର-ତେର ବର୍ଷର ଜୀବନ ତ ଥିଲା କେତୋଟି ବିୟୋଗାତ୍ମକ ନାଟକର ସମାହାର । ଗୀତା ମାଉସୀ କିନ୍ତୁ ନିଜ ଦୁଃଖର କାହାଣୀ କାହାକୁ କହୁ ନ ଥିଲା । ସୁହାସିନୀଙ୍କୁ ସେ କହୁଥିଲା ତାଙ୍କ ଗାଁର ମଜା ମଜା କଥା । ସ୍କୁଲରେ ପଢ଼ିଲାବେଳେ ତୋଟାରେ ବୁଲି କୋଳି ଖାଇବା କଥା କି ଦୋଳ ମେଳଣ ସମୟରେ ସାଙ୍ଗମାନଙ୍କ ସାଙ୍ଗରେ ବୁଲିବୁଲି ଚଣା ସାକର ଖାଇବା କଥା ।

ଏ ଭିତରେ ଦି’ବର୍ଷ ବିତିଯାଇଥିଲା । ଖୁଡ଼ୀଙ୍କର ସାନପୁଅ ରାଜାର ଜନ୍ମବେଳକୁ ଖୁଡ଼ୀ ଏତେ ଦୁର୍ବଳ ହେଇପଡ଼ିଥିଲେ ଯେ, ଅନେକ ଦିନ ପର୍ଯ୍ୟନ୍ତ ରୋଷେଇ କରିପାରି ନ ଥିଲେ । ସେ ସମୟରେ ଗୀତା ମାଉସୀ ଏମିତି ଭାବରେ ଚଳେଇ ନେଇଥିଲା ଯେ, କିଛି ଅସୁବିଧା ହେଇ ନ ଥିଲା । ଆସ୍ତେଆସ୍ତେ ବୋଉ ଆଉ ଖୁଡ଼ୀଙ୍କ ସମ୍ପର୍କ ସହଜ ହୋଇଗଲା । ଦୁଇ ବନ୍ଧୁ ପରି ସେମାନେ ଚଳିଲେ । ଅନେକ ସମୟରେ ହସଖୁସି, ଥଟ୍ଟା ମଜା ଚାଲିଥିଲା ଦୁଇଜଣଙ୍କ ଭିତରେ । ଘରର ପରିବେଶ ବଦଳିଯାଇଥିଲା ।

ଗୀତା ମାଉସୀ ବି ବଦଳିଯାଉଥିଲା । ଆସିଲାବେଳେ ତା’ ମୁହଁରେ ବିଷଣ୍ଣତାର ଯେଉଁ ଛାଇଟି ପଡ଼ିଥିଲା, ତାହା ଆଉ ନ ଥିଲା । ଗୀତା ମାଉସୀ ହସିଲା । ମନଖୋଲି ସମସ୍ତଙ୍କ ସାଙ୍ଗରେ ମିଶିଲା । ତା’ ଶ୍ୟାମଳ ରଙ୍ଗର ଧାରୁଆ ମୁହଁଟିରେ ଆସ୍ତେଆସ୍ତେ ଗୋଲପୀ ଆଭା ଉକୁଟିଆସିଲା । ଗୀତା ମାଉସୀ ସୁନ୍ଦର ଦିଶିଲା । ତା’ ଦୁର୍ବଳିଆ ଦେହଟି ପୂରିଲା ପୂରିଲା ଲାଗିଲା ।

