ଅବରୋଧ
ଅବରୋଧ
ଦିଗନ୍ତ ଵିସ୍ତାରୀ ସବୁଜ ଧାନର ଗଲିଚାରେ ସ୍ୱପ୍ନର ପ୍ରଜାପତି , ଆକାଶରେ ନାଲି ଟହ ଟହ ବାଳ ସୂର୍ଯ୍ୟଙ୍କ ସ୍ନିଗ୍ଧ ଆଭା, କିଚିରି ମିଚରି କୁନି ପକ୍ଷୀଙ୍କର କଳରବ , ଲେନ ସାରା ସେଫାଳିର ମିଠା ମହକ। ସବୁ ମିଶି କରୁଛନ୍ତି ପ୍ରତୀକ୍ଷା। ଆସିବ ଅନାଗତ ନେଇ ନିଜ ପରିଚୟ । ରୋଜି ହାତରେ କୁନି ଝିଅ , ପୁରା ବାର୍ବୀ ଡ଼ଲ୍ ଗୋଲାପୀ ଫ୍ରକ୍ ରେ ......
ଟେବୁଲ ଘଣ୍ଟାରେ ବାଜି ଉଠିଲା ସକାଳର ଅଲାର୍ମ ସମୟ 5:30, ସବୁଦିନ ପରି । ନିଦ ଭାଙ୍ଗିଗଲା ରୋଜିର ଆଉ ଭାଙ୍ଗିଗଲା ସ୍ୱପ୍ନ....
ଏଇ ନିର୍ଦ୍ଦିଷ୍ଟ ସ୍ୱପ୍ନଟା ସେ ଦେଖୁଛି ଆଉ ଠିକ ସେଇ ଲେନ ପାଖେ ନିଦ ଭାଙ୍ଗୁଛି ତା'ର। ଘରର ଦେହଳି ସେପାଖେ ରହିଯାଉଛି ସେ ଆଉ ଝିଅ ଆସିପାରୁନି ଭିତରକୁ କେବେବି !!!!
ସେ ସ୍ଥପତି , ଗଢେ ସ୍ୱପ୍ନ ସୌଧ । ଯେଉଁଠି ଜୀଵନ ପ୍ରବାହିତ ହୁଏ ନିଜର ସ୍ୱତନ୍ତ୍ର ପରିଚୟ ସହ। ଯେତେ ସୁନ୍ଦର ଘର ତୋଳେ ସେ ସେତେ ସମ୍ଭ୍ରାନ୍ତ ପରିବେଶ ମିଳେ। ଆଉ ଗୃହ ପ୍ରବେଶରେ ମିଳେ ନିମନ୍ତ୍ରଣ । ନିଜ ହାତ ଗଢା ଘରେ ସେ ପାଏ ଗୋଟେ ହସନ୍ତ ପୃଥିବୀ।
ଘରେ ସବୁଠୁ ଚଳଚଞ୍ଚଳ ଲାଗନ୍ତି ପିଲା ମାନେ । ଛୋଟ ପିଲା ସବୁ ଡାକନ୍ତି ଆଣ୍ଟି ଆଉ ବଡ଼ ମାନେ ଦିଦି। ସେ କେବଳ ଆଖି ଭରି ଦେଖେ ସେଇ ଆଗାମୀ ଦିନର ସମ୍ଭାବନା ମାନଙ୍କୁ । କେତେ ଉଜ୍ଜ୍ଵଳ ସେଇ ଅପତ୍ୟର ଆକର୍ଷଣ। ସଂକ୍ରମିତ ହୁଏ ସେଇ ଇଚ୍ଛା ତା'ର ହୃଦୟରେ। ସେ ବି ଆଣିବ ସେମିତି ଗୋଟେ ସମ୍ଭାବନା !!!!!
