ଜୀବନ ପୃୃଷ୍ଠାରୁ ଫର୍ଦେ
ଜୀବନ ପୃୃଷ୍ଠାରୁ ଫର୍ଦେ
1992 ମସିହା କଥା ।ପ୍ରଥମ କରି ଆମେ କଟକ ଟାଉନରେ ଆସି ରହିଥାଉ ।ସ୍ୱାମୀ ସରକାରୀ ଛାପାଖାନା ପାଖରେ ଘଣ୍ଟା ଦୋକାନଟିଏ କରିଥାନ୍ତି । ବହୁତ ଲୋକ ଆସନ୍ତି ଆଉ ଯାଆନ୍ତି । ମୋ ସ୍ଵାମୀଙ୍କର ସରଳ ବ୍ୟବହାର ପାଇଁ କେତେ ଜଣ ଲୋକ ନିୟମିତ ଗରାଖ ମଧ୍ୟ ଥିଲେ । ସେମାନଙ୍କ ଭିତରୁ ସ୍ମୃତି ରଞ୍ଜନ ହୋତା ବୋଲି ଗୋଟିଏ ଛୋଟ ପିଲାଟିଏ ବି ଥିଲା ଯେ କି ଆଇ.ଟି. ଆଇରେ ଇଲେକ୍ଟ୍ରୋନିକ୍ସ ପାଠ ପଢୁଥାଏ ।ଘର ଢେ଼ଙ୍କାନାଳ ହୋଇ ଥିବାରୁ ହଷ୍ଟେଲରେ ରହିଥାଏ । ବେଳେବେଳେ ଆମ ଘରକୁ ଯା ଆସ ବି କରେ ।
ଦିନକର କଥା । ମୋ ସ୍ୱାମୀ ଭାରି ଉଦାସ ଜଣା ପଡୁଥାନ୍ତି ।ଖାଇବା ଅଧାରୁ ବି ଉଠିଗଲେ । ମୋ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ । କାରଣ କଣ ଜାଣିବା ପାଇଁ । ସାହସ ସଞ୍ଚୟ କରି ପଚାରିଲି । କଣ ଖାଇବା ଭଲ ହୋଇନାହିଁ ,ଅଧାରୁ ଉଠିଗଲ ଯେ ?ସେ ମୋତେ କିଛି ନକହି ଚାଲିଗଲେ । ହେଲେ ମୋ ମନ ଭିତରେ ଅନେକ ପ୍ରଶ୍ନର ପାହଶୃଷ୍ଟି ହେବାରେ ଲାଗଥାଏ । ସଂଧ୍ୟାରେ ଚା’ ପିଇଲା ବେଳେ ପୁଣି ଥରେ ପଚାରିଲି । କଣ ହୋଇଛି, ଏତେ ବ୍ୟସ୍ତ ଜଣା ପଡୁଛ ଯେ ?ରାଗିକରି ସେ ମୋତେ ଉତ୍ତର ଦେଲେ ତୁମେ କଣ ସମାଧାନ କରିଦବ ? ମୋର ଉତ୍ତର ଥିଲା ଥରେ କହିକରି ତ ଦେଖ । ସେ କହିଲେ ଯୋଉ ପିଲାଟି ଆମ ଘରକୁ ଆସେ ଗଣ୍ଡ ଗୋଳ ଯୋଗୁଁ ତାଙ୍କ ହଷ୍ଟେଲ ବନ୍ଦ ହୋଇ ଯାଇଛି, ଏପଟ ଧର୍ମଘଟ ଯୋଗୁଁ ବସ୍ ବି ବନ୍ଦ । ଘର କୋଉଠି ମିଳୁନି ସେ କରିବ କଣ ?ତାଙ୍କ କହିବା ସରିବା ପୂର୍ବରୁ ମୁଁ କହିଲି "ଏଥିରେ ବିବ୍ରତ ହେବାର କଣ ଅଛି, ଆମ ଘରକୁ ନେଇ ଆସ ବସ୍ ଚାଲିଲେ ସେ ଘରକୁ ଯିବ ଭାରି । ମୋ ସ୍ୱାମୀଟିକେ ବିରକ୍ତ ହେଲେ,ଆଉ କହିଲେ ଛୋଟ ଛୁଆ ଘର ସେ ପିଆ ପିଇ କରେ ।