ବାପା, ବୋଉ, କକେଇ, ଖୁଡ଼ୀ ସମସ୍ତେ ତାକୁ ଭଲ ପାଉଥିଲେ । ଖାଇବା, ପିନ୍ଧିବାରେ ପାତର ଅନ୍ତର କରୁ ନ ଥିଲେ । ତା’ ପାଇଁ ସୁହାସିନୀଙ୍କ ଡ୍ରେସ୍ ପରି ଭଲ ଭଲ ଡ୍ରେସ୍ ଆସୁଥିଲା । ବାପା ଚାହୁଁଥିଲେ ଗୀତା ମାଉସୀ ପାଠ ପଢ଼ୁ । ବୋଉ ଆଉ ଖୁଡ଼ୀଙ୍କି ସେ କହୁଥିଲେ, “ତାକୁ କାମରୁ ଫୁରୁସତ୍ ଦିଅ, ସେ ପଢ଼ୁ । ଛୋଟ ପିଲା । ଦି’ ଅକ୍ଷର ପଢ଼ିଥିଲେ ଭବିଷ୍ୟତରେ ନିଶ୍ଚୟ କାମରେ ଆସିବ ।” କିନ୍ତୁ ତୃତୀୟ ଶ୍ରେଣୀରୁ ପାଠପଢ଼ା ଛାଡ଼ି ରୋଷେଇବାସ ଆଉ ବାସନମଜାକୁ ନିଜର ଭବିଷ୍ୟତ ବୋଲି ମାନିନେଇଥିବା ଗୀତା ମାଉସୀର ପାଠପଢ଼ାରେ ଆଉ ଆଗ୍ରହ ନ ଥିଲା ।

ଦିନେ ବାପାଙ୍କର ଜଣେ ସାଙ୍ଗ ଘନଶ୍ୟାମ ମଉସା ଆସିଥାନ୍ତି । ଗୀତା ମାଉସୀ ଚା’-ଜଳଖିଆ ଦେଇ ଆସିଲା । ଫେରିଲାବେଳକୁ ମଉସା କହିଲେ, “ବୁଝିଲୁ ବୀର, ଏଇ ଗୀତାଟିକୁ ମୁଁ ବୋହୂ କରିବି । ଆଜିଠୁ ତତେ କହି ରଖୁଛି ।” ବାପା କହିଲେ, “ଗୀତା ଛୋଟ ପିଲାଟା... ତା’ର ବାହାଘର କଥା ଆମେ ଚିନ୍ତା କରିନୁ ।”

ଘନ ମଉସା କହିଲେ, “ମୁଁ କ’ଣ ତତେ ଏବେ କରିବାକୁ କହୁଛି... ଆଉ ଚାରି-ପାଞ୍ଚ ବର୍ଷ ଯାଉ... ମୋ’ ପୁଅକୁ କ’ଣ ବୟସ ହେଲାଣି... । ପ୍ଲସ୍ ଟୁ ପଢ଼ୁଛି । ଭଲ ପଢ଼ୁନି । ଭାବୁଛି ବି.ଏ.ଟା ପାଶ୍ କରିଗଲା ପରେ ତାକୁ କଣ୍ଟ୍ରୋଲ୍ ଦୋକାନ ଦାୟିତ୍ୱ ଦେଇଦେବି । ଚାଷବାସ ବି ବୁଝିବ । ଗୋଟିଏ ତ ପୁଅ, କାହିଁକି ବାହାରକୁ ଛାଡ଼ିବି ? ମୋ’ର ଗୀତା ପରି ସୁଧାର, କାମିକା ଝିଅଟେ ଦରକାର ।”

ଘନ ମଉସା ଗଲାପରେ ଘରେ ସେ ବିଷୟରେ ବେଶ୍ ଆଲୋଚନା ହେଲା । ମିଟୁଭାଇ କହିଲା, “ମୁଁ ତାକୁ ଜାଣିଛି, କ୍ରିକେଟ୍ ଖେଳିବାକୁ ଆମ ଗାଁକୁ ଆସେ । ଭଲ ପିଲା ।”

