Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -95
ଜହ୍ନମାମୁଁ -95
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   535    12


Content Ranking

ବିହଙ୍ଗ କଥା 2

ପ୍ରଭୁପକ୍ଷୀ ବେଦବ୍ରହ୍ମର କାନ୍ଧ ଉପରେ ଆସି ବସିଲା । ବେଦବ୍ରହ୍ମ ଖଣ୍ଡିଏ ଧୋତି ପିନ୍ଧିଥାଏ ଓ ଦେହରେ ମଇଳା ଚାଦର ଘୋଡେଇ ହୋଇଥାଏ । ସେ ନିଜର ପିନ୍ଧା ଚିରାଧୋତି ଟାକୁ ସଜାଡି ଉଠି ଠିଆହେଲା । ପର୍ବତ ଉପରୁ ଧୀରେ ଧୀରେ ସେ ଓହ୍ଲାଇ ଆସିଲା ।

ନିଘଂଚ ଅରଣ୍ୟ ପଥ । ଚାରିଆଡେ ନାନାବିଧ ଗଛ ଓ ବୃକ୍ଷ ଲତା । ପଥ ଧାରେଧାରେ ଗୋଟାଏ ବନ ଝରଣା ଲମ୍ବି ଯାଇଥାଏ । ଆକାଶରେ ଜହ୍ନ ଅଗଣିତ ତାରା । ଝରଣାର ଜଳରେ ଆକାଶ ପ୍ରତିବିମ୍ବିତ ହେଉଥାଏ । ବେଳେବେଳେ ବନ୍ୟ ପଶୁପକ୍ଷୀଙ୍କର ରାବ ଶୁଭୁଥାଏ ।

ବେଦବ୍ରହ୍ମ ନିରବରେ ଚାଲିଥାଏ । ତା’ କାନ୍ଧରେ ଥାଇ ପ୍ରଭୁପକ୍ଷୀ କହିଲା, “ବେଦବ୍ରହ୍ମ! ମଣିଷ ବେଳେବେଳେ କିପରି ନିଜର ଅତି ଉପକାରୀ ପ୍ରାଣୀକୁ ମଧ୍ୟ ଅଜ୍ଞାତରେ ହତ୍ୟା କରେ – ସେକଥା କହୁଛି ଶୁଣ ।”

ପକ୍ଷୀ ଗପି ଚାଲିଲା ।

ବହୁବର୍ଷ ପୂର୍ବେ ମହାରାଷ୍ଟ୍ରର କନକଗଡ ଗ୍ରାମରେ ଜଣେ ଶବର ରହୁଥିଲା । ତା’ର ନାଁ ବିଶ୍ୱକେତୁ । ତା’ର ଗୋଟାଏ ଅତି ବିଶ୍ୱସ୍ତ କୁକୁର ଥାଏ । ସେ କୁକୁରକୁ ଏତେ ଭଲ ପାଉଥାଏ ଯେ, ଯେଉଁଦିନ କୌଣସିଆଡୁ କିଛି ଜୁଟେ ନାହିଁ, ସେଦିନ ସେ ନିଜେ ନ ଖାଇ ମଧ୍ୟ କୁକୁରକୁ ଖାଇବାକୁ ଦିଏ । ସେ ଆଗ୍ରହରେ କୁକୁରର ନାମ “ପ୍ରାଣ” ବୋଲି ରଖିଥିଲା । ପ୍ରାଣ ମଧ୍ୟ ତା’ ମୁନିବକୁ ଖୁବ୍ ଭଲ ପାଉଥିଲା ।

ବିଶ୍ୱକେତୁ ପ୍ରତ୍ୟେକଦିନ ପାଖରେଥିବା ବଣକୁ ଯାଉଥିଲା । ତା’ ସଙ୍ଗେ ପ୍ରାଣ ମଧ୍ୟ ଯାଉଥିଲା । ଜଙ୍ଗଲରୁ ହରିଣ, ଠେକୁଆ, କୁଟ୍ରା ବିଶ୍ୱକେତୁ ଶିକାର କରି ଆଣୁଥିଲା । କେଉଁ କେଉଁଦିନ କିଛି ନ ମିଳିଲେ କପୋତ, ବନହଂସ ଆଦି ଧରି ସେ ଆଣୁଥିଲା ।

