Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମୁକ୍ତିର ବିଭୀଷିକା
ମୁକ୍ତିର ବିଭୀଷିକା
★★★★★

© Swagatika Mishra

Inspirational Tragedy

4 Minutes   1.6K    476


Content Ranking

ନୟନା ପରିଜା।ସାବନା ରଙ୍ଗ ହେଲେ କଣ ହେଲା ପୁରା ପିଲାଳିଆ ମୁହଁ।ଭାରି ଭଦ୍ର ନମ୍ର ଆଉ ସୁଶିଳା ହେଲେ ସାମାନ୍ୟ ଡ଼ରକୁଳି ଆଉ ନାକ କାନ୍ଦୁରି।ପ୍ରଥମେ ପ୍ରଥମେ ଗାଁରୁ ଏତେ ଦୂରରେ ଚାକିରୀ କରିବାକୁ ଅମଙ୍ଗ ହେଲେ ମଧ୍ୟ ବାପା ମାଆ ଙ୍କ ଆଗ୍ରହ ଆଉ ନିଜ ଗୋଡ଼ରେ ନିଜେ ଠିଆ ହେବା ଇଛା ଯୋଗୁ ଏ. ଆର.ଆଇ. ଭାବରେ ଯୋଗ ଦେଇଥିଲା ନୟନା।

ନିତି ଦିନିଆ ଜୀବନରେ ନୟନା ଅଫିସରେ ସେଦିନ ଦେଖିଲା ସାମାନ୍ୟ ଭିନ୍ନ ଦୃଶ୍ୟ।ତାର ବଢ଼ିଲା ଛାତି ଉପରେ ନଜର ପକାଉଥିବା ତା ଉପରିସ୍ତ କର୍ମଚାରୀ ଜଣଙ୍କ ବିଶ୍ୱ ନାରୀ ଦିବସ ଉପରେ ନାରୀ ମାନଙ୍କ ସମ୍ମାନ ପାଇଁ ଦେଇ ଚାଲି ଥାନ୍ତି ଲମ୍ବା ଚଉଡା ଭାଷଣ।ନାରୀ ମାନଙ୍କ ସ୍ୱାଗତ ପାଇଁ ସଦ୍ୟ ଗୋଲାପ ସାଙ୍ଗକୁ ମିଷ୍ଟାନ୍ନ ବଣ୍ଟନ।ଯଦିଓ ନୟନା କୁ ଏହି ଦୃଶ୍ୟ ଆଶ୍ଚର୍ଯ୍ୟ ଚକିତ କରିଥିଲା ତଥାପି ସେଦିନ ଅଭ୍ୟର୍ଥନାରେ ସାମାନ୍ୟ ସନ୍ତୋଷ ପ୍ରକାଶ କରିଥିଲା ସେ।

ଫେସବୁକ ଠୁ ହ୍ଵାଟ୍ସଆପ ପର୍ଯ୍ୟନ୍ତ ଶୁଭେଚ୍ଛାର ସୁଅ ସାଙ୍ଗକୁ ରାଜ ରାସ୍ତାରେ ମହିଳା ସସସ୍ତ୍ରୀକରଣ ପାଇଁ ଜୋର ଦାର ନାରବାଜି।ନାରୀ ନେତ୍ରୀ ମାନଙ୍କ ଭାଷଣ।ମୁଖସ୍ତ ମୁକ୍ତିର ମନ୍ତ୍ର।ମୂଳ ଲକ୍ଷ୍ୟ ବେଡି ମୁକ୍ତ ନାରୀ ଜୀବନ। ଅଭୟା ଆଉ ନିର୍ଭୟା ହେବାକୁ କହି କେହି କେହି ଗର୍ଜି ଉଠୁଥାନ୍ତି।ନାରୀ ପୁରୁଷ ସମାନ ବୋଲି ପ୍ରମାଣ ଦେବାକୁ ଯାଇ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଚାଲିଥାନ୍ତି।ଭିତରୁ ଭିତରୁ ନିଜ ଭୟର ପାହାଡ଼ ଉପରେ ଠିଆ ହେଇ ନୟନା ଦେଖୁଥାଏ ନିର୍ଭୟା ସ୍ବପ୍ନ।ଖୁସି ହେଉ ଥାଏ ନୟନା।ସେ ମଧ୍ୟ ଭିତରୁ ସ୍ୱାଗତ କରୁଥାଏ ଏହି ପରିବର୍ତ୍ତନର ଧାରାକୁ।

