Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କି ବନ୍ଧୁ
କି ବନ୍ଧୁ
★★★★★

© Paramita Mishra

Drama

3 Minutes   14.7K    9


Content Ranking

କି ବନ୍ଧୁ

ପରମିତା ମିଶ୍ର

     ବଡ ବଜାର ଗଳିରେ ବୁଲୁବୁଲୁ ସେଦିନ ହଠାତ୍‍ ଚିତ୍ରା ସହ ଦେଖା ହୋଇଗଲା । ଉଦୁଉଦିଆ ଖରାବେଳଟାରେ ଛୁଆଟେ କାନ୍ଧରେ ଧରି ଫଳ କିଣୁଥିଲା । କଟି ଯାଏଁ ଲମ୍ବା କେଶ, କଙ୍କାଳକୁ ଘୋଡାଇ ରଖିବାକୁ ଛିଟ ଛିଟ ସିଫନ ଶାଢି ଖଣ୍ଡେ ପିନ୍ଧିଛି, ଆଖି ତଳେ ଏଡେ ବଡ ବଡ କଳା ଦାଗ । ଏ ତ ସପୂର୍ଣ୍ଣ ଅଲଗା ଚିତ୍ରା ! ହସଟି ନଥିଲେ ତାକୁ ଚିହ୍ନି ବି ହେବନି । ତା ପାଖକୁ ଦୌଡିଗଲି । ଭାରି ଖୁସି ଲାଗିଲା ତାକୁ ଦେଖି । ସ୍ୱାଭାବିକ କଥା, ପିଲାବେଳର ସାଙ୍ଗ ଆମେ । ଏତେଦିନ ପରେ ଦେଖିଲି ତାକୁ । ତା ମୁହଁରେ ତା’ର କିଛି ଅସାମଞ୍ଜସ୍ୟ ଥିଲା; କିନ୍ତୁ ମୁଁ ଲକ୍ଷ୍ୟ କରିପାରିଲିନି । ମୁହଁରେ ଆଉ ସେ ହରସ ନାହିଁ । କହିଲା ତା ଛୁଆକୁ ଜର, ମେଡିକାଲ ଯାଇଥିଲା ।

     ପିଲାଦିନୁ ତାକୁ ଜାଣିଛି ମୁଁ, ଏକ୍‍ଦମ୍‍ ବିନ୍ଦାସ ଝିଅ ସେ । ସତ କହିବାକୁ କେବେ ପଛାଏନି । କାହାକୁ ଖାତିର ନଥାଏ । ନିଜ ଜୀବନ ନିଜ ଇଚ୍ଛାରେ ବଞ୍ଚିବାକୁ ପସନ୍ଦ କରୁଥିଲା ସେ । ଆଜି କିନ୍ତୁ ମୁଁ ଯାହାକୁ ଦେଖୁଚି ସେ ତ ଆଉ କିଏ । ପାଠପଢା ପରେ ମୁଁ ବାହାରକୁ ଚାକିରି ପାଇ ଚାଲିଗଲି, ଆଉ ଦେଖା ହୋଇନି ଯେ ଯାଇ ଏବେ ଦେଖିଲି । ଏମିତି କଥା ହେଉହେଉ ସେ କହିଲା ଏଇଠି ତା ଘର । ସେ ତ ଭଦ୍ରାମି ଦୃଷ୍ଟିରେ କେବେ ଆସିବୁ କହିଲା; କିନ୍ତୁ ମୁଁ ସେହିକ୍ଷଣି ତା ସହ ତା ଘରକୁ ଚାଲିଗଲି । ସେ ନ ଡାକିଲା ପରି ଡ଼ାକିଲା; କିନ୍ତୁ ମୁଁ ସତସତିକା ଚାଲିଗଲି । ଚିତ୍ରା କିଛି ଦ୍ୱନ୍ଦ୍ୱରେ ମତେ ସାଙ୍ଗରେ ନେଇ ଗଲା। ବୈଠକଘରେ ବସେଇଦେଇ ଝଟ କରି ପାଣି ଗିଲାସେ ଧରେଇଦେଲା ଯାହା । ଥରେ ଭିତରକୁ ଗଲା ଯେ ଆଉ ଆସିଲାନି । ମତେ ଭାରି ରାଗ ମାଡିଲାଣି, ଇଏ କ’ଣ ଭଦ୍ରାମି ଚିତ୍ରାର ?  କାହିକି ଡାକୁଥିଲା ତା’ହେଲେ ? କିଛି ସମୟ ପରେ ଜଣେ ବୟସ୍କ ବ୍ୟକ୍ତି ଆସିଲେ । ତାଙ୍କୁ ମୁଁ ପ୍ରଣାମ କଲି; ସେ କିନ୍ତୁ ଏମିତି ଏକ ବ୍ୟଙ୍ଗାତ୍ମକ ହସ ହସିଲେ, ମତେ ଅସହଜ ହେଉଥିଲା; ତଥାପି ମୁଁ ଚୁପ‍ଚାପ ବସିଗଲି ।