ଦିନକର କଥା । ଜ୍ୟେଷ୍ଠ ମାସ ଦ୍ୱିପ୍ରହର । ଉପରେ ପ୍ରଚଣ୍ଡ ଗ୍ରୀଷ୍ମ ସୂର୍ଯ୍ୟ । ବିଶ୍ୱକେତୁ ବଣରେ ସେଦିନ ମିରିଗଟାଏ ପାଇ ମହାଆନନ୍ଦରେ କାନ୍ଧରେ ଝୁଲାଇ ପ୍ରାଣସହ ଘରକୁ ଫେରୁଥିଲା । ବଣରେ ବୁଲିବୁଲି ସେ ତ ଖୁବ୍ କ୍ଳାନ୍ତ ହୋଇ ପଡିଥିଲା । ତେଣୁ ସେ ଘରକୁ ଯିବାପାଇଁ ସଅଳ ସଅଳ ପାଦ ପକାଉଥିଲା । ଆସୁଆସୁ ସେ ରାସ୍ତାର ଗୋଟାଏ ବରଗଛ ମୂଳରେ ଜଣେ ଲୋକକୁ ଭେଟିଲା । ଲୋକଟି ମୁଣ୍ଡରେ ହାତଦେଇ ବସିଥାଏ । ପାଖରେ ଗୋଟାଏ ଶଗଡ ଓ ହଳେ ବଳଦ । ବିଶ୍ୱକେତୁକୁ ଦେଖି ଲୋକଟି କହିଲା, “ହେ ଶବର! ମୁଁ ବଡ ବିପଦରେ ପଡିଛି, ମୋତେ ଉଦ୍ଧାର କର ।”

ବିଶ୍ୱକେତୁ ପଚାରିଲା “କହ! ତୁମେ କେଉଁ ବିପଦରେ ପଡିଛ ।”

ଲୋକଟି କହିଲା “ମୁଁ ମେଦିନୀପୁର ଯିବି । ଏ ଶଗଡରେ ସୁନାଇଟା ବୋଝେଇକରି ନେଉଥିଲି । ହଠାତ୍ ଏ ଅପନ୍ତରାରେ ଶଗଡର ଅଖ ଭାଙ୍ଗିଗଲା । ତୁମେ ଏଠାରେ ମୋ ଶଗଡ ଜଗିରୁହ । ମୁଁ ପାଖ ଗାଁରୁ ଜଣେ ବଢେଇ ଡାକିଆଣେ ।”

“ମୁଁ ଖୁବ୍ କ୍ଳାନ୍ତ । ମୁଁ ଆଉ ଦଣ୍ଡେ ବି ରହିପାରିବିନି । ତିୁମେ ନିଶ୍ଚିନ୍ତରେ ଯେଉଁଆଡେ ଯିବ ଯାଅ । ତୁମ ସୁନା ଭର୍ତ୍ତି ଶଗଡକୁ ମୋ ପୋଷା କୁକୁର ଏଇ ପ୍ରାଣ ଜଗିଥାଉ ।” ବିଶ୍ୱକେତୁ ଏହାକହି ସେ କୁକୁରକୁ ଶଗଡ ଜଗିବାକୁ ନିର୍ଦେଶ ଦେଇ ମିରିଗଟା କାନ୍ଧରେ ଝୁଲାଇ ନିଜ ଘରକୁ ଗଲା ।

ଶଗଡ ମାଲିକ ମଧ୍ୟ କୁକୁରକୁ ସେ ବରଗଛ ମୂଳରେ ଛାଡିଦେଇ ପାଖ ଗାଁକୁ ଗଲା । ପ୍ରାଣ ଶଗଡ ଜଗି ରହିଲା ।