ଏସବୁ ଆଲୋଚନା ବେଳେ ଗୀତା ମାଉସୀ ସେଠାରେ ନ ଥିଲା । ତା’ ମନରେ ସଂକୋଚ ଆଉ ଉତ୍ସୁକତା ପରସ୍ପରକୁ ଜାବୁଡ଼ି ଧରିଥିଲେ । ଆଢ଼ୁଆଳରେ ଠିଆ ହୋଇ ସେ ସମସ୍ତଙ୍କ କଥା ଶୁଣୁଥିଲା । ସେଇଦିନଠୁ ମିଟୁଭାଇ ଛଡ଼ା ସୁହାସିନୀ ପ୍ରଭୃତି ସବୁ ପିଲା ‘ସୁମନ୍ତ’କୁ ନେଇ ଗୀତା ମାଉସୀକୁ ଥଟ୍ଟା କରୁଥିଲେ । ଗୀତା ମାଉସୀ କିନ୍ତୁ ରାଗୁ ନ ଥିଲା । ତାକୁ ଶୁଣିବାକୁ ଭଲ ଲାଗୁଥିଲା ବୋଧେ । ବେଳେବେଳେ କିଛି ନ ଜାଣିଲା ପରି ମିଟୁଭାଇକୁ ସୁମନ୍ତ ବିଷୟରେ ପଚାରିଦେଉଥିଲା । ସୁମନ୍ତ କ୍ରିକେଟ୍ ଖେଳିବାକୁ ଆସୁଛି କି ନାହିଁ... ଭଲ ଖେଳୁଛି କି ଖରାପ ଖେଳୁଛି... ଏମିତି ପଦେ ଦି’ପଦ ପଚାରିଦେଇ ଦୌଡ଼ି ପଳାଉଥିଲା । ସୁମନ୍ତକୁ ନେଇ ଭବିଷ୍ୟତର ସୁନେଲୀ ସ୍ୱପ୍ନସବୁ ସଜେଇ ରଖୁଥିଲା ।

ହଠାତ୍ ସବୁକିଛି ବଦଳିଗଲା । ଦିନରାତି ଖଟି ଖଟି ସମସ୍ତଙ୍କ ଫର୍ମାଇସ୍ ପୂରଣ କରୁଥିବା ଗୀତା ମାଉସୀ ସମସ୍ତଙ୍କର ପର, ସମସ୍ତଙ୍କର ଘୃଣ୍ୟ ହୋଇଗଲା । କାରଣ ସେ ମା’ ହେବାକୁ ଯାଉଥିଲା, କୁମାରୀ ମା’ । ସମସ୍ତେ ଗୀତା ମାଉସୀଙ୍କି ଦୋଷ ଦେଉଥିଲେ । ବାପା, କକେଇ ଘରେ ନ ଥିଲେ । ଜେଜେମା’ ଖାଲି ଚିତ୍କାର କରୁଥିଲା, “ତାକୁ ମୋ’ ଘରୁ ବାହାର କର । ଗାଁ ଲୋକେ ଜାଣିଲେ କ’ଣ କହିବେ ? ମୋ’ ନାତୁଣୀମାନେ ତା’ରି ଯୋଗୁଁ ଅଭିଆଡ଼ୀ ରହିଯିବେ । ଶୀଘ୍ର ବିଦା କର ତାକୁ ।”

ରାତିରେ ଘରକୁ ଫେରି ବାପା, କକେଇ ଏ ଘଟଣା ଶୁଣି ବ୍ୟସ୍ତ ହେଲେ । ବାପା କହିଲେ, “ପାଟିତୁଣ୍ଡ କରନି, ବାହାର ଲୋକ ଜାଣିବେ । ପିଲାଟା... ଦେଖିବା କ’ଣ ବ୍ୟବସ୍ଥା କରିବା... ।” ଅନର୍ଗଳ ଗାଳି ଦଉଥିବା ଖୁଡ଼ୀ ଆଉ ଜେଜେମା’ ବାପାଙ୍କ କଥାରେ ଚୁପ୍ ହେଇଗଲେ ।

