Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଗଳ୍ପ

Classics Tragedy

2  

ଓଡିଆ ଗଳ୍ପ

Classics Tragedy

ରାଣ୍ଡିପୁଅ ଅନନ୍ତା-ଶେଷ

ରାଣ୍ଡିପୁଅ ଅନନ୍ତା-ଶେଷ

11 mins
7.4K


ଫକୀର ମୋହନ ସେନାପତି

ଦିନ ପହରକ ସମୟରେ ଅବଧାନଙ୍କୁ ପଦାଆଡ଼େ ତଲବ ହେଲା । ଡାକି ଦେଲେ, ଆରେ । ନିଆଁ ଆଣରେ, ଧୂଆଁପତ୍ର ଆଣରେ, ନୋଟା ଆଣରେ । ପୁଞ୍ଜାଏ କି ଛ’ଟା ଚାଟ ଟୋକା ଧାଇଁ ଯାଇ ସବୁ ଠିକ୍ କରିଦେଲେ । ଅବଧାନଙ୍କର ସବୁ କାମ ପିଲାମାନେ କରନ୍ତି । ଅବଧାନଙ୍କର ଗୋଡ଼ଘଷା, ପାଲଟା ଲୁଗା କଚା, ସଙ୍କୁଡ଼ି ଧୁଆ ବିଲକୁଲ କାମ ପିଲାମାନେ କରନ୍ତି । ଯେଡ଼େ ଲୋକ ପୁଅ ହେଉ ପଛକେ ଅବଧାନଙ୍କ ଗୋଡ଼ ଘଷିବ । ଗୁରୁଙ୍କ ଗୋଡ଼ ଘଷିଲେ ପାଠ ଆସେ । ଅବଧାନେ ପିକାଟିଏ ଭଲ କରି ମୋଡ଼ିଲେ- ନିଆଁ ଖୁଣ୍ଟାରେ ପିକାଟି ଲଗାଇ ଦେଇ ଦି’କଳ ଭିଡ଼ିଲେ । ଫୁ’ କରି ଧୁଆଁ ଛାଡ଼ି ଦେଇ କହିଲେ, “କି ବେ ମୁକୁନ୍ଦା ! ଧୂଆଁ ଲାଗୁନାହିଁ ଯେ ?”

ମୁକୁନ୍ଦା କହିଲା- “ମୁଁ କ’ଣ କରିବି ଅବଧାନେ । ବାବା ତ କାଲି ହାଟରୁ ଏଇ ଧୂଆଁ ଆଣିଛି ।”

ଅବଧାନେ- “ବେ ବିନ୍ଦିଆ ! ତୋ ବାପ କଟକରୁ ଯେ ବାଲେଶ୍ୱରୀ ଧୂଆଁପତ୍ର ଆଣିଥିଲା, ତାକୁ ଆଉ ଆଣିଲୁ ନାହିଁ ତ ?”

ବିନୋଦ- “ମୁଁ କଅଣ କରିବି ଅବଧାନେ, ମା’ ତାକୁ ବିଡ଼ା ବାନ୍ଧି ସିକା ଉପରେ ରଖି ଦେଇଛି, ମୋ ହାତ ପାଇଲା ନାହିଁ ।”

ଅବଧାନେ- “ଆଚ୍ଛା ତୁ ଗୋଟାଏ କାମ କରିବୁ । ତୋ ମା’ ଯେତେବେଳେ ଗାଧୋଇ ଯାଇଥିବ ତୁ ଗୋଟାଏ ବଡ଼ ପାଛିଆ ଉଗାଡ଼ି ପକାଇବୁ, ତା’ ଉପରେ ଚଢ଼ି ସିକାରୁ ଧୂଆଁପତ୍ର କାଢ଼ିବୁ । ସେଥିରୁ ଦୁଇ ଚାରି ଖଣ୍ଡ କାଢ଼ି ନେଇ ବିଡ଼ା ବାନ୍ଧି ସିକାରେ ଥୋଇ ଦେବୁ । ଖବରଦାର୍ ! ବେଶିଗୁଡ଼ାଏ ଆଣିବୁ ନାହିଁ । କାଲି ସକାଳେ ଯଦି ନ ଆଣିବୁ, ଅନାଇଥା’ ଏ ବେତକୁ ।”