     ତା’ର କିଛି ସମୟ ପରେ ଜଣେ ପୁରୁଷ ଆସିଲେ ଆଉ ତାଙ୍କ ପଛେପଛେ ଚିତ୍ରା । କିନ୍ତୁ ସେ ଏପଟକୁ ନଆସି ପରଦା ପଛରେ ଠିଆହୋଇ ରହିଲା । ପୁରୁଷ ଜଣକ ଚିତ୍ରାର ସ୍ୱାମୀ ଜାଣିଲା ପରେ ମୁଁ ହାତ ମିଶାଇବାକୁ ହାତ ବଢାଇଲି । ସେ ହାତ ମିଶାଉ ମିଶାଉ କହିଲେ, “ଓ... ତମେ ତା’ହେଲେ ଚିତ୍ରାର ସେଇ ପୁରୁଣା ବନ୍ଧୁ !” କଥା ଟା ସତ; କିନ୍ତୁ କହିବାର ଢଙ୍ଗଟି ବିଚିତ୍ର ଥିଲା । କିନ୍ତୁ ମୁଁ  ହସିଦେଲି ଟିକେ । ବାସ, ଆଉ କିଛି ସମ୍ବାଦ ନାହିଁ । ମତେ ଆଉ ଜାଣିବାକୁ ବାକି ରହିଲାନି ଚିତ୍ରାର ସ୍ୱାମୀଙ୍କ ମାନସିକତା । ତେଣୁ ସେଠୁ ଚାଲିଯିବାଟା ହିଁ ଶ୍ରେୟ ମନେହେଲା । ଉଠିକି ଯିବାକୁ ବାହାରିଲି ତ ଚିତ୍ରା ସେଇ ପର୍ଦା ପଛରୁ ମୁହଁଟା କାଢି କହିଲା, “ରହିଲୁନି ଆଜି ଖାଇକି ଯାଇଥାନ୍ତୁ !” ତା କଥା ଶୁଣି ହସ ଲାଗିଲା । ପିଲାବେଳ କଥା ମନେପଡିଗଲା । ସବୁବେଳେ ଚିତ୍ରାର ମା’ କେବେ ନଖୁଆଇ ଛାଡନ୍ତିନି । ଚିତ୍ରାର ମୁହଁକୁ ଚାହିଁଲି, ସେ ଯେମିତି କହୁଚି, “ଜଲଦି ଯାଆ ଏଠୁ ।“ ମୁଁ ସେଠୁ ଜଲଦି ଯିବାକୁ ଲାଗିଲି । ବାହାରକୁ ଯାଇ ହଠାତ ମୋ ଫୋନଟା ଆଣିବାକୁ ପୁଣି ଭିତରକୁ ଗଲି ତ ସେଠିକାର ମାହୋଲ ହିଁ ଅଲଗା ଥିଲା । ଚିତ୍ରାର ଶାଶୁ ବହୁତ ଜୋରେ କହୁଥିଲେ ପୁଅକୁ, “ଆରେ ବୋହୁର ପୁଣି ବନ୍ଧୁ, ସାହି ପଡିଶା ଲୋକ କ’ଣ କହିବେ ଜାଣିଛୁ ? ଇଏ ତ ମେଡିକାଲ ଯାଇଥିଲା, ପୁଣି ଏ ବନ୍ଧୁ କୋଉଠୁ ପାଇଲା କିରେ ?” ଚିତ୍ରା ଏବେ ବି ସେଇ ପରଦା ପଛରେ ହିଁ ଠିଆହୋଇଥିଲା । ମୁଁ ହଠାତ ଆସିବାର ଦେଖି ସଭିଏଁ ଚାହିଁରହିଲେ । ଚିତ୍ରାର ସ୍ୱାମୀ କହିଲେ, “ଆଜି ବୋଧେ ଯିବାକୁ ଇଚ୍ଛା ହେଉନି ଆପଣଙ୍କୁ !” ମୁଁ ଚିତ୍ରା ଆଡକୁ ଚାହିଁ ମୋ ଫୋନଟି ଉଠେଇ ସେଠୁ ବାହାରିଆସିଲି ।