ହଠାତ ନାରୀ ନେତ୍ରୀ ଜଣଙ୍କ ସ୍ଲୋଗାନରେ ନିଜକୁ ସାମିଲ କରି ସ୍ଲୋଗାନ ଟାଏ ଦବାକୁ ଚେଷ୍ଟା କରୁ କରୁ କିଏ ଜଣେ ତା ଚୁଟି କେରାକୁ ଭିଡି ତାକୁ ଉଠେଇ ତା ଗାଲରେ ଶକ୍ତ ଚାପୁଡା ଟାଏ ଥୋଇଲା। ନିଦରୁ ବିକଳରେ ଉଠି ପଡିଲା ନୟନା।ଏ କଣ!ସେ କଣ ସ୍ବପ୍ନ ଦେଖୁଥିଲା!ଗାଲରେ ଶକ୍ତ ଚାପୁଡା ର ଦାଗ ସହ ଶହ ଶହ କ୍ଷତ ଦେହ ସାରା।ମୁଣ୍ଡଟା ଡାହାଣ ପାଖରୁ ଫାଟି ଯାଇ ନିଗିଡି ପଡିଛି ରକ୍ତ।ଭୀଷଣ ଯନ୍ତ୍ରଣା।ତାର ମନେ ପଡିଗଲା ଯେ ଗତ ଦୁଇ ଦିନ ଧରି ସେ ସୈତାନର କବ୍ଜାରେ।ଆଉ ସୈତାନ ର ଇଲାକାରେ ମୁକ୍ତିର ସ୍ବପ୍ନ ଗୋଟାଏ ପାପ।ଦୀର୍ଘ ଦୁଇ ଦିନ ଧରି ସେମାନେ ମକଚି ଚାଲିଛନ୍ତି ତା ଶରୀର।ଆଖି ଛଳ ଛଳ ହେଇ ଆସିଲା ନୟନାର।ଥରି ଥରି ଭୟରେ ପଛକୁ ଚାଲିଲା।ଆଖି ଆଗରେ ସୈତାନର ମୁହଁ ।ଦୋ ଦୋ ଚିନ୍ହଆ ହେଲା ନୟନା।ଲୋକଟାର ଅଫିସର କର୍ମଚାରୀ ସହ ଅଜବ ସାମଞ୍ଜସ୍ୟ।ଅର୍ଥାତ ତା ନିଜ ଅଫିସର କର୍ମଚାରୀ ହିଁ ତାକୁ ଅପହରଣ କରିଛନ୍ତି!ବୁଝିବାକୁ ବାକି ରହିଲାନି ନୟନାର।ତା ମୁହଁ ଉପରେ ପଡିଥିବା ଅଲରା କେଶକୁ ଆଡେଇ ଆଉ ଥରେ ସେ ସୈତାନକୁ ଦେଖିବାକୁ ଚେଷ୍ଟା କରିବା ଆଗରୁ ସୈତାନ ଟା ଝାମ୍ପି ପଡିଲା ତା ଉପରକୁ।ନୟନାର ବନ୍ଧା ହାତର ଦୁର୍ବଳ ଶକ୍ତି କିଛି କରି ପାରିଲାନି।ଝୁଣି ଚାଲିଲା ଦାନବ ଟା।ଆଉ କିଛି ଉପଭୋଗ କରିଚାଲିଲେ ସେ ଦୃଶ୍ୟ।