ଅବଧାନେ ଫେର୍ ଥରେ ଅନ୍ତାକୁ ଅନାଇଲେ । ଅନ୍ତୁ ଧୀରେ ବସି ଖୁବ୍ ମନ ଦେଇ ଅକ୍ଷର ବୁଲାଉଛି । ଅବଧାନଙ୍କର ଭାରି ଦୟା ହେଲା । କଅଁଳରେ କହିଲେ, “ରେ ବାପ ଅନ୍ତୁ ! ନେ ତ ଟୁକୁଣାଟା ନେଇ ଟୁକୁଣେ ପାଣି ଆଣ ତ, ବହିର୍ଦ୍ଦେଶ ଯିବୁ ।” ଅନ୍ତୁ ଭଲ ପିଲାଟି ପରି ଟୁକୁଣା ଧରି ପୋଖରୀକୁ ଜଳ ଆଣିବାକୁ ଗଲା । ଅବଧାନେ ବସି ପିକା ଟାଣୁଥାନ୍ତି । ଅନ୍ତୁ ଆସେ ନାହିଁ- ବଡ଼ ମଠ କଲା । ଅବଧାନେ ଆଉ ସହି ପାରିଲେ ନାହିଁ । ଦୁଇଥର ତିନିଥର ପୋଖରୀତୋଠ ଆଡ଼କୁ ଅନାଇଲେଣି । ସେଠାରୁ ଉଠି ପିକା ଭିଡ଼ି ଭିଡ଼ି ତୋଠ ଆଡ଼କୁ ଚାଲିଗଲେ । ଅନ୍ତୁ ଟୁକୁଣାଟି ଧରି ଆଡ଼ି ଉହାଡ଼ରେ ଲୁଚି ପଡ଼ି ଅବଧାନକୁ ଅନାଉଥିଲା- ଆସୁଥିଲା ନାହିଁ । ଅବଧାନ ଉପରେ ଯେମିତି ନଜର ପଡ଼ିଛି, ଧୀରେ ଧୀରେ ପାଖକୁ ଚାଲି ଆସିଲା । ଅବଧାନଙ୍କ ହାତକୁ ଟୁକୁଣାଟି ଏମିତି ବଢ଼ାଇ ଦେଲା, ଯେମିତି ଟୁକୁଣାର ପାଣିକୁ ଅବଧାନଙ୍କର ନଜର ନ ପଡ଼େ । ଅବଧାନେ ଡେବିରି ହାତ ପାଞ୍ଚଆଙ୍ଗୁଳିରେ ଟୁକୁଣା ଫନ୍ଦଟି ଧରି ଡାହାଣ ହାତରେ ପିକା ଭିଡ଼ି ଭିଡ଼ି ଗାଁ ଶେଷମୁଣ୍ଡ ଗହୀର ବିଲକୁ ବହିର୍ଦ୍ଦେଶ ଗଲେ । ଅଧଘଣ୍ଟାଏ ହୋଇ ନାହିଁ, ଅବଧାନେ ତ ବିଲରୁ ଚାରି ଚାରି ହାତ ଚିଲା ମାରି ରଡ଼ି ଛାଡ଼ି ଧାଇଁଛନ୍ତି । ଲୁଟା କେଉଁଠି ପଡ଼ିଲାଣି । ଲୁଗା ଖଣ୍ଡ ପଡ଼ିଥାନ୍ତା, ହାତରେ ଜାବୁଡ଼ି ଧରିଛନ୍ତି, ହେଲେ ଅଧା ଲଙ୍ଗଳାରେ ଅଳପାଇସିଆରେ । ରେ ସର୍ବନାସିଆ ଅନ୍ତାରେ । ମାରି ପକାଇଲାରେ । ଯେମିତି ଚାଟଶାଳୀରେ ପହୁଞ୍ଚିଗଲେ, ଧରିଲେ ବେତ- କାହିଁ ଅନ୍ତା ? ଆଉ ଅନ୍ତା ! ଅନ୍ତା ଅନ୍ତର୍ଦ୍ଧାନ !