ସେ ରାତିରେ କେହି ଭଲରେ ଖାଇଲେନି । ଗୀତା ମାଉସୀକି କେହି ଖାଇବାକୁ ଡାକିଲେନି । ଯେମିତି ତା’ର ଅସ୍ତିତ୍ୱ ଏ ଘରୁ ଲୋପ ପାଇଯାଇଛି । ତା’ପରଦିନର ବିଷଣ୍ଣ ସକାଳ । ସବୁଦିନ ପରି ସକାଳର କଅଁଳିଆ ଖରା ପ୍ରକୃତିକୁ ନୂତନ ରଙ୍ଗରେ ଭରିଦେଲା । ସମସ୍ତେ ନିଜନିଜ କାମରେ ଲାଗିଲେ । ଅନ୍ୟଦିନମାନଙ୍କରେ ଗୀତା ମାଉସୀ ଭୋର୍ ପାଞ୍ଚଟାରୁ ଉଠି କାମରେ ଲାଗିଥାଏ । ସେଦିନ କିନ୍ତୁ ସେ ସେମିତି ପଥର ପରି ପଡ଼ିଥିଲା । କେହି ତା’ ପାଖକୁ ବି ଗଲେନି । ବାପା, କକେଇ ସେମାନଙ୍କ କାମରେ ବାହାରିଗଲେ । ସୁହାସିନୀଙ୍କି ଛାଡ଼ି ଅନ୍ୟସବୁ ପିଲା ସ୍କୁଲକୁ ଗଲେ । ସୁହାସିନୀଙ୍କୁ ଜର । ସେ ଔଷଧ ଖାଇ ଶୋଇଥାନ୍ତି । ପିଲାମାନଙ୍କୁ ସ୍କୁଲକୁ ବିଦା କରି ବୋଉ ଖୁଡ଼ୀ ରୋଷେଇ ଘର ବାରଣ୍ଡାରେ ବସିଥାନ୍ତି । ଖୁଡ଼ୀ ଖାଲି କାନ୍ଦୁଥାନ୍ତି... କହୁଥାନ୍ତି, “ବୋଉ ମତେ କେତେ କରି କହିଥିଲା, ଝିଅ ପରି ରଖିବୁ, ଦାୟିତ୍ୱ ନେବୁ । ମୋ’ର ଭୁଲ୍... ମୁଁ ଦାୟିତ୍ୱ ନେଇପାରିଲିନି । କିଏ ଜାଣିଛି... ଏଡ଼େ ବକଟେ ପିଲା... ଏମିତି କାମ କରିବ... ଆଜିକାଲି ସ୍କୁଲ ପିଲାଙ୍କୁ ବି ବହୁତ କଥା ଜଣା ଅଛି...’’ ଖୁଡ଼ୀ ରାଗରେ ଗରଗର ହୋଇ କହୁଥାନ୍ତି ।

“ତୁ କାହା କଥା କହୁଛୁ ? କୋଉ କଥା ?” ବୋଉ ଥରଥର ଗଳାରେ ଖୁଡ଼ୀଙ୍କି ପଚାରିଲା । ଯେମିତି ତା’ ଗଳା ଶୁଖିଯାଉଛି ।

ଖୁଡ଼ୀ ଚିହିଁକି ଆସିଲେ... କହିଲେ, “ଏତିକି କଥା ଜାଣିପାରୁନା ନାନୀ... ପୁଅକୁ ଆଉ ଘଣ୍ଟ ଘୋଡ଼ାଅନି । ତୁମର ପୁଅ ମିଟୁ ଏ କାମ କରିଛି । ଘର ଲୋକଙ୍କ ଛଡ଼ା ଏ କାମ ଆଉ କିଏ କରିବ ? ଗୀତା କ’ଣ ବାହାରକୁ ଯାଉଥିଲା...?”