ବିଚରା ନୟନା କ୍ଷତାକ୍ତ,ରକ୍ତାକ୍ତ,ଆହତ,ଚେତାଶୂନ୍ୟ ପ୍ରାୟ ହେଇ ପଡ଼ିରହିଲା ଚଟାଣରେ।ଦୁର୍ବଳ ଲାଜକୁଳୀ ଡ଼ରକୁଳୀ ଆଉ ନାକ କାନ୍ଦୁରି ନୟନା ଅସ୍ପଷ୍ଟ ଭାବରେ ଗୁଣୁଗୁଣୁ ହଉଥାଏ କିଛି କ୍ଷଣ ପୂର୍ବରୁ ସ୍ବପ୍ନରେ ଦେଖିଥିବା ମୁକ୍ତିର ସ୍ଲୋଗାନ।ମୁଁ ବି ପାରିବି... ମୁଁ ବି ତୁମ ପରି.... ପୁରୁଷ ସହ ମୁଁ ବି ସମାନ।ସ୍ବପ୍ନର ସ୍ଲୋଗାନ ରେ ନିଜକୁ ମଜବୁତ କରୁଥିଲା ଭିତରେ ଭିତରେ।

ପାଖରେ ଖାଲି ବାସି ରକ୍ତର ଆଇସିଆଁ ଗନ୍ଧ ଆଉ ଲୁହର ଲୁଣି ସ୍ୱାଦ।ଶ୍ୱାସ ରୁଦ୍ଧ ହେଇ ଆସିଲା ତାର।ମୁକ୍ତିର ଫର୍ଚ୍ଛା ଆଲୁଅ ଆଉ ଦି ହାବୁକା ପବନ ପାଇଁ ସବୁ ଶକ୍ତି ଜୁଟେଇ ନୟନା ସୈତାନର ଦୁର୍ବଳତାର ସୁଯୋଗ ନେଇ ତାକୁ ଚକମା ଦେଇ ଚାଲି ଆସିଲା ଯନ୍ତ୍ରଣାକୁ କାନ୍ଧରେ ବୋହି।ମୁକ୍ତି ର ମନ୍ତ୍ରକୁ ମୁଖସ୍ତ କରି ଛୁଟି ଚାଲିଲା ତା ନରମ ପାଦରେ।କେତେ କଣ୍ଟା କେତେ ଶେର ରକ୍ତ ଶୋଷିନେଲେ ତାର ହିସାବ ସେ ରଖିନି।କାନରେ ଅନବରତ ବାଜୁଥିଲା ମୁକ୍ତିର ନାରା ।ମନରେ ଦ୍ବିଗୁଣିତ ଶକ୍ତି।ଅଖିଆ ଅପିଆ ଅଜଣା ଅପରିଚିତ ଇଲାକା ଦେଇ ସେ ଦୌଡ଼ିଲା ମୁକ୍ତି ପାଇଁ।ଜାଣିଲା ପରି ମୁକ୍ତିର ଠିକଣା।ନଈ ନାଳ ହିଡ ବନ୍ଧ ସମସ୍ତେ ତାର ମୂକସାକ୍ଷୀ ହେଇ ଭରି ଦେଉଥିଲେ ତା ଦେହରେ ବିଶ୍ୱାସ ।

ଦୀର୍ଘ ପଥ ଅତିକ୍ରାନ୍ତ ପରେ ପରିଚିତ ବାସ୍ନାରେ ହଠାତ ନୟନା ର ଉଭେଇ ଆସିଲା ଦେହରୁ ଦରଜ, ଓଠକଣ ରେ ଗୋଟେ ଦରଫୁଟା ହସର ପ୍ରଥମ ପାଖୁଡା।ଆଖିରେ ଅଜବ ଚମକ।ମୁକ୍ତି ରାଜ୍ୟ ହେଇ ଗଲାକି!ନୟନା ଆଖି ବୁଲେଇଲା, ବେଶ ଚିହ୍ନା ଚିହ୍ନା ଲାଗୁଥିଲା ଜାଗା ଟା।ଅଜାଣତରେ ପାଦ ତାର ମାଡି ଚାଲିଲା ଆଗକୁ ଆଗକୁ।