ଅପରାହ୍ନ ବେଳକୁ ଲୋକଟି ଜଣେ ବଢେଇ ଧରି ସେ ସ୍ଥାନକୁ ଆସିଲା । ବଢେଇ କିଛିକ୍ଷଣ ପରେ ଶଗଡରେ ଗୋଟାଏ ନୂଆ ଅଖ ଲଗାଇ ଦେଲା ଓ ତାର ପାରିଶ୍ରମିକ ପାଇ ସେଠାରୁ ସେ ଫେରିଗଲା । ଶଗଡ ମାଲିକ ଶଗଡରେ ବଳଦ ଯୋଚିଲା ଓ ନିଜ ଗନ୍ତବ୍ୟ ସ୍ଥାନକୁ ଯିବାପୂର୍ବରୁ ଗୋଟିଏ ସୁନା ଇଟା କୁକୁରକୁ ଦେଇ ସେ କହିଲା, “ମୁଁ ତୋ ଉପରେ ଖୁବ୍ ଖୁସି । ତୋ ମାଲିକକୁ ତୁ ଏହି ସୁନା ଇଟାଟି ଦେଇଦେବୁ ।”

ପ୍ରାଣ ସୁନାଇଟାକୁ ଦାନ୍ତରେ କାମୁଡି ବିଶ୍ୱକେତୁର ଘରଆଡକୁ ଧାଇଁଲା । ସେତେବେଳେ ସୂର୍ଯ୍ୟ ପଶ୍ଚିମ ଆକାଶର ଅନେକ ତଳକୁ ଯାଇ ସାରିଥାନ୍ତି । ବିଶ୍ୱକେତୁ ଘରେ ଆରାମ୍ରେ ଖାଇପିଇ ଶୋଇଥିଲା । ନିଦ ଭାଙ୍ଗିବାରୁ ସେ ଉଠିପଡି ଶଗଡିଆର କଥା ଚିନ୍ତା କରୁଥିଲା ।

ସେ ବାରଣ୍ଡା ଉପରକୁ ଉଠିବାକ୍ଷଣି ଦେଖିଲା ଯେ, ପ୍ରାଣ ତା’ ପାଟିରେ ସୁନାଇଟା ଖଣ୍ଡେ କାମୁଡି ଆସୁଅଛି । ବିଶ୍ୱକେତୁ ଭାବିଲା, ଶଗଡ ମାଲିକର ଅନୁପସ୍ଥିତିରେ ପ୍ରାଣ ସୁନା ନେଇ ଆସୁଛି । ସେ ରାଗରେ ଖଣ୍ଡିଏ ବଡ ପଥର ଉଠାଇ ପ୍ରାଣ ଉପରେ କଚାଡିଦେଲା । ଫଳରେ ପ୍ରାଣ ସେଇଠି ମରିଗଲା ।

ପ୍ରଭୁପକ୍ଷୀ ମୁହଁରୁ ବେଦବ୍ରହ୍ମ ତ ଗପ ଶୁଣୁଶୁଣୁ ଚାଲିଥିଲା । କୁକୁରର ମରିବା କଥା ଶୁଣି ସେ ଆଉ ନୀରବ ହୋଇ ରହିପାରିଲା ନାହିଁ । ସେ କହିଲା “ଆହା! ବିଶ୍ୱସ୍ତ କୁକୁରଟାକୁ ତା’ମାଲିକ ମାରିଦେଲା ।”

ପୂର୍ବ ସର୍ତ୍ତ ଅନୁଯାୟୀ ବେଦବ୍ରହ୍ମ ଗପ ଶୁଣି ଦୁଃଖ ପ୍ରକାଶ କରିବା ଦେଖି ପ୍ରଭୁପକ୍ଷୀ କହିଲା, “ତୁମେ ଦୁଃଖ ପ୍ରକାଶ କଲ, ମୁଁ ଏଥର ଯାଉଛି ।”

ତା’ପରେ ପ୍ରଭୁପକ୍ଷୀ ବେଦବ୍ରହ୍ମ କାନ୍ଧରୁ ଉଡିଗଲା ଓ ଆଖି ପିଛୁଳାକେ ଆକାଶରେ ଯାଇ ସେ ପହଁଚିଲା । ସେ ପୂର୍ଣ୍ଣମୀର ସେହି ଜୋଛନାଭରା ରାତିରେ ନିଜ ବସାଥିବା ଅର୍ଜୁନ ଗଛଆଡେ ଉଡି ଚାଲିଲା ।

ପ୍ରଭୁପକ୍ଷୀ ବେଦବ୍ରହ୍ମ ଶବର

Rate the content


Originality
Flow
Language
Cover design

Comments

Post

Some text some message..