ଅବଧାନେ ଚାଟଶାଳୀର ଏ ମୁଣ୍ଡ ସେ ମୁଣ୍ଡ ଗଡ଼ାଗଡ଼ି କରୁଛନ୍ତି, ପାଣି ପାଣି ରଡ଼ି ଛାଡ଼ିଲେ । ଗୋଟିଏ ପିଲା ଧାଇଁ ଯାଇ ତାଙ୍କ ରୋଷାଇଘର ମାଠିଆରୁ କଂସାଏ ପାଣି ଆଣି ଦେଲା । ସେହି ପାଣିରେ ହାତ ଧୋଇ ପକାଇ ଯେମିତି ଗୋଟାଏ କୁଳକୁଞ୍ଚା କରିଛନ୍ତି, କଂସା ଖଣ୍ଡ ପାଞ୍ଚ ହାତ ଦୂରକୁ ଫୋପାଡ଼ି ଦେଇ- “ବୋପା ଲୋ ! ମା’ ଲୋ ! ବୋଲି କହି ଗଡ଼ିଲେ । ଆଉ ରଡ଼ି କରିପାରୁ ନାହାନ୍ତି, ଖାଲି ଗଁ ଗଁ ଗର୍ଜୁଛନ୍ତି । ମୁହଁ ଭାରି ଫୁଲିଗଲାଣି- ଆଖିପତା ଫୁଲିଯାଇ ମାଡ଼ି ପଡ଼ିଲାଣି- ଆଖିକୁ ଦିଶୁନାହିଁ । ଗାଁ ଲୋକେ ଉଜାଡ଼ି ପଡ଼ିଲେ । କ’ଣ ହେଲା, କ’ଣ ହେଲା କହି ଦି’ଚାରି ଜଣ ଅବଧାନଙ୍କୁ ଧରି ପାଣିରେ ପକାଇଲେ । ସଞ୍ଜବେଳ ସରିକି ଅବଧାନଙ୍କୁ ବଡ଼ ଶୀତ ଲାଗିଲା । ପାଣିରୁ ଛାଙ୍କି ଆଣି ପାଏ ଖସା ତେଲ ଅବଧାନଙ୍କ ଦେହଯାକ ଘଷିଲେ । ତେତେବେଳେ ଅବଧାନଙ୍କ ପାଟିରୁ କଥା ବାହାରିଲା । ହେଲେ, ମୁହଁଟା ଆଟିକା ପରି ଫୁଲିଯାଇଛି । ଭଲ କରି କଥା କହି ପାରୁ ନାହାନ୍ତି । ଅବଧାନେ ଜଣାଇଲେ, ଭାରି ଭୋକ । ଆଉ ତ କିଛି ଖାଇ ପାରିବେ ନାହିଁ । ଗାଁ ଲୋକେ ଅଧସେରଟାଏ ଗରମ ଦୁଧ ଆଣି ଦେଲେ । ଢୋକେ ଢୋକେ କରି ତେତକ ପିଇ ଦେଇ ଅବଧାନେ ଟିକିଏ ସାଷ୍ଟମ ହୋଇ ବସିଲେ । ଥଣ୍ଡା ପଡ଼ିଗଲା- ଖସା ତେଲରେ ବାଇଡ଼ଙ୍କ ବିଷ ହରେ । ଅବଧାନେ ଟିକିଏ ସାଷ୍ଟମ ହେଲେଣି । ଗାଁର ସବୁ ଲୋକେ ଜମା ହୋଇଥିଲେ । ପୁରୁଣା ପାଞ୍ଚଜଣ ଲୋକ ତନଖି କରିବାକୁ ବସିଗଲେ । କଥା କ’ଣ ? – କାଇଁ ଅବଧାନେ ଏପରି ହେଲେ । ପ୍ରତ୍ୟକ୍ଷ ଏବଂ ପାର୍ଶ୍ଵବର୍ତ୍ତୀ ପ୍ରମାଣ ଏବଂ ଅବଧାନଙ୍କର ପୂର୍ବ ବ୍ୟବହାର ଆଲୋଚନା କରିବାରେ ସାଫ୍ ଜଣାଗଲା, ଏଟା ରାଣ୍ଡିପୁଅ ଅନନ୍ତାର କାମ । ସାଫ୍ ପ୍ରକାଶ ପାଇଲା କି, ଅବଧାନେ ଯେ ବିଛୁଆତି ଛଡ଼ିରେ ପିଟିଥିଲେ, ତା’ ମନରେ ଥିଲା ରାଗ । ଆଜି ସକାଳେ ଯେମିତି ଅବଧାନେ ଟୁକୁଣାଏ ପାଣି ଆଣିବାକୁ କହିଲେ, ସେ ପୋଖରୀକୁ ଟୁକୁଣା ଘେନି ଯାଇ ଅଧଟୁକୁଣେ ଅଠାଳିଆ କାଦ ଭର୍ତ୍ତି କଲା । ଲୋକେ ଦେଖିଛନ୍ତି, ପୋଖରୀ ଅଡ଼ି ବଣ ଉପରେ ଯେ ବାଇଡ଼ଙ୍କ ଲତା ମାଡ଼ିଛି ସେଥିରୁ ଦୁଇପୁଞ୍ଜା ଫଳ ଆଣି ଖପରାକାତି ଖଣ୍ଡକରେ ଆଁଶୁ ସବୁ ଚାଞ୍ଛିଛି । ଟୁକୁଣାରେ ଅଧେ ଆଁଶୁ ମିଶାଇ ଦେଇ ଆଉ ଗୁଡ଼ାଏ ପତ୍ର ଖଣ୍ଡରେ ପୋଟଳା କରି ଅଣ୍ଟିରେ ଖୋସିଥିଲା । ଅବଧାନେ ଯେମିତି ପଦା ଆଡ଼େ ଯାଇଛନ୍ତି, ତାଙ୍କ ରନ୍ଧାଘରେ ଯେଉଁ ପାଣି କୁମ୍ଭେ ଥିଲା ସେଥିରେ ତାହା ମିଶାଇ ଦେଇ ପଳାଇ ଯାଇଛି । ଅବଧାନଙ୍କ ମନରେ ତ ଥିଲା ରାଗ । ବେତ ଧରି ଉଠି ପଡ଼ିଲେ, ମୁଁ ଆଜି ରାଣ୍ଡିପୁଅ ଅନ୍ତାକୁ ଦେଖିବି । ବାହାରିଲେ ଅନ୍ତା ଦୁଆରକୁ । ଗାଁ ଲୋକ ସମସ୍ତେ ମନା କରୁଛନ୍ତି- ରାଗବେଳେ ମଣିଷର ଥାନ ଜ୍ଞାନ ଥାଏ ନାହିଁ । ଖଣ୍ଡେ ବାଟରୁ ଡାକୁଛନ୍ତି, ଲୋ ଦେବକୀ ଗଉଡୁଣୀ । ଲୋକ ଦେବକୀ ଗଉଡୁଣୀ । ସେ ରାଣ୍ଡିପୁଅ ଅନ୍ତା ଅଳପାଇସିଆ କାହିଁ ? ସିଂହାଣୀ ସେତେବେଳକୁ ସବୁ କଥା ଶୁଣିଲେଣି । ପୁଅକୁ ଘର ଭିତରେ ଲୁଚାଇ ଦେଇ ଦାଣ୍ଡପିଣ୍ଡାରେ ବସିଥିଲେ । ଅବଧାନ କଥା କାନରେ ଯେମିତି ପଡ଼ିଛି, ଘର ଭିତରୁ ବାହାର କଲେ ସେଇ ମଇଁଷିମଣା ଠେଙ୍ଗା । କୁହାଟଟାଏ ମାରି ଡାକି ଦେଲେ, “ଆରେ ଅଳପାଇସିଆ । ମାହାନ୍ତି ଗୋଲାମ । ଡାକୁଣିଖିଆ, ନଈଶୁଆ । ମୋ ଗିରସ୍ତ ଥିଲା ସାଇବର ଜମାଦାର- ମୁଁ ସିଂହାଣୀ- ମୋତେ କହିବୁ ଦେବକୀ ଗଉଡୁଣୀ । ମୋ ପୁଅକୁ କହିବୁ ଅଳପାଇସିଆ । କିରେ ତୋତେ କିସ ଲାଗିଲାଣି କି ? ରହ ତ ମାହାନ୍ତି ଟୋକାକୁ ଦେଖେ ।” ସିଂହାଣୀ ମୁଣ୍ଡରେ ଲୁଗା ନାହିଁ- ଡେମ୍ଫେ ଡେମ୍ଫେ କେତେକେରା କଞ୍ଚା ପାକଲା ବାଳ ଫର୍ ଫର୍ ଉଡୁଛି । କାନ୍ଧରେ ଠେଙ୍ଗା । ସେହି ବିକଟାଳ ରଡ଼ି ଶୁଣି ଅବଧାନଙ୍କର ତ ପିଳେହି ପାଣି ହେଲାଣି । ସିଂହାଣୀର ଦେହବଳ ଅବଧାନଙ୍କୁ ଭଲ ଜଣା । ଦିନେ କ’ଣ ହେଲା କି ସକାଳଓଳିଆ ସିଂହାଣୀ ଗାଁକୁ ନଈବନ୍ଧ ଉପର ବାଟେ ଦହି ବିକି ଯାଉଛି । ତେତିକିବେଳେ ବିନୋଦ ବିହାରୀ ମନ୍ଦିର ମାରଣା ଷଣ୍ଢଟା ବିନ୍ଧିବାକୁ ତଡ଼ି ଆସିଲା । ସିଂହାଣୀ ଗୁମ୍ କରି ଛିଡ଼ା ହୋଇଯାଇ ଧରିଲା ଷଣ୍ଢ ଶିଙ୍ଗ । ମୁଣ୍ଡ ଉପରେ ପସରାରେ ତିନି ମାଠିଆ ଘୋଳ, ତାକୁ ଧରିବାକୁ ନାହିଁ । ଷଣ୍ଢ ଶିଙ୍ଗ ଧରି କଡ଼େଇ କଡ଼େଇ ବନ୍ଧଧାରକୁ ଘେନିଗଲା । ଯେମିତି ପେଲିଦେଇ ଶିଙ୍ଗ ଛାଡ଼ି ଦେଇଛି ଷଣ୍ଢ ତ ପୁଟୁଳି ପରି ଗଡ଼ି ଗଡ଼ି ଯାଇ ନଈ ଭିତରେ ପଡ଼ିଲା । ସେହିଦିନରୁ ଷଣ୍ଢ ଛୋଟା, ମାରଣାପଣିଆ ଛାଡ଼ିଲାଣି । ଏଟା ଅବଧାନଙ୍କ ଆଖି ଦେଖିବା କଥା । ଭୟରେ ଅବଧାନଙ୍କ ପଳାୟନ । ବାଘୁଣୀ ମୃଗକୁ ଗୋଡ଼ାଇଲେ ସେ ଯେମିତି ପଳାଏ, ଅବଧାନେ ସେହିପରି ପଡ଼ି ଉଠି ଧାଇଁଛନ୍ତି । ଆଣ୍ଠୁ ଗଣ୍ଠି ଛିଡ଼ି ଝର୍‌ଝର୍ ରକ୍ତ ବହୁଛି । ସିଂହାଣୀ କାନ୍ଧରେ ଠେଙ୍ଗା, ଭାଲୁକୁଣୀ ପରି ଅବଧାନ ପଛରେ ଧପ୍ ଧପ୍ କରି ଧାଇଁଛନ୍ତି । ଧାଇଁବା ବେଳେ ସେହି ବିଶାଳ ପେଟଟି ଦଲ୍ ଦଲ୍ ଶୁଭୁଛି । ହାତରେ ସେ ପିତଳବାହି ବଳାଗୁଡ଼ାକ ପାଏ ବାଟ ଯାଏଁ ଝମ୍ ଝମ୍ ଶୁଭୁଛି । ସିଂହାଣୀଙ୍କର ସେହି ରଡ଼ିରେ ଗାଁ କମ୍ପି ଯାଉଛି । ଅବଧାନେ ଗାଁ ମଝିରେ କେଉଁଠି ଅନ୍ଧାରରେ ମିଶିଗଲେ । ସିଂହାଣୀ ଡାକିଦେଲା, “ଆରେ କାଠଖିଆ ମାହାନ୍ତି ଗୋଲାମ । ମୋ ପୁଅକୁ କୁଆଡ଼େ ଲୁଚାଇଛୁ ଆଣି ଦେ । ଜାଣିଥା’ କାଲି ସକାଳେ ପିତଳବାହିରେ ତୋ ମୁଣ୍ଡ ଚୁନା କରିବି ।” ହେଲେ ଅବଧାନଙ୍କୁ ତହିଁ ଆରଦିନ ସକାଳଠାରୁ କେହି କେବେ ସେ ଗାଁରେ ଆଉ ଦେଖିନାହିଁ ।