ବୋଉ ବି ଚିତ୍କାର କରି କହିଲା... “କାହା ଦୋଷ ଆଣି ମୋ’ ପୁଅ ମୁଣ୍ଡରେ କାହିଁକି ବୋଳୁଛୁ... ସେ କ’ଣ ତୋ’ ପୁଅ ନୁହେଁ... ? ଖୁଡ଼ୀ ସେମିତି ଉଚ୍ଚସ୍ୱରରେ କହୁଥାନ୍ତି... “ଦୋଷ କଲେ ପୁଅ କ’ଣ ପୁତୁରା କ’ଣ । ତୁମେ କ’ଣ ତା ଗୁଣ ଜାଣିନ ? ମାଟି୍ରକ୍-ରେ ତ ବର୍ଷେ ଫେଲ୍ ହେଇଛି । ପାଠ ପଢ଼ିବ କ’ଣ, ବହି ତଳେ ଲୁଚେଇ ଲଙ୍ଗୁଳୀ ଝିଅଙ୍କ ଫଟୋ ଦେଖୁଛି... କିଏ ଜାଣେ ଆଉ କ’ଣ କରିଥିବ... !”

ବୋଉ ଆଉ ସମ୍ଭାଳିପାରିଲାନି । କହିଲା, “ମୋର ଏଡ଼ିକି ବକଟେ ପିଲା, ସଂସାରର ଭଲମନ୍ଦ ଜାଣିନି । ମାଉସୀ ବୋଲି ଗୀତାକୁ କେତେ ଭଲପାଏ... ତା’ ବିଷୟରେ ଉଡ଼େଇ ବୁଡ଼େଇ କରି କହୁଛୁ ? ତୋ’ ଆଖିକି ସେଇ ଦିଶିଲା, ଆଉ ଯାହା ଦେଖିବା କଥା ଦେଖିପାରିଲୁନି, ଜାଣିପାରିଲୁନି ? ଭଉଣୀର ଦାୟିତ୍ୱ ନେବାକୁ କହି ଅଚିନ୍ତାରେ ଶୋଉଥିଲୁ । ରାତିଅଧରେ ସୁର କେତେଥର ତୋ’ ପାଖରୁ ଉଠି କୁଆଡ଼େ ଯାଉଛନ୍ତି, ତତେ ଜଣାଗଲାନି...  ? ଦି’ଥର ତ ମୋ’ ହାବୁଡ଼ରେ ପଡ଼ିଛନ୍ତି । ଗୀତାର  ଘରଆଡ଼ୁ ଆସୁଥିବେ । ସେପଟେ ତାଙ୍କର କାମ କ’ଣ ? ମୁଁ ଯଦି କହିଥାନ୍ତି, ତୁ ସମ୍ଭାଳିଥାନ୍ତୁ ?”

ଖୁଡ଼ୀ ହଠାତ୍ ଚୁପ୍ ହେଇଗଲେ । କ’ଣ କହିବେ ଜାଣିପାରିଲେନି । ତାଙ୍କର ଦେହ ଥରୁଥାଏ । ସୁହାସିନୀ କେତେବେଳୁ ଆସି ପଛରେ ଠିଆ ହୋଇଥାନ୍ତି । ଔଷଧ ଖାଇ ତାଙ୍କର ଜର ଛାଡ଼ିଯାଇଥାଏ । ଶୋଷରେ ତଣ୍ଟି ଅଠାଅଠା ଲାଗୁଥାଏ । ପାଣି ପିଇବାକୁ ରୋଷେଇଘରକୁ ଆସି କେତେବେଳୁ ଠିଆ ହୋଇଥାନ୍ତି, ବୋଉ, ଖୁଡ଼ୀଙ୍କ କଳିରେ ଭରସିକରି କିଛି କହିପାରୁ ନ ଥାନ୍ତି ।