ମୁଁ ତାଙ୍କୁ ବୁଝାଇବାକୁ ଚେଷ୍ଟାକଲି ଯେ ମୋ ବାପ କୁହନ୍ତି ପାପକୁ ଘୃଣା କର ପାପୀଙ୍କୁ ନୁହେଁ । ମୋ କଥା ସେ ଶୁଣିଲେ କି ନ ଶୁଣିଲେ ଜାଣିନି,ହେଲେ କିଛି ଉତ୍ତର ନ ଦେଇ ଘରୁ ଚାଲିଗଲେ।
ସଂଧ୍ୟା ଯେତେ ବଢୁଥାଏ ମୋ ମନର ଉତ୍କଣ୍ଠା ସେତେ ବଢି ଚାଲିଥାଏ । ରାତି ୧୦ଟା ବାଜିଲା,ତଥାପି ତାଙ୍କର ଦେଖା ନଥାଏ । ସେତେବେଳେ ଫୋନର ସୁବିଧା ବି ନଥାଏ । ସେ ଯାହା ହେଉ ସବୁ ଆଶଙ୍କାର ପରିସମାପ୍ତି ଘଟିଲା । ସେ ପିଲା ଓ ତା'ର ଜିନିଷ ପତ୍ର ଧରି ମୋ ସ୍ୱାମୀ ଆସିଲେ ଆଉ କହିଲେ ସେ କିଛି ଦିନ ଏଇଠି ଥାଉ । ସମସ୍ତେ ଖାଇ ପିଇ ଶୋଇ ପଡିଲେ । ମୋ ମନରେ କିନ୍ତୁ ବହୁତ ଡର ଥାଏ । ସ୍ୱାମୀ ମୋର ଜଳଖିଆ କରି ଦୋକାନ ଗଲେ। ପିଲାଟି ସେମିତି ଶୋଇଥାଏ । ୧୦ ବାଜି ସାରିଥାଏ । ତଥାପି ସେ ଉଠୁନଥାଏ । ଅତି ସନ୍ତର୍ପଣରେ ତାକୁ ଡାକିବାକୁ ଗଲି । ହେଲେ କ'ଣ ଡାକିବି ଭାବିଲା ପୂର୍ବରୁ ସେ ଉଠି ବସି ପଡିଥିଲା । ତାକୁ କହିଲି ଦାନ୍ତ ଘଷ ଜଳଖିଆ ଖାଇବ । ସୁନା ପିଲାଟିଏ ପରି ଦାନ୍ତ ଘଷି ଖାଇଲା ଓ ଖାଇସାରି ପୁଣି ମୁହଁ ମାଡି ଶୋଇ ପଡିଲା । ଏମିତି କଟିଗଲା ୪/୫ଦିନ । ମନରେ ଆଗ୍ରହ ବଢିଲା ତା ବିଷୟରେ କିଛି ଜାଣିବା ପାଇଁ । ଦିନେ ତାକୁ ପଚାରିଲି ତାଙ୍କ ଘର କଥା । କୋହ ଭରା କଣ୍ଠରେ ସବୁ କହିଗଲା ସେ । "ତିନି ଭାଇ,ଦୁଇ ଭଉଣୀ । ବାପା ଜଣେ ଶିକ୍ଷକ ସବୁ ଥାଇ ବି "ମୁଁ"କୁ ସଙ୍ଗରେ ପଡି ଗଲି ଯୋଉଥି ପାଇଁ ବାପା ଆଣି ମୋତେ ଆଇ ଟି ଆଇ ରେ ଛାଡିଛନ୍ତି ।" ସବୁ ଶୁଣିଲା ପରେ ମୋତେ ବହୁତ ଦୁଃଖ ଲାଗିଲା । ଆଉ ମୁଁ ବି ପଣ କଲି ଯେପରି ସେ ପିଲାଟିକୁ ପୁଣିଥରେ ସମାଜର ମୂଖ୍ୟ ଶ୍ରୋତକୁ ଫେରାଇ ଆଣିବି ।