ଆହୁରି ବି ପାଞ୍ଚ ଛ’ବରଷ ଗଲାଣି, ଅନ୍ତା ଲାଗି ଗାଁର ଅନେକ ଲୋକ ଅସ୍ଥିର । ତା’ର ଆଉ କିଛି ଅତ୍ୟାଚାର ନାହିଁ । ଖାଲି କାହାରି ବାଡ଼ିରେ ମକା, କାକୁଡ଼ି, କୋଳି, ଆମ୍ୱ, ବେଲ କିଛି ରହିବ ନାହିଁ, ଆଉ ସୁନା, ରୂପା ପଡ଼ିଥାଉ ଅନାଇବ ନାହିଁ । ହେଲେ ସେ ଯେପରି ଉତ୍ପାତିଆ, ସେହିପରି ବି ଭଲଲୋକ । ତାକୁ ରଗାଇଲେ ରକ୍ଷା ନାହିଁ । ସେ ଆଗେ ଦୁସ୍‌ମନ୍ ଘରର ଖୁମ୍ୱ ଆଉ କବାଟ ଭାଙ୍ଗେ । ମା’ ମନା କରିଛି କାହାରି ଦେହରେ ହାତ ଦିଏ ନାହିଁ । ଏଣେ ସାକୁଲା ସାକୁଲି ଟେକା ଟେକି କରି ତାକୁ ଦି’କଥା କୁହ, ତୁମ ଗୁହ କାଢ଼ିବ । କାହାରି ବାଡ଼ି ହଣା ଯାଉଛି ଅନ୍ତା ସେଠି ଦେଖୁଥିଲା- ତାକୁ ଯଦି କହିବ, “ବାପ ଅନ୍ତୁ ! ତୁ ନ ହେଲେ କାହାର ଗାଁ ଚଳିବ ।” ଆଉ କିଛି କଥା ନାହିଁ, ଧଇଲା କୋଡ଼ି । ଚାରିଜଣ ମଣିଷ ଦିନକେ ଯାହା ପାରିବେ ନାହିଁ, ପହରକ ଭିତରେ ଫୁଟେ ଗହୀରରେ ବାଡ଼ିଟାକୁ ତାଡ଼ି ପକାଇବ । ମୂଲିଆ ମିଳୁ ନାହିଁ, କାହାର ଘର ଛପରବନ୍ଦି ହୋଇ ପାରିଲା ନାହିଁ, ଧଇଲା ଅନ୍ତାକୁ- ସାକୁଲା ସାକୁଲି କରି କହିଲେ, ଦିନେ ଲାଗୁ, ଦି’ଦିନ ଲାଗୁ ସେ ଏକଲା ଗୋଟାଏ ଘର ଛାଇ ପକାଇବ । ରାମା ଭିଣାର ବାପ ମରି ଘରେ ପଡ଼ିଛି । ବାଡ଼ିରେ ମରିଛି ବୋଲି ତାକୁ କେହି ଉଠାଇବାକୁ ଆସିଲେ ନାହିଁ । ଅନ୍ତୁ ରାତି ଛ’ଘଡ଼ି ବେଳେ ଗାଁ ପାଖ ଦେଇ ଯାଉଥିଲା, ତାକୁ ସବୁ କହିଲା । ଆଉ କିଛି କଥା ନାହିଁ, ଏକଲା ହେଁସମିଶା କରି ମଡ଼ାକୁ କାନ୍ଧେଇଲା । ଅନ୍ଧାର ରାତି । ସେହି ସମୟରେ ବି ଗାଁରେ ବାଡ଼ି ପଡ଼ିଛି । ଅଧକୋଶେ ଦୂରରେ ମଡ଼ାମଶାଣିରେ ମଡ଼ାଟାକୁ ଫୋପାଡ଼ି ଦେଇ ନଈରେ ବୁଡ଼ିପଡ଼ି ବାହାରି ଅଇଲା । ଅନ୍ତା ବାଘ, ଭାଲୁ, ଭୂତ, ପ୍ରେତ, ସାପ, ବେଙ୍ଗ କାହାକୁ ଡରେ ନାହିଁ । ଅନ୍ତା ଲୋକଙ୍କ ବାଡ଼ିରୁ ଫଳକନ୍ଦ ଲୁଟିପାଟି ଖାଇବ, ହେଲେ ତାକୁ କିଛି ଖାଇବାକୁ ଯାଚ, ରାଗି ଘରଦୁଆର ଭାଙ୍ଗିବ ।