ନା ନାହିଁ ସବୁଦିନ ରହିବ ମୁକ୍ତ ,ଏ ଜଞ୍ଜାଳରୁ । ପିଲା ସବୁ ଜଞ୍ଜାଳ .... ଆଦିତ୍ୟଙ୍କ ଭାଷାରେ । ସେମାନେ ମୁକ୍ତ ଜୀଵନର ପଥ ରୋଧ କରନ୍ତି। ମଣିଷକୁ ଭୀରୁ କରିଦିନ୍ତି । ନିଜ ଇଛାରେ ଟିକେ ବଞ୍ଚି ହୁଏନି ଆଉ ।
ଅଦୃଶ୍ୟ ବନ୍ଧନଟେ ବାନ୍ଧି ହେଇଯାଏ ଅପତ୍ୟର ଆଗମନରେ । ଯୌବନଟା ହଠାତ୍ ହାତରୁ ଖସି ଯାଏ। ମଣିଷ ଦାୟିତ୍ୱ ମୁଣ୍ଡେଇ ବୁଢା ହେଇଯାଏ ।
କ୍ୟାରିଅରରେ ଟପ୍ କରିବାକୁ ହେଲେ ଫ୍ୟାମିଲି ପ୍ଲାନ କରିବାକୁ ହୁଏ। ଜୀଵନ ବହୁତ ଲମ୍ବା , ପିଲାଟେ ପାଇଁ ଏତେ ବ୍ୟସ୍ତ କିଆଁ । ସେ ଆସିବ ତା ସମୟ ହେଲେ , ସେତେବେଳେ ପର୍ଯ୍ୟନ୍ତ ଟିକେ ଫୁର୍ତ୍ତି କରିଲେ କ୍ଷତି କଣ??????
ଆଦିତ୍ୟ ନିଜ କର୍ପୋରେଟ୍ ମହାକାଶରେ । ଦେଶ ବିଦେଶ ବୁଲିବାରେ ବ୍ୟସ୍ତ। ଟାର୍ଗେଟ ତାଙ୍କ ପାଇଁ ପରିବାର ଠୁ ବେଶି ମୂଲ୍ୟବାନ। ଶୀର୍ଷରେ ରହିବାର ଦୁର୍ବାର ଝୁଙ୍କ ତାଙ୍କୁ କରେ ପାଗଳ। ଚାରିପଟେ ଘୁରୁଥିବା ପ୍ରଶଂସାର ଗ୍ରହ ସବୁ ତାଙ୍କୁ ସୂର୍ଯ୍ୟ ପରି ଦୀପ୍ତିମନ୍ତ କରନ୍ତି। ରୋଜି ସେଇ ସୌରମଣ୍ଡଳର ପରିସରକୁ ଆସେ ଧୂମକେତୁ ପରି କେବେ କେମିତି।
ସବୁବେଳେ ନିଜ ଭିତରେ ମଗ୍ନ ସ୍ୱାମୀ ପାଖରେ ସ୍ତ୍ରୀର ଅସ୍ତିତ୍ୱ ହୋଇଯାଏ ବଡ଼ ବିକଳ। ସେ କେବଳ ଆସେଟ୍ ହୋଇ ରହିଯାଏ। ସାଜି ସୁଜି ଯିବ ପାର୍ଟି କି ପିକନିକ୍ । ବଢ଼େଇବ ସୌନ୍ଦର୍ଯ୍ୟ ତା' ପୁଣି ସ୍ୱାମୀଙ୍କ ଇଛାରେ। ରହିବ ନିର୍ଦ୍ଧିଷ୍ଟ ସୀମାରେ ସଫଳ ପୁରୁଷର ସହଧର୍ମିଣୀ ଭାବେ ବାସ୍। ତାର ନିଜର ଗୋଟେ ସ୍ୱତନ୍ତ୍ର ଅସ୍ତିତ୍ୱ ରହିବ ନାହିଁ। ନିଜର ନିଜତ୍ବ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିବା ଉପଯୁକ୍ତ ସ୍ତ୍ରୀ ର ଧର୍ମ।
ଆଦିତ୍ୟର ସମୃଦ୍ଧ ଦୁନିଆରେ ଗୋଟେ ଅପତ୍ୟର ଆବଶ୍ୟକତା ଆସେନି, ବରଂ ସେ ଚାହେଁ ସେ ଦାୟିତ୍ବରୁ ମୁକ୍ତି। କୁହେ "ହେ ଜାନୁ ଆମ ପାଖେ ଅଛି ବହୁତ ସମୟ । ଟିକେ ସେଟେଲ୍ ହେଇଯିବାକୁ ଦିଅ , ତା' ପରେ ଆସିବ ଆଦିତ୍ୟ ଜୁନିଅର।" ସେଥିପାଇଁ ପ୍ରସ୍ତୁତି ସାରିନାହିଁ ଯେ" !!!!!