ସୁହାସିନୀଙ୍କି ଦେଖି ବୋଉ, ଖୁଡ଼ୀ ଦୁଇଜଣ ଚୁପ୍ ହେଇଗଲେ । ବୋଉ ଶିଝାପାଣି ଆଣିବାକୁ ରୋଷେଇଘରକୁ ଗଲା । ଖୁଡ଼ୀ ତାଙ୍କ ଶୋଇବାଘରକୁ ଚାଲିଗଲେ । ପାଣି ପିଇସାରି ଗୀତା ମାଉସୀ ପାଖରେ ବସିବେ ବୋଲି ସୁହାସିନୀ ଭାବୁଥିଲେ । ବୋଉ ଆଗୁଆ ତାଗିଦ୍ କରିଦେଲା, “ଖବରଦାର୍... ଗୀତା ପାଖକୁ ମୋଟେ ଯିବୁନି... । ଯଦି ଯାଇଥିବୁ ତୋ’ କଥା ବୁଝିବି ।” ଗୀତା ମାଉସୀ ପାଖକୁ କେହି ଗଲେନି । ଦିନସାରା ସେ ସେମିତି ତା’ ବଖରାରେ ପଡ଼ିରହିଲା । ଖାଇବାବେଳେ ଅବଶ୍ୟ ବାପା ଗୀତା ମାଉସୀ ଖାଇଛି କି ନାହିଁ ବୋଲି ପଚାରିଥିଲେ । ବୋଉକୁ କହିଥିଲେ ଗୀତା ମାଉସୀକୁ ବୁଝେଇ ଶୁଝେଇ ଖୁଆଇବାକୁ । ବାପାଙ୍କ ଆଗରେ ବୋଉ ଚୁପ୍ ରହିଲା । ବାପା ଖାଇସାରି ଗଲା ପରେ କହିଲା, “ଭୋକ ହେଲେ ସେ ବଳେ ଖାଇବ, ଯିବ କୁଆଡ଼େ ?”

ପରଦିନ ସୂର୍ଯ୍ୟ ଯଥାରୀତି ଉଇଁଲେ । କିନ୍ତୁ ଗୀତା ମାଉସୀ ଆଉ ନ ଥିଲା । ତା’ ବଖରାର ସବୁ ଜିନିଷ ସେମିତି ଥିଲା । କାହାକୁ ନ ଜଣାଇ ବାପା, କକେଇ ସମ୍ଭାବ୍ୟ ଜାଗାମାନଙ୍କରେ ଖୋଜିଥିଲେ । କିନ୍ତୁ କେଉଁଠୁ କିଛି ସୂଚନା ମିଳି ନ ଥିଲା । ଜେଜେମା କହିଲା, “ଅଲକ୍ଷଣୀ ଯଦି କୂଅ ପୋଖରୀରେ ଯାଇଥିବ, ତାହାଲେ ତ ମରିକରି ଭାସିବ, ଖୋଳତାଡ଼ ହେବ, କେତେ ନିନ୍ଦା ଅପବାଦ ଶୁଣିବାକୁ ମିଳିବ ।”

ଗୀତା ମାଉସୀ କିନ୍ତୁ କାହାକୁ ନିନ୍ଦା କି ଅପବାଦ ଶୁଣିବାକୁ ଦେଇ ନ ଥିଲା । ବିପଦ ସମୟରେ ସାହାଯ୍ୟ କରିବାକୁ ଆସି ପରୀଟିଏ ବିପଦ ପରେ କୁଆଡ଼େ ଉଭାନ୍ ହୋଇଗଲା ପରି ସେ ଏ ଦୁନିଆରୁ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲା । ଜେଜେମା’ ବି ସାଇପଡ଼ିଶାରେ ପ୍ରଚାର କରିଦେଇଥିଲା, “ଗୀତା ଗାଁକୁ ଯାଇଛି, ତା’ ଦଦେଇ ପୁଅ ଭାଇର ବାହାଘର ।”

 

ଚକୋଲେଟ୍ ଲେନ୍, ଝାଞ୍ଜିରୀମଙ୍ଗଳା, କଟକ-୭୫୩୦୦୯

ଫୋନ୍-୯୩୩୭୨୭୨୨୪୭

*****

ପରୀ

Rate the content


Originality
Flow
Language
Cover design

Comments

Post

Some text some message..