ବିନ୍ଧିଆ ଚନ୍ଦ ଜଣେ ତନ୍ତୀ ମହାଜନ । ଆଠ ଦଶ- ହଜାର ଗଣିଦେବା ଲୋକ । ଲୁଗା କାରବାର କରେ । ଗୋଟାଏ ବଡ଼ ଦୋକାନଘର ତିଆରି କରୁଛି । ଚାରି ଆଡ଼େ ଖୁଣ୍ଟ ପଡ଼ି ଚଉକ ବୁଲି ଗଲାଣି । ମଝି ଖମ୍ୱ ଯୋଡ଼ାକ ଅଠର ହାତି । ଭାରୀ ମୋଟା ଶାଳଗଅଳ । ଦଶଜଣ ଲୋକ କଷାକଷି କରି ମଝି ଖମ୍ୱ ଛିଡ଼ା କରି ପାରୁନାହାନ୍ତି । ଜଣେ ହସି ହସି କହିଲା, “ଆମେ ଏତେ ପାରୁ ନାହୁଁ, ରାଣ୍ଡିପୁଅ ଅନ୍ତା ହେଲେ ଏକଲା ଖମ୍ୱଯୋଡ଼ାକ ଉଠାଇ ଛିଡ଼ା କରିଦିଅନ୍ତା ।” ଘଟଣା ଦେଖ, ତେତିକିବେଳେ ଅନ୍ତା ଦାଣ୍ଡରେ ଯାଉଥିଲା । ବିନ୍ଦିଆ ତନ୍ତୀ ଡାକିଦେଲା, “ଆରେ ଅନ୍ତା ! ଏ ଯୋଡ଼ାଏ ଖମ୍ୱ ଉଠାଇ ଦେ’, ତୋତେ ଦି’ଟଙ୍କା ଖଜାଖିଆ ଦେବି ।” ଆଉ ଯାଏ କାହିଁ ? ରେ ଶଳା ତନ୍ତୀ । ମୁଁ ତୋର ଗୋଲାମ । ତୋର ମୂଲ ଲାଗିବି । ଧାଇଁଲା ମାରିବାକୁ । ତନ୍ତୀ ତ ଡରରେ କୁଆଡ଼େ ପଳାଇଲାଣି । ଦଶଜଣଲୋକ କୋଡ଼ିଏ ଦିନ କାମ କରି ଯେତେ ଖମ୍ୱ ପୋତି ଛିଡ଼ା କରାଇଥିଲେ, ସବୁଗୁଡ଼ାକ ଘଣ୍ଟାକ ଭିତରେ ଉପାଡ଼ି ପକାଇଲା । ହେଲେ, ଜଣାଶୁଣା ଲୋକେ ଅନ୍ତାଠାରୁ ଢେର୍ କାମ କରାଇ ନିଅନ୍ତି । ରୋଜି ରୋଜି କାହାରି ହେଲେ କିଛି ପାଇଟି କରି ଦେଇ ଆସେ । ବିନ୍ଦିଆ ତନ୍ତୀ ଗାଁର ଭଲଲୋକ ପାଖରେ ଅନନ୍ତା ନାମରେ ଗୁହାରି କରି ଓଲ୍‌ଟା ଗାଳି ଶୁଣିଲା ।