ଆଦିତ୍ୟ ବ୍ୟସ୍ତ ରୁହେ ତେଣୁ ବିଚଳିତ ହୁଏନି ସନ୍ତାନ କି ପରିବାରକୁ ନେଇ । କିନ୍ତୁ ସେ , ତାର କାର୍ଯ୍ୟ ପରିସର ନୀଡ଼ ଗଢିବା ଆଉ ସେଇଠି ସୃଷ୍ଟିର ଭୂମିକା କେତେ ଉଲ୍ଲାସମୟ କେବଳ ବୁଝେ ତା' ମନ। ସୃଜନ କେବଳ ଆଵଶ୍ୟକତା ନୁହେଁ ସେଥିରେ ଅଛି ଅଫୁରନ୍ତ ଆନନ୍ଦ। ସେଠି ଅଛି ନାରୀ ଜୀବନର ପୂର୍ଣ୍ଣତା।
ତାର ପରିଚିତ ବନ୍ଧୁ ମହଲରେ ବି ଚାପା ଗୁଞ୍ଜରଣ ଶୁଣେ ତାର ସୃଷ୍ଟିର ସାମର୍ଥ୍ୟକୁ ନେଇ। " ବାହାଘର କେବେ ହେଇଥିଲା କହିଲୁ?? ବୋଧେ ଚାରି - ପାଞ୍ଚ ବର୍ଷ ଖଣ୍ଡେ ହେବ ନୁହେଁ? ତଥାପି କୋଳ ଖାଲି ?? ଏ ଝିଅଟାର ଅସୁବିଧା ଥିବ ମଁ , ହଁ!!!!
ଏଇ ଟିପ୍ପଣୀ କେବଳ ତାକୁ ଶୁଣେଇ ଥାନ୍ତି ସମାଜର ଠେକା ନେଇଥିବା ଭଦ୍ର ମହିଳା ମାନେ । ପୁରୁଷକୁ କଣ କେହି ଆଙ୍ଗୁଳି ନିର୍ଦେଶ କରେ କେବେ ????
ତାର ଇଚ୍ଛା ହୁଏ କହିବ ନା କିଛି ଅସୁବିଧା ନାହିଁ , ଆଦିତ୍ୟ ପ୍ରସ୍ତୁତ ହେଇ ନାହାନ୍ତି। ଏ ଅବରୋଧ ସେମାନଙ୍କ ସ୍ୱଛାକୃତ। ଆଉ ଟିକେ ଫୁର୍ତ୍ତି କରିବା ବାକି ଅଛି। କିନ୍ତୁ କହି ପାରେନା କେମିତି ଗୋଟେ ଗଳାରୁଦ୍ଧ ହେଇଯାଏ।
ଆଦିତ୍ୟ କାହାକୁ କେୟାର୍ କରେନି । ହସିକି ଉଡେଇ ଦିଏ ଆଉ ସହଜରେ ହଜମ କରିଦିଏ ତା ଏଇ ପ୍ରସଙ୍ଗ। ଜୀଵନ ତା'ର ଏକାନ୍ତ ନିଜର ସମାଜର ଲୋକ ମାନେ ଏହାର ଗତି ନିର୍ଦ୍ଧାରଣ କରିବାକୁ କିଏ??
ରୋଜି କିନ୍ତୁ ବୋଝଟା ମୁଣ୍ଡେଇ ଥାଏ ସବୁବେଳେ। ଗୋଟେ ଅଜଵ ଶୁନ୍ୟତା ଭରି ରୁହେ ଜୀବନରେ। ଯେବେ ଦେଖେ ମାଳେ ଗୁଲୁୁଗୁଲିଆ କଣ୍ଢେଇ ଖେଳୁଥିବାର ତା ହାତ ଗଢା ସ୍ୱପ୍ନ ସୌଧରେ।
ଆଦିତ୍ୟ ପାଖରେ ପହଞ୍ଚେ ନାହିଁ ଏ ମନୋଦଶା। ଏଇଟା ରୋଜିର ଏକାନ୍ତ ନିଜର । କେତେ ବିଚିତ୍ର ଏ ଅବରୋଧର ବ୍ୟବସ୍ତା!!!!
ଅବରୋଧ ବ୍ୟବସ୍ଥା କଣ ସତରେ ଆବଶ୍ୟକ ? ସବୁ କିଛି କଣ ମଣିଷ ପ୍ଲାନ କରିପାରେ? ପ୍ରାକୃତିକ ସୃଜନ ପଥରେ ମଣିଷ ବାଧକ , ଏଇଟା କଣ ଏତେ ଶକ୍ତିଶାଳୀ ଯେ ମଣିଷକୁ ନିଜର ଅଧୀନସ୍ତ କରିଛି , ଆଉ ସେ ଅସହାୟ ହେଇଯାଉଛି??
ରୋଜିକୁ ଇଚ୍ଛା ସବୁ ବ୍ୟସ୍ତ କରିଦିଅନ୍ତି ଆଉ ସେ ସମ୍ପୂର୍ଣ୍ଣ ହେଇଯିବାର ସ୍ୱପ୍ନରେ ବିଭୋର ହୁଏ। ନିଜର ପରିଲାପଣକୁ ସଭିଙ୍କ ଆଗରେ ସାବ୍ୟସ୍ତ କରିବା ପାଇଁ।
ଆଜି ବହୁତ ଡେରୀରେ ସରିଛି ପାର୍ଟି । ସବୁ ମଣିଷ ସୁଖପାନରେ କ୍ଲାନ୍ତ । ପଥ ଅସ୍ପଷ୍ଟ, ଅଙ୍ଗ ପ୍ରତ୍ୟଙ୍ଗ ଟଳ ମଳ,ଭାଷା ଅସଂଯତ ଆଉ ମନ ଅବାଧ୍ୟ। ନିଶାରେ ଚୁର୍ ଆଦିତ୍ୟ ନିଜ ପ୍ରେମିକ ପଣରେ ଏକାକାର ହେଇଛି ରୋଜି ସହ । ସେଥିରେ ଆନନ୍ଦ ଅଛିକି ନାହିଁ କହିବା କଷ୍ଟ କିନ୍ତୁ ଅଛି ଗୋଟେ ସୁଯୋଗ । ସମ୍ଭାବନାଟେ ସାଇତି ପାରିବ ରୋଜି ନିଜ ଭିତରେ । ଅନାଦି କାଳର ଇଚ୍ଛାଟେ ମୋକ୍ଷ ପାଇଯିବ । ସେ ସୃଷ୍ଟି କରିପାରିବ ସନ୍ତକ ।ନିଜକୁ ଦୃଢ଼ କରିନେଲା ରୋଜି ଆଉ ଆଜିର ଏ ମିଳନକୁ ପରିଚୟ ଦେବାର ସିଦ୍ଧାନ୍ତ ନେଲା । ଆଦିତ୍ୟଙ୍କ ଅବରୋଧକୁ କରିବ ପ୍ରତ୍ୟାକ୍ଷ୍ୟାନ । ନହେଲେ ସୃଜନର ସମ୍ଭାବନା ରହିଯିବ ଯେ ଦେହଳି ସେପାଖେ !!!
ସୌମ୍ୟା ଶୁଭଦର୍ଶିନୀ
ଅଧ୍ୟାପିକା
ଜଗତସିଂହପୁର