ହେଲେ ୟେ କଣ ସମସ୍ତେ ତାକୁ ଦେଖି ଏମିତି କବାଟ କାଇଁ କିଳି ପକାଉଛନ୍ତି!କି ଦୋଷ କରିଛି ସିଏ!ତାର ଏଇ ରକ୍ତାକ୍ତ ମୁହଁ ଦେଖି ଅଚିହ୍ନା ବାରୁଛନ୍ତି ନା କଣ!ତା ଲଜ୍ଜା ଢାଙ୍କିଥିବା ଚିରା କମିଜ ରେ ଭଲ କରି ରଗଡି ରଗଡି ମୁହଁ ପୋଛିଲା ନୟନା।ତଥାପି ସମସ୍ତେ ଆଖି ତରାଟି କିଳି ଦେଉଥିଲେ ଦୁଆର।

ଗାଁ ମୁଣ୍ଡ ଶେଷ ଘର।ପାଦଟା ଅଟକି ଗଲା ନୟନାର।ତା ପିଲାଦିନ ନାଚୁଥିଲା ଦାଣ୍ଡ ଦୁଆରେ।ଆଖିରେ ଅଜବ ଅତ୍ମୀୟତା ଆଉ ଆତ୍ମ ତୃପ୍ତି ନେଇ ଆଖି ବୁଲେଇ ଆଣିଲା ଘର ଉପରୁ।ଏକ ଦୀର୍ଘଶ୍ୱାସ ପକାଇ ଘର ଭିତରକୁ ପଶିବାକୁ ଉଦ୍ୟତ ହେଉ ହେଉ କାହାର ଗୋଟେ ଶକ୍ତ ଗୋଇଠା ନୟନାର ପେଟରେ।ନୟନା ଶକ୍ତ ଧକ୍କାଟିକୁ ସହି ନ ପାରି ଗଡି ଗଡି ଦୁଇଟା ପାହାଚ ତଳେ।ପେଟକୁ ଜାବୁଡି ଧରି ତୀବ୍ର ଯନ୍ତ୍ରଣା ସହ ମୁଣ୍ଡ ଉଠାଇ ଦେଖେ ତ ବଡ଼ ଭାଉଜ।ହାତରେ ଗୋଟାଏ ଲୁହା ଛଡ଼।ଆଖିରେ ଆଖିଏ ଘୃଣା।ସାହି ଲୋକେ ସବୁ ରୁଣ୍ଡ ହେଇ ସାରି ଥାନ୍ତି ଦୁଆର ମୁହଁରେ।କିଏ ଜଣେ କହି ପକାଇଲା ବାରବୁଲି ବୋପା କୁ ତ ନେଲୁ, ଘର ନାଁ ଗାଁ ତ ପକେଇଲୁ ଆଉ କାଇଁ ଆସିଛୁ?ନୟନାର ଅସହ୍ୟ ଯନ୍ତ୍ରଣାରେ ପେଟଟା ପୁଳା ପୁଳା ହେଇ ଯାଉ ଥାଏ କାନକୁ ବିଶ୍ୱାସ କରିବା ଆଗରୁ ଆଖି ବୁଲେଇ ଆଣିଲା ଘର ଉପରୁ ନଜର ପଡିଲା ଦୁଆର ସେ ପାଖରେ ବୋଉର କାନ୍ଦୁରା ବିଧବା ମୁହଁ ଉପରେ।ଆଃ!ବାପା ତମେ ତମ ଝିଅକୁ ଟିକେ ଅପେକ୍ଷା କଲ ନାହିଁ!ବିଶ୍ୱାସ ରଖିଲ ନାହିଁ!ଦିନ ଚାରିଟା ନ ଯାଉଣୁ ତମେ ତମ ଝିଅ ଉପରେ ଏତେ ବଡ ଦୋଷ ଲଦି ଦେଇ ଚାଲିଗଲ!ମନକୁ ମନ ଭାବି ଭେଁ ଭେଁ ରଡି ଛାଡିଲା ନୟନା।ନୟନା ଦେଖିଲା ଦୁଆର ସେ ପାଖରେ ନିରୁପାୟ ହେଇ କାନ୍ଦୁଥିଲା ତା ବୋଉ।ସତେ ଯେମିତି ସେ କହୁଥିଲା ଯା ଲୋ ମାଆ ଯା ଏଠି ତୋର ମୁକ୍ତି ନାହିଁ।ତୋ ପରି ମୁଁ ବି ବେଡିରେ ବନ୍ଧା ଲୋ।