ସବବୁଦିନ ପରି ସେଦିନ ବି ସନ୍ଧ୍ୟା ସମୟ । ପିଲାଟି ଡ୍ରେସ୍ ପିନ୍ଧି ବାହାରି ପଡିଲା ଆଉ ଠିକ୍ ସେତିକି ବେଳେ ମୋ ପାଟିରୁ ହଠାତ ବାହାରି ଆସିଲା "ସ୍ମୃତି ଆଜି ବାହାରକୁ ନଯାଇ ଏଇ ଅପା ସହ ଗପ ଶପ ହେଲେ ଚଳନ୍ତା ନି ?ସେ ଆଶ୍ଚର୍ଯ୍ୟ ହୋଇ ମୋ ମୁହଁକୁ କେବଳ ଚାହିଁ ଥିଲା ।ମୁଁ ହସି ହସି କହିଲି, କଣ ଅପା ପସନ୍ଦ ନୁହେଁ ?କାନ୍ଦି ପକାଇଲା ସେ ଆଉ କୋହ ଭରା କଣ୍ଠରେ କହିଲା ମୁଁ ବହୁତ ଖୁସି ଅପା ତୁମ ପରି ଅପାଟିଏ ପାଇ । ସମୟ ଗଡି ଚାଲିଲା,ବସ୍ ଧର୍ମଘଟ ବି ସରି ଯାଇଥିଲା । ପିଲାଟି ଘରକୁ ବି ଚାଲିଯାଇଥାଏ,ମନ ଭଲ ଲାଗୁନଥିଲା ବାହାରେ ଛିଡ଼ା ହୋଇଥାଏ ଜଣେ ପଚାଷ କି ପଞ୍ଚାବନ ବର୍ଷୀୟ ଲୋକ ଆସି ମୋ ସ୍ୱାମୀଙ୍କ ନାମ ପଚାରି ଆସୁଥିବାର ଦେଖିଲି । ପଚାରିଲି ଆଜ୍ଞା, କାହିଁକି ଖୋଜୁଛନ୍ତି ମୁଁ ତାଙ୍କର ସ୍ତ୍ରୀ ମୋତେ କୁହନ୍ତୁ । ମୋ ମୁହଁରୁ କଥା ସରିଛି କି ନାହିଁ ସେ ଧରିଥିବା ଜିନିଷକୁ ଥୋଇ ଦେଇ ମୋତେ କୁଣ୍ଢେଇ ପକେଇ କହୁଥିଲେ ଯୋଉ ଲକ୍ଷ୍ମୀକୁ ମୁଁ ଖୋଜୁଥିଲି ତାକୁ ହିଁ ତ ପାଇଗଲି।
ଟିକେ ଅଡୁଆ ଅଡୁଆ ଲାଗୁଥିଲା ।ତାଙ୍କୁ ତାଙ୍କର ପରିଚୟ ପଚାରିଲି, ଆଉ ସେ ଏକା ନିଶ୍ଵାସରେ କହିଦେଲ ଯେ ଯୋଉ ସ୍ମୃତିକୁ ତୁ ଆଠଦିନ ପାଖରେ ରଖି ଭଲ ମଣିଷ କରି ଦେଇଛୁ ତାରି ବାପା ମୁଁ । ଆଜି ଠାରୁ ତୁ ମୋର ଝିଅ । ସେଇ ଦିନ ଠାରୁ ସେ ହୋଇଗଲେ ମୋର ନନା,ଆଉ ସ୍ମୃତି ମୋର ସାନ ଭାଇ। ଆଉ ମୁଁ ଭାବୁଥିଲି ସତରେ ମୋ ବାପା ଠିକ୍ କହୁଥିଲେ ପାପକୁ ଘୃଣା କର ପାପୀକୁ ନୁହେଁ । ମୋର ଟିକିଏ ଭଲ ପାଇବା ବଦଳେଇ ଦେଲା ଜଣଙ୍କର ଜୀବନ ଫର୍ଦ୍ଦ ।
ମମତା ମଞ୍ଜରୀ ଦାସ, ବାଲିସାହି,କଟକ
ଦୂରଭାଷ ୯୭୭୭୪୭୩୨୭୭