ବିନୋଦରାଏପୁର ଭାର୍ଗବନଦୀର ଉତ୍ତରକୂଳରେ । ନଦୀ ଗର୍ଭଠାରୁ ଗାଁଟା ଅତି ଅଳ୍ପ ଉଞ୍ଚା । ବଢ଼ିପାଣିରୁ ଗାଁ ରକ୍ଷା ନିମନ୍ତେ ସରକାର ବାହଦୂର ଗୋପାଳପୁର କତିରୁ ରାମନଗର ଯାଏ ଅଠର ମାଇଲ ଲମ୍ୱା କୋଡ଼ିଏ ହାତ ଓସାର ଦଶ ହାତ ଉଞ୍ଚା ଗୋଟାଏ କୂଳବନ୍ଧ ପକାଇଛନ୍ତି । ସେ ବନ୍ଧ ଯୋଗୁଁ ନଈକୂଳିଆ ଢେର୍ ଗାଁ ଆଉ ବିଲବାଡ଼ି ରକ୍ଷାପାଏ । ବିନୋରାଏପୁର ଗୋଟିଏ ବଡ଼ ଧନବନ୍ତ ଗାଁ । ଗାଁ ତଳେ କଳିନ୍ଦବିଲ ଢେର୍ । ଗାଁରେ ପ୍ରାୟ ଦୁଇଶ’ ଘର ବସ୍ତି । ସମସ୍ତେ ଥିଲା ଲୋକ । କେହି କାକୁ ଆଦୁର୍ଯ୍ୟା ହୁଏ ନାହିଁ । ସରକାରୀ ବଡ଼ ବଡ଼ ଅମଲା, ସ୍କୁଲ୍ ମାଷ୍ଟର, କାରବାରିଆ, ମହାଜନ, କଲକତିଆ ଚାକିରୀଆ ଢେର୍ ।

ଅଶିଣ ମାସ । ଦୁର୍ଗାପୂଜା ସମୟ । ବିଦେଶିଆ ସବୁ ଘରକୁ ଆସିଛନ୍ତି । ନାଚ ତାମସା, ଖିଆପିଆ ଦିନ ରାତି ଲାଗିଛି । ଗାଁଟା ଆନନ୍ଦରେ ଭାସୁଛି । ଫି ବର୍ଷ ଏହି ସମୟରେ ଗାଁଟାରେ ବଡ଼ ଜାରି ହୁଏ । ଷଷ୍ଠୀ ବେଲବରଣ । ସକାଳିଆ ଉତ୍ତର ଦିଗରୁ ଖଣ୍ଡେ ମେଘ ଦେଖାଗଲା । ସୂର୍ଯ୍ୟ ଉଇଁ ମେଘରେ ଡୁବିଗଲେ । ମେଘଟା ଦେଖୁ ଦେଖୁ ଆକାଶଯାକ ଘୋଟିଗଲା । ସଙ୍ଗେ ସଙ୍ଗେ ପବନ । ବୁଢ଼ା ଗୋବିନ୍ଦ ପଣ୍ଡେ କହିଲେ, “ଆରେ ବାପା !” ଡାକଋଷି କହିଛନ୍ତି-

“ହସି ପଶେ-ଉଇଁ ନ ଦିଶେ,

ବାପ ବ

ୋଲେ ପୁତା, ନିଶ୍ଚେ ବରଷେ ।

ଆଜି ଜାଗ୍ରତ ଥାଅ, ନିଶ୍ଚେ ବରଷା ହେବ ।” ପଣ୍ଡାଙ୍କ ମୁହଁ କଥା ମୁହଁରେ ଅଛି- ଟପ୍ ଟପ୍ ଟପର୍ ଟପର୍ କରି ପକାଇଲା ପାଣି, ଯେ ବର୍ଷୁଛି ସେହି ବର୍ଷୁଛି । ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ ସଞ୍ଜ ହେଲା, ପାଣି ଛାଡ଼ିବାକୁ ନାହିଁ, ଯେଉଁଠିକା ମଣିଷ ସେଇଠି ବସିଛନ୍ତି । ଶଏବର୍ଷର ବୁଢ଼ାମାନେ କହୁଛନ୍ତି, ଏପରି ବର୍ଷା କେବେ ଦେଖା ନ ଥିଲା । ଗାଁରୁ ପା ଭାଗ ଘରର କାନ୍ଥ ଧୁପ୍ ଧାପ୍ କରି ପଡ଼ିଗଲାଣି, ଦିନରାତି ପାଣି ପବନ ଖାଉଛନ୍ତି । ଦଶରା ଦିନ ଯେମିତି ରାତି ପାହିଛି ଗାଁ ଗଲା, ଗାଁ ଗଲା, ଗାଁ ଗଲା ଚହଳ ପଡ଼ିଗଲା । ଆଉ କ’ଣ ଲୋକେ ଘରେ ରହିବେ ? ପାଛିଆ କୋଡ଼ି ଘେନି ବନ୍ଧକୁ ଧାଇଁଛନ୍ତି । ବଡ଼ସାନ ବିଚାର ନାହିଁ । ବ୍ରାହ୍ମଣ ପାଣ ଛୁଆଁ ଛୁଇଁ ହେଉଛନ୍ତି । ପାଛିଆ କୋଡ଼ି ଧରି ସମସ୍ତ ବନ୍ଧ ଉପରେ ହାଜର । ନଈ ଦକ୍ଷିଣକୂଳକୁ ଅନାଇବା ବେଳେ ଗୋଟା ସମୁଦ୍ର, ଆଉ କିଛି ନାହିଁ । ବଢ଼ି ପାଣି ବନ୍ଧ କାନେ କାନ । ନଈ ଭିତରୁ ପାଞ୍ଚ ହାତ ଉଚ୍ଚ ଗୋଟାଏ ଗୋଟାଏ ଲହରୀ ଆସି ଝଲକେ ଝଲକେ ପାଣି ବନ୍ଧ ଟପି ପଡୁଛି । ଯେଉଁଠି ଝଲକେ ପାଣି ଟପି ପଡୁଛି, କେହି କାହାକୁ କହିବାକୁ ନାହିଁ- ଶଏ ବୋଝ ମାଟି ପଡ଼ିଯାଉଛି । ବନ୍ଧମୂଳଟା କୋରି ଗୋଟାଏ ଗୋଟାଏ ପୋଖରୀ କରି ପକାଇଲାଣି । ଆଉ ଏଣେ କ’ଣ ହେଲାକି ଚାରିକୋଶ ତଳେ ରାମପୁର ମୁହାଣ ବାଟେ ପାଣି ବୁଡ଼ି ଆସି ଗାଁ ମୂଳକୁ ଲାଗିଲାଣି । ଗାଁ ତଳ ଗହୀରଗୁଡ଼ାକ ସମୁଦ୍ର ପରି ଜଳମୟ । ବନ୍ଧର ପାଣି ନ ଟପିଲେ ବି ତଳ ପାଣି ଆସି ଗାଁକୁ ଭସାଇ ନେବ । ପାଣିଟା ଯେମିତି ହୁ ହୁ କରି ବଢୁଛି ଗାଁ ଭିତରେ ପାଣି ପଶିଲା ବୋଲି । ଘରେ ଆଉ ରନ୍ଧାବଢ଼ା କ’ଣ ହେବ ? ତୀର୍ଲାଗୁଡ଼ାକ ଘରୁ ବାହାରି ଆସି ଶଙ୍ଖ ହୁଳହୁଳି ପକାଉଛନ୍ତି । ଶଙ୍ଖ, ହୁଳହୁଳି, ହରିବୋଲ, କାନ୍ଦଣାରେ ଗାଁଟା ଉଛୁଳି ପଡୁଛି । ସୂର୍ଯ୍ୟ ଡୁବେ ଡୁବେ । ଗାଧୁଆ ତୁଠ ବାଟେ ଗାଁକୁ ପଶିଲା ପାଣି । ଦେଖୁ ଦେଖୁ ପାଞ୍ଚହାତ ଗହୀର ହୋଇଗଲା । ଚଉଡ଼ାଟା ବି ବେଳକୁବେଳ ବଢ଼ି ଯାଉଛି । ପିଚକାରୀ ମୁହଁରୁ ପାଣି ବାହାରିଲା ପରି ବେଗରେ ପାଣି ଗାଁକୁ ଧାଉଁଛି । “ହରିବୋଲ, ହରିବୋଲ”- ଗଲା, ଗଲା । ଆଉ କିଛି କଥା ନାହିଁ । ଉଛୁଣି ସମୁଦ୍ରରେ ସମସ୍ତଙ୍କୁ ଯାକିଦେବ । ପାଣିସୁଅ ବନ୍ଦ ପାଇଁ ଶ’କୁ ଶ’ ବୋଝ ମାଟି ପଡୁଛି, ମାତ୍ର ମୁଠାଏ ବି ରହୁନାହିଁ, ସୁଅ ଭସାଇ ନେଉଛି । ଏତେ ଯେ କାଣ୍ଡ-ଅନ୍ତାର କାହିଁରେ ଚିନ୍ତା ନାହିଁ । ସକାଳୁ ଭିଜି ଭିଜି ଗାଁର ଚାରିପିଠି ବୁଲୁଛି । ଲୋକମାନଙ୍କ ବାଡ଼ିରୁ ଗଛମିଶା ମକା କାକୁଡ଼ି ଭାସି ଆସୁଛି, ତାହା ସବୁ କେବଳ ଅଣ୍ଟାରେ ପୂରାଉଛି । ଯେତେବେଳେ ଗାଧୁଆ ତୁଠ କତିରେ ଭାରି ହୁରି ପଡ଼ିଲା, ତେତେବେଳେ ହସି ହସି କ’ଣ ହେଉଛି ମଜା ଦେଖିବା ପାଇଁ ଧାଇଁଲା । ଦେଖିଲା ଯେ ଗାଁକୁ ଗୋଟାଏ ଭାରି ପାଣିସୁଅ ଧାଇଁଛି । ଶୁଣିଲା ଯେ ଗାଁ ଭାସଯିବ । ଭଲ କରି ଅନାଇ ଧାଇଁଲା ଗାଁ ଭିତରକୁ । ବିନୋଦ ବିହାରୀ ଠାକୁର ସିଂହଦୁଆର କବାଟଟା ପାଞ୍ଚହାତ ଉଞ୍ଚା, ଚାରିହାତ ଚଉଡ଼ା । ତାକୁ କାଢ଼ି ପକାଇ ମୁଣ୍ଡାଇ ଧାଇଁଛି । ଦାଣ୍ଡପାଖରେ ପାର୍ବତୀ ମା’ର ମେଲରେ ଗୋଟାଏ ଢେଙ୍କି ପଡ଼ିଛି ତାକୁ ଜଣା । ଢେଙ୍କି କାଢ଼ି କାଖେଇଲା । ମୁହାଁରେ କବାଟଟାକୁ ଆଡ଼ କରି ଠିଆ କରି ଦେଇ ଢେଙ୍କିଟା ଠେକେଇ ଦେଲା । ଆଉ ପିଠି ଭିଡ଼ି ଦେଇ କବାଟଟାକୁ ପେଲି ଧରିଲା । ତାହା ବାଦ୍ ପାଟି କଲା, ପକାଅ ମାଟି, ପକାଅ ମାଟି । କେବଳ ଡାକୁଛି, ପକାଅ ମାଟି, ପକାଅ ମାଟି, ପକାଅ ମାଟି । କବାଟ ଦୁଇ ପାଖରୁ ଶ’ ଶ’ ମାଟି ଝୁପ୍ ଝୁପ୍ ପଡୁଛି, ଅନ୍ତା ଛାତି ଯାଏ ମାଟି ହେଲାଣି, ଡାକୁଛି ଅନ୍ତା, ବେକ ପୋତି ଗଲାଣି, ସେଥିକି ତା’ର ନଜର ନାହିଁ । ଯେତେବେଳେ ଓଠ କତିରେ ମାଟି ପଡ଼ିଲା- ଦୁଇଥର ଡାକି ଦେଲା, “ହରିବୋଲ, ଦିଅ, ମାଟି ପକାଅ ।” ଆଉ ଅନ୍ତା ପାଟି ଶୁଭିଲା ନାହିଁ । ମାଟି ସେହିପରି ପଡୁଛି । ପାଣି ସୁଅଟା ବନ୍ଦ ହୋଇଗଲା । ଲୋକମାନଙ୍କର ଭରସା ହେଲା, ଟିକିଏ ନିଶ୍ୱାସ ପକାଇଲେ । ତେତେବେଳେ ଖୋଜିଲେ ଅନ୍ତା କାହିଁ ? ଆଉ ଅନ୍ତା ? ତା’ ମୁଣ୍ଡ ଉପରେ ଦି’ ହାତ ମାଟି । ଡାକ ପଡ଼ିଗଲା ଧନ୍ୟ ଧନ୍ୟ ରାଣ୍ଡିପୁଅ ଅନ୍ତା । ପିଲା, ବୁଢ଼ା, ମାଇକିନିଆ, ମର୍ଦ ଗାଁ ହଜାର ଲୋକ ସମସ୍ତେ ହରିବୋଲ ଦେଉଛନ୍ତି, ସମସ୍ତେ କହୁଛନ୍ତି- “ଧନ୍ୟ ଧନ୍ୟ ରାଣ୍ଡିପୁଅ ଅନ୍ତା । ଦଇବ ଯୋଗେ କ”ଣ ହେଲା କି ବର୍ଷା ବନ୍ଦ । ନଈରୁ ଫୁଟେ ପାଣି ଖସି ପଡ଼ିଲାଣି । ଅନ୍ତା ମା’ ପିଣ୍ଡାରେ ବସିଥିଲା । ହୁରି ଆନନ୍ଦ ଶୁଣି କହିଲା, “କ’ଣ ହେଲା ଦେଖେ ।” ପୁଅଟା ବି ଆସିଲା ନାହିଁ, ଡାକି ଆଣେ । ତା’ ସ୍ୱାମୀର ଠେଙ୍ଗା କାନ୍ଧରେ ପକାଇଲା । ଘର ଦୁଆରଟା କିଳି ଦେଇ ବାହାରିଲା । ଯେମିତି ଦାଣ୍ଡରେ ଯାଉଛି- ଶୁଣିଲା ଯେ ସମସ୍ତେ କହୁଛନ୍ତି, “ଧନ୍ୟ ଧନ୍ୟ ଅନ୍ତା ।” ସମସ୍ତେ ତା’ ଗୋଡ଼ ତଳେ ପଡ଼ି କହୁଛନ୍ତି, “ଧନ୍ୟ ଧନ୍ୟ ତୋ ପୁଅ ।” ସିଂହାଣୀ ସଳଖେ ସଳଖେ ତୁଠ କତିକୁ ଚାଲିଗଲା । ସବୁ ଶୁଣିଲା, କାହାକୁ କିଛି କହିଲା ନାହିଁ । ବନ୍ଧ ଚାରିପାଖ ବୁଲି ଦେଖିଲା । ବନ୍ଧ ମଝିକୁ ଅନାଇଛି, ଚାରିପାଖ ବୁଲୁଛି । ତୁଠ ମଝିକୁ ନଜର ଅଛି, ନଈ ଆଡ଼କୁ ପିଠି । ବନ୍ଧ ତଳେ ଯେ ଦଶହାତ ପାଣି ତାକୁ ତ ସେ କଥା ଅଜଣା । ଯେମିତି ନଈ ଆଡ଼କୁ ବୁଲି ଯାଇଛି, ଧପାସ୍ କରି ଗୋଟାଏ ଶବ୍ଦ ହେଲା । ହାଁ କ’ଣ ହେଲା କହି ଲୋକମାନେ ଦି’ଟା ଚାରିଟା ମଶାଲ୍ ଆଲୁଅ ନଈକୁ ଦେଖାଇଲେ । କୂଳଠାରୁ ପାଞ୍ଚ ହାତ ଦୂରରେ ପାଣି ଭିତରେ ଗୋଟାଏ ଗାତରେ ମେଞ୍ଚାଏ ଫେଣ ଭଉଁରୀଟିଏ ବୁଲୁଛି, ଦଶ ହାତ ତଳକୁ ଖଣ୍ଡିଏ ବାଉଁଶ ବାଡ଼ି ଭାସି ଯାଉଛି ।


Rate this content
Log in

Similar oriya story from Classics