     ସତରେ ମତେ ବଡ ଗ୍ଳାନି ବୋଧହେଉଥିଲା । ସେଠୁ ଆସିଲାବେଳେ ମୁ ଠିକ ଲକ୍ଷ୍ୟ କରିଥିଲି ଚିତ୍ରାର ଆଖିରେ ଜକେଇଆସିଥିବା ଲୁହକୁ ଆଉ ପରଦା ପଛରେ ଲୁଚେଇ ରଖିଥିବା ହାତଟିକୁ ବି । ଭାବୁଥିଲି ଇଏ କ’ଣ ସେଇ ଚିତ୍ରା, ଯିଏ ମୋ କାନ୍ଧରେ ହାତ ରଖି “ରେ ସାଙ୍ଗ” ବୋଲି କହୁଥିଲା ? ଆଜି ପ୍ରଥମ ଥର ତା ଆଖିରେ ଡର ଦେଖିଲି । ଆଜି ମୋ ପାଇଁ ବିଚାରୀ ଚିତ୍ରାକୁ କେତେ କ’ଣ ସହିବାକୁ ପଡିଲା, ଆହୁରି ପଡିବ ମଧ୍ୟ । ଚିତ୍ରା ଶାଶୁଙ୍କ କଥାଗୁଡାକ କାନ ପାଖରେ ଶୁଭିଯାଉଥିଲା, “କି ଯୁଗ ହେଲା ଲୋ ମା’... ଆଜିକାଲି ବୋହୁର ପୁରୁଷ ବନ୍ଧୁ ଘରକୁ ଆସିଲେଣି ! ସାହିରେ ଆଉ ମୁହଁ ଦେଖେଇ ରହିହେବନି ।“

     ଆଜି ମୋର ବୋଧେ ଏଠିକି ଆସିବାର ନଥିଲା । ଚିତ୍ରାର ଡାକିବା ପଛର “ନା”ଟିକୁ ମୁଁ ବୁଝିପାରିନଥିଲି ନ। ବନ୍ଧୁ ଭାବି ଆସିଗଲି ? ଆଜି ବି ଆମେ ସେଇ ସମାଜରେ ବଞ୍ଚୁ, ଯେଉଁଠି ଦୁନିଆ ଚାନ୍ଦରେ ଘର କରିବା ସ୍ୱପ୍ନ ତ ଦେଖୁଚି; କିନ୍ତୁ ସମାଜର ବଡ ବଡ ଠିକାଦାରମାନେ ଆଜି ବି ଝିଅଟିର ବନ୍ଧୁଙ୍କୁ “କି ବନ୍ଧୁ” ବୋଲି ଏକ ଘୃଣିତ ନଜରରେ ଦେଖନ୍ତି ଆଉ ଝିଅଟି ଯଦି ବୋହୁ ହୋଇଥାଏ, ତେବେ ତ କଥା ସରିଲା !

*****

ମନୁଷ୍ୟ ଭଗବାନଙ୍କର ସବୁଠୁ ଶ୍ରେଷ୍ଠ ଆବିଷ୍କାର । କିନ୍ତୁ ମନୁଷ୍ୟର ସଙ୍କୁଚିତ ମାନସିକତା ତାକୁ ସବୁଠୁ ଛୋଟ କରିଦେଇଚି ।

Rate the content


Originality
Flow
Language
Cover design

Comments

Post

Some text some message..