ନିରୀହ ନିରୁପାୟ କାନ୍ଦୁରା ବୋଉର ମୁହଁ ଉପରୁ ଆଖି ଫେରେଇ ଆଣିଲା ନୟନା।ଲୁହ ସିଙ୍ଘାଣି ସବୁ ଏକାକାର ହେଇ ହରେଇ ସାରିଥାନ୍ତି ପରିଚୟ। ଆଉ ଅଣ୍ଟାଶଳଖି ଠିଆ ହେଇ ପାରୁ ନଥାଏ ନୟନା।ବୋଉର କୋଳ,ବାପା ଙ୍କ ଗେଲ, ଭାଇର ରାଖୀ ଆଖିରେ ନାଚୁଥାଏ ନୟନାର।ଆଗକୁ ପାଦ ବଢାଇଲା ନୟନା।ପଛରୁ କ୍ଷୀଣ ହେଇ ଆସୁଥାଏ ବୋଉର କାନ୍ଦ।କିଛି ଦୂର ନିଜକୁ ଘୋଷାରି ଘୋଷାରି ଆଗକୁ ଗଲା।ଆଉ ପାରିଲାନି।

ସାହାଡ଼ା ଗଛ ତଳେ ଲଥ କରି ବସି ପଡ଼ିଲା ନୟନା।କ୍ଷତାକ୍ତ ଦେହ ରକ୍ତାକ୍ତ ମନ ଆଉ ମୁକ୍ତିର ଶେଷ ଆଶା।ହଠାତ କାହାର ଗୋଟେ ବିକଟାଳ ଚିତ୍କାର।ମୁଣ୍ଡ ଉଠେଇ ତା ନିସ୍ତେଜ ଆଖିରେ ଉପରକୁ ଚାହିଁଲା ନୟନା।ମୁକ୍ତି ଗୋଟାଏ ଅଭିଶପ୍ତ ବେତାଳ ପରି ଦାନ୍ତ ନିକୁଟି ଓହଳି ଥାଏ ଗଛରେ।ଆଉ ନିଜେ ମୁକ୍ତି ପାଇବା ପାଇଁ ମାଗୁଥାଏ କିଛି ଗରମ ନିଃଶ୍ୱାସ।

ନୟନା ର ଆପାଦମସ୍ତକ ହେଇ ଆସୁଥାଏ ନିଷ୍କ୍ରିୟ।କରୁଣ ଦୃଷ୍ଟି ରେ ନୟନା ଦେଖୁଥାଏ ମୁକ୍ତିର ବିଭୀଷିକା।ପଛରୁ କେବଳ ଏତିକି ଶୁଭୁଥାଏ ବିଚାରି ମୁକ୍ତି ପାଇଗଲା ଏ ନର୍କରୁ।

ପରଦିନ ଖବର କାଗଜର ପ୍ରଥମ ପୃଷ୍ଠାରେ ଥିଲା ନୟନା।ନାରୀ ନେତ୍ରୀଙ୍କର ସ୍ଲୋଗାନରେ ଥିଲା ନୟନା।ନାରୀ ସସସ୍ତ୍ରୀକରଣ ଉପରେ ଛକ ଉପରେ ଚାଲିଥିଲା ପୁଣି ଜୋରଦାର ନାରାବାଜି।

ନୟନା ଅପହରଣ ମୁକ୍ତି

Rate the content


Originality
Flow
Language
Cover design

Comments

Post